Unknown

 

 

 

 

 

 

 

 

 

 

 

ଅସୁସ୍ଥ ମନ

ଜଗନ୍ନାଥ ପ୍ରସାଦ ଦାସ

 

ପ୍ରସ୍ତାବନା

 

ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ନୀତି ପ୍ରବର୍ତ୍ତିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରାଦେଶିକ ଭାଷାରେ ବିଶ୍ୱବିଦ୍ୟାଳୟ ପାଠ୍ୟପୁସ୍ତକ ପ୍ରଣୟନ ନିମିତ୍ତ କେନ୍ଦ୍ର ସରକାରଙ୍କ ସହାୟତାରେ ସଂସ୍ଥାମାନ ଗଢ଼ାଯାଇଛି । ‘ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ପ୍ରଣୟନ ନିମନ୍ତେ ଉଦ୍ଦିଷ୍ଟ । ଏ ସଂସ୍ଥା ପକ୍ଷରୁ ଏଯାବତ୍ ବହୁ ପାଠ୍ୟପୁସ୍ତକ ପ୍ରକାଶିତ ହେଲାଣି ଏବଂ ଆଉ କେତେକ ପ୍ରକାଶ ଅପେକ୍ଷାରେ ଅଛି । ‘ଅସୁସ୍ଥ ମନ’ ମନୋବିଜ୍ଞାନ ବିଷୟକ ଏକ ପାଠ୍ୟସହାୟକ ପୁସ୍ତକ । ଏ ପୁସ୍ତକଟିକୁ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ରଚନା କରିଛନ୍ତି ଓ ଦିଲ୍ଲୀସ୍ଥ ଭାରତୀୟ ପ୍ରୟୋଗ–ବିଜ୍ଞାନ ପ୍ରତିଷ୍ଠାନର ମନୋବିଜ୍ଞାନ ବିଭାଗର ଅଧ୍ୟାପିକା ଡକ୍ଟର ପୂର୍ଣ୍ଣିମା ମାଥୁର ଏହାର ସମୀକ୍ଷା କରିଛନ୍ତି । ଏଣୁ ସଂସ୍ଥା ପକ୍ଷରୁ ଆମେ ସେମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛୁଁ ।

 

ଆମର ଆଶା ଓ ବିଶ୍ୱାସ ଯେ, ଏ ପୁସ୍ତକଟି ଛାତ୍ର ତଥା ଅଧ୍ୟାପକ ମହଲରେ ଆଦୃତ ହେବ ।

 

 

ଶ୍ରୀନିବାସ ସାହୁ

ଭୁବନେଶ୍ୱର

ନିର୍ଦ୍ଦେଶକ

ତା ୧–୧୧–୭୪

ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା

☆☆☆

 

ମୁଖବନ୍ଧ

 

ମାନସିକ ଅସୁସ୍ଥତା ସବୁ ଦେଶରେ ଦେଖାଯାଏ । ପୁଣି ଅଧିକାଂଶ ପରିବାରରେ କେହି ନା କେହି ମାନସିକ ରୋଗରେ ପୀଡ଼ିତ ଥିବେ । କିନ୍ତୁ ଏ ବିଷୟରେ ସାଧାରଣ ଲୋକମାନେ କ’ଣ ଜାଣନ୍ତି ? ଏପରିକି ଶିକ୍ଷିତ ଜନସାଧାରଣଙ୍କ ମନରେ ମାନସିକ ଅସୁସ୍ଥତା ବିଷୟରେ ଧାରଣା ସ୍ପଷ୍ଟ ନୁହେଁ । ସେମାନଙ୍କ ପାଇଁ ଏହିପରି ଗୋଟିଏ ବହି ଲେଖିବାର ଆବଶ୍ୟକତା ଅଛି । ତେଣୁ ମୁଁ ଏ ବହି ଲେଖିବାରେ ପ୍ରଣୋଦିତ ହେଲି । ବିଶେଷକରି ‘ରାଜ୍ୟ ପାଠ୍ୟପୁସ୍ତକ ସଂସ୍ଥା’ ଯେତେବେଳେ ବହିଟି ପ୍ରକାଶ କରିବାର ପ୍ରତିଶ୍ରୁତି ଦେଲେ, ମୁଁ ନିଶ୍ଚିନ୍ତ ହେଲି ଯେ ବହିଟି ସାଧାରଣ ଓଡ଼ିଆଭାଷୀ ଲୋକମାନଙ୍କ ପାଖରେ ପହଞ୍ଚିବ ।

 

ବହିରେ ଦୁଇଟି ପ୍ରଧାନ ଅଂଶ ଅଛି । ପ୍ରଥମ କେତୋଟି ପରିଚ୍ଛେଦରେ ଅସୁସ୍ଥ ମନର ପ୍ରବୃତ୍ତି ଓ ଆବେଗ, ଅଚେତନ ଓ ଅବଚେତନ ମନରେ ଥିବା ଦ୍ୱନ୍ଦ୍ୱ ଓ ସଂଘାତ କଥା ଆଲୋଚିତ ହୋଇଅଛି । ଅସୁସ୍ଥମନର ବିଶଦ ବର୍ଣ୍ଣନା କରିଛନ୍ତି ଅଷ୍ଟ୍ରିଆର ମନୋବିଶ୍ଳେଷକ ଫ୍ରଏଡ଼୍ । ତେଣୁ ତାଙ୍କର ମତାମତ ପ୍ରଥମେ ଆଲୋଚନା କରାଯାଇଛି । ତା’ପରେ ଅସ୍ୱାଭାବିକ ମାନସିକ ଅବସ୍ଥାର ଲକ୍ଷଣ, କାରଣ ଓ ପ୍ରତିକାର ଏବଂ ଚିକିତ୍ସା ପ୍ରଭୃତି ବର୍ଣ୍ଣିତ ହୋଇଅଛି । ଶେଷରେ କେତୋଟି ମାନସିକ ରୋଗୀଙ୍କର ଇତିହାସ ଦିଆହୋଇଛି ।

 

ଏହି ବହିର ପାଠକ ହେବେ ଶିକ୍ଷିତ ଜନସାଧାରଣ ଓ କଲେଜରେ ମନୋବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀ । ଆଶାକରେ ଏହା ପଢ଼ି କେବଳ ଜ୍ଞାନ ବୃଦ୍ଧି ହେବ ନାହିଁ, ପଢ଼ିଲେ ଉପଭୋଗ୍ୟ ମଧ୍ୟ ହେବ ।

 

ଜୁନ୍‌ ୧୯୭୪,

ଲେଖକ

ସହିଦ ନଗର, ଭୁବନେଶ୍ୱର

 

☆☆☆

 

ସୂଚିପତ୍ର

 

 

ପ୍ରଥମ ପରିଚ୍ଛେଦ

୧.

ମଣିଷ ଓ ତାହାର ମନ–

 

ଦ୍ୱିତୀୟ ପରିଚ୍ଛେଦ

୨.

ମନର ବିକାଶ : ଫ୍ରଏଡ଼୍‍ଙ୍କର ତତ୍ତ୍ୱ–

 

ତୃତୀୟ ପରିଚ୍ଛେଦ

୩.

ମାନବର ଇତିହାସ ଓ ଯୌନବିକାଶ–

 

ଚତୁର୍ଥ ପରିଚ୍ଛେଦ

୪.

ଅଚେତନ ମନର ଭାବନା–

 

ପଞ୍ଚମ ପରିଚ୍ଛେଦ

୫.

ଆଡ଼ପାଗଳା କିଏ ?

 

ଷଷ୍ଠ ପରିଚ୍ଛେଦ

୬.

ଉଦ୍‌ବେଗଜନିତ ଆଡ଼ପାଗଳାମିର ଅନୁକୂଳ ଅବସ୍ଥା

 

ସପ୍ତମ ପରିଚ୍ଛେଦ

୭.

ହିଷ୍ଟ୍ରିଆ

 

ଅଷ୍ଟମ ପରିଚ୍ଛେଦ

୮.

ଆବେଶିକ–ଆଡ଼ପାଗଳାମୀ

 

ନବମ ପରିଚ୍ଛେଦ

୯.

ପାଗଳ କିଏ ?

 

ଦଶମ ପରିଚ୍ଛେଦ

୧୦.

ସ୍କିଜୋଫ୍ରେନିଆ

 

ଏକାଦଶ ପରିଚ୍ଛେଦ

୧୧.

ଉତ୍‌ଫୁଲ୍ଲ–ବିଷାଦ ପାଗଳାମୀ

 

ଦ୍ୱାଦଶ ପରିଚ୍ଛେଦ

୧୨.

ଏପିଲେପ୍‌ସି ବା ଅପସ୍ମାର

 

ତ୍ରୟୋଦଶ ପରିଚ୍ଛେଦ

୧୩.

ବୁଦ୍ଧିହୀନତା

 

ଚତୁର୍ଦ୍ଦଶ ପରିଚ୍ଛେଦ

୧୪.

ସମାପ୍ତିକା–

 

ପଞ୍ଚଦଶ ପରିଚ୍ଛେଦ

୧୫.

କେତେକ ମାନସିକ ରୋଗୀଙ୍କର ରୋଗ ଇତିହାସ–

☆☆☆

 

ପ୍ରଥମ ପରିଚ୍ଛେଦ

ମଣିଷ ଓ ତାହାର ମନ

 

ମନ ଚିରକାଳ ଲାଗି କୌତୂହଳପ୍ରଦ; ଅଶେଷ ଆଶ୍ଚର୍ଯ୍ୟର ଭଣ୍ଡାର । ମଣିଷ ଯୁଗଯୁଗ ଧରି ନିଜର ମନ ବିଷୟରେ ବହୁତ ଭାବିଛି । କି ସାଧାରଣ ଲୋକ, କି ଦାର୍ଶନିକ ସମସ୍ତେ ମନ ବିଷୟରେ ଚିନ୍ତା କରିଛନ୍ତି । ମନ କେତେ ପୁରୁଣା, ଅଥଚ ମନ ବିଷୟରେ ନୂଆ ନୂଆ ଚିନ୍ତାଧାରା ସବୁ ଯୁଗରେ ସବୁ ଦେଶରେ ଦେଖାଯାଇଛି । ଆଦିମଯୁଗର ମଣିଷ ଭାବୁଥିଲା ତା’ ମନ ଦେହଠାରୁ ଅଲଗା । ସେ ଶୋଇ ପଡ଼ିଲେ ମନ ଦେହକୁ ଛାଡ଼ି ବିଭିନ୍ନ ଦେଶ ବୁଲିଆସେ, ବିଚିତ୍ର ଜୀବଜନ୍ତୁ, ଗିରି ପର୍ବତ, ନଦୀ, ପ୍ରାନ୍ତର ଦେଖେ, ବର୍ଣ୍ଣନାତୀତ ଅନୁଭୂତି ଲାଭକରେ, ତେଣୁ ଶୋଇଥିବା ମଣିଷ ସ୍ୱପ୍ନ ଦେଖେ । ପୁରାତନ ହିନ୍ଦୁ ଦର୍ଶନ ଅନୁସାରେ ମନ ବା ଆତ୍ମା ଅମର, ତେଣୁ ଏହା ଏକ ଘଟ ଛାଡ଼ି ଅନ୍ୟ ଘଟରେ ପ୍ରବେଶ କରିପାରେ । ଶଙ୍କରାଚାର୍ଯ୍ୟ କିପରି ରାଜାଙ୍କ ଘଟରେ ଆବିର୍ଭୂତ ହୋଇ ରାଜସମ୍ଭୋଗର ଅନୁଭୂତି ପାଇଲେ ସେ ଆଖ୍ୟାୟିକା ଏହାର ଉଦାହରଣ । ଦେକାର୍ଟ ବୋଲି ଜଣେ ପାଶ୍ଚାତ୍ୟ ଦାର୍ଶନିକ ଭାବୁଥିଲେ ଯେ ମନ ଓ ଦେହ ଦୁଇଟି ବିଭିନ୍ନ ସତ୍ତା ଓ ପଶୁପକ୍ଷୀଙ୍କର କେବଳ ଦେହ ଅଛି, ମନ ନାହିଁ । ତେଣୁ ଗୋଟିଏ କୁକୁରକୁ ଖୁବ୍‌ ପିଟିଲେବି ତାକୁ କଷ୍ଟ ହେବନି, କାରଣ ତା’ର ତ ମନ ନାହିଁ, କଷ୍ଟ ଅନୁଭବ କରିବ କିଏ ? କୁକୁରର ଆର୍ତ୍ତନାଦ ଯନ୍ତ୍ରରୁ ବାହାରୁଥିବା ଶବ୍ଦ ପରି ନିର୍ଜୀବ, ଅନୁଭୂତି ହୀନ । ଲାଇବ୍‌ନିଜ୍‌ ବୋଲି ଆଉ ଜଣେ ଦାର୍ଶନିକ ଭାବୁଥିଲେ ଯେ ମନ ଓ ଦେହ ଦୁଇଟି ମୁହଁଥିବା ଗୋଟିଏ ଘଣ୍ଟା ଭଳି । ଘଣ୍ଟାର ଏପଟେ ଯାହା ସମୟ ହୋଇଛି ସେପଟେ ସେହି ସମୟ ହୋଇଥିବ; ଅଥଚ ଏ ଦିପଟ ପରସ୍ପରକୁ ପ୍ରଭାବିତ କରୁନାହାନ୍ତି । ଅର୍ଥାତ୍‌ କୁକୁରକୁ ବାଡ଼େଇଲେ ତାକୁ କଷ୍ଟ ହୁଏ; କିନ୍ତୁ ବାଡ଼େଇବାଟା କଷ୍ଟ ଜନ୍ମାଏ ନାହିଁ । ବାଡ଼େଇବା ଓ କଷ୍ଟହେବା ଦୁଇଟାଯାକ ଏକ ସମୟରେ ହୁଏ, କେହି କାହାଯୋଗୁଁ ହୁଏନାହିଁ-। ଘଣ୍ଟାର ଦୁଇମୁହଁର ଘଣ୍ଟାକଣ୍ଟା ମିନିଟ୍‌ କଣ୍ଟା ଏମିତି ମିଳେଇ ରଖା ହୋଇଛି ଯେ ଏଥିରେ ଯାହା ବାଜିବ ଆରଟିରେ ସେଇଆ ବାଜିବ । ସେମିତି ଭଗବାନ ଦେହ ଓ ମନର ଚାବି ଏମିତି ମୋଡ଼ିଛନ୍ତି ଯେ ଦେହ ଓ ମନର ଘଟଣାରେ ସାମଞ୍ଜସ୍ୟ ରହୁଛି । ଆମେ ସାଧାରଣ ଲୋକେ ଏତେ ଦାର୍ଶନିକ ଚିନ୍ତା କରିପାରିବା ନାହିଁ । ଅଥଚ ଆମେ ଜାଣୁ ଯେ ଦେହ ଓ ମନ ଅଲଗା ହେଲେ ମଧ୍ୟ ସେମାନଙ୍କ ଭିତରେ ନିରବଚ୍ଛିନ୍ନ ଯୋଗାଯୋଗ ଅଛି । ମନର ଯେ ଦେହ ସଙ୍ଗେ ସମ୍ବନ୍ଧ ଅଛି ଏଇଟା ଅତି ଜଣାଶୁଣା କଥା । ଦେହ ଅସୁସ୍ଥ ହେଲେ ମନ ଭଲ ଲାଗେନି । ମନ ଖରାପ ଥିଲେ ଦେହ ଭଲ ଲାଗେନି । ଏ କଥା ଯେଉଁମାନେ ପାଠଶାଠ ପଢ଼ି ନାହାନ୍ତି, ଦର୍ଶନ ଶାସ୍ତ୍ର ଆଲୋଚନା କରି ନାହାନ୍ତି ସେମାନେବି ଜାଣନ୍ତି ।

 

ଯଦିଓ ଆମେ ସମସ୍ତେ ମନ କ’ଣ ଜାଣୁ, ତେବେବି ମନ କ’ଣ,ବୋଲି ପଚାରିଲେ ସାଧାରଣ ଲୋକେ ଠିକ୍‌ କରି କହିପାରିବେନି । ମନରେ କ’ଣ ଦେହଭଳି ଶିରାପ୍ରଶିରା ଅଛି ? ନା-। ମନ କ’ଣ ମସ୍ତିଷ୍କ ? ନା । ଅଥଚ ମସ୍ତିଷ୍କରେ ଆଘାତ ଲାଗିଲେ ମନର ଅସୁସ୍ଥତା ଦେଖାଯାଏ-। ଏମିତିକି ପାଗଳାମିକୁ ଆମେ ମସ୍ତିଷ୍କବିକୃତି ବୋଲି କହୁ । ମନର ଯଦି ନିଜ ଦେହ ନାହିଁ, ତେବେ ତାହା ଦେହର କେଉଁଠି ଥାଏ ? ଏହା କ’ଣ ଭୂତପ୍ରେତ ଭଳି ଅଶରୀରୀ ? ଏତେ ଆଲୋଚନା ନ କରି ଦେଖାଯାଉ କେଉଁ କାମଗୁଡ଼ାକୁ ମାନସିକ କୁହାଯାଇପାରିବ । ମୁଣ୍ଡ ବଥାଇଲେ କଷ୍ଟହୁଏ, ବା ଗୋଡ଼ହାତ ଖଣ୍ଡିଆ ହେଲେ ବଡ଼ କାଟେ–କଷ୍ଟ ହେବାଟା ମାନସିକ । ସେମିତି ଦୁଇବର୍ଷ ପରେ ହଠାତ୍‌ ଜଣେ ଚିହ୍ନା ଲୋକକୁ ଦେଖିଲେ ଆମେ ଦୋଦୋଚିହ୍ନା ହେଉ, ତା’ପରେ ଠିକ୍‌ ମନେ ପଡ଼େ କେଉଁଠି ତାକୁ ଦେଖିଥିଲୁ ବୋଲି । କିମ୍ବା ବହୁତ ଦିନପରେ ଆଉଥରେ ଗୋଟାଏ ଜାଗାକୁ ଗଲେ ଆସ୍ତେ ଆସ୍ତେ ସେ ଜାଗାର ବାଟଘାଟ ସବୁ ମନେପଡ଼େ । ମନେ ପଡ଼ିବା ଓ ଚିହ୍ନିବା ନିଶ୍ଚୟ ମାନସିକ । ଭାବିବା ଓ ବିଚାର କରିବା ମଧ୍ୟ ମାନସିକ । ତେଣୁ ସୁଖ ଦୁଃଖ ଓ ଅନୁରାଗ ବିରାଗ ଅନୁଭବ କରିବା, ଚିନ୍ତା ଓ ସ୍ମରଣ କରିବା କିମ୍ବା ବିଚାର ବୁଦ୍ଧି ପ୍ରୟୋଗ କରି ଏକ ନିର୍ଦ୍ଦିଷ୍ଟ କର୍ମପନ୍ଥା ଅବଲମ୍ବନ କରିବାକୁ ମାନସିକ କାର୍ଯ୍ୟକଳାପ ବୋଲି କୁହାଯାଇପାରେ । ମାନସିକ ବ୍ୟାଧିହେତୁ ଏହି କାର୍ଯ୍ୟକଳାପରେ ଅସ୍ୱାଭାବିକତା ଦେଖାଯାଏ, ସ୍ମରଣ ଶକ୍ତି କମିଯାଇପାରେ, ଭାବନା ଓ ଚିନ୍ତା ନିହାତି କପୋଳକଳ୍ପିତ ଜଣାଯାଇପାରେ, ସୁଖ ଦୁଃଖ ବା ଅନ୍ୟ ପ୍ରକାରର ଆବେଗ ଅନୁଭବ କରିବାରେ ଗୋଳମାଳ ଦେଖା ଦେଇପାରେ ।

 

ତା’ ମାନେ କ’ଣ ମାନସିକ ବ୍ୟାଧିରେ କୌଣସି ଶାରୀରିକ ଗୋଳମାଳ ନଥାଏ ? ହଁ, ନିଶ୍ଚୟ ଥାଏ । କାରଣ ମନ ଦେହ ଉପରେହିଁ ନିର୍ଭର କରେ । ମନ ଓ ଦେହ ଭିତରେ ସମ୍ବନ୍ଧ ଏଇଠି ଆଉ ଟିକେ ଆଲୋଚନା କରିବା ଦରକାର । ମଣିଷର ଦେହ ନଷ୍ଟ ହୋଇଗଲେ ମନର ଅସ୍ତିତ୍ୱ ଲୋପପାଏ । ମଣିଷ ମରିଗଲେ ଆଉ ଭାବିଚିନ୍ତି ପାରେନି ବା ଦୁଃଖକଷ୍ଟ ଅନୁଭବ କରିପାରେନି । କିନ୍ତୁ ଦେହର କେଉଁ ଅଂଶଟି ମନର କାର୍ଯ୍ୟକଳାପ ପାଇଁ ଦରକାର ? ଗୋଡ଼ହାତ ବା ଅନ୍ୟାନ୍ୟ ଅବୟବ ଏତେ ବେଶୀ ଦରକାର ନୁହନ୍ତି; କାରଣ ଲୋକଙ୍କର ଗୋଡ଼ହାତ କଟି ଯାଇଛି, ତେବେବି ସେମାନଙ୍କର ମାନସିକ କାର୍ଯ୍ୟକଳାପ ଠିକ୍‌ ଚାଲିଛି । ଅବଶ୍ୟ, ଗୋଡ଼ହାତ କଟିଯିବାରୁ କେତେକ ଲୋକଙ୍କ ମନରେ ଏତେ ଆଘାତ ଲାଗେ ଯେ ସେମାନେ କିଛି ସମୟପାଇଁ ଅତ୍ୟନ୍ତ ଚିନ୍ତିତ ଅବସ୍ଥାରେ ରହି ମାନସିକ ଅସ୍ୱାଭାବିକତା ଦେଖାନ୍ତି । ମନପାଇଁ ସବୁଠାରୁ ଦରକାରୀ ଦୈହିକ ଅଂଶ ହେଲା ମସ୍ତିଷ୍କ । ଯଦି ଔଷଧ ଦେଇ ପୂରା ମସ୍ତିଷ୍କକୁ ଅନୁଭୂତିହୀନ କରାଯାଇପାରେ, ତେବେ ଆମର ସବୁ ମାନସିକ କାର୍ଯ୍ୟକଳାପ ଲୋପ ପାଇଯିବ । ମସ୍ତିଷ୍କର ପଛ ପାଖକୁ ଯଦି ଅନୁଭୂତିହୀନ କରାଯାଇପାରେ ତେବେ ଆମେ କିଛି ଦେଖିପାରିବୁନି; ଅଥଚ ଆଖି ଏକଦମ୍‌ ଆଗପରି ରହିଛି । ପୁଣି ମସ୍ତିଷ୍କର ପଛପାଖରେ କେବଳ ଗୋଟିଏ ଅଂଶକୁ ଅନୁଭୂତିହୀନ କରିଦେଲେ ଆମେ ଦେଖିପାରୁଥିବୁ, କିନ୍ତୁ ଚିହ୍ନିପାରୁ ନଥିବୁ । ସେମିତି ମସ୍ତିଷ୍କର ଯେଉଁ ଅଂଶ ଉପରେ ଶ୍ରବଣଶକ୍ତି ନିର୍ଭର କରେ, ତାହାର ଗୋଟିଏ ଅଂଶକୁ ଏହିପରି ଅନୁଭୂତିହୀନ କରିଦେଲେ ଲୋକ ଶୁଣି ପାରିବ । କିନ୍ତୁ କ’ଣ କୁହାଯାଉଛି ତାହା ବୁଝିପାରିବ ନାହିଁ । ମସ୍ତିଷ୍କର ସାମ୍ନା ଅଂଶଟିକୁ ନଷ୍ଟ କରିଦେଲେ ଭାବନା ଓ ବିଚାରଶକ୍ତି ଲୋପ ପାଇଯାଏ । ମଟରଗାଡ଼ି ଦୁର୍ଘଟଣାରେ ଗୋଟିଏ ଲୋକର କପାଳରେ ଆଘାତ ଲାଗି ମସ୍ତିଷ୍କର କିଛି ଅଂଶ ନଷ୍ଟ ହୋଇ ଯାଇଥିଲା, ଡାକ୍ତରଖାନାରେ ରହି ତା’ର ମୁଣ୍ଡ ଘା ଶୁଖିଗଲା; କିନ୍ତୁ ତାକୁ ଆଉ ଘରକୁ ଫେରିବାକୁ ପଡ଼ିଲାନି, ମାନସିକ ଡାକ୍ତରଖାନାରେ ସାରା ଜୀବନ ରହିବାର ବ୍ୟବସ୍ଥା କରାଗଲା । କାରଣ ତା’ର ଭାବିଚିନ୍ତି କାମ କରିବା ଶକ୍ତି ନଷ୍ଟ ହୋଇ ଯାଇଛି, କଥାବାର୍ତ୍ତା ବଡ଼ ଅସଙ୍ଗତ ଓ ପିଲାଳିଆ । ବହୁତ କଥା ବୁଝିପାରୁ ନଥାଏ । ତାକୁ ବାହାରକୁ ଛାଡ଼ିଦେଲେ ନିଜେତ ରୋଜଗାର କରି ଚଳି ପାରିବନି, ହୁଏତ ନିଜେ ରାସ୍ତାଘାଟ ଚିହ୍ନିପାରିବନି ଓ କେତେବେଳେ କେଉଁ ଦୁର୍ଘଟଣାରେ ପଡ଼ି ଜୀବନକୁ ବିପନ୍ନ କରିବ ।

 

ତେବେ ମନ କ’ଣ ? ମୋଟାମୋଟି କହିବାକୁ ଗଲେ ଜଣା ପଡ଼ୁଛି ମନ ଯେମିତି ଦେହ ଓ ବିଶେଷକରି ମସ୍ତିଷ୍କର ସାଧାରଣ ଶକ୍ତି । ମଣିଷକୁ ମଟରଗାଡ଼ି ସଙ୍ଗେ ତୁଳନା କଲେ ମଟରଗାଡ଼ିର ଅଂଶଗୁଡ଼ିକ ହେଲା ଦେହ ଓ ମଟରଗାଡ଼ିର ଚାଲିବା ଶକ୍ତି ହେଲା ମନ । ଯେପରି ବିଶେଷତଃ ଇଞ୍ଜିନ୍ ଉପରେ ମଟରଗାଡ଼ିର ଚାଲିବା ନିର୍ଭର କରେ ସେହିପରି ମସ୍ତିଷ୍କ ଉପରେ ବିଶେଷକରି ମାନସିକ ପ୍ରକ୍ରିୟା ନିର୍ଭର କରେ । ମଟରଗାଡ଼ି ଠିକ୍‌ ଭାବରେ ଚାଲିବାପାଇଁ ଯେମିତି ଇଞ୍ଜିନ୍ ଓ ବଡ଼ି ଭଲଥିବା ଦରକାର ଓ ରାସ୍ତାଘାଟବି ସୁବିଧା ହେବା ଦରକାର ସେମିତି ମଣିଷର ମନ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବାପାଇଁ ଦେହ ସୁସ୍ଥ ଓ ପାରିପାର୍ଶ୍ୱିକ ଅବସ୍ଥା ଅନୁକୂଳ ହେବା ଆବଶ୍ୟକ । କିନ୍ତୁ ମଟରଗାଡ଼ିର ଜଣେ ଡ୍ରାଇଭର ଥାଏ, ସେ ନ ଚଳେଇଲେ ଗାଡ଼ି ଚାଲେନାହିଁ । ମଣିଷର ସେମିତି କେହିନାହିଁ । ଏଇଠି ଆମ ତୁଳନାତ୍ମକ ବିଚାର ଆଉ ଆଗେଇ ପାରିବନି ।

 

ମଣିଷ ମନ କାହିଁକି କାମ କରେ–ଖୁବ୍‌ ସାଧାରଣ ସ୍ତରରୁ ଏହାର ବିଚାର କରାଯାଉ । ଆମକୁ ଭୋକଶୋଷ କାହିଁକି କରେ ?–ଦେହରୁ ଖାଦ୍ୟ ଓ ପାନୀୟ ସରିଯିବାରୁ । ତା’ ମାନେ ଯେତେବେଳେ ଖାଦ୍ୟ ଓ ପାଣି ସରିଯାଏ ସେତେବେଳେ ମନକୁମନ ଭୋକଶୋଷ କରେ । ସେହିପରି ମଣିଷର ଅନେକ କାର୍ଯ୍ୟପାଇଁ ଦେହରୁ ଇଙ୍ଗିତ ଆସେ–ଯଥା ମଣିଷକୁ ନିଦ ଲାଗେ, ଶରୀରକୁ କଷ୍ଟ ଦେଉଥିବା ଜିନିଷଠାରୁ ମଣିଷ ଦୂରରେ ରହେ, ନିଜ ଶରୀରକୁ ଆରାମ ଦେବାପାଇଁ ସେ ଘରଦ୍ୱାର ତିଆରି କରେ ଏବଂ ଏପରିକି ବାହାସାହା ହୋଇ ପିଲା କୁଟୁମ୍ବ ଗଢ଼ି ସାରା ଜୀବନପାଇଁ ସୁଖର ମୂଳଦୁଆ ଦେଉଛି ବୋଲି ଭାବେ । କିନ୍ତୁ ଦୈହିକ ଇଙ୍ଗିତରୁ ଭାବନା, ଚିନ୍ତା ବା କାମର ଉତ୍ପତ୍ତି ବୋଲି କହି ହେବନି । ମଣିଷ ବେଳେବେଳେ ଇଆଡ଼ୁ ସିଆଡ଼ୁ ଅକାରଣ ଭାବେ; ପ୍ରାୟ ସବୁବେଳେ କିଛିନା କିଛି ଭାବୁଥାଏ–ଶୋଇଲାବେଳେବି ଭାବନା ସବୁ ସ୍ୱପ୍ନରେ ଦେଖାଦିଏ । ତେବେ ମଣିଷର ଏ ଅବିଚ୍ଛିନ୍ନ ମାନସିକ କାର୍ଯ୍ୟ–କଳାପର କାରଣ କ’ଣ ? ମଟରଗାଡ଼ିକୁ ତ ନ ଚଳେଇଲେ ଚାଲେନି । ମଣିଷକୁ କିନ୍ତୁ ଏପରି ଅନବରତ କିଏ ଚଳାଉଛି ? ଆଜିକାଲି ଗବେଷଣାରୁ ଜଣା ପଡ଼ୁଛି ଯେ ମଣିଷ ସ୍ଵଭାବତଃ କାର୍ଯ୍ୟରତ, ମଟରଗାଡ଼ି ଭଳି ତା’ର ସ୍ୱାଭାବିକ ଅବସ୍ଥା ନିଶ୍ଚଳ ନୁହେଁ, ସଚଳ ।

 

ଅର୍ଥାତ୍‌ ମଟରଗାଡ଼ିକୁ ଯେମିତି କେହି ନ ଚଳାଇଲେ ସେ ବନ୍ଦ ରହିଥାଏ, ମଣିଷକୁ ସେମିତି କେହି ବନ୍ଦ ନ କଲେ ସେ ଚାଲୁଥାଏ । ଖୁବ୍‌ ଥକା ହୋଇ ପଡ଼ିଲେ ଦେହର ସ୍ନାୟୁ ଓ ମାଂସପେଶୀରେ ମଇଳା ଜମିଯାଏ, ତେଣୁ ମଣିଷ କାମ ବନ୍ଦ କରିବାକୁ ବାଧ୍ୟ ହୁଏ; ସମୟ କ୍ରମେ ସ୍ନାୟୁ ଓ ମାଂସପେଶୀ ପୁଣି ତାଜା ହୋଇଉଠେ ଓ ମଣିଷ ବିଶ୍ରାମ ଶେଷ କରି ପୁଣି କାମକରେ । ତେବେ ବିଶ୍ରାମ ମଣିଷର ସ୍ୱାଭାବିକ ଅବସ୍ଥା ନୁହେଁ । ମସ୍ତିଷ୍କର ସ୍ନାୟୁଗୁଡ଼ିକର ମଧ୍ୟ ସେହି ପ୍ରକୃତି । ସେଗୁଡ଼ିକ ପାରିପାର୍ଶ୍ୱିକ ଘଟଣାଦ୍ୱାରା ଉତ୍ତେଜିତ ନହେଲେ ମଧ୍ୟ ଆପେଆପେ ଏକପ୍ରକାର ନିୟମାନୁବର୍ତ୍ତିତାରେ ଉତ୍ତେଜିତ ହୋଇ କାମ କରନ୍ତି । ଏକଥା ଆମେ ଖୁବ୍‌ ଅଳ୍ପଦିନ ହେଲା ଗବେଷଣାରୁ ଜାଣିପାରିଛୁ ।

 

ମନ ବିଷୟରେ ମୋଟାମୋଟି ଗୋଟିଏ ଧାରଣା ହେଲାପରେ ମାନସିକ ବ୍ୟାଧି କଥା ଆଉଟିକେ ଭଲକରି ଆଲୋଚନା କରାଯାଉ । ମାନସିକ ବ୍ୟାଧିର ଲକ୍ଷଣ ହେଲା ମାନସିକ କାର୍ଯ୍ୟକଳାପରେ ତ୍ରୁଟି ଓ ଅବ୍ୟବସ୍ଥା ଦେଖାଯିବା । ମନକୁ ଦେହର ଏକପ୍ରକାର ଶକ୍ତି ବୋଲି ଆମେ ଧରି ନେଇଛୁ । ତେଣୁ ମାନସିକ ବ୍ୟାଧି କେବଳ ମାନସିକ ନା କେବଳ ଶାରୀରିକ କାରଣ ଯୋଗୁଁ ହୁଏ ପଚାରିବା ଠିକ୍‌ ହେବନି । ବ୍ୟାଧିର କାରଣ ଯାହା ହେଉ ନା କାହିଁକି ମାନସିକ ବ୍ୟାଧିରେ ଦେହ ଓ ମନ ଉଭୟ ଆକ୍ରାନ୍ତ ହୁଅନ୍ତି । ଏଠି ପ୍ରଶ୍ନ ଉଠିପାରେ ତେବେ ଶାରୀରିକ ରୋଗଠାରୁ ଏହା କେଉଁ ଗୁଣରେ ଅଲଗା ? ଯକ୍ଷ୍ମା, କ୍ୟାନସର୍‌ ଏବଂ ଟାଇଫଏଡ଼୍ ପ୍ରଭୃତି ରୋଗରେ କ’ଣ ମାନସିକ ଅସୁସ୍ଥତା ପରିଲକ୍ଷିତ ହୁଏ ନାହିଁ ? ନିଶ୍ଚୟ ହୁଏ । ତେବେ ଶାରୀରିକ ରୋଗରେ ସ୍ପଷ୍ଟଭାବରେ ଦୈହିକ ବିକୃତି ଦେଖାଦିଏ, ଅଧିକାଂଶ ମାନସିକ ରୋଗରେ ଦୈହିକ ବିକୃତି ମୁଖ୍ୟସ୍ଥାନ ଅଧିକାର କରେନାହିଁ । ଯକ୍ଷ୍ମାରେ ଫୁସ୍‌ଫୁସ୍‌ ଜୀବାଣୁଗ୍ରସ୍ତ ହୋଇ ଠିକ୍‌ କାମ କରେନି, କ୍ୟାନସର୍‍ରେ ଦେହ ଭିତରେ ବା ବାହାରେ ମାରାତ୍ମକ କ୍ଷତ ଦେଖାଦିଏ । କିନ୍ତୁ ଅଧିକାଂଶ ମାନସିକ ରୋଗରେ ମାନସିକ କ୍ରିୟା ପ୍ରକ୍ରିୟାର ଅନିୟମିତତାହିଁ ଏକମାତ୍ର ସ୍ପଷ୍ଟ ଲକ୍ଷଣ; ଦୈହିକ ବିକୃତି ତା’ପରେ ଦେଖାଦେଇପାରେ । ମଟରଗାଡ଼ି ସାଙ୍ଗେ ତୁଳନା କଲେ ଦୈହିକ ରୋଗ ହେଲା ଗିଅର୍, ଆକ୍‌ସିଲେରେଟର ବା ଚକ ଖରାପ ହେବା । ଏଥିରୁ କୌଣସିଟି ଖରାପ ହେଲେ ମଟର ଠିକ୍‌ ଚାଲିବନି । ସେହିପରି ଟାଏଫଏଡ଼୍ ବା ଯକ୍ଷ୍ମା ହେଲେ ମନ ସ୍ୱାଭାବିକ ଅବସ୍ଥାରେ ରହିପାରିବନି । କିନ୍ତୁ ମଟରଗାଡ଼ି ସହ ମାନସିକ ରୋଗର ତୁଳନା ଠିକ୍‌ ଭାବରେ ଦେବା କଷ୍ଟ । ଯଦି ମଟରଗାଡ଼ି ଠିକ୍‌ ଚାଲୁ ନଥାଏ ଅଥଚ ଇଞ୍ଜିନ୍‌ ବା ଅନ୍ୟାନ୍ୟ ଅଂଶରେ କୌଣସି ଗୋଳମାଳ ଧରାପଡ଼ୁ ନଥାଏ ତେବେ ହୁଏତ ମଟରଗାଡ଼ିକୁ ‘ମାନସିକରୋଗ’ ହୋଇଛି ବୋଲି କୁହାଯିବ । କିନ୍ତୁ ଏହାତ କେବେ ସମ୍ଭବପର ନୁହେଁ–କାରଣ ମଟର ଠିକ୍‌ ଚାଲୁ ନଥିଲେ ଇଞ୍ଜିନ୍ ବା ମଟରର ଅନ୍ୟଜାଗାରେ ନିଶ୍ଚୟ ଗୋଳମାଳ ଥିବ ବୋଲି ଆମେ ଧରିନେଉ, କେଉଁଠି ଖରାପ ହୋଇଛି ତାହା ଆଖିରେ ନ ପଡ଼ିଲେବି ଇଞ୍ଜିନ୍‌ କିମ୍ବା ବଡ଼ି ଯେ ନିଶ୍ଚୟ ଖରାପ ହୋଇଛି ଏଥିରେ ସନ୍ଦେହ ହୁଏ ନାହିଁ । ହୁଏତ ସେହିପରି ମାନସିକ ବ୍ୟାଧିର ଶାରୀରିକ କାରଣଗୁଡ଼ିକ ଏପର୍ଯ୍ୟନ୍ତ ଜଣାପଡ଼ିନି-। ତେଣୁ ବୋଧହୁଏ ବହୁ ଯେ ଶାରୀରିକ କାରଣ ବିନା ମାନସିକ ବିକୃତି ଦେଖାଯାଉଛି-। ଏମିତି ହୋଇପାରେ ଯେ ବିଜ୍ଞାନର ଉନ୍ନତି ସଙ୍ଗେ ସଙ୍ଗେ ଆମେ ଆହୁରି ସୂକ୍ଷ୍ମ ଉପାୟ ସାହାଯ୍ୟରେ ଏ ଶାରୀରିକ ଅସ୍ୱାଭାବିକତା ଦେଖିପାରିବା । ସେତେବେଳେ ବୋଧହୁଏ ମାନସିକ ରୋଗର ସଂଜ୍ଞା ବଦଳିଯିବ । ସେ ଯାହା ହେଉ ବର୍ତ୍ତମାନ ପାଇଁ ଆମେ ଅର୍ଦ୍ଧପଣ୍ଡିତ ଭାବରେ ମାନିନେଇଛୁ ଯେ ମାନସିକ ରୋଗରେ ଶାରୀରିକ କ୍ଷତି ଅତ୍ୟନ୍ତ ଗୌଣ ଏବଂ ମାନସିକ ବ୍ୟାଧିରେ ଦେଖାଯାଉଥିବା ମାନସିକ କ୍ରିୟା ପ୍ରତିକ୍ରିୟାର ବ୍ୟତିକ୍ରମ ଶାରୀରିକ କାରଣରୁ ଘଟି ନାହିଁ-

 

ସମୟକ୍ରମେ ମାନସିକ ରୋଗର ଶାରୀରିକ କାରଣ ମିଳିବ ବୋଲି ଉପରେ ଆଶାକରାଯାଉଛି । କିନ୍ତୁ ଫ୍ରଏଡ଼୍ ଏହାର ସମ୍ପୂର୍ଣ୍ଣ ବିପକ୍ଷରେ । ଫ୍ରଏଡ଼୍‍ଙ୍କ ମତରେ ମାନସିକ ବ୍ୟାଧିର କାରଣ କେବଳ ମାନସିକ । ଅର୍ଥାତ୍ ମଣିଷର ମନ ଓ ବ୍ୟକ୍ତିତ୍ୱର ବିକାଶରେ ଦୋଷ ଥିବା ହେତୁ ମାନସିକ ବ୍ୟାଧି ଦେଖାଯାଏ । ମନବିଶ୍ଳେଷଣ କରି ଫ୍ରଏଡ଼୍ ଏ ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ସେ ଅନେକ ବହି ଲେଖିଛନ୍ତି । କିନ୍ତୁ ସଂକ୍ଷିପ୍ତରେ ତାଙ୍କର ମତବାଦ ଏଠାରେ ବିଚାର କରିବାକୁ ପଡ଼ିବ । ଫ୍ରଏଡ଼୍ ମଣିଷର ମନକୁ କେତେକ ମୁଖ୍ୟଭାଗରେ ବିଭକ୍ତ କରିଛନ୍ତି ଗୋଟିଏ ଭାଗରେ ମଣିଷର ମନ ତିନିସ୍ତରରେ ଥାଏ–ନିର୍ଜ୍ଞାନ ଅଳ୍ପାଂଶରେ ସଜ୍ଞାନ, ସଜ୍ଞାନ । ନିର୍ଜ୍ଞାନରେ ଆମର ବହୁତ ଇଚ୍ଛା ଓ କାମନା ରହେ, ଏସବୁ ସାଧାରଣତଃ ସମାଜ–ବିରୋଧୀ । ଯାହା ସଜ୍ଞାନରେ ରହିବା ଅନୁପଯୋଗୀ, ଯେଉଁ ଭାବନା ଓ କାମନା ଅନିପ୍‌ସୀତ ସେ ସବୁ ନିର୍ଜ୍ଞାନର ଅନ୍ଧକାର ଗୁମ୍ଫାକୁ ଠେଲି ଦିଆହୁଏ । ତେଣୁ ମଣିଷର ଆଦିମ ପ୍ରବୃତ୍ତିର ବାସସ୍ଥାନ ହେଲା ନିର୍ଜ୍ଞାନ । ଫ୍ରଏଡ଼୍‍ଙ୍କର ସଜ୍ଞାନ–ନିର୍ଜ୍ଞାନ ତତ୍ତ୍ୱ ସହିତ ତାଙ୍କର ଇଡ଼୍, ଇଗୋ ଓ ସୁପର୍‍ଇଗୋ ଧାରଣା ଅତି ଘନିଷ୍ଠଭାବରେ ସଂଶ୍ଳିଷ୍ଟ । ଇଡ଼୍‍ର ବାସସ୍ଥଳୀ ନିର୍ଜ୍ଞାନରେ ଏବଂ ପ୍ରକୃତରେ ଇଡ଼୍ ମଣିଷର ଆଦିମ ଅନ୍ଧ ପ୍ରବୃତ୍ତିର ଗନ୍ତାଘର । ସୁପର୍‍ଇଗୋର କିଛି ଅଂଶ ସାଧାରଣତଃ ନିର୍ଜ୍ଞାନ ଓ କିଛି ସଜ୍ଞାନ । ଏହାକୁ ବିବେକ ସହିତ ତୁଳନା କରାଯାଇପାରିବ । ଇଗୋ, ଇଡ଼୍‌ ଓ ସୁପର୍‍ଇଗୋ ଭିତରେ ମଧ୍ୟସ୍ଥତା କରି ଘୂରିବୁଲେ । ଏହା ବାସ୍ତବ ଜଗତ ସଙ୍ଗେ ଯୋଗାଯୋଗ ରଖେ । ଆଦିମ ପ୍ରବୃତ୍ତିସବୁ ବେଳେବେଳେ ସଜ୍ଞାନକୁ ଆସିବାର ଚେଷ୍ଟା କରନ୍ତି । ଯେତେବେଳେ ଇଗୋ ଇଡ଼୍‍ ପ୍ରବୃତ୍ତିକୁ ମୋଟେ ଚପେଇ ପାରେନି, ମଣିଷ ଆଡ଼ପାଗଳା ବା ପାଗଳ, ହୋଇଯାଏ । ଏଣୁ ଫ୍ରାଏଡ଼୍‍ଙ୍କ ମତରେ ମାନସିକ ବ୍ୟାଧି କେବଳ ମାନସିକ କାରଣ ଯୋଗୁଁ ହୁଏ । ଫ୍ରାଏଡ଼୍‍ଙ୍କର ମତବାଦ ଖୁବ୍‌ ବିଖ୍ୟାତ ଓ ସର୍ବସାଧାରଣଙ୍କ ଦ୍ୱାରା ଆଦୃତ । ବହୁତ ମନୋବୈଜ୍ଞାନିକ ଏହାର ସପକ୍ଷରେ । କିନ୍ତୁ ତଳେଇକରି ଦେଖିବାକୁ ଗଲେ ଫ୍ରାଏଡ଼୍‍ଙ୍କର ଇଡ଼୍, ଇଗୋ, ସୁପର୍‍ଇଗୋର ଶାରୀରିକ ସ୍ଥିତି ନାହିଁ । ଅର୍ଥାତ୍‌ ସେଗୁଡ଼ିକ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦେଖାଯାଇପାରିବେନି । ସେଥିପାଇଁ ଏଗୁଡ଼ିକ ଠିକ୍‌ କି ଭୁଲ୍‌ ତାହା ବୈଜ୍ଞାନିକ ରୀତିରେ ପରୀକ୍ଷା କରାଯାଇପାରିବନି । ଆଉ ଯାହା ପରୀକ୍ଷିତ ହୋଇ ପାରିବନି ତାହାକୁ ବିଜ୍ଞାନ ବୋଲି କୁହାଯାଏ ନାହିଁ । ଏହି ହେତୁ ଫ୍ରାଏଡ଼୍‍ଙ୍କର ମତବାଦ ଯେତେ ଲୋକପ୍ରିୟ ଓ ଶ୍ରୁତିରୋଚକ ହେଉନା କାହିଁକି ଏହା ଉପରେ ବୈଜ୍ଞାନିକର ଆସ୍ଥା ରହିବା କଷ୍ଟକର-

☆☆☆

 

ଦ୍ୱିତୀୟ ପରିଚ୍ଛେଦ

ମନର ବିକାଶ : ଫ୍ରଏଡ଼୍‍ଙ୍କର ତତ୍ତ୍ୱ

 

ମାନସିକ ବ୍ୟାଧିର ପ୍ରକୃତସ୍ୱରୂପ କ’ଣ ? –ଏ ବିଷୟନେଇ ବହୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ପୂର୍ଣ୍ଣ ତଥ୍ୟ ଆଜିପର୍ଯ୍ୟନ୍ତ ଶିକ୍ଷିତ ସାଧାରଣଙ୍କ ମନରେ ରହିଛି । ମାନସିକ ବ୍ୟାଧି, ଶାରୀରିକ ବ୍ୟାଧିପରି ସହଜରେ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷାର ବିଷୟବସ୍ତୁ ହୋଇ ପାରି ନଥିବାରୁ ଏ ବିଷୟରେ ଚିକିତ୍ସା ବିଜ୍ଞାନୀମାନଙ୍କର ଜ୍ଞାନମଧ୍ୟ ସୀମିତ ଓ ତ୍ରୁଟିପୂର୍ଣ୍ଣ । ମଧ୍ୟଯୁଗ ପର୍ଯ୍ୟନ୍ତ ସାଧାରଣତଃ ଏହା କୌଣସି ଆଧିଭୌତିକ କାରଣର ଫଳ ବୋଲି ଭାବି ସାଧାରଣ ଚିକିତ୍ସକ ମାନସିକ ବ୍ୟାଧିଗ୍ରସ୍ତ ଲୋକଙ୍କୁ ଚିକିତ୍ସା କରିବାରେ ବିଶେଷ ଆଗ୍ରହୀ ନଥିଲେ । ପରବର୍ତ୍ତୀ କାଳରେ ଚିକିତ୍ସାବିଜ୍ଞାନର ଯେତେବେଳେ ନୂତନ ବୈଜ୍ଞାନିକ ପୁନରୁଜ୍ଜୀବନ ଘଟିଲା ସେମାନେ ଏହାକୁ ଏକ ବ୍ୟାଧିରୂପେ ଦେଖିବାକୁ ଆରମ୍ଭ କଲେ ଓ ଅଧିକାଂଶ ମାନସିକ ପ୍ରକ୍ରିୟା ମସ୍ତିଷ୍କଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ସେମାନେ ମସ୍ତିଷ୍କର ପ୍ରବାହ କିମ୍ବା ମସ୍ତିଷ୍କ ଓ ନାଡ଼ି ମଣ୍ଡଳୀରେ କ୍ରିୟା ପ୍ରକ୍ରିୟାରେ ବ୍ୟାଘାତ ଘଟିଲେ ମାନସିକ ବ୍ୟାଧି ଆରମ୍ଭ ହୁଏ ବୋଲି ଭାବୁଥିଲେ । ବୁଦ୍ଧିହୀନତା (Mental retardation), ବୁଦ୍ଧିଭ୍ରଂଶ (Brain damage), ଅପସ୍ମାର (Epilepsy) ଇତ୍ୟାଦି କେତେକ ରୋଗର କାରଣ ଯେ ମସ୍ତିଷ୍କର ବିକୃତ କ୍ରିୟାର ପରିଣାମ, ସେ ବିଷୟ ସଠିକ୍‌ ଭାବରେ ଜଣାଗଲା; ମାତ୍ର ଏ ସବୁ ଛଡ଼ା ଆହୁରି ବିଭିନ୍ନ ପ୍ରକାରର ମାନସିକ ବ୍ୟାଧି ରହିଛି ଯାହା ସହିତ ମସ୍ତିଷ୍କ ବା ନାଡ଼ି ମଣ୍ଡଳୀର କ୍ରିୟା ପ୍ରକ୍ରିୟାର କୌଣସି ସମ୍ପର୍କ ନାହିଁ କିମ୍ବା ଶାରୀରିକ ଅସୁସ୍ଥତା ଏହାର କାରଣ ବୋଲି ମଧ୍ୟ ପ୍ରମାଣିତ ହୋଇନାହିଁ । ହିଷ୍ଟ୍ରିଆ (Hysteria) ଉଦ୍‌ବେଗ–ପ୍ରଧାନ ଆଡ଼ପାଗଳାମୀ (Anxiety Neurosis) ଆବେଶିକ ଆଡ଼ପାଗଳାମୀ (Obsessive Complsive Neurosis) ଆତଙ୍କ (Phobia) ବ୍ୟବହାର ଦୈକଲ୍ୟ (Behaviour disorder) ଇତ୍ୟାଦି ରୋଗର କାରଣ ଓ ନିଦାନ ମସ୍ତିଷ୍କ ଏବଂ ସ୍ନାୟୁ ବିଜ୍ଞାନୀମାନେ କୌଣସି ଯଥାର୍ଥ ତଥ୍ୟ ଆବିଷ୍କାର କରିବାର ଅକ୍ଷମ ହେବାରୁ ବହୁ ଚିକିତ୍ସକ ଏ ସବୁ ବ୍ୟାଧିର କାରଣ ଯେ ଶାରୀରିକ ସେ ବିଷୟରେ ସନ୍ଦିହାନ ହେବାକୁ ଆରମ୍ଭ କଲେ ।

 

ଏହି ପଟ୍ଟଭୂମିକାରେ ଊନବିଂଶ ଶତାବ୍ଦୀର ଶେଷଭାଗରେ ଜଣେ ଅଷ୍ଟ୍ରିଆନ ଚିକିତ୍ସା ବିଜ୍ଞାନୀ ଫ୍ରଏଡ଼୍ ମାନସିକ ବ୍ୟାଧିର ଚିକିତ୍ସା ଓ ପର୍ଯ୍ୟବେକ୍ଷଣାତ୍ମକ ଗବେଷଣା ଆରମ୍ଭ କରିଥିଲେ । ଫ୍ରଏଡ଼୍ ସ୍ନାୟୁ ବିଜ୍ଞାନରେ ବିଶେଷ ଦକ୍ଷତା ଲାଭ (Specialise) କରିଥିଲେ ଓ ତତ୍‌କାଳୀନ ଚିକିତ୍ସକଙ୍କ ପରି ମାନସିକ ବ୍ୟାଧିର ଆରମ୍ଭ ସ୍ୱାୟୁଦ କାରଣରୁ ଘଟିଥାଏ ବୋଲି ଭାବୁଥିଲେ । ମାତ୍ର ତାଙ୍କର କେତେକ ସହକର୍ମୀଙ୍କର ପର୍ଯ୍ୟବେକ୍ଷଣ ଓ ନିଜର ପର୍ଯ୍ୟବେକ୍ଷଣ ଫଳରେ ସେ କ୍ରମଶଃ ବିଶ୍ୱାସ କରିବାକୁ ଲାଗିଲେ ଯେ, ମାନସିକ ବ୍ୟାଧିର ଉତ୍ପତ୍ତିସ୍ଥଳ ହେଉଛି ମାନସିକ କ୍ରିୟା ପ୍ରକ୍ରିୟାର ଜଟିଳ ସଂଘାତ । ସେ ଦେଖିଲେ ଅସୁସ୍ଥ ମନର ଯେଉଁ ବିକୃତି ଆମେ ଅସ୍ୱାଭାବିକ ବୋଲି ଧରିନେଉ ସେ ବିକୃତି ସୁସ୍ଥ ମନର କ୍ରିୟା ପ୍ରକ୍ରିୟାରେ ଅନ୍ତର୍ନିହିତ ଭାବରେ ଥାଏ । ଅସୁସ୍ଥ ମନର କ୍ରିୟା ପ୍ରକ୍ରିୟାରେ ଏହା ଅତିରଞ୍ଜିତ ଭାବରେ ପ୍ରକଟିତ (Manifest) ହେଉଥିବାରୁ ସେ ପ୍ରକାର ଲୋକ ମାନସିକ ବ୍ୟାଧିଗ୍ରସ୍ତ ବୋଲି ଜଣାଯାଆନ୍ତି । ମାନସିକ କ୍ରିୟା ପ୍ରକ୍ରିୟା ମୂଳତଃ ଏକ । ପାର୍ଥକ୍ୟଟା ପ୍ରକୃତରେ ପରିମାଣାତ୍ମକ (Quantitative), ଗୁଣାତ୍ମକ ନୁହେଁ ।

 

ସୁସ୍ଥ ବ୍ୟକ୍ତି–ମାନସ ନିଜର ଅନ୍ତର୍ନିହିତ ମାନସିକ ସଂଘାତ ସତ୍ତ୍ୱେ, ନିଜର ସାମାଜିକ ଓ ପ୍ରାକୃତିକ ପରିବେଷ୍ଟନୀ ସହିତ ମିଳିମିଶି, ସାମାଜିକ ଅନୁଶାସନ ମାନି ଅନାୟାସରେ ସହଜ ଜୀବନଯାପନ କରେ । ଅସୁସ୍ଥ ମନ ନିଜର ମାନସିକ ସଂଘାତକୁ ଆୟତ କରିନପାରି ଚିନ୍ତା, ଉଦ୍‌ବେଗ, ଗ୍ଳାନି ଅତିରିକ୍ତ ଅପରାଧବୋଧ ଇତ୍ୟାଦି ବହୁପ୍ରକାର ମାନସିକ ଅଶାନ୍ତିରେ ପୀଡ଼ିତଥାଏ । ସାମାଜିକନୀତି ନିୟମ ମାନି ନିଜର କାମନା, ଆବେଗ ଓ ପ୍ରବୃତ୍ତିକୁ ତୃପ୍ତ କରିବା ତା’ ପକ୍ଷରେ ଅତ୍ୟନ୍ତ କ୍ଳେଶକର ହୋଇଉଠେ । ଏକ ଦିଗରେ ସମାଜର ଅନୁଶାସନଦ୍ୱାରା ନିପୀଡ଼ିତ ଓ ଅନ୍ୟ ଦିଗରେ ଜୈବିକ ଅନ୍ଧ ପ୍ରବୃତ୍ତିଦ୍ୱାରା ତାଡ଼ିତ, ଭାରସାମ୍ୟହୀନ, ଉତ୍କେନ୍ଦ୍ରିକ, ଉଦ୍‌ବେଗ ପୂର୍ଣ୍ଣ ବିକ୍ଷିପ୍ତମନା କ୍ଳିଷ୍ଟବ୍ୟକ୍ତି ସହଜରେ ମାନସିକ ବ୍ୟାଧିଦ୍ୱାରା ଆକ୍ରାନ୍ତ ହୋଇଥାଏ ।

 

ମାନସିକ ବ୍ୟାଧିର ସ୍ୱରୂପ ଜାଣିବାକୁ ହେଲେ କେବଳ ରୋଗର ଲକ୍ଷଣ ନିର୍ଣ୍ଣୟ କଲେ ଯଥେଷ୍ଟ ହେବନାହିଁ–ଯେଉଁ ଅନ୍ତର୍ନିହିତ ମାନସିକ କ୍ରିୟା ପ୍ରକ୍ରିୟାରୁ ଏଇସବୁ ରୋଗ ଲକ୍ଷଣର ଉତ୍ପତ୍ତି, ସେଇ ଜଟିଳ କ୍ରିୟା ପ୍ରକ୍ରିୟାକୁ ବିଶ୍ଳେଷଣ କରି ସେ ବିଷୟରେ ରୋଗୀର ଅନ୍ତର୍ଦୃଷ୍ଟି ଜନ୍ମିଲେ ଯାଇ ଏ ରୋଗର ନିରାକରଣ ଘଟେ । ଯେଉଁ ଚିକିତ୍ସକ କେବଳ ରୋଗ ଲକ୍ଷଣର ଉପଶମ କରିବା ଲାଗି ଚିକିତ୍ସା କରିଥାନ୍ତି, ସେ କେବେହେଁ ସଫଳକାମୀ ହୁଅନ୍ତି ନାହିଁ । ଏକ୍‌ଜିମା ବା ଏଲାର୍ଜୀପରି କେତେକ ରୋଗ ଯାହା ଅନେକ ସମୟରେ ମାନସିକ କାରଣରୁ ହୋଇଥାଏ, ତା’ର ଏହି ପ୍ରକାର ଆଂଶିକ ଚିକିତ୍ସା କଲେ ସେ ଦେହର ଗୋଟିଏ ସ୍ଥାନରୁ ଭଲହୋଇଯାଇ ଆଉ ଏକ ସ୍ଥାନରେ ବାହାରେ । ତେଣୁ ଯେଉଁମାନେ ମାନସିକ ବ୍ୟାଧି–ବିଜ୍ଞାନର ଛାତ୍ର ସେମାନେ ‘ମଣିଷ ମନର ଗଠନ’, ବ୍ୟକ୍ତି ମାନସର ବିକାଶ, ମଣିଷର ମୌଳିକ ପ୍ରବୃତ୍ତି ଓ ଶୈଶବରୁ ଯୌବନ ପର୍ଯ୍ୟନ୍ତ ଜୀବନର ବିଭିନ୍ନ ସ୍ତରରେ ଏହି ମୌଳିକ ଯୌନ–ପ୍ରବୃତ୍ତିର ବିବର୍ତ୍ତନଶୀଳ ରୂପାୟନ ଇତ୍ୟାଦି ବିଷୟଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ନ କଲେ ମାନସିକ ବ୍ୟାଧି ବିଷୟରେ କେବେହେଁ ଯଥେଷ୍ଟ ଜ୍ଞାନ ଲାଭ କରିପାରିବେ ନାହିଁ ।

 

ଫ୍ରଏଡ଼୍ ଓ ତାଙ୍କର ପରବର୍ତ୍ତୀ ମନୋନିଜ୍ଞାନୀ–ମାନେ ଏଇସବୁ ବିଷୟଗୁଡ଼ିକୁ ନିଜ ନିଜର ଦୃଷ୍ଟିକୋଣରୁ ବିଚାର କରି ବିଭିନ୍ନ ମତବାଦ ସ୍ଥାପନ କରିଥାନ୍ତି । ସେମାନଙ୍କ ମଧ୍ୟରେ ବହୁ ମତପାର୍ଥକ୍ୟ ଥିଲେ ମଧ୍ୟ ସେମାନେ ସାଧାରଣତଃ ବିଶ୍ଵାସ କରିଥାନ୍ତି ।

 

୧ । ମାନସିକ ବ୍ୟାଧିର କାରଣ ଜାଣିବାକୁ ହେଲେ ସମ୍ପୂର୍ଣ୍ଣ ମଣିଷଟିକୁ ତା’ର ପରିବେଷ୍ଟନୀ ସହିତ ବିଶ୍ଳେଷଣ କରିବା ଦରକାର । ଏକ ବିଶେଷ ରୋଗ ଲକ୍ଷଣ କିମ୍ବା ତା’ର ବ୍ୟବହାରର କୌଣସି ଅଂଶକୁ ଆଲୋଚନା କରି, କେବେହେଁ ରୋଗ ନିର୍ଣ୍ଣୟ କରିହେବ ନାହିଁ ।

 

୨ । ମଣିଷ ଶୈଶବରୁ ଯୌବନ କାଳ ପର୍ଯ୍ୟନ୍ତ ଯେଉଁ ସାମାଜିକ ଓ ବାସ୍ତବ ଜଗତରେ ନୀତି ନିୟମର ବଶବର୍ତ୍ତୀ ହୋଇ ନିଜର ବାସନା ଓ କାମନାର ପରିତୃପ୍ତି କରିଛି ସେହିସବୁ ଅଭିଜ୍ଞତା ଓ ବିଶେଷ ଘଟଣାର ଇତିହାସ ଜାଣିବା ଦରକାର ଓ ତା’ର ଯଥାଯଥ ଆଲୋଚନାଦ୍ୱାରାହିଁ ମନର ଜଟିଳ କ୍ରିୟା ପ୍ରକ୍ରିୟାର ପ୍ରକୃତ ରୂପ ଜାଣିବା ସମ୍ଭବ ।

 

୩ । ମଣିଷର ବ୍ୟବହାର ଆପାତ ଦୃଷ୍ଟିରେ ଯୁକ୍ତିଯୁକ୍ତ ବୋଲି ମନେ ହେଉଥିଲେ ମଧ୍ୟ, ପ୍ରକୃତ ପକ୍ଷରେ ଏହା ପ୍ରବୃତ୍ତି–ନିୟନ୍ତ୍ରିତ । ମଣିଷର କଳ୍ପନା, ଭାବନା, ଧାରଣା ଏପରିକି ପ୍ରତ୍ୟକ୍ଷଜ୍ଞାନ ମଧ୍ୟ ବହୁକାଂଶରେ ଅଚେତନ ମନର ଗହ୍ଵରରେ ଥିବା ଅନ୍ଧ ଆଦିମ ପ୍ରବୃତ୍ତିର ଆୟତ୍ତାଧୀନ । ତେଣୁ ମଣିଷର ମନ ଉପରେ ଏଇ ଅଚେତନ ପ୍ରବୃତ୍ତିର ଯେଉଁ ଶକ୍ତିଶାଳୀ ଆଧିପତ୍ୟ ରହିଛି; ତାହାର ଯଥାର୍ଥ ରୂପ ନ ଜାଣିଲେ କାହିଁକି ଜଣେ ବିଦ୍ରୋହୀ ଓ କାହିଁକି ଆଉ ଜଣେ ସେହି ଏକା ଅବସ୍ଥାରେ ରକ୍ଷଣଶୀଳ ପରି ବ୍ୟବହାର କରନ୍ତି ସେ କଥା ବୁଝି ହେବନାହିଁ । ସେହିପରି କେତେକ ଲୋକ ଭାବବିଳାସୀ, ଆଉ କେତେକ ଲୋକଙ୍କର କୌଣସି ଉଚ୍ଚାଶା ନଥାଏ, କିଏ ସବୁବେଳେ ଉଦ୍‌ବିଗ୍ନ ଓ ଚିନ୍ତାଶୀଳ ଭାବରେ ଓ ଆଉ କିଏ ଅତି ନିଶ୍ଚିନ୍ତରେ ଜୀବନ କଟାନ୍ତି । ଏହି ପ୍ରକାର ବିଭିନ୍ନ ବ୍ୟକ୍ତିତ୍ୱ ଓ ସେମାନଙ୍କର ସ୍ୱତନ୍ତ ବ୍ୟବହାର କାରଣ ଜାଣିବା ଲାଗି “ମନ ବିଶ୍ଳେଷଣ”ର ଅଧ୍ୟୟନ କରିବା ଅତ୍ୟନ୍ତ ପ୍ରୟୋଜନ ।

 

ପ୍ରବୃତ୍ତି ଓ ମନର ବିବର୍ତ୍ତନ (Dynamics)

 

ପ୍ରବୃତ୍ତି–ବ୍ୟକ୍ତିମାନସ–ବିବେକ ବା ଅତି ବ୍ୟକ୍ତିମାନସ :

 

ମଣିଷର ଜନ୍ମଗତ ଜୈବିକ ପକ୍ଷେ ଯାହାକୁ ବ୍ୟାପକ ଅର୍ଥରେ ବଞ୍ଚିରହିବାର ପ୍ରବୃତ୍ତି ବୋଲି ବିଭିନ୍ନ ଦାର୍ଶନିକମାନେ କହିଛନ୍ତି, ଫ୍ରଏଡ଼୍ ତାହାକୁ କୌଣସି ବିଶେଷ ନାଆଁ ନ ଦେଇ କହିଲେ ‘ଇଡ଼୍’ ଅର୍ଥାତ୍‌ ‘ଏହା’ । ଏଇ ନୂତନ ଶବ୍ଦର ବ୍ୟବହାର କରିବାର କାରଣ ହେଲା, ତାଡ଼ନା, କାମନା, ପ୍ରବୃତ୍ତି ଇତ୍ୟାଦିର ଗୋଟାଏ ଧରାବନ୍ଧା ଅର୍ଥ ରହିଛି । ଯେହେତୁ ଫ୍ରଏଡ଼୍‍ଙ୍କର ‘ଇଡ଼୍‌’ ଏସବୁ ସୀମିତ ଅର୍ଥର ଅତିରିକ୍ତ ଏକ ବିଶେଷ ଅର୍ଥକୁ ବୁଝାଏ, କହିବାକୁ ଗଲେ ମଣିଷର ସମଗ୍ର ତୃପ୍ତି–ସନ୍ଧାନୀ କର୍ମ ପ୍ରବୃତ୍ତି ଏହାର ଅନ୍ତର୍ଗତ ହେଉଥିବାରୁ ସେ ଏହି ସ୍ୱତନ୍ତ୍ର ନାଆଁରେ ମଣିଷ ମନର ସମସ୍ତ କାମନାର ଏକ ମୂଳ ଉତ୍ସକୁ ନାମିତ କଲେ । କ୍ଷୁଧା, ପିପାସା, ମୈଥୁନ, ପ୍ରଜନନ, ଇତ୍ୟାଦି ଜୈବିକ ତାଡ଼ନା ମିଶିହେଲା ‘ଇଡ଼୍‌’ । ଏଥିମଧ୍ୟରୁ କ୍ଷୁଧା ଓ ପିପାସା ଇତ୍ୟାଦିର ତୃପ୍ତି ବିଧାନ କ୍ଷେତ୍ରରେ, ଆଦିମକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଶେଷ ସାମାଜିକ ପ୍ରତିବନ୍ଧକ ନଥିବାରୁ ଏହିସବୁ କାମନା ସ୍ୱତଃସ୍ଫୂର୍ତ୍ତ ଭାବରେ ପରିତୃପ୍ତ ହୁଏ । ଯେ କ୍ଷେତ୍ରରେ ଏହିସବୁ କାମନାର ପରିତୃପ୍ତି ପଥରେ ବାସ୍ତବ ପରିସ୍ଥିତି ବା ସାମାଜିକ ଅନୁଶାସନ ପ୍ରତିବନ୍ଧକ ହୋଇ ଠିଅହୋଇଛି ସେ କ୍ଷେତ୍ରରେ ଏହାର ଗତି ଅନ୍ତଃସଲିଳା ହୋଇ ମନର ଗଭୀର ସ୍ତରରେ ବହୁ ଜଟିଳ ଧାରାରେ ପ୍ରବାହିତ ହୋଇ ଏକ ବିକୃତ ଛଦ୍ମବେଶରେ ଆତ୍ମପ୍ରକାଶ କରେ । ସେହିପରି ଯୌନ ପ୍ରବୃତ୍ତିର ତୃପ୍ତି–ସନ୍ଧାନୀ ଗତିପଥ ଯଦି ବ୍ୟାହତ ହୁଏ, ସେହି ବ୍ୟାହତ ନିରୁଦ୍ଧ (Repressed) କାମନା ଅଧିକାଂଶ କ୍ଷେତ୍ରରେ ବ୍ୟବହାରର ବିକୃତ ରୂପରେ ଆତ୍ମପ୍ରକାଶ କରେ । ଫ୍ରଏଡ଼୍‍ଙ୍କ ମତରେ ଇଡ଼୍‍ର ଏକ ବିରାଟ ଅଂଶ ହେଲା ମାନବର ଏକ ନିରୁଦ୍ଧ ଯୌନ କାମନା ।

 

ମାନବର ଅନ୍ୟ ବାସନା କାମନା ତୁଳନାରେ ଯୌନ କାମନାର ଏକ ଅପେକ୍ଷାକୃତ ପ୍ରାଧାନ୍ୟର କାରଣ ବୁଝିବାକୁ ହେଲେ ଅନ୍ୟ ଜୈବିକ କାମନା ସହିତ ଯୌନ କାମନାର ଯେଉଁ ପାର୍ଥକ୍ୟ ରହିଛି, ସେ ବିଷୟ ଆଲୋଚନା କରିବା କଥା । ସାଧାରଣତଃ କ୍ଷୁଧା, ତୃଷା ବା ମଳମୂତ୍ର ତ୍ୟାଗ ପରି ଜୈବିକ ତାଡ଼ନାଗୁଡ଼ିକର ପରିତୃପ୍ତି ବିଳମ୍ବରେ ଘଟିଲେ ଶାରୀରିକ ପ୍ରକ୍ରିୟାରେ ବିଭ୍ରାଟ ଘଟେ, ସେଥିଲାଗି ଏହି ତାଡ଼ନା ଅନୁଭବ କରିବାମାତ୍ରେ ମଣିଷ ସାଙ୍ଗେ ସାଙ୍ଗେ ଏହାର ପ୍ରଶମନ ଓ ପରିତୃପ୍ତି ବିଧାନର ଚେଷ୍ଟାକରେ । କିନ୍ତୁ ଯୌନ କାମନାର ପରିତୃପ୍ତି ବିଳମ୍ବରେ ଘଟିଲେ ଶାରୀରିକ ପ୍ରକ୍ରିୟାର ବିଶେଷ କ୍ଷତି ହୁଏନି । ଯୌନ କାମନା ସମ୍ପୂର୍ଣ୍ଣ ରୂପରେ ଶାରୀରିକ କାମନା ନୁହେଁ । ଏହାର ଉଦ୍ରେକ ଯୌନଗ୍ରନ୍ଥିର କ୍ଷରଣ ଉପରେ ଯେତିକି ପରିମାଣରେ ନିର୍ଭର କରେ, ମଣିଷ ମନର କଳ୍ପନା, ଚିନ୍ତା, ରୁଚିବୋଧ ନ୍ୟାୟ ଅନ୍ୟାୟ ବୋଧ ଉପରେ ମଧ୍ୟ ସେତିକି ନିର୍ଭର କରେ । ପୁନଶ୍ଚ, ଜନନ ପ୍ରକ୍ରିୟା ସହିତ ଏହା ଅଙ୍ଗାଅଙ୍ଗୀଭାବରେ ଜଡ଼ିତ ହୋଇ ରହିଥିବାରୁ ଏହାର ପରିତୃପ୍ତି ଅନ୍ୟ କାମନା ଅପେକ୍ଷା ଆହୁରି ଜଟିଳତର ସ୍ତରରେ ଘଟିଥାଏ । ମଣିଷ ସମାଜ ଏଥିଲାଗି ମାନସିକ, ନୈତିକ, ସାମାଜିକ ଓ ଅର୍ଥନୈତିକ ଇତ୍ୟାଦି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଏହାର ପରିତୃପ୍ତି ଲାଗି କଠିନ ନୀତି–ନିୟମ ଗଢ଼ି ତୋଳିଛି । ତେଣୁ ଅଳ୍ପ କେତୋଟି ସମାଜକୁ ଛାଡ଼ିଦେଲେ ପୃଥିବୀର ପ୍ରାୟ ଅଧିକାଂଶ ସମାଜ ବ୍ୟବସ୍ଥା, ଯୌନ କାମନାରେ ସ୍ୱତଃସ୍ଫୂର୍ତ୍ତ ଅବିଳମ୍ବ ପରିତୃପ୍ତି ଅନୁମୋଦନ କରନ୍ତି ନାହିଁ । ବିବାହପରି ଏକ–ସମାଜ–ଅନୁମୋଦିତ ସମ୍ବନ୍ଧ ମାଧ୍ୟମରେହିଁ ସାଧାରଣତଃ ନରନାରୀ ଏହି କାମନାର ପରିତୃପ୍ତି ଖୋଜନ୍ତି । ସମାଜ–ବ୍ୟବସ୍ଥା ଜଟିଳ ହେଉଥିବା ଫଳରେ ଯୌନ ପ୍ରବୃତ୍ତି ଜନିତ ଶାରୀରିକ ବିକାଶ ଘଟିବାର ବହୁପରେ ନରନାରୀଙ୍କ ପକ୍ଷରେ ବିବାହ କରିବା ସମ୍ଭବ ହେଉଛି । ଅଧିକାଂଶ ସମାଜରେ ଏକ ପତ୍ନୀ ବା ଏକପତି ବିବାହ ବ୍ୟବସ୍ଥା (Monogamy) ପ୍ରଚଳିତ ଥିବାରୁ ମାନବ ମନର ବହୁକାମିତା ଅବଦମିତ ହେବାକୁ ବାଧ୍ୟହୁଏ । ଏହାବ୍ୟତୀତ ବିଭିନ୍ନ ପ୍ରକାର କାରଣ ଯୋଗୁଁ ସେ ବହୁକ୍ଷେତ୍ରରେ ଯୌନ–ସାଥୀଠାରୁ ଅଲଗା ହୋଇ ରହିବାକୁ ବାଧ୍ୟ ହୁଏ । ଅନେକଙ୍କର ଯୌନ–ସାଥୀ ନଥାନ୍ତି ବା ଏହି ପ୍ରକାର ସାଥୀଟିଏପାଇଁ ବହୁପ୍ରକାର ଅନ୍ତରାୟ ସୃଷ୍ଟିହୁଏ । ତେଣୁ ଅଧିକାଂଶ ସମୟରେ ମଣିଷ ଏହି କାମନାକୁ ଅବଦମନ କରି ଚଳିବାକୁ ବାଧ୍ୟ ହୁଏ । ତେଣୁ ଏହି ଅପରିତୃପ୍ତ, ଅସାମାଜିକ ଶକ୍ତିଶାଳୀ କାମନା ‘ଇଡ଼୍’ର ଏକ ବିରାଟ ଅଂଶ ହୋଇ ରହିଛି ।

 

ଫ୍ରଏଡ଼୍‍ଙ୍କ ମତରେ ‘ଇଡ଼୍’ ହେଲା ସବୁକାମନାର ମୂଳ ଉତ୍ସ । ତେଣୁ ମୃତ୍ୟୁ କାମନା ପରି ଅଯୌକ୍ତିକ ଅନ୍ଧ ଆବେଗ ଯାହାକୁ ସେ ସହଜାତ ମରଣ ପ୍ରବୃତ୍ତି (death instinct) ଓ (thanatos) ବୋଲି ବର୍ଣ୍ଣନା କରିଛନ୍ତି ତାକୁ ମଧ୍ୟ ‘ଇଡ଼୍’ର ଏକ ବିଶେଷ ଶକ୍ତି ବୋଲି କହିଛନ୍ତି । ତାଙ୍କ ମତରେ ମଣିଷର ଯେକୌଣସି କର୍ମ ପ୍ରଚେଷ୍ଟା, ଆଶା, ଆକାଂକ୍ଷା ଓ ଅଭିଳାଷର ମୂଳରେ ରହିଛି ଇଡ଼୍‍ର ସଦା–ପରିତୃପ୍ତି ସନ୍ଧାନୀ କାମନା । ବେଗବାନ୍ ବନ୍ୟ ଅଶ୍ୱପରି ସେ ଲଗାମର ବାଧା ବନ୍ଧନ ଛିନ୍ନକରି, ଆରୋହୀର ନିର୍ଦ୍ଦେଶ ନମାନି ଅନ୍ଧଭାବରେ ନିଜର ଲକ୍ଷ୍ୟ ଅଭିମୁଖେ ଛୁଟିଥାଏ । ଏହି ଲକ୍ଷ୍ୟ ସାଧନ ପଥରେ ଯେଉଁ ବାସ୍ତବ ପ୍ରତିବନ୍ଧକ ବା ନୈତିକ ଅନ୍ତରାୟ ଥାଏ, ସେଥିପ୍ରତି ଦୃକ୍‌ପାତ କରେ ନାହିଁ । ଅତି ଛୋଟ ଅବସ୍ଥାରେ ଶିଶୁର ଚରିତ୍ର ପର୍ଯ୍ୟବେକ୍ଷଣ କଲେ ଦେଖାଯିବ ଯେ, ତାହାର ବ୍ୟବହାର ପ୍ରଧାନତଃ ଏଇ ପ୍ରକାର କାମନାନିୟନ୍ତ୍ରିତ । ଭୋକ ଲାଗିବାମାତ୍ରେ ଯାହାପାଏ ପାଟିରେ ପୂରାଏ, ପୋକଯୋକ ଖାଇଲେ ଯେ, ବିପଦ ରହିଛି ସେ କଥା ଭାବେ ନାହିଁ । ଯେଉଁଠି ଇଚ୍ଛା ସେଇଠି ମଳମୂତ୍ର ତ୍ୟାଗକରେ, ନିଜ ଦେହରେ ମଳମୂତ୍ର ଲାଗି ଅସ୍ୱସ୍ତି ହେଲେ ମଧ୍ୟ ସେ କଥା ଭାବି ନିବୃତ୍ତ ହୁଏନାହିଁ । ତା’ର ଖେଳନାଟା ପାଇଁ ମନହେଲେ ଅନ୍ୟପିଲାଟିକୁ ବାଡ଼େଇ ଖେଳନା ନେଇଯାଏ, ଖାଇବା ଛଡ଼େଇ ଖାଏ, ଅନ୍ୟର ଇଚ୍ଛା ଅନିଚ୍ଛା ବା ଅସୁବିଧା ପ୍ରତି ତା’ର କୌଣସି ବିବେଚନା ନଥାଏ । କ୍ରମଶଃ ବଡ଼ହେଲେ ସେ ନିଜର ଇଚ୍ଛାକୁ ଦମନ କରିବାକୁ ଶିଖେ । ହିଂସା ବା ଈର୍ଷା ଅନୁଭବ କଲେ ମଧ୍ୟ ସେ ହିଂସା ବଶବର୍ତ୍ତୀ ହୋଇ କାମ ନକରି ହିଂସାକୁ ଦମନ କରେ । କାରଣ ସେ ବୁଝିପାରେ ଯେ, ସେ ମାରିଲେ ଆଉଜଣେ ତାକୁ ମାରିବ କିମ୍ବା ମାରିବାଟା ବାପା, ମା’ ପସନ୍ଦ କରନ୍ତି ନାହିଁ । ସେହିପରି ତା’ର ଅଧିକାଂଶ କାମନାକୁ ଦମନ କରି ନିଜର ଅଭିଳାଷ ଅନୁସାରେ ତାକୁ ନିୟନ୍ତ୍ରଣ କରିପାରେ । ସେତେବେଳେ ସେ ନିଜକୁ ଏକ ବିଶେଷ ବ୍ୟକ୍ତି ହିସାବରେ ଦେଖିବାକୁ ଆରମ୍ଭ କରେ ।

 

‘ଇଗୋ’ ବା ଅହଂଭାବ

 

ଫ୍ରଏଡ଼୍‍ ବ୍ୟକ୍ତି ମନର ଯେଉଁ ଅଂଶକୁ ଅହଂବୋଧ (Ego) ବୋଲି ବର୍ଣ୍ଣନା କରିଛନ୍ତି, ଆମେ ସାଧାରଣତଃ ତାକୁ ନିଜତ୍ୱ, ବ୍ୟକ୍ତିତ୍ୱ, ଅହଂବୋଧ ଇତ୍ୟାଦି ବିଭିନ୍ନ ନାଆଁରେ ବର୍ଣ୍ଣନା କରିଥାଉଁ । ସାଧାରଣତଃ ଶିଶୁ ଯେତେବେଳେ ନିଜ ଇଚ୍ଛା ଅନୁସାରେ ନିଜର ଶାରୀରିକ ତାଡ଼ନାକୁ ନିୟନ୍ତ୍ରିତ କରିପାରେ, ସେତେବେଳେ ସେ ଆଉ ଏକ କ୍ଷମତା ବିଷୟରେ ସଚେତନ ହୋଇ ଉଠେ-। ପୂର୍ବପରି ନିଜର ପରିଧାନରେ ମଳମୂତ୍ର ତ୍ୟାଗ ନ କରି ସେ ଅଳ୍ପବେଳ ପାଇଁ ମଳମୂତ୍ରର ବେଗ ସମ୍ବରଣ କରି ନିର୍ଦ୍ଦିଷ୍ଟ ସ୍ଥାନରେ ମଳମୂତ୍ର ତ୍ୟାଗକରେ । କ୍ଷୁଧା ହେଲାମାତ୍ରକେ ସାଙ୍ଗେ ସାଙ୍ଗେ ନ କାନ୍ଦି ଯେଉଁ ଖାଦ୍ୟ ଖାଇବାକୁ ତା’ର ଇଚ୍ଛା, ସେ ଖାଦ୍ୟପାଇଁ ଅପେକ୍ଷା କରିପାରେ । ମାଆ ମନା କଲେ ନ ମାନି ନିଜର ଲୋଭ ସମ୍ଭାଳି ସାଙ୍ଗ ପିଲାକୁ ନିଜ ଖେଳନାଟା ଅଳ୍ପ ସମୟପାଇଁ ଦେଇଦିଏ-। ତା’ର ବ୍ୟବହାର କାମନା ବଶୀଭୂତ ନ ହୋଇ ବାସ୍ତବ ଜଗତର ରୀତିନୀତି ମାନି ସେହି ଅନୁସାରେ ନିଜର ତୃପ୍ତି ବିଧାନ କରେ ।

 

‘ଇଡ଼୍’ (ମୌଳିକ ବାସନା) ଯଦି ସୁଖର ସନ୍ଧାନୀ ତେବେ ‘ଇଗୋ’ (ଅହଂବୋଧ) ହେଲା ବାସ୍ତବାନୁରାଗୀ । ଇଡ଼୍‍–ବଶବର୍ତ୍ତୀ ସ୍ୱଭାବର ଲକ୍ଷଣହେଲା–ଯାହା ଭଲ ଲାଗିବ କେବଳ ସେଇଆ ସେ କରିବାକୁ ଚାହେଁ ଅନ୍ୟାନ୍ୟ ବାସ୍ତବ ସୁବିଧା ଅସୁବିଧା ପ୍ରତି ତା’ର ଦୃଷ୍ଟି ନଥାଏ । ବ୍ୟକ୍ତି ନିୟନ୍ତ୍ରଣାଧୀନ ସ୍ୱଭାବ ମୂଳତଃ ସୁଖର ସନ୍ଧାନୀ ହେଲେ ମଧ୍ୟ ଜାଗତିକ ଓ ନୈତିକ ନିୟମ ମାନି ତା’ରି ପରିସର–ମଧ୍ୟରେ ସେ ନିଜର ଇନ୍ଦ୍ରିୟତୃପ୍ତି ଏବଂ ଦୀର୍ଘସ୍ଥାୟୀ ଆନନ୍ଦର ସନ୍ଧାନ କରେ । ଅହଂବୋଧ କିନ୍ତୁ ପରମ–ଅହଂ ପରି ନୀତିବାଦୀ ନୁହେଁ, ନିଜର ଶରୀର ବା ଜୀବନ ବିପନ୍ନ ହେଲେ ସେ ସହଜରେ ସାମାଜିକ ନିୟମ ଲଙ୍ଘନ କରେ । ଦୁର୍ଭିକ୍ଷବେଳେ ବହୁଲୋକ ନିଷିଦ୍ଧ ଖାଦ୍ୟ ଖାଇବା କଥା ଜଣାଶୁଣା । ଯୁଦ୍ଧ କିମ୍ବା ଦେଶ ବିଭାଗ ପରି ଜଟିଳ ସାମାଜିକ ପରିସ୍ଥିତିରେ କେବଳ ବଞ୍ଚିରହିବା ପାଇଁ ଲୋକେ ନିଜର ପ୍ରିୟଜନକୁ ପରିତ୍ୟାଗ କରି ଏକବସ୍ତ୍ର ହୋଇ ମାତୃଭୂମି ଛାଡ଼ି ପଳାଇ ଆସିବା କଥା କିଏ ନ ଜାଣେ । ତେଣୁ Ego (ଅହଂବୋଧ)କୁ ଅନୀତିବାଦୀ (amoral) ବୋଲି କହିବାକୁ ହେବ । ଫ୍ରଏଡ଼୍‍ ତାଙ୍କ ଲେଖାରେ ମଣିଷର ମନର କ୍ରିୟା–ପ୍ରକ୍ରିୟା ଉପରେ ଇଡ଼୍ ଓ ସୁପର୍‍ଇଗୋର ପ୍ରଭାବ ବିସ୍ତୃତ ଭାବରେ ଆଲୋଚନା କରିଥିଲେହେଁ, ଇଗୋର ପ୍ରଭାବ ବିଷୟରେ ବିଶେଷ କିଛି କହିନାହାନ୍ତି । ତାଙ୍କ ମତବାଦ ଅନୁସାରେ ଇଗୋର ଭୂମିକା ହେଲା ରକ୍ଷକର ଭୂମିକା । ସେ ବ୍ୟକ୍ତିକୁ ଏକଦିଗରେ ନିରୁଦ୍ଧ ପ୍ରବୃତ୍ତିର ତୃପ୍ତି–ସନ୍ଧାନୀ କାମନା କବଳରୁ ଓ ଅନ୍ୟ ଦିଗରେ ପାପବୋଧର ଗ୍ଳାନି ଓ ଅନ୍ତର୍ଯାତନାରୁ ରକ୍ଷା କରିବାକୁ ସଦା ସଚେଷ୍ଟ ଥାଏ ।

 

ଏହି ଦୁଇପ୍ରକାର ସମ୍ପୂର୍ଣ୍ଣ ବିପରୀତ ଇଚ୍ଛାର ସମନ୍ୱୟ ସାଧନ କରି ମାନସିକ ଭାରସାମ୍ୟ ରକ୍ଷା କରିବା ହେଲା ଇଗୋର ପ୍ରଧାନ କାମ । ଇଗୋର ବିକାଶ ହୋଇଛି ମଣିଷର ଶିକ୍ଷାଲବ୍‌ଧ ଅଭିଜ୍ଞତାରୁ । ବର୍ହିଜଗତର ସଂସ୍ପର୍ଶରେ ଆସି ସେହି ଜଗତ ସହିତ ନିଜର ସମ୍ବନ୍ଧ ସ୍ଥାପନ କରି ନିଜର ଜ୍ଞାନ, ବୁଦ୍ଧି, ବିଦ୍ୟାବଳରେ ଶିଶୁର ଯେଉଁ ଚାରିତ୍ରିକ ବିକାଶ ଘଟେ ସେହି ଚାରିତ୍ରିକ ବିକାଶ ମଧ୍ୟ ଇଗୋର ଏକ ଅଙ୍ଗ ।

 

ଫ୍ରଏଡ଼୍ ତାଙ୍କ ଲେଖାରେ ଇଗୋର ଏହି ଭୂମିକାକୁ ଅତି ସଂକ୍ଷେପରେ ଆଲୋଚନା କରିଛନ୍ତି । ପରବର୍ତ୍ତୀ ମନୋବିଶ୍ଳେଷକମାନେ ମାନସିକ ପ୍ରକ୍ରିୟାରେ ଇଗୋକୁ ଇଡ଼୍ ପରି ଏକ ଶକ୍ତିଶାଳୀ ସ୍ଥାନ ଦେଇଛନ୍ତି ।

 

ବିବେକ ବା ଅତି ବ୍ୟକ୍ତିମାନସ

 

ଫ୍ରଏଡ଼୍‍ ମନର ଯେଉଁ ତ୍ରିଧା–ବିଭକ୍ତ ପ୍ରଦେଶର ବର୍ଣ୍ଣନା କରିଛନ୍ତି ତା’ର ତୃତୀୟ ପ୍ରଦେଶ ହେଲା ବିବେକ । ଅହଂଜ୍ଞାନ ଜନ୍ମିଲା ପରେ ବିବେକର ବିକାଶ ହୁଏ । ଶିଶୁ ନିଜକୁ ପିତାମାତାଠାରୁ ସ୍ୱତନ୍ତ୍ର ବୋଲି ହୃଦୟଙ୍ଗମ କରେ ଏବଂ ପିତାମାତାଙ୍କୁ ନିଜର ପୋଷଣକାରୀ ଓ ଶାସନକାରୀ ରୂପରେ ଦେଖେ । ତା’ର କ୍ଷୁଧାର ନିବୃତ୍ତି, ପିପାସାର ତୃପ୍ତି, ଶାରୀରିକ ସ୍ୱାଚ୍ଛନ୍ଦ୍ୟବୋଧ ଏ ସମସ୍ତ ଏକାନ୍ତ ଭାବରେ ପିତାମାତାଙ୍କ ଉପରେ ନିର୍ଭର କରେ । ତେଣୁ ଅତି ଶିଶୁ ବୟସରୁହିଁ ସେ ଜାଣେ ପିତାମାତାଙ୍କର ସ୍ନେହ ହରାଇଲେ ସେ ଅତ୍ୟନ୍ତ ନିଃସହାୟ ହୋଇ ପଡ଼ିବ । କାରଣ ସେମାନେ ଚାହିଁଲେ ତାକୁ ଖାଇବାକୁ ନ ଦେଇପାରନ୍ତି, ତାକୁ ଆଦର କରି ନପାରନ୍ତି କିମ୍ବା ଶାସ୍ତି ମଧ୍ୟ ଦେଇପାରନ୍ତି । ସେ ଯଦି ବାପା ମା’ଙ୍କର ନିଷେଧ ନ ମାନେ ତେବେ ତା’ର ପରିଣାମରେ ସେ ସମସ୍ତ ସୁଖ ଓ ଆନନ୍ଦରୁ ବଞ୍ଚିତ ହେବ । ତେଣୁ ନିଜର କାର୍ଯ୍ୟ ଯେପରି ବାପା ଓ ମା’ ବା ସେହିପରି ଅନ୍ୟାନ୍ୟ ସ୍ନେହଶୀଳ ବୟସ୍କମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୁଏ ଏବଂ ନିଷିଦ୍ଧ ହୁଏନାହିଁ ଶିଶୁ ସେହିଭଳି କାର୍ଯ୍ୟକରେ । ଏହି ଭାବରେ ଶିଶୁ ମନରେ ନ୍ୟାୟ ଅନ୍ୟାୟ ଭାବର ଅଙ୍କୁର ଜାତ ହୁଏ । ପ୍ରଥମାବସ୍ଥାରେ ଶିଶୁ ଭୟର ବଶବର୍ତ୍ତୀ ହୋଇ ନିଷିଦ୍ଧ କାର୍ଯ୍ୟରୁ ନିବୃତ୍ତ ହୁଏ । କିନ୍ତୁ ପରେ ସେ କ୍ରମଶଃ ପ୍ରଶଂସିତ କାର୍ଯ୍ୟକୁ ଠିକ୍ ଓ ନ୍ୟାୟୋଚିତ କାର୍ଯ୍ୟ ବୋଲି ଭାବି ଶିଖେ ଓ ନିନ୍ଦିତ କାର୍ଯ୍ୟକୁ ଅନ୍ୟାୟ ବୋଲି ଜାଣେ । କ୍ରମଶଃ ସେ ଆଉ ପ୍ରଶଂସା ବା ନିନ୍ଦାଦ୍ୱାରା ନିୟନ୍ତ୍ରିତ ନ ହୋଇ ସମାଜର ପ୍ରଚଳିତ ନ୍ୟାୟ–ଅନ୍ୟାୟ ବୋଧ ଅନୁସାରେ ନିଜ କାର୍ଯ୍ୟକୁ ନିୟନ୍ତ୍ରଣ କରେ । ଏଇ ପ୍ରକାର ଦୃଷ୍ଟିଭଙ୍ଗୀ ମନରେ ବଦ୍ଧମୂଳ ହୋଇ ଉଠିଲେ ତାହା ଏକ ବିଶେଷ ଶକ୍ତି ରୂପରେ ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ନିୟନ୍ତ୍ରକ ହୋଇ ରୁହେ । ସାଧାରଣ ଭାଷାରେ ଆମେ ଏହାକୁ ବିବେକ ବୋଲି ବର୍ଣ୍ଣନା କରିଥାଉ । ପିତାମାତାଙ୍କର ଅନୁଶାସନ ଯେତେବେଳେ ବାହାର ଜଗତରୁ ଅପସରିତ ହୋଇ ଅନ୍ତର ଜଗତର ଅନୁଶାସନ ହିସାବରେ ବ୍ୟକ୍ତିମାନସର ଏକ ବିଶିଷ୍ଟ ଅଙ୍ଗ ହିସାବରେ ବିକାଶ ଲାଭକରେ, ଓ ବ୍ୟକ୍ତିର କାର୍ଯ୍ୟ–କଳାପକୁ ନିୟନ୍ତ୍ରଣ କରେ ସେତେବେଳେ ବିବେକର ସମ୍ପୂର୍ଣ୍ଣ ପ୍ରତିଷ୍ଠା ହେଲା ବୋଲି କୁହାଯିବ ।

 

ଇଡ଼୍ ହେଲା ମାନବର ଜନ୍ମଗତ ସହଜାତ ପ୍ରବୃତ୍ତି, ଇଗୋହେଲା ମାନବର ଜୀବନ–ଅଭିଜ୍ଞତା ପ୍ରସୂତ ଚରିତ୍ର ଏବଂ ସୁପର୍‍ଇଗୋ ହେଲା ସାମାଜିକ ନୈତିକ ଚେତନା ଯାହାକୁ ମାନବ ନିଜର ସଭ୍ୟତା ଓ ପରମ୍ପରାଠାରୁ ପିତାମାତାଙ୍କ ମାଧ୍ୟମରେ ଲାଭ କରିଥାଏ । ସାଧାରଣତଃ ବିବେକ ମଣିଷକୁ ଭବ୍ୟ ଆଦର୍ଶମୟ କାର୍ଯ୍ୟରେ ଅନୁପ୍ରାଣିତ କରୁଥିଲେହେଁ ଅନେକ ସମୟରେ ଏହା ଅବାସ୍ତବ ଓ ପୀଡ଼ନଶୀଳ ହୋଇଥାଏ । ଏ ବିଷୟରେ ପରେ ଆହୁରି ଆଲୋଚନା କରିବା ।

 

ରୂପ, ରସ, ଗନ୍ଧ ଓ ଶବ୍ଦଭରା ଏଇ ଧରଣୀ ସବୁବେଳେ ମଣିଷର ଚେତନାରେ ପ୍ରତିଫଳିତ ହୋଇ ତା’ର ଆବେଗ, ଅନୁଭୂତି ଜ୍ଞାନକୁ ପ୍ରଭାବିତ କରୁଛି । ମଣିଷ ମନର ଚିନ୍ତା ଓ ଜ୍ଞାନାଶ୍ରିତ ଚୈତନ୍ୟମୟ ରୂପକୁହିଁ ମନର ଏକମାତ୍ରସ୍ଵରୂପ ବୋଲି ଆବହମାନ କାଳରୁ ଆମେ ଜାଣିଛୁ । ଏଇ ସଚେତନ ମନର ଅନ୍ତରାଳରେ ଯେଉଁ ଅଚେତନ ମନ ରହିଛି ତା’ର ଆଭାସ ଆମେ ଶିଳ୍ପୀର କଳ୍ପନାରେ; ଲୋକ ଗାଥାର ବର୍ଣ୍ଣନା ବିନ୍ୟାସରେ, ସ୍ୱପ୍ନଦର୍ଶୀର ଧାରଣାରେ ବହୁବାର ପାଇଥିଲେହେଁ ସେ ବିଷୟ ନେଇ ବିଜ୍ଞ ସମାଜରେ ବିଶେଷ କୌତୂହଳ ନଥିଲା । କାରଣ ମଣିଷର ମନ ଯେ ଯୁକ୍ତିବାଦୀ ଏକଥା ସେମାନେ ସ୍ୱତଃସିଦ୍ଧ ବୋଲି ବହୁକାଳରୁ ବିଶ୍ୱାସ କରୁଥିଲେ । ଦ୍ୱିତୀୟରେ ଏହି ଯୁକ୍ତିବାଦୀ ଜ୍ଞାନାଶ୍ରୟୀମନ ସହିତ ଆମର ସମସ୍ତ ସମ୍ପର୍କ ସୀମିତ । ଜାଣିବା, ଶିଖିବା, ମନେରଖିବା, ଚିନ୍ତା କରିବା, କଳ୍ପନା କରିବା ଇତ୍ୟାଦି ମନର ଯେଉଁସବୁ ବିଭବ ରହିଛି ସେସବୁ ବିଭବ ଆମ ବ୍ୟବହାରର ନିତ୍ୟ ପ୍ରୟୋଜନୀୟ ଅଙ୍ଗ ହୋଇଥିବାରୁ ସେ କଥା ଆଲୋଚନା କରିବାରେ ମନୋବିଜ୍ଞାନୀମାନେ ଅଧିକ ଆଗ୍ରହୀ ଥିଲେ । ଫ୍ରଏଡ଼୍‍ ଯେତେବେଳେ ତାଙ୍କର ପର୍ଯ୍ୟବେକ୍ଷଣ ପ୍ରସୂତ ଅଭିଜ୍ଞତାରୁ ‘‘ଅଚେତନ ମନ’’ ବିଷୟରେ ନୂତନ କରି ତଥ୍ୟ ପ୍ରମାଣ ସମ୍ବଳିତ ଆଲୋଚନା ଆରମ୍ଭ କଲେ ସେତେବେଳେ ସେ ଆଲୋଚନା ତଦାନୀନ୍ତନ ଚିନ୍ତା ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା ।

 

ସେ କହିଲେ–ମନର ସାମାନ୍ୟ ଅଂଶ ମାତ୍ର ସଚେତନ । ଏହାର ଅନ୍ତରାଳରେ ମନର ଏକ ବ୍ୟାପକ ଅଂଶ ରହିଛି, ଯାହା ବିଷୟରେ ଆମେ କିଛି ଜାଣୁନାହିଁ, କିମ୍ବା କେବେହେଁ ସିଧା ସଳଖ ଭାବରେ ତା’ ବିଷୟ ଜାଣିପାରିବୁ ନାହିଁ । ସେ ମନର ବାସନା କାମନା, ଅଭିଜ୍ଞତା ସବୁବେଳେ ଏକ ବିଶେଷ ପ୍ରତୀକ (Symbol) ମାଧ୍ୟମରେ ସଚେତନ ମନରେ ପ୍ରତିଭାତ ହୁଏ । ଏହି ମନର କେତେକ ଅଂଶ ଶିଶୁ–ସୁଲଭ ଅବାସ୍ତବ ଓ ଅଯୌକ୍ତିକ ଚିନ୍ତା ଓ ବାସନାଦ୍ୱାରା ସମାଚ୍ଛନ୍ନ, କେତେକ ଅଶଂ ନିରୁଦ୍ଧ ଅବଦମିତ ଆଦିମ କାମନାଦ୍ୱାରା ପ୍ଳାବିତ, କେତେକ ଅଂଶ ପୁଣି ବିବେକର ଆପୋସହୀନ, ଏକ ଦେଶଦର୍ଶୀ ପାପ–ବୋଧଦ୍ୱାରା ଆପ୍ଲୁତ । ମଣିଷର ସମସ୍ତ ଜୈବିକ କାମନାର ଉତ୍ସମୁଖ ଯାହାକୁ ‘ଇଡ଼୍’ ବୋଲି କୁହାଯାଏ, ସେହି ‘ଇଡ଼୍’ ବଶବର୍ତ୍ତୀ ବାସନା ଓ କାମନା ସମୂହ ସଦାସର୍ବଦା ଆମର ଅଚେତନ ମନରେ ସର୍ପିଳ ଗତିରେ ପ୍ରବାହିତ ହୁଅନ୍ତି । ବିବେକର କଠୋର ଶାସନ ଯୋଗୁଁ ଏମାନେ କେବେହେଁ ସଚେତନ ମନର ସୀମା ଲଙ୍ଘନ କରି ଚେତନାର କେନ୍ଦ୍ରକୁ ଆସି ପାରନ୍ତି ନାହିଁ । ପ୍ରତୀକର ମାଧ୍ୟମରେ, ସ୍ୱପ୍ନରେ, ଛଦ୍ମବେଶରେ ବାକ୍ୟର ବିଭ୍ରାନ୍ତିରେ ଆମେ କେବଳ ତାହାର ଆଭାସ ପାଉ ।

 

ସଚେତନ ଓ ଅଚେତନ ମନର ସଂଗଠନ

 

ଚେତନ ଓ ଅଚେତନ ମନ ସହିତ ବ୍ୟକ୍ତିତ୍ୱର ବିବେକ ଓ ପ୍ରବୃତ୍ତି ଇତ୍ୟାଦି ତ୍ରିବିଧ ଅଙ୍ଗର (ଇଡ଼୍, ଇଗୋ ଓ ସୁପର୍ ଇଗୋର) ଯେଉଁ ସମ୍ପର୍କ ତାହାର ଯଥାଯଥ ଆଲୋଚନା ଲାଗି ଫ୍ରଏଡ଼୍‍ଙ୍କର କେତେକ ମୂଳ ତଥ୍ୟ ସହିତ ପରିଚିତ ହେବା ଦରକାର ।

 

ଫ୍ରଏଡ଼୍ ଯେତେବେଳେ ମନକୁ ତନ୍ନତନ୍ନ ପରୀକ୍ଷା କଲେ, ସେତେବେଳେ ସେ ମନର ସ୍ୱରୂପ ବୁଝେଇଦେବାକୁ ଯାଇ ତାହାର ବିଭିନ୍ନ ପ୍ରକ୍ରିୟା ଓ ଭାବ ଅନୁସାରେ ନୂତନ ନୂତନ ଶ୍ରେଣୀ ବିଭାଗ କଲେ । ସେ ମନର ଚେତନ–ପ୍ରକ୍ରିୟା ବିଷୟରେ ଆଲୋଚନା କରିବାକୁ ଯାଇ ମନକୁ ଚେତନ–ଅବଚେତନ ଓ ଅଚେତନ ଏଇ ତିନିଭାଗରେ ବିଭକ୍ତ କରି ଏକ ଗତିଶୀଳ ଓ ପରିବର୍ତ୍ତନଶୀଳ ସଦାଚଞ୍ଚଳ ମାନସିକ ପ୍ରକ୍ରିୟା ବିଷୟରେ କହିଲେ । ଯେତେବେଳେ ଚେତନାର କେନ୍ଦ୍ରବିନ୍ଦୁରୁ ଲକ୍ଷ୍ୟ ଅପସରି ଯାଉଛି ସେତେବେଳେ ଚେତନାର କେନ୍ଦ୍ରସ୍ଥିତ ବସ୍ତୁ ଅବଚେତନର ଦିଗ୍‌ବଳୟକୁ ଘୁଞ୍ଚିଯାଉଛି । ପୁଣି ଯେତେବେଳେ ଦୃଷ୍ଟି ପୂର୍ବୋକ୍ତ କେନ୍ଦ୍ରବିନ୍ଦୁକୁ ଫେରିଆସୁଛି ସେତେବେଳେ ସେ ବସ୍ତୁ ସମ୍ବନ୍ଧରେ ଆମେ ପୂର୍ଣ୍ଣମାତ୍ରାରେ ସଚେତନ ହୋଇ ଉଠୁଛୁଁ, ସେହିପରି ଅଚେତନ ମନର ଅନ୍ତରାଳରେ ଯେଉଁ କାମନା ରହିଛି ସେ ଯେ ସର୍ବଦା ମନର ଅଚେତନ ସ୍ତରରେ ଥାଏ ତାହାନୁହେଁ, ସେ ଅବଚେତନ ମନର କୌଣସି କାମନା ସହିତ ନିଜକୁ ସଂଯୋଜିତ କରି ଅଚେତନ ସ୍ତରରୁ ଅବଚେତନ ସ୍ତରକୁ ଭାସିଆସେ । ଆମର ସାମାଜିକ ମନର ଶାସନ (Censor) ଜନିତ ପ୍ରକ୍ରିୟା ଯୋଗୁଁ ଏ ଭାବନା ସିଧା ସଳଖ ଚେତନ ସ୍ତରକୁ ଆସିପାରେ ନାହିଁ । ମାତ୍ର କେତେକ ସମୟରେ, ଯଥା–ସ୍ୱପ୍ନର ଛଦ୍ମବେଶରେ ମନର ଚେତନ ସ୍ତରକୁ ଆସିଥାଏ । ଚେତନ, ଅବଚେତନ ଓ ଅଚେତନ ମନ ମଧ୍ୟରେ କୌଣସି ସୁସ୍ପଷ୍ଟ ଦୃଢ଼ ସୀମାରେଖା ନାହିଁ । ଏହି ପ୍ରକାର ମନର ଗତିଶୀଳ ପ୍ରବହମାନ ଅବସ୍ଥାର ଆଲୋଚନା କରିବାକୁ ଯାଇ ଫ୍ରଏଡ଼୍ ମନର ସ୍ତର ବିନ୍ୟାସ (to pographica approach) କଥା କହିଛନ୍ତି । ତାଙ୍କ କହିବାନୁସାରେ ଏହି ପ୍ରକାର ସ୍ତରାୟିତ ମନକୁ ମଜ୍ଜମାନ ବରଫସ୍ତୂପ (Iceberg) ସହିତ ତୁଳନା କଲେ ଏହା ସମ୍ବନ୍ଧରେ ସମ୍ୟକ୍ ଧାରଣା କରିବା ଆମ ପକ୍ଷରେ କେତେକାଂଶରେ ସମ୍ଭବ ହେବ । ଭାସମାନ ବରଫ ସ୍ତୂପର କେବଳ ଅଗ୍ରଭାଗ ଛଡ଼ା ଅନ୍ୟ ସମସ୍ତ ଅଂଶ ଅଚେତନ ମନରୂପୀ ସମୂହର ଘନ ନୀଳ ଜଳର ଅନ୍ତରାଳରେ ବୁଡ଼ିରହିଛି । ଯେଉଁ ଅଂଶଟି ଦୃଷ୍ଟିଗୋଚର, ଆମେ କେବଳ ସେହି ଅଂଶଟିକୁ ଦେଖିପାରୁଛୁ ଓ ଜାଣିପାରୁଛୁ–ମଜ୍ଜମାନ ଅଂଶଟିର ଆକାର, ଆୟତନ ବା ଶକ୍ତି କେତେ ସେ ବିଷୟରେ ଆମର କୌଣସି ଧାରଣା ନାହିଁ । ଚେତନ ଓ ଅଚେତନ ମନ ସେହିପରି । ଆମ ମନର ଏ ବିରାଟ ବିପୁଳ ଅଂଶ ରହିଛି ଯାହା ବିଷୟରେ ଆମେ କିଛି ଜାଣୁନା, କେବଳ ଚେତନା–ଗୋଚର ଅଂଶଟି ବିଷୟରେ ଜାଣୁ । ଏହି ସଚେତନ ମନକୁ ଆମେ ଯୁକ୍ତି ଧର୍ମୀ ଓ ଚିନ୍ତାଶୀଳ ହିସାବରେ ଜାଣିଥିବାରୁ ନିଜକୁ ଯୁକ୍ତିଶୀଳ ଜୀବ ଭାବି ଗର୍ବ ଅନୁଭବ କରୁ । କିନ୍ତୁ ବାସ୍ତବରେ ମଣିଷପରି ଅଯୌକ୍ତିକ ପ୍ରାଣୀ ବିରଳ । ସେ ଭାବିଚିନ୍ତି କାମ କରେନା, ଆବେଗ ତା’ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଅଧିକାଂଶ କାମ କରେ । ପରେ ନିଜ କାମକୁ ସମର୍ଥନ କରି ଯୁକ୍ତିବାଢ଼ି ବସେ । ନିଜ କାମକୁ ସେ ସବୁବେଳେ ଯୁକ୍ତିଦ୍ୱାରା ସମର୍ଥନ କରୁଥିବାରୁ ଆମେ ତାକୁ ଭୁଲରେ ଯୁକ୍ତିଶୀଳ ବୋଲି ଭାବିବସୁ । ଫ୍ରଏଡ଼୍ କହନ୍ତି–‘‘all reason are rationalization’’–ଅର୍ଥାତ୍ ଆମର ଯୁକ୍ତି ନିରପେକ୍ଷ ବା ବିଷୟନିଷ୍ଠ ନୁହେଁ–ଏହା ଏକ କୈଫିୟତ ମାତ୍ର । ଆମର ଅଧିକାଂଶ କର୍ମ ପ୍ରକ୍ରିୟାର ମୂଳକାରଣ ମନର ଅଚେତନ ସ୍ତରରେ ରହିଥିବାରୁ, କାହିଁକି ଆମେ ଏକ ବିଶେଷ ପଦାର୍ଥକୁ ଭଲପାଉ ବା ସେହିପରି ଆଉ ଏକ ପଦାର୍ଥକୁ ଘୃଣାକରୁ ତାହା ଆମକୁ କେହି ପଚାରିଲେ ଆମେ ଏକ ଉପରଠାଉରିଆ କାରଣ କହିବସୁ । ତେଣୁ ଯେପର୍ଯ୍ୟନ୍ତ ଆମେ ଆମର ଅଚେତନ ମନର ସ୍ୱଭାବ ଓ ବୈଶିଷ୍ଟ୍ୟ ଏବଂ ଆମର ବ୍ୟକ୍ତିତ୍ୱ, ମୂଲ୍ୟବୋଧ, ଦୃଷ୍ଟିଭଙ୍ଗୀ ଓ ଇଚ୍ଛା–ଅନିଚ୍ଛା ସହିତ ଏହାର ସମ୍ପର୍କ ସ୍ଥିର ନ କରିଛୁ ସେ ପର୍ଯ୍ୟନ୍ତ ମନ ବିଷୟରେ ଆମର ଜ୍ଞାନ ଅପୂର୍ଣ୍ଣ ରହିଯିବ ।

 

ସେହିପରି ଭାବରେ ଫ୍ରଏଡ଼୍ ଯେତେବେଳେ ମନର ଚେତନା ପରିବର୍ତ୍ତେ ମନର ଆକାର କଥା ବର୍ଣ୍ଣନା କରିଛନ୍ତି ସେ ସେତେବେଳେ ପ୍ରବୃତ୍ତିରୂପକ କୋଷରୁ କିପରି ଭାବରେ ବ୍ୟକ୍ତିତ୍ୱ ଓ ବିବେକର ଉଦ୍ଭବ ହେଲା ସେ କଥା କହିବାକୁ ଯାଇ ଇଡ଼୍, ଇଗୋ ଓ ସୁପର୍ ଇଗୋ ଧାରଣାର ଅବତାରଣା କରିଛନ୍ତି । ଶିଶୁର ପାଞ୍ଚବର୍ଷ ବୟସ ବେଳକୁ ତାହାର ବ୍ୟକ୍ତିତ୍ୱର ଏକ ସ୍ଥାୟୀ ରୂପରେଖ ଗଢ଼ି ଉଠିଥାଏ । ବାସ୍ତବର ସଂସ୍ପର୍ଶରେ ଆସି ଯେଉଁ ଉପାୟରେ ସେ ନିଜର କାମନା ଚରିତାର୍ଥ କରେ ସେହି ଅନୁସାରେ ତାହାର ସ୍ଵଭାବ, ଅଭ୍ୟାସ ଓ ଦୃଷ୍ଟିଭଙ୍ଗୀ ଗଢ଼ିଉଠେ । ଯଦି ନିଜର କୌଣସି ଇଚ୍ଛା ସମ୍ବନ୍ଧରେ ସେ ସଚେତନ ହେବା ପୂର୍ବରୁ ଅନ୍ୟ ବ୍ୟକ୍ତି ତାହାର ସେ ଇଚ୍ଛା ଅନୁମାନ କରି ପୂରଣ କରିଥାଆନ୍ତି, ତେବେ ସେ ପ୍ରକାର ଶିଶୁ Passive ବା ନିଷ୍କ୍ରିୟ ହୋଇ ବଢ଼େ । ଶିଶୁ କୌଣସି ବସ୍ତୁ ଚାହିଁଲା ପରେ ଯେଉଁ ମା’ ସେ ବସ୍ତୁ ଆଣିଦିଅନ୍ତି ବା ତାକୁ ଖୋଜିବାର ସୁଯୋଗ ଦିଅନ୍ତି ସେ ପ୍ରକାର ଶିଶୁ ସକ୍ରିୟ ବା Active ହୁଏ । ଯଦି ସେ ବହୁବେଳ କାନ୍ଦି କାନ୍ଦି ଥକେ କେହି ତାକୁ ପଚାରନ୍ତି ନାହିଁ ସେହି ପ୍ରକାର ଶିଶୁ ଅସହାୟ ଓ ବିଶୃଙ୍ଖଳିତ (Unfused) ହୋଇ ବଢ଼ନ୍ତି । ଏଇଥିରୁ ଆମେ ଦେଖୁଛୁ ଯେ ଆଶାବାଦୀ ଓ ନିରାଶାବାଦୀ, ବାଧ୍ୟ ଓ ଅବାଧ୍ୟ, ସ୍ନେହଶୀଳ ଓ ସ୍ନେହଶୂନ୍ୟ ବ୍ୟକ୍ତିତ୍ୱ ଏ ସମସ୍ତ ବ୍ୟକ୍ତିର ବିକାଶଶୀଳ ବୟସର ଅଭିଜ୍ଞତାରୁହିଁ ଗଢ଼ି ଉଠିଥାଏ । ସେହିପରି ଛଅବର୍ଷ ବେଳକୁ ଯେତେବେଳେ ଶିଶୁ ପିତାମାତା ଓ ସମାଜର ଅନୁଶାସନ ମାନି ଭଲ ଓ ମନ୍ଦ ବିବେଚନା କରି କାମ କରି ଶିଖେ ସେତେବେଳେ ବିବେକର ମୂଳଦୁଆ ପଡ଼େ ଓ ପ୍ରାୟ ଦଶବର୍ଷ ବୟସ ବେଳକୁ ବିବେକର ଏକ ସ୍ଥାୟୀ ରୂପ ମଣିଷ ମନରେ ଗଢ଼ି ଉଠିଥାଏ । ମନର ଏହି ତିନୋଟି ପ୍ରଦେଶ ନିଜ ନିଜର ଇଚ୍ଛା ଓ ଅନିଚ୍ଛା ଅନୁସାରେ ମଣିଷର ସମସ୍ତ ପ୍ରଚେଷ୍ଟାକୁ ନିୟନ୍ତ୍ରିତ କରିଥାନ୍ତି । କିନ୍ତୁ ସେମାନଙ୍କର ମୂଳଶକ୍ତି ଆସିଥାଏ ଅଚେତନ ମନରେ ଥିବା ଆଦିମ ମୂଳ ଇଡ଼୍–ପ୍ରବୃତ୍ତିରୁ । ତେଣୁ ମନର ଏଇ ଯେଉଁ ତିନିପ୍ରକାର ଆକାର, ତାହା ଅନେକାଂଶରେ ପରସ୍ପରଠାରୁ ସ୍ୱତନ୍ତ୍ର ହେଲେହେଁ–ସେମାନଙ୍କର ଉତ୍ପତ୍ତିସ୍ଥଳ ଯେ ଏକ ସେ କଥା ମନେରଖିବା ଉଚିତ । ଅନେକ ମନୋ–ବିଶ୍ଳେଷକ କିନ୍ତୁ ଏହି ମୂଳ ଉତ୍ପତ୍ତିସ୍ଥଳ ଉପରେ ଅଯଥା ଗୁରୁତ୍ୱ ଦେଇ ଇଗୋ ଓ ସୁପର୍ ଇଗୋର ସ୍ଵାତନ୍ତ୍ର୍ୟକୁ ପ୍ରାୟ ଅବହେଳା କରି ଏହାକୁ ଇଡ଼୍‍ର ଅଙ୍ଗ–ବର୍ଦ୍ଧନ (extension) ହିସାବରେ ବିବେଚନା କରନ୍ତି । ମନେରଖିବା କଥା ଯେ ମାନବ ମନରେ ସହସ୍ର ବର୍ଷର ସଭ୍ୟତାର ଅନୁଶାସନ ଯେ ଛାପ ପକାଇଛି; ତାହାର ଶକ୍ତି କୌଣସି ଅଂଶରେ ଇଡ଼୍‍ର ଶକ୍ତିଶାଳୀ କାମନାଠାରୁ କମ୍ ନୁହେଁ । ଯେଉଁ ବ୍ୟକ୍ତି କାମ–ପ୍ରଣୋଦିତ ହୋଇ ମାତା ଓ ଭଗ୍ନୀର ସମ୍ପର୍କ ସ୍ୱୀକାର ନ କରି ଯୌନସମ୍ପର୍କ ସ୍ଥାପନ କରନ୍ତି ତାହାର ଆତ୍ମଗ୍ଳାନି ଓ ପାପବୋଧର ପୀଡ଼ା କୌଣସି ଅଂଶରେ ହିଂସା ବା ଅନ୍ଧ କାମବେଗଜନିତ ପୀଡ଼ାଠାରୁ କମ୍ ନୁହେଁ । ରୋଗୀର ମନୋ–ବିଶ୍ଳେଷଣବେଳେ ବିଶ୍ଳେଷକଙ୍କର ବିଶେଷ ଭାବରେ ତାହାର ବ୍ୟକ୍ତିତ୍ୱରେ ଇଡ଼୍, ଇଗୋ ଓ ସୁପର୍ ଇଗୋର ତୁଳନାତ୍ମକ ପ୍ରଭାବ କେତେ ତାହା ବିଚାର କରି ସେହି ଅନୁସାରେ ତାହାର ‘‘ମାନସିକ ସଂଘାତର’’ ଆଲୋଚନା କରିବା ଉଚିତ । ନଚେତ୍‌ ‘‘ସବୁ ପ୍ରକାର ମାନସିକ ସଂଘାତ’’ ନିରୁଦ୍ଧ କାମନା (Repressed desire) ଯୋଗୁଁ ଘଟିଥାଏ ଓ ଏହି କାମନାର ସ୍ୱତଃସ୍ଫୂର୍ତ୍ତ ପ୍ରକାଶ ଘଟିଲେ ଯାଇ ମାନସିକ ସଂଘାତର ଅବସାନ ଘଟିବ’’–ଏହିଭଳି ଏକ ସହଜ ସରଳ ବିଶ୍ଳେଷଣ ଦେଇ ଆମେ ଯେକୌଣସି ଜଟିଳ ମାନସିକ ପ୍ରକ୍ରିୟାକୁ ବ୍ୟାଖ୍ୟା କରିଦେଇପାରୁ; ମାତ୍ର ତାହା ଅର୍ଦ୍ଧସତ୍ୟ (half–truth) ହୋଇ ସବୁବେଳେ ରହିଯିବ । ଏହି ବିଷୟରେ ମାଓରାରଙ୍କର (Mowrer) ଚିକିତ୍ସାଗତ ଅନୁଭୂତି ଉଲ୍ଲେଖଯୋଗ୍ୟ । ମା ଓ ରାର ଦେଖିଲେ ଯେ, ବହୁ ରୋଗୀ ମନୋବିଶ୍ଳେଷଣ ପରେ ନିଜର ଅବଦମିତ କାମନା ବିଷୟରେ ସଚେତନ ହେଲେ ମଧ୍ୟ ମାନସିକ ସଂଘାତରୁ ମୁକ୍ତି ପାଇଲେ ନାହିଁ । ମନୋବିଶ୍ଳେଷକମାନେ କହିବେ ଯେ ତାହାର ଯଥାର୍ଥ ଅନ୍ତର୍ଦୃଷ୍ଟି (Insight) ନ ହେବାରୁ ସେ ଭଲ ହେଲାନାହିଁ । ଅଥଚ, ମାଓରାର ଦେଖୁଛନ୍ତି ଯେ ଏଇ ପ୍ରକାର ରୋଗୀ ନିଜର କୃତକର୍ମ ପାଇଁ ପ୍ରାୟଶ୍ଚିତ୍ତ କଲାପରେ କିମ୍ବା କୌଣସି ଶାସ୍ତି ଗ୍ରହଣ କଲାପରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି । ଏହି ବିଷୟରେ Ego–defense ବା ବ୍ୟକ୍ତିମାନସର ସୁରକ୍ଷା ପ୍ରଣାଳୀ ଆଲୋଚନା କଲାବେଳେ ପୁଣି ଆଉଥରେ ବିଶଦ ଭାବରେ ଆଲୋଚନା କରାଯିବ ।

 

ଚେତନା ଓ ପ୍ରବୃତ୍ତିର ସମ୍ପର୍କ (Instinct Theory)

 

ଫ୍ରଏଡ଼୍ ଯେତେବେଳେ ପ୍ରବୃତ୍ତି ବିଷୟରେ ଆଲୋଚନା କରିଛନ୍ତି ସେତେବେଳେ ସେ ପ୍ରବୃତ୍ତିକୁ ମାନବର ସମଗ୍ର କର୍ମ ପ୍ରଚେଷ୍ଟାର ଉତ୍ସ ବୋଲି ବର୍ଣ୍ଣନା କରିଛନ୍ତି । ଆଦିମ, ମୂଳ କାମନା ପ୍ରଧାନତଃ ଦୈହିକ । କାମନାର ଉତ୍ତେଜନା ଦେହ ମଧ୍ୟରୁହିଁ ସୃଷ୍ଟି ହୋଇଥାଏ । ଯେତେବେଳେ ଦେହର ଭାରସାମ୍ୟ ସ୍ଥିରଥାଏ, ସେତେବେଳେ ପ୍ରାଣୀ କୌଣସି କାମନା ଅନୁଭବ କରେନାହିଁ । ଭାରସାମ୍ୟ ନଷ୍ଟ ହେଲେ କ’ଣ ହୁଏ ? ବାୟୁର ଅଭାବ ଘଟିଲେ ନିଃଶ୍ୱାସ ନେବାର ଇଚ୍ଛା, ଜଳର ଅଭାବ ଘଟିଲେ ତୃଷା ଓ ଖାଦ୍ୟର ଅଭାବ ଘଟିଲେ ମନୁଷ୍ୟ କ୍ଷୁଧା ଅନୁଭବ କରେ । ସବୁବେଳେ ଏଇ ଦୈହିକ ଉତ୍ତେଜନାର ଲକ୍ଷ୍ୟ ହେଲା ଉତ୍ତେଜନାର ପ୍ରଶମନ । ଉତ୍ତେଜନା ପ୍ରଶମନରୁ ସୁଖବୋଧ ହୋଇଥାଏ ଓ ଉତ୍ତେଜନା ବଢ଼ିଲେ ଦୈହିକ ଦୁଃଖବୋଧ ହୋଇଥାଏ । ଫ୍ରଏଡ଼୍ ସମସ୍ତ ଦୈହିକ କାମନାକୁ ଦୁଇଟି ବିଭାଗରେ ବିଭକ୍ତ କରିଛନ୍ତି । Ego instinct ବା ଆତ୍ମରକ୍ଷା ପ୍ରବୃତ୍ତି, Sexual instinct ବା ବଂଶରକ୍ଷା ପ୍ରବୃତ୍ତି (ପ୍ରଜନନ ମାଧ୍ୟମରେହିଁ ବଂଶ ବା ଜାତିରକ୍ଷା ସମ୍ଭବ) ପରବର୍ତ୍ତୀ ଲେଖାରେ କିନ୍ତୁ ସେ ଆତ୍ମରକ୍ଷା ପ୍ରବୃତ୍ତି ଏବଂ ବଂଶରକ୍ଷା ପ୍ରବୃତ୍ତିକୁ ଏକାଠି କରି ଏକ ବ୍ୟାପକ ଅର୍ଥରେ ଏଇ ପ୍ରକାର ସବୁ କାମନାକୁ ଯୌନ କାମନା ବୋଲି କହିଲେ । ଏହି ଯୌନ କାମନା କିନ୍ତୁ ସାଧାରଣ ଯୌନ କାମନାଠାରୁ ବହୁ ବିସ୍ତୃତ । ଅନ୍ୟ ଅର୍ଥରେ ଏହା ବଞ୍ଚିରହିବାର କାମନାର ନାମାନ୍ତର । ସେହିପରି ହିଂସା ବା ଧ୍ୱଂସପରି ଯେତେ ପ୍ରକାର ନୀତିବାଚକ କାମନା ଅଛି ସେ ସବୁକୁ ଠୁଳ କରି ତା’ର ନାମଦେଲେ ମୃତ୍ୟୁ–କାମନା, ସାଧାରଣ ଭାଷାରେ ହିଂସା । ତେଣୁ ଯୌନ–କାମନା ଓ ହିଂସା କାମନା ହେଲା ମାନବର ଦୁଇ ଆଦିମ ମୌଳିକ ପ୍ରବୃତ୍ତି-। ଏଇ ଦୁଇ ପ୍ରବୃତ୍ତି ମାନବକୁ ସବୁବେଳେ ବିଭିନ୍ନ କର୍ମରେ ପ୍ରଣୋଦିତ କରେ ଓ ଏଇ ପ୍ରବୃତ୍ତିର ମୂଳ ଶକ୍ତିରୁ ଅନ୍ୟାନ୍ୟ ବାସନା ଓ କାମନା ନିଜର ଶକ୍ତି ଆହରଣ କରନ୍ତି । ତେଣୁ ବିବେକର ଅଭିଳାଷ, ବ୍ୟକ୍ତି ମାନସର ଇଚ୍ଛା ଓ ଦୈହିକ ପ୍ରବୃତ୍ତିର ତାଡ଼ନା ଏହିସବୁର ମୂଳ ଉତ୍ସ ଏକ । ଏହି କାମନା ମନର ଅଚେତନ ଓ ସଚେତନ ସ୍ତରରେ ସଞ୍ଚାରିତ ହେଉଥିଲାବେଳେ ଆମେ ସାଧାରଣତଃ ଏମାନଙ୍କୁ ଅଚେତନ ଓ ସଚେତନ କାମନା ବୋଲି କହିଥାଉଁ । ଯେତେବେଳେ ଏହା ଇଗୋ ବା ସୁପର୍ ଇଗୋର ଅଧୀନ ସେତେବେଳେ ସେହି ଅନୁସାରେ ସେମାନେ ନାମିତ ହୋଇଥାନ୍ତି । ମନେରଖିବାକୁ ହେବ ଯେ, ଇଗୋ ଓ ସୁପର୍ ଇଗୋର ବିକାଶ ମଧ୍ୟ ଘଟିଥାଏ ଏହି କାମନାର ଅନ୍ତଃକ୍ରୀଡ଼ାରୁ । ଫ୍ରଏଡ଼୍ ଯେତେବେଳେ ମାନସର ସକ୍ରିୟ ପଦକ୍ଷେପ (Dynamic approach of mind) ଆଲୋଚନା କରିଛନ୍ତି ସେତେବେଳେ ସେ ମନର ଆକାର ଓ ମନର ଅନ୍ତରାଳରେ ଥିବା ଏହି ପରମ ଶକ୍ତି କଥା କହିଛନ୍ତି । ମନର ସମସ୍ତ ସ୍ତର ଓ ସକଳ ପ୍ରଦେଶ ମଧ୍ୟରେ ଏହି ଆଦିମ ଶକ୍ତିସମ୍ପନ୍ନ ବାସନା ସଦା ଆବର୍ତ୍ତିତ ହେଉଥାଏ । ସାଧାରଣତଃ ଫ୍ରଏଡ଼୍‍ଙ୍କ ଲେଖାରେ ଆମେ ଶକ୍ତିଶାଳୀ ଯୌନକାମନାର ଆଲୋଚନା ଲକ୍ଷ୍ୟ କରିଥାଉ । ବିଦ୍ୱେଷ ବା ହିଂସା କାମନା ବିଷୟରେ ସେ ପ୍ରାୟ ନୀରବ । ସଂକ୍ଷେପରେ କହିବାକୁ ଗଲେ କୁହାଯିବ ଯେ ଯୌନ କାମନା ପରି ଏହା ମାନବର ସହଜାତ ପ୍ରବୃତ୍ତି–ଅଭିଜ୍ଞତା ପ୍ରସୂତ ନୁହେଁ । ବିବେକର ଉତ୍ପତ୍ତିପରେ ସାଧାରଣତଃ ଯୌନକାମନା ଅବଦମିତ ହୋଇଥାଏ । ମାତ୍ର ବ୍ୟକ୍ତି–ମାନସର ସଞ୍ଚାର ହେଲା ଦିନଠାରୁ ହିଂସାକାମନା ଅବଦମିତ ହେଉଥିବାରୁ ଏହା ସାଧାରଣତଃ ମନର ଅଚେତନ ସ୍ତରରେ ନୀରବରେ ଆବର୍ତ୍ତିତ ହେଉଥାଏ । ଏହା ବ୍ୟତୀତ, ଆମ ବ୍ୟବହାରରେ, ଭାଷାରେ ଓ ବ୍ୟକ୍ତିଗତ ସମ୍ପର୍କରେ କେତେକ ପରିମାଣରେ ହିଂସା ଓ ବିଦ୍ୱେଷ ଭାବ ସହ୍ୟ କରୁଥିବାରୁ ଏହାର ଆଂଶିକ ପ୍ରଶମନ ଘଟିଥାଏ । ଯେଉଁ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟେ ସେଠାରେ ବିକୃତ ସ୍ୱଭାବ ଦେଖାଯାଏ । ଆତ୍ମହତ୍ୟାକୁ ଏହିପରି ଭାବରେ ଆତ୍ମ–ବିଦ୍ୱେଷର ଚୂଡ଼ାନ୍ତ ପରିଣତ ବୋଲି କହିହେବ । ସେହିପରି ଶିଶୁ ଓ ନାରୀଧର୍ଷଣ, ହତ୍ୟା, ନିପୀଡ଼ନ ଇତ୍ୟାଦି ବା ଯୁଦ୍ଧ କ୍ଷେତ୍ରର ଅମାନୁଷିକ ବର୍ବରତାକୁ ଏହି ଅବଦମିତ ହିଂସା–କାମନାର ବିସ୍ଫୋରଣ ବୋଲି ଫ୍ରଏଡ଼୍‍ କହିବେ-। ସାଧାରଣତଃ ଶିଶୁ ବା ବୟସ୍କ ଅପରାଧୀଙ୍କ କ୍ଷେତ୍ରରେ ଓ କେତେକ ଯୌନ ବିକୃତିଗ୍ରସ୍ତ (Sex pervert)ଙ୍କ କ୍ଷେତ୍ରରେ ଆମେ ଯେଉଁ ରୁଗ୍‌ଣ ମନୋବୃତ୍ତିର ସନ୍ଧାନ ପାଉ ତାହା ବହୁଳ ପରିମାଣରେ ହିଂସା ଓ ହିଂସା ଏବଂ ଯୌନ–କାମନାର ସମ୍ମେଳନରୁହିଁ ଉତ୍ପତ୍ତି ହୋଇଥାଏ ।

 

ଅନେକ କ୍ଷେତ୍ରରେ ଏ ହିଂସ୍ରତାକୁ ମଣିଷ ସମାଜସମ୍ମତ ପଥରେ ପ୍ରୟୋଗ କରି ଅସାଧ୍ୟ ପର୍ବତ ଶିଖରକୁ ଉଠିଛି, ଦୁସ୍ତର ମରୁପଥ ଅତିକ୍ରମ କରିଛି, ରାତ୍ରିଦିନ କଠୋର ପରିଶ୍ରମ କରି ଲାବରେଟୋରୀରେ ନୂତନ ଔଷଧ ଉଦ୍ଭାବନ କରି ଦୁଃସାଧ୍ୟ ରୋଗର ଉପଶମ ଘଟାଇଛି, ବିଦ୍ରୋହର ଅଗ୍ରଦୂତ ହୋଇ ପୁରାତନ ସମାଜ ବ୍ୟବସ୍ଥାକୁ ଭାଙ୍ଗି ନୂତନ ସମାଜ ଗଢ଼ିଛି । ଯୌନ–କାମନା ପରି ଏହା କ୍ଷେତ୍ର ଅନୁସାରେ ସୃଜନଶୀଳ ବା ଧ୍ୱଂସଶୀଳ ହୋଇ ଦେଖାଦିଏ ।

 

ମାନବ ଚରିତ୍ର ଓ ଅନ୍ତର୍ନିହିତ ମାନସିକ କ୍ରିୟା–ପ୍ରକ୍ରିୟା

 

ମାନବ ମନରେ ବିବେକ ଓ ପ୍ରବୃତ୍ତିର ଯେଉଁ ଦ୍ୱନ୍ଦ୍ୱ ରହିଛି ସେ ବିଷୟ ନେଇ ବହୁକାଳ ଧରି ସାହିତ୍ୟିକ, ଦାର୍ଶନିକ ଓ କବି ବହୁ ଆଲୋଚନା କରିଛନ୍ତି । କିନ୍ତୁ ସେମାନଙ୍କର ଓ ଫ୍ରଏଡ଼୍‍ଙ୍କର ପର୍ଯ୍ୟବେକ୍ଷଣ ମଧ୍ୟରେ ତଫାତ୍‌ ହେଲା ଏଇ ଯେ ଫ୍ରଏଡ଼୍‍ଙ୍କ କହିବା ଅନୁସାରେ ଏ ଦ୍ୱନ୍ଦ୍ୱ ସାଧାରଣତଃ ମନର ଅଚେତନ ସ୍ତରରେହିଁ ଘଟିଥାଏ । ମନର ସଚେତନ ସ୍ତରରେ ଉପୁଜୁଥିବା ନାଟକୀୟ ସଂଘାତ କଥା ଆମେ ସାଧାରଣ ଗଳ୍ପ ବା ନାଟକରେ ଦେଖିଥାଉଁ । ସେ ପ୍ରକାର, ସଂଘାତ ବ୍ୟକ୍ତିମାନସ ପାଇଁ ପୀଡ଼ାଦାୟକ ହେଲେ ମଧ୍ୟ, ଏହା ଫଳରେ ମାନସିକ ବିକୃତି ଘଟେ ନାହିଁ । ଏହି ପ୍ରକାର ଶକ୍ତିଶାଳୀ ଦ୍ୱନ୍ଦ୍ୱର ପରିଣାମରେ ବ୍ୟକ୍ତିମାନସ ହୁଏତ ସାମୟିକ ଭାବରେ ଭାରସାମ୍ୟ ହରାଏ, ମାତ୍ର ନିଜ ବୁଦ୍ଧି ଓ ବିବେଚନା ଅନୁସାରେ ସେ ଏହାର ସମାଧାନ କରିବାକୁ ପ୍ରାୟ ସମର୍ଥ ହୋଇଥାଏ ।

 

ଅଚେତନ ମନର ସ୍ତରରେ ବିବେକ ଓ ପ୍ରବୃତ୍ତିର ପରସ୍ପର ବିରୋଧୀ ଆକାଂକ୍ଷା ଯୋଗୁଁ ଯେଉଁ ସଂଘାତ ଉପୁଜେ ସେ ବିଷୟରେ ବ୍ୟକ୍ତି–ମାନସ କେବେହେଁ ସଚେତନ ନୁହେଁ । ଏହି ପ୍ରକାର ଦ୍ୱନ୍ଦ୍ୱ ଫଳରେ ସେ ଏକ ଅକାରଣ ଉଦ୍‌ବେଗ ଅନୁଭବ କରେ ଏବଂ ଏଇ ପୀଡ଼ାଦାୟକ ଉଦ୍‌ବେଗ କବଳରୁ ରକ୍ଷା ପାଇବା ଲାଗି ବ୍ୟକ୍ତିମାନସ ସଚେଷ୍ଟ ହୋଇ ଉଠେ । ଯେଉଁ ବ୍ୟକ୍ତି ସ୍ୱଭାବତଃ ଉଦ୍‍ବିଗ୍ନ କିମ୍ବା ଅଳ୍ପକରେ ଅକାରଣ ଦୁଶ୍ଚିନ୍ତାରେ ବୁଡ଼ିଯାଆନ୍ତି ସେ ପ୍ରକାର ବ୍ୟକ୍ତି ସହଜରେ ମାନସ ବ୍ୟାଧିଗ୍ରସ୍ତ (Neurotic) ହୋଇଯିବାର ସମ୍ଭାବନା ରହିଛି । କିନ୍ତୁ ଯେ ସାଧାରଣତଃ ନିରୁଦ୍‌ବିଗ୍ନ ଓ ସହଜରେ ମାନସିକ କ୍ଳେଶ (Mental stress) ସହ୍ୟ କରିପାରନ୍ତି ସେଭଳି ଲୋକଙ୍କର ମାନସିକ ବ୍ୟାଧି ହେବାର ସମ୍ଭାବନା କମ୍ ।

 

ମାନସିକ ସଂଘାତର ରୂପରେଖ (Conflict Theory)

 

ଶିଶୁ ମନର ବିକାଶ ଆଲୋଚନା କଲାବେଳେ ଆମେ ଦେଖୁଛୁ ଯେ, ବିବେକର ଉତ୍ପତ୍ତି ଅପରିଣତ ବୟସରେ ଆରମ୍ଭ ହେଉଥିବା ହେତୁ ଶିଶୁ ଅନେକ ସମୟରେ ସାମାଜିକ ବିଧିନିଷେଧଗୁଡ଼ିକ ଆକ୍ଷରିକ ଅର୍ଥରେ ଗ୍ରହଣ କରିଥାଏ । ଏହାର ପ୍ରକୃତ ଅର୍ଥ ହୃଦୟଙ୍ଗମ କରିବା ଶିଶୁ ମନର କ୍ଷମତାର ବାହାରେ । ନିଷିଦ୍ଧ କର୍ମର ପରିଣାମ ଯେ ଅତ୍ୟନ୍ତ ଅପ୍ରୀତିଦାୟକ ସେ କଥା ମଧ୍ୟ ସେ ହୃଦୟଙ୍ଗମ କରେ । ପିତାମାତାଙ୍କର ବିରାଗଭାଜନ ହେଲେ ସେ ଯେ କେତେ ଅସହାୟ ହୋଇପଡ଼ିବ ଏକଥା ଚିନ୍ତାକରି ତା’ ମନରେ ଏକ ଅକୁହା ଅଯୌକ୍ତିକ ଭୟର ସୃଷ୍ଟିହୁଏ । ଅନେକ ସମୟରେ ସାଧାରଣ ଛୋଟ ଛୋଟ ନିଷେଧ ଯାହାକି ବୟସ୍କ ବ୍ୟକ୍ତି ଆଖିରେ ହାସ୍ୟାସ୍ପଦ ବୋଲି ଜଣାଯାଏ, ସେ ପ୍ରକାର ନିଷେଧକୁ ମଧ୍ୟ ଶିଶୁମନ ଅଲଂଘ୍ୟ ବୋଲି ଭାବିବସେ । ତେଣୁ ହତ୍ୟା ଏବଂ ହତ୍ୟା କରିବାର ସାମୟିକ ଇଚ୍ଛା ମଧ୍ୟରେ ଯେଉଁ ପ୍ରଭେଦ, ସେ ପ୍ରଭେଦ ଶିଶୁମନ ବୁଝେନାହିଁ-। ବହୁ ସମୟରେ କେବଳ ଏହି ପ୍ରକାର ଇଚ୍ଛା ଅନୁଭବ କରିଥିବା ହେତୁ ସେ ଆତ୍ମଗ୍ଳାନିରେ ବୁଡ଼ିଯାଏ । ଇଡ଼୍ ପ୍ରବୃତ୍ତିପରି ବିବେକର ଏହିସବୁ ଅନୁଶାସନ ଅବାସ୍ତବ ଓ ଆପୋସହୀନ ଏବଂ ଅନେକ ସମୟରେ ନିର୍ମମ ।

 

ଏକ ଦିଗରେ ପ୍ରବୃତ୍ତି ସଦାସର୍ବଦା ସାମାଜିକ ଶାସନକୁ ତୁଚ୍ଛମଣି ନିଜର ଅବିଳମ୍ବ ତୃପ୍ତିର ସନ୍ଧାନ କରୁଥିଲାବେଳେ, ବିବେକ ତାହାର ଆପୋସହୀନ ନ୍ୟାୟ–ଅନ୍ୟାୟବୋଧ ଅନୁସାରେ ବ୍ୟକ୍ତିମାନସର କ୍ରିୟା–ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟାକରେ । ଏଇ ଦୁଇଟିଯାକ ଦାବି ପ୍ରାୟ ସବୁବେଳେ ପରସ୍ପର ବିରୋଧୀ ହେଉଥିବାରୁ ମାନସିକ ଦ୍ଵନ୍ଦ୍ଵର ଉତ୍ପତ୍ତି ହୁଏ । କିପରି ଭାବରେ ବ୍ୟକ୍ତିମାନସ ଏଇ ଦ୍ୱନ୍ଦ୍ୱ କବଳରୁ ନିଜକୁ ରକ୍ଷାକରି ମାନସିକ ଭାରସାମ୍ୟ ରଖେ ତାହାହିଁ ଆମର ପରବର୍ତ୍ତୀ ଆଲୋଚନାର ବିଷୟ ।

 

ବ୍ୟକ୍ତିମାନସର ପ୍ରତିରକ୍ଷା ବ୍ୟବସ୍ଥା (Defence Mechanisms)

 

ମାନସିକ ସଂଘାତ ମନର ଅଚେତନ ସ୍ତରରେ ଘଟୁଥିବାରୁ ଏହାର ପ୍ରକୃତ ରୂପରେଖ ଜାଣିବା ବ୍ୟକ୍ତିମାନସ ପକ୍ଷରେ ପ୍ରାୟ ଅସମ୍ଭବ । ସେ କେବଳ ଏକ ଅହେତୁକ ଉଦ୍‌ବେଗ ଯନ୍ତ୍ରଣାରେ ଘାଣ୍ଟିଚକଟି ହୁଏ । ଏହି ଉଦ୍‌ବେଗ (Anxiety)କୁ ସେ ସାଧାରଣତଃ ବିପଦ ସଙ୍କେତ ରୂପରେ ଅନୁଭବ କରି ସେହି ଅନୁସାରେ ଉଦ୍‌ବେଗ ପ୍ରଶମନ କରିବାରେ ଚେଷ୍ଟିତ ହୁଏ । ତାହାର ପ୍ରଧାନ ସମସ୍ୟା ହେଲା (୧) ଅବାଧ୍ୟ, ଅସାମାଜିକ ପ୍ରବୃତ୍ତି ପ୍ରଣୋଦିତ ଆବେଗକୁ ନିଜର ଆୟତନରେ ରଖିବା (୨) ମାନସିକ ଦ୍ୱନ୍ଦ୍ୱର ଯନ୍ତ୍ରଣାରୁ ନିଜକୁ ରକ୍ଷାକରିବା (୩) ସବୁ ଆଡ଼କୁ ସୁବିଧା ହେଲାପରି ଏଇ ପରସ୍ପର ବିରୋଧୀ ଦାବିଗୁଡ଼ିକୁ ପୂର୍ଣ୍ଣ କରି ଏକ ସୃଷ୍ଟି ସମାଧାନରେ ପହଞ୍ଚି ମନର ପ୍ରସନ୍ନତା ରକ୍ଷା କରିବା ।

 

ବ୍ୟକ୍ତିମାନସ ଯଦି ସୁସ୍ଥ ଓ ଶକ୍ତିଶାଳୀ ହୋଇ ଗଢ଼ି ଉଠିଥାଏ ତେବେ ସାଧାରଣତଃ ସେ ଏହି ପ୍ରକାର ସଂପାତର ସମ୍ମୁଖୀନ ହୁଏନାହିଁ । କିନ୍ତୁ ଯଦି ଶୈଶବର ବିକାଶଶୀଳ ବୟସରେ ସେ ଏହି ପ୍ରକାର ସଂଘାତର ସମ୍ମୁଖୀନ ହୋଇ, ତାହାର ସମାଧାନ ନ କରି ମନର ଅଚେତନ ସ୍ତରକୁ ପଠାଇ ଦିଏ, ତେବେ ତାହା ସବୁବେଳେ ମୁଣ୍ଡଟେକି ମନର ସଚେତନ ସ୍ତରକୁ ଉଠି ଆସିବାକୁ ଚାହେଁ । ସଚେତନ ମନରେ ଏପରି ଭାବନା ବା ଦ୍ୱନ୍ଦ୍ୱର ଆବିର୍ଭାବ କେବେହେଁ ସୁଖଦାୟକ ନ ହୋଇଥିବାରୁ ବ୍ୟକ୍ତିମାନସ ଏହାକୁ ସବୁବେଳେ ମନର ଅଚେତନ ସ୍ତରରେ ରୁଦ୍ଧକରି ରଖିବାକୁ ଚାହେଁ । ଏହି ପ୍ରକ୍ରିୟାରେ ତାହାକୁ ସାହାଯ୍ୟ କରେ ଆଉ ଏକ ପ୍ରକ୍ରିୟା ଯାହାକୁ ଫ୍ରଏଡ଼୍ ସାମାଜିକ ଶାସନ (censor) ବୋଲି କହିଛନ୍ତି । ଏହାର କାମ ହେଲା ଅଚେତନ ମନର ଆଶା, ଆକାଂକ୍ଷା, ଭାବନା, ଚିନ୍ତା ଓ ମାନସିକ ସଂଘାତ; ଏ ସବୁକୁ ତନ୍ନତନ୍ନ କରି ଯାଞ୍ଚ କରିବା । ଯଦି ସାମାଜିକ ଶାସନ (censor)ର ପରୀକ୍ଷାରେ ଏଗୁଡ଼ିକ ସମାଜସମ୍ମତ ବୋଲି ବିବେଚିତ ହୁଅନ୍ତି, ତେବେ ମନର ସଚେତନ ସ୍ତରକୁ ସେମାନେ ଅବାରିତ ଗତିରେ ଭାସି ଆସନ୍ତି । କିନ୍ତୁ ଯଦି ସାମାଜିକ ଶାସନ (censor) ଏଗୁଡ଼ିକ ସଂସ୍ପର୍ଶରେ ଆସି ଆଶଙ୍କିତ ହୋଇ ଉଠେ ତେବେ ପ୍ରବଳ ଶକ୍ତିରେ ସେ ଏମାନଙ୍କର ଗତିରୋଧ କରି ପୁଣି ମନର ଗଭୀର ଅଚେତନ ସ୍ତରକୁ ପଠାଇଦିଏ । ଏହି ପ୍ରକ୍ରିୟାକୁ ଫ୍ରଏଡ଼୍ ଅବଦମନ (repression) ବୋଲି କହିଛନ୍ତି । ଏହା ସଜ୍ଞାନକୃତ କ୍ରୋଧ ବା ଲୋଭଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ସଜ୍ଞାନରେ ବିଚାର ବିବେଚନା କରି ମାନବ ନିଜର ଇନ୍ଦ୍ରିୟ ବୃତ୍ତିକୁ ଆୟତ୍ତାଧୀନ କରିବାକୁ ଫ୍ରଏଡ଼୍ ନିରୋଧ (suppression) ବୋଲି କହିଛନ୍ତି । ତେଣୁ ଜଣେ ଯଦି ନିଜର ଅର୍ଥନୈତିକ ପରିସ୍ଥିତି ଦୃଷ୍ଟିରୁ ବିଳମ୍ବରେ ବିବାହ କରିବା ସ୍ଥିର କଲେ ଓ ସେଥିଯୋଗୁଁ ନାରୀସଙ୍ଗ ସୁଖ ବର୍ଜନ କଲେ ତେବେ ସେ ଯୌନ କାମନା ଦମନ (repress) କଲେ ବୋଲି କୁହାଯିବ ନାହିଁ । ବରଂ ସେ ଏହାକୁ ନିରୋଧ (suppress) କଲେ ବୋଲି କୁହାଯିବ । ଅପରପକ୍ଷରେ ଆଉଜଣେ ଶୈଶବ କାଳରେ ମାତୃ–କାମେଚ୍ଛା (ଇଡ଼ିପସ୍ ଅଧ୍ୟାୟର କଥା) ଅନୁଭବ କରିଥିବା ହେତୁ ଏକଦିଗରେ କାମନାର ଜ୍ୱାଳା ଓ ଅନ୍ୟ ଦିଗରେ ବିବେକର ଦଂଶନ ସହି ନ ପାରି, ସେ ଘୋର ନାରୀ–ବିଦ୍ୱେଷୀ ଏଇ ସଂଘାତର ସମାଧାନ କଲେ । ପରବର୍ତ୍ତୀ କାଳରେ ସେ ଯେ, କୌଣସି ନାରୀକୁ ଦେଖିଲାମାତ୍ରକେ ଉଦ୍‌ବେଗ ବୋଧ କଲେ ଓ ତାଙ୍କର ଘୃଣା ଭାବର ଉଦ୍ରେକ ହେଲା । ଏହି କ୍ଷେତ୍ରରେ ସେ ନିଜର ପ୍ରବୃତ୍ତିକୁ ଅବଦମନ କରିଛନ୍ତି ବୋଲି କୁହାଯିବ । କାରଣ ନାରୀପ୍ରତି ତାଙ୍କର ମନୋଭାବ ସ୍ୱାଭାବିକ ନୁହେଁ । ସାଧାରଣ ମଣିଷ ନାରୀକୁ ମାତା, ଭଗ୍ନୀ ବା ବନ୍ଧୁରୂପରେ ଅଧିକାଂଶ ସମୟରେ ଦେଖେ । କେବଳ ବିଶେଷ ସମ୍ପର୍କରେ ନାରୀପ୍ରତି ତା’ର କାମେଚ୍ଛା ଜନ୍ମିଥାଏ । ସେହିପରି କେତେକ ବିଶେଷ ନାରୀପ୍ରତି ତା’ର ବିଦ୍ୱେଷ ଭାବ ମଧ୍ୟ ଜନ୍ମିଥାଏ । କିନ୍ତୁ ସ୍ଥାନ, କାଳ, ବୟସ ସମ୍ପର୍କ ଇତ୍ୟାଦି ବିବେଚନା ନ କରି ଯେ ବ୍ୟକ୍ତି ନାରୀପ୍ରତି ଘୃଣା ବା କାମ ଲିପ୍ସା ଅନୁଭବ କରେ ତାକୁ ଅସ୍ୱାଭାବିକ ବୋଲି କୁହାଯିବ । ମନର ଏହି ଅସ୍ୱାଭାବିକ ମନୋଭାବ ହେଲା ଅବଦମିତ କାମନାର ପରିଣାମ ।

 

ଅବଦମନ ପ୍ରକୃତରେ କ’ଣ ? ମନର ଅଚେତନ ସ୍ତରର କାମନାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରି ସଚେତନ ସ୍ତରକୁ ତାର ପ୍ରବାହ ସମ୍ପୂର୍ଣ୍ଣ ଭାବରେ ନିରୋଧ କରିବାକୁ ‘‘ଅବଦମନ’’ ବୋଲି କୁହାଯାଏ । ଦେଖିବାକୁ ଗଲେ ବାସ୍ତବ ଜଗତ ସାଙ୍ଗରେ ସମନ୍ୱୟ କରି ଚଳିବାପାଇଁ ଏହାହେଲା ଏକ ଦୁର୍ବଳ ପନ୍ଥା । ତେବେ ବ୍ୟକ୍ତିମାନସ କାହିଁକି ଏପରି ଏକ ଅସଫଳ ପନ୍ଥା ଅନୁସରଣ କରେ ? ଏହାର କାରଣ ହେଲା, ଶୈଶବ କାଳରେ ଅପରିଣତ ବ୍ୟକ୍ତି–ମାନସ ପକ୍ଷରେ ଏଇ ସଂଘାତର ସମାଧାନ କରିବା ବିଶେଷ ସହଜସାଧ୍ୟ ନୁହେଁ । ତେଣୁ ସେ ଏଇ ସଂଘାତକୁ କେନ୍ଦ୍ର କରି ରହିଥିବା ସମସ୍ତ ଅନୁଭୂତିକୁ ଅସ୍ୱୀକାର କରି ସହଜରେ ‘ଇଡ଼୍’ ପ୍ରବୃତ୍ତିର ତାଡ଼ନାର ଯନ୍ତ୍ରଣାରୁ ଓ ପିତାମାତାଙ୍କ ବିରାଗ ଭାଜନ ହେବାର ଆତଙ୍କରୁ ରକ୍ଷା ପାଇଥାଏ । ଫ୍ରଏଡ଼୍ ସବୁବେଳେ ଭାବୁଥିଲେ ଯେ ଅବଦମନ ଯୋଗୁଁହିଁ ବ୍ୟକ୍ତି–ମାନସ ସବୁବେଳେ ଉଦ୍‌ବେଗ ବୋଧକରେ, କାରଣ କେତେବେଳେ ଯେ, ଏହି ଅବରୋଧ ଭାଙ୍ଗିଯିବ ସେଇ ଆଶଙ୍କାରେ ସେ ଉବ୍‌ବିଗ୍ନ ହୋଇ ଉଠେ । ପରବର୍ତ୍ତୀକାଳରେ ସେ ଏଇମତ ବଦଳାଇଥିଲେ । ନିଜର ଚିକିତ୍ସାଗତ ଅଭିଜ୍ଞତାରୁ ସେ ଦେଖିଲେ ପ୍ରକୃତରେ ଯେତେବେଳେ ଅଚେତନ ମନର ଭାବନା ସଚେତନ ସ୍ତରକୁ ମୁଣ୍ଡ ଟେକେ, ସେତେବେଳେ ବ୍ୟକ୍ତିମାନସ ଆଶଙ୍କିତ ହୋଇ ଉଠେ । ଏଇ ବିପଦ ସଙ୍କେତ ତାକୁ ଉଦ୍‌ବିଗ୍ନ କରି ତୋଳେ । ତେଣୁ ସେ ଏହି ଅନୁଭୂତିକୁ ଅବଦମନ କରି ସାମୟିକ ନିରାପତ୍ତା ଫେରିପାଏ ।

 

ଫ୍ରଏଡ଼୍‍ଙ୍କ ମତରେ ବ୍ୟକ୍ତିମାନସ ଅନ୍ୟ ଯେଉଁସବୁ ନିରାପତ୍ତା ବ୍ୟବସ୍ଥା ଅବଲମ୍ବନ କରେ ସେ ସବୁର ମୂଳରେ ରହିଛି ଅବଦମନ । ଅନ୍ୟବ୍ୟବସ୍ଥାଗୁଡ଼ିକ ଏହି ଅବଦମନ ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରି ପ୍ରତିରୋଧ ବ୍ୟବସ୍ଥା ରୂପରେ ଗଢ଼ିଉଠି ଅଛନ୍ତି । ବ୍ୟକ୍ତିମାନସ ଅଧିକାଂଶ ସମୟରେ ଏକାଧିକ ପ୍ରତିରୋଧ ବ୍ୟବସ୍ଥା ଅନୁସରଣକରେ । ମାତ୍ର ଆମ ଆଲୋଚନାକୁ ସରଳକରି ରଖିବା ଲାଗି ପ୍ରତିଟି ପ୍ରତିରକ୍ଷା ବ୍ୟବସ୍ଥାକୁ ସ୍ୱତନ୍ତ୍ର ଭାବରେ ଆଲୋଚନା କରିବୁ ।

 

ଅସ୍ୱୀକାର (Denial)

 

ବ୍ୟକ୍ତି–ମାନସ ପ୍ରଥମତଃ ପ୍ରବୃତ୍ତିମୂଳକ ଅନୁଭୂତିକୁ ଅସ୍ୱୀକାର କରି ବସେ । ସେ ଖାଇବାର ଲାଳସା ଅନୁଭବ କରିବାମାତ୍ରକେ କହେ ମୋର ଭୋକ ନାହିଁ । କ୍ଷୁଧାର ଅନୁଭୂତି ନହେଲେ ସେଥିରୁ ନିବୃତ୍ତି ହେବା ସହଜସାଧ୍ୟ ହୁଏ, ଫଳରେ ଅବଦମନର ପଥ ସରଳ ଓ ସୁଦୃଢ଼ ହୋଇ ଉଠେ ଓ ଏହା ଅନ୍ତର୍ମୁଖୀ ହୋଇ ଅଚେତନ ସ୍ତରକୁ ଚାଲିଯାଏ । ତେଣୁ ଏଇ ପ୍ରକାର ଅସ୍ୱୀକାର ଓ ଅବଦମନ ପ୍ରାୟ ଅଙ୍ଗାଅଙ୍ଗୀଭାବରେ ଜଡ଼ିତ ହୋଇ ରହନ୍ତି ।

 

ଆଉ ଏକପ୍ରକାର ‘ଅସ୍ୱୀକାର’ ହେଲା ବାସ୍ତବକୁ ଅସ୍ୱୀକାର କରିବା । ଏହାଦ୍ୱାରା ବର୍ହିଜଗତରୁ ଆସୁଥିବା ବିପଦ ସଙ୍କେତକୁ ଅସ୍ୱୀକାର କରି ବ୍ୟକ୍ତି–ମାନସ ମାନସିକ ଦ୍ୱନ୍ଦ୍ୱ ଏଡ଼ାଇଯାଏ । ଓଟପକ୍ଷୀ ଯେପରି ବାଲି ଭିତରେ ମୁଣ୍ଡପୋତି ଭାବେ ଝଡ଼ ହେଲେ ତା’ର କିଛି ଅନିଷ୍ଟ ହେବନାହିଁ, ଏହା ହେଲା ସେହିପରି ଏକ ଭାବନା କିମ୍ବା ଯୁଧିଷ୍ଠିର କହିଥିଲାପରି ଯେ ପ୍ରତିଦିନ ଲୋକ ମରୁଛନ୍ତି ଏକଥା ଆମେ ସମସ୍ତେ ଜାଣୁଥିଲେହେଁ, ମୁଁ ମରିବି ଏ କଥା କେହି ଭାବେନାହିଁ–ତେଣୁ ଏହାଠାରୁ ବଳି ଆଶ୍ଚର୍ଯ୍ୟର କଥା ଆଉ କ’ଣ ? ଅର୍ଥାତ୍‌–ମୃତ୍ୟୁ ଆକସ୍ମିକ–ଏ କଥା ଜାଣି ମଧ୍ୟ ଆମେ ସେ ଭୟକୁ ଅସ୍ଵୀକାର କରି ନିତିଦିନର ଜୀବନ ଯାତ୍ରାରେ ବ୍ୟସ୍ତ ରହୁଁ । ମୃତ୍ୟୁ ଭୟ ଯେତେ ବାସ୍ତବ ହେଉନା କାହିଁକି ଏହାକୁ ଅସ୍ଵୀକାର ନ କରି ଉପାୟ ନାହିଁ । ତେଣୁ ଏ ସବୁ ଭାବନା ଯେ କେବଳ ବ୍ୟାଧିଗ୍ରସ୍ତ ମନରେ ଦେଖାଯାଏ ତା’ ନୁହେଁ, ସ୍ୱାଭାବିକ ସୁସ୍ଥମନ ମଧ୍ୟ ଏଇ ପ୍ରକ୍ରିୟା ଅବଲମ୍ବନ କରି ପ୍ରତିକୂଳ ଅବସ୍ଥାରେ ନିଜର ଭାରସାମ୍ୟ ରକ୍ଷା କରେ । ବହୁ ସମୟରେ ଦେଖାଯାଇଛି ଯୁଦ୍ଧ ବିଗ୍ରହ ବା ପ୍ରାକୃତିକ ବିପର୍ଯ୍ୟୟବେଳେ ବାରମ୍ବାର ସାବଧାନ ରହିବାର ସଙ୍କେତ ଶୁଣି ମଧ୍ୟ ଲୋକେ ନିଜର ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ଯାଇନାହାନ୍ତି । ଶେଷ ସମୟ ପର୍ଯ୍ୟନ୍ତ କିଛି ହେବନାହିଁ କହି ମନକୁ ଭୁଲେଇ ରହିଛନ୍ତି । କାରଣ ନିଜର ଘରଦ୍ୱାର ଛାଡ଼ିଯିବାର ଯେଉଁ ଅନିଶ୍ଚିତ ଅସହାୟତା, ତାହା ଅନ୍ୟ ବିପଦଠାରୁ କୌଣସି ଅଂଶରେ ଊଣା ହୋଇ ନଥିବାରୁ ବିପଦକୁ ଅସ୍ଵୀକାର କରି ସେମାନେ ଏହି ଦ୍ଵନ୍ଦ୍ଵରୁ ରକ୍ଷା ପାଆନ୍ତି ।

 

ବିପରୀତ ଅଭିଳାଷ (Reaction Formation)

 

ପ୍ରବୃତ୍ତି ବଶବର୍ତ୍ତୀ କାମନାକୁ ଅବରୋଧ କରି ରଖିବାର ଆଉ ଏକ ବହୁବ୍ୟବହୃତ ପ୍ରକ୍ରିୟା ହେଲା ବିପରୀତ ଅଭିଳାଷ (Reaction Formation), ନିଜର ଅନୁଭୂତ ଇଚ୍ଛାକୁ ବ୍ୟକ୍ତିମାନସ ‘ଅସ୍ଵୀକାର’ କରି, ‘ଅବଦମନ’ କରି ମଧ୍ୟ କ୍ଷାନ୍ତ ହୁଏନି । ପୁନଶ୍ଚ ଏହାର ସମ୍ପୂର୍ଣ୍ଣ ବିପରୀତ କାମନାକୁ ନିଜର ଏକାନ୍ତ କାମନା ରୂପରେ ଅବସ୍ଥାପିତ କରି ସେହି ଅନୁସାରେ କାର୍ଯ୍ୟକରେ । ଜଣେ ଶିଶୁ ସହଜରେ ଭୟପାଏ । ତା’ର ଏଇ ଭୟକୁ ଅନ୍ୟ ସମସ୍ତେ ଘୃଣା କରନ୍ତି-। ଏପରି କ୍ଷେତ୍ରରେ ସେ ଅନ୍ୟପିଲାଙ୍କୁ କହିବାକୁ ଆରମ୍ଭକରେ ଯେ, ସେ ଭୟ ପାଏନି-। କେବଳ ତାହାନୁହେଁ ଗଛ ଚଢ଼ିବା, ପାଣିରେ ପହଁରିବା ପରି ଭୟହୀନ କାର୍ଯ୍ୟସବୁ କରିବାକୁ ତାକୁ କେବଳ ସୁଖଲାଗେ । ସେହିପରି ଯେଉଁ ବ୍ୟକ୍ତି ଯୌନ–ଅନୁଭୂତିକୁ ମାନବର ସ୍ୱାଭାବିକ ଅନୁଭୂତି ବୋଲି ନ ଭାବି ଦୁର୍ବଳତା ଓ ପାପ କାମନା ବୋଲି ଭାବେ ସେହି ବ୍ୟକ୍ତି ନିଜର କୈଶୋରରେ ନୂତନ ଯୌନ–ଅନୁଭୂତି ଅନୁଭବ କରିବାମାତ୍ରକେ ଘୋରତର ନୀତିବାଦୀ ହୋଇ ଉଠନ୍ତି । ସେମାନେ ଯୌନ ଅନୁଭୂତି ହେବାଟା ଅସ୍ଵାଭାବିକ ବୋଲି ଭାବନ୍ତି । ଅନେକ ସମୟରେ ନାରୀ ମୁଖ–ଦର୍ଶନ କରିବାଟାହିଁ ମହାପାପ ବୋଲି କହନ୍ତି । ବିଶେଷ କ୍ଷେତ୍ରରେ ଏପରି ବ୍ୟକ୍ତି ନର–ନାରୀ ମଧ୍ୟରେ ଥିବା ସମାଜସମ୍ମତ ସ୍ୱାଭାବିକ ଯୌନସମ୍ପର୍କ ମଧ୍ୟ ଉପଭୋଗ କରିପାରନ୍ତି ନାହିଁ । ଯୌନ ବିକୃତି (Sex Perversion) ଭୋଗୁଥିବା ବହୁ ରୋଗୀଙ୍କର ମନୋ–ବିଶ୍ଳେଷଣବେଳେ ଏଇ ପ୍ରକାର ବିପରୀତ–ଅଭିଳାଷବି (Reaction Formation)ର ସୂଚନା ମିଳିଥାଏ । ପୁରୁଷ ବା ସ୍ତ୍ରୀମାନଙ୍କଠାରେ ଦେଖାଯାଉଥିବା ଯୌନ ଅକ୍ଷମତାର (Impotency or Frigidity) ମୂଳକାରଣ ଖୋଜିବାକୁ ଯାଇ ଦେଖାଯାଇଛି ଯେ ଅନେକ ସମୟରେ ଯୌନ କାମନାର ସଫଳ ଅବଦମନ ଓ ତା’ ସ୍ଥାନରେ ଯୌନ କାମନା ଶୂନ୍ୟ ସମ୍ପର୍କ ପ୍ରତି ଅତ୍ୟନ୍ତ ଶ୍ରଦ୍ଧାଭାବ ଅବଲମ୍ବନ କରି ସେମାନେ ଏପ୍ରକାର ଅକ୍ଷମତା ଭୋଗିଥାଆନ୍ତି ।

 

ଆପାତ ଅଯୌକ୍ତିକତା ଏବଂ ଛଦ୍ମାବରଣ

(Rationalization and camouflage)

 

ଏହି ଦୁଇଟି ପ୍ରକ୍ରିୟା ଏତେ ବେଶୀ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ ଯେ ଏହାକୁ ଏକ ସ୍ୱତନ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବୋଲି କହିବା ଅତିରଞ୍ଜନ ପରି ଜଣାଯାଏ । ଇଶପଙ୍କର ଗପର ବିଲୁଆ ‘ଅଙ୍ଗୁର ଫଳ ଖଟା ତେଣୁ ମୋର ଖାଇବାକୁ ଇଚ୍ଛା ନାହିଁ’ କହିଲା ପରି ଆମେ ସବୁବେଳେ ଆମର ଅଧିକାଂଶ କାର୍ଯ୍ୟକୁ ସମର୍ଥନ କରି କାରଣ ବାଢ଼ିବସୁ । ପ୍ରକୃତ ପକ୍ଷରେ ଯେଉଁ ଅନ୍ତର୍ନିହିତ ମନୋଭାବ ବା ଅଭିଳାଷ ଏଇ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥାଏ, ସେ ମନୋଭାବ ବା ସେ ଅଚେତନ କାମନା ବିଷୟରେ ଆମେ ଅବହିତ ନଥାଉ । ମନେରଖିବା କଥା ଯେ, ଜାଣିଶୁଣି ମିଛ କହିବା ବା ଲୋକଙ୍କ ଆଗରେ ନିଜକୁ ପ୍ରକୃତ ମନୋଭାବ ଗୋପନ କରି ସମସ୍ତଙ୍କୁ ଭଲ ଶୁଣାଗଲା ପରି ମନୋଭାବ ଦେଖାଇବାଠାରୁ ଏହା ସମ୍ପୂର୍ଣ୍ଣ ଅଲଗା । ଯେଉଁ ବ୍ୟକ୍ତି ନିଜ କାର୍ଯ୍ୟର ବ୍ୟାଖ୍ୟା କରିବାକୁ ଯାଇ–‘ଅଙ୍ଗୁର ଫଳ ଖଟା ତେଣୁ ମୁଁ ଖାଇବାକୁ ଚାହେଁନା’, ପରି କାରଣମାନ ବାଢ଼ି ବସୁଛି, ସେ ନିଜେ ଏଇ କାରଣଗୁଡ଼ିକୁ ସତ ବୋଲି ବିଶ୍ୱାସକରେ । ଅନ୍ୟମାନଙ୍କ ଆଖିରେ ଏହା ସତ କାରଣ ନୁହେଁ ବୋଲି ଜଣାଯାଏ । କିନ୍ତୁ ତା’ ଆଖିକୁ ସେକଥା ଦେଖାଯାଏ ନାହିଁ । ତେଣୁ ଅବିବାହିତା ପ୍ରୌଢ଼ ଯେତେବେଳେ ବସି ବିବାହିତ ଜୀବନର ଜ୍ୱାଳା ଯନ୍ତ୍ରଣା ବର୍ଣ୍ଣନା କରି ନିଜେ ବାହା ନ ହୋଇ ରହିବାକୁ ସମର୍ଥନ କରୁଛି–ସେ ନିଜେ ସେ କଥା ସତ ଭାବୁଛି ବୋଲି କହୁଛି । ପ୍ରକୃତ ପକ୍ଷରେ ହୁଏତ ତା’ର ଅବିବାହିତ ହୋଇ ରହିବା ସିଦ୍ଧାନ୍ତ ପଛରେ ଅର୍ଥନୈତିକ ଦୁର୍ଗତି, ସୌନ୍ଦର୍ଯ୍ୟହୀନତା ଇତ୍ୟାଦି ବହୁ କାରଣ ଥାଇପାରେ ।

 

ଛଦ୍ମାବରଣ ହେଲା ଆପାତ ଅଯୌକ୍ତିକତାର ଆଉ ଟିକେ ଉପର ସ୍ତରର ପ୍ରତିରକ୍ଷା ବ୍ୟବସ୍ଥା । ଯାହାର ସୂଚୀମନ୍ତ ରୋଗ, ଅର୍ଥାତ୍‌ ସବୁବେଳେ ଗାଧୋଉଥିବା କିମ୍ବା ସବୁ ଜିନିଷ ଧୋଉଥିବାର ଅଭ୍ୟାସଥାଏ, ସେ ଧୋବାଘରୁ ଲୁଗା ଆସିବାମାତ୍ରକେ ‘ଲୁଗା ଧୋବାଛୁଆଁ ତେଣୁ ମାରାହୋଇଛି’–କହି ସବୁ ଲୁଗାରେ ପୁଣି ଗଙ୍ଗାପାଣି ଛିଞ୍ଚି ଶୁଦ୍ଧକରେ । ସାଧାରଣ ରକ୍ଷଣଶୀଳ ପରିବାରରେ ଏଇ କାରଣ ଯୁକ୍ତିଯୁକ୍ତ ଶୁଣାଯିବ ନିଶ୍ଚୟ । କିନ୍ତୁ ଭଦ୍ରମହିଳାଙ୍କର ସୂଚୀମନ୍ତ ଅଭ୍ୟାସ ସହିତ ଏଇ ବ୍ୟବହାରକୁ ମିଶେଇ ଦେଖିଲେ ଏହା ଯେ ଏକ ମାନସିକ ବ୍ୟାଧିଗ୍ରସ୍ତ ପ୍ରତିରକ୍ଷା (neurotic defence) ସେ କଥା ସହଜରେ ବୁଝିହେବ ।

 

ପୃଥକୀକରଣ (Isolation)

 

ଜଣେ ପରିଚିତ ମଣିଷର ଶବ ଦେଖିଲେ ଆମ ମନରେ ଯେଉଁ ଅନୁଭୂତିର ଉଦୟହୁଏ ସେ ଅନୁଭୂତି ଶତ୍ରୁପକ୍ଷର ଏକ ସୈନିକର ଶବ ଦେଖିଲେ ଉଦୟ ହୁଏ ନାହିଁ । କାରଣ ହେଲା ଘଟଣା ଏକ ହେଲେ ମଧ୍ୟ, ମୃତ୍ୟୁ ସହିତ ଜଡ଼ିତ ସମସ୍ତ ଅନୁଭୂତିକୁ ଆମେ ପ୍ରଥମ ବ୍ୟକ୍ତି କ୍ଷେତ୍ରରେ କେବଳ ଅନୁଭବ କରିଥାଉ । ଦ୍ୱିତୀୟ ବ୍ୟକ୍ତି କ୍ଷେତ୍ରରେ ଏହା ଏକ ଖବର ପରି ଜଣାଯାଏ । ଅଧିକାଂଶ ଲୋକଙ୍କର ଏ ଖବର ପଢ଼ି କୌଣସି ଅନୁଭୂତିର ଉଦୟ ହେବନି । ଅଳ୍ପ କେତେକଙ୍କ ମନରେ ଏହା ହୁଏତ ଆନନ୍ଦ ସଞ୍ଚାର କରିପାରେ । ଅଥଚ ‘ଅନୁଭୂତି ହୀନତା’ ବା ‘ଆନନ୍ଦ ଅନୁଭବ’ ଏହି ଦୁଇଟାଯାକ ଭାବ ମୃତ୍ୟୁ ଘଟଣାଦ୍ୱାରା ଜାଗ୍ରତ ହୁଏନାହିଁ । ସେହିପରି ଯେତେବେଳେ, ଗୋଟାଏ ଘଟଣା ବା ଭାବନାକୁ ଆମେ ତା’ ସହିତ ଜଡ଼ିତ ରହିଥିବା ଅନୁଭୂତିଠାରୁ ଅଲଗା କରି ଦେଖୁ ସେତେବେଳେ ସେଇ ଅନୁଭୂତିହୀନ ଘଟଣା ସହନଶୀଳ ହୋଇ ଉଠେ । ଏଇ ଚିନ୍ତା ବା କାର୍ଯ୍ୟ ବିଷୟରେ ଆମର ସଚେତନ ମନ ଅବହିତ ଥାଏ । ଅର୍ଥାତ୍‌ ଗୋଟିଏ ସ୍ୱିଚ୍‌ ଚିପି ୩୦,୦୦୦ ଫୁଟ୍ ଉପରେ ଉଡ଼ୁଥିବା ଜେଟ୍‌ ପ୍ଲେନ୍‌ରୁ ଯେତେବେଳେ ସୈନିକ ବୋମା ପକାଏ, ସେ ଜାଣେ ଯେ, ସେ ବହୁ ଲୋକଙ୍କୁ ମାରୁଛି । ଅଥଚ ପ୍ରକୃତ ମୃତ୍ୟୁ–ଦୃଶ୍ୟରୁ ଏ ଘଟଣା ସହିତ ଜଡ଼ିତ ହେଉ ନଥିବାରୁ ତା’ ମନରେ ଦୁଃଖ ଆତଙ୍କ ବା ମୃତ୍ୟୁର ବୀଭତ୍ସତା କୌଣସିଟା ଦାଗ ପକାଏ ନାହିଁ-। ପୋକଯୋକ ମାରିଲା ପରି ମଣିଷ ମାରି ସେ ନିଶ୍ଚିନ୍ତରେ ଫେରି ଆସେ । ମନ, ଘଟଣାଠାରୁ ଆବେଗକୁ ବିଚ୍ୟୁତ କରି ଦେଖିପାରେ ବୋଲି ଏଇ ପ୍ରକାର ସଂଘାତକୁ ସହିପାରେ । ପୃଥକୀକରଣ (Isolation)ର ଆଉ ଟିକିଏ ଉପରସ୍ତରର ପ୍ରତିରକ୍ଷା ବ୍ୟବସ୍ଥା ହେଲା ବୌଦ୍ଧିକକରଣ (Intellectualization) ଆମେ ସାଧାରଣତଃ ଦେଖିଥାଉ ଯେ ଯୌନତତ୍ତ୍ୱ ବା ସ୍ତ୍ରୀରୋଗ ପରି କେତେକ ବିଷୟ ଆମେ ନିଃସଙ୍କୋଚରେ ଇଂରାଜୀରେ ବା ସାଧୁଭାଷାରେ ଆଲୋଚନା କରିଥାଉ । ମାତ୍ର ଆମର ନିତିଦିନିଆ ଭାଷାରେ ଏ ସବୁକଥା ଗୁରୁଜନଙ୍କ ସମ୍ମୁଖରେ କହିବାକୁ ସଙ୍କୋଚ ଲାଗେ । କାରଣ ଅଳ୍ପ ବ୍ୟବହୃତ ଭାଷାରେ ଏ କଥାଗୁଡ଼ିକର ସମଗ୍ର ଅର୍ଥ ପ୍ରକାଶ ପାଏନା । ଭାଷା ସାଧାରଣତଃ ଯେକୌଣସି ବିଷୟବସ୍ତୁର ତଥ୍ୟ ସମ୍ବଳିତ ଅର୍ଥ ପ୍ରକାଶ କରେ–ଅନୁଭୂତିମୂଳକ ଅର୍ଥକୁ ଯଥାର୍ଥ ଭାବରେ ପ୍ରକାଶ କରିପାରେ ନାହିଁ । ତେଣୁ ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଯେକୌଣସି ବସ୍ତୁ ବା ଭାବନାକୁ ଆମେ କେବଳ ଭାଷାରେ ପ୍ରକାଶ କରିବାଦ୍ଵାରାହିଁ ତାହାର ଅନୁଭୂତିମୂଳକ ଅର୍ଥ କମିଯାଉଛି ଓ ତଥ୍ୟ ସମ୍ବଳିତ ଅର୍ଥ ବଢ଼ୁଛି । ଏହା ପୃଥକୀକରଣ (Isolation)ର ଏକ ପ୍ରକୃଷ୍ଟ ଉଦାହରଣ ବୋଲି କୁହାଯିବ । ସେହିପରି ଆମେ ଯେତେବେଳେ କୌଣସି କାର୍ଯ୍ୟର ଦାର୍ଶନିକ ବ୍ୟାଖ୍ୟା କରିଥାଉ ସେ କାର୍ଯ୍ୟରେ ଚିନ୍ତାଶୀଳ ଦିଗକୁହିଁ ବିଶେଷ ପରିମାଣରେ ପ୍ରାଧାନ୍ୟ ଦେଉ । ଆବେଗ–ପ୍ରଧାନ ଦିଗକୁ ପ୍ରାୟ ଅସ୍ଵୀକାର କରିବସୁ-। ତେଣୁ ରାଧା–କୃଷ୍ଣ ଉପାଖ୍ୟାନରେ ଦେହାଶ୍ରୟୀ ପ୍ରେମର ବହୁ ବର୍ଣ୍ଣନା ସତ୍ତ୍ଵେ ସବୁ ବ୍ୟାଖ୍ୟାକାର ଚିନ୍ତାର ଚାତୁର୍ଯ୍ୟଦ୍ୱାରା ପ୍ରତ୍ୟେକଟି ଆଖ୍ୟାନର “କାମ ଗନ୍ଧହୀନ” ପ୍ରେମର ଆଲୋଚନା କରିଛନ୍ତି-। ଏହିପରି ଭାବରେ ହିଂସା ବା ବିଦ୍ଵେଷର ଅନୁଭୂତିକୁ ମଣିଷର ସହଜାତ ପ୍ରବୃତ୍ତି ବୋଲି ବର୍ଣ୍ଣନା କରି ବହୁ ପଣ୍ଡିତ ବ୍ୟକ୍ତି ଜାତିଗତ ଶ୍ରେଣୀଗତ ବିଦ୍ଵେଷକୁ ସାମାଜିକ ସ୍ୱୀକୃତି ଦେଇଛନ୍ତି । ଯୁକ୍ତିର କୁହୁକଦ୍ୱାରା ମଣିଷ ଅନେକ ସମୟରେ ନିଜକୁ ଅନୁଭୂତିଶୂନ୍ୟ କରିପାରୁଥିବାରୁ ଏହି ପ୍ରକ୍ରିୟା ବଳରେ ମନର ଭାରସାମ୍ୟ ରକ୍ଷାକରେ । ଫ୍ରଏଡ଼୍ ଯେମିତି ‘ଉଦ୍‌ବେଗ ପ୍ରବଣତାକୁ’ ନିଉରୋଟିକ୍‌ ଚରିତ୍ରର ଏକ ସାଧାରଣ ଲକ୍ଷଣ କହୁଥିଲେ; ଆଧୁନିକ ମନୋବିଶ୍ଳେଷକ ଆବେଗ ଅନୁଭବ କରିବାର ଅକ୍ଷମତାକୁ ସେହିପରି ନିଉରୋଟିକ୍‌ ଚରିତ୍ରର ଆଉ ଏକ ସାଧାରଣ ଲକ୍ଷଣ ବୋଲି କହୁଛନ୍ତି ।

 

ନିରାକରଣ (Undoing)

 

ସାଇକୋଟିକ୍‌ (Psychotic) ଏବଂ ନିଉରୋଟିକ୍‌ (Neurotic) ଏଇ ଦୁଇପ୍ରକାର ମାନସିକ ବ୍ୟାଧିଗ୍ରସ୍ତଙ୍କଠାରେ ଏଇ ପ୍ରକ୍ରିୟାର ବ୍ୟବହାର ଦେଖାଯାଇଥାଏ । ସାଧାରଣତଃ ମଣିଷ ଯେତେବେଳେ ବିଶ୍ୱାସ କରେ ଯେ,–ସେ ଯେଉଁ ଅନ୍ୟାୟ ବା ଅବାଞ୍ଛିତ କାର୍ଯ୍ୟ କରିଛି ଅନ୍ୟଏକ କାର୍ଯ୍ୟକରି ସେ ସେଇ କାର୍ଯ୍ୟକୁ ନିଶ୍ଚିହ୍ନ ଓ ନିଷ୍ଫଳ କରିଦେଇପାରିବ । ସାଧାରଣତଃ ପାପସ୍ଖଳନ ପାଇଁ ତୀର୍ଥସ୍ଥାନ ବା ଦେବସ୍ଥାନରେ ଯେଉଁ ଅବଗାହନ ସ୍ଥାନର ବିଧି ରହିଛି ତା’ ମୂଳରେ ମନର ଏଇ କୁହୁକ ବିଶ୍ୱାସ କାମ କରୁଛି । ଯେ ବୁଡ଼ ପକାଇ ଉଠୁଛି ତା’ ମନରେ ବିଶ୍ୱାସ ହେଉଛି ଯେ ତା’ ଦେହରୁ ଓ ମନରୁ ସମସ୍ତ ପାପ ଧୋଇ ହୋଇ ସେ ପବିତ୍ର ହୋଇଗଲା । ସ୍ନାନ କରିବାଟା ସବୁ ଧର୍ମରେ ପୁନର୍ଜନ୍ମର ପ୍ରତୀକ ହିସାବରେ ନିଆଯାଇଛି । ଯେଉଁ ଲୋକ ବୁଡ଼ ପକାଇଥିଲା ସେ ବୁଡ଼ ପକାଇ ଉଠିଲା ପରେ ନବଜନ୍ମ ପାଇଁ ପୂତପବିତ୍ର ହୋଇ ଆଉ ଜଣେ ନୂଆ ଲୋକ ହୋଇ ସମାଜରେ ପ୍ରବେଶ କଲା । ସେହିପରି ପ୍ରାୟଶ୍ଚିତ୍ତ ବିଧାନକୁ ମଧ୍ୟ ନିରାକରଣ (Undoing)ର ଏକ ଉଦାହରଣ ବୋଲି କୁହାଯିବ । ସେକ୍‌ସପିର ତାଙ୍କ ମ୍ୟାକବେଥ ନାଟକରେ ରାଜାଙ୍କୁ ହତ୍ୟା କରିବା ପରେ ଲେଡ଼ି ମ୍ୟାକବେଥ ନିଦ୍ରାମଗ୍ନ ଅବସ୍ଥାରେ ଉଠି ବାରମ୍ବାର ହାତ ଧୋଉଥିବାର ଏକ ଦୃଶ୍ୟର ଅବତାରଣା କରିଥିବା କଥା ମନେଥିବ । ଲେଡ଼ି ମ୍ୟାକବେଥଙ୍କର ଏଇ ହାତ ଧୋଇବାଟା ନିରାକରଣର ଆଉ ଏକ ପ୍ରକୃଷ୍ଟ ଉଦାହରଣ । ଏହାକୁ ସାଧାରଣ ଅନୁତାପ ବୋଲି ଭାବିବା ଉଚିତ ନୁହେଁ । କାରଣ ଯିଏ ମିଛସାକ୍ଷୀ ଦେଇଛି ବୋଲି ଶିବଙ୍କ ପାଖରେ ଆଠଅଣା ପୂଜା ମନାସିଛି, ସେ ଅନୁତାପ କରୁଛି, ଭାବୁଛି–ପୂଜା ଦେଲେ ମିଛ କହିବାର ପାପ ଚାଲିଯିବ । ସାଧାରଣତଃ ଯେଉଁ ବ୍ୟକ୍ତି ବାଧ୍ୟକ ମାନସିକ ବ୍ୟାଧି (Compulsive neurosis) ପୀଡ଼ିତଥାନ୍ତି ତାଙ୍କର ଅସଂଲଗ୍ନ ବ୍ୟବହାରରେ ଏହି ପ୍ରକ୍ରିୟାର ଦେଖା ମିଳେ ।

 

ସନ୍ଧି (Compromise)

 

ଇଗୋ ଅନେକ ସମୟରେ ଅବଦମିତ ଇଚ୍ଛାକୁ ଆଂଶିକ ଭାବରେ ମନର ସଚେତନ ସ୍ତରରେ ମୁକ୍ତକରି ମନର ଭାରସାମ୍ୟ ରକ୍ଷାକରେ । କାରଣ ନିଷିଦ୍ଧ, ଅବଦମିତ ଇଚ୍ଛାର ସ୍ୱଭାବ ହେଲା ନିଜର ସ୍ୱତଃସ୍ଫୂର୍ତ୍ତ ପ୍ରକାଶ ଖୋଜିବା । ଯେତେଦିନ ସେ ମନର ଅଚେତନ ସ୍ତରରେ ବନ୍ଦୀହୋଇ ରୁହେ, ସେ ସେତେବେଶୀ ଅଧିକତର ଶକ୍ତି ସଂଗ୍ରହ କରି ମନର ରୁଦ୍ଧ ଅର୍ଗଳିରେ ଆଘାତ କରିଚାଲିଥାଏ । ସମ୍ପୂର୍ଣ୍ଣ ଅବରୋଧ ଭାଙ୍ଗିପଡ଼ିବା ଭୟରେ ଏଭଳି କାମନାକୁ ଆଂଶିକ ମୁକ୍ତିଦେଇ ଇଗୋ ନିଜର ପ୍ରତିରକ୍ଷାକୁ ସବଳ କରି ରଖିପାରେ । ଅଥଚ ସୁପର୍ ଇଗୋର ଭ୍ରୂକୁଟି ଭୟରେ ଏହାର ନିରାକରଣ ପ୍ରକାଶ ଘଟିବା ଅସମ୍ଭବ । ତେଣୁ ସାଧାରଣତଃ ଏହାକୁ କୌଣସି ଏକ ଛଦ୍ମବେଶରେ ସଚେତନ ସ୍ତରକୁ ଆସିବାର ଅନୁମତି ଇଗୋ ଦେଇଥାଏ । ଏଇ ପ୍ରକ୍ରିୟା ପୃଥକୀକରଣ (Isolation) ନିରାକରଣ (Undoing), ବୌଦ୍ଧିକକରଣ ଇତ୍ୟାଦିରେ ମିଶି ରହିଥିବାର କଥା ଆମେ ପୂର୍ବରୁ ଆଲୋଚନା କରିଛୁ । ସନ୍ଧି (Compromise)ର ବୈଶିଷ୍ଟ ତେବେ କ’ଣ ? ସନ୍ଧିଦ୍ୱାରା ବ୍ୟକ୍ତି ନିଷିଦ୍ଧ ଇଚ୍ଛାକୁ ଏକସମୟରେ ଅବଦମିତ ଓ ମୁକ୍ତ କରେ । ଅନେକ ଅବିବାହିତା ସ୍ତ୍ରୀଲୋକ କୌଣସି ପୁରୁଷ ଲୋକର ସାହାଯ୍ୟକୁ ସନ୍ଦେହ ଆଖିରେ ଦେଖନ୍ତି ଓ ସେମାନଙ୍କର ମତଲବ ଯେ ଭଲନୁହେଁ ଏକଥା ବାରମ୍ବାର କହନ୍ତି । ଅଥଚ ଟ୍ରେନ୍‌ରେ ଗଲାବେଳେ, ପାଣି ଆଣିଦେବା, କୁଲି ଡାକିଦେବା ଇତ୍ୟାଦିରେ ସାହାଯ୍ୟ ମାଗିବାକୁ ଦ୍ଵିଧା କରନ୍ତି ନାହିଁ । ଟିକେ ତଳେଇ ଦେଖିଲେ ଜଣାଯିବ ଯେ ସମସ୍ତଙ୍କପରି ସେ ଅନ୍ୟ ଲୋକଙ୍କର ମନଯୋଗ ପାଇଲେ ଖୁସି ହୁଅନ୍ତି, ମାତ୍ର ପୁରୁଷ ଲୋକଠାରୁ ଏ ପ୍ରକାର ମନଯୋଗ ପାଇବା ଯେ ଉଚିତ ନୁହେଁ, ସେ କଥା ମଧ୍ୟ ନିଜକୁ ଚେତାଇ ଦିଅନ୍ତି । ଏହି ପ୍ରକାର ଲୋକ ବହୁ ସମୟରେ ଅନ୍ୟ ପୁରୁଷ ସେମାନଙ୍କ ପ୍ରତି ଇଙ୍ଗିତ କରୁଛନ୍ତି ବୋଲି ଅଳ୍ପକରେ ନାଲିଶ୍ କରି ବସନ୍ତି । ଅଥଚ ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ଦେଖାଯାଇଛି ଯେ ପୁରୁଷଟି ନିର୍ଦ୍ଦୋଷ । ଏ କ୍ଷେତ୍ରରେ ଦେଖୁଛେ ଯେ ଏହିପ୍ରକାର ନାଲିଶ୍ କରିବାଦ୍ୱାରା ପୁରୁଷଟି ପ୍ରତି ନିଜର ଯୌନ–କାମନା ପ୍ରକାଶ କରୁଛନ୍ତି ଓ ତାହାକୁ ଅବଦମନ ମଧ୍ୟ କରୁଛନ୍ତି ।

 

ସ୍ଥାନଚ୍ୟୁତି (Displacement)

 

ଏହି ପ୍ରକ୍ରିୟାର ଆଲୋଚନା ସ୍ୱପ୍ନ ବିଶ୍ଳେଷଣ ସହିତ ପୁନରାୟ କରାଯିବ । ସାଧାରଣତଃ, ଯେଉଁ ବ୍ୟକ୍ତିର ଅନ୍ତରରେ ହିଂସା ବା ବିଦ୍ୱେଷ ପୂରିରହିଛି ସାମାଜିକ ବିଧିନିଷେଧ ଯୋଗୁଁ ସେ କେବେହେଁ ସେ ଭାବକୁ ସିଧାସଳଖ ପ୍ରକାଶ କରିପାରେ ନାହିଁ । ତେଣୁ ଯେଉଁ ବସ୍ତୁ ବା ବ୍ୟକ୍ତି ପ୍ରତି ସେହି ଅଚେତନ ବିଦ୍ଵେଷ ପୋଷଣ କରେ, ଜ୍ଞାତସାରରେ ସେମାନଙ୍କ ପ୍ରତି ଏଇ ବିଦ୍ୱେଷ ପ୍ରକାଶ ନକରି ସେ ଅନ୍ୟବ୍ୟକ୍ତି ବା ବସ୍ତୁ ସମ୍ବନ୍ଧରେ ଏଇ ଭାବ ପ୍ରକାଶ କରିଥାଏ । ସାଧାରଣ ଅବସ୍ଥାରେ ଦେଖାଯାଇଛି ଅଫିସ୍‍ରେ ଗାଳିଖାଇ ଆସି କିରାଣିବାବୁ ସ୍ତ୍ରୀକୁ ଗାଳିଦେଲେ-। ସ୍ତ୍ରୀ ପିଲାକୁ ବାଡ଼େଇଲା ଓ ପିଲା ବିରାଡ଼ିଟାକୁ ପାହାରେ ପକାଇଲା । ଅର୍ଥାତ୍ ନିଜର ହିଂସା (aggression) ଉପରସ୍ଥ ବ୍ୟକ୍ତି ପରିପ୍ରକାଶ କରି ନପାରି କୌଣସି ଅଧସ୍ତନ ବ୍ୟକ୍ତି ଉପରେ ସେଇ ରାଗ ଶୁଝେଇ ମନରେ ଶାନ୍ତି ପାଇଲା । ଅଧିକାଂଶ ଆତଙ୍କଗ୍ରସ୍ତ (phobia) ବ୍ୟକ୍ତିଙ୍କ କ୍ଷେତ୍ରରେ ଏଇ ପ୍ରକ୍ରିୟା କାମକରେ । ତେଣୁ ସଂବୃତି ଆତଙ୍କ (Claustra phobia) ଇତ୍ୟାଦିର ବିଶ୍ଳେଷଣ କଲାବେଳେ ଏଇ ପ୍ରକ୍ରିୟାର କାର୍ଯ୍ୟକଳାପ ବିଶେଷ ଭାବରେ ଜଣାଯାଏ ।

 

ଆମ ଧର୍ମରେ ଯେଉଁ ପଶୁବଳିର ରୀତି ରହିଛି ତାହା ଏହି ପ୍ରକ୍ରିୟାର ଏକ ପ୍ରକୃଷ୍ଟ ଉଦାହରଣ । ବଳିର ବ୍ୟାଖା କରିବାକୁ ଯାଇ ଭାଷ୍ୟକାର କହିଛନ୍ତି ଯେ ମାନବ ମନରେ ଥିବା ପାଶବିକ ପ୍ରବୃତ୍ତି ରୂପକ ଏଇ ପଶୁକୁ ଦେବୀ ସମ୍ମୁଖରେ ବଳିଦାନ କରି ମୋ ଅନ୍ତର୍ନିହିତ ପଶୁକୁ ମୁଁ ବଧକଲି । ଫ୍ରଏଡ଼୍ ଏ ପ୍ରକାର ପ୍ରକ୍ରିୟାକୁ ପରଦୋଷ ଦାୟୀ (scape–goating) କହିଛନ୍ତି । ଏଥିରେ ପ୍ରକ୍ଷେପ (Projection) ଏବଂ ସ୍ଥାନଚ୍ୟୁତି (displacement) ଦୁଇଟିଯାକ ପ୍ରକ୍ରିୟା ଏକତ୍ର ହୋଇ କାମ କରନ୍ତି । ନିଜକୁ ପଶୁଭାବକୁ ଅନ୍ୟଠାରେ ଆରୋପ କରିବା ଏବଂ ନିଜକୁ ବଳି ନଦେଇ ଅନ୍ୟକୁ ବଳିଦେବା, ଯଥାକ୍ରମେ ପ୍ରକ୍ଷେପ ଏବଂ ସ୍ଥାନଚ୍ୟୁତିର ଉଦାହରଣ ।

 

ସେହିପରି ଯେଉଁ ବ୍ୟକ୍ତିର ଚରିତ୍ରରେ ‘ଇଡ଼ିପସ୍ ଅଧ୍ୟାୟର ଦ୍ୱନ୍ଦ୍ୱର’ ସମାଧାନ ହୋଇ ନଥାଏ ସେ ନିଜ ପିତା ପ୍ରତି ଅନୁଭବ କରୁଥିବା ବିଦ୍ୱେଷକୁ ପିତୃସ୍ଥାନୀୟ ବ୍ୟକ୍ତି ଅର୍ଥାତ୍ ଶିକ୍ଷକ, ଶାସକ ଇତ୍ୟାଦିଙ୍କ ପ୍ରତି ଅକାରଣରେ ପ୍ରକାଶ କରିଥାଏ । ଏମାନଙ୍କ ସହିତ ତା’ର ସମ୍ପର୍କ ସାଧାରଣତଃ ବିରୋଧ ଓ ବିଦ୍ଵେଷାତ୍ମକ ହୋଇ ଉଠିଥାଏ । ଏହି ଅକାରଣ ବିଦ୍ୱେଷ ମୂଳରେ ଥାଏ ସ୍ଥାନଚ୍ୟୁତି ପ୍ରକ୍ରିୟା ।

 

ପ୍ରକ୍ଷେପ (Projection)

 

ନିଜର ଯୌନ–କାମନା, ହିଂସା ବା ବିଦ୍ୱେଷ ଭାବକୁ ଅନ୍ୟ ବ୍ୟକ୍ତି ବା ବସ୍ତୁ ଉପରେ ଆରୋପ କରିବାକୁ ପ୍ରକ୍ଷେପ କୁହାଯାଏ । ସାଧାରଣତଃ ନିଜର ପ୍ରତିଦ୍ଵନ୍ଦ୍ୱୀ ବିଷୟରେ କହିବାକୁ ଯାଇ ବହୁଲୋକ କହିଥାନ୍ତି ଯେ–“ମୋର ତା’ ପ୍ରତି କୌଣସି ବିଦ୍ୱେଷ ଭାବନାହିଁ, କିନ୍ତୁ ସେ କାହିଁକି ମୋ ସହିତ ସବୁବେଳେ ଶତ୍ରୁତା କରୁଛି ମୁଁ ସେ କଥା ଜାଣିପାରୁ ନାହିଁ ।” ଆମେ ସମସ୍ତେ ଜାଣୁ ଯେ ଶତ୍ରୁତା ବା ବନ୍ଧୁତା କେବଳ ଗୋଟିଏ ଆଡ଼ୁ ହୁଏନା; ଏହା ଉଭୟ ଆଡ଼ୁ ହୋଇଥାଏ । ତଥାପି ଲୋକେ କାହିଁକି ଏପରି କଥା କହନ୍ତି ? କାରଣ ହେଲା ନିଜଠାରେ ବିଦ୍ୱେଷ ଭାବ ଅସ୍ଵୀକାର କରିବାଦ୍ଵାରା ଏହି ଭାବ ଅବଦମିତ ହୋଇ ରହିଲା ଓ ଅନ୍ୟଠାରେ ତାହାକୁ ଆରୋପ କରିବା ଫଳରେ ସେଇ ବ୍ୟକ୍ତିପ୍ରତି ବିଦ୍ୱେଷଭାବ ପୋଷଣ କରିବାଟା ଅସାମାଜିକ ବୋଲି ବିବେଚିତ ହେଲାନାହିଁ । ଏହିପରି ନିମ୍ନଜାତୀୟା ସ୍ତ୍ରୀଲୋକ ବା ଅନ୍ୟଦେଶର ସ୍ତ୍ରୀଲୋକ ଯୌନ ବ୍ୟଭିଚାରରେ ଲିପ୍ତ ହୁଅନ୍ତି ବୋଲି ଲୋକେ ଅତି ସହଜରେ ବିଶ୍ୱାସ କରନ୍ତି । ଅର୍ଥାତ୍ ନିଜ ମନରେ ଅଚେତନ ଅବସ୍ଥାରେ ଥିବା ଯୌନ–ବ୍ୟଭିଚାରର ଇଚ୍ଛା ଅନ୍ୟଠାରେ ଆରୋପ କରି ଏବଂ ତାହାର ନିନ୍ଦା କରି ଆମେ ଯଥେଷ୍ଟ ଆତ୍ମପ୍ରସାଦ ଲାଭକରୁଁ ଓ ଏଇ ଇଚ୍ଛାକୁ ନିଜ ମନରେ ଅବଦମିତ କରୁଁ ।

 

ଅନ୍ତଃକ୍ଷେପ (Introjection)

 

ଅନ୍ତଃକ୍ଷେପ ପ୍ରକ୍ରିୟାରେ ଆମେ ନିଜର ମନୋଭାବ ବା ଭାବନାକୁ ବର୍ହିଜଗତରେ ପ୍ରତିଫଳିତ କରି ମାନସିକ ସଂଘାତର ସମାଧାନ କରୁ । ସେହିପରି ଅନ୍ତଃକ୍ଷେପ ପ୍ରକ୍ରିୟାଦ୍ଵାରା ପିତାମାତା ଏବଂ ସମାଜର ବିଧିନିଷେଧକୁ ନିଜ ମନର ଅନ୍ତର୍ବର୍ତ୍ତୀ କରି ତାହାକୁ ନିଜର ବିଧି ନିଷେଧ ହିସାବରେ ଦେଖିବାକୁ ଶିଖୁଁ । ଏହି ପ୍ରକ୍ରିୟା ଫଳରେ ମଧ୍ୟ ମାନବିକ ପରମ୍ପରା ଓ ଐତିହ୍ୟକୁ ଚରିତ୍ରର ଏକ ଅନ୍ତରଙ୍ଗ ଅଂଶକରି ଆମେ ସଂସ୍କୃତିବାନ ହୋଇଉଠୁ । ମାନବର ବିବେକ ଓ ସାମାଜିକ ଚରିତ୍ର ଗଠନପାଇଁ ଏହା ଏକ ବିଶିଷ୍ଟ ପ୍ରକ୍ରିୟା । କାହିଁକି ଏହିପରି ଏକ ପ୍ରକ୍ରିୟାକୁ ପ୍ରତିରକ୍ଷା ବ୍ୟବସ୍ଥା ବୋଲି କୁହାଯିବ ? ଏହାର ଉତ୍ତର ହେଲା ଏଇ ପ୍ରକ୍ରିୟା ସାହାଯ୍ୟରେ ଇଗୋ ବା ବ୍ୟକ୍ତିମାନସ ବର୍ହିଜଗତର ଅନୁଶାସନକୁ ନିଜ ଅନୁଶାସନ କରିପାରିଥିବା ହେତୁ ଏହାଦ୍ଵାରା ସେ ନିଷିଦ୍ଧ କାମନାକୁ ମନର ଅବଚେତନ ସ୍ତରରେ ଅବରୁଦ୍ଧ କରି ରଖିପାରେ । ତେଣୁ ଧରାପଡ଼ିବାର ଭୟ ନଥିଲେ ମଧ୍ୟ ସେ ହିଂସା କାର୍ଯ୍ୟରେ ଲିପ୍ତ ହୁଏନାହିଁ । କେହି ଜାଣିବେ ନାହିଁ–ଏ କଥା ଜାଣିମଧ୍ୟ ସେ ପରଦାର ସହିତ ସମ୍ପର୍କ ରଖେନାହିଁ, ବରଂ ଏପରି ପ୍ରବୃତ୍ତିକୁ ଅବଦମନ କରି ନିଜର ବଶୀଭୂତ କରି ରଖିଥାଏ । ତେଣୁ ଏହା ବ୍ୟକ୍ତିମାନସର ଏକ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ବୋଲି ବିବେଚିତ ହୁଏ ।

☆☆☆

 

Unknown

ତୃତୀୟ ପରିଚ୍ଛେଦ

ମାନବର ଇତିହାସ ଓ ଯୌନବିକାଶ

(Psychosexual Development)

 

ଫ୍ରଏଡ଼୍‍ଙ୍କ ମତରେ ମାନବର ମାନସିକ ବିକାଶ ଓ ଚରିତ୍ର ଗଠନ ବିଷୟରେ ଜାଣିବାକୁ ହେଲେ, ଜନ୍ମର ଆରମ୍ଭରୁ ଯୌବନ କାଳ ପର୍ଯ୍ୟନ୍ତ ସେ ଯେପରି ଭାବରେ ବଢ଼ିଥାଏ ସେ ବିଷୟରେ ଅବହିତ ହେବାକୁ ପଡ଼ିବ । ସେ ନିଜେ ଶରୀର–ବିଜ୍ଞାନୀ ହୋଇଥିବାରୁ ତାଙ୍କର ବହୁ ମତାମତ ଉପରେ ଜୀବ ବିଦ୍ୟାର ଗଭୀର ପ୍ରଭାବ ପଡ଼ିଥିଲା । ସେ ଭାବୁଥିଲେ ଶାରୀରିକ ବିକାଶ କ୍ଷେତ୍ରରେ ଶିଶୁ ଯେପରି ବସିବା, ଠିଆହେବା, ଚାଲିବା, କଥା କହିବା ଇତ୍ୟାଦି ଶାରୀରିକ କ୍ରମବର୍ଦ୍ଧନର ବିଭିନ୍ନ ପର୍ଯ୍ୟାୟ ମଧ୍ୟ ଦେଇ ଗତିକରି ଶେଷରେ ଯୌବନ କାଳରେ ଶାରୀରିକ ବର୍ଦ୍ଧିଷ୍ଣୁତାର ଶେଷସୀମା ସ୍ପର୍ଶକରେ, ସେହିପରି ସେ ଆଶୈଶବ ଯୌବନକାଳ ପର୍ଯ୍ୟନ୍ତ ମାନସିକ କ୍ରମ–ବର୍ଦ୍ଧନର ବିଭିନ୍ନ ପର୍ଯ୍ୟାୟ ମଧ୍ୟ ଦେଇ ବଢ଼ି ଶେଷରେ ମାନସିକ ପରିପକ୍ୱତା ଲାଭକରି ସ୍ଵାଭାବିକ, ସ୍ଵତଃସ୍ଫୂର୍ତ୍ତ ଏବଂ ସୃଜନଶୀଳ ବ୍ୟକ୍ତି ହୋଇଉଠେ ।

 

ଏହି ମାନସିକ ବିକାଶ ଦୈହିକ ବିକାଶର ଏକ ସମାନ୍ତରାଳ ପର୍ଯ୍ୟାୟ । ବର୍ହିଜଗତର ସଂସ୍ପର୍ଶରେ ଆସି ମାନବ–ଶିଶୁ ଯେଉଁ ବିଶେଷ ଅଭିଜ୍ଞତା ଲାଭକରେ, ସେହି ଅନୁସାରେ ତା’ର ମାନସିକ ବିକାଶ ଘଟିଥାଏ । ଦୈହିକ ବିକାଶ ଯେପରି ଜନ୍ମପରେ ସମୟର ଏକ ବିଶେଷ କ୍ରମ–ଅନୁସାରେ ଘଟେ, ମାନସିକ ବିକାଶ ସେହିପରି ପର୍ଯ୍ୟାୟକ୍ରମେ ଘଟିଥାଏ । ବର୍ହିଜଗତର ପରିବେଷ୍ଟନୀ ଓ ନିଜର ଶାରୀରିକ ଓ ତତ୍‌ସଂଶ୍ଳିଷ୍ଟ ମାନସିକ ଗଠନ ଏଇ ଦୁଇଟିଯାକ ଶକ୍ତି ମାନସିକ ବିକାଶକୁ ନିୟନ୍ତ୍ରଣ କରିଥାନ୍ତି; ଯଥା ନିଜର କ୍ଷୁଧା ତୃଷ୍ଣାର ନିବୃତ୍ତିଲାଗି ମାନବ–ଶିଶୁକୁ ବହୁଦିନ ପର୍ଯ୍ୟନ୍ତ ପରମୁଖାପେକ୍ଷୀ ହୋଇ ରହିବାକୁ ପଡ଼େ । ତେଣୁ ନିଷ୍କ୍ରିୟତା, ଅସହାୟବୋଧ ଓ ନିର୍ଭରଶୀଳତା ପ୍ରାୟ ପ୍ରତି ମାନବ ଶିଶୁର ଆଦି ମାନସିକ ଅଭିଜ୍ଞତା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ସେ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀପରି ଅତିଶୀଘ୍ର ନିଜେ ନିଜର ଖାଦ୍ୟର ସଂସ୍ଥାନ କରିପାରୁଥାନ୍ତା, ତେବେ ତା’ର ଅନ୍ୟ ପ୍ରକାର ମାନସିକ ଅଭିଜ୍ଞତା ଘଟୁଥାନ୍ତା । ନିଜର ସୀମିତ ଶାରୀରିକ ବିକାଶଯୋଗୁଁ ମାନବ ଶିଶୁକୁ ବର୍ହିଜଗତ ଉପରେ ନିର୍ଭରଶୀଳ ହୋଇ ରହିବାକୁ ପଡ଼େ ଓ ପରିଣାମରେ ଏହି ବିଶେଷ ମାନସିକ ଅନୁଭୂତି ତା’ର କାର୍ଯ୍ୟକଳାପ, ଚିନ୍ତା, ଭାବନା ଓ ବିଶ୍ଵାସକୁ ପ୍ରଭାବିତ କରେ । ପରିଣତ ବୟସର କାର୍ଯ୍ୟକଳାପର ଅର୍ଥ ଯଥାକ୍ରମରେ ଜାଣିବା ପ୍ରଯୋଜନ (୧) ଶୈଶବକାଳୀନ ବିକାଶର ବିଭିନ୍ନ ପର୍ଯ୍ୟାୟ । ଦ୍ଵିତୀୟରେ ଦୁଇଟି ମାନସିକ ପ୍ରକ୍ରିୟା ଯାହାକୁ ଫ୍ରଏଡ଼୍ (୨) ସମ୍ବନ୍ଧନ (Fixation) ଓ (୩) ପ୍ରତ୍ୟାବୃତ୍ତି (Regression) ବୋଲି କହିଛନ୍ତି । ନିଜର ଶାରୀରିକ ଗଠନର ବୈଶିଷ୍ଟ୍ୟ ହେତୁ ଶିଶୁ କ୍ରମାନ୍ୱୟରେ ମାନସିକ ବିକାଶର ବିଭିନ୍ନ ସ୍ତରଦେଇ ଗତିକରେ । ଉକ୍ତ ବିଶେଷ ପର୍ଯ୍ୟାୟଗୁଡ଼ିକ ଅନୁସାରେ ମୁଖ, ମଳଦ୍ୱାର, ଲିଙ୍ଗ ଇତ୍ୟାଦି ଅଙ୍ଗପ୍ରତ୍ୟଙ୍ଗ, କ୍ରମାନ୍ୱୟରେ ତାହାର ଯୌନ ସମ୍ବେଦନାର କେନ୍ଦ୍ରସ୍ଥଳ ହୋଇଥା’ନ୍ତି । ଏ ଅଙ୍ଗତ୍ରୟ ମଧ୍ୟରୁ ପ୍ରତ୍ୟେକଟିକୁ କେନ୍ଦ୍ରକରି ଶିଶୁ ଯେଉଁ ମାନସିକ ତୃପ୍ତି ଓ ଅତୃପ୍ତିର ଅଭିଜ୍ଞତା ଲାଭ କରିଥାଏ, ତାହାହିଁ ହେଲା ଏଇ ବିଭିନ୍ନ ଅଧ୍ୟାୟର ଆଲୋଚ୍ୟ ବିଷୟବସ୍ତୁ ।

 

ବିଭିନ୍ନ ପର୍ଯ୍ୟାୟ ମଧ୍ୟଦେଇ ବଢ଼ୁଥିବାବେଳେ କୌଣସି ଏକ ବିଶେଷ ପର୍ଯ୍ୟାୟରେ ଯଦି ସେ (୧) ଗଭୀର ସୁଖ ଅନୁଭବ କରିଥାଏ କିମ୍ଵା (୨) ମାନସିକ ଅତୃପ୍ତି ହେତୁ ନିରାଶ ହୋଇଥାଏ–ତେବେ ସେ ସହଜରେ ଏଇ ଅବସ୍ଥାଟିକୁ ଭୁଲି ପାରେନାହିଁ । ତା’ର ସମଗ୍ର ବ୍ୟକ୍ତିତ୍ଵ ଏଇ ବିଶେଷ ଅବସ୍ଥା ସହିତ ଜଡ଼ିତ ହୋଇ ରହିଯାଏ । ସେ ଅତ୍ୟନ୍ତ ଅନିଚ୍ଛୁକ ଭାବରେ ବାଧ୍ୟହୋଇ ଏ ପର୍ଯ୍ୟାୟକୁ ଅତିକ୍ରମ କରି ବିକାଶର ପରବର୍ତ୍ତୀ ପର୍ଯ୍ୟାୟକୁ ଗତିକରେ । କିନ୍ତୁ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ସେ ସବୁବେଳେ ପୂର୍ବବର୍ତ୍ତୀ ପର୍ଯ୍ୟାୟକୁ ଫେରିଆସେ ।

 

ବିକାଶ ପର୍ଯ୍ୟାୟର ଏକ ବିଶେଷ ଅବସ୍ଥା ସହିତ ସଂଲଗ୍ନ ହୋଇ ରହିବାର ଆପ୍ରାଣ ଚେଷ୍ଟାକୁ ଫ୍ରଏଡ଼୍‍ ସମ୍ବନ୍ଧନ (fixation) ବୋଲି କହିଛନ୍ତି ଓ ପ୍ରତିକୂଳ ଅବସ୍ଥାରେ ପଶ୍ଚାତ୍‌ମୁଖୀ ହୋଇ ସେହି ଅବସ୍ଥାକୁ ଫେରି ଆସିବାର ପ୍ରକ୍ରିୟାକୁ ପ୍ରତ୍ୟାବୃତ୍ତି (regression) ବୋଲି କହିଛନ୍ତି ।

 

ଏହିଠାରେ ପୁନରାୟ ମନେରଖିବା ଉଚିତ ଯେ ଯୌନ–କାମନା ବା ‘ଲିବିଡ଼ୋ’ (Libido) ଅତ୍ୟନ୍ତ ବ୍ୟାପକ ଅର୍ଥରେ ଫ୍ରଏଡ଼୍ ବ୍ୟବହାର କରିଛନ୍ତି । ନୀତିବାଦୀଙ୍କୁ ସୁଖୀ କରିବାପାଇଁ ସେ ଅକ୍ଳେଶରେ ଏହାକୁ ଜୀବନ–କାମନା ବୋଲି କହି ପାରିଥାଆନ୍ତେ । ଅଥଚ ଜୀବନ କାମନା କହିଲେ ଆମେ ସହଜରେ ଯୌନ କାମନା ଯେ ଏହାର ମୂଳଭିତ୍ତି ସେ କଥା ପାଶୋରିଯିବୁ । ମୈଥୁନ କ୍ରିୟାର ପରିଣାମରେ ଜୀବର ଜନ୍ମ, ତେଣୁ ମୈଥୁନ କାମନା ଯେ ସମଗ୍ର ସୃଜନ କାମନା ତଥା ଜୀବନ କାମନାର ମୂଳକଥା ଏ ବିଷୟ ବିସ୍ମୃତ ହେବା ଠିକ୍ ନୁହେଁ । ଆମେ ଯେତେବେଳେ ପାର୍ବତୀ ପରମେଶ୍ୱରଙ୍କୁ ପୂଜାକରୁ ତାଙ୍କୁ ସେତେବେଳେ ଶକ୍ତି ସ୍ଥିତ ଲିଙ୍ଗରୂପରେହିଁ ଧ୍ୟାନ କରୁ । ଏଇ ବିଶ୍ୱାତ୍ମକ ଯୌନ–କାମନା (Cosmic Sexuality) କଥା ଫ୍ରଏଡ଼୍‍ ବାରମ୍ବାର ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି । ଏଥିଯୋଗୁଁ ଏହି ପୁସ୍ତକରେ ‘ଲିବିଡ଼ୋକୁ’ ଆମେ ଯୌନ–କାମନା ବୋଲି ଅନୁବାଦ କରିଛୁଁ ।

 

ଶୈଶବକାଳୀନ ବିକାଶ ବିଷୟରେ ଆଲୋଚନା କରିବାକୁ ଯାଇ ଫ୍ରଏଡ଼୍ ଦୁଇଟି ମୁଖ୍ୟ ଅନୁଭୂତି କଥା କହିଛନ୍ତି । ପ୍ରଥମ ଅନୁଭୂତି ହେଲା–ଜନ୍ମ ସମୟର ଅସହନୀୟ କ୍ଳେଶ ଯାହା ପରବର୍ତ୍ତୀ ଜୀବନର ସମସ୍ତ ଉଦ୍‌ବେଗ ଅନୁଭୂତିର ଉତ୍ସହୋଇ ରହେ । ଜନ୍ମର ମୁହୂର୍ତ୍ତକ ପରେ ଶିଶୁର ଅପରିଣତ ସ୍ନାୟୁମଣ୍ଡଳୀ ହଠାତ୍ ବହୁ ପ୍ରକାର ଉତ୍ତେଜନା ଅନୁଭବ କରେ ଓ ସଙ୍ଗେ ସଙ୍ଗେ ଶ୍ୱାସପ୍ରଶ୍ୱାସ କ୍ରିୟା ଓ ଦ୍ରୁତ ହୃତ୍‌ଯନ୍ତ୍ର ଚାଳନା ଆରମ୍ଭ ହୁଏ । ଏହି ଉତ୍ତେଜନାକୁ ନିୟନ୍ତ୍ରଣ କରିବା ତା’ର କ୍ଷମତାର ବାହାରେ । ପରବର୍ତ୍ତୀ ଜୀବନରେ ଯେତେବେଳେ ସେ ଏକ ସମୟରେ ଏଇ ପ୍ରକାର ବହୁ ଅନୁଭୂତିର ପ୍ଳାବନରେ ମଜ୍ଜମାନ ବୋଧକରି ଉଦ୍‌ବିଗ୍ନ ହୋଇଉଠେ ସେ ସେତେବେଳେ ଦ୍ରୁତ ହୃତ୍‍ପିଣ୍ଡ ସଞ୍ଚାଳନ, ଶ୍ୱାସକ୍ରିୟାରେ କଷ୍ଟ ସଂଜ୍ଞାହୀନ ହେଲାପରି ଅନୁଭୂତିମାନ ଅନୁଭବ କରିଥାଏ । ଏହି ଉଦ୍‌ବେଗ ମୃତ୍ୟୁ ଭୟ ନୁହେଁ । କାରଣ ମୃତ୍ୟୁ କ’ଣ ସେ କଥା ବୁଝିବା ତା’ର ଜ୍ଞାନର ବାହାରେ । ଏହି ଉଦ୍‌ବେଗ ଗଭୀର ଦୁଃଖାନୁଭୂତିଦ୍ଵାରା ଉଦ୍ରେକ ହୋଇଥିବାରୁ, ପରବର୍ତ୍ତୀ ଜୀବନରେ ସେ ଦୁଃଖ ଅନୁଭବ କରେ କିମ୍ବା କେବଳ ଦୁଃଖ ଓ ବିପଦର ଆଶଙ୍କା ଦେଖାଦେଲେ ସେ ଏଇପ୍ରକାର ଘୋର ଉଦ୍‌ବେଗ ଅନୁଭବ କରିଥାଏ ।

 

ଦ୍ଵିତୀୟ ଅନୁଭୂତି ହେଲା ଯୌନାବେଗ । ଏହି ଯୌନାବେଗର କ୍ରମ ବିବର୍ତ୍ତନ ବିଶଦ ଭାବରେ ବର୍ତ୍ତମାନ ଆଲୋଚନା କରାଯିବ ।

 

ଯୌନବିକାଶର ମାନସିକ ଦିଗ

 

ବିଭିନ୍ନ ବୟସରେ ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଯୌନାନୁଭୂତି ଅନୁଭୂତ ହୁଏ । ଶରୀର ବୃଦ୍ଧି ଅନୁସାରେ ଶିଶୁ ଏକ ବିଶେଷ ସମୟରେ, ଏକ ବିଶେଷ କେନ୍ଦ୍ରରୁ ସୁଖ ଅନୁଭବ କରିଥାଏ । ଶିଶୁର ଏହି ଯୌନ ଅନୁଭୂତି ବୟସ୍କ ବ୍ୟକ୍ତିର ଯୌନ ଅନୁଭୂତିଠାରୁ ସମ୍ପୂର୍ଣ୍ଣ ଅଲଗା । କାରଣ ଶିଶୁର ଅଙ୍ଗପ୍ରତ୍ୟଙ୍ଗ ପରିପୁଷ୍ଟ ହୋଇ ନଥିବାରୁ ସେ ବୟସ୍କ ବ୍ୟକ୍ତି ପରି ଯୌନ କ୍ରିୟାର ଇଚ୍ଛା ଅନୁଭବ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ । ଦ୍ଵିତୀୟରେ ଶିଶୁ ପ୍ରଥମାବସ୍ଥାରେ କେବଳ ଏକ ନାମହୀନ ସାଧାରଣ ଆବେଗହିଁ ଅନୁଭବ କରିଥାଏ । ବୟୋବୃଦ୍ଧି ସହିତ ସେ ବିଭିନ୍ନ ଆବେଗ ଓ ଅନୁଭୂତିର ପାର୍ଥକ୍ୟ ଜାଣିପାରେ ଏବଂ ଭାଷାଜ୍ଞାନ ଜନ୍ମିଲାପରେ ଏହିସବୁ ଅନୁଭୂତିର ନାମକରଣ କରି ସେଗୁଡ଼ିକର ସ୍ୱାତନ୍ତ୍ର୍ୟ ବିଷୟରେ ସଚେତନ ହୋଇ ଉଠେ । ତେଣୁ ଶିଶୁର ଯୌନାନୁଭୂତି ହେଲା ସୁଖର ଆଦି ଅନୁଭୂତି । ଜନ୍ମପରେ ସୁଖ ମାଧ୍ୟମରେ କ୍ଷୁଧା ତୃଷ୍ଣାର ପରିତୃପ୍ତି ହେଉଥିବାରୁ ସେହି ସମୟରେ ପାଟି, ଓଠ ଓ ତା’ର ଆଖପାଖ ସ୍ଥାନ ଏହି ତୃପ୍ତି ସୁଖ ଅନୁଭବ କରିଥାଏ । ବୁଝିବାକୁ ହେଲେ ପ୍ରଥମ ବୟସରେ ଗଢ଼ି ଉଠିଥିବା ଅଭ୍ୟାସ ଓ ଅଭିଜ୍ଞତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବା ଉଚିତ ।

 

ଫ୍ରଏଡ଼୍‍ଙ୍କ ତଥ୍ୟ ଅନୁସାରେ ଜନ୍ମପରଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଯେ ଅବସ୍ଥା ରହିଥାଏ, ସେ ଅବସ୍ଥାର ଗୁରୁତ୍ଵ ସର୍ବାଧିକ । କାରଣ ଏହି ବୟସରେହିଁ ପିତାମାତା ବା ଅନ୍ୟ ବୟସ୍କ ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସି ସେ ନିଜର କ୍ଷୁଧା ତୃଷ୍ଣାର ନିବୃତ୍ତି କରି ଶିଖେ । ନିଜକୁ ଏକ ସ୍ଵତନ୍ତ୍ର ବ୍ୟକ୍ତି ବୋଲି ଜାଣି ଶିଖେ । ନିଜର କାର୍ଯ୍ୟଦ୍ଵାରା ପିତାମାତାଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିପାରେ । ଅପର ବ୍ୟକ୍ତି ସହିତ ସ୍ନେହ ବା ଶାସନ ମାଧ୍ୟମରେ ଏକ ବିଶେଷ ସମ୍ପର୍କ ସ୍ଥାପନା କରି ଶିଖେ । ଯେଉଁ ଉପାୟରେ ସେ ଏହିସବୁ କାର୍ଯ୍ୟକରେ ସେହି ଉପାୟ ପରବର୍ତ୍ତୀ ଜୀବନରେ ଅଭ୍ୟାସରେ ପରିଣତ ହୁଏ । ସେ ପିତାମାତାଙ୍କ ସହିତ ଯେଉଁ ସମ୍ପର୍କ ଗଢ଼ିତୋଳେ ପରବର୍ତ୍ତୀ ଜୀବନରେ ଅପରବ୍ୟକ୍ତି ସହିତ ତା’ର ସାମାଜିକ ଓ ମାନସିକ ସମ୍ବନ୍ଧ ସେହି ଅନୁସାରେ ରୂପରେଖନିଏ । ପିତାମାତାଙ୍କର ଦୃଷ୍ଟିଭଙ୍ଗୀ, ମୂଲ୍ୟବୋଧ, ଆଦର୍ଶ ଏବଂ ନୀତି ନିୟମକୁ ଆତ୍ମଗତ କରି ସେ ଏହାକୁ ନିଜସ୍ଵ ବୋଲି ଭାବି ଶିଖେ । ପିତାମାତାଙ୍କ ସହିତ ସ୍ନେହର ସମ୍ବନ୍ଧ ଥିଲେ ସେ ସହଜରେ ସେମାନଙ୍କ ସହିତ ଏକମନ ଏକ ପ୍ରାଣ ହୋଇ ସେମାନଙ୍କର ଆଚରିତ କାର୍ଯ୍ୟକୁ ନିଜସ୍ଵ କରିଦେଖେ । ଯଦି ପିତାଙ୍କ ସହିତ ସମ୍ପର୍କ ବିରାଗମୂଳକ ହୁଏ ତେବେ ସେ କ୍ଷେତ୍ରରେ ଶିଶୁର ବିବେକର ଯଥାର୍ଥ ବିକାଶ ବାଧାପ୍ରାପ୍ତ ହୁଏ । ସେହିପରି ଯଦି ବହୁଦିନ ଅତି ଗେହ୍ଲା ହୋଇ ବଢ଼େ, ତେବେ ତା’ର ସ୍ଵାଭାବିକ ବୃଦ୍ଧି ବ୍ୟାହତ ହେବ ଓ ସେ ଶିଶୁପରି ନିର୍ଭରଶୀଳ, ବିବେଚନାହୀନ, ଅସହିଷ୍ଣୁ ଓ ନିଷ୍କ୍ରିୟ ହୋଇ ବଢ଼ି ଉଠିବ । ଯଦି ଶୈଶବରେ ଶିଶୁ ମାତୃସ୍ନେହରୁ ବଞ୍ଚିତ ହୁଏ, ତେବେ ସେହି ଶିଶୁ ସ୍ନେହହୀନ, ରୁକ୍ଷ, ଅଯଥା ବିଷାଦଗ୍ରସ୍ତ ଓ ଅନେକ ସମୟରେ ଅବିବେକୀ ହୋଇ ବଢ଼ି ଉଠିଥାଏ । ଏହିପରି ଶିଶୁଙ୍କ ମଧ୍ୟରେ ଅପରାଧୀ ଓ ମାନସିକ ବ୍ୟାଧିଗ୍ରସ୍ତ ଶିଶୁଙ୍କ ସଂଖ୍ୟା ବେଶୀ(୧)-

 

୧. ପ୍ରଥମ ପାଞ୍ଚବର୍ଷ ମଧ୍ୟରେ ବ୍ୟକ୍ତିତ୍ଵର ମୂଳପତ୍ତନ ହୋଇ ତାହାର ସ୍ଥାୟୀ ରୂପରେଖ ଗଢ଼ିଉଠେ ବୋଲି କହୁଥିବାରୁ ବହୁ ଦାର୍ଶନିକ ଫ୍ରାଏଡ଼୍‍ଙ୍କୁ ପ୍ରଚ୍ଛନ୍ନ ଭାଗ୍ୟବାଦୀ ଓ ସେ ମାନବର ସ୍ଵାଧୀନ ବିକାଶରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି । ଏ ବିଷୟ ନେଇ ଅନ୍ୟାନ୍ୟ ସମସାମୟିକ ମନୋବିଜ୍ଞାନୀମାନଙ୍କର ମତ ସହିତ ଫ୍ରାଏଡ଼୍‍ଙ୍କର ମତର ତୁଳନା କରି ପାଠକର ଦେଖିବା ଉଚିତ ।

 

ମାନବର ଏହି ଜନ୍ମ–ଇତିହାସର ପ୍ରଥମ ପର୍ଯ୍ୟାୟ ସହିତ ପରବର୍ତ୍ତୀ ଜୀବନକାଳର କାର୍ଯ୍ୟକଳାପର ସମ୍ପର୍କ ବୁଝିବାକୁ ହେଲେ ତିନୋଟି ମୂଳକଥା ଆଲୋଚନା କରିବାକୁ ହେବ ।

 

ଶୈଶବର ପ୍ରଥମ ପର୍ଯ୍ୟାୟ (oral stage)

 

ଯେକୌଣସି ବ୍ୟକ୍ତି ନବଜାତ ଶିଶୁକୁ ପର୍ଯ୍ୟବେକ୍ଷଣ କଲେ ସହଜରେ ଜାଣିପାରିବ ଯେ ସେହି ସମୟରେ ସୁଖ ସହିଜ ଜଡ଼ିତ ସବୁ ପ୍ରକାର କାର୍ଯ୍ୟ–କଳାପରୁ ଶିଶୁ ଅପାର ଆନନ୍ଦ ଅନୁଭବ କରେ । ସ୍ତନ୍ୟପାନ କରି ତା’ର କ୍ଷୁଧା ନିବୃତ୍ତ ହେଲେ ମଧ୍ୟ ସେ ମୁହଁରେ ଆଙ୍ଗୁଠି ପୂରାଇ ଚୁଚୁମିବାକୁ ଭଲପାଏ । ଅନେକ ସମୟରେ ପାଟିରେ ଆଙ୍ଗୁଠି ପୂରାଇ ଚୁଚୁମି ଚୁଚୁମି ଶୋଇପଡ଼େ-। ଦାନ୍ତ ଉଠିବାର ଅଳ୍ପ ସମୟ ପୂର୍ବରୁ ବିଭିନ୍ନ ଜିନିଷ ଚୋବାଇବାକୁ ଭଲପାଏ । ଦାନ୍ତ ଉଠିଲା ପରେ କମୁଡ଼ିବାକୁ ଭଲପାଏ, ପାଟିରୁ ଦୁଧ କୁଳୁକୁଞ୍ଚା କରି ଫୋପାଡ଼ି ହସେ । ଅନେକ ସମୟରେ ରବର ତିଆରି ଚୁଚୁମା ପାଟିରେ ଦେଲେ କାନ୍ଦ ବନ୍ଦକରି ଶାନ୍ତହୁଏ । ଅନେକ ସମୟରେ ଜେଜେମା ବା ଆଈ ପିଲାଙ୍କୁ ଜଗିରହିଲାବେଳେ ପିଲା ବହୁତ କାନ୍ଦିଲେ ତା’ ମୁହଁରେ ଶୁଖିଲା ସ୍ତନ ଦେଲେ ସେ ତାକୁ ପାଟିରେ ପୂରାଇ ଶାନ୍ତହୁଏ । ଏଥିରୁ ଦେଖାଯାଉଛି ଯେ କେବଳ କ୍ଷୁଧା ନିବୃତ୍ତି ଲାଗି ଶିଶୁ ଚୁଚୁମିବାକୁ ଚାହେଁ ନାହିଁ । ଅନେକ ସମୟରେ ଆନନ୍ଦ ପାଇବାପାଇଁ ସେ ଚୁଚୁମିବାକୁ ଭଲପାଏ । ପରବର୍ତ୍ତୀ ଜୀବନରେ ଦେଖାଯାଇଛି ଯେ, ସିଗାରେଟ ଖାଇ, ପାନ ଚୋବାଇ କିମ୍ବା ଲଜେନ୍‌ସ, ଚୁଇଙ୍ଗ୍ ଗମ୍ ଇତ୍ୟାଦି ମିଠେଇ ପାଟିରେ ପକାଇ ସଦାସର୍ବଦା ମୁଖ ଚାଳନା କରି ବହୁ ବ୍ୟକ୍ତି ଆନନ୍ଦ ଅନୁଭବ କରନ୍ତି । ବିଶେଷକରି ଯଦି କୌଣସି କାରଣ ଲାଗି ସେମାନେ ଚିନ୍ତିତ ବା ଉଦ୍‌ବିଗ୍ନ ଥାନ୍ତି, ତେବେ ଗୋଟାକ ପରେ ଗୋଟାଏ ସିଗାରେଟ ଖାଇ, ପାନ ଚୋବାଇ ବା ବହୁଥର ଚା’ ପିଇ ସେମାନେ ସ୍ଵସ୍ତିଲାଭ କରିଥାନ୍ତି ।

 

ବହୁବର୍ଷ ପୂର୍ବେ ଲେଖା ହୋଇଥିବା ‘କାମସୂତ୍ର’ ଗ୍ରନ୍ଥରେ ପ୍ରଚଳିତ ଯୌନାଭ୍ୟାସ ସମ୍ବନ୍ଧରେ ଲେଖିବାକୁଯାଇ ଋଷି ବାତ୍ସାୟନ ‘ଔପରିଷ୍ଠକ’ ଓ ‘ମୁଖଲେହନ’ ନାମକ ସୁଖ ସହିତ ସଂଶ୍ଳିଷ୍ଟ ଦୁଇପ୍ରକାର ଯୌନ କ୍ରିୟାର ଆଲୋଚନା କରିଛନ୍ତି । ଯୌନ କ୍ରିୟା ସହିତ ଚୁମ୍ବନ ଇତ୍ୟାଦି ଶୃଙ୍ଗାର କ୍ରୀଡ଼ାର ଗଭୀର ସମ୍ପର୍କ କଥା ମଧ୍ୟ ସମସ୍ତେ ଜାଣିଛନ୍ତି । ତେଣୁ ମୁଖ ପ୍ରଦେଶରେ ଯେ ଯୌନ ସମ୍ବେଦନା ଅନୁଭୂତି ହୁଏ ଏ କଥା ସୁପରିଜ୍ଞାତ । ଫ୍ରଏଡ଼୍‍ଙ୍କର ବୈଶିଷ୍ଟ୍ୟ ହେଲା ଏହି ବୟସ୍କ ଅନୁଭୂତିର ଉତ୍ସ ସେ ଶୈଶବର ଆଦି ଅନୁଭୂତିରେ ଖୋଜି ବାହାର କରିଛନ୍ତି ।୧

 

୧. ପାଶ୍ଚାତ୍ୟ ସମାଜରେ ସେ ସମୟରେ ଇହୁଦୀ–ଖ୍ରୀଷ୍ଟିଆନ ସଂସ୍କୃତିର ପ୍ରଭାବ ଯୋଗୁଁ ଯୌନାନୁଭୂତି ଏକ ଗ୍ଳାନିମୟ ଅନୀତି ବୋଲି ବିବେଚିତ ହେଉଥିଲା । ତେଣୁ ନିଷ୍ପାପ ଶିଶୁଠାରେ ଏହି ପ୍ରକାର ଅନୁଭୂତି ଯେ, ସମ୍ଭବ ଏକଥା କେହି ସ୍ଵୀକାର କରିବାକୁ ରାଜି ହେଲେନାହିଁ-। ଅନ୍ୟ ସମାଜରେ ଯେଉଁଠି ଯୌନ–ସମ୍ବେଦନା କ୍ଷୁଧା ତୃଷ୍ଣା ପରି ଶରୀରର ଅନ୍ୟ ଏକ ସୁସ୍ଥ ସ୍ଵାଭାବିକ ସମ୍ବେଦନା (sensation) ରୂପେ ପରିଗଣିତ ହୁଏ ସେଠାର ଲୋକେ ଫ୍ରଏଡ଼୍‍ଙ୍କର ଏହି ପର୍ଯ୍ୟବେକ୍ଷଣଦ୍ଵାରା ଆଶ୍ଚର୍ଯ୍ୟ ବୋଧ କରନ୍ତି ନାହିଁ ।

 

ଫ୍ରଏଡ଼୍‍ ପ୍ରଥମେ ମୁଖ ପ୍ରଦେଶରେ ଏଇ ଦ୍ଵୈତ ପ୍ରକ୍ରିୟା (ଅର୍ଥାତ୍ ଏକ ଦିଗରେ କ୍ଷୁଧାର ପରିତୃପ୍ତି ଓ ଅନ୍ୟ ଦିଗରେ ଯୌନ ସମ୍ବେଦନାର କେନ୍ଦ୍ରସ୍ଥଳ ରୂପରେ ସୁଖାନୁଭୂତିର ଆଧାର) କେଉଁ ଉପାୟରେ ଶିଶୁର କାର୍ଯ୍ୟକଳାପକୁ ପ୍ରଭାବିତ କରେ ତାହାର ବିଶ୍ଳେଷଣ କରିଛନ୍ତି । ପୁନରାୟ ଏହି ପ୍ରକ୍ରିୟା ସହିତ ବ୍ୟକ୍ତିତ୍ୱର ବିକାଶ କିପରି ଭାବରେ ଜଡ଼ିତ ହୋଇ ରହିଛି ତାହା ମଧ୍ୟ ଆଲୋଚନା କରି ଦେଖାଉଛନ୍ତି ।

 

ଏହି ବୟସରେ ଶିଶୁ ପ୍ରଥମେ ନିଜ ସହିତ ବର୍ହିଜଗତର ପାର୍ଥକ୍ୟ ବୁଝିପାରେ ନାହିଁ । ନିଜକୁ ମାତାର ଏକ ଅଂଶ ବୋଲି ଭାବିଥାଏ । ନିଜକୁ ଅନ୍ୟ ବ୍ୟକ୍ତି ବା ପଦାର୍ଥଠାରୁ ସ୍ୱତନ୍ତ୍ର ଧାରଣା କରିପାରେ ନାହିଁ । ତାହାର ଅହଂବୋଧ ନଥାଏ । ସେ କାର୍ଯ୍ୟ–କାରଣ ସମ୍ପର୍କ ଜାଣିପାରେ ନାହିଁ । ଯଥା ସେ କାନ୍ଦିଲେ ଖାଇବାକୁ ମିଳୁଛି–ଏଇ ଭଳିଆ ଗୋଟାଏ ଅସ୍ପଷ୍ଟ ଭ୍ରମାତ୍ମକ କାର୍ଯ୍ୟ–କାରଣ ଧାରଣା ତା’ ମନରେ ଜନ୍ମେ । କାରଣ କାନ୍ଦିବା ଓ ଖାଇବାକୁ ପାଇବା ମଧ୍ୟରେ ଯେଉଁ ମଧ୍ୟବର୍ତ୍ତୀ ଘଟଣାଗୁଡ଼ିକ ଘଟେ ସେ ବିଷୟ ତା’ର ଧାରଣାର ବାହାରେ । ଏହିପ୍ରକାର ଯାଦୁକରୀ ଭାବନା (Magical thinking) ସାଧାରଣତଃ ଶିଶୁଠାରେ ବା ଆଦିମ ମାନବର ଚିନ୍ତାଧାରାରେ ସହଜରେ ଦେଖିବାକୁ ମିଳେ । ସେମାନେ ଅଧିକାଂଶ ଘଟଣା, କେବଳ କହିଦେଲେ ବା ଇଚ୍ଛାକଲେ ହୋଇଯାଇପାରିବ ବୋଲି ବିଶ୍ୱାସ କରନ୍ତି । ତେଣୁ ଅଭିଶାପ ଦେଲେ କିମ୍ବା ଆଶୀର୍ବାଦ କଲେ ସେହି ଅନୁସାରେ ଘଟଣା ଘଟିବ ସେ କଥା ବହୁତ ଲୋକ ବଡ଼ ହେଲା ପର୍ଯ୍ୟନ୍ତ ମଧ୍ୟ ବିଶ୍ୱାସ କରିଥାଆନ୍ତି ।

 

ଶିଶୁ ଆଉ ଟିକିଏ ବଡ଼ ହେଲେ ନିଜର ଓ ଅନ୍ୟ ବ୍ୟକ୍ତି ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ସଚେତ ହୁଏ । ସାଧାରଣତଃ ଦୁଇମାସ ହେଲାବେଳକୁ ସେ ମା’କୁ ଚିହ୍ନି ଶିଖେ । ମା’ ତା’ର କ୍ଷୁଧା ତୃଷ୍ଣାର ଉପଶମ କରୁଥିବାରୁ ମା’କୁ ସେ ପାଳୟିତ୍ରୀ ରୂପରେ ଚିହ୍ନେ ଓ କ୍ରମଶଃ ମା’ ତା’ ଆଖିରେ ସର୍ବସୁଖର ଆଧାର ହୋଇ ଦେଖାଦିଅନ୍ତି । ଏହି ଅବସ୍ଥା ପୂର୍ବରୁ ତା’ର ଆନନ୍ଦ କାମନା ଲକ୍ଷ୍ୟହୀନ ଥିଲା । ସେ କେବଳ କ୍ଷୁଧା ଲାଘବଦ୍ଵାରା ଦୈହିକ ତାଡ଼ନାର ଉପଶମ ଅନୁଭବ କରିଥିଲା । ବର୍ତ୍ତମାନ ମାତା ତା’ପାଇଁ ଅଶେଷ ତୃପ୍ତି, ଶାନ୍ତି, ଓ ନିର୍ଭରତାର ଆଧାର ହୋଇଥିବାରୁ ମାତାର ଉପସ୍ଥିତି, ମୁଖ, ହସ ବା ଦେହର ସୁଗନ୍ଧ ଯେକୌଣସି ଜିନିଷ ଶିଶୁ ମନରେ ଆନନ୍ଦ ସଞ୍ଚାର କରେ । ଏହି ଉପାୟରେ ନିଜ ଶରୀରର ବାହାରେ ଯେ ଆନନ୍ଦର ଉତ୍ସ ଅଛି ତାହା ଶିଶୁ ହୃଦୟଙ୍ଗମ କରେ । ଦୈହିକ ତାଡ଼ନାର ଉପଶମ ଘଟିଲେ ସେ ତୃପ୍ତି ଲାଭକରେ କିମ୍ବା ତୃପ୍ତିଦାୟକ ବସ୍ତୁର ସଂସ୍ପର୍ଶରେ ଆସି ଆନନ୍ଦ ଅନୁଭବ କରେ ।

 

ଏହି ଅବସ୍ଥାରେ ଆମେ ପୁଣି ଦେଖିବାକୁ ପାଉ ମାତାର ସ୍ନେହ ଅତି ଆକାଂକ୍ଷିତ ବସ୍ତୁ ହୋଇ ଉଠିବାରୁ ମାତୃ ସ୍ନେହରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଲେ ଶିଶୁ ମନରେ ଆତଙ୍କର ସଞ୍ଚାର ହୁଏ । ସେ ସମ୍ପୂର୍ଣ୍ଣଭାବରେ ମାତୃ ନିର୍ଭରଶୀଳ ହୋଇଥିବାରୁ ମାତାର ବିରାଗ ବା ଅନୁପସ୍ଥିତିରେ ଅତ୍ୟନ୍ତ ଉଦ୍‌ବିଗ୍ନ ହୋଇପଡ଼େ । ତେଣୁ ସେ ନିଜର କାମନାକୁ ଦମନ କରି ଓ ମାତା ଯେଉଁ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥାନ୍ତି ସେହି କାର୍ଯ୍ୟ କରେ ଏବଂ ନିଷିଦ୍ଧ କାର୍ଯ୍ୟରୁ ବିରତ ହୁଏ । ସେଥିଲାଗି ଜନ୍ମର ପାଞ୍ଚବର୍ଷ ମଧ୍ୟରେ ଯେଉଁ ଶିଶୁ ମାତୃ ସ୍ନେହରୁ ବଞ୍ଚିତ ହୋଇଥାଏ, ସେହିପ୍ରକାର ଶିଶୁମାନଙ୍କଠାରେ ଅପରାଧ ପ୍ରବଣତା, ମାନସିକ ବ୍ୟାଧି, ଅକାରଣ ବିଷଣ୍ଣତା ଇତ୍ୟାଦି ବହୁପ୍ରକାର ଚରିତ୍ରଗତ ତ୍ରୁଟି ଦେଖାଯାଇଥାଏ ।

 

ଏହି ବୟସରେ ‘ଇଗୋ’ ବା ବ୍ୟକ୍ତି ମାନସର ଆବିର୍ଭାବ ଘଟେ । ‘ଇଡ଼୍‍’ର ଯେଉଁ ଅଂଶଟି ବର୍ହିଜଗତର ସଂସ୍ପର୍ଶରେ ଆସେ ସେହି ଅଂଶଟି ବ୍ୟକ୍ତିମାନସ ରୂପରେ ବର୍ଦ୍ଧିତ ହୁଏ । ଅନ୍ୟପାର୍ଶ୍ୱଟି ଅନ୍ତଃସଳିଲା ହୋଇ ନିଜର ମୌଳିକ ଅବସ୍ଥାରେହିଁ ରହିଯାଏ । ଏହି ସମୟରେ ଇଗୋର ମୂଳ ପ୍ରତିରକ୍ଷା ବ୍ୟବସ୍ଥାହେଲା ଆତ୍ମଗତ–କରଣ (introjection) ଉଦାହରଣସ୍ୱରୂପ, ଶିଶୁ ମାତୃ–ସ୍ତନ–ରୂପୀ ବର୍ହିଜଗତକୁ ସୁଖ ମାଧ୍ୟମରେ ଆତ୍ମଗତ କରେ । ଏହି ବୟସରେ ସବୁ ଶିଶୁ ଯାହା ନିଜ ହାତ ପାଖରେ ପାଆନ୍ତି ସେ ସବୁ ଜିନିଷକୁ ନିଜ ପାଟିରେ ପୂରାଇବାକୁ ଭଲପାଆନ୍ତି ।

 

ଯେତେବେଳେ ଶିଶୁର ଦାନ୍ତ ଉଠେ (ସାଧାରଣତଃ ଆଠରୁ ବାରମାସ ମଧ୍ୟରେ) ସେ ସବୁ ଜିନିଷ କାମୁଡ଼ିବାକୁ ଚାହେଁ । ଏପର୍ଯ୍ୟନ୍ତ ସେ ନିଷ୍କ୍ରିୟ ହୋଇ ମାତୃ–ସ୍ତନ–ପାନର ସୁଖ ଅନୁଭବ କରୁଥିଲା । ବର୍ତ୍ତମାନ ସେ ନିଜର ଦାନ୍ତଦ୍ଵାରା ନିଜର ଭୋଜନକ୍ରିୟାକୁ କେତେକ ଅଂଶରେ ନିୟନ୍ତ୍ରଣ କରିପାରୁଥିବାରୁ ଏହି ନବ ଲବ୍‌ଧ କ୍ଷମତା ବିଷୟରେ କ୍ରମଶଃ ସଚେତନ ହୋଇଉଠେ । ସେ ନିଜେ ଇଚ୍ଛାକଲେ ତା’ର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିପାରୁଛି ଏବଂ ତା’ର ପାରିପାର୍ଶ୍ଵିକ ଘଟଣାକୁ ପ୍ରଭାବିତ କରିପାରୁଛି । ନିଜ ବଳରେ ବଳୀ ହେବାର ଯେଉଁ ଆନନ୍ଦ (ଯାହାକୁ ଫ୍ରଏଡ଼୍ ଅଗ୍ରଧର୍ଷଣ ‘aggression’ ବୋଲି ବ୍ୟାପକ ଅର୍ଥରେ କହିଛନ୍ତି) ସେହି ଆନନ୍ଦରେ ମତ୍ତହୋଇ ବିଭିନ୍ନ ବସ୍ତୁ ବା ବ୍ୟକ୍ତିକୁ ଦଂଶନ କରି ସୁଖଲାଭ କରିଥାଏ । ପୁନଶ୍ଚ ଶିଶୁ ବାଧାପ୍ରାପ୍ତ ହେଲେ ଦଂଶନ କରି ବାଧା ଦୂର କରିବାକୁ ଚେଷ୍ଟାକରେ । କେହି ଆକ୍ରମଣ କରୁଛି ବୋଲି ଭାବିଲେ ଦଂଶନ କରି ନିଜକୁ ଏହି ଆକ୍ରମଣରୁ ରକ୍ଷା କରିବାକୁ ସଚେଷ୍ଟ ହୁଏ । ତା’ ପକ୍ଷରେ ଦଂଶନ କ୍ଷମତା ହେଲା ବର୍ହିଜଗତକୁ ଆକ୍ରମଣ କରିବାର ଏକ ଅସ୍ତ୍ର । ଏଥିରୁ ଦେଖାଯାଉଛି ଯେ ଶିଶୁ ଦଂଶନରୁ ଆନନ୍ଦ ପାଏ । ଦଂଶନ ମାଧ୍ୟମରେ ନିଜର ଆକ୍ରମଣାତ୍ମକ ଆବେଗକୁ ମଧ୍ୟ ପ୍ରକାଶ କରିଥାଏ । ଆନନ୍ଦ ଓ କ୍ରୂର–ଆକ୍ରୋଶ ଏହି ଦୁଇଟି ସ୍ଵତନ୍ତ୍ର ଅନୁଭୂତି ଶିଶୁ ମନରେ ମିଶିକରି ରହିଥିବାରୁ ପରବର୍ତ୍ତୀ ଜୀବନରେ ସେ ଅତି ପ୍ରିୟବସ୍ତୁ ବା ବ୍ୟକ୍ତି ପ୍ରତି ଅନେକ ସମୟରେ ଗଭୀର ବିଦ୍ୱେଷଭାବ ପୋଷଣ କରିଥାଏ । ଧର୍ଷଣ–କାମୀ ଯୌନ ଅପରାଧୀଙ୍କ ମନୋଭାବରେ ଏହିପ୍ରକାର ପ୍ରୀତି ଓ ଦ୍ଵେଷପୂର୍ଣ୍ଣ ଅନୁଭୂତିର ଏକ ଯଥାର୍ଥ ଉଦାହରଣ ଦେଖାଯିବ ।

 

ଶିଶୁ ଅନ୍ୟ–ପ୍ରତି ଆକ୍ରୋଶ ଅନୁଭବ କରିବାରୁ ଭାବେ ଯେ ଅନ୍ୟମାନେ ମଧ୍ୟ ତା’ ପ୍ରତି ଏହି ମନୋଭାବ ପୋଷଣ କରୁଛନ୍ତି । ସେ ଯେଉଁ ପରିମାଣରେ ଅପର ବ୍ୟକ୍ତିଠାରେ ଏହି ଆକ୍ରୋଶମୂଳକ ଇଚ୍ଛାକୁ ଆରୋପ କରେ ସେହି ଅନୁସାରେ ଅନ୍ୟଠାରୁ ଆକ୍ରୋଶମୂଳକ ଆଶଙ୍କା କରି ଭୟଭୀତ ହୋଇଉଠେ । ତେଣୁ ଶିଶୁ କାହାଣୀରେ ଅସୁର ଡାହାଣୀ ବା ଭୂତ ଗିଳି ପକାଇବାର ଯେଉଁ ଗଳ୍ପ ରହିଛି ତାହା ପ୍ରକୃତରେ ଶୈଶବର ଆତଙ୍କ ଅନୁଭୂତିରୁହିଁ ଜାତ ହୋଇଛି । ସେହିପରି ପୁରାତନ ଲୋକଗାଥା ବା ମାନସିକ ବ୍ୟାଧିଗ୍ରସ୍ତ ଲୋକର ସ୍ୱପ୍ନ ବା ଚିନ୍ତା ବିଶ୍ଳେଷଣ କଲେ ବାରମ୍ବାର ଏହି ପ୍ରକାର ଭାବନାର ଦେଖା ମିଳିଥାଏ ।

 

ଶିଶୁର ଦାନ୍ତଉଠିଲା ପରେ ସାଧାରଣତଃ କଠିନ ଖାଦ୍ୟ ତାକୁ ଦିଆଯାଏ ଓ ଏହି ସମୟରେ ତାକୁ ସ୍ତନ୍ୟପାନର ଅଭ୍ୟାସ ଛାଡ଼ିବାକୁ ପଡ଼େ । ଏହି ଅବସ୍ଥାରେ ନିଜର ପରିଚିତ ଆନନ୍ଦକୁ ତ୍ୟାଗ କରିବାକୁ ବାଧ୍ୟ ହେବାରୁ ଶିଶୁ ମାନସିକ ବିଷଣ୍ଣତା ଓ ନୈରାଶ୍ୟ ଅନୁଭବ କରେ । ଯଦି ସେ ଏହି ଅବସ୍ଥାରେ ପ୍ରଚୁର ଆନନ୍ଦ ଅନୁଭବ କରିଥାଏ ତେବେ ତା’ ପକ୍ଷରେ ଏହି ଅଭ୍ୟାସ ପରିତ୍ୟାଗ କରିବା ଅତ୍ୟନ୍ତ କଷ୍ଟକର ଓ ସଂଘାତ ପୂର୍ଣ୍ଣ ହୋଇଥାଏ । ଅନ୍ୟ ପକ୍ଷରେ ଅଧିକାଂଶ ଶିଶୁ ସାମୟିକ ନୈରାଶ୍ୟ ପରେ ଆଉ ଏକ ନୂତନ ବସ୍ତୁରୁ ସୁଖର ସନ୍ଧାନ ପାଇ ଏହାକୁ କାଳକ୍ରମରେ ଭୁଲି ଯାଆନ୍ତି । ଯେ ଭୁଲିପାରେ ନାହିଁ ସେ ପରବର୍ତ୍ତୀ ଜୀବନରେ ପ୍ରତିକୂଳ ଅଭିଜ୍ଞତାର ସମ୍ମୁଖୀନ ହେଲେ ପୁନରାୟ ଏହି ଅବସ୍ଥାକୁ ଫେରିଆସେ ଓ ଏହି ପୁରାତନ ଅଭ୍ୟାସ ଅନୁସାରେ କାର୍ଯ୍ୟ କରେ ।

 

ଆଙ୍ଗୁଠି ଚୁଚୁମିବା, ନଖ କାମୁଡ଼ିବା, ବୟସ୍କ ଜୀବନରେ ଅତ୍ୟଧିକ ଧୂମ୍ରପାନ କରିବା ମୁଖ ଆଚରଣର ଲକ୍ଷଣ । ଅତ୍ୟଧିକ ମୌଖିକ ପରିତୃପ୍ତି, ବା ଅତିକମ୍ ମୌଖିକ ପରିତୃପ୍ତି’ର ପରିଣାମରେ ଏହିପ୍ରକାର ଚାରିତ୍ରିକ ତ୍ରୁଟି ପରିଲକ୍ଷିତ ହୁଏ । ଯେଉଁ ଶିଶୁ ସହଜରେ ଏହି ସଂଘାତର ସମାଧାନ କରିଥାଏ ସେ ମୌଖିକ–ନିଷ୍କ୍ରିୟ (oral–passive) ହୋଇଥିଲେ ତା’ଠାରେ ଭୋଜନ ପ୍ରିୟତା, ଏବଂ ମୌଖିକ–ଅଗ୍ରଧର୍ଷୀ (oral–aggressive) ହୋଇଥିଲେ ତର୍କପ୍ରିୟତା, ଶ୍ଳେଷପୂର୍ଣ୍ଣ କଥୋପକଥନ ଇତ୍ୟାଦି ଚାରିତ୍ରିକ ବୈଶିଷ୍ଟ୍ୟ ତା’ଠାରେ ଦେଖାଯାଇଥାଏ-

 

ଶୈଶବର ଦ୍ଵିତୀୟ ପର୍ଯ୍ୟାୟ (Anal Stage)

 

ଶିଶୁ ଯେତେବେଳେ ସ୍ତନ୍ୟପାନର ଅଭ୍ୟାସ ପରିତ୍ୟାଗ କରିବାପାଇଁ ବାଧ୍ୟହୁଏ, ସେ ସେତେବେଳେ ଏହି କାମନାକୁ ଅବଦମନ କରି ନିୟନ୍ତ୍ରଣ କରିବାକୁ ଚେଷ୍ଟାକରେ । ସାଧାରଣତଃ ଏହି ଅବସ୍ଥାରେ ଶାରୀରିକ ବୁଦ୍ଧି ହେତୁ ସେ ଶରୀରର ଅପର ଏକ ସ୍ଥାନ ମୁଖ୍ୟତଃ ପାୟୁ ଦେଶରେ (ମଳଦ୍ୱାର ଓ ତତ୍‍ସଂଲଗ୍ନ ସ୍ଥାନ) ଯୌନ ସମ୍ବେଦନା ଅନୁଭବ କରିଥାଏ । ଜନ୍ମର ଅବ୍ୟବହିତ ପରଠାରୁ ପ୍ରାୟ ଛଅମାସ ପର୍ଯ୍ୟନ୍ତ ସେ ନିଷ୍କ୍ରିୟ ଭାବରେ ମଳମୂତ୍ର ତ୍ୟାଗ କରେ ଓ ମାଆ ତାକୁ ପରିଷ୍କାର କରି ଓଦାହୋଇ ପଡ଼ିରହିଥିବାର ଅସ୍ଵସ୍ତିରୁ ରକ୍ଷା କରନ୍ତି । ବୟସ ବୃଦ୍ଧି ସହିତ ସ୍ନାୟୁମଣ୍ଡଳୀର ବୃଦ୍ଧି ହେଉଥିବାରୁ ସେ କ୍ରମଶଃ ମଳମୂତ୍ର ତ୍ୟାଗକରି ଶାରୀରିକ ଉତ୍ତେଜନାର ପ୍ରଶମନ ହେତୁ ସୁଖବୋଧ କରିଥାଏ । ଏହାଛଡ଼ା ଶରୀରର ଏହି ଅଙ୍ଗର ବୈଶିଷ୍ଟ୍ୟ ହେଲା ଯେ କେବଳ ଉତ୍ତେଜନାର ସଞ୍ଚାର ହେଲେ ମଧ୍ୟ ଏହି ଅଂଶରେ ସୁଖବୋଧ ହୋଇଥାଏ । ଜନନେନ୍ଦ୍ରିୟ ଏହି ଅଞ୍ଚଳର ଅତ୍ୟନ୍ତ ନିକଟରେ ରହିଥିବାରୁ ଏହି ଅଞ୍ଚଳ ଉପସ୍ଥ ଅଞ୍ଚଳ ପରି (ଜନନେନ୍ଦ୍ରିୟ ଓ ତତ୍ ପାର୍ଶ୍ଵବର୍ତ୍ତୀ ସ୍ଥାନ) ଉତ୍ତେଜନା ବୋଧକରି ଆନନ୍ଦଲାଭ କରିଥାଏ । ତେଣୁ ମଳମୂତ୍ର ବେଗ ଧାରଣ କରି ଓ ମଳମୂତ୍ରର ନିଷ୍କାସନ କରି ଶିଶୁ ସୁଖ ବୋଧ କରିଥାଏ । ମୁଖ–କୈନ୍ଦ୍ରିକ ଆନନ୍ଦର ଅବଦମନ ପରେ ଶିଶୁ ପାୟୁ ଦେଶସ୍ଥ ସମ୍ବେଦନା ବିଷୟରେ ଅଧିକତର ସଚେତନ ହୋଇ ଉଠେ । ନିଜର ମଳ ଯେ ନିଜ ଶରୀରଠାରୁ ସ୍ଵତନ୍ତ୍ର ଏକ ପଦାର୍ଥ ଏ କଥା ବୁଝିପାରୁ ନଥିବାରୁ ସେ ଅନେକ ସମୟରେ ମଳ ନିଷ୍କାସନ ନ କରି ନିଶ୍ଚିନ୍ତ ବୋଧକରେ । ଏହାଛଡ଼ା ମଳକୁ କେନ୍ଦ୍ରକରି ପାୟୁର ଉତ୍ତେଜନା ବୋଧ ଜାଗ୍ରତ ହେଉଥିବାରୁ ଏହା ଏକ ଆନନ୍ଦଦାୟକ ପଦାର୍ଥ ବୋଲି ଶିଶୁଦ୍ଵାରା ବିବେଚିତ ହୁଏ । ଅନେକ ସମୟରେ ସେ ନିଜ ମଳକୁ ଘାଣ୍ଟି, ଦେହରେ ବୋଳି ଖୁସିହୁଏ । ନିଜର ଦେହ ମାଧ୍ୟମରେ ବର୍ହିଜଗତକୁ ଜାଣୁଥିବାରୁ ନିଜର ଦେହଜ ମଳ ପ୍ରତି ଶିଶୁର ଏହି ଆକର୍ଷଣ ସ୍ଵାଭାବିକ ଓ ଏହି ବ୍ୟବହାର ସବୁଦେଶର ଶିଶୁଙ୍କଠାରେ ଦେଖାଯାଏ । ସାଧାରଣତଃ ଏହି ଅବସ୍ଥାରେ ସେ ଯେତେବେଳେ ମଳମୂତ୍ର ତ୍ୟାଗର ସାମାଜିକ ଅଭ୍ୟାସରେ ଅଭ୍ୟସ୍ତ ହୁଏ (toilet training) ସେତେବେଳେ ଏକ ଜଟିଳ ସଂଘାତ ପୂର୍ଣ୍ଣ ଅବସ୍ଥାର ସମ୍ମୁଖୀନ ହୁଏ । ଏକ ଦିଗରେ ଦୁଇ–ବିରୋଧୀ ପ୍ରବୃତ୍ତି ଅର୍ଥାତ୍ ମଳମୂତ୍ରରେ ବେଗ ଧାରଣ ସହିତ ମଳମୂତ୍ର ନିଷ୍କାସନ କରିବାର ଇଚ୍ଛା ମଧ୍ୟରେ ସଂଘାତ; ଅନ୍ୟ ଦିଗରେ ବାଧାହୀନ ଭାବରେ ମଳମୂତ୍ର ତ୍ୟାଗ କରିବା କିମ୍ବା ନିଜର ମଳକୁ ଘାଣ୍ଟିବା, ବୋଳିବା ଇତ୍ୟାଦି କାର୍ଯ୍ୟକଳାପ ସହିତ ଇଗୋର ଇଚ୍ଛା ଅନୁସାରେ ଏସବୁ ପରିତ୍ୟାଗ କରିବାକୁ ବାଧ୍ୟହେବା–ଏହିଭଳି ବହୁ ଜଟିଳ ସଂଘାତର ମଧ୍ୟଦେଇ ତାକୁ ଗତି କରିବାକୁ ପଡ଼େ । ଯେଉଁ ଉପାୟରେ ଇଗୋ ଏହି ଘାତ ପ୍ରତିଘାତରୁ ନିଜକୁ ରକ୍ଷାକରି ସୁଖ ବୋଧ ଓ ସାମାଜିକ ଦାବି ମଧ୍ୟରେ ସମନ୍ୱୟ ଘଟାଇଥାଏ, ସେହିଧାରା ଅନୁସାରେ ତା’ର ପରବର୍ତ୍ତୀ ଜୀବନର କାର୍ଯ୍ୟାବଳୀ ନିୟନ୍ତ୍ରିତ ହୋଇଥାଏ ।

 

(ଏଠାରେ କହିବା ବାହୁଲ୍ୟ ଯେ ଏହି ଦୁଇଟିଯାକ ପର୍ଯ୍ୟାୟର ଘଟଣା ଅନେକ ସମୟରେ କ୍ରମାନ୍ୱୟରେ ଘଟି ନଥାଏ । ମା’ଠାରୁ କ୍ଷୀର ଛାଡ଼ିବା ଓ ଗୋଟିଏ ବିଶେଷ ସ୍ଥାନରେ ଯାଇ ମଳମୂତ୍ର ତ୍ୟାଗକରି ଶିଖିବା ଏହି ଦୁଇଟିଯାକ ଘଟଣା ଏକ ସମୟରେ ଘଟିଥାଏ । ବହୁ ମନୋବିଜ୍ଞାନୀଙ୍କ ମତରେ ସାଧାରଣତଃ ଛଅରୁ ନଅମାସ ଭିତରେ ପିଲାର କ୍ଷୀର ଛାଡ଼ିବା ଅଭ୍ୟାସ କଲେ ଭଲ ଓ ପିଲାକୁ ଯେତେବେଳେ ଦେଢ଼ବର୍ଷ ସେତେବେଳେ ପ୍ରସାଧନ ତାଲିମ (toilet training) ଆରମ୍ଭ କଲେ ଭଲ । ଖୁବ୍ ଶୀଘ୍ର ଏହି ଅଭ୍ୟାସ ଅନୁସାରେ ଛୁଆକୁ ଚଳିବାକୁ ବାଧ୍ୟ କରିବାଟା ଠିକ୍ ନୁହେଁ । ଯଦି ୩ ବର୍ଷ ପରେ ମଧ୍ୟ ପିଲାଠାରେ ରାତିରେ ବିଛଣାରେ ପରିସ୍ରା କରିବା ଅଭ୍ୟାସ ରହିଥାଏ ତେବେ ଯାଇ ଚିକିତ୍ସକ ବା ମନୋବୈଜ୍ଞାନିକଙ୍କ ପରାମର୍ଶ ଲୋଡ଼ିବା ଉଚିତ । ସାଧାରଣତଃ ତିନିବର୍ଷ ବୟସ ପର୍ଯ୍ୟନ୍ତ ବିଛଣାରେ ପରିସ୍ରା କରିଦେବା ବା ଲୁଗାପଟାରେ ଝାଡ଼ାଫେରିବା ସ୍ଵାଭାବିକ ବୋଲି କୁହାଯିବ । ଯେଉଁ ପିତାମାତା ଏସବୁ ତାଲିମ (training) ବିଷୟରେ ଖୁବ୍ କଡ଼ା ହୁଅନ୍ତି ଓ ଅଳ୍ପ ସମୟ ମଧ୍ୟରେ ପୁରୁଣା ଅଭ୍ୟାସ ଛାଡ଼ି ନୂଆ ଅଭ୍ୟାସ ଶିଖିବାକୁ ବାଧ୍ୟ କରନ୍ତି ସେମାନଙ୍କ ପିଲାମାନଙ୍କଠାରେ ବହୁ ପ୍ରକାର ଆବେଗଜନିତ ତ୍ରୁଟି ଦେଖାଯାଏ ଓ ଆଙ୍ଗୁଠି ଚୁଚୁମିବା, ନଖ କାମୁଡ଼ିବା, ବିଛଣାରେ ପରିସ୍ରା କରିବା ଓ ସାମାନ୍ୟ ଉଦ୍‌ବେଗ ବୋଧକଲେ ବାରମ୍ବାର ଝାଡ଼ାଯିବା ଇତ୍ୟାଦି ବ୍ୟବହାରଗତ ତ୍ରୁଟି ମଧ୍ୟ ଦେଖାଯାଏ । କାହିଁକି ଏପରି ହୁଏ ସେ କଥା ପରବର୍ତ୍ତୀ ଆଲୋଚନାରୁ ଜଣାଯିବ ।)

 

ପ୍ରଥମ ପର୍ଯ୍ୟାୟରେ ମାତୃସ୍ତନ ବା ଖାଦ୍ୟ ପଦାର୍ଥ ଯେପରି ସୁଖର ଉଦ୍ରେକ କରୁଥିଲା ଦ୍ଵିତୀୟ ପର୍ଯ୍ୟାୟରେ ବାୟୁ ସ୍ଥଳରେ ଅନୁଭୂତ ଯୌନ ଉତ୍ତେଜନାବୋଧ ସହିତ ଦେହ ନିଃସୃତ ମଳ ସଂଶ୍ଳିଷ୍ଟ ହୋଇଥିବାରୁ ଏହା ଶିଶୁପାଇଁ ଆନନ୍ଦଦାୟକ ବସ୍ତୁ ବୋଲି ବିବେଚିତ ହୁଏ । ସେହି ବୟସରେ ପରିଷ୍କାର ଓ ଅପରିଷ୍କାର ବୋଧ ନଥିବାରୁ ଏଥିପ୍ରତି ଶିଶୁର ବୟସୋଚିତ ବିରାଗ ଜନ୍ମି ନଥାଏ । ଫ୍ରଏଡ଼୍‍ଙ୍କ ମତରେ ଏହି ଅବସ୍ଥାରେ ମଳ ହେଲା ଆଧାନ ବସ୍ତୁ (catheeted object) ଅର୍ଥାତ୍ ସୁଖ–ସନ୍ଧାନୀ ଯୌନ କାମନାର ଲକ୍ଷ୍ୟ ବସ୍ତୁ । ଦେହ ମଧ୍ୟସ୍ଥ ଉତ୍ତେଜନା ଯେପରି ଆନନ୍ଦ ସଞ୍ଚାର କରେ ସେହିପରି ବାହାର ଜଗତରେ ଥିବା ଏହି ଆନନ୍ଦଦାୟକ ବସ୍ତୁର ସ୍ପର୍ଶ ଶିଶୁ ମନରେ ଯୌନସମ୍ବେଦନା ପରି ଆନନ୍ଦ ଜାଗ୍ରତ କରେ ।

 

ଯେତେବେଳେ ଶିଶୁକୁ ମଳମୂତ୍ର ଘାଣ୍ଟିବାକୁ ନିବୃତ୍ତ କରାଯାଏ, ସେ ସାଧାରଣତଃ ନିରାଶ ହୁଏ । ପରେ ଯେତେବେଳେ ଏହି ପ୍ରକାର ‘ଅପରିଷ୍କାର’ କାର୍ଯ୍ୟ କଲେ ମା’ଠାରୁ ଶାସ୍ତି ପାଏ, ସେ ଭୟରେ ଏହି କାର୍ଯ୍ୟରୁ ବିରତ ହୁଏ । ସାଧାରଣତଃ ଏହି ବୟସବେଳକୁ ତା’ର ନିଜତ୍ୱବୋଧ ଆସିଥିବାରୁ ନିଜର ଇଚ୍ଛା–ଅନିଚ୍ଛା ବିଷୟରେ ସଚେତନ ହୋଇ ଉଠେ । ନିଜକୁ ମାଆର ଏକ ଅଂଶ ବିଶେଷ ବୋଲି ନ ଭାବି, ମାଆଠାରୁ ନିଜକୁ ଏକ ସ୍ଵତନ୍ତ୍ର ବ୍ୟକ୍ତି ହିସାବରେ ଦେଖେ । ସେ ସହଜରେ ନିଜର ଆନନ୍ଦଦାୟକ ଅଭ୍ୟାସ ଛାଡ଼ିବାକୁ ରାଜି ହୁଏ ନାହିଁ । ତେଣୁ ଏହି ସମୟର ମାନସିକ ସଂଘାତର ମୂଳରେ ଏକ ଦିଗରେ ନିଜର ପ୍ରବୃତ୍ତି ସହିତ ସାମାଜିକ ନିୟମର ସଂଘାତ ଏବଂ ପୁନଶ୍ଚ ନିଜର ଇଚ୍ଛାସହିତ ଅପରର ଇଚ୍ଛାର ସଂଘାତ ଏହି ଦୁଇପ୍ରକାର ସଂଘାତ ରହିଥାଏ ।

 

ଅନେକ ସମୟରେ ଶିଶୁ ମାତାର ଇଚ୍ଛା ଅନୁସାରେ ମଳମୂତ୍ର ଘାଣ୍ଟିବାକୁ ବିରତ ହୋଇ ସାଧାରଣ ଭାବରେ ପରିଷ୍କାର ପରିଚ୍ଛନ୍ନ ହୋଇ ରହିବାକୁ ଶିଖେ । କିନ୍ତୁ ମାତାପ୍ରତି ଆକ୍ରୋଶ ଅନୁଭବ କରୁଥିବାରୁ ତା’ର ଅଚେତନ ମନ ମାତାକୁ ଶାସ୍ତି ଦେବାକୁ ଚାହେଁ । ଅନେକ ଶିଶୁ ମଳର ବେଗ ଧାରଣା କରି କୋଷ୍ଠକାଠିନ୍ୟ ରୋଗରେ ପୀଡ଼ିତ ହୁଅନ୍ତି ଓ ମାଆ ଯେତେ ଏ ବିଷୟ ନେଇ ଉଦ୍‌ବିଗ୍ନ ହୋଇ ପଡ଼ନ୍ତି, ଶିଶୁ ସେତିକି ପରିମାଣରେ ଏହି କାର୍ଯ୍ୟ କରିବାକୁ ଇଚ୍ଛା କରେ । ମଳତ୍ୟାଗ ବିଷୟରେ ମାଆ ଅତ୍ୟନ୍ତ ମନଯୋଗୀ ହୋଇ ଉଠୁଥିବାରୁ ସେ ମଳକୁ ଗୋଟାଏ ମୂଲ୍ୟବାନ ବସ୍ତୁ ବୋଲି ଭାବିବାକୁ ଆରମ୍ଭ କରେ ଓ ଅନେକ ସମୟରେ ଜାଣିଶୁଣି ମଳତ୍ୟାଗ କରିବାକୁ ଇଚ୍ଛା କରି ନଥାଏ । ଅନେକ ଶିଶୁ ସ୍ନାୟୁ ମଣ୍ଡଳୀର ପରିପକ୍ୱତା ଅଭାବରୁ କିମ୍ବା ବାୟୁ–ଦେଶସ୍ଥ ମାଂସପେଶୀର ଦୁର୍ବଳତା ଯୋଗୁଁ ମଳ ବେଗ ଧାରଣ କରି ବେଶୀ ସମୟ ରହିପାରନ୍ତି ନାହିଁ । ସେପରି ଶିଶୁ ସାଧାରଣତଃ ଏହି ମାନସିକ ସଂଘାତରେ ପଡ଼ିଲେ ବହୁବାର ମଳତ୍ୟାଗ କରି ଶୌଚବେଳେ ନିଜର ମଳ ଓ ବାୟୁସ୍ଥଳକୁ ସ୍ପର୍ଶକରି ଆଂଶିକ ତୃପ୍ତି ପାଇଥାଆନ୍ତି । ବାରମ୍ବାର ମଳତ୍ୟାଗ କଲେ ମାଆ ଉଦ୍‌ବିଗ୍ନ ଓ ବିରକ୍ତ ହେଉଥିବାରୁ ମାଆକୁ ପରୋକ୍ଷରେ ଶାସ୍ତିଦେଇ ପାରିବାର ଏହି ଅଭ୍ୟାସ ସେମାନେ ସହଜରେ ଛାଡ଼ନ୍ତି ନାହିଁ । ତେଣୁ କୋଷ୍ଠକାଠିନ୍ୟ ବା ଉଦରାମୟ ପ୍ରଭୃତି ରୋଗ ଅନେକ ସମୟରେ ଅବଦମିତ ଆବେଗ ହେତୁ ଦେଖାଦେଇଥାଏ ।

 

ଏହାଛଡ଼ା ମାଆ କିମ୍ବା ବାପା ଯଦି ଶିଶୁକୁ ଅତିଶୀଘ୍ର ଏବଂ ଅଳ୍ପ ସମୟ ମଧ୍ୟରେ ଏହି ଅଭ୍ୟାସ ଛାଡ଼ିବାକୁ ବାଧ୍ୟ କରନ୍ତି ଶିଶୁ ନିଜର ମାନସିକ ସଂଘାତର ସମାଧାନ କରି ନପାରି ଅତ୍ୟନ୍ତ ଉଦ୍‌ବିଗ୍ନ ହୋଇ ଉଠେ । କେତେକ ଶିଶୁ ଶାସ୍ତି ଭୟରେ ବିନା ପ୍ରତିବାଦରେ ମାଆର ଆଦେଶ ଓ ଇଚ୍ଛାକୁ ମାନି, ନିଜର ଇଚ୍ଛାକୁ ସମ୍ପୂର୍ଣ୍ଣ ଅବଦମନ କରି ଏ ସଂଘାତର ସମାଧାନ କରନ୍ତି । ଏପରି ଶିଶୁ ଅତ୍ୟନ୍ତ ବାଧ୍ୟ, ଅତି ପରିଷ୍କାର–ପରିଚ୍ଛନ୍ନ, ଭୟାଳୁ ଏବଂ ଆତ୍ମବିଶ୍ୱାସହୀନ ହୋଇ ବଢ଼ି ଉଠିଥାନ୍ତି । ସଚେତନ ମନରେ ସେ ଯେତିକି ବାଧ୍ୟ ଓ ପରିଷ୍କାର ପରିଚ୍ଛନ୍ନ ହୋଇ ରହିବାକୁ ଇଚ୍ଛାକରେ ଅଚେତନ ମନରେ ଅବଦମିତ ଇଚ୍ଛା ତାକୁ ସେତିକି ପରିମାଣରେ ଅବାଧ୍ୟ ହେବାକୁ ଇଙ୍ଗିତ ଦିଏ । ସବୁ ନିଷେଧ ଭାଙ୍ଗି ମନଇଚ୍ଛା କାଦୁଅ, ମଇଳା ଘାଣ୍ଟି ମନବୋଧ କରି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟକରେ । ଏହି ଅବଦମିତ ଇଚ୍ଛାର ପ୍ରରୋଚନାରେ ସେ ଅନେକ ସମୟରେ ଅତ୍ୟନ୍ତ ଅବାଧ୍ୟ ହୁଏ ଏବଂ ଅଧିକାଂଶ ସମୟରେ ବାଧ୍ୟତା ଓ ଅବାଧ୍ୟତାର ଏକ ଅଯୌକ୍ତିକ ତଥା ଅଦ୍ଭୁତ ସମ୍ମିଶ୍ରଣ ହୋଇ ବଢ଼ିଥାଏ ।

 

ଆବେଶଜ(୨)–ବାଧ୍ୟକ ମାନସିକ ବ୍ୟାଧି । (Obessive Compulsive neurosis) ଜୀବାଣୁ ପ୍ରତି ଦେଖା ଦେଇଥିବା ଆତଙ୍କ (Phobia) ସୂଚୀମନ୍ତ (Washing Mania), କୋଷ୍ଠକାଠିନ୍ୟ (Constipation) ଇତ୍ୟାଦି ବହୁ ପ୍ରକାର ମାନସିକ ବ୍ୟାଧିର ମୂଳରେ ଏହି ପ୍ରକାର ପାୟୁ ଦେଶୀୟ ଦ୍ଵନ୍ଦ୍ଵ (Anal conflict) ରହିଥାଏ ।

 

ଏହି ସଂଘାତକୁ ଅବଦମନ କରି ଯେଉଁ ଚରିତ୍ର ଗଢ଼ିଉଠେ ଫ୍ରଏଡ଼୍ ତାକୁ ଆନାଲ ଆଚରଣ (Anal Character) ବୋଲି କହିଛନ୍ତି । ଏପରି ଲୋକ ସାଧାରଣତଃ କୌଣସି ନିୟମର ତିଳେମାତ୍ର ବ୍ୟତିକ୍ରମ ସହିପାରନ୍ତି ନାହିଁ । ପାନରୁ ଚୂନ ଖସିଲେ ସେମାନେ ବିରକ୍ତ ହୋଇ ଉଠନ୍ତି । ସବୁବେଳେ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନ କିମ୍ବା ଅତ୍ୟନ୍ତ ଅପରିଷ୍କାର ହୋଇ ରହିବାକୁ ଭଲ ପାଆନ୍ତି । ଯେ ପରିଷ୍କାର ସେ ବିଛଣା ଚଦରରେ ଭାଙ୍ଗଟିଏ ପଡ଼ିଥିଲେ ବିରକ୍ତ ହେବ । ଟେବୁଲ ସବୁବେଳେ ଗୋଟିଏ ପ୍ରକାରରେ ସଜାହୋଇ ରହିଥିବ । ଏପଟ ସେପଟ ହୋଇ ଜିନିଷ ଥିଲେ ସେମାନେ ଖୁବ୍ ବେଶୀ ରାଗିଯାଆନ୍ତି । ନିଜେ ଯେଉଁ ନିୟମ ମାନିଚଳନ୍ତି, ସେ ନିୟମକୁ ସବୁଠାରୁ ବଡ଼ ବୋଲି ଭାବନ୍ତି । ଅନ୍ୟମାନଙ୍କର ନିଷ୍ଠାହୀନତା କଥା କହି ସେମାନଙ୍କୁ ବିଦ୍ରୂପ କରନ୍ତି । ଯେକୌଣସି ପଦାର୍ଥ ସଞ୍ଚୟ କରି ଏମାନେ ବହୁତ ଆନନ୍ଦଲାଭ କରନ୍ତି । କାରଣ ଯେକୌଣସି ବ୍ୟକ୍ତି ବା ବସ୍ତୁର ସାଙ୍କେତିକ ଅର୍ଥ (Symbolic meaning) ହେଲା ସେହି ଆଦିମୂଳ ବେଗ ଧାରଣକରି ରଖିବାର ଅଚେତନ ଇଚ୍ଛା ତେଣୁ କୌଣସି ବସ୍ତୁର ସୌନ୍ଦର୍ଯ୍ୟ ବା ଅନ୍ୟାନ୍ୟ ବସ୍ତୁଗତ ମୂଲ୍ୟଦ୍ଵାରା ଏମାନେ ଆକୃଷ୍ଟ ହୁଅନ୍ତି ନାହିଁ । ତାକୁ ନିଜର ଆୟତରେ ରଖି ପୁଞ୍ଜି କରିବାରେହିଁ ଏମାନଙ୍କର ଆନନ୍ଦ । ନିଜଠାରେ ଯଥେଷ୍ଟ ଆତ୍ମବିଶ୍ଵାସ ନଥିବାରୁ, ସେମାନେ ନିଜର ପୁଞ୍ଜି ଯୋଗୁଁ ବା ନିୟମ ନିଷ୍ଠା ମାନି ଚଳିବାର ଅଭ୍ୟାସ ଯୋଗୁଁ ନିଜକୁ ଜଣେ ବଡ଼ ଓ ମହତ୍ ବ୍ୟକ୍ତି ବୋଲି ଭାବି ଆନନ୍ଦ ପାଆନ୍ତି । ସାଧାରଣତଃ ଏମାନେ ଆବେଗହୀନ ଓ କଠୋର ଚରିତ୍ରର ବ୍ୟକ୍ତି ହୁଅନ୍ତି । ଅନ୍ୟକୁ ସହଜରେ କ୍ଷମା କରିପାରନ୍ତି ନାହିଁ । ବରଂ ସବୁବେଳେ ସାମାନ୍ୟ ଦୋଷପାଇଁ କଠୋର ଦଣ୍ଡ ବ୍ୟବସ୍ଥାକୁ ସମର୍ଥନ କରିଥାଆନ୍ତି ।

 

ମାଆ ଯଦି ଶିଶୁକୁ ବାଧ୍ୟ ନକରି ବୁଝାଇ କହନ୍ତି ଯେ, ସେ ନିଜେ ବଡ଼ ହେଲାଣି, ତେଣୁ ନିଜ ଇଚ୍ଛା ଅନୁସାରେ ବଡ଼ମଣିଷଙ୍କ ପରି ସମୟ ଅନୁସାରେ ମଳମୂତ୍ର ତ୍ୟାଗ କରିପାରୁଛି, ଅପେକ୍ଷା କରି ରହିପାରୁଛି । ତେବେ ସେ ନିଜର ଶରୀରକୁ ଆୟତ କରିପାରୁଛି ଜାଣି ଖୁସିହୁଏ ଓ ନିଜର କ୍ଷମତାରେ ତା’ର ବିଶ୍ୱାସ ଜନ୍ମେ । ଯଦି ସେ ବିଛଣାରେ ଅକସ୍ମାତ୍‍ ପରିସ୍ରା କରିପକାଏ, ତେବେ ସେ କଥା ସମସ୍ତଙ୍କ ଆଗରେ କହି ତାକୁ ଚିଡ଼େଇବା ଅପମାନ ଦେଇ କିଛି ଲାଭ ହୁଏନାହିଁ-। ଶାସ୍ତି ଦେଲେ ସେ ଆହୁରି ଭୟାଳୁ ହୋଇ ଉଠେ । ମା’ ଯଦି କୁହେ ପିଲାଦିନେ ସମସ୍ତଙ୍କର ଦୁର୍ଘଟଣା ଘଟେ, ଏଥିରେ ଲାଜ କରିବାର ଜିନିଷ କିଛି ନାହିଁ ଓ ସେ ଯେତେବେଳେ ରାତ୍ରିସାରା ପରିସ୍ରା ନ କରି ରହିପାରେ, କିମ୍ବା ପାଇଖାନା ଯାଇ ନିଜକୁ ପରିଷ୍କାର ପରିଚ୍ଛନ୍ନ କରି ରଖିପାରେ, ସେତେବେଳେ ତାକୁ ପ୍ରଂଶସା କରି, ସେ କେମିତି ନିଜ ଇଚ୍ଛା ଅନୁସାରେ ଏ କଥା କରିପାରୁଛି, ଏ ବିଷୟରେ ତାକୁ ସଚେତ କଲେ ସେ ଫ୍ରଏଡ଼୍‍ଙ୍କର ବର୍ଣ୍ଣିତ ଗୁରୁତର ମାନସିକ ସଂଘାତରେ ପଡ଼ିବ ନାହିଁ । ଦେହ ଖରାପ ହେଲେ, ସ୍ଥାନ ପରିବର୍ତ୍ତନ କଲେ, ସ୍କୁଲ୍ ଆରମ୍ଭବେଳେ ଅନେକ ସମୟରେ ଶିଶୁମାନଙ୍କଠାରେ ଶଯ୍ୟାମୂତ୍ର, ପେଟବ୍ୟଥା, କୋଷ୍ଠକାଠିନ୍ୟ ଇତ୍ୟାଦି ଦେଖାଯାଇଥାଏ-। ସେତେବେଳେ ଶିଶୁକୁ ଅଯଥା ଶାସ୍ତି ବା ଅପମାନ ନ ଦେଇ ଏହି କ୍ଳେଶକର (Stressful) ଅବସ୍ଥା କଟିଯିବା ପର୍ଯ୍ୟନ୍ତ ଧୈର୍ଯ୍ୟଧରି ଅପେକ୍ଷା କଲେ, ସେ ପୁଣି ସ୍ଵାଭାବିକ ଅବସ୍ଥାକୁ ଫେରି ଆସିବ । ଶିଶୁ ପାଳନର ମୂଳକଥା ହେଲା ସେ ଶିଶୁଠାରେ ଅବାଞ୍ଛିତ ବ୍ୟବହାର ଦେଖିଲେ ତାକୁ ନିନ୍ଦା କରିବା, ଅପମାନ ଦେବା ବା ଡରାଇବା ଅପେକ୍ଷା (Negative Criticism) କ’ଣ କଲେ ସେ ନିଜର ଅବାଞ୍ଛିତ ବ୍ୟବହାରକୁ ଆୟତ୍ତ କରିପାରିବ ସେ କଥା ତାକୁ ଶିଖେଇବା ବିଧେୟ-

 

ଶୈଶବର ତୃତୀୟ ପର୍ଯ୍ୟାୟ (Phallic Stage)

 

ଯୌନ ବିକାଶର ତୃତୀୟ ଅବସ୍ଥାକୁ ଫ୍ରଏଡ଼୍‍ ଲିଙ୍ଗ କେନ୍ଦ୍ରିକ ଅବସ୍ଥା (Phallic Stage) ବୋଲି ବର୍ଣ୍ଣନା କରିଛନ୍ତି । ଏ ଅବସ୍ଥାରେ ଯୌନ–ସମ୍ବେଦନା ମୈଥୁନ କ୍ରିୟା ମାଧ୍ୟମରେ ସଫଳକାମ ହେଉ ନଥିବାରୁ ବୟଃପ୍ରାପ୍ତ ମଣିଷର ଯୌନାଙ୍ଗ ଆଶ୍ରୟୀ ଯୌନ–ସମ୍ବେଦନାଠାରୁ ଏହା ଅନେକାଂଶରେ ସ୍ଵତନ୍ତ୍ର । ଲିଙ୍ଗକୁ କେନ୍ଦ୍ରକରି ଏହି ଅବସ୍ଥାର ସମସ୍ତ ଆବେଗ ଓ ମାନସିକ ଘାତ ପ୍ରତିଘାତ ଆବର୍ତ୍ତିତ ହେଉଥିବାରୁ ସେ ଏହାକୁ ଯୌନ–ସମ୍ବେଦନାର ଲିଙ୍ଗ–କେନ୍ଦ୍ରିକ ପର୍ଯ୍ୟାୟ (Phallic Stage) ବୋଲି କହିଛନ୍ତି ।

 

ଶିଶୁକୁ ତିନି ଚାରିବର୍ଷ ହେଲେ ସେ ସାଧାରଣତଃ ନିଜର ପାୟୁଦେଶୀୟ ସୁଖକୁ ଅବଦମନ କରି ଅନ୍ୟ ସମସ୍ତଙ୍କ ପରି ନିଜ ସମାଜର ରୀତି ଅନୁସାରେ ଏହି କାର୍ଯ୍ୟ ସମ୍ପନ୍ନ କରେ । ସାଧାରଣତଃ ଦେଖାଯାଇଛି ଯେ ଦେହର ଗୋଟିଏ ଅଙ୍ଗରୁ ଶିଶୁର ମନ ଛାଡ଼ିଗଲେ ସେ ଆଉ ଗୋଟିଏ ଅଙ୍ଗରୁ ସେହି ଆନନ୍ଦର ସନ୍ଧାନ କରେ । ଏହି ବୟସରେ ସାଧାରଣତଃ ଲିଙ୍ଗ ବା ଯୋନି ଓ ତତ୍‌ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅନୁଭୂତ ଉତ୍ତେଜନା ବିଷୟରେ ସେ ସଚେତ ହୋଇ ଉଠେ । ସେ ବର୍ତ୍ତମାନ ମୁଖ ଓ ପାୟୁ ଦେଶର ସମ୍ବେଦନାରୁ ଆନନ୍ଦ ଲାଭ କରେ ମାତ୍ର ଲିଙ୍ଗ ବା ଯୋନି ଅଞ୍ଚଳର ସମ୍ବେଦନା ତା’ଠାରୁ ଅଧିକ ତୀବ୍ର ହୋଇଥିବାରୁ ସେ ଏ ବିଷୟ ପ୍ରତି ଅଧିକ ମନୋଯୋଗୀ ହୋଇ ଉଠେ । ନିଜର ଯୌନାଙ୍ଗକୁ ଛୁଇଁବା, ଧରିବା ଇତ୍ୟାଦି ବିଷୟରେ ବୟସ୍କ ଲୋକ ଆପତ୍ତି କରୁ ନଥିବାରୁ ସେ ଅବାଧ୍ୟରେ ଏହି କାର୍ଯ୍ୟ–କଳାପରେ ଲିପ୍ତ ରହେ । ଏହି ବୟସରେ ଶିଶୁ ବହୁତ ସମୟରେ ନିଜ ଯୌନାଙ୍ଗକୁ ନେଇ ଖେଳେ, ଛୁଏଁ, ଧରେ ଓ ଅପର ଶିଶୁର ଯୌନାଙ୍ଗକୁ କୌତୂହଳୀ ହୋଇ ଦେଖେ । କାରଣ ସେ ଏହି ବୟସରେ ନିଜର ଦେହ ସହିତ ଅପର ଲିଙ୍ଗୀ ଶିଶୁ ଦେହର ପାର୍ଥକ୍ୟ ସମ୍ବନ୍ଧରେ ସଚେତନ ହୋଇ ଉଠେ । ଏହି ବୟସରେ ଅଧିକାଂଶ ଶିଶୁ ଯୌନାଙ୍ଗ ସମ୍ବନ୍ଧରେ କୌତୂହଳ ଯୋଗୁଁ ଅଧିକାଂଶ ବ୍ୟକ୍ତିକୁ ଅନାବୃତ ଅବସ୍ଥାରେ ଦେଖିବାକୁ ଚେଷ୍ଟା କରନ୍ତି । ଏହି ବୟସ ପର୍ଯ୍ୟନ୍ତ ବାଳକ ବାଳିକାର ମାନସିକ ବିକାଶରେ କୌଣସି ପାର୍ଥକ୍ୟ ନଥାଏ । ଏହି ବୟସରେ ବାଳକମାନଙ୍କୁ କେତେକ ବିଶେଷ ଅଭିଜ୍ଞତା ଭିତର ଦେଇ ଗତି କରିବାରୁ ପଡ଼ିଥାଏ ଓ ପରିଣାମରେ ତା’ର ପୁରୁଷୋଚିତ ବ୍ୟକ୍ତିତ୍ଵର ବିକାଶ ଘଟିଥାଏ । ସେହିପରି ବାଳିକାର ଅଭିଜ୍ଞତା ଅନ୍ୟପ୍ରକାର ହୋଇଥିବାରୁ ତା’ଠାରେ ସ୍ତ୍ରୀସୁଲଭ ବ୍ୟକ୍ତିତ୍ଵର ଅଙ୍କୁର ଦେଖାଦିଏ । ତେଣୁ ଏହି ବୟସରେ ବାଳକ ଓ ବାଳିକାର ମାନସିକ ବିକାଶ ପୃଥକ୍‌ ଭାବରେ ଆଲୋଚନା କରାଯିବ ।

 

ବାଳକର ମାନସିକ ବିକାଶ

 

ଏହି ପର୍ଯ୍ୟାୟରେ ଶିଶୁ ଯେଉଁ ସମସ୍ୟାର ସମ୍ମୁଖୀନ ହୁଏ ଓ ଯେପରି ଭାବରେ ତା’ର ସମାଧାନ କରି ଶିଖେ, ସେହି ଅନୁସାରେ ପରବର୍ତ୍ତୀ ଜୀବନରେ ଅପର ବ୍ୟକ୍ତି ସହିତ ଯୌନସମ୍ପର୍କ, ଅନ୍ୟାନ୍ୟ ବ୍ୟକ୍ତି ସହିତ ସାଧାରଣ ସାମାଜିକ ସମ୍ପର୍କ, ବିବେକର ସୁସ୍ଥ ବିକାଶ ଏପରି ପ୍ରତ୍ୟେକ ଘଟଣା ନିୟନ୍ତ୍ରିତ ହୋଇଥାଏ । ତେଣୁ ଅନ୍ୟ ପର୍ଯ୍ୟାୟ ତୁଳନାରେ ଏହି ପର୍ଯ୍ୟାୟର ଘଟନାବଳି ବ୍ୟକ୍ତିର ଯୌନଜୀବନକୁ ବେଶୀମାତ୍ରାରେ ପ୍ରଭାବିତ କରେ ।

 

ଫ୍ରଏଡ଼୍‍ଙ୍କ ମତରେ ବାଳକ ବାଳିକା ଉଭୟେ ଲିଙ୍ଗକୁ ଶରୀରର ଏକ ପ୍ରଧାନ ଅଙ୍ଗ ବିଶେଷକରି ସର୍ବଶ୍ରେଷ୍ଠ ଯୌନାଙ୍ଗ ବୋଲି ବିବେଚନା କରନ୍ତି । ଯୌନ ସମ୍ବେଦନାର କେନ୍ଦ୍ରସ୍ଥଳ ହିସାବରେ ଏହା ଏକ ମୂଲ୍ୟବାନ ଅଙ୍ଗ ବୋଲି ବିବେଚିତ ହୁଏ ଏବଂ ଲିଙ୍ଗ ପୁରୁଷତ୍ଵର ଏକମାତ୍ର ଚିହ୍ନ ହୋଇଥିବାରୁ ବାଳକ ଏହାକୁ ନିଜର ପରିଚୟ ପାଇଁ ଏକ ବିଶିଷ୍ଟ ମୂଲ୍ୟବାନ ଅଙ୍ଗ ବୋଲି ଭାବିଥାଏ ।

 

ଜନ୍ମକାଳରୁ ମାତା ଶିଶୁର ଲାଳନପାଳନ କରୁଥିବାରୁ ଶିଶୁର ସମଗ୍ର ଅନୁଭୂତି ମାତାକୁ କେନ୍ଦ୍ରକରି ଆବର୍ତ୍ତିତ ହୁଏ । ମାତା ତାକୁ ସ୍ତନ୍ୟପାନ ଦେଲାବେଳେ ତାକୁ ଶୌଚ କଲାବେଳେ ଶିଶୁର ଯେଉଁ ସୁଖବୋଧ ହୋଇଥାଏ ତା’ର ସ୍ମୃତିର ସେହି ସୁଖବୋଧ ସହିତ ମା’ ମିଶିକରି ରହିଥାଏ । ସେହିପରି ଏହି ଅବସ୍ଥାରେ ମଧ୍ୟ ମାଆ ତାକୁ କୋଳରେ ବସାଇ, କାଖକରି, ପାଖରେ ଶୁଆଇ ତା’ର ଦୈହିକ ଅନୁଭୂତି ସହିତ ଘନିଷ୍ଠ ହୋଇ ରହିଥିବାରୁ ମାଆପ୍ରତି ଅଚେତନ ଓ ସଚେତନ ମନରେ ତା’ର ଅନୁରକ୍ତି ଜନ୍ମେ । ଯେହେତୁ ଯୌନ ଅନୁଭୂତିରୁ ପ୍ରୀତି ବୋଧକୁ କେବେହେଁ ପୃଥକ୍‌ କରିହୁଏ ନାହିଁ, ସେ ହେତୁ ଏହି ଅନୁଭୂତି ଯେଉଁ ଅଂଶ ଯୌନ ଉତ୍ତେଜନା ସହିତ ଜଡ଼ିତ ତାହା ଅବଦମିତ ହୋଇ ମନରେ ଅଚେତନ ସ୍ତରରେ ରହେ ଏବଂ ସାଧାରଣ ପ୍ରୀତିବୋଧ ସଚେତନ ମନରେ ଥାଏ । ଏହି ସମୟରେ ଶିଶୁ କ୍ରମଶଃ ବଡ଼ ହେଉଥିବାରୁ ତା’ର ଯୌନ–କୌତୂହଳ, ଯୌନାଙ୍ଗ ସହିତ କ୍ରୀଡ଼ା, କିମ୍ବା ହସ୍ତ–ମୈଥୁନ ଇତ୍ୟାଦି କାର୍ଯ୍ୟ ସମାଜ–ସମ୍ମତ ହେଉ ନଥିବାରୁ ମାତା ତାକୁ ଏପରି କାର୍ଯ୍ୟ କରିବାକୁ ନିଷେଧ କରନ୍ତି । ତେଣୁ ଯୌନ ଉତ୍ତେଜନା ବା ଯୌନ ସମ୍ପର୍କୀୟ ବସ୍ତୁ ଯେ ନିଷିଦ୍ଧ ବସ୍ତୁ ଏ ଧାରଣା ତା’ ମନରେ କ୍ରମଶଃ–ଜନ୍ମେ । ଏହି ବୟସରେ ‘‘ମାଆ ପ୍ରୀତି ମନୋଭାବ’’ ନେଇ ସେ ଏକ ଦ୍ଵନ୍ଦ୍ଵର ସମ୍ମୁଖୀନ ହୁଏ । ଏହି ପ୍ରୀତିବୋଧ କାମବୋଧ ସହିତ ମିଶ୍ରିତ ହୋଇ ରହିଥିବାରୁ ମାତା ପ୍ରତି ଆସକ୍ତି ଅନୁଭବ କରିଲେ ସେ ନିଜକୁ ଅପରାଧୀ ବୋଲି ଭାବେ । ଅନ୍ୟ ପକ୍ଷରେ ମାତା ପ୍ରବଳ ଆସକ୍ତି ରହୁଥିବାରୁ ସହଜରେ ସେ ଏହି ଆସକ୍ତି ଦମନ କରିପାରେ ନାହିଁ ।

 

ଏହି ବୟସରେ ପିତା ସହିତ ଯେ ମାତାର ବିଶେଷ ସମ୍ପର୍କ ରହିଛି ସେ ସମ୍ବନ୍ଧରେ ମଧ୍ୟ ଶିଶୁ ସଚେତନ ହୋଇଉଠେ । ବାପା ଘରକୁ ଫେରିଲେ ତାକୁ ମାଆ ଖଟଛାଡ଼ି ଅନ୍ୟଜାଗାରେ ଶୋଇବାକୁ ପଡ଼େ । ରାତିରେ ଦୁଃସ୍ଵପ୍ନ ଦେଖି ଭୟ ପାଇଲେ ସେ ଯଦି ମା’ ଖଟକୁ ଉଠିଆସେ ତେବେ ବାପା ତିରସ୍କାର କରନ୍ତି । ଅନେକ ସମୟରେ ସେ ଯଦି ବାପା ମାଆଙ୍କ ପାଖରେ ବା ଏକାଘରେ ଶୋଇଥାଏ ତେବେ ବାପା ମାଆଙ୍କର ଅଜ୍ଞାତରେ ସେ ହୁଏତ ସେମାନଙ୍କର ମୈଥୁନ କ୍ରିୟା ଦେଖିଥାଏ । ଶିଶୁର ଅନଭିଜ୍ଞତା ଯୋଗୁଁ ଏହି ଘଟଣା ତା’ ପକ୍ଷରେ ସୁସ୍ପଷ୍ଟ ଭାବରେ ବୁଝିବା ସମ୍ଭବ ନୁହେଁ, ତେଣୁ ଏହି ଗୋପନ ସମ୍ପର୍କର ଏକ ଅସ୍ପଷ୍ଟ ନିଷିଦ୍ଧ ସ୍ମୃତି ତା’ ମନରେ ଥାଏ । ଯଦି ବାପା ମାଆଙ୍କର ସମ୍ପର୍କ କଳହ ଓ ବାଦବିସମ୍ବାଦ ପୂର୍ଣ୍ଣ ହୋଇଥାଏ, ତେବେ ସେ ଏହାକୁ ପିତାର ଅତ୍ୟାଚାର ବୋଲି ଭାବେ । ମାତାକୁ ପିତା କବଳରୁ ରକ୍ଷା କରିବାର ମନୋଭାବ ଏବଂ ପିତା ପ୍ରତି ବିଦ୍ଵେଷ ଓ ଘୃଣାଭାବ ତା’ ମନରେ ଜନ୍ମେ । ଅପରପକ୍ଷରେ ପିତାମାତାଙ୍କ ମଧ୍ୟରେ ଥିବା ସମ୍ପର୍କ ସ୍ନେହର ସମ୍ପର୍କ ହୋଇଥାଏ, ତେବେ ସେ ପିତା ପ୍ରତି ମାତାର ଏକ ସ୍ଵତନ୍ତ୍ର ସ୍ନେହଭାବ ଦେଖି ପିତା ପ୍ରତି ଈର୍ଷାବୋଧ କରେ ।

 

ଫ୍ରଏଡ଼୍‍ଙ୍କ ମତରେ ପିତା ପ୍ରତି ଈର୍ଷା ଓ ବିଦ୍ଵେଷ ମନୋଭାବ ଏବଂ ମାତାକୁ ସମ୍ପୂର୍ଣ୍ଣ ନିଜସ୍ଵ କରି ପାଇବାର ଇଚ୍ଛା ସବୁ ବାଳକ ମନରେ ଥାଏ । ମାତୃ ସ୍ନେହ ଲାଭ ପଥରେ ପିତା ପ୍ରଧାନ ପ୍ରତିଦ୍ଵନ୍ଦ୍ୱୀ ହୋଇଥିବାରୁ ପିତା ପ୍ରତି ବିଦ୍ଵେଷ ମନୋଭାବ ବାଳକମାତ୍ରେହିଁ ଅନୁଭବ କରନ୍ତି-। ସମାଜର ଆଦିମକାଳରେ ବହୁ ସମୟରେ ଦଳପତି ପିତାକୁ ହତ୍ୟାକରି ଦଳପତିର ଅଧୀନସ୍ଥ ସମସ୍ତ ରମଣୀମାନଙ୍କୁ (ଅନେକ ସମୟରେ ସେମାନେ ବିମାତା ହୋଇଥାଆନ୍ତି) ନିଜର କରତଳ ଗତ କରିବାଟା ଜଣାଶୁଣା ପ୍ରଥାଥିଲା । ପ୍ରାଚୀନ ଲୋକ ଗାଥା ବା ମାନବ ସଭ୍ୟତାର ଇତିହାସ ଦେଖିଲେ ଏପରି ବହୁ ପିତୃହତ୍ୟାର କାହାଣୀ ଦେଖିବାକୁ ମିଳେ । ମାତା ପ୍ରତି ଆଦି ଯୌନବୋଧ ଅବଦମିତ ହୋଇଥିବାରୁ ସାଧାରଣତଃ ବିମାତା ଯୌନ–କାମନାର ବସ୍ତୁ ବୋଲି ଉଲ୍ଲିଖିତ ହୋଇଥାଆନ୍ତି ।

 

ଏହି ପ୍ରସଙ୍ଗନେଇ ଗ୍ରୀକ୍‌ ନାଟ୍ୟକାର ସଫୋକ୍ଳିସଙ୍କ ରଚିତ ରାଜା ଇଡ଼ିପସ୍‌ଙ୍କ କାହାଣୀ ଫ୍ରଏଡ଼୍‍ଙ୍କ ମନରେ ଗଭୀର ରେଖାପାତ କରିଥିଲା । ଇଡ଼ିପସ୍‌ଙ୍କ ଜନ୍ମ ପୂର୍ବରୁ ଭବିଷ୍ୟତବାଣୀ ହୋଇଥିଲା ଯେ ଇଡ଼୍‍ପସ୍ ନିଜ ପିତାଙ୍କୁ ହତ୍ୟାକରି ମାତାଙ୍କୁ ବିବାହ ହୋଇ ଦେଶର ଅଧୀଶ୍ଵର ହେବେ । ତାଙ୍କ ମାଆ ଏହି ଭବିଷ୍ୟତବାଣୀ ଶୁଣି ଶିଶୁ ଇଡ଼ିପସ୍‍ଙ୍କୁ ବଣରେ ପକାଇ ଆସିଲେ । ଏହି ପରିତ୍ୟକ୍ତ ଶିଶୁକୁ ଏକ ମେଷପାଳକ ଦମ୍ପତି ପାଇ ଲାଳନପାଳନ କରିଥିଲେ ଓ ପରେ ସେ ଦେଶର ରାଜା ଅପୁତ୍ରିକ ଥିବାରୁ ଏହି ମେଷପାଳକର ଶିଶୁକୁ ରାଜାନେଇ ପୋଷ୍ୟପୁତ୍ର କରି ଅଭିଷିକ୍ତ କରାଇଥିଲେ ।

 

ବଡ଼ହେଲା ପରେ ଇଡ଼ିପସ୍‌ ଯେତେବେଳେ ନିଜର ଭବିଷ୍ୟତ ଜାଣିବାପାଇଁ ଦୈବା ଦେଶଲାଗି ଡେଲଫିରେ ଥିବା ସୂର୍ଯ୍ୟମନ୍ଦିରକୁ ଲୋକ ପଠାଇଲେ, ସେ ଶୁଣିଲେ ଯେ ଭବିଷ୍ୟତରେ ସେ ନିଜ ପିତାଙ୍କୁ ହତ୍ୟା କରିବେ । ଏ ଦାରୁଣ ସମ୍ବାଦ ଶୁଣି ସେ ରାଜ୍ୟ ଛାଡ଼ି ଅନ୍ୟ ଆଡ଼େ ଚାଲିଗଲେ । ବୁଲି ବୁଲି ଶେଷରେ ସେ ମିଶରର ଦକ୍ଷିଣରେ ଥିବା ଥିବସ (ଇଥିଓପିଆ) ଦେଶରେ ଆସି ପହଞ୍ଚିଲେ । ବାଟରେ କୌଣସି ସମ୍ଭ୍ରାନ୍ତ ବଂଶୀୟ ବ୍ୟକ୍ତିଙ୍କ ସହିତ କଳହ ହେବାରୁ ସେ କ୍ରୋଧରେ ତାଙ୍କୁ ଆକ୍ରମଣ କଲେ ଓ ଅକସ୍ମାତ୍‌ ତାଙ୍କ ଅସ୍ତ୍ର ଲକ୍ଷ୍ୟଚ୍ୟୁତ ହୋଇ ସମ୍ଭ୍ରାନ୍ତ ବ୍ୟକ୍ତିକୁ ଆଘାତ କଲା ଓ ସେ ନିହତ ହେଲେ । ପରେ ସେ ଥିବସ ରାଜଧାନୀ ପାଖ ହେବାରୁ ଶୁଣିଲେ ଯେ ଗୋଟାଏ Sphinx (ଅର୍ଦ୍ଧନାରୀ ଓ ଅର୍ଦ୍ଧସିଂହ) ସେଠିକାର ଲୋକଙ୍କ ଉପରେ ଅତ୍ୟାଚାର କରୁଛି-। ସେ ବାଟୋଇକୁ ଦେଖି ପ୍ରଶ୍ନ ପଚାରୁଛି ଓ ତା’ର ପ୍ରଶ୍ନ ଉତ୍ତର ନ ଦେଇ ପାରିଲେ ସିଂହାସୁରୀ ସେ ବ୍ୟକ୍ତିର ଜୀବନ ନାଶ କରୁଛି । ତେଣୁ ସେଠିକାର ଲୋକ ଘୋଷଣା କରିଛନ୍ତି ଯେ ଯେଉଁବ୍ୟକ୍ତି ସିଂହାସୁରୀକୁ ହତ୍ୟାକରି ଥିବସ୍‌କୁ ରକ୍ଷାକରିବ ସେ ଥିବସର ରାଜା ହେବ । ଇଡ଼ିପସ୍‌ ସିଂହାସୁରୀର ପ୍ରଶ୍ନର ଠିକ୍ ଉତ୍ତର ଦେଇପାରିବାରୁ ସିଂହାସୁରୀ ମରିଗଲା ଓ ଥିବସର ଲୋକେ ତାଙ୍କୁ ରାଜପଦରେ ଅଭିଷିକ୍ତ କଲେ । ରାଜବଂଶୀୟ ବ୍ୟକ୍ତି ବିନା ଅନ୍ୟବ୍ୟକ୍ତି ରାଜା ହୋଇ ପାରିବ ନାହିଁ, ତେଣୁ ସେ ରାଣୀଙ୍କୁ ବିବାହ କରି ରାଜକୁଳର ସମ୍ମାନ ପାଇ ରାଜାହେଲେ ।

 

ସାତବର୍ଷ ପରେ ଥିବସରେ ଦୁର୍ଭିକ୍ଷ ଓ ମରୁଡ଼ି ପଡ଼ିବାରୁ ଯେତେବେଳେ ଦୈବାଦେଶ ପାଇଁ ଲୋକେ ପୁଣି ଡେଲଫିକୁ ଗଲେ ସେମାନେ ଶୁଣିଲେ ଯେ ଥିବସ ରାଜାଙ୍କୁ ଯେ ହତ୍ୟା କରିଛି ତା’ର ଉଚିତ ବିଚାର ହେଲେ ଥିବସ ପାପରୁ ମୁକ୍ତି ପାଇ ପୁଣି ସୁଜଳା ସୁଫଳା ହେବ । ଇଡ଼ିପସ୍‌ ରାଜହନ୍ତାର ସନ୍ଧାନ କରିବାରୁ ଜାଣିଲେ ଯେ ସେ ଯେଉଁ ସମ୍ଭ୍ରାନ୍ତ ବ୍ୟକ୍ତିକୁ ହତ୍ୟା କରିଥିଲେ ସେ ହେଉଛନ୍ତି ଥିବସର ରାଜା ଓ ଇଡ଼ିପସ୍‌ଙ୍କର ଜନ୍ମଦାତା ପିତା ଏବଂ ଇଡ଼ିପସ୍‌ଙ୍କର ପତ୍ନୀ ହେଉଛନ୍ତି ତାଙ୍କର ଜନ୍ମଦାତ୍ରୀ ମାତା । ଏହି ଭୟାବହ ସମ୍ବାଦ ଶୁଣି ରାଣୀ ଆତ୍ମହତ୍ୟା କଲେ ଓ ଇଡ଼ିପସ୍‌ ନିଜର ଆଖି ଫୁଟେଇ ଅନ୍ଧହୋଇ ରାଜ୍ୟ ଛାଡ଼ି ଚାଲିଗଲେ । ଇଡ଼ିପସ୍‌ଙ୍କର ପ୍ରଥମ ଝିଅ ଅନ୍ଧ ବାପର ହାତଧରି ବାଟ କଢ଼େଇ ତାଙ୍କୁ ନେଇ ଦେଶାନ୍ତରକୁ ଚାଲିଗଲା । ତାଙ୍କର ଅନ୍ୟ ସନ୍ତାନମାନେ ବହୁଦୁଃଖ କଷ୍ଟପାଇ ମୃତ୍ୟୁ ବରଣ କରିଥିଲେ । ସଂକ୍ଷେପରେ ଏହାହିଁ ହେଲା ଇଡ଼ିପସ୍‌ଙ୍କ କାହାଣୀ ।

 

ଫ୍ରଏଡ଼୍‍ଙ୍କ ମତରେ ସବୁ ଶିଶୁ ମନରେ ପିତାପ୍ରତି ଜିଜ୍ଞାସା ଓ ମାତାପ୍ରତି ଯୌନ କାମନା ପ୍ରଚ୍ଛନ୍ନ ଭାବରେ ରହିଥାଏ । ପିତାମାତା ଓ ଶିଶୁକୁ ନେଇ ଏହି ଯେଉଁ ସମ୍ପର୍କ ତାକୁ ସେ ଇଡ଼ିପସ୍‌ କମ୍‌ପ୍ଳେକ୍‌ସ ନାମରେ ଅଭିହିତ କରିଛନ୍ତି । ତାଙ୍କର ସମାଲୋଚକମାନେ କହନ୍ତି ଯେ ସମ୍ପୂର୍ଣ୍ଣ ଘଟଣାତ ଇଡ଼ିପସ୍‌ଙ୍କ ଅଜ୍ଞାତରେ ଘଟିଗଲା ତେଣୁ ସେ କିପରି ଏହି ମନୋଭାବ ପୋଷଣ କଲେ-? ଏହାର ଉତ୍ତରରେ ଫ୍ରଏଡ଼୍ କହିଛନ୍ତି ଯେ, ତାଙ୍କର କାର୍ଯ୍ୟ ଅଚେତ ଇଚ୍ଛାଦ୍ଵାରା ନିୟନ୍ତ୍ରିତ ହୋଇଥିବାରୁ ସେ ଏ ବିଷୟରେ ସଚେତନ ନଥିଲେ । ନଚେତ୍‌ ଡେଲଫିଠାରୁ ପାଇଥିବା ଭବିଷ୍ୟତବାଣୀ ଶୁଣିଲା ପରେ–ସେ ଯଦି ସାବଧାନ ହୋଇ ତାଙ୍କଠାରୁ ବୟସରେ ସାନ କୌଣସି ନାରୀକୁ ବିବାହ କରିଥାଆନ୍ତେ ତେବେ ଅଜ୍ଞାତସାରରେ ନିଜ ମାତାକୁ ବିବାହ କରିବା କେବେହେଁ ସମ୍ଭବ ହୋଇ ନଥାନ୍ତା । ସେହିପରି ସାମାନ୍ୟ କଥାରେ ଉତ୍ତେଜିତ ହୋଇ ଜଣେ ବୃଦ୍ଧକୁ ଆଘାତ କରିବା ତାଙ୍କପରି ବୀର ଯୋଦ୍ଧା ପକ୍ଷରେ ଉଚିତ କାର୍ଯ୍ୟ ନୁହେଁ ଜାଣି ମଧ୍ୟ ସେ ସେପରି କାର୍ଯ୍ୟ କରିଛନ୍ତି । ତେଣୁ ପିତା ବା ପିତୃସ୍ଥାନୀୟ ବ୍ୟକ୍ତି ପ୍ରତି ଜିଜ୍ଞାସା ଭାବ ତାଙ୍କର ଅଚେତନ ମନରେ ଥିଲା ବୋଲି କହିହେବ ।

 

ଏହି ଦୁଇଟିଯାକ ମନୋଭାବ ସମାଜ–ସମ୍ମତ ହୋଇ ନଥିବାରୁ ଶିଶୁ ଏହାକୁ ଅବଦମନ କରିବାକୁ ବାଧ୍ୟହୁଏ । ଏହି ଦିଗରେ କେତୋଟି ବିଶେଷ ଘଟଣା ତାକୁ ସାହାଯ୍ୟ କରନ୍ତି । ପ୍ରଥମେ ମାଆ ତାକୁ ଶିଶୁସୁଲଭ ଯୌନ କ୍ରିୟାରୁ (ଅପରର ଅନାବୃତ ଦେହ ଦେଖିବାର କୌତୂହଳ, ହସ୍ତମୈଥୁନ, ଯୌନାଙ୍ଗ ସହିତ କ୍ରିଡ଼ା) ବିରତ କରିବାଲାଗି ଅନେକ ସମୟରେ ଶାସ୍ତି ଦିଅନ୍ତି, ତିରସ୍କାର କରନ୍ତି ଏବଂ ଏହା ଯେ ଏକ ମନ୍ଦକାର୍ଯ୍ୟ ସେ କଥା ତାଙ୍କୁ ବାରମ୍ବାର ବୁଝାନ୍ତି । ଘରର ଅନ୍ୟ ଲୋକ ମଧ୍ୟ ତା’ର ଏ କାର୍ଯ୍ୟକୁ ନିନ୍ଦା କରନ୍ତି ଓ ଅନେକ ସମୟରେ ତା’ର ଯୌନାଙ୍ଗ ଛେଦନ କରିବେ ବୋଲି ଭୟ ଦେଖାନ୍ତି । ପରିହାସ ଛଳରେ କହିଲେ ମଧ୍ୟ ଶିଶୁ ଏକଥା ବିଶ୍ଵାସ କରେ । କାରଣ ଗ୍ରାମାଞ୍ଚଳରେ ଗୃହପାଳିତ ପଶୁର ଯୌନାଙ୍ଗ ଛେଦନ ହେବା ବିଷୟ (Castration) ଅନେକ ଶିଶୁ ନିଜେ ଜାଣିଥାନ୍ତି । କିମ୍ବା ସହରର ପିଲା ହୋଇଥିଲେ ଚାକରବାକର ପ୍ରଭୃତି ଅନ୍ୟ ଲୋକଙ୍କଠାରୁ ଶୁଣିଥାଆନ୍ତି ।

 

ଦ୍ଵିତୀୟରେ, ଇହୁଦୀ, ମୁସଲମାନ ଓ ଆଧୁନିକ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ନବଜାତ ବାଳକର ଶିଶ୍ନାଗ୍ରରେ ଥିବା ଚର୍ମ ଛେଦନ ବିଧି ରହିଛି । ଏହି ବିଷୟରେ କଥୋପକଥନ ଶୁଣିଲେ ୪ ବର୍ଷ ବୟସର ଶିଶୁ ଭାବେ ଯେ ନବଜାତ ଶିଶୁଟି କୌଣସି ମନ୍ଦକାମ କରୁଥିବାରୁ ବର୍ତ୍ତମାନ ଏହି ଶାସ୍ତି ପାଉଛି; ବଡ଼ହେଲେ, ହୁଏତ ତା’ର ଯୌନାଙ୍ଗ ଛେଦନ ହୋଇପାରେ ।

 

ତୃତୀୟରେ ସେ ଯେତେବେଳେ ତା’ ବୟସର ବାଳିକାଠାରେ ଲିଙ୍ଗର ଅନୁପସ୍ଥିତି ଦେଖେ, ସେ ଭାବେ ଯେ ବାଳିକାର ଲିଙ୍ଗଛେଦନ ହୋଇଥିବାରୁ ସେ ସେପରି ଦେଖାଯାଉଛି । ଏହିସବୁ ଘଟଣା ପର୍ଯ୍ୟବେକ୍ଷଣ କରି ଶିଶୁ ନିଜର ଯୌନାଙ୍ଗ ଛେଦନ ହେବା ଭୟରେ ଅତ୍ୟନ୍ତ ବିଚଳିତ ହୋଇଉଠେ ଏବଂ ଯୌନ କ୍ରିୟାରୁ ସମ୍ପୂର୍ଣ୍ଣ ବିରତ ହୁଏ । ଏହି ସମ୍ପୂର୍ଣ୍ଣ ଅବଦମନ ଫଳରେ ସେ ମାତା ପ୍ରତି ପ୍ରୀତି ଇଚ୍ଛାକୁ ମଧ୍ୟ ଏହା ସହିତ ଅବଦମନ କରି ମାତା ପ୍ରତି ଉଦାସୀନ ହୋଇଉଠେ ଏବଂ ସ୍ତ୍ରୀ ସଂସର୍ଗ ବର୍ଜନ କରି କାୟମନୋବାକ୍ୟରେ ପୁରୁଷୋଚିତ ହେବାକୁ ଚେଷ୍ଟାକରେ । ସେ ପିତାଙ୍କୁ ଅନୁକରଣ କରି, ପିତା ଓ ସେ ଯେ ଏକ ବ୍ୟକ୍ତି ଏକଥା ମନକୁ ବୁଝାଇ ପିତାଙ୍କର ଆଚାର ବ୍ୟବହାର, ଦୃଷ୍ଟିଭଙ୍ଗୀ ମନୋଭାବ ଏସବୁକୁ ନିଜର ମନୋଭାବ ଓ ଦୃଷ୍ଟିଭଙ୍ଗୀ ରୂପରେ ଦେଖି ନିଜକୁ ସେହି ଅନୁସାରେ ଗଢ଼ିବାକୁ ଚେଷ୍ଟାକରେ । ଏପର୍ଯ୍ୟନ୍ତ ଶିଶୁ ଅପରର ନିଷେଧ ମାନି କାର୍ଯ୍ୟ କରୁଥାଏ । ବର୍ତ୍ତମାନ ସମୟରୁ ଏହି ଅନ୍ତରସ୍ଥ ପିତା ବିବେକ ରୂପରେ ତା’ର ପ୍ରତ୍ୟେକ ଚିନ୍ତା, କାର୍ଯ୍ୟ, ଇଚ୍ଛା ଓ ଅନୁଭୂତିକୁ ନିୟନ୍ତ୍ରଣ କରନ୍ତି ।

 

ଇଡ଼ିପସ୍‌ ଅବସ୍ଥା ମଧ୍ୟଦେଇ ଗତି କରିଥିବା ହେତୁ ସେ ଯେଉଁ ଦ୍ଵନ୍ଦ୍ଵର ସମ୍ମୁଖୀନ ହୋଇଥିଲା ତାହାର ସମାଧାନ ସେ ସାଧାରଣତଃ ପିତା ସହିତ ଏକାତ୍ମବୋଧ କରି ଓ ମାତାଙ୍କ ପ୍ରତି ଉଦାସୀନତା ଅବଲମ୍ବନ କରିଥାଏ । ସବୁବେଳେ ଅବଶ୍ୟ ଏତେ ସୁରୁଖୁରୁରେ ଏ ସମସ୍ୟାର ସମାଧାନ ହୁଏନାହିଁ । ଅନେକ ସମୟରେ ପ୍ରତିକ୍ରିୟା ସୃଷ୍ଟି (Reaction formation) ହେତୁ ମାତା ପ୍ରତି ଉଦାସୀନତା ପରିବର୍ତ୍ତେ ଜିଜ୍ଞାସା ଭାବଜନ୍ମେ ଓ ପିତା ପ୍ରତି ଅସାଧାରଣ ଭକ୍ତି ଦେଖାଯାଏ । ଆମ ପୁରାଣରେ ମାତୃହନ୍ତା ପର୍ଶୁରାମଙ୍କ କାହାଣୀ ଏହାର ଏକ ଯଥାର୍ଥ ଉଦାହରଣ-। ଅନେକ ସମୟରେ ଯୌବନ କାଳରେ ସେ କୌଣସି ସ୍ତ୍ରୀଲୋକ ପ୍ରତି ଯୌନକାମନା ଅନୁଭବ କରି ନ ପାରି ଅବିବାହିତ ହୋଇ ରହିଯାଏ । କାରଣ ସ୍ତ୍ରୀ ପ୍ରତି ଯୌନକାମନା ବୋଧ ଶୈଶବର ଅବଦମିତ ମାତୃକାମନା ବୋଧକୁ ତା’ର ଅଚେତନ ମନରେ ଜାଗ୍ରତ କରିବାକୁ ଉଦ୍‌ବିଗ୍ନ କରି ତୋଳେ । ଯିଏ ସମ୍ପୂର୍ଣ୍ଣ ଯୌନକାମନାକୁ ଅବଦମନ କରିପାରି ନଥାଏ ସେ ସ୍ତ୍ରୀ ପରିବର୍ତ୍ତେ ଅନ୍ୟ ପୁରୁଷ ପ୍ରତି ଯୌନ–କାମନା ଅନୁଭବ କରି ଏ ସମସ୍ୟାର ସମାଧାନ କରେ ଓ ଯୌବନର ସମକାମୀ (Homo sexual) ହୋଇଉଠେ । ଅନେକେ ବିବାହକଲେ ନିଜଠାରୁ ବୟସ୍କା ସ୍ତ୍ରୀଲୋକ ବିବାହ କରି ପରୋକ୍ଷରେ ଇଡ଼ିପସ୍‌ ପରି ଏହି ଅବଦମିତ ଇଚ୍ଛାକୁ ପୂରଣ କରନ୍ତି । ସେହିପରି ଶିଶୁ ଯେତେବେଳେ ପିତା ସହିତ ଏକାତ୍ମବୋଧ କରି ନିଜେ ପିତାପରି ହୋଇଥାଏ, ସେ ପରୋକ୍ଷରେ ନିଜର ଅଚେତନ ମନରେ ପିତାସହିତ ମାତାର ବିଶେଷ ସମ୍ପର୍କର ଅଂଶ ପାଇଥାଏ । ଏହାଦ୍ୱାରା ନିଜର ‘ମାତୃକାମନା’କୁ ଆଂଶିକଭାବେ ପୂରଣ କରି ପିତାପ୍ରତି ନିଜର ଜିଜ୍ଞାସା ଓ ବିଦ୍ଵେଷକୁ ଆୟତ୍ତ କରିପାରେ । ଅନେକ ସମୟରେ ପିତା ନିଜେ ଏ ପଥରେ ଅନ୍ତରାୟ ହୋଇଥାଆନ୍ତି । ସ୍ତ୍ରୀର ଅଧିକାଂଶ ସମୟ ଶିଶୁ ପରିଚର୍ଯ୍ୟାରେ କଟୁଥିବାରୁ ସେ ନିଜେ ଶିଶୁ ପ୍ରତି ବିରାଗ ପୋଷଣ କରନ୍ତି । ଅଯଥାରେ ଶିଶୁକୁ ପ୍ରହାର ବା ତିରସ୍କାର କଲେ ଶିଶୁ ତାକୁ ଭୟକରେ କିନ୍ତୁ ପିତାପ୍ରତି ତା’ର ଜିଙ୍ଘାସା ଅନୁଭୂତି ବଢ଼ିଚାଲେ ଓ ଏହାକୁ ଦମନ କରିବା ତା’ ପକ୍ଷରେ ସମ୍ଭବ ହୁଏନାହିଁ । ପିତା ଓ ଶିଶୁର ସମ୍ପର୍କ କେବଳ ଶାସନର ସମ୍ପର୍କ ହୋଇ ଏକ ବିଦ୍ଵେଷପୂର୍ଣ୍ଣ ସମ୍ପର୍କ ହୋଇଉଠେ । ଏପରି କ୍ଷେତ୍ରରେ ଶିଶୁର ବିବେକର ବିକାଶ ବାଧାପ୍ରାପ୍ତ ହୁଏ । ଅଧିକାଂଶ ଅପରାଧୀ ବାଳକର ଜନ୍ମ ଇତିହାସରେ ଦେଖାଯାଏ ସେମାନେ ସାଧାରଣତଃ ପିତାଙ୍କଠାରୁ ନିଷ୍ଠୁର ଦୈହିକ ଶାସ୍ତି ପାଇଥାଆନ୍ତି । ବାପାଙ୍କ ସହିତ ମାଲିମକଦ୍ଦମା, ମନାନ୍ତର, ଓ ଅନେକ ସମୟରେ ପିତାଙ୍କୁ ହତ୍ୟା କରିବା ସମ୍ବାଦ ଆମ ଦେଶରେ ଖବରକାଗଜରେ ପ୍ରାୟ ପଢ଼ିବାକୁ ମିଳେ । ଯେଉଁ ଦେଶରେ ପିତାଧର୍ମ, ପିତାସ୍ଵର୍ଗ ଇତ୍ୟାଦି ଆଦର୍ଶ ବୋଲି କୁହାଯାଉଛି, ସେଠାରେ ଏତେ ସହଜରେ ପିତୃବିଦ୍ଵେଷର ନଗ୍ନ ପ୍ରକାଶ ଦେଖିବାକୁ ମିଳିବା ଆଶ୍ଚର୍ଯ୍ୟ ନୁହେଁ କି ? ସାଧାରଣ ପାରିବାରିକ ଜୀବନରେ ମଧ୍ୟ ବାଳକ ବାପାଙ୍କୁ ଶ୍ରଦ୍ଧା ଓ ଭକ୍ତିକରେ କିନ୍ତୁ ମାଆକୁ ମନକଥା, ନିଜର ସୁଖ ଦୁଃଖ କଥା କହେ । ପିତା ଓ ପୁତ୍ର ମଧ୍ୟରେ ଏ ଯେଉଁ ମାନସିକ ଦୂରତ୍ଵ ରହେ, ତାହା ପିତା ସହିତ ଏକାତ୍ମବୋଧ ଅନୁଭବ କରିବାପଥରେ ଅନ୍ତରାୟ ହୋଇ ରହେ । ଏପରି ଶିଶୁ ସବୁବେଳେ ଶାସ୍ତି ଭୟରେ ଦୁଷ୍କର୍ମରୁ ବିରତହୋଇ ରହେ ମାତ୍ର ଯେତେବେଳେ ଶାସ୍ତି ଭୟ ବା ଧରାପଡ଼ିବାର ଭୟ ନଥାଏ, ସେତେବେଳେ ଲାଞ୍ଚ, ମିଛ, ଦୁର୍ନୀତିରେ ଅତି ସହଜରେ ଲିପ୍ତହୁଏ ।

 

ବିବେକର ବିକାଶ ଆଲୋଚନା କଲାବେଳେ ମନେ ରଖିବାକୁ ହେବ ଯେ ଫ୍ରଏଡ଼୍ ଏ କ୍ଷେତ୍ରରେ ଜନ୍ମଦାତା (Biological father) ବା ଜନ୍ମଦାତା ପିତାଙ୍କ କଥା କେବଳ କହୁନାହାନ୍ତି-। ଯେଉଁ ବ୍ୟକ୍ତି ପିତାର ସ୍ଥାନ ନେଇ ଶିଶୁକୁ ପାଳନ କରିଛନ୍ତି ତାଙ୍କ ବିଷୟରେ କହୁଛନ୍ତି-। ଏପରି ବ୍ୟକ୍ତି ପିଲାର ଅଜା ବା ଜେଜେବାପା କିମ୍ବା କାକା, ବଡ଼ବାପା, ଯେ କେହି ହୋଇପାରନ୍ତି-। ଯଦି କୌଣସି କାରଣ ଯୋଗୁଁ ଶିଶୁ ପିତୃସମାନ ବ୍ୟକ୍ତି ସହିତ ଅନ୍ତରଙ୍ଗ ନ ହୋଇ ତାଙ୍କ ସହିତ ମାନସିକ ଦୂରତ୍ଵ ଅନୁଭବ କରେ ଓ ସେହି ବ୍ୟକ୍ତି ଶିଶୁ ଦୁଷ୍କର୍ମ କଲେ ତାକୁ ଶାସ୍ତି ଦିଅନ୍ତି, ମାତ୍ର ସୁକର୍ମ କଲେ ପ୍ରଶଂସା କରନ୍ତି ନାହିଁ ବା ସ୍ନେହାଦର ଦିଅନ୍ତିନାହିଁ, ଏପରି କ୍ଷେତ୍ରରେ ଶିଶୁର ବିବେକର ବିକାଶ ବାଧାପ୍ରାପ୍ତ ହେବ । ସେ ବିବେକୀ ନହୋଇ ଭୟାଳୁ ବ୍ୟକ୍ତି ହୁଏ । ପିତୃସ୍ଥାନୀୟ ବ୍ୟକ୍ତି ପ୍ରତି ଏହି ବିଦ୍ଵେଷ ଭାବ ଥିବାରୁ ସେ ପରବର୍ତ୍ତୀ ଜୀବନରେ ଶିକ୍ଷକ, ଶାସକ, ବିଚାରକ ଇତ୍ୟାଦି ଲୋକଙ୍କ ସମ୍ପର୍କରେ ଆସିଲେ ନିଜର ଅନିଚ୍ଛା ସତ୍ତ୍ଵେ ଏକ ବିରୋଧ ଭାବ ପୋଷଣ କରିବ-। ଯେଉଁଠାରେ ଶାସ୍ତି ଭୟଥିବ ସେଠାରେ ସେ ଅତି ବାଧ୍ୟ ବ୍ୟକ୍ତିପରି ବ୍ୟବହାର କରିବ ଓ ଯେଉଁଠାରେ ଶାସନ ଭୟ ନାହିଁ (ଜନତା ମେଳରେ, ପ୍ରଶେସନରେ ବା ସେ ବ୍ୟକ୍ତିର ଅନୁପସ୍ଥିତିରେ) ସେ ସର୍ବଦା ସେମାନଙ୍କର ବିରୁଦ୍ଧାଚରଣ କରିବ । ଏହି ବିଷୟରେ ଫ୍ରଏଡ଼୍, ଆଟୋୟ୍ୟାଙ୍କ, ଆଡ଼ଲର ଇତ୍ୟାଦିଙ୍କର ମତାମତ ପାଠକଙ୍କର ପଢ଼ିବା କଥା ।

 

ବିବେକର ବିକାଶ

 

ଏହି ଲିଙ୍ଗ–କୈନ୍ଦ୍ରିକ ଯୌନ ବିକାଶ ପର୍ଯ୍ୟାୟରେହିଁ ଶିଶୁ ମନରେ, ବିବେକର ସଞ୍ଚାର ହୋଇଥାଏ । ଏଥିପୂର୍ବରୁ ସେ କେତେଗୁଡ଼ିଏ ନିଷେଧ ଅସମ୍ବନ୍ଧ ଭାବରେ ମନେ ରଖିଥାଏ ଓ ସେହି ଅନୁସାରେ କେତେକ କାର୍ଯ୍ୟରୁ ବିରତହୁଏ । କିନ୍ତୁ ଏହି କାର୍ଯ୍ୟ ଉଚିତ କି ଅନୁଚିତ ଏ ଧାରଣା ତା’ର ନଥାଏ । ବର୍ତ୍ତମାନ ସେ ନିଜ କାର୍ଯ୍ୟର ବିଚାର କରି ସେହି ଅନୁସାରେ ଭଲ କାମ କଲେ ଆନନ୍ଦ ଓ ଖରାପ କାମକଲେ ମାନସିକ ଗ୍ଳାନି ଅନୁଭବ କରେ ।

 

ଫ୍ରଏଡ଼୍‍ଙ୍କ ମତରେ ଇଡ଼ିପସ୍‌ ସମସ୍ୟାର ସମାଧାନ ଫଳରେହିଁ ବିବେକର ସୂତ୍ରପାତ ହୋଇଥାଏ । ଏପର୍ଯ୍ୟନ୍ତ ସେ ପିତା ସହିତ ଅନ୍ତରଙ୍ଗ ହୋଇ ରହିଥିବାରୁ ସେ କେତେକ ବିଧି ନିଷେଧ ଶିଖିଥାଏ କିନ୍ତୁ ପିତା ସହିତ ଏକାତ୍ମବୋଧରୁହିଁ ସେ ପୁରୁଷୋଚିତ ଆଚରଣ, ବିବେକ, ନୀତି ଓ ଆଦର୍ଶ ସମ୍ବଳିତ ଏକ ଆଦର୍ଶ ପୁରୁଷକୁ ନିଜ ବ୍ୟକ୍ତିତ୍ଵର ଅନ୍ତର୍ଭୁକ୍ତ କରି ନିଜ ଚରିତ୍ରର ଏକ ଅଙ୍ଗ କରି ତୋଳେ । ବର୍ତ୍ତମାନଠାରୁ ବ୍ୟକ୍ତିମାନସ ସହିତ ବିବେକ ମଧ୍ୟ ପ୍ରବୃତ୍ତିକୁ ଅବଦମନ କରିବାକୁ ଆରମ୍ଭକରେ । ଅବଚେତନ ନିୟନ୍ତ୍ରଣ ପ୍ରକ୍ରିୟା (Censor) ଦ୍ଵାରା ଇଡ଼୍‍ର କୌଣସି ଚିନ୍ତା ଭାବନା ବା ଇଚ୍ଛାକୁ ସଚେତନ ମନର ସୀମାରେଖା ଅତିକ୍ରମ କରାଇଦିଏ ନାହିଁ । ପ୍ରବୃତ୍ତି ଜଡ଼ିତକାମନା ବର୍ତ୍ତମାନଠାରୁ କେବଳ ପରୋକ୍ଷରେ, ସ୍ଵପ୍ନର ଛଦ୍ମବେଶରେ, ବା ବିବେକସମ୍ମତ କାମନାକୁ ଆଶ୍ରୟ କରି ଅଚେତନ ସ୍ତରରୁ ମୁକ୍ତିପାଏ । କିନ୍ତୁ କେବେହେଁ ନିଜର ପ୍ରକୃତ ରୂପରେ ସଚେତନ ସ୍ତରକୁ ଆସିପାରେ ନାହିଁ ।

 

ଶିଶୁର ବିଚାର ଶକ୍ତି ଏବଂ ଯୁକ୍ତିଶୀଳତାର ବିକାଶ ପୂର୍ବରୁ ବିବେକର ଜନ୍ମ ହୋଇଥିବାରୁ ବିବେକର ଏହି ଅଂଶ ମନର ଅଚେତନ ସ୍ତରରେ ରହିଯାଏ । ପ୍ରବୃତ୍ତି ପରି ବିବେକର ଦାବି ମଧ୍ୟ ଅନେକାଂଶରେ ଅବାସ୍ତବ, ଅଯୌକ୍ତିକ ଓ ଶିଶୁସୁଲଭ । ସେ ପ୍ରବୃତ୍ତି ପରି ଅନେକ ସମୟରେ ବ୍ୟକ୍ତି ମାନସର ସମନ୍ଵୟ କାର୍ଯ୍ୟରେ ପ୍ରତିବନ୍ଧକ ହୋଇ ଦେଖାଦିଏ ଓ ଯେ ପର୍ଯ୍ୟନ୍ତ ଇଗୋ ତାକୁ ସନ୍ତୁଷ୍ଟ କରି ନପାରିଛି ସେ ପର୍ଯ୍ୟନ୍ତ ସେ ଏହାକୁ ନିର୍ଯାତନ କରୁଥାଏ । ସମରସେଟ୍‌ ମମଙ୍କ ଲିଖିତ ଦି ରେନ୍‌ (The Rain) ଗଳ୍ପ ଏହାର ଏକ ଉତ୍କୃଷ୍ଟ ଉଦାହରଣ । The Rainର ନାୟକ ପାଦ୍ରୀ ଶେଷରେ ଆତ୍ମହତ୍ୟା କରି ନିଜର ପାପବୋଧରୁ ମୁକ୍ତି ପାଇଥିଲା ।

 

ଏଥିଯୋଗୁଁ କେବଳ ଯୌନ–କାମନାର ସ୍ଵତଃସ୍ଫୂର୍ତ୍ତ ପ୍ରକାଶ ଘଟିଲେ ମାନସିକ ବ୍ୟାଧିର ଉପଶମ ହୋଇଯିବ, ଏକଥା ଭାବିବା ଭୁଲ । କାରଣ, କେବଳ ଯୌନ କାମନା ନୁହେଁ, ଆମେ ଆମର ଜିଙ୍ଘାସା ପ୍ରବୃତ୍ତିକୁ, ଲୋଭ ଇତ୍ୟାଦି ଅନ୍ୟାନ୍ୟ ଅସାମାଜିକ କାମନାକୁ ମଧ୍ୟ ଅବଦମନ କରୁ । ବିବେକ ନଥିଲେ, ଯେ ମାନସିକ ବ୍ୟାଧି ରହିବନାହିଁ ଏକଥା ମଧ୍ୟ ଠିକ୍ ନୁହେଁ । ବିବେକହୀନ ବ୍ୟକ୍ତି ଯାହାକୁ କି ଜନ୍ମାପରାଧୀ (Psychopath) ବୋଲି କୁହାଯାଏ, ସେମାନଙ୍କର ଚରିତ୍ର ଆଲୋଚନା କଲେ ବିବେକର ପ୍ରୟୋଜନ ଯେ କେତେ ବେଶୀ ସେ କଥା ଯେ କେହି ଅନୁଭବ କରିବେ । ବିବେକ ବ୍ୟକ୍ତିକୁ ସମାଜ–ସମ୍ମତ ପଥରେ ଅଗ୍ରସର ହେବାକୁ ଶକ୍ତି ଓ ସାମର୍ଥ୍ୟ ଯୋଗାଏ । ଯଦି ବ୍ୟକ୍ତି କାମନାର ଦାସ ହୋଇ ନିଜର ପ୍ରବୃତ୍ତି ଚରିତାର୍ଥ କରିବା ଛଡ଼ା ଅନ୍ୟ କୌଣସି ବିଷୟ ଚିନ୍ତା କରନ୍ତା ନାହିଁ ତେବେ ସେ ଅମଣିଷ ହୋଇ ରହିଯାଆନ୍ତା । ପ୍ରବୃତ୍ତି ଚରିତାର୍ଥ କରିବା ଆନନ୍ଦଠାରୁ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ମାନବିକ ଆଦର୍ଶ ଅନୁସରଣରେ ଆଉ ଯେ ଏକପ୍ରକାର ଆନନ୍ଦ ରହିଛି ସେ କଥା ବିବେକ ନଥିଲେ ସେ କେବେହେଁ ହୃଦୟଙ୍ଗମ କରିପାରନ୍ତା ନାହିଁ ।

 

ବିବେକ ଯେ କେବଳ ବିଧି ନିଷେଧର ନିୟାମକତା ନୁହେଁ । ବିବେକ ନିଜ ସମାଜର ପରମ୍ପରା ଓ ଐତିହ୍ୟର ରକ୍ଷକ ରୂପରେ ଶିଶୁ ମନରେ ସାମାଜିକ ଚେତନାର ସଞ୍ଚାରକରେ । ସେ କେବଳ ବ୍ୟକ୍ତି ବିଶେଷ ନୁହେଁ, ସେ ଏକ ଗୋଷ୍ଠୀର ଅଙ୍ଗ ଏବଂ ନିଜ ଗୋଷ୍ଠୀର ଆଚରିତ ରୀତିନୀତି ମଧ୍ୟ ତାହାର ରୀତିନୀତି, ଏ କଥା ସେ ଶିଖେ ।

 

ଫ୍ରଏଡ଼୍‍ଙ୍କ କହିବା କଥା ହେଲା ଯେ, ବିବେକର ଯଥାର୍ଥ ବିକାଶ ନହେଲେ କିମ୍ବା ବିବେକ ଯଦି ବିଚାରହୀନ ହୋଇ କେବଳ କଠୋର ଶାସ୍ତିଦାତା ରୂପରେ ବ୍ୟକ୍ତି ମାନସର ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ, ତେବେ ସେଠାରେ ମାନସିକ ଅସୁସ୍ଥତା ଦେଖାଯିବ । ଅକାରଣ ପାପବୋଧ, ଅହେତୁକ ମାନସିକ ଗ୍ଳାନି; ନିଜ ପ୍ରତି ହେୟଜ୍ଞାନ, ଅଯଥା ମାନସିକ ବିଷଣ୍ଣତା ଇତ୍ୟାଦି ଆବେଗଜନିତ ତ୍ରୁଟି ଦେଖାଦେଲେ, ବିବେକର ପ୍ରକ୍ରିୟା ସୁସ୍ଥ ଓ ସ୍ଵାଭାବିକ ନୁହେଁ ବୋଲି କୁହାଯିବ ।

 

ବାଳିକାର ମାନସିକ ବିକାଶ

 

ଲିଙ୍ଗ–କେନ୍ଦ୍ରିକ ଯୌନ ବିକାଶ ପର୍ଯ୍ୟାୟରେ ବାଳିକା ବାଳକ ପରି ନିଜର ଶରୀରର ଗଠନ ବିଷୟରେ କୌତୂହଳୀ ହୋଇଉଠେ ଓ ଶିଶୁ ଏବଂ ବୟସ୍କ ବ୍ୟକ୍ତି, ବାଳିକା ଓ ବାଳକ ମଧ୍ୟରେ ଥିବା ଦୈହିକ ପାର୍ଥକ୍ୟ ବିଷୟରେ କ୍ରମଶଃ ସଚେତନ ହୁଏ । ଅନେକ ସମୟରେ ନିଜର ଉପସ୍ଥ ପ୍ରଦେଶ (ଯୋନିଦେଶ) କୁଣ୍ଡାଇଲା କେବଳ ହସ୍ତମୈଥୁନର ଆନନ୍ଦ ଅନୁଭବ କରି ସେଥିରେ ଲିପ୍ତହୁଏ ଓ ଅନ୍ୟର ଅନାବୃତ ଅଙ୍ଗ ଦେଖିବାରେ ଆଗ୍ରହୀ ହୁଏ ।

 

ଅପରର କଥାବାର୍ତ୍ତା ଶୁଣି ବାଳକ ପରି ବାଳିକା ମଧ୍ୟ ଯୌନାଙ୍ଗ ଛେଦନ ରୂପକ ଶାସ୍ତି ବିଷୟରେ ଅବହିତ ହୁଏ । କ୍ରମଶଃ ନିଜ ଶରୀର ଗଠନ ପର୍ଯ୍ୟବେକ୍ଷଣ କରି ସେ ଦେଖେ ଯେ ବାଳକ ପରି ତା’ର ଲିଙ୍ଗ ନାହିଁ । ଯେହେତୁ ଏ ବୟସ ପର୍ଯ୍ୟନ୍ତ ଅଧିକାଂଶ ସମୟରେ ମାତା, ବାଳକ ଓ ବାଳିକା ଉଭୟଙ୍କୁ ଶାସନ କରୁଥାଆନ୍ତି । ସେ ଭାବେ ଯେ ମା’ ଯେକୌଣସି ମନ୍ଦକାର୍ଯ୍ୟ କରିଥିବାରୁ ତା’ର ଯୌନାଙ୍ଗ ଛେଦନ କରିଛନ୍ତି ଓ ସେଥିଲାଗି ତା’ର ଲିଙ୍ଗହାନି ଘଟିଛି । ଅଧିକାଂଶ ପିତୃତାନ୍ତ୍ରିକ ସମାଜରେ ବାଳକ ପରିବାରରେ ଓ ପରିବାର ବାହାରେ ଅଧିକ ଆଦରର ବସ୍ତୁ ହୋଇଥିବାରୁ ପରିବାରରେ ବାଳକର ସ୍ଥାନ ଯେ ଉଚ୍ଚ ଏକଥା ବାଳିକା ବେଶ୍ ଭଲ ଭାବରେ ଜାଣିଥାଏ । ଅନେକ ମାଆ ଖୋଲା ଭାବରେ ସବୁ କଥାରେ ପୁଅ ପ୍ରତି ପକ୍ଷପାତିତା ଦେଖାନ୍ତି । ତେଣୁ ସାଧାରଣତଃ ବାଳକ ତା’ର ଈର୍ଷାର ପାତ୍ର ହୁଅନ୍ତି । ଯେହେତୁ କେବଳ ଲିଙ୍ଗଦ୍ଵାରା ସେମାନଙ୍କର ପାର୍ଥକ୍ୟ ସୂଚିତ ହୁଏ, ବାଳିକା ମଧ୍ୟ ଲିଙ୍ଗକୁ ଏକ ମୂଲ୍ୟବାନ ଅଙ୍ଗ ବୋଲି ଭାବେ । ସେ ଭାବେ ତା’ର ଯଦି ଲିଙ୍ଗ ଥାଆନ୍ତା ସେ ମଧ୍ୟ ପୁରୁଷ ପିଲା ପରି ସବୁପ୍ରକାର ସୁଯୋଗ ସୁବିଧା ମନୋଯୋଗ ଓ ଆଦର ପାଇପାରନ୍ତା । ଏହି ପ୍ରକାର ମନୋଭାବକୁ ଫ୍ରଏଡ଼୍ ଲିଙ୍ଗ ଈର୍ଷା (Penis envy) ବୋଲି କହିଛନ୍ତି । ଏପରି ଅବସ୍ଥାରେ ଯେତେବେଳେ ବାଳିକା ନିଜର ଲିଙ୍ଗହୀନତା ହେତୁ ମା’ଠାରୁ ଶାସ୍ତି ଓ ହତାଦର ପାଉଛି ବୋଲି ଭାବେ ଏବଂ ମାଆ ଶାସୟିତ୍ରୀ ହୋଇଥିବାରୁ ନିଶ୍ଚୟ ତା’ର ଲିଙ୍ଗ ଛେଦନ କରିଛନ୍ତି, ବୋଲି ଭାବେ, ସେତେବେଳେ ସେ ମାଆ ପ୍ରତି ଆକ୍ରୋଶ ଅନୁଭବ କରେ । ବାଳକ ମନରେ ମଧ୍ୟ ମାତା ଶାସୟିତ୍ରୀ ହୋଇଥିବାରୁ ତାଙ୍କ ପ୍ରତି ପ୍ରଚ୍ଛନ୍ନ ଆକ୍ରୋଶ ଭାବଥାଏ । କିନ୍ତୁ ସେ ଅନୁଭୂତି ସହଜରେ ସଚେତ ମନକୁ ଆସେ ନାହିଁ । ମାଆ ପ୍ରତି ଥିବା ପ୍ରୀତି ଅନୁଭୂତି ତାକୁ ଆଚ୍ଛନ୍ନ କରି ରହିଥାଏ । ଏଥିଯୋଗୁଁ ପୁରାଣ କଥା କିମ୍ବଦନ୍ତୀ, ଲୋକଗାଥାରେହିଁ ଆମେ ମନ୍ଦ ମାତାର ଭାବରୂପ ବିମାତା, ଡାକିନୀ, ଯୋଗିନୀ, ପିଶାଚୀ ଇତ୍ୟାଦି ଚରିତ୍ରରେ ଦେଖିଥାଉ ।

 

ବାଳିକା ସଚେତନ ମନରେ ମାଆ ପ୍ରତି ଏହି ଆକ୍ରୋଶ ଅନୁଭବ କରେ ଓ ଏପ୍ରକାର ଅନୁଭବ କରିବାଟା ଯେ ଅନ୍ୟାୟ ଏକଥା ଜାଣି ମନରେ ଗ୍ଳାନି ଅନୁଭବ କରେ । ଯେଉଁ ମା’ ପ୍ରୀତିର ପାତ୍ରୀ, ସେଇ ମାଆ ପ୍ରତି ଆକ୍ରୋଶ ଅନୁଭବ କରିବା ବା କ୍ରୋଧବଶରେ ତାହାର ମୃତ୍ୟୁକାମନା କରିବାଟା ଯେ ଅନ୍ୟାୟ ସେ କଥା ସେ ଜାଣେ । ପୁନଶ୍ଚ ଶିଶୁ ମନରେ ଆରୋପ ପ୍ରକ୍ରିୟା (Projection) କାର୍ଯ୍ୟ କରୁଥିବାରୁ ସେ ଭାବେ ମାଆ ମଧ୍ୟ ତା’ ପ୍ରତି ଏହି ପ୍ରକାର ଆକ୍ରୋଶ ଅନୁଭବ କରୁଥିବେ । ମାତାର ଆକ୍ରୋଶର ବସ୍ତୁ ହେବାଟା ତା’ ପକ୍ଷରେ ଅତ୍ୟନ୍ତ କ୍ଳେଶଦାୟକ ହୋଇଥିବାରୁ ସେ ମାଆ ପ୍ରତି ତା’ର ସମ୍ପୂର୍ଣ୍ଣ ମନୋଭାବକୁ ଅବଦମିତ କରେ । ଏପରି ସ୍ଥଳରେ ଝିଅଟି ପିତା ପ୍ରତି ବିଶେଷ ଆକୃଷ୍ଟ ହୁଏ । ସାଧାରଣତଃ ସବୁ ସମାଜରେ ବାପା ଝିଅକୁ ଖୁବ୍‌ କମ୍‌ ଶାସନ କରନ୍ତି ଓ ସେ ବାପା ପ୍ରତି ଆକ୍ରୋଶ ଅନୁଭବ କରୁ ନଥିବାରୁ ବାପାଙ୍କର ଯେ ତା’ ପ୍ରତି ଆକ୍ରୋଶ ବା ବିରାଗ ନାହିଁ–ସେ କଥା ସେ ମନରେ ଭାବେ । ସେ ଭାବେ, ସେ ମା’ ପରି ହେଲେ ବାପାଙ୍କଠାରୁ ଆହୁରି ଅଧିକ ଆଦର ଓ ମନୋଯୋଗ ପାଇବ ଓ ମାଆ ପରି ପୁତ୍ରବତୀ ହୋଇ ନିଜର ପ୍ରାଧାନ୍ୟ ଜାହିର କରିବ । ଫ୍ରଏଡ଼୍ ବହୁ କ୍ଷେତ୍ରରେ ନାରୀ–ରୋଗୀର ମାନସିକ ବିଶ୍ଳେଷଣ କାଳରେ ଦେଖିଛନ୍ତି ଯେ ଶୈଶବ ଅବସ୍ଥାରେ ପୁତ୍ର ଓ ଲିଙ୍ଗ ଏକ ବସ୍ତୁ ବୋଲି ଭ୍ରାନ୍ତଧାରଣା ଅଚେତନ ମନରେ ଥାଏ । ଏହାଛଡ଼ା ସ୍ତ୍ରୀ ପୁରୁଷ ମୈଥୁନକ୍ରିୟା ଦେଖି ସେ ଭାବେ ଯେ ମୈଥୁନ ମାଧ୍ୟମରେହିଁ ସେ ପୁଣି ଲିଙ୍ଗ ଫେରିପାଇବ । ଏହିପରି ଅସ୍ପଷ୍ଟ ଓ ବିଭ୍ରାନ୍ତ ବୁଝାମଣା ଯୋଗୁଁ ସେ ପିତା ସହିତ ମୈଥୁନ ଇଚ୍ଛା କରିଥାଏ ଓ ପୁତ୍ରବତୀ ହେବାର ଇଚ୍ଛା ମଧ୍ୟ ମନରେ ଜନ୍ମେ-। ଏହି ବୟସର ଝିଅ ଅନେକ ସମୟରେ ବାପାକୁ ବାହାହେବି ବାହାହେବି କହି ମନର ଏ ଇଚ୍ଛା ମଧ୍ୟ ପ୍ରକାଶ କରିଥାଆନ୍ତି । ଏମିତି ଅସଭ୍ୟ କଥା କହନ୍ତି ନାହିଁ ବୋଲି ବାରମ୍ବାର ତିରସ୍କୃତ ହେଲେ ସେ ଆଉ ଏହି ଇଚ୍ଛା ମୁହଁରେ ପ୍ରକାଶ କରେ ନାହିଁ । କିନ୍ତୁ ପିତା ବା ପୁରୁଷ ପ୍ରତି ଏହି ଯୌନକାମନା ତା’ ମନରେ ରହିଥାଏ । ସେ କ୍ରମଶଃ ମାତାକୁ ଆଦର୍ଶ କରି, ମାତାକୁ ପ୍ରତି କଥାରେ ଅନୁସରଣ କରି ନିଜର କଳ୍ପନାରେ ମାତା ଓ ନିଜକୁ ଏକ ବ୍ୟକ୍ତି ରୂପରେ ଦେଖି ପିତା ସହିତ ଥିବା ମାତାର ସ୍ଵତନ୍ତ୍ର ସମ୍ପର୍କରେ ଅଂଶୀଦାର ହୁଏ । ଏହା ଫଳରେ ତା’ର ସ୍ତ୍ରୀ–ସୁଲଭ ବ୍ୟକ୍ତିତ୍ଵର ବିକାଶ ହୁଏ ଓ ସେ ପୁରୁଷ ହେବାର ପ୍ରଚେଷ୍ଟା ତ୍ୟାଗକରି (Tomboy phase) ସ୍ତ୍ରୀ–ସୁଲଭ ଆଚାର ବ୍ୟବହାର ଶିଖେ ।

 

ଫ୍ରଏଡ଼୍‍ଙ୍କ ମତରେ ବାଳିକା ପକ୍ଷରେ ଇଡ଼ିପସ୍‍–ଅଧ୍ୟାୟ ବିଶେଷ ସଂଘାତଶୀଳ ନୁହେଁ । ନିଜର ଲିଙ୍ଗହାନି ଘଟିଛି ବୋଲି ବିଶ୍ଵାସ ଯୋଗୁଁ ବାଳକଙ୍କ ପରି ଶାସ୍ତିର ସମ୍ଭାବନା କଳ୍ପନା କରି ଉଦ୍‌ବିଗ୍ନ ହୋଇ ରହେନି । ଅଥଚ ବାଳକ ଲାଗି ଯେକୌଣସି ଶାସ୍ତିର ସମ୍ଭାବନା ଏହି ଆଦିମ ଯୌନାଙ୍ଗ–ହାନିର ଭୟ ଜାଗ୍ରତ କରୁଥିବାରୁ ସେ ସର୍ବଦା ଆତଙ୍କିତ ହୋଇ ରହେ । ଦ୍ଵିତୀୟରେ ଏହା ଫଳରେ ବାଳିକା ପୁରୁଷ ପ୍ରତି ଆକୃଷ୍ଟ ହୁଏ । ନଚେତ୍‌ ମାତା ପ୍ରତି ଆସକ୍ତ ହୋଇ ରହିଲେ ସେ ପରବର୍ତ୍ତୀ ଜୀବନରେ ବିପରୀତକାମୀ (heterosexual) ନହୋଇ ସହକାମୀ ହୋଇ ଉଠିଥାଆନ୍ତା । ମାତା ସହିତ ଏକାତ୍ମବୋଧ ଫଳରେ ତା’ର ବିବେକ ସ୍ତ୍ରୀ–ସୁଲଭ ବିବେକ ହୋଇ ବିକାଶ ଲାଭ କରେ । ସେ ପୁରୁଷ ପରି ଚିନ୍ତାଶୀଳ ଆଦର୍ଶବାଦୀ ହୁଏନି ସତ; ମାତ୍ର ଦୟା, କ୍ଷମା, କରୁଣା ଇତ୍ୟାଦି ଆବେଗମୟ ଆଦର୍ଶଦ୍ଵାରା ସେ ପରିଚାଳିତ ହୁଏ । ତା’ର କଠୋର ବିବେକ ଜ୍ଞାନ ଥିବାରୁ ସେ ପୁରୁଷ ପରି ପାପବୋଧର ତୀବ୍ର ଗ୍ଳାନି ଅନୁଭବ କରେନାହିଁ । Castration complex ଫଳରେ ପୁରୁଷମାନଙ୍କର ଯୌନ–ଜୀବନରେ ଯେ ପ୍ରକାର ତ୍ରୁଟି ଦେଖାଯାଏ, ସାଧାରଣତଃ ବାଳିକାର ଯୌନ–ଜୀବନ ସେ ପ୍ରକାର ଜଟିଳତାରୁ ମୁକ୍ତ ହୋଇଥାଏ ।

 

ପ୍ରକୃତରେ ଫ୍ରଏଡ଼୍ ଅପେକ୍ଷା ବାଳିକାର ମାନସିକ ବିକାଶ ବିଷୟରେ Karen Honney ବହୁ ତଥ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି । ପାଠକ ଇଚ୍ଛାକଲେ ତାଙ୍କର ମତାମତ ଏହି ପ୍ରସଙ୍ଗରେ ପଢ଼ି ଆଲୋଚନା କରିପାରନ୍ତି ।

 

ଚତୁର୍ଥ ପର୍ଯ୍ୟାୟ

 

ଇଡ଼ିପସ୍‌ କମ୍‌ପ୍ଲେକସ୍‌କୁ ଅବଦମିତ କରି ଶିଶୁ ନିଜଳୁ ସମସ୍ତ ପ୍ରକାର ଯୌନ–କାମନାର ନିବୃତ୍ତି କରି କୈଶୋର ପର୍ଯ୍ୟନ୍ତ, ଏକ ଯୌନ–ବିକାଶ ହୀନ ପର୍ଯ୍ୟାୟ ନେଇ ଗତିକରେ-। ଏହି ସମୟରେ ସେ ମୁଖ, ପାୟୁ ବା ଲିଙ୍ଗ ଏହି ସମସ୍ତ ସ୍ଥଳରେ ମଧ୍ୟ ଅପେକ୍ଷାକୃତ ଅଳ୍ପ ଯୌନ ସମ୍ବେଦନ ଅନୁଭବ କରେ । କୈଶୋରରେ ଅନ୍ତଃସ୍ରାବୀ ଯୌନଗ୍ରନ୍ଥିଗୁଡ଼ିକ ସକ୍ରିୟ ହୋଇ ଉଠିଲେ ତା’ର ଶରୀରର କୈଶୋର–ସୁଲଭ ପରିବର୍ତ୍ତନ ଓ ଯୌନ ବିକାଶ ଦେଖାଯାଏ ଓ ପୁନରାୟ ଯୌନ ସମ୍ବେଦନା ଅନୁଭବ କରେ ।

 

ଛଅବର୍ଷ ବୟସଠାରୁ କୈଶୋର ପର୍ଯ୍ୟନ୍ତ ଏହି ଆପାତ ଯୌନ–ବିକାଶହୀନ ପର୍ଯ୍ୟାୟକୁ ଫ୍ରଏଡ଼୍ ଯୌନ ବିକାଶର ଅପ୍ରଚ୍ଛନ୍ନ ଅବସ୍ଥା (Latency Stage) ବୋଲି କହିଛନ୍ତି । ତାଙ୍କର ମାନସିକ ବିକାଶ ତତ୍ତ୍ଵର ମୂଳଭିତ୍ତି ଯୌନ ସମ୍ବେଦନା ଉପରେ ପ୍ରତିଷ୍ଠିତ ଥିବାରୁ ସେ ଏହି ବିଷୟରେ ଚାରିତ୍ରିକ ଓ ବ୍ୟବହାରିକ ବୈଶିଷ୍ଟ୍ୟ ସମ୍ବନ୍ଧରେ ବିଶେଷ କିଛି କହି ନାହାନ୍ତି । ଏହି ବୟସରେ ଜ୍ଞାନ ସମ୍ବନ୍ଧରେ ଶିଶୁର କୌତୂହଳ ବଢ଼େ ଓ ସେ ଜ୍ଞାନ ସଞ୍ଚୟରେ ଆଗ୍ରହୀ ହୋଇଉଠେ ବୋଲି ଫ୍ରଏଡ଼୍ ପର୍ଯ୍ୟବେକ୍ଷଣ କରିଛନ୍ତି ମାତ୍ର ।

 

ଏରିକ୍‌ସନ୍‌ ଇତ୍ୟାଦି ପରବର୍ତ୍ତୀ ମନୋବିଶ୍ଳେଷକମାନେ ଏହି ବିଦ୍ୟାରମ୍ଭ ବୟସରେ ଘଟୁଥିବା ମାନସିକ ଦ୍ୱନ୍ଦ୍ୱ, ଚାରିତ୍ରିକ ତ୍ରୁଟି ଓ ବ୍ୟକ୍ତିତ୍ୱର ବିକାଶ ବିଷୟରେ ବହୁ ତଥ୍ୟପୂର୍ଣ୍ଣ ଆଲୋଚନାମାନ କରିଛନ୍ତି ।

 

ସେମାନଙ୍କ ମତରେ ଶିଶୁ ଯଦି ନିଜ କ୍ଷମତା ବିଷୟରେ ସନ୍ଦେହୀ ଥାଏ ଓ ପିତା ମାତାଙ୍କ ବିନା ସାହାଯ୍ୟରେ କୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ନଥାଏ, ତେବେ ସେ ପ୍ରକାର ଶିଶୁର ବିଦ୍ୟାଳୟରେ ବହୁପ୍ରକାର ସମସ୍ୟା ଦେଖାଯାଏ । ଯେଉଁ ଶିଶୁ ଘରେ ଅତିଯତ୍ନ (Overprecaution)ରେ ବଢ଼ିଥାଏ, ହଠାତ୍‌ ବିଦ୍ୟାଳୟର ପ୍ରତିଯୋଗିତାମୂଳକ ଅବସ୍ଥାର ସମ୍ମୁଖୀନ ହେଲେ, ସେ କ’ଣ କରିବ ଜାଣିପାରେ ନାହିଁ । ନିଜକୁ ଅତ୍ୟନ୍ତ ଅସହାୟ, ନିରାଶ୍ରୟ ଓ ଅପର ଶିଶୁଙ୍କ ତୁଳନାରେ ହୀନ ବୋଧ କରୁଥିବାରୁ ସେ ବିଦ୍ୟାଳୟକୁ ଯିବାପାଇଁ ଇଚ୍ଛାକରେ ନାହିଁ-। ଅଥଚ ବିଦ୍ୟାଳୟ ଯିବାକୁ ପଡ଼ିବ ବୋଲି ଜାଣିଥିବାରୁ ସେ ତୀବ୍ର ମାନସିକ ସଂଘାତର (ଯିବା ଓ ନ ଯିବାର ଇଚ୍ଛା) ସମ୍ମୁଖୀନ ହୁଏ । ଏ ପ୍ରକାର ଶିଶୁଙ୍କଠାରେ ବାନ୍ତିହେବା, ପେଟବଥା ହେବା, ମୁଣ୍ଡ ବିନ୍ଧିବା, ପାଟି ଖନିବାଜିବା ଇତ୍ୟାଦି ମାନସିକ ଚାପ (Mental stress)ର ଫଳମାନ ଦେଖିବାକୁ ମିଳେ । ଅପରପକ୍ଷେ ଯେଉଁ ଶିଶୁ ପିତାମାତାଙ୍କ ପ୍ରତି ବିରୋଧ ଭାବ ପୋଷଣ କରେ ସେ ବିଦ୍ୟାଳୟର ନିୟମ ମାନି ଚଳି ପାରେନାହିଁ । ପ୍ରତି କଥାରେ ଶିକ୍ଷକ ଓ ଅନ୍ୟ ଶିଶୁ ସହିତ ତା’ର ବିରୋଧ ଘଟେ ଓ କାଳକ୍ରମେ ସେ ସ୍କୁଲ୍‍ରେ ଏକ ସମସ୍ୟା ହୋଇ ଦେଖାଦିଏ ।

 

ଏ ବିଷୟରେ ଯେଉଁମାନେ ଅଧିକ ତଥ୍ୟ ଜାଣିବାକୁ ଆଗ୍ରହୀ ସେମାନେ ଏରିକ୍‌ସନ୍‌ ଦାମିଲାନୀ କଲାସନଙ୍କ ଲେଖା ପଢ଼ିଲେ ଉପକୃତ ହେବେ ।

☆☆☆

 

ଚତୁର୍ଥ ପରିଚ୍ଛେଦ

ଅଚେତନ ମନର ଭାବନା

 

ମନର ଭାବନା କେତେବେଳେ ସ୍ପଷ୍ଟ ଓ ପରିସ୍ଫୁଟ, ଓ ଆଉ କେତେବେଳେ ଗୁପ୍ତ ଓ ଅସ୍ପଷ୍ଟ ହୋଇଥାଏ । ବିବେକର ତାଡ଼ନା ଓ ବାସ୍ତବ ଜଗତର ନୀତି ନିୟମର ସଂକୀର୍ଣ୍ଣ ପରିସର ମଧ୍ୟରେ ମନର ସବୁ ଭାବନା ପ୍ରକାଶିତ ହୁଏନାହିଁ । ଅନ୍ତର୍ନିହିତ ଭାବନା ବା ଚିନ୍ତା ସଚେତନ ମନରେ ଜଡ଼ିତ ନ ହୋଇ ଅବଚେତନ ଓ ଅଚେତନ ମନରେ ରହିଯାଏ । କିନ୍ତୁ ଏହି ଗୁପ୍ତଚିନ୍ତା ଆବେଗମୟ ଓ ଇଡ଼୍‌ରୁ ଉତ୍ପନ୍ନ ହୋଇଥିବାରୁ ଅତି ଶକ୍ତିଶାଳୀ । କୌଣସି ନା କୌଣସି ଉପାୟରେ ଗୁପ୍ତ ଭାବନା ଓ କାମନା ପରିସ୍ଫୁଟ ହୋଇ ସନ୍ତୋଷ ଲାଭ କରିବାକୁ ଚେଷ୍ଟାକରେ । ଏଥିପାଇଁ ଚେତନ ଓ ଅଚେତନ ଉଭୟ ସ୍ତରରେ ସଂଘାତ (Conflict)ର ସୃଷ୍ଟି ହୁଏ । ଆଡ଼ପାଗଳାମି ଓ ପାଗଳାମିର ଅନେକ ଲକ୍ଷଣ ମାଧ୍ୟମରେ ଏଗୁଡ଼ିକ ପ୍ରକାଶ ପାଏ । ସାଧାରଣ ମଣିଷର ସ୍ୱପ୍ନ ବିଶ୍ଳେଷଣ କଲେ ଇଡ଼୍ ଜାତୀୟ କାମନାର ପ୍ରକାଶ ଅତି ପରିଷ୍କାର ଭାବରେ ଜଣାପଡ଼େ । ଫ୍ରଏଡ଼୍ ମଣିଷର ଦୈନନ୍ଦିନ କାର୍ଯ୍ୟକଳାପକୁ ଆଲୋଚନା କରି ଅଚେତନ ମନର ଭାବନାକୁ ସ୍ପଷ୍ଟ ଭାବରେ ଧରି ପାରିଛନ୍ତି । ବାସ୍ତବିକ ଇଡ଼୍‍ର କାମନା ଏପରି ଆଶ୍ଚର୍ଯ୍ୟଜନକ ରୂପରେ ପ୍ରକାଶ ହୁଏ ଯେ ମନୋବିଜ୍ଞାନୀ ଇଡ଼୍‍ର ଚାତୁରୀଦ୍ୱାରା ମୁଗ୍ଧ ହୋଇଛନ୍ତି । ଫ୍ରଏଡ଼୍ ପ୍ରଥମେ ଯେତେବେଳେ ପ୍ରଚ୍ଛନ୍ନତାର ମୁଖାଖୋଲି ମଣିଷର ଦୈନନ୍ଦିନ କାର୍ଯ୍ୟକଳାପରେ ଆଦିମ ପ୍ରବୃତ୍ତିର ପ୍ରକାଶ ଲକ୍ଷ୍ୟକଲେ । ‘ତାଙ୍କର ମନ ଆନନ୍ଦରେ ଉଦ୍‌ବେଳିତ ହେଲା । ଏଡ଼େବଡ଼ ଆବିଷ୍କାର ମଣିଷର ଜୀବନରେ ମାତ୍ର ଥରେ କରିବା ସମ୍ଭବ’ ବୋଲି ଫ୍ରଏଡ଼୍ ହୃଦୟଙ୍ଗମ କଲେ ।

 

ମନର ୧୦ ଭାଗର ନଅ ଭାଗ ଅଚେତନ । ସମୁଦ୍ରରେ ଭାସୁଥିବା ତୁଷାର ପର୍ବତ ଭଳି ଏହାର ସଚେତନ ଅଂଶଟି ବାହାରକୁ ଜଣାପଡ଼େ । କିନ୍ତୁ ଅଚେତନ ଅଂଶ କେବଳ ବିରାଟ ଓ ଗୁପ୍ତ ଭାବରେ ରହେ ତାହା ନୁହେଁ । ବ୍ୟକ୍ତିର ଜୀବନ ଉପରେ ଏହାର ପ୍ରଭାବ ଅକଳନୀୟ । ତେଣୁ ଅଚେତନ ମନର ରୂପରେଖ, ଭାବନା ଓ କାମନାର ସ୍ରୋତ, ଘାତ ପ୍ରତିଘାତ ନ ଜାଣିଲେ ଅସୁସ୍ଥ ମନକୁ ସଜାଡ଼ିବା ଅସମ୍ଭବ । ଫ୍ରଏଡ଼୍ ଏଥିଯୋଗୁଁ ଅଚେତନ ମନର ଭାବନା ବିଶ୍ଳେଷଣ କରିବାରେ ବେଶି ଜୋର ଦେଉଥିଲେ । ସ୍ୱପ୍ନବିଶ୍ଳେଷଣଦ୍ୱାରା ଅଚେତନ ଭାବନା ଓ ଆକାଂକ୍ଷା ସବୁଠାରୁ ଭଲ ଭାବରେ ଜଣାପଡ଼େ । ତେଣୁ ଫ୍ରଏଡ଼୍‍ଙ୍କର ଚିକିତ୍ସା ପଦ୍ଧତିରେ ଏହାଏକ ବିଶିଷ୍ଟସ୍ଥାନ ପାଇଛି ।

 

ସ୍ୱପ୍ନର ତାତ୍ପର୍ଯ୍ୟ

 

ସ୍ୱପ୍ନର ବିଷୟବସ୍ତୁ ଅଚେତନ ଭାବନାକୁ ପ୍ରତିଫଳିତ କରୁଥିବାରୁ ସ୍ୱପ୍ନକୁ ଅଚେତନରେ ପହଞ୍ଚିବାର ରାଜପଥ ବୋଲି କୁହାଯାଏ । ଅଚେତନର ଭାଷା, ସ୍ୱପ୍ନ, ସେ ଭାଷାକୁ ବୁଝିବା କିପରି-?

 

ପ୍ରଥମେ ସ୍ୱପ୍ନମାଧ୍ୟମରେ କାହିଁକି ଅଚେତନ ବା ଇଡ଼୍ ଆକାଂକ୍ଷା ପ୍ରକାଶିତ ହୁଏ ତାହା ବିଚାର କରାଯାଉ । ଆମେ ନିଦ୍ରାବସ୍ଥାରେ ସ୍ୱପ୍ନ ଦେଖୁଁ । ନିଦ୍ରାରେ ଚେତନା ନିଷ୍କ୍ରିୟ । ଚେତନା ସହିତ ଜଡ଼ିତ ବିବେକ ସଜାଗ ନୁହେଁ । ଇଗୋ ବା ଅନ୍ତଃମାନସର ବାସ୍ତବତା ସହିତ ସମ୍ପର୍କ ନାହିଁ । ତେଣୁ କେଉଁ ପ୍ରବୃତ୍ତି ଅସାମାଜିକ, ଅବାଞ୍ଛିତ ଓ ଅବାସ୍ତବ ତାହା ନିର୍ଣ୍ଣୟ କରିବା ଇଗୋର ଦାୟିତ୍ୱ ବାହାରେ । ଏହିପରି ନିଦ୍ରାବସ୍ଥାରେ ଚେତନମନ ସୁପ୍ତ । ଉଚ୍ଚସ୍ତରର ମାନସିକ ପ୍ରକ୍ରିୟା ସ୍ଥଗିତ । ତେଣୁ ଅନ୍ତର୍ନିହିତ ପ୍ରବୃତ୍ତି ଓ କାମନାର ସଞ୍ଚାର ପ୍ରାୟ ଅବ୍ୟାହତ କହିଲେ ଚଳେ ।

 

ତଥାପି ମନର ପ୍ରହର ସଜାଗ ଥାଏ ନିଦ୍ରାବସ୍ଥାରେ । ବିବେକର ସମ୍ପୂର୍ଣ୍ଣ ବିରୋଧ କରୁଥିବା କୌଣସି ପ୍ରବୃତ୍ତି ଛଦ୍ମବେଶରେ ପ୍ରକାଶିତ ହୋଇଥାଏ ସିନା, ନିଜ ରୂପରେ କ୍ୱଚିତ୍‌ ଦେଖାଦିଏ । ମନର ପ୍ରଚ୍ଛନ୍ନ ଆକାଂକ୍ଷା ଯେପରି ଅଚେତନ ମନରେ ଥାଏ, ସେହିପରି ଆଦିମ ଭୟ ମଧ୍ୟ ଅଚେତନ ସ୍ତରରେ ବାସକରେ । ତେଣୁ ଯେଉଁ ପ୍ରବୃତ୍ତିର ନଗ୍ନପ୍ରକାଶ ବିପଜ୍ଜନକ ବୋଲି ମନରେ ଧାରଣା ରହିଛି, ସ୍ୱପ୍ନରେ ମଧ୍ୟ ତାହାର ଅବିକଳ ପ୍ରକାଶ ହୁଏନାହିଁ । ଅଧିକାଂଶ ଆଦିମ ପ୍ରବୃତ୍ତି ଅବଦମିତ ଓ ଅଚେତନର ଗହ୍ୱରରେ ଲୁକ୍କାୟିତ । ଜାଗ୍ରତ ଅବସ୍ଥାରେ ମନରେ ସେଗୁଡ଼ିକର ପ୍ରକାଶ ଯେପରି ନିଷିଦ୍ଧ, ନିଦ୍ରାବସ୍ଥାରେ ମଧ୍ୟ ସେହିଭଳି ନିଷିଦ୍ଧ । ଯଦି ସ୍ୱପ୍ନରେ ନିଷିଦ୍ଧ ପ୍ରବୃତ୍ତି ନିଜ ରୂପରେ ଦେଖାଦେବାର ଆଭାସ ମାତ୍ର ଦିଅନ୍ତି, ତେବେ ସ୍ୱପ୍ନ ଭାଙ୍ଗିଯାଏ ଓ ନିଦ୍ରାର ସଙ୍ଗେ ସଙ୍ଗେ ଅବସାନ ଘଟେ । ତେଣୁ ସ୍ୱପ୍ନର ବିଭିନ୍ନ ପ୍ରତୀକ ମାଧ୍ୟମରେ ଇଡ଼୍‍ର ଆକାଂକ୍ଷା ପରୋକ୍ଷଭାବେ ପୂର୍ଣ୍ଣ ହୁଏ, ପ୍ରତ୍ୟକ୍ଷ ଭାବରେ ନୁହେଁ ।

 

ସ୍ୱପ୍ନର ବିଷୟବସ୍ତୁ କ’ଣ ଏହାର ଉଦାହରଣସ୍ୱରୂପ ଗୋଟିଏ ସ୍ୱପ୍ନର ବର୍ଣ୍ଣନା ଏଠାରେ କରାଯାଉ ।

ଜଣେ ଲୋକ ତାଙ୍କ ବାପାଙ୍କୁ ସ୍ୱପ୍ନ ଦେଖିଲେ । ଘର କିଟିକିଟିଆ ଅନ୍ଧାର, ରାତି ହୋଇଛି, ସେ ହଠାତ୍‌ ଶୋଇବାଘର ଖୋଲି ପଶିଗଲେ ଦେଖିଲେ ଘର ମଝିରେ ବିଛଣା, ତା’ ଉପରେ ମଶାରି ଟଙ୍ଗାହୋଇଛି ମଶାରି ଭିତରେ ବସି ତାଙ୍କ ବାପା କ’ଣ ଖାଉଛନ୍ତି ।

 

ଅତି ସାଧାରଣ ବିଷୟବସ୍ତୁ ପରି ମନେହୁଏ । କିନ୍ତୁ ଏ ସ୍ୱପ୍ନର ଅର୍ଥ କ’ଣ ? ସେଦିନ ତାଙ୍କ ବାପାଙ୍କର ଆସିବା କଥା ଥାଏ । ସ୍ୱପ୍ନ କ’ଣ ସେହି ଆଗତ ଘଟଣାର ଗୋଟାଏ ବୈଶିଷ୍ଟ୍ୟହୀନ ପର୍ଯ୍ୟାୟକୁ ଚିତ୍ରିତକଲା ?–ବାପା ଆସିବେ, ବିଛଣା ହେବ, ମଶାରି ଟଙ୍ଗା ହେବ । ରାତିଅଧରେ ବାପା ମଶାରି ତଳେ ବସି ଖାଇବାଟା ଅସଂଲଗ୍ନ ବୋଧହୁଏ; କିନ୍ତୁ ନିଦ୍ରିତ ବ୍ୟକ୍ତିର ଭାବନା ସବୁବେଳେ ଯୁକ୍ତିଯୁକ୍ତ ବୋଲି କେହି କହିଛିକି ? ଏ ସ୍ୱପ୍ନ ତେଣୁ ନିହାତି ସରଳ, ସେ ଦିନର ଘଟଣାର ଏକ ଅବାନ୍ତର ଚିତ୍ର । ଏକଥା ଯେକୌଣସି ସାଧାରଣ ଲୋକ କହିବ ।

 

କିନ୍ତୁ ତାହାର ତାତ୍ପର୍ଯ୍ୟ ଅତି ଆଗ୍ରହଜନକ । ଯେ ସ୍ୱପ୍ନ ଦେଖିଲେ ସେ ୩୦/୩୫ ବର୍ଷ ବୟସର ଜଣେ ଉଦ୍‌ବେଗପ୍ରବଣ ଲୋକ । ତାଙ୍କର ନିଜର ପୌରୁଷ ବିଷୟରେ ସନ୍ଦେହ ଥିଲା । ଏପରି କି ମଝିରେ ମଝିରେ ମାନସିକ କାରଣରୁ ତାଙ୍କର ପୌରୁଷହାନି ଘଟିଛି । ସେ ତାଙ୍କ ବାପାଙ୍କୁ ଖୁବ୍‌ ଡରୁଥିଲେ । ବାପା ଗେଧ ମାଙ୍କଡ଼ପରି ଆକ୍ରୋଶ ଓ ଭୟ ଦେଖାଇ ତାଙ୍କ ପରିବାରକୁ ଶାସନ କରୁଥିଲେ । ସ୍ୱପ୍ନ ଦେଖିଥିବା ଭଦ୍ରଲୋକ ବାପାଙ୍କ ଦ୍ୱାରା ଏବେବି ଭୟଭୀତ । ଯୁବାବସ୍ଥାରେ ଭଦ୍ରଲୋକଙ୍କର ନିଜ ପୁରୁଷକାର ସମ୍ୱନ୍ଧରେ ଯଥେଷ୍ଟ ସନ୍ଦେହ ଥିଲା, ଅଥଚ ତାଙ୍କ ବାପା ସ୍ତ୍ରୀ ସଂପୃକ୍ତ ବ୍ୟାପାରରେ ଜଡ଼ିତ ଥିଲେ; ତେଣୁ ପ୍ରଚ୍ଛନ୍ନ ଈର୍ଷା ଭଦ୍ରଲୋକଙ୍କ ମନରେ ଜନ୍ମିବା ସ୍ୱାଭାବିକ । ଏ ପରିପ୍ରେକ୍ଷୀରେ ସ୍ୱପ୍ନର ଅର୍ଥ ଜାଣିବା କଷ୍ଟ ନୁହେଁ ।

 

ଅନ୍ଧାର ରାତି, ମଶାରି ଓ ବିଛଣା ଶୋଇବାର ସୂଚନାଦିଏ; ଶୋଇବା ସୁରତର ସହଚାରୀ । ମଶାରି ଭିତରେ ବାପା ଖାଉଛନ୍ତି । ଖାଇବା ରତିକ୍ରିୟାର ପ୍ରତୀକ ବୋଲି ସାଧାରଣତଃ ଗ୍ରହଣ କରାଯାଏ । ଭୋଜନ ଓ ଭୋଗର ଅର୍ଥ ଏକ, ତେଣୁ ବାପା କ’ଣ କରୁଛନ୍ତି ଏହା ଅନୁମାନ କରିବା କଷ୍ଟନୁହେଁ । ଏ ସ୍ୱପ୍ନର ପ୍ରଚ୍ଛନ୍ନ ଅର୍ଥ ବୁଝିବା ସହଜ ହେଲା, କାରଣ ଭଦ୍ରଲୋକଙ୍କର ମାନସିକ ଜୀବନ ସହିତ ଯଥେଷ୍ଟ ପରିଚୟ ଥିବାରୁ ପ୍ରତ୍ୟେକ ସ୍ୱପ୍ନର ଏହିପରି ଗୋଟିଏ ପ୍ରକାଶ୍ୟ ଅର୍ଥ ଓ ପ୍ରଚ୍ଛନ୍ନ ଅର୍ଥ ରହିଛି (Manifest and fatent content) ପ୍ରଚ୍ଛନ୍ନ ଅର୍ଥ କେତୋଟି ଜଣାଶୁଣା ଉପାୟରେ ପ୍ରକଟିତ ହୁଏ ।

 

ଗୋଟିଏ ଉପାୟହେଲା ବିଷୟବସ୍ତୁକୁ ନାଟକୀୟ ଧରଣରେ (Dramatization) ଉପସ୍ଥାପିତ କରିବା । ରାତି, ଅନ୍ଧାର, ହଠାତ୍‌ କବାଟ ଖୋଲି ପଶିଗଲେ ଇତ୍ୟାଦି । ଏହାର ଉଦାହରଣ, ସବୁବେଳେ ସ୍ୱପ୍ନରେ ନାଟକୀୟ ଗୁଣ ଦେଖାଯାଏ ନାହିଁ; ସମୟେ ସମୟେ ଗୋଟିଏ କ୍ଷୁଦ୍ର ସୂତ୍ର ବା ରୂପକଳ୍ପ ଭାବରେ ସ୍ୱପ୍ନ ଘଟିପାରେ । ଯଥା ଜଣେ ସ୍ୱପ୍ନ ଦେଖିଲେ ଯେ ତାଙ୍କୁ କିଏ କହୁଛି ‘‘କାଲି ନାଲି ମାଲି ପଣାଦେବୁ ।’’ ରବୀନ୍ଦ୍ରନାଥଠାକୁରଙ୍କର ସଞ୍ଚୟିତାରେ ହିଂ ଟିଂ ଛଟ୍‌ କବିତା ଏପରି ସୂତ୍ରମୂଳକ ସ୍ୱପ୍ନକୁ ବ୍ୟଙ୍ଗ କରିଛି ।

 

ଅନ୍ୟ ଉପାୟ ହେଉଛି ସ୍ୱପ୍ନର ବିଷୟବସ୍ତୁକୁ ଘନୀକୃତ ଆକାରରେ ପ୍ରକାଶ (Condensation) କରିବା । ‘ମଶାରି ଭିତରେ ଖାଉଛନ୍ତି’–କେତେଗୁଡ଼ିଏ ବିଷୟ ଏଥିରେ ପ୍ରକାଶିତ ? ବାପାଙ୍କର ଅନିବାର୍ଯ୍ୟ ଯୌନେଚ୍ଛା, ପୁଅର ଯୌନ କାର୍ଯ୍ୟରେ ଲାଳସା ଓ ବାପାଙ୍କ ପ୍ରତି ଈର୍ଷା, ଅନ୍ତତଃ ଏ ତିନୋଟି ବିଷୟ ସଂକ୍ଷିପ୍ତ ଭାବରେ ଚତୁରତାର ସହିତ ସ୍ୱପ୍ନରେ ପ୍ରଦର୍ଶିତ ହୋଇଛି ।

 

ସ୍ଥାନାନ୍ତର (Displacement, Substitution) ଆଉ ଗୋଟିଏ ଉପାୟ, ବାପାଙ୍କର ରତିକ୍ରିୟା ସ୍ୱପ୍ନର ବିଷୟବସ୍ତୁ । କିନ୍ତୁ ମନର ପ୍ରହରୀକୁ ଭୁଲାଇବାପାଇଁ ଅନ୍ୟ ରୂପରେ ଏହାର ଉପସ୍ଥାପନା କରାଯାଇଛି । ରତିକ୍ରିୟାକୁ ଖାଇବା ମାଧ୍ୟମରେ ଚିତ୍ରଣ କରାଗଲା । ବାପାଙ୍କ ରତିକ୍ରିୟା ସ୍ୱପ୍ନ ଦେଖୁଥିବା ଲୋକଙ୍କ ମନରେ କି ତୀବ୍ର ଆବେଗ ଓ ଉଦ୍‌ବେଗ ଆଣିଥାଆନ୍ତା । କିନ୍ତୁ ‘କ’ଣ ଖାଉଛନ୍ତି’ ନିହାତି ସାଧାରଣ, ଆବେଗହୀନ ବିଷୟବସ୍ତୁ । ଏହା ସ୍ୱପ୍ନ ଦେଖିଲେ ଲୋକଟିର ନିଦ୍ରାରେ ମଧ୍ୟ କୌଣସି ବ୍ୟାଘାତ ଘଟୁନି । ତେଣୁ ଆବେଗ ସ୍ଥାନାନ୍ତରିତ ହେଲା ଓ ବିଷୟବସ୍ତୁ ପରିବର୍ତ୍ତିତ ହେଲା–ଏହାଦ୍ୱାରା ପ୍ରହରୀର ଅନୁମୋଦନ ମିଳିଲା, ଲୋକଟି ଅଯଥା ଉଦ୍‌ବିଗ୍ନ ହେଲାନାହିଁ । ଅଥଚ ଇଡ଼୍‍ରେ ଥିବା ଜଟିଳ ଆବେଗ ଛଦ୍ମବେଶରେ ଚରିତାର୍ଥ ହେଲା । ସ୍ୱପ୍ନର ପଦ୍ଧତି ସତରେ ଚମତ୍କାର ।

 

ପ୍ରତୀକ (Symbolization)ର ପ୍ରୟୋଗ ଅଚେତନ ମନର ଗୋଟିଏ ବିଶିଷ୍ଟ ଲକ୍ଷଣ । ଛଦ୍ମବେଶରେ ଇଡ଼୍ ପ୍ରବୃତ୍ତି ସ୍ୱପ୍ନରେ ଦେଖାଦିଏ ବୋଲି ଆଗରୁ କୁହାଯାଇଛି । ଛଦ୍ମବେଶର ମୂଳ ଉପାଦାନ ବିଭିନ୍ନ ପ୍ରତୀକ ବୋଲି ଧରାଯାଇପାରେ । ପ୍ରତୀକ କ’ଣ ? ଯେକୌଣସି ପଦାର୍ଥ ବା ଘଟଣାର ଚିହ୍ନର ଅନ୍ୟ ପ୍ରତୀକ । କବି ଚିତ୍ରକର ଓ ଭାବୁକ, ଶିଳ୍ପୀ, ନୃତ୍ୟକାର ଓ ଅନ୍ୟାନ୍ୟ କଳାକାର ଏ ସମସ୍ତେ ପ୍ରତୀକ ବ୍ୟବହାର କରିଥାଆନ୍ତି । ବାସ୍ତବିକ ମନୁଷ୍ୟର ପ୍ରତ୍ୟେକ ସୃଷ୍ଟିରେ ପ୍ରତୀକ, ଇଙ୍ଗିତ ଓ ଚିହ୍ନ ପରିପୂର୍ଣ୍ଣ ।

 

ମନୋବିଶ୍ଳେଷଣ ସମୟରେ ଯେଉଁ ପ୍ରତୀକସବୁର ଅର୍ଥ ଖୋଜି ବାହାର କରିବାକୁ ପଡ଼େ ସେଗୁଡ଼ିକ ସାଧାରଣତଃ ଅଚେତନ ଓ ଅବଚେତନ ସ୍ତରରେ ଥିବା ଭାବନାର ପ୍ରତିନିଧି । ସଚେତନ ମନର ପ୍ରତୀକ ଏମାନଙ୍କଠାରୁ ଅଲଗା । ଏହାର ଅର୍ଥ ଜଣାଶୁଣା, କିମ୍ୱା ପ୍ରତୀକ ନୂଆ ହୋଇଥିଲେ ପ୍ରୟୋଗକାରୀ ଏହାର ସଂଜ୍ଞା ଦେଇଥାଆନ୍ତି । ଏଗୁଡ଼ିକୁ ପ୍ରତୀକ ନ କହି ଚିହ୍ନ (sign) କହିବା ଉଚିତ ।

 

ପ୍ରତୀକର ଅର୍ଥ ଜାଣିପାରିଲେ ସ୍ୱପ୍ନ ଓ ଅଚେତନ ମନର ଜଟିଳ ଆବେଗର ବିଶ୍ଳେଷଣ ହୋଇପାରିବ । ସ୍ଵପ୍ନତତ୍ତ୍ଵ ବହୁ ଅଂଶରେ ପ୍ରତୀକତତ୍ତ୍ଵ । ସ୍ୱପ୍ନର ପ୍ରତୀକ ଯୌନ ପ୍ରବୃତ୍ତିଗୁଡ଼ିକର ଛଦ୍ମପ୍ରକାଶ । ତେଣୁ ଫ୍ରଏଡ଼୍ ଓ ଅନ୍ୟାନ୍ୟ ମନୋବିଶ୍ଳେଷଣକାରୀମାନେ ଯୌନ–ପ୍ରତୀକର ଚର୍ଚ୍ଚା କରିଅଛନ୍ତି । ଏ ପ୍ରତୀକଗୁଡ଼ିକ ଅଧିକାଂଶ ସମାଜ ଓ ଦେଶରେ ଯୌନେଚ୍ଛାର ଚିହ୍ନ ବୋଲି ଗୃହୀତ ହୁଏ । ବିଭିନ୍ନ ପୁରାଣ ଓ କାହାଣୀରେ ସାର୍ବଜନୀନ ପ୍ରତୀକର ସନ୍ଧାନ ମିଳେ । ଉଦାହରଣସ୍ୱରୂପ, ସର୍ପ ବା ନାଗ ଲିଙ୍ଗର, ଗହ୍ଵର ଯୋନିର ଓ ବନ୍ଧନ ମୈଥୁନର ସାଧାରଣ ପ୍ରତୀକ ।

 

ଦୁଇଟି କଥା ଏଠାରେ ମନେରଖିବାକୁ ହେବ–ପ୍ରତୀକର ଅର୍ଥ ସବୁବେଳେ ବିଶ୍ୱଜନୀନ ନୁହେଁ, ଓ ଯେଉଁ ପ୍ରତୀକର ଅର୍ଥ ଅତି ଜଣାଶୁଣା ହୋଇଯାଏ, ତାହା ଆଉ ଅଚେତନ ମନର ଆବେଗ ଓ ଭାବନାର ସୂଚକରୂପେ ବ୍ୟବହାର କରାଯାଏ ନାହିଁ । ନାଗସାପ ଲିଙ୍ଗର ପ୍ରତୀକ ହେଲେହେଁ ମୋପାଇଁ ତାହା ଜଣେ ସାଙ୍ଗର ନାଁ । ସେ ସାଙ୍ଗ ଅତି ଉଗ୍ର ସ୍ୱଭାବ ବିଶିଷ୍ଟ । ତେଣୁ ମୁଁ ସ୍ୱପ୍ନରେ ନାଗାସାପ ଦେଖିଲେ ହୁଏତ ବନ୍ଧୁତା ବା ଉଗ୍ର ସ୍ୱଭାବ କଥା ଭାବୁଛି । ପ୍ରତୀକର ବ୍ୟକ୍ତି–ବିଶେଷରେ ବିଭିନ୍ନ ଅର୍ଥ ଥାଇପାରେ ଏହାର ବିଶ୍ୱଜନୀନତା ଅତିରଞ୍ଜନ କରିବା ଅନୁଚିତ । ଅତି ଦେହଘଷରା ହେଲେ କୌଣସି ପ୍ରତୀକ ଅଚେତନ ଚିନ୍ତାର ସୂଚକ ହେବନାହିଁ, ଜୀବନର ପ୍ରଭାତ କାଳରେ..........ବାକ୍ୟରେ ପ୍ରଭାତ କାଳର ଅର୍ଥ ଆରମ୍ଭ । ଏହା ସାଧାରଣରେ ଏତେ ପ୍ରଚଳିତ ଯେ ‘ଆରମ୍ଭ’ ବଦଳରେ ‘ପ୍ରଭାତ’ ସ୍ୱପ୍ନରେ ବ୍ୟବହୃତ ହୁଏନାହିଁ ।

 

ସାର୍ବଜନୀନ ପ୍ରତୀକର ଉତ୍ପତ୍ତିସ୍ଥଳ କ’ଣ ? ଯୁଙ୍ଗ୍ (Jung) ଏହାର ଉତ୍ତରରେ କହିଛନ୍ତି ଯେ ସମଗ୍ର ମାନବ ଜାତିର ଏକ ଅଚେତନ ମନ ଅଛି । ମାନବ ସଭ୍ୟତାର ଆଦିମ ବିକାଶ କାଳରେ ମଣିଷର ଅନୁଭୂତି କେତେକାଂଶରେ ସମାନ ଥିଲା । ପ୍ରାକୃତିକ ବିପର୍ଯ୍ୟୟ, ଝଡ଼ ବର୍ଷା ଶୀତ ଓ ଗ୍ରୀଷ୍ମରୁ ନିଜକୁ ରକ୍ଷାକରିବାର ଚେଷ୍ଟା ଆଦିମ ମାନବର ସାଧାରଣ ସମସ୍ୟା । ଆହୁରି ପୁଣି ମଣିଷ ଏକାଠି ରହୁଥିଲା । ଗୋଷ୍ଠୀବଦ୍ଧ ହୋଇ ଚଳପ୍ରଚଳ ଓ ବସବାସ କରୁଥିଲା । ସାମୂହିକ ଜୀବନଯାପନର ଅଭିଜ୍ଞତା ଯୁଗଯୁଗ ଧରି ମଣିଷର ମନରେ ଯେଉଁ ଗଭୀର ପ୍ରଭାବ ପକାଇଥିଲେ, ତାହା ମଣିଷର ଅଚେତନ ମନରେ ଚିରକାଳ ଲାଗି ସଞ୍ଚିତ ହୋଇ ରହିଛି । ବୋଧହୁଏ ସେହି କାରଣରୁ ବିଭିନ୍ନ ଦେଶର ପୁରାଣ କଳା ଓ ସାହିତ୍ୟର ବିଷୟବସ୍ତୁରେ ଆଶ୍ଚର୍ଯ୍ୟଜନକ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଏ ।

 

ପିତା ମାତାଙ୍କ ରତିକ୍ରିୟା ପ୍ରତୀକ ରୂପରେ ବିଭିନ୍ନ ଦେଶରେ ସ୍ଥାନ ପାଇଛି । ବହୁ ବ୍ୟକ୍ତିଙ୍କର ସ୍ୱପ୍ନରେ ଏହା ବିଭିନ୍ନ ରୂପରେ ଦେଖାଯାଏ । ଉପରେ ବର୍ଣ୍ଣନା କରାଯାଇଥିବା ସ୍ୱପ୍ନ ଏହାର ଉଦାହରଣ । ଏହା କ’ଣ ମଣିଷର ସାମୂହିକ ଅଭିଜ୍ଞତାର ଫଳ ?

 

ପିତାମାତାଙ୍କ ରତିକ୍ରିୟାର ଆଭାସ ଶିଶୁ ମନରେ ଅଛି ବୋଲି ସବୁ ମନୋବିଶ୍ଳେଷଣକାରୀଙ୍କର ମତ । ଶୈଶବକାଳରେ ପିଲା କେତେବେଳେ କେମିତି ପିତାମାତାଙ୍କ ମଧ୍ୟରେ ଥିବା ମୂଳ ସମ୍ପର୍କର ସୂଚନା ପାଇଛି । ଠିକ୍‌ କ’ଣ ଦେଖିଛି ବା ଶୁଣିଛି ଏହା ଯେ ଜାଣି ନ ପାରିଲେ ମଧ୍ୟ ତା’ର ଅପକ୍ୱ ମନରେ ଏ ଅଭିଜ୍ଞତା ଘଟିଛି । ଶିଶୁ ସବୁ ଘଟଣାର ତାତ୍ପର୍ଯ୍ୟ ପରିଷ୍କାର ଭାବରେ ବୁଝି ନଥାଏ, ଅଥଚ ଏହା ଯେ ଏକ ଆବେଗମୟ ଘଟଣା ସେକଥା ସେ ହୃଦୟଙ୍ଗମ କରିଥାଏ । ତେଣୁ ଶୈଶବର ଏ ପ୍ରକାର ଅନୁଭୂତି ତା’ର ଅଚେତନ ମନରେ ରହିଯାଏ-। ବୟସ ବୃଦ୍ଧି ସଙ୍ଗେ ବାଳକ ନା ବାଳିକା ଏହି ଅନୁଭୂତିକୁ ଅସାମାଜିକ ଓ ଏହାର ସ୍ମରଣ ନିଷିଦ୍ଧ ବୋଲି ଜାଣନ୍ତି । ତେଣୁ ଚେତନ ମନରେ ଏହାର ସ୍ଥାନ ନାହିଁ, ଅଥଚ ଅନ୍ୟ ଇଡ଼୍ ଭାବନାଭଳି ଏହା ତୀବ୍ର ଓ ଅବଦମିତ (repressed); ଏହା ସ୍ୱପ୍ନରେ ପ୍ରତୀକ ଅବଲମ୍ୱନରେ ପ୍ରକାଶିତ ହୁଏ-। ଆଉ କେହି କେହି ମନୋବିଜ୍ଞାନୀ କହନ୍ତି ଯେ ଏହି ଅନୁଭୂତିର ଉତ୍ପତ୍ତି କେବଳ ଶିଶୁର ଜୀବନକାଳରେ ନୁହେଁ, ବହୁଯୁଗ ଆଗେ ମଣିଷର ଗୋଷ୍ଠୀମୟ ଜୀବନର ଅନୁଭୂତି ଭିତରୁ ଏହା ଗୋଟିଏ । ତମ୍ୱୁ ପକାଇ ଡେରା ବାନ୍ଧି ମଣିଷ ଯେତେବେଳେ କୌଣସି ନଦୀ ହ୍ରଦକୂଳରେ ବସବାସ କରୁଥିଲା, ସେତେବେଳର ଶିଶୁ, ପ୍ରୌଢ଼ମାନଙ୍କ ଭିତରେ ରତି ସମ୍ପର୍କ ନିଶ୍ଚୟ ଜାଣୁଥିବ-। ମଣିଷ ଜାତିର ଅଭିଜ୍ଞତାର ଇତିହାସରେ ଏହା ଥରକୁ ଥର ଘଟିଛି । Primal Scene ବା ‘ଆଦିମ–ଦୃଶ୍ୟ’ ବୋଲି ଏହା ବର୍ଣ୍ଣିତ ହୋଇଛି ।

 

ସ୍ୱପ୍ନ ବିଶ୍ଳେଷଣ

 

ଫ୍ରଏଡ଼୍‍ଙ୍କର ଅଧିକାଂଶ ତଥ୍ୟ ସ୍ୱପ୍ନ ବିଶ୍ଳେଷଣରୁହିଁ ଜଣାପଡ଼ିଛି । ବିଶେଷତଃ ମାନସିକ ରୋଗଗ୍ରସ୍ତ ଲୋକଙ୍କର ଚିକିତ୍ସାବେଳେ ସେମାନଙ୍କର ସ୍ୱପ୍ନ ବିଶ୍ଳେଷଣ କରାଯାଇଥାଏ । ଏଥିରୁ ରୋଗୀର ମାନସିକ ଜୀବନର ଦ୍ଵନ୍ଦ୍ୱ ଓ ସଂଘାତର ସମ୍ୟକ୍‌ ଧାରଣା ମିଳେ । ସଂକ୍ଷେପରେ କହିଲେ ସ୍ୱପ୍ନ ବିଶ୍ଳେଷଣର ନିମ୍ନଲିଖିତ ବୈଶିଷ୍ଟ୍ୟ ଅଛି–

 

(୧) ରୋଗୀର ମାନସିକ ଜୀବନ ସ୍ୱପ୍ନରେ ପ୍ରତିଫଳିତ । ତେଣୁ ତା’ର ସ୍ୱପ୍ନଗୁଡ଼ିକର ସାରମର୍ମ ସମାନ । ଯଦିଓ ଗୋଟିଏ ରାତିର ସ୍ୱପ୍ନ ଅନ୍ୟ ରାତିର ସ୍ୱପ୍ନଠାରୁ ପୃଥକ୍‌ ବୋଲି ମନେହୁଏ । ଉଦାହରଣସ୍ୱରୂପ, ଜଣେ ରୋଗୀର ମାନସିକ କାରଣରୁ ପୌରୁଷହାନି ଘଟିଥିଲା । ସେ ଥରେ ରାତିରେ ସ୍ୱପ୍ନ ଦେଖିଲେ ଯେ ସେଦିନ ଦିପହରେ ଗୋଟିଏ ଶୁଖିଲା ନଈ ପାରି ହେଉଛନ୍ତି । ବାଲି ତାତିଛି । ଅଧା ବାଟ ଗଲାପରେ ବାଲି ମଝିରେ ସରୁଧାରାରେ ନଈଟା ବୋହିଯାଉଛି; କିନ୍ତୁ ସେ ସେତିକି ପାଣିକୁ ଟପି ପାରୁନାହାନ୍ତି । ଆଉଥରେ ସ୍ୱପ୍ନ ଦେଖିଲେ ଯେ ଗୋଟାଏ ଉଚ୍ଚ ଗଛରେ ତାଙ୍କୁ ଚଢ଼ିବାକୁ ପଡ଼ୁଛି । ଗଛର ଗଣ୍ଡିରେ ଗୋଟିଏ କୋରଡ଼ । ସେ କୋରଡ଼ଯାକେ ଯାଇପାରୁଛନ୍ତି, କିନ୍ତୁ ତାକୁ ଟପି ଆଉ ଉପରକୁ ଉଠିପାରୁ ନାହାନ୍ତି । ଏ ଦୁଇଟି ସ୍ୱପ୍ନର ବିଷୟବସ୍ତୁ ଆପାତତଃ ପୃଥକ୍‌ । କିନ୍ତୁ ଏହାର ଅର୍ଥ ସମାନ । ମନୋବିଶ୍ଳେଷଣକାରୀ ଏହିପରି ଜଣେ ରୋଗୀର ଏକାଧିକ ସ୍ୱପ୍ନ ବିଚାର କଲେ ତା’ର ମାନସିକ ଜୀବନ କଥା ଭଲଭାବରେ ଜାଣିପାରନ୍ତି ।

 

(୨) ସ୍ୱପ୍ନର ଅନ୍ତର୍ନିହିତ ଅର୍ଥ ସମାନ; ତେଣୁ ବିଭିନ୍ନ ସ୍ୱପ୍ନର ବିଷୟବସ୍ତୁ ଏକ ଯୁକ୍ତିସଂଗତ ଧାରାରେ ବାନ୍ଧି ହୋଇଥା’ନ୍ତି । ଅଚେତନ ମନର ଭାବନା ଯୁକ୍ତିଯୁକ୍ତ ହେଲାପରି ଜଣାଯାଏ ନାହିଁ । କିନ୍ତୁ ଏଗୁଡ଼ିକର ପୃଷ୍ଠଭୂମି ସମାନ ଥିବାରୁ ରୋଗୀ ଦେଖୁଥିବା ସ୍ୱପ୍ନ ସବୁ ଏକପ୍ରକାରର ।

 

(୩) ସ୍ୱପ୍ନ ବିଶ୍ଳେଷଣଦ୍ଵାରା ରୋଗୀର ମାନସିକ ଅବସ୍ଥା ସମ୍ୱନ୍ଧରେ ଯଥେଷ୍ଟ ଜ୍ଞାନ ମିଳେ । ତା’ର ଅନ୍ୟାନ୍ୟ ବ୍ୟବହାର ଓ ଚିନ୍ତା ଆଲୋଚନା କଲେ ମଧ୍ୟ ସେହିପରି ଜ୍ଞାନ ମିଳେ । ସ୍ୱପ୍ନ ବିଶ୍ଳେଷଣର ଫଳ ଯଦି ଦ୍ୱିତୀୟ ପ୍ରକାରରେ ଲାଭ ହୋଇଥିବା ଜ୍ଞାନ ସହିତ ମେଳ ହୁଏନାହିଁ ତେବେ ବିଶ୍ଳେଷଣ ଠିକ୍‌ ହୋଇଛି ବୋଲି କହିହେବ ନାହିଁ । ଅର୍ଥାତ୍‌ ସ୍ଵପ୍ନ ବିଶ୍ଳେଷଣ କରି ଏପରି କିଛି ଜଣାଯାଏ ନାହିଁ, ଯାହାକି ରୋଗୀର ବ୍ୟକ୍ତିତ୍ୱ ଓ ଜୀବନ ଇତିହାସ ସହିତ ଖାପ ଖାଇବ ନାହିଁ ।

 

ମନେକର ଉପରେ କୁହାଯାଇଥିବା ସ୍ୱପ୍ନ (ନଦୀ, ବାଲି, ଖରା, ଟପି ପାରୁନାହିଁ)ର ତାତ୍ପର୍ଯ୍ୟ ହେଲା ଯେ ରୋଗୀ ମନରେ ପୌରୁଷହାନିର ଭୟ ରହିଛି । ପ୍ରକୃତପକ୍ଷେ ବାସ୍ତବ ଜୀବନରେ ତା’ର କେବଳ ଭୟ ନାହିଁ, ବରଂ ପୌରୁଷହାନି ଘଟିଛି । ତେବେ ଆମ ବିଶ୍ଳେଷଣର ଫଳ ଠିକ୍‌ ହେଲା ।

 

ଏଠାରେ କହି ରଖିବା ଉଚିତ ଯେ ସ୍ୱପ୍ନ ବିଶ୍ଳେଷଣ କଲାବେଳେ ମନୋବିଜ୍ଞାନୀ ନିଜର ମତାମତ ବା ଖାମ୍‍ଖିଆଲରୁ ସମ୍ପୂର୍ଣ୍ଣ ମୁକ୍ତ ନଥାଆନ୍ତି । ବିଶ୍ଳେଷଣର ପଦ୍ଧତି ଓ ବିଚାର ଉଭୟର ମନୋବିଶ୍ଳେଷଣକାରୀ ସ୍ୱତନ୍ତ୍ର ଶୈଳୀ ଓ ଦୃଷ୍ଟିଭଙ୍ଗୀ ଦେଖାଇବା ସ୍ୱାଭାବିକ, ତେଣୁ ବିଶ୍ଳେଷଣ କେବେହେଁ ନିରପେକ୍ଷ ବା ବସ୍ତୁନିଷ୍ଠ ନୁହେଁ । କେବଳ ସ୍ୱପ୍ନର ତାତ୍ପର୍ଯ୍ୟ ଯଦି ମନୋବିଜ୍ଞାନୀ ବିଚାର କରନ୍ତେ, ତେବେ ମନୋବିଶ୍ଳେଷକଙ୍କ ବିଚାର ଏକବାଗିଆ କିମ୍ୱା ପ୍ରମାଦପୂର୍ଣ୍ଣ ହୁଅନ୍ତା । କିନ୍ତୁ ମନୋବିଶ୍ଳେଷଣକଙ୍କ ଆଗରେ ରୋଗୀର ସମୁଦାୟ ଜୀବନ ଇତିହାସ ଖୋଲାପଡ଼ିଛି । ତେଣୁ ସ୍ୱପ୍ନର ଅର୍ଥ ସେ ପରିପ୍ରେକ୍ଷୀରେ ବିଶ୍ଳେଷକଙ୍କୁ ଅତି ପରିଷ୍କାର ଭାବରେ ଜଣାପଡ଼େ ।

 

ଉପସଂହାର

 

ଫ୍ରଏଡ଼୍‍ଙ୍କର ଅଚେତନ ମନର ଚିତ୍ରଣ ଆଲୋଚନା କରାଗଲା । ତାଙ୍କ ମତରେ ଆଦିମ ପ୍ରବୃତ୍ତି, ପ୍ରତିରକ୍ଷା ବ୍ୟବସ୍ଥା (Defence Mechanism) ଓ ଜଟିଳ ଆବେଗମୟ ଚିନ୍ତାଧାରା–ଏସବୁର ଉତ୍ପତ୍ତିସ୍ଥଳ ହେଉଛି ଶିଶୁସୁଲଭ ଅପରିପକ୍ୱ ଅଚେତନ ମନ । ସେ ପ୍ରୌଢ଼ ରୋଗୀମାନଙ୍କର ସ୍ଵପ୍ନ–ବିଶ୍ଳେଷଣ କରି ଅଚେତନ ମନର ଗହ୍ୱରରେ ବିହିତ ଭାବନାରାଶିକୁ ଜାଣିପାରିଛନ୍ତି ସତ; କିନ୍ତୁ ସେସବୁ ଆବେଗପୂର୍ଣ୍ଣ ଭାବନାର ଶକ୍ତିର ଉତ୍ସ ଅପରିପକ୍ୱ ଶୈଶବୋଚିତ ଅଚେତନ ସ୍ତରରୁ ଆସିଛି । ଫ୍ରଏଡ଼୍ ନିଜେ କେବେହେଁ ଶିଶୁମାନଙ୍କର ମାନସିକ–ଜୀବନ ପର୍ଯ୍ୟବେକ୍ଷଣ ବା ବିଶ୍ଳେଷଣ କରି ନାହାନ୍ତି । ତାଙ୍କର ମୃତ୍ୟୁ ପରେ ତାଙ୍କର କନ୍ୟା ଆନ୍ନା ଫ୍ରଏଡ଼୍ ଶିଶୁମାନଙ୍କର ମନୋବିଶ୍ଳେଷଣ କରି ଖ୍ୟାତି ଲାଭ କରିଅଛନ୍ତି ।

 

ଫ୍ରଏଡ଼୍‍ଙ୍କର ତତ୍ତ୍ଵ ସମସ୍ତେ ଗ୍ରହଣ କରି ନାହାନ୍ତି । ତାଙ୍କ ନିଜ ସହକର୍ମୀ ୟୁଙ୍ଗ ଓ ଆଡ଼୍‍ଲର ତାଙ୍କ ସହିତ ଏକମତ ହୋଇ ନପାରି ନିଜର ସ୍ୱତନ୍ତ୍ର ତତ୍ତ୍ଵ ଗଠନ କରି ଉପସ୍ଥାପିତ କରିଅଛନ୍ତି, ବିଶେଷତଃ ୟୁଙ୍ଗଙ୍କର ପ୍ରଭାବ ମନୋବିଜ୍ଞାନ ଓ ଦର୍ଶନବିଦ୍ୟା ଉପରେ କମ୍‌ ନୁହେଁ, ଫ୍ରଏଡ଼୍ ଜଣେ ଭଲ ଚିକିତ୍ସକ ଥିଲେ । ତାଙ୍କ ଲେଖା ଅତ୍ୟନ୍ତ ସରଳ ଅଥଚ ଶକ୍ତିଶାଳୀ । କିନ୍ତୁ ୟୁଙ୍ଗଙ୍କ ପରି ତାଙ୍କର ପାଣ୍ଡିତ୍ୟ ନଥିଲା କିମ୍ୱା ଅସାଧାରଣ ବୈଜ୍ଞାନିକଙ୍କ ତଥ୍ୟଭଳି ତାଙ୍କର ତଥ୍ୟ ବସ୍ତୁନିଷ୍ଠ ଓ ନିରପେକ୍ଷ ଜ୍ଞାନର ଅବତାରଣା କରିନାହିଁ । ତଥାପି ଚିକିତ୍ସାପଦ୍ଧତି ହିସାବରେ ମନୋବିଶ୍ଳେଷଣ ବହୁବର୍ଷ ଧରି ସଫଳତା ହାସଲ କରିଥିଲା । ଏବେ ଅନ୍ୟାନ୍ୟ ବହୁ ପ୍ରକାରର ମାନସିକ ଚିକିତ୍ସା ପ୍ରଣାଳୀ ପ୍ରଚଳିତ ସେଥିରୁ କେତେକ ପ୍ରଣାଳୀ ମନୋବିଶ୍ଳେଷଣଠାରୁ ଅଧିକ ଲୋକପ୍ରିୟ ହୋଇଛି, କାରଣ ମଣିଷର ମନ ପାରମ୍ପରିକ ସଂସ୍କୃତିଦ୍ୱାରା ପ୍ରଭାବିତ । ଯେଉଁ ପ୍ରକାର ସମାଜରେ ବଢ଼ୁଛି, ତା’ର ମନରେ ସେ ସମାଜର ପ୍ରଚଳିତ ଭାବନା, ଆଶା ଓ ଆକାଂକ୍ଷା ପ୍ରତିଫଳିତ ହେବହିଁ ହେବ । ଏପରି କି ତଥାକଥିତ ଆଦିମ ପ୍ରବୃତ୍ତି ମଧ୍ୟ ସମାଜର ଅଧୁନାତନ ପ୍ରଚଳନରେ ରଞ୍ଜିତ ହେବ ।

 

ଫ୍ରଏଡ଼୍ ଊନବିଂଶ ଶତାବ୍ଦୀର ନୈତିକତାର ପରିପ୍ରେକ୍ଷୀରେ ମନୋବିଶ୍ଳେଷଣ ଆରମ୍ଭ କରିଥିଲେ । ସେ କାଳରେ ଯୌନ କାମନାର ଚରିତାର୍ଥ ପ୍ରତ୍ୟକ୍ଷ ଭାବରେ କରିବା ନିଷିଦ୍ଧ ଥିଲା । ସେତେବେଳର ସମାଜରେ ପିତା ବା ବୟୋଜ୍ୟେଷ୍ଠଙ୍କ ଆସନ ଉଚ୍ଚରେ ଏବଂ ସେମାନଙ୍କର ଆଦେଶ ଶିରୋଧାର୍ଯ୍ୟ ଥିଲା । ବିଂଶଶତାବ୍ଦୀର ଶେଷ ୩୦ ବର୍ଷରେ ନୈତିକତାର ମାନ ବଦଳିଯାଇଛି । ଯୌନେଚ୍ଛା ଅବଦମନର ଆବଶ୍ୟକତା ବହୁ ସମାଜରେ ନାହିଁ କହିଲେ ଚଳେ । ରକ୍ଷଣଶୀଳ ସମାଜରେ ଅନ୍ୟ ରୂପରେ ଯୌନ ବିଷୟର ଖୋଲାଖୋଲି ଆଲୋଚନା ହେଉଛି–ପରିବାର ନିୟନ୍ତ୍ରଣ ମାଧ୍ୟମରେ । ବର୍ତ୍ତମାନ ଶିଳ୍ପୋନ୍ନତ ସମାଜରେ ଆମ୍ଭମାନଙ୍କର ସମସ୍ୟା ଅନ୍ୟ ପ୍ରକାରର–ଆମେ ପରସ୍ପର ସହିତ ଆବେଗମୂଳକ ସମ୍ୱନ୍ଧ ପ୍ରତିଷ୍ଠା କରିପାରୁନାହୁଁ, ଅନ୍ତରଙ୍ଗତା ନାହିଁ କହିଲେ ଚଳେ । ପ୍ରେମ ଓ ଆନ୍ତରିକତାର ତୀବ୍ର ଅନୁଭୂତି ଅଧିକାଂଶ ଲୋକଙ୍କର ଜୀବନରେ ଘଟୁନାହିଁ, ଜୀବନ ରିକ୍ତ, ନିଃସଙ୍ଗ ଓ ବ୍ୟକ୍ତିତ୍ୱହୀନ ହେବାର ଆଶଙ୍କା ସବୁବେଳେ ଆଧୁନିକ ନଗରବାସୀର ମନରେ ରହୁଛି । ତେଣୁ ସାଂପ୍ରତିକ ମଣିଷର ମନ ସଜାଡ଼ିବା ପାଇଁ ଯେଉଁ ଚିକିତ୍ସା ବାହାରିଛି ତା’ର ଲକ୍ଷ୍ୟ ହେଲା ମଣିଷକୁ ଆହୁରି ଥରେ ନିବିଡ଼ତା, ସ୍ପଷ୍ଟବାଦିତା ଓ ଆନ୍ତରିକ ପ୍ରେମ ଅନୁଭବ କରିବାକୁ ଶିକ୍ଷା ଦେବା । ଅକୃତ୍ରିମ ପ୍ରେମର ଆନନ୍ଦ ଉପଲବ୍ଧି କରାଇବା ଓ ସାମାଜିକ ମୁଖା ଖୋଲି ପରସ୍ପର ପ୍ରତି ଅନାବିଳ ସ୍ନେହ ସହାନୁଭୂତି, ଏପରିକି ବିଦ୍ୱେଷ ଓ ଈର୍ଷା ପ୍ରକାଶ କରିବା ଅଧିକାଂଶ ମାନବ–ଧର୍ମୀ (Humanistic) ମନୋବିଜ୍ଞାନର ଉଦ୍ଦେଶ୍ୟ ।

☆☆☆

 

ପଞ୍ଚମ ପରିଚ୍ଛେଦ

ଆଡ଼ପାଗଳା କିଏ ?

 

କିଏ ଭଲ କିଏ ଆଡ଼ପାଗଳା ଚିହ୍ନିବା ସବୁବେଳେ ସହଜ ନୁହେଁ । ଜଣେ ଅନ୍ୟ ଜଣଙ୍କୁ ନାପସନ୍ଦ କରି ତାକୁ ଆଡ଼ପାଗଳା ବୋଲି କହିପାରେ । ସ୍କୁଲ୍‍ରେ ଯେଉଁ ଶିକ୍ଷକ ପିଲାଙ୍କୁ ଟିକିଏ ହସିଲେ ଗାଳି ଦିଅନ୍ତି ବା ବେଞ୍ଚ୍ ଉପରେ ଛିଡ଼ା କରାନ୍ତି, ତାଙ୍କୁ ଆଡ଼ପାଗଳା ବୋଲି ପିଲାମାନେ କହନ୍ତି । ଅଥଚ ଦେହ ମୁଣ୍ଡରେ ବିଭୂତି ବୋଳି ଶ୍ମଶାନରେ ଦିନରାତି ରହିଲେବି ଅବଧୂତ ବାବାଜିଙ୍କୁ କେହି ଆଡ଼ପାଗଳା କହନ୍ତି ନାହିଁ । ଶୁଣାଯାଏ ଯେ ଆମେରିକାରେ ଯିଏ ଝିଅଙ୍କ ସଙ୍ଗେ ନ ମିଶି ଚୁପ୍‍ଚାପ୍ ନିଜ କୋଠରୀରେ ସବୁବେଳେ ପଢ଼ାଶୁଣା କରୁଥାଏ (ମାନେ ଆମ ଦେଶରେ ସବୁଠୁ ଭଲ ପିଲା) ତାକୁ ଆଡ଼ପାଗଳା କହନ୍ତି ।

 

କିନ୍ତୁ ପ୍ରକୃତରେ ଆଡ଼ପାଗଳାମି ଗୋଟିଏ ମାନସିକ ରୋଗ । ଭଲ ଲୋକମାନେ ସମୟେ ସମୟେ ଆଡ଼ପାଗଳା ମଧ୍ୟ ହୋଇ ପାରନ୍ତି ଏବଂ ଆଡ଼ପାଗଳମାନେ ଭଲ ହୋଇ ପୁଣି ସାଧାରଣ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି । ଏହା କିଛି ଆଶ୍ଚର୍ଯ୍ୟ ନୁହେଁ । ଯେମିତି ସାଧାରଣ ଲୋକଙ୍କୁ ଜରସର୍ଦି ହୁଏ, ପୁଣି ଭଲ ହୋଇଯାଏ ଓ ଯେମିତି ଜରସର୍ଦି ଭୋଗୁଥିବା ଲୋକ ସବୁବେଳେ ଅନ୍ୟମାନଙ୍କଠୁଁ ବାରି ହୋଇ ପଡ଼ନ୍ତି, ଆଡ଼ପାଗଳା ଲୋକ ଆମ ଭିତରେ ଥାଆନ୍ତି । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଆଡ଼ପାଗଳ ହେବାର ସମ୍ଭାବନା ମଧ୍ୟ ଅଛି । ସେ ଯାହାହେଉ, ଆଡ଼ପାଗଳାମି ହୋଇଛି ବୋଲି ଜାଣିବ କିପରି ? ଥର୍ମୋମିଟର ଦେଲେ ଜ୍ୱର ହୋଇଛି କି ନାହିଁ ସଙ୍ଗେ ସଙ୍ଗେ ଜଣାପଡ଼ିବ । ସେହିପରି ହଇଜା ହୋଇଛି କି ନାହିଁ ଜାଣିବାପାଇଁ ଝାଡ଼ା ପରୀକ୍ଷା କରି ହଇଜାର ଜୀବାଣୁ ଖୋଜିବାକୁ ପଡ଼ିବ । କିନ୍ତୁ ଆଡ଼ପାଗଳାମି ଜାଣିବାପାଇଁ ଏପରି କୌଣସି ନିର୍ଦ୍ଦିଷ୍ଟ ନିର୍ଭୁଲ ପରୀକ୍ଷା ଅଛି କି ?

 

ଆଡ଼ପାଗଳାମି ତ ରକ୍ତ, ମଳ ମୂତ୍ରରୁ ଜଣାପଡ଼େନି; କାରଣ ତାହାର ଜୀବାଣୁ ନାହିଁ । ଦୈହିକ ପରୀକ୍ଷାରୁ ମଧ୍ୟ ଜଣାଯାଏନି, କାରଣ ହୁଏତ ଦୈହିକ ବିକୃତି ଆଡ଼ପାଗଳାମିରେ ନାହିଁ ବା ଆମର ଏତେ ସୂକ୍ଷ୍ମ ଯନ୍ତ୍ରପାତି ନାହିଁ ଯାହାଦ୍ୱାରା ଦୈହିକ ବିକୃତି ଧରାପଡ଼ିବ । ତେବେ ଅଧିକାଂଶ ରୋଗ ଯେମିତି କେତେକ ନିର୍ଦ୍ଦିଷ୍ଟ ଲକ୍ଷଣରୁ ଜଣାଯାଏ ଆଡ଼ପାଗଳାମି ଭିତରେ ଆସୁଥିବା ରୋଗଗୁଡ଼ିକ ମଧ୍ୟ ସେହିପରି କେତେକ ଲକ୍ଷଣରୁ ବୁଝାପଡ଼େ । କ୍ୟାନ୍‌ସର ହୋଇଛି ବୋଲି କେମିତି ପ୍ରଥମେ ଜଣାଯିବ ? ଜଣଙ୍କର ଶ୍ୱାସନଳୀରେ କ୍ୟାନସର ହୋଇଥିଲା । ଏହି ରୋଗ ମୂଳରୁ ମୋଟେ ଜଣାଯିବାର ସମ୍ଭାବନା ନଥିଲା । କିଛି ମାସ ପରେ ଯେତେବେଳେ କ୍ୟାନସର ଦେହର ଅନ୍ୟ ଆଡ଼କୁ ବ୍ୟାପିଲା ସେତେବେଳେ ହାଡ଼ରେ ଗୋଡ଼ରେ ବା ମୁହଁରେ ଘା ହେଲା । ଡାକ୍ତରମାନେ ଜାଣିଲେ ଯେ କ୍ୟାନସର୍‌ ତା’ ଦେହରେ କେଉଁ ଗୋଟିଏ ଜାଗାରେ ହୋଇଛି ଏବଂ ତାକୁ ଭଲ ନ କଲେ ଅନ୍ୟ ଆଡ଼େ ଯେଉଁ ଘା ହୋଇଛି ତାହା ଭଲ ହୋଇପାରିବନି । ଅବଶ୍ୟ କ୍ୟାନସର୍‌ର ମେଟାସ୍‌ଟିସିସ୍ ଦେଖାଦେଲା ପରେ ଆଉ ତାହା ଭଲ କରିବା ଖୁବ୍‌ କଷ୍ଟସାଧ୍ୟ । ତେବେ ଡାକ୍ତରମାନେ ରୋଗୀ ମରିଲା ପରେ ପୋଷ୍ଟ୍‍ମର୍ଟମ୍‌ କରି ଜାଣିଲେ ଯେ କେଉଁଠାରେ ପ୍ରଥମେ ଘା ହୋଇଥିଲା । ଆଡ଼ପାଗଳାମି ଆଡ଼ପାଗଳ ଲୋକର ବ୍ୟବହାରରେ ଦେଖାଦିଏ ଯେମିତି କ୍ୟାନସର ରୋଗରେ ଭିତରେ ଘା ହୋଇଥିଲେ ମଧ୍ୟ ବାହାର ଘା’ରୁ କ୍ୟାନସର ରୋଗର ସୂଚନା ମିଳେ । କିନ୍ତୁ ଦୁର୍ଭାଗ୍ୟବଶତଃ ବିଜ୍ଞାନ ଏତେ ଆଗେଇନି ଯାହାଦ୍ୱାରା ଆମେ ଆଡ଼ପାଗଳ ମରିଗଲା ପରେ ତା’ର ମସ୍ତିଷ୍କ ପରୀକ୍ଷା କରି ଦେଖିପାରିବୁ ଆଡ଼ପାଗଳାମିର କେନ୍ଦ୍ର କେଉଁଟା ଥିଲା-। ଦୈହିକ ରୋଗ ଲକ୍ଷଣ ଓ ନିଦାନ ବିଭାଗୀୟ (Pathological) ପରୀକ୍ଷାରୁ ଚିହ୍ନଟ କରାଯାଏ । କିନ୍ତୁ ମାନସିକ ବ୍ୟାଧି–ବିଶେଷତଃ ଆଡ଼ପାଗଳାମି କେବଳ ଲକ୍ଷଣରୁ ଜଣାପଡ଼େ-

 

ଅବଶ୍ୟ ନିଦାନ ବିଭାଗୀୟ ପରୀକ୍ଷା ପରି ମାନସିକ ବ୍ୟାଧିରେ ମନୋବୈଜ୍ଞାନିକ ପରୀକ୍ଷା କରାଯାଏ । ବିଶେଷକରି ଆଡ଼ପାଗଳାମି ଚିହ୍ନଟ କରିବାରେ ମନୋବୈଜ୍ଞାନିକ ପରୀକ୍ଷା ଖୁବ୍‌ ସାହାଯ୍ୟ କରେ । ଏକପ୍ରକାର ପରୀକ୍ଷାରେ (ବଡ଼ି ସ୍ୱେ ଟେଷ୍ଟ୍) ଜଣକୁ ଆଖିବୁଜି କାହା ଉପରେ ଭରା ନ ଦେଇ ସିଧା ଠିଆ ହେବାକୁ କୁହାଯାଏ । ସେ ଏମିତି ୩୦ ସେକେଣ୍ଡ ଠିଆ ହେଲାପରେ ମନୋବୈଜ୍ଞାନିକ ଆସ୍ତେ ଆସ୍ତେ କହନ୍ତି ଯେ ସେ ସାମନାକୁ ପଡ଼ିଯାଉଛି, ପଡ଼ିଯାଉଛି, ଆଗକୁ ପଡ଼ିଯାଉଛି ଇତ୍ୟାଦି । ଦେଖାଯାଇଛି ଯେ ଆଡ଼ପାଗଳମାନେ ସାଧାରଣ ଲୋକଙ୍କଠାରୁ ବେଶୀ ଆଗକୁ ବା ପଛକୁ ଝୁଙ୍କିପଡ଼ନ୍ତି । ଅବଶ୍ୟ ବହୁତ ସାଧାରଣ ଲୋକବି ଆଡ଼ପାଗଳଙ୍କ ଭଳି ଏକଦମ୍‌ ମୁହଁମାଡ଼ି ପଡ଼ିଯାଆନ୍ତି–ଯଦି ମନୋବୈଜ୍ଞାନିକ ଯଥାସମୟରେ ସେମାନଙ୍କୁ ଧରି ନ ପକାଏ । ଏପରି ବ୍ୟବହାରିକ ପରୀକ୍ଷା ଛଡ଼ା ଅନେକ ପ୍ରଶ୍ନୋତ୍ତର ପରୀକ୍ଷା ଅଛି । ପ୍ରଶ୍ନୋତ୍ତର ପରୀକ୍ଷାରେ ଜଣକୁ କେତେଗୁଡ଼ିଏ ପ୍ରଶ୍ନ ଲେଖାଥିବା କାଗଜ ଦିଆଯାଏ । ସେ ଖାଲି ପ୍ରତ୍ୟେକ ପ୍ରଶ୍ନର ଉତ୍ତରରେ ହଁ କି ନାହିଁ ଲେଖିବ । ଏଥିରୁ ଜଣାପଡ଼େ କାହାର କେତେ ଆଡ଼ପାଗଳାମି ଅଛି । ମନେକର ଏ ପରୀକ୍ଷାରୁ ବାହାରିଲା ଜଣକର ବହୁତ ଆଡ଼ପାଗଳାମି ଅଛି । ତା’ ମାନେ ନୁହେଁ ଯେ ସେ ଲୋକଟି ଆଡ଼ପାଗଳ । ବହୁତ ଆଡ଼ପାଗଳାମି ଥିବ ଅଥଚ ପାରିପାର୍ଶ୍ୱିକ ଅବସ୍ଥା ଖରାପ ନହେଲେ ସେ ଲୋକଟି କେବେ ଆଡ଼ପାଗଳ ନ ହୋଇପାରେ । ଅପରପକ୍ଷରେ କମ୍ ଆଡ଼ପାଗଳାମି ଥିବା ଏବଂ ପାରିପାର୍ଶ୍ୱିକ ଅବସ୍ଥା ଖୁବ୍‌ ଖରାପ ହେଲେ ଆଡ଼ପାଗଳ ହୋଇଯିବ । ଯେମିତି ମନେକର ଜଣକର କମ୍‌ ଆଡ଼ପାଗଳାମି ଅଛି, ଯୁଦ୍ଧବେଳେ ତା’ ଘରେ ବୋମା ପଡ଼ିଲା । ଆଉ ସେ ମାଟି ଗଦାରେ ପୋତି ହୋଇ ଦିନେ ରହିଲା ପରେ ଉଦ୍ଧୃତ ହେଲା । ଏଭଳି ପରିସ୍ଥିତିରେ ସେ ଆଡ଼ପାଗଳ ହୋଇଯାଇପାରେ । ଅଥଚ ଯାହାର ଆଡ଼ପାଗଳାମି ବହୁତ ଅଛି ସେ ଚାକିରିରେ ପ୍ରମୋସନ୍ ନ ପାଇଲେ ଆଡ଼ପାଗଳ ହୋଇଯାଇପାରେ । ପ୍ରଶ୍ନୋତ୍ତର ପରୀକ୍ଷା କାଗଜରେ କେତେଗୁଡ଼ିଏ ପ୍ରଶ୍ନ ଥାଏ ଯାହାର କାମ ଲୋକଟି କେତେ ମିଛ କହୁଛି ତାହା ମାପିବା । କାରଣ ପ୍ରଶ୍ନୋତ୍ତର କଲାବେଳେ ଜଣେ ନିଜକୁ ଖୁବ୍‌ ଭଲ ବୋଲି ପ୍ରମାଣ କରିବାକୁ ଯାଇ ପ୍ରକୃତରେ ଯେଉଁ ଉତ୍ତର ଆସୁଛି ତାହା ଦେଇ ନ ପାରେ । ଯଥା–ପଚରା ହୋଇଛି–‘‘ତୁମର କ’ଣ କେବେ ପେଟ ଗୋଳମାଳ ହୁଏ ?’’ ସେ ଭାବିବ ଏଇଟା ହେଲା ଆଡ଼ପାଗଳାମି ପ୍ରଶ୍ନ । ଏଥିରେ ହଁ କହିଦେଲେ ବୋଧହୁଏ ଆଡ଼ପାଗଳା ବୋଲି ଜଣାଯିବ-। ତେଣୁ ସେ ନାହିଁ କରିଦେବ । ଆଉ ଗୋଟିଏ ପ୍ରଶ୍ନ ଥିବ ‘‘ତୁମେ କ’ଣ କେବେ ପରଚର୍ଚ୍ଚା କର ?’’ ସେ ଏଥିରେବି ନାହିଁ କରିଦେବ । ଏମିତି ମିଛ କହୁଛି କି ନାହିଁ ଜଣାପଡ଼ୁଥିବା ପ୍ରଶ୍ନର ଉତ୍ତର ଦେଖି ଯଦି ମିଳିଲା ଯେ ଲୋକଟି ବହୁତ ମିଛ କହୁଛି ତେବେ ପ୍ରଶ୍ନୋତ୍ତର ପରୀକ୍ଷା ତା’ପାଇଁ ଉପଯୁକ୍ତ ନୁହେଁ ବୋଲି ଠିକ୍‌ ହେବ ।

 

ଆଉ ଏକପ୍ରକାର ପରୀକ୍ଷାରେ କେତେଗୁଡ଼ିଏ ଛବି ଦେଖାଇ ଲୋକମାନଙ୍କୁ କୁହାଯାଏ ଗୋଟିଏ ଗପ ଲେଖିବାକୁ ବା ଛବିଟା କାହାଭଳିଆ ଦେଖାଯାଉଛି କହିବାକୁ । ଏହା ସାହାଯ୍ୟରେବି ଆଡ଼ପାଗଳାମି ଜଣାପଡ଼େ ।

 

ଛବିଗୁଡ଼ିକ ଏପରି ହୋଇଥାଏ ଯେ ପରିଷ୍କାର ଭାବରେ ଜଣାପଡ଼ିବନି କ’ଣ ଦେଖାଯାଉଛି । ଉଦାହରଣସ୍ୱରୂପ, ଗୋଟିଏ ଛବିରେ ଜଣେ ପୁରୁଷ ଚାଲିଯିବାର ଭଙ୍ଗୀରେ ଠିଆହୋଇଛି ଓ ତାକୁ ଜଣେ ସ୍ତ୍ରୀଲୋକ ପଛରୁ ଟାଣି ଧରିଛି । ଜଣଙ୍କୁ କୁହାହେଲା ଏ ଛବିଟିରେ କ’ଣ ହେଉଛି ସେ ବିଷୟରେ ଗୋଟିଏ ଗପ ୧୫।୨୦ ଧାଡ଼ିରେ ଲେଖ । ତାଙ୍କ ଗପର ସାରାଂଶ ହେଲା–ପୁରୁଷଟି ଜଣେ ଆର୍ଟିଷ୍ଟ୍ । ସେ ସ୍ତ୍ରୀଲୋକଟିକୁ ଠିଆ କରାଇ ବିଭିନ୍ନ ଦିଗରୁ ତା’ର ଚିତ୍ର ଆଙ୍କେ । ଏମିତି କିଛିଦିନ ଗଲାପରେ ସ୍ତ୍ରୀଲୋକଟି ତା’ର ପ୍ରେମରେ ପଡ଼ି ତାକୁ ପ୍ରେମ ନିବେଦନ କରୁଛି । ପୁରୁଷଟି କିନ୍ତୁ ଆର୍ଟିଷ୍ଟ୍‍ର ଦୃଷ୍ଟିକୋଣରୁ ସ୍ତ୍ରୀଲୋକଟିକୁ ଦେଖୁଛି । ତେଣୁ ତା’ର ଏ ପ୍ରକାର ଅନୁଭୂତି ହେଉନାହିଁ । ଆଉ ସେଥିପାଇଁ ସେ ଛାଡ଼ିକରି ଚାଲିଯାଉଛି । ଅନ୍ୟଜଣଙ୍କୁ ହୁଏତ ଏ ଛବି ଦେଖାଇଲେ ସେ ଅଲଗା ଗପ ଲେଖନ୍ତେ । ଆଡ଼ପାଗଳମାନଙ୍କୁ ଏ ପ୍ରକାର ପରୀକ୍ଷା ଦିଆଗଲେ ସେମାନଙ୍କର ଅନ୍ତର୍ନିହିତ ଉଦ୍‌ବେଗ ବିଷୟରେ ବହୁତ କଥା ଜଣାପଡ଼େ ।

 

ବହୁତ ପ୍ରକାର ଆଡ଼ପାଗଳ ଅଛନ୍ତି । ପ୍ରଧାନତଃ ତିନିପ୍ରକାର ଆଡ଼ପାଗଳଙ୍କ କଥା ଏଠାରେ ବର୍ଣ୍ଣନା କରାଯିବ । ସେମାନଙ୍କ ରୋଗ ହେଲା–ହିଷ୍ଟ୍ରିଆ (Hysteria), ଉଦ୍‌ବେଗଜନିତ ଆଡ଼ପାଗଳାମି (Anxiety neurosis) ଓ ଆବେଶିକ ଆଡ଼ପାଗଳାମି (Obsessive Compulsive neurosis) । ପର ପରିଚ୍ଛେଦଗୁଡ଼ିକରେ ଏ ରୋଗ ବିଷୟରେ ବିଶଦ ଆଲୋଚନା କରାଯିବ ।

 

ଉଦ୍‌ବେଗ–ଜନିତ ଆଡ଼ପାଗଳାମି

(Anxiety Neurosis)

 

ଆମେମାନେ ଅଳ୍ପ ବହୁତ ଉତ୍କଣ୍ଠା ପ୍ରକାଶ କରିଥାଉ । ଏମିତି ଲୋକ ନାହିଁ, ଯାହାକୁ ଅତିଶୟ ଉଦ୍‌ବେଗ ଓ ଉତ୍କଣ୍ଠା ହେତୁ ଥରେ ଦି’ଥର ରାତିରେ ନିଦ ହୋଇନାହିଁ । କୌଣସି ଗୋଟିଏ ଦିଓଟି ନିର୍ଦ୍ଦିଷ୍ଟ ବିଷୟରେ ଆମମାନଙ୍କର ସବୁବେଳେ ଉତ୍କଣ୍ଠା ରହିଥାଏ । କାହାର କାହାର ଅନ୍ଧାର ଘରେ ଶୋଇଲେ ଅସ୍ୱସ୍ତି ବୋଧହୁଏ, ଭଲ ନିଦ ହୁଏନି; ଆଉ କାହାର ଖୋଲାଜାଗାରେ ଏକୁଟିଆ ରହିଗଲେ ଏତେ ଉଦ୍‌ବେଗ ଜନ୍ମେ ଯେ ସେ କେଭେ ବଡ଼ ପଡ଼ିଆ ବା ଅଗଣାରେ ଏକା ରହିପାରେନି, ଆଉ କାହାର ଏମିତି କି ରେଳ ଗାଡ଼ିରେ ଚଢ଼ିଲେ ଉତ୍କଣ୍ଠା ଜାତ ହୁଏ । ଏସବୁ ପ୍ରାୟ ପୂର୍ବରୁ କୌଣସି ଅସୁଖକର ଅନୁଭୂତିରୁ ହୋଇଥାଏ । ମନେକର ଜଣେ ପିଲା ଦିନେ ରେଳଗାଡ଼ିରେ ଚଢ଼ି ଖୁବ୍‌ ବାନ୍ତି କରିଥିଲା, ଥରେ ଦି’ଥର ଏମିତି ଅନୁଭୂତି ପରେ ରେଳଗାଡ଼ିରେ ଚଢ଼ିଲେ ତାହାର ବାନ୍ତି ନହେଲେ ମଧ୍ୟ ତାକୁ କେମିତି ଖରାପ ଲାଗେ, ଯେମିତି କି ସେ ଗୋଟାଏ ଆସନ୍ନ ବିପଦର ସମ୍ମୁଖୀନ ହେବାକୁ ଯାଉଛି । ଉଦ୍‌ବେଗଜନିତ ଆଡ଼ପାଗଳାମିରେ ଏପରି ଉଦ୍‌ବେଗ ବିନା କାରଣରେ ସଦାବେଳେ ଦେଖାଯାଏ ।

 

ଲକ୍ଷଣ–ନାମ ଅନୁସାରେ ଏ ରୋଗର ପ୍ରଧାନ ଲକ୍ଷଣ ହେଲା ଉଦ୍‌ବେଗ । ରୋଗୀ ସାଧାରଣତଃ ନିଜକୁ ନିହାତି ଅଯୋଗ୍ୟ ବୋଲି ଭାବେ, ନିଜର ବୁଦ୍ଧିବୃତ୍ତି ଉପରେ ଆସ୍ଥା ହରାଇ ବସେ । ଅନ୍ୟମାନଙ୍କ ଆଗରେ ଆପଣାକୁ ଛୋଟ ଲାଗୁଛି ବୋଲି କହେ ଓ ନିଜର ସାମୟିକ ବ୍ୟର୍ଥତାକୁ ଅତିରଞ୍ଜନ କରେ । ସାମାନ୍ୟ ଦୋଷ ଦୁର୍ବଳତାକୁ ନିହାତି ବଡ଼ ବୋଲି ଚିତ୍ରଣ କରେ । ‘‘ମୋଦ୍ୱାରା କିଛି ହେବନି’’ ବା ‘‘ମୁଁ ଏତେ ଅପାରଗ ଯେ ଜୀବନରେ ବଞ୍ଚି ରହିବା ଦରକାର ନାହିଁ’’ ପ୍ରଭୃତି ଔଦାସ୍ୟ ଦେଖାଦିଏ । ନିଜ ଶରୀର ବିଷୟରେ ଚିନ୍ତିତ ହେବା, ବିଶେଷକରି ପେଟ ଗୋଳମାଳ, ଫୁସ୍‌ଫୁସ୍‌ ବା ହୃଦ୍‍ଯନ୍ତ୍ର ପ୍ରକ୍ରିୟା ବିଷୟରେ ଉଦ୍‌ବେଗ ପ୍ରକାଶ କରିବା ଏ ରୋଗର ଅନ୍ୟ ଏକ ଲକ୍ଷଣ । ଏ ସବୁ ଲକ୍ଷଣ କ୍ରମେ କ୍ରମେ ଦେଖାଦିଏ ଓ ରୋଗୀକୁ ଖୁବ୍‌ ବିଚଳିତ କରେ । ରୋଗୀ ସବୁବେଳେ ଅତ୍ୟନ୍ତ ଉତ୍କଣ୍ଠା ଅନୁଭବ କରୁଥିବାରୁ ଧନୁର ଗୁଣପରି ଟାଣିହୋଇ ରହିଥାଏ; ଟିକିଏ କିଛି ହେଲେ ନିହାତି ବ୍ୟସ୍ତ ହୋଇପଡ଼େ । ଟିକିଏ କିଛି ନିଜ ଦେହ ବା ମାନସିକ ଅଶାନ୍ତି ବିଷୟରେ ଜାଣିଲେ ଅତ୍ୟନ୍ତ ବିଚଳିତ ହୋଇପଡ଼େ । ଏମିତି ଚୁପ୍‌ ହୋଇ ସେ ବସିପାରେ ନାହିଁ, ସବୁବେଳେ କିଛି ନା କିଛି ଅଙ୍ଗ କାମ କରୁଥିବ । ହୁଏତ ହାତଟାକୁ ମୁଠା, ମୁଠା କରୁଥିବ, ନହେଲେ ଚୌକିରେ ବସି ଦଶଥର ଉଠୁଥିବ ପୁଣି ବସୁଥିବ କିମ୍ବା ଘରଯାକ ଏ କଡ଼ରୁ ସେକଡ଼ ଖାଲି ଚାଲୁଥିବ । ସେହିପରି ଆଉ କେତେ ରୋଗୀ ଓଠ ଓ ଗାଲ ଏକପ୍ରକାର ଗତ ପଡ଼ିଲାଭଳି ଆକୁଞ୍ଚନ ପ୍ରସାରଣ କରୁଥିବେ ।

 

ମନରେ ବାର ପ୍ରକାର ଦୁଶ୍ଚିନ୍ତା ଅନବରତ ଲାଗିରହିଥିବାରୁ ରୋଗୀ କେବେ ଖୁବ୍‌ ଆନନ୍ଦିତ ହେବାର ଦେଖାଯାଏ ନାହିଁ ବରଂ ଅଧିକାଂଶ ସମୟରେ ବିଷଣ୍ଣ ଅବସ୍ଥାରେ ଥାଏ । ନିଦ ଭଲ ହୁଏ ନାହିଁ । ରାତିରେ ବହୁତ ଥର ନିଦଭାଙ୍ଗେ, ନିଦ ହେଲେବି ରାତିର ଶେଷ ଆଡ଼କୁ ଦ୍ୱପ୍ନ ଦେଖି ରୋଗୀ ଉଠିପଡ଼େ । ଆଉ ମୋଟେ ଶୋଇବାର ସନ୍ତୋଷ ପାଏ ନାହିଁ । ସାଧାରଣ ମାନସିକ କାମ ଯଥା–ଲେଖାପଢ଼ା କରିବାରେ କଷ୍ଟ ହୋଇପାରେ । ରୋଗୀ କୌଣସି କାମରେ ମନଯୋଗ ଦେଇପାରୁନାହିଁ ବୋଲି କହେ । କୌଣସି କାମରେ ବେଶି ବେଳ ଲୟ ରହେନାହିଁ । ଆଗରୁ ଯେଉଁ ପ୍ରକାର ଖେଳାଖେଳିରେ ଆନନ୍ଦ ପାଉଥିଲା, ରୋଗ ହେଲାପରେ ସେ ସବୁରୁ କିଛି ଆନନ୍ଦ ମିଳେନାହିଁ । ଗୁରୁତର ଅବସ୍ଥାରେ ଛାତି ଧଡ଼୍‌ଧଡ଼୍‌ ହେବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଗୋଳମାଳ, ମୁଣ୍ଡ ବୁଲେଇ ପଡ଼ିଗଲା ଭଳି ଲାଗିବା ପ୍ରଭୃତି ଲକ୍ଷଣ ଦେଖାଦିଏ । ଭୋକ ଓ ହଜମ ଭଲ ହୁଏ ନାହିଁ । ପେଟ ଗୋଳମାଳ ନିତିଦିନିଆ କଥା ହୋଇପଡ଼େ । କେତେବେଳେ କୋଷ୍ଠକାଠିନ୍ୟ ଓ ଆଉ କେତେବେଳେ ବଦହଜମୀ ହୁଏ । ଅତ୍ୟଧିକ ଉଦ୍‌ବେଗ ହେତୁ ପାକସ୍ଥଳୀର ସଞ୍ଚାଳନ ଓ କ୍ଷରଣ ଗୋଳମାଳିଆ ହୋଇଯାଏ । ଭୋକ ନ ହେଲାବେଳେବି ଉଦ୍‌ବେଗ ହେତୁ ପାକସ୍ଥଳୀର ଆକୁଞ୍ଚନ ପ୍ରସାରଣ କ୍ରିୟା ଚାଲୁ ରହି ରହି ସେଠାରେ ଘା’ (Peptic ulcer) ହେବାର ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ । ସ୍ତ୍ରୀଲୋକମାନଙ୍କର ଋତୁ ପୂରା ବା ଆଂଶିକ ଭାବରେ ବନ୍ଦ ହୁଏ କିମ୍ବା ଅତ୍ୟଧିକ ହୁଏ । ପୁରୁଷମାନଙ୍କର କାମ ଲିପ୍ସା ହ୍ରାସ ପାଏ ଏବଂ ସମୟେ ସମୟେ ଏହି କାରଣ ଯୋଗୁଁ ପୁରୁଷତ୍ୱହୀନତା ଦେଖାଯାଇପାରେ ।

 

ଏ ସବୁ ଲକ୍ଷଣ ଜଣେ ରୋଗୀଠାରେ ଏକ ସମୟରେ ଦେଖାଯାଏ ନାହିଁ । ଏଥିରୁ କେବଳ କେତେଗୁଡ଼ିଏ ଦେଖିବାକୁ ମିଳେ । ଜଣେ ଜଣେ ରୋଗୀଙ୍କର ଦୈହିକ ଲକ୍ଷଣ ଯଥା–ହୃତ୍‌ପିଣ୍ଡ କ୍ରିୟାରେ ଅସ୍ୱାଭାବିକତା ବା ପାକସ୍ଥଳୀରେ ଘା’ ପ୍ରଭୃତି ଏତେ ବଡ଼ ଆକାରରେ ଦେଖାଯାଏ ଯେ ଉଦ୍‌ବେଗଜନିତ ଆଡ଼ପାଗଳାମିରୁ ଏହା ହେଉଛି ବୋଲି ଧରା ପଡ଼େନି । ଅଥଚ ଡାକ୍ତରଙ୍କ ଦ୍ୱାରା କେବଳ ଦୈହିକ ଚିକିତ୍ସା କରାଇଲେ ଆଦୌ ଫଳପ୍ରଦ ହୁଏ ନାହିଁ । ସେ ସବୁ ଜାଗାରେ ଦୈହିକ ଓ ମାନସିକ ଉଭୟ ଚିକିତ୍ସା ଏକ ସମୟରେ କରାଯିବା ଉଚିତ ।

☆☆☆

 

ଷଷ୍ଠ ପରିଚ୍ଛେଦ

ଉଦ୍‌ବେଗଜନିତ ଆଡ଼ପାଗଳାମିର ଅନୁକୂଳ ଅବସ୍ଥା

 

ହିଷ୍ଟ୍ରିଆ ପରି ଏ ରୋଗ ମଧ୍ୟ ବଂଶଗତ ବୋଲି ପ୍ରମାଣ ମିଳୁଛି । କିନ୍ତୁ ଏ ରୋଗ ଭୋଗୁଥିବା ଲୋକମାନଙ୍କର ପିଲାମାନେ ଯେ ନିଶ୍ଚୟ ଆଡ଼ପାଗଳା ହେବେ, ଏମିତି କିଛି କଥା ନାହିଁ । କେତେକ ସ୍ଥଳରେ ଉଦ୍‌ବେଗଜନିତ ଆଡ଼ପାଗଳମାନଙ୍କର ପରିବାର ଓ ବଂଶ ପରମ୍ପରା ବିଚାର ଓ ଆଲୋଚନା କରି ଦେଖାଯାଇଛି ଯେ ପରିବାରର ଅନ୍ୟ ଲୋକମାନଙ୍କୁ ଏ ରୋଗ ହେବାର ସମ୍ଭାବନା ସାଧାରଣ ଲୋକଙ୍କଠାରୁ ଟିକିଏ ଅଧିକ ହୋଇପାରେ । ବୋଧହୁଏ ପୁରୁଷଙ୍କଠାରୁ ସ୍ତ୍ରୀଲୋକମାନଙ୍କଠାରେ ଏ ରୋଗ ବେଶୀ ଦେଖାଯାଏ । କୈଶୋର ଓ ପରିଣତ ବୟସରେ ଏ ରୋଗ ଯେତେ ହୁଏ, ମଧ୍ୟବୟସ୍କ ପ୍ରୌଢ଼ମାନଙ୍କଠାରେ ସେତେ ଦେଖାଯାଏ ନାହିଁ । କୈଶୋର ଅବସ୍ଥାରେ–୧୨ ରୁ ପ୍ରାୟ ୧୬।୧୭ ବର୍ଷ ପର୍ଯ୍ୟନ୍ତ ପିଲାର ଚାଲିଚଳଣ ଟିକିଏ ଅସ୍ୱାଭାବିକ ହୋଇଥାଏ । ସାଧାରଣତଃ ଦେଖାଯାଏ ଯେ ସେ ସହଜରେ କାହାପ୍ରତି ଆସକ୍ତ ହେଉନାହିଁ, ତା’ର ବ୍ୟବହାର ଟିକିଏ ଅସଙ୍ଗତ ବୋଧହୁଏ । ଗୁରୁଜନ ବା ଅପରିଚିତ ଭଦ୍ରଲୋକଙ୍କ ସାମନାରେ ସେ ଚଳିପାରେ ନାହିଁ । ହୁଏତ ସେମାନଙ୍କୁ ଲୁଚି ଲୁଚି ପଳାଏ ନହେଲେ ଅକାରଣରେ ଅଭଦ୍ରତା ବା ଦୁଷ୍ଟାମି ପ୍ରକାଶ କରେ । ଏହି ଅବସ୍ଥାରେ ଅନେକ କାରଣରୁ ଉଦ୍‌ବେଗ ପ୍ରଧାନ ଆଡ଼ପାଗଳାମି ଦେଖାଦିଏ । ଏ ବୟସର ପ୍ରଧାନ ଘଟଣା ହେଲା ଯୁବକୋଚିତ ଯୌନବିକାଶର ଆରମ୍ଭ । ଯୌନ ବିକାଶର ପ୍ରତ୍ୟେକ ନୂଆ ନୂଆ ଚିହ୍ନ ପିଲାର ଅତୁଟ ମନୋଯୋଗ ଆକର୍ଷଣ କରେ ଏବଂ ନୂତନ ଶାରୀରିକ ପରିବର୍ତ୍ତନ ସହିତ ନୂତନ ମାନସିକ ପରିବର୍ତ୍ତନ ମଧ୍ୟ ଦେଖାଦିଏ । ପିଲାର କାମ ଲିପ୍ସା ଜାଗ୍ରତ ହୁଏ ଓ ସେହି ହେତୁ ସ୍ୱପ୍ନଦୋଷ ବା ହସ୍ତମୈଥୁନ ପ୍ରଭୃତି ଲକ୍ଷଣ ଦେଖାଦିଏ । ପିଲା କିନ୍ତୁ ବୁଝିପାରେ ନାହିଁ ଯେ ସେ ବୟସରେ ତାହା ସ୍ୱାଭାବିକ । ଉଦ୍‌ବେଗ ଅନୁକୂଳ ବ୍ୟକ୍ତିତ୍ୱ ଓ ପରିପାର୍ଶ୍ୱ ଥିଲେ ଏସବୁ ସ୍ୱାଭାବିକ ପରିବର୍ତ୍ତନ ବିଷୟରେ ସେ ଅତ୍ୟନ୍ତ ଉଦ୍‌ବିଗ୍ନ ହୋଇପଡ଼େ । ନିଆଁକୁ ପବନ ପରି ଅତି ନୈତିକବାଦୀ ପିତାମାତାଙ୍କ ଶାସନ, ଉଦ୍‌ବେଗକୁ ଆହୁରି ବଢ଼ାଏ । ପୁଣି ପିଲା ଏ ସମୟରେ ବ୍ରହ୍ମଚର୍ଯ୍ୟ ପ୍ରଭୃତି ବିଷୟରେ ଭ୍ରମାତ୍ମକ ବହି ପଢ଼ି, ବୀର୍ଯ୍ୟ ଯେ ଅମୂଲ୍ୟ ସମ୍ପଦ, ଉର୍ଦ୍ଧ୍ୱରେତା ହେଲେ ଯେ ଦେବତ୍ୱ ଲାଭ କରାଯାଏ ଏବଂ ବୀର୍ଯ୍ୟହାନୀ ଅପରିସୀମ ଓ ଚିରନ୍ତନ କ୍ଷତି କରେ–ଏସବୁ ସହଜରେ ବିଶ୍ୱାସ କରିନିଏ । ଏପରି ଦାୟିତ୍ୱହୀନ ବହି ଲେଖାଳିଙ୍କ ଯୋଗୁଁ ବହୁତ ପିଲାଙ୍କର ଉଦ୍‌ବେଗଜନିତ ଆଡ଼ପାଗଳାମି ଦେଖାଦିଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ମନୋବୈଜ୍ଞାନିକ ବା ଶରୀରତତ୍ତ୍ୱ ସମ୍ବନ୍ଧରେ ଜାଣିଥିବା ଲୋକ ପାଖକୁ ଆସିଲେ କେବଳ ଏ ଭ୍ରମଧାରଣା ସବୁର ମୂଳୋତ୍ପାଟନଦ୍ୱାରା ରୋଗ ଆଶ୍ଚର୍ଯ୍ୟ ଭାବରେ ଅପସାରିତ ହୁଏ ଓ ପିଲା ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଆସେ । କୈଶୋର ଅବସ୍ଥାରେ ରୋଗ ଅପସାରିତ ନହେଲେ ପରେ ବିଭିନ୍ନ ରୂପରେ ଦେଖାଦିଏ ଓ ୨୫।୩୦ ବର୍ଷ ହେଲାବେଳକୁ ଏତେ ଚେର ମାଡ଼ିବସିଥାଏ ଯେ ଏ ଜଟିଳ ଓ ପୁରାତନ ରୋଗକୁ ଭଲ କରିବା ଖୁବ୍‌ କଷ୍ଟ ।

 

ପରିଣତ ବୟସରେ ମଧ୍ୟ ଏ ରୋଗ ଦେଖାଦିଏ କିନ୍ତୁ ତା’ର କାରଣ ଭିନ୍ନ । ସ୍ତ୍ରୀଲୋକମାନଙ୍କର ଋତୁ ବନ୍ଦ ହେବା ସମୟରେ ଓ ପୁରୁଷମାନଙ୍କର ଆସନ୍ନ ବୃଦ୍ଧାବସ୍ଥାରେ ଉଦ୍‌ବେଗଜନିତ ଆଡ଼ପାଗଳାମି ପ୍ରବଳ ଭାବରେ ଦେଖାଦେଇପାରେ । ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଉଦ୍‌ବେଗ ବଢ଼େ । ତେଣୁ ବୁଢ଼ା ବୁଢ଼ୀଙ୍କ ଭିତରେ ଠିକ୍‌ ଆଡ଼ପାଗଳାମି ଦେଖା ନ ଦେଲେ ମଧ୍ୟ ଅସ୍ୱାଭାବିକ ଉଦ୍‌ବିଗ୍ନ ଅବସ୍ଥା ଅତି ସାଧାରଣ ।

 

କୈଶୋର ଓ ଆସନ୍ନ ବୃଦ୍ଧାବସ୍ଥା–ମଣିଷ ଜୀବନର ଏ ଦୁଇଟି ସନ୍ଧିକାଳରେ ଉଦ୍‌ବେଗଜନିତ ଆଡ଼ପାଗଳାମି ଦେଖାଦିଏ । ଏତେବେଳେ ଶାରୀରିକ ପରିବର୍ତ୍ତନ ଅତି ସ୍ପଷ୍ଟ । ଦେହ ଭିତରେ ଥିବା ଗ୍ରନ୍ଥି ପ୍ରଭୃତିର କ୍ଷରଣରେ ପରିବର୍ତ୍ତନ ମଧ୍ୟ ଏହି ସମୟରେ ହୁଏ । ବିଶେଷତଃ କେତେକ ଅନ୍ତଃସ୍ରାବୀ ଗ୍ରନ୍ଥି ଅଧିକ କାମ କରେ ଓ ଆଉ କେତେକ ଆସ୍ତେ ଆସ୍ତେ କ୍ଷରଣ ବନ୍ଦ କରନ୍ତି । ତେଣୁ ଦେହ ଭିତରର ଏ ଗ୍ରନ୍ଥିସ୍ରାବ ଉଦ୍‌ବେଗଜନିତ ଆଡ଼ପାଗଳାମିକୁ ପ୍ରଭାବିତ କରନ୍ତି ବୋଲି ବିଶେଷଜ୍ଞଙ୍କର ମତ । ପୁଣି ଏ ରୋଗରେ ଶରୀରର ସମସ୍ତ ସ୍ନାୟୁ ଅଧିକ କାମ କରନ୍ତି । ରକ୍ତରେ ଆଡ଼୍ରେନାଲିନ୍‌ ନାମକ ଏକପ୍ରକାର କ୍ଷରଣ ବିଶେଷ ଭାବରେ ଦେଖାଦିଏ । ହୃତ୍‌ପିଣ୍ଡ ଶ୍ୱାସଯନ୍ତ୍ର ଓ ମାଂସପେଶୀର କ୍ରିୟା ବଢ଼ିଯାଏ; ବେଳେବେଳେ ଆଖି ଆଗକୁ ବାହାରିପଡ଼େ, ମଳ ମୂତ୍ରର ବେଗ ସଞ୍ଜମ କରିବା କଷ୍ଟ ହୁଏ । ଏସବୁରୁ ଜଣାଯାଉଛି ଯେ ଉଦ୍‌ବେଗଜନିତ ଆଡ଼ପାଗଳାମିରେ ଶାରୀରିକ ପ୍ରତିକ୍ରିୟାର ବିଶେଷ ପ୍ରଭାବ ଅଛି । ଉଦ୍‌ବେଗରୁ ଏପ୍ରକାର ଶାରୀରିକ ପ୍ରତିକ୍ରିୟା ଦେଖାଯାଏ ବା ଏପରି ଶାରୀରିକ ପ୍ରତିକ୍ରିୟାରୁ ଉଦ୍‌ବେଗ ଜାତ ହୁଏ ଏହା ପଚାରିବା ନିରର୍ଥକ । ଦୁଇଟିର ସହଯୋଗ (ରୋଗୀପାଇଁ ଅଶୁଭ ସହଯୋଗ)ରୁ ଏ ଆଡ଼ପାଗଳାମି ଦେଖାଦିଏ ବୋଲି କହିବା ଠିକ୍‌ ହେବ । କିମ୍ୱା ଉଦ୍‌ବେଗଜନିତ ଆଡ଼ପାଗଳାମିରେ ଏ ଦୁଇଟି ସହାବସ୍ଥାନ କରନ୍ତି ବୋଲି କହିବା ଆହୁରି ଠିକ୍‌ ହେବ ।୪୧

 

ଏ ରୋଗର କେତେକ ମାନସିକ କାରଣ ଅଛି ବୋଲି ଆଗରୁ ଆଭାସ ଦିଆଯାଇଛି, ଖୁବ୍‌ କଡ଼ା ବାପ ମା’ଙ୍କ ପାଖରେ ପିଲା ବଢ଼ିଥିଲେ ତା’ର ବହୁତ ସ୍ୱାଭାବିକ ପ୍ରବୃତ୍ତି ସବୁ ଜୋର୍‍ଜବରଦସ୍ତି କରି ଦମନ କରାଯାଇଥାଏ ଏବଂ ଯଦି ସବୁବେଳେ ସନ୍ତ୍ରସ୍ତ ହୋଇ ପିଲା ନିଜର ବାଲ୍ୟଜୀବନ କଟାଇଛି ତେବେ ଅଧିକାଂଶ ସମୟରେ ସେ ଆବେଗମୟ ଅବସ୍ଥାରେ ଥାଏ । ଏପରି ଆବେଗପୂର୍ଣ୍ଣ ଓ ଉଦ୍‌ବିଗ୍ନ ପିଲାକୁ ଭବିଷ୍ୟତରେ ଏ ରୋଗ ହେବାର ସମ୍ଭାବନା ବେଶୀ । ଫ୍ରଏଡ଼୍‍ଙ୍କ ମତରେ ଅବଦମନ କରାଯାଇଥିବା ଆଦିମ ପ୍ରବୃତ୍ତିଗୁଡ଼ିକ ସବୁବେଳେ ସଜ୍ଞାନକୁ ଆସି ଚରିତାର୍ଥ ହେବାକୁ ଖୋଜୁ ଥାଆନ୍ତି । ଯଦି ଖୁବ୍‌ ବେଶୀ ଆଦିମ ପ୍ରବୃତ୍ତି ଅବଦମିତ ହୋଇଥାଏ, ସେଗୁଡ଼ିକ ସଜ୍ଞାନକୁ ଆସିବାପାଇଁ ବହୁତ ବେଶୀ ଚାପ ଦିଅନ୍ତି । ମଣିଷର ଦୁଃଖ ଦୁର୍ବିପାକ ପହଞ୍ଚିଲେ ବ୍ୟକ୍ତିତ୍ୱରେ ସାମୟିକ ଦୁର୍ବଳତା ଦେଖାଦିଏ, ଇଗୋ ଦୁର୍ବଳ ହୋଇ ପଡ଼େ । ଏଥିପାଇଁ ଆଦିମ ପ୍ରବୃତ୍ତିର ଚାପ ଆହୁରି ବଢ଼ିଗଲା ଭଳି ଜଣାଯାଏ । ମଣିଷର ସଜ୍ଞାନ ବ୍ୟକ୍ତିତ୍ୱ ବା ଇଗୋ କାଳେ କିଛି ଆଦିମ ପ୍ରବୃତ୍ତି ସଜ୍ଞାନକୁ ଚାଲି ଆସିବ, ଏ ଭୟରେ ଖୁବ୍‌ ଉଦ୍‌ବିଗ୍ନ ହୋଇଉଠେ । କାରଣ ଏ ପ୍ରବୃତ୍ତିଗୁଡ଼ିକ ଅସାମାଜିକ ଓ ବିବେକ ବା ସୁପର୍‍ଇଗୋର ଅପ୍ରୀତିଭାଜନ । ତେଣୁ ଏ ଭୟ ଉଦ୍‌ବେଗ ସୃଷ୍ଟି କରେ । କିନ୍ତୁ ଆଦିମ ପ୍ରବୃତ୍ତିଗୁଡ଼ିକ ଠିକ୍‌ କ’ଣ ଅର୍ଥାତ୍‌ କେଉଁ ଆଦିମ ପ୍ରବୃତ୍ତି ସଜ୍ଞାନକୁ ଆସିବାର ଚେଷ୍ଟା କରୁଛି ଏହା ଜଣାପଡ଼େନି, କାରଣ ସେ ପ୍ରବୃତ୍ତି ତ ନିର୍ଜ୍ଞାନରେ ଅଛି; ସଜ୍ଞାନକୁ ନ ଆସିଲେ ଇଗୋ ବା ସଜ୍ଞାନ ବ୍ୟକ୍ତିତ୍ୱ ତାକୁ ଜାଣିବ କିପରି ? ତେଣୁ ଏ ଉଦ୍‌ବେଗ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରବୃତ୍ତି ବିଷୟରେ ନ ହୋଇ ସାଧାରଣ ଭାବରେ ଜାଗ୍ରତ ହୁଏ । ଆସନ୍ନ ଅଜଣା ବିପଦର ସମ୍ମୁଖୀନ ହୋଇ ଇଗୋ ବିପଦ ସଙ୍କେତ ଦିଏ, ମଣିଷର ସଜ୍ଞାନ ମନ ଏ ଅହେତୁକୀ ଉଦ୍‌ବେଗରେ ପ୍ଳାବିତ ହୋଇଯାଏ ଓ ଉଦ୍‌ବେଗ ପ୍ରଧାନ ମାନସିକ ବ୍ୟାଧି ଦେଖାଦିଏ-

 

ଚିକିତ୍ସା

 

ରୋଗୀକୁ ପ୍ରଥମେ ଦୈହିକ ପରୀକ୍ଷାପାଇଁ ପଠାଯିବା ଉଚିତ । କାରଣ ବିଭିନ୍ନ ଦୈହିକ ରୋଗ ଲକ୍ଷଣ, ଯଥା–ଛାତି ଧଡ଼୍‍ଧଡ଼୍ ହେବା ମୁଣ୍ଡ ବିନ୍ଧିବା ପ୍ରଭୃତି ପ୍ରକୃତରେ ଦୈହିକ କାରଣ ଯୋଗୁଁ ହେଇଥାଇପାରେ କିମ୍ବା କିଛିଟା ଦୈହିକ କାରଣ ଯୋଗୁଁ ଓ ଆଉ କିଛିଟା ଉଦ୍‌ବେଗ ଯୋଗୁଁ ହୋଇପାରେ । ପୁଙ୍ଖାନୁପୁଙ୍ଖ ଦୈହିକ ପରୀକ୍ଷା ପରେ ଯଦି କୌଣସି ଦୈହିକ କାରଣର ସନ୍ଧାନ ମିଳେ ନାହିଁ, ତେବେ ମାନସିକ ରୋଗ ଉପଯୋଗୀ ଚିକିତ୍ସା ଆରମ୍ଭ ହୁଏ ।

 

ମାନସିକ ରୋଗ ଚିକିତ୍ସାର ପ୍ରଥମ ପର୍ଯ୍ୟାୟରେ ରୋଗର ଅତୀତ ଇତିହାସ ସଂଗ୍ରହ କରାଯାଏ । କେବେଠୁଁ ରୋଗ ଆରମ୍ଭ ହୋଇଛି, କେଉଁ କେଉଁ ଲକ୍ଷଣ କେତେବେଳେ ଦେଖାଯାଇଛି, ସେତେବେଳର ବିଶେଷ ବିଶେଷ ଘଟଣା କ’ଣ ଇତ୍ୟାଦି ସଂଗ୍ରହ କରାଯାଏ । ବେଳେବେଳେ କୌଣସି ନିର୍ଦ୍ଦିଷ୍ଟ ଘଟଣା ସହିତ ରୋଗୀର ଗୋଟିଏ ଦୁଇଟି ଲକ୍ଷଣ ଘନିଷ୍ଠ ଭାବରେ ସଂପୃକ୍ତ ଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ରୋଗୀ ଏ ସମ୍ପର୍କ ଦେଖିପାରି ନଥାଏ ଓ ସେ ଘଟଣା ତା’ର ଆଦୌ ମନେ ନଥାଏ । ରୋଗର ଅତୀତ ଇତିହାସ ଦେଲାବେଳେ ହଠାତ୍‌ ସେ ଘଟଣାଟି ମନେପଡ଼େ ଓ ତା’ ସହିତ ରୋଗ ଲକ୍ଷଣର ସମ୍ପର୍କ ଜାଣିଲା ପରେ ଆଶ୍ଚର୍ଯ୍ୟ ଭାବରେ ରୋଗୀ ଭଲ ହୋଇଯିବାର ଦୃଷ୍ଟାନ୍ତ ମିଳେ । ଜଣେ ରୋଗୀର ଦେହହାତ ମଝିରେ ମଝିରେ ବାତ ମାରିଲା ଭଳି ଖୁବ୍‌ ଥରୁଥିଲା । ଡାକ୍ତର ପରୀକ୍ଷା କରି ଦେଖିଲେ ଯେ ତାହା ଉଦ୍‌ବେଗଜନିତ ଆଡ଼ପାଗଳାମିର ଲକ୍ଷଣ । ଅତୀତ ଇତିହାସ ଦେଲାବେଳେ ଜଣାଗଲା ଯେ ୧୯୩୨ ମସିହା ନଭେମ୍ୱରରେ ପ୍ରଥମେ ସେ ଲକ୍ଷଣ ଦେଖାଦେଇଥିଲା । ରୋଗୀକୁ ପଚାରିବାରେ ସେ ସମୟରେ କୌଣସି ବିଶେଷ ଘଟଣା ଘଟିଥିବାର ତା’ର ମନେ ନାହିଁ ବୋଲି କହିଲା । ଆହୁରି କିଛି ସମୟ ଭାବି ଭାବି ମଧ୍ୟ ସେତେବେଳର କୌଣସି ବିଶେଷ ଘଟଣା ତା’ର ମନେ ପଡ଼ିଲା ନାହିଁ । ତଥାପି ସେମିତି ଭାବୁ ଭାବୁ ହଠାତ୍‌ କହିଲା ଆରେ, ସେ ମାସରେ ମୋର ତ ବାହାଘର ହେଲା । ଏହାପରେ ତା’ର ଦେହ ହାତ ଥରିବା ଲକ୍ଷଣ କୁଆଡ଼େ ଉଭେଇଗଲା ।

 

ରୋଗର ଇତିହାସରୁ ଯଦି ଜଣାପଡ଼େ ଯେ ପାରିପାର୍ଶ୍ୱିକ ଅବସ୍ଥାର ଚାପରୁ ଉଦ୍‌ବେଗ ଜାତ ହେଉଛି, ରୋଗୀକୁ ସେ ପ୍ରତିକୂଳ ପରିପାର୍ଶ୍ୱରୁ ନେଇଯିବାହିଁ ରୋଗ ଉପଶମର ସବୁଠାରୁ ସହଜ ଉପାୟ । ଅନ୍ୟ ଜାଗାକୁ ନେଇଗଲା ପରେ ରୋଗୀକୁ କିଛିଦିନ ପୂର୍ଣ୍ଣ ବିଶ୍ରାମ ଦେବା ଉଚିତ-। ଯଥା–ରୋଗୀ ଯଦି ଅଫିସ୍ କଚେରିରେ କାମ କରୁଥାଏ, ତେବେ କିଛିଦିନ ଛୁଟିନେଇ ସ୍ଥାନ ପରିବର୍ତ୍ତନ କରି ବିଶ୍ରାମ ନେବା ଭଲ । ସେଇ ପୁରୁଣା ଜାଗାରେ ରହିବାଦ୍ୱାରା ଉଦ୍‌ବେଗ ସୃଷ୍ଟି ହୋଇଥାଏ ଏବଂ ଏମିତି କିଛିଦିନ ପରେ ଉଦ୍‌ବେଗର କାରଣ ଥାଉ ବା ନଥାଉ ଖାଲି ସେ ଜାଗାରେ ରହିଲେ ମଧ୍ୟ ଉଦ୍‌ବିଗ୍ନ ଲାଗେ । ତେଣୁ ସ୍ଥାନ ପରିବର୍ତ୍ତନଦ୍ୱାରା ଉଦ୍‌ବେଗ କମିଯାଇପାରେ । କିନ୍ତୁ କେତେକ ରୋଗୀ କେବଳ ପ୍ରତିକୂଳ ପରିପାର୍ଶ୍ୱ ଯୋଗୁଁ ଉଦ୍‌ବେଗ ଲକ୍ଷଣ ଦେଖାନ୍ତି ନାହିଁ । ସେ କ୍ଷେତ୍ରରେ ଉଦ୍‌ବେଗକୁ ଆୟତ୍ତାଧିନ କରିବାପାଇଁ ଶୋଇବା ଔଷଧ ଦିଆଯାଏ । .....ବହୁତ ବେଶୀ ଉଦ୍‌ବେଗ ଦେଖାଯାଉଥିଲେ ରୋଗୀକୁ ଔଷଧ ଦେଇ ଅଧିକାଂଶ ବେଳ ଶୁଆଇ ରଖାଯାଏ । ଏମିତି କିଛିଦିନ ଶୁଆଇ ରଖିବା ଉଦ୍‌ବେଗ ପ୍ରଧାନ ଆଡ଼ପାଗଳାମି ଦୂର କରିବାରେ ଅନେକ ସ୍ଥଳରେ ଫଳପ୍ରଦ ହୋଇଛି । ଫ୍ରଏଡ଼୍ ସମ୍ମତ ମନୋବିଶ୍ଳେଷଶଦ୍ୱାରା ରୋଗ ଦୂର କରିବା ଅର୍ଥ ଓ ସମୟ ସାପେକ୍ଷ । ପୁଣି ଏତେ ଅର୍ଥ ଓ ସମୟ ଖର୍ଚ୍ଚ କଲା ପରେ ରୋଗ ଭଲ ହେବ କି ନାହିଁ ଠିକ୍‌ ନାହିଁ । କିନ୍ତୁ ଅନ୍ୟ ପ୍ରକାର ଛୋଟକାଟିଆ ମାନସିକ ବିଶ୍ଳେଷଣ ସହିତ ସାମୟିକ ନିଦ ଔଷଧ ଦେବାରେ ଭଲ ଫଳ ମିଳିଛି । ମନୋବୈଜ୍ଞାନିକ ରୋଗୀର ଅତୀତ ଓ ବର୍ତ୍ତମାନ ସମସ୍ୟା ଆଲୋଚନା କରନ୍ତି ଓ ରୋଗୀ ଏ ଆଲୋଚନାରେ ମୁଖ୍ୟ ଅଂଶଗ୍ରହଣ କରେ-। କେତେକ ଅତୀତ ଘଟଣାକୁ ରୋଗୀ ବିକୃତ ମନୋଭାବ ନେଇ ଯେପରି ବୁଝୁଥିଲା ତାହା ଠିକ୍ ନୁହେଁ ବୋଲି ଆସ୍ତେ ଆସ୍ତେ ଜାଣିପାରେ । ତା’ର ଆତ୍ମଗ୍ଳାନି ଓ ନିଜର ଅସାମର୍ଥ୍ୟ ବିଷୟରେ ବିଷଣ୍ଣତା କିପରି ଅନେକାଂଶରେ ଅବାସ୍ତବ ତାହା ରୋଗୀ କ୍ରମେ କ୍ରମେ ଜାଣେ ଓ ମାନସ–ଚିକିତ୍ସକ ବା ମନୋବୈଜ୍ଞାନିକ ତାକୁ ଯେଉଁ ଆଶା ଓ ଆଶ୍ଵାସନା ଦିଅନ୍ତି ତାହାଦ୍ୱାରା ତା’ର ନିରାଶ୍ରୟ ଭାବ କଟିଯାଇ ନିଜ ଉପରେ ଆସ୍ଥା ଜନ୍ମେ । ଏହିପରି ଔଷଧ ପ୍ରୟୋଗ ଓ ଆଲୋଚନାଦ୍ୱାରା ଉଦ୍‌ବେଗ ପ୍ରଧାନ ଆଡ଼ପାଗଳାମି ଭଲ ହୋଇପାରେ ।

 

କିନ୍ତୁ ରୋଗ ଅତି ଗୁରୁତର ଓ ଜଟିଳ ହୋଇଥିଲେ ଓ ଉପରୋକ୍ତ କୌଣସି ଚିକିତ୍ସା ଫଳପ୍ରଦ ନହେଲେ ମସ୍ତିଷ୍କରେ ସ୍ନାୟବିକ ଅସ୍ତ୍ରୋପଚାର (neurosurgery) କରାଯାଏ । ଦେଖାଯାଇଛି ଯେ ଯେଉଁଠି ସୁଦକ୍ଷ ଲୋକଦ୍ୱାରା ଏହା କରାଯାଇଛି ଓ ଠିକ୍‌ ବୁଝିବିଚାରି ଏ ପନ୍ଥା ନିଆଯାଇଛି, ସେଠାରେ ସ୍ନାୟବିକ ଅସ୍ତ୍ରୋପଚାରଦ୍ୱାରା ଭଲ ଫଳ ମିଳିଛି ।

☆☆☆

 

Unknown

ସପ୍ତମ ପରିଚ୍ଛେଦ

ହିଷ୍ଟ୍ରିଆ

(Hysteria)

 

ଆଜକୁ ତିରିଶବର୍ଷ ତଳେ ଆଭିଜାତ୍ୟ ସମ୍ପନ୍ନ ମଧ୍ୟବୟସ୍କା ସ୍ତ୍ରୀଲୋକମାନେ ପରସ୍ପର ସଙ୍ଗେ ଗପ କଲାବେଳେ ନିଜର ଟିକେ ହିଷ୍ଟ୍ରିଆ ଅଛି ବୋଲି କହୁଥିଲେ । ହିଷ୍ଟ୍ରିଆ ପ୍ରକୃତରେ ଏତେ ପରିବ୍ୟାପ୍ତ ଯେ ବହୁତ ଲୋକଙ୍କର ଏ ରୋଗ ଥିବାର ଦେଖାଯାଏ । କିନ୍ତୁ ଗୁରୁତର ଭାବରେ ହିଷ୍ଟ୍ରିଆ ହୋଇଥିବା ଲୋକଙ୍କ ସଂଖ୍ୟା କମ୍‌ । ଆଉ ମଧ୍ୟ ହିଷ୍ଟ୍ରିଆର କେତେକ ଲକ୍ଷଣ ଯଥା–ଦୈହିକ କାରଣ ବିନା ମୂର୍ଚ୍ଛା ହୋଇଯିବା ପ୍ରଭୃତି ଏତେ ସାଧାରଣ ଯେ ଏହାକୁ କୌଣସି ମାନସିକ ରୋଗର ଲକ୍ଷଣ ବୋଲି ଲୋକେ ଭାବିପାରନ୍ତି ନାହିଁ । ପ୍ରକୃତରେ ହିଷ୍ଟ୍ରିଆର ବହୁତ ଲକ୍ଷଣ ଅଛି । କିନ୍ତୁ ଏହାର ଗୋଟିଏ ଗୋଟିଏ ଲକ୍ଷଣ ନେଇ ଦେଖିଲେ ସେଗୁଡ଼ିକୁ ଅନ୍ୟାନ୍ୟ ଦୈହିକ ବା ମାନସିକ ବ୍ୟାଧିର ଲକ୍ଷଣ ପରି ଜଣାଯାଏ । ଯେମିତି ମୂର୍ଚ୍ଛା ହେବାଟା ମୁଣ୍ଡ ଗରମ ହେବାରୁ, ବିସ୍ମୃତି ସ୍ମୃତିଶକ୍ତିର ଅଭାବରୁ ବା ବାନ୍ତିହେବା ସାମୟିକ କୌଣସି ଘଟଣା ଯୋଗୁଁ ହୋଇଛି ବୋଲି କୁହାଯାଇପାରେ ।

 

ହିଷ୍ଟ୍ରିଆର ବହୁଳ ଲକ୍ଷଣ ମଧ୍ୟରେ କୌଣସି ସାଧାରଣ ବୈଶିଷ୍ଟ୍ୟ ଖୋଜି ପାଇବା କଷ୍ଟ-। ଅଥଚ ସବୁ ଲକ୍ଷଣ ଭିତରେ କୌଣସି ନା କୌଣସି ସାଦୃଶ୍ୟ ରହିଛି, ନହେଲେ ଏ ସବୁ ଗୋଟିଏ ରୋଗର ଲକ୍ଷଣ କେମିତି ହେବ ? ବହୁ ଆଲୋଚନା ପରେ ସ୍ଥିର ହୋଇଛି ଯେ ହିଷ୍ଟ୍ରିଆରେ ଆମ ମସ୍ତିଷ୍କର ସବୁ ଅଂଶ ଏକାଠି ଗୋଟିଏ ଟିମ୍‌ ଭଳି କାମ ନ କରି ଅଲଗାଅଲଗା ହୋଇଯାଆନ୍ତି ଓ ଗୋଟିଏ ଅଂଶ ଜାଣିପାରେନି ଅନ୍ୟ ଅଂଶରେ କ’ଣ ହେଉଛି । ଏଥିପାଇଁ ପକ୍ଷାଘାତ, ଦେହର କେତେକାଂଶରେ ଅନୁଭୂତି ଶୂନ୍ୟତା ଓ ସ୍ମୃତିଭ୍ରଂଶ ଭଳି ଲକ୍ଷଣ ସବୁ ଦେଖାଯାଏ । ହିଷ୍ଟ୍ରିଆର ଆଉ ଗୋଟିଏ ବୈଶିଷ୍ଟ୍ୟ ହେଲା ଯେ ମାନସିକ କାରଣ ଯୋଗୁଁ ଆକସ୍ମିକ ଭାବରେ ରୋଗର ପ୍ରଥମ ପ୍ରକାଶ ହୁଏ । ବ୍ୟବସାୟରେ କ୍ଷତି ବା ନିକଟ ଆତ୍ମୀୟଙ୍କର ମୃତ୍ୟୁ ପରେ ହଠାତ୍‌ ହିଷ୍ଟ୍ରିଆ ଦେଖାଦିଏ । ଅଥଚ ଏ ଘଟଣାଗୁଡ଼ିକ ହିଷ୍ଟ୍ରିଆ ସୃଷ୍ଟି କରନ୍ତି ନାହିଁ । ସତେ ଯେମିତି ହିଷ୍ଟ୍ରିଆ ବାହାରକୁ ଦେଖାଯିବାକୁ ଆଳ ଖୋଜୁଥାଏ, ଏପରି କୌଣସି ମାନସିକ ଅଶାନ୍ତିର ସୁଯୋଗ ନେଇ ଆକସ୍ମିକ ଭାବରେ ଦେଖାଦିଏ ।

 

ହିଷ୍ଟ୍ରିଆର ଲକ୍ଷଣ

 

ହିଷ୍ଟ୍ରିଆର ଦୈହିକ ଲକ୍ଷଣଗୁଡ଼ିକ ବହୁତ ସମୟରେ ପ୍ରକୃତ ଦୈହିକ ରୋଗର ଲକ୍ଷଣ ଭଳି ଜଣାପଡ଼େ । ସବୁଠାରୁ ସାଧାରଣ ଦୈହିକ ଲକ୍ଷଣ ଭିତରେ ପାରାଲିସିସ, ସ୍ପର୍ଶହୀନତା, ଦେଖିବା ଓ ଶୁଣିବାରେ ଗୋଳମାଳ, ଦେହ ଥରିବା ଓ ବାତମାରିବା ପ୍ରଭୃତି ପ୍ରଧାନ । ରୋଗର ପ୍ରଥମ ଅବସ୍ଥାରେ ହିଷ୍ଟ୍ରିଆ ରୋଗୀ ବିଭିନ୍ନ ବିଷୟରେ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯାଏଁ । ଯଥା ଚମରେ ଘା ବା ସ୍ପର୍ଶହୀନତା ଯୋଗୁଁ ଚର୍ମରୋଗ ବିଶେଷଜ୍ଞ ବା ଆଖିକୁ ଭଲ ଦେଖାଯାଉନାହିଁ କହି ଚକ୍ଷୁବିଶେଷଜ୍ଞଙ୍କ ପାଖକୁ ଯାଏଁ ଓ ସେମାନେ ଅନେକ ବୃଥାଶ୍ରମ କରନ୍ତି । ପେଟବଥା, ଆପେଣ୍ଡିସାଇଟିସ୍ ବା ଦେହ ଭିତରେ ଅନ୍ୟାନ୍ୟ ଜାଗାରେ ବଥା ହେଉଛି ବୋଲି ବଡ଼ବଡ଼ ଅପରେସନ୍‍ବି ହିଷ୍ଟ୍ରିଆ ରୋଗୀଙ୍କ ଉପରେ କରାଯାଏ । ଜଣେ ଜଣେ ରୋଗୀଙ୍କର ଅପରେସନ୍‌ କରାଇବା ନିଶା; ତେଣୁ ତାଙ୍କ ତଳି ପେଟରେ ଏକାଧିକ ଅପରେସନ୍‌ର ଚିହ୍ନଥାଏ । ସେମାନେ ମାନସିକବ୍ୟାଧି ବିଶେଷଜ୍ଞଙ୍କ ପାଖକୁ ଆସିଲାବେଳକୁ ଡାକ୍ତରଖାନାର ସବୁ ବିଭାଗରେ ଥରେ ଥରେ ରୋଗୀ ହିସାବରେ ଭର୍ତ୍ତି ହୋଇ ଥାଆନ୍ତି । ସ୍ତ୍ରୀଲୋକମାନଙ୍କର ହିଷ୍ଟ୍ରିଆ ହେଲେ ଏ ସବୁ ଲକ୍ଷଣ ଛଡ଼ା ଋତୁ ଗୋଳମାଳ, ପିଠି ଓ ଅଣ୍ଟା ଓ ଘୋଳାବିନ୍ଧା ଓ ମିଥ୍ୟାଗର୍ଭଲକ୍ଷଣ ଦେଖାଯାଏ । ଜଣେ ସ୍ତ୍ରୀଲୋକଙ୍କର ବହୁତଦିନୁ ଛୁଆପିଲା ହେଉ ନଥିଲେ ବୋଲି ଘର ଓ ବାହାର ଲୋକ ସବୁବେଳେ ନିନ୍ଦା କରୁଥିଲେ । ହଠାତ୍‌ ତାଙ୍କର ପିଲା ହେବାର ଲକ୍ଷଣ ସବୁ ଦେଖାଗଲା । ସମସ୍ତେ ଖୁସି ହେଲେ । କିନ୍ତୁ ଡାକ୍ତର ମାଇନାରୁ ସଠିକ୍‌ କିଛି ଜଣାଗଲାନି । ଏମିତି ୩।୪ ମାସ ପରେ ଆସ୍ତେ ଆସ୍ତେ ସବୁ ଲକ୍ଷଣ କୁଆଡ଼େ ଚାଲିଗଲା । ତା’ପରେ ଜଣାପଡ଼ିଲା ଯେ ସେ ମାନସିକ–ବ୍ୟାଧିଗ୍ରସ୍ତ ।

 

ହିଷ୍ଟ୍ରିଆ ଯୋଗୁଁ ରୋଗୀ ମୂକ, ବଧିର ବା ଅନ୍ଧ ହୋଇପାରେ । ବିଭିନ୍ନ ଧର୍ମପୀଠରେ ବା ଧର୍ମଗୁରୁଙ୍କର ସ୍ପର୍ଶରେ ଅନ୍ଧମାନେ ଚକ୍ଷୁଲାଭ କରିବାର ଯେ ପ୍ରବାଦ ଅଛି ତାହା ସତ ହୋଇପାରେ, କାରଣ ସେ ଅନ୍ଧତ୍ଵ ବୋଧହୁଏ ହିଷ୍ଟ୍ରିଆର ଲକ୍ଷଣ । ଏ ସବୁ ପ୍ରକୃତରେ ଦେହଜ ରୋଗର ଲକ୍ଷଣ ନା ହିଷ୍ଟ୍ରିଆର ଏହା ଜାଣିବା ବେଳେବେଳେ କଷ୍ଟକର । ସେ ସବୁ କ୍ଷେତ୍ରରେ ହିପ୍‌ନୋସିସ୍‌ (ବା ସମ୍ମୋହନ) ସାହାଯ୍ୟରେ ହିଷ୍ଟ୍ରିଆଜନିତ ଅନ୍ଧତ୍ଵ ଓ ପାରାଲିସିସ୍‌ ପ୍ରକୃତ ଅନ୍ଧତ୍ଵ ଓ ପାରାଲିସିସ୍‌ ପ୍ରଭୃତିରୁ ଅଲଗା କରିହେବ । ରୋଗୀଟିକୁ ହିପ୍‌ନୋସିସ୍‍ଦ୍ଵାରା ଶୁଆଇ ପକାଇବ । ଯଦି ପ୍ରକୃତ ପାରାଲିସିସ୍‌ କି ନୁହେଁ ପରୀକ୍ଷା କରିବା କଥା ତେବେ ତାକୁ କହିବ ଯେ ମନେକର ସେ ଗୋଟାଏ ସୁନ୍ଦର ବଗିଚାରେ ଶୋଇଛି । ସମସ୍ତେ ବସି ତା’ ସାଙ୍ଗରେ ଗପ୍‍ସପ୍ କରୁଛନ୍ତି, ହଠାତ୍‌ ଗୋଟାଏ ବଡ଼ ସାପ ଗଛ ଉପରୁ ଠିକ୍‌ ତା’ ଖଟରେ ଖସିପଡ଼ିଲା । ରୋଗୀଟି ହଠାତ୍‌ ମନକୁମନ ଉଠିପଡ଼ି ଦୌଡ଼ିବାକୁ ଆରମ୍ଭ କରିପାରେ । ପ୍ରବାଦ ଅଛି ଯେ ଆଜୀବନ ପକ୍ଷାଘାତ ରୋଗୀ ଘରେ ନିଆଁ ଲାଗିଛି ଶୁଣିଲେ ଭଲଲୋକ ଭଳି ଉଠି ଦୌଡ଼ନ୍ତି । ସେମାନେ ସବୁ ହିଷ୍ଟ୍ରିଆଜନିତ ପକ୍ଷାଘାତ ଭୋଗୁଥିବେ । ହିଷ୍ଟ୍ରିଆ ଯୋଗୁଁ ପୂରା ଅନ୍ଧ ନ ହୋଇ କଣା ହେବାର ଲକ୍ଷଣବି ଦେଖାଯାଏ । ଏହା ପ୍ରକୃତରେ ହିଷ୍ଟ୍ରିଆ ହେତୁ ହୋଇଛି କି ନାହିଁ ଜାଣିବାପାଇଁ ଗୋଟିଏ ସହଜ ଉପାୟ ଅଛି । ରୋଗୀକୁ ଷ୍ଟେରିଓସ୍କୋପ୍‌ ବୋଲି ଗୋଟିଏ ଯନ୍ତ୍ରରେ ଦେଖିବାକୁ କୁହାଯାଏ । ଷ୍ଟେରିଓସ୍କୋପ୍‌ରେ ଦୁଇ ଆଖିପାଇଁ ଦୁଇଟା ଅଲଗା ନଳୀ ଥାଏ । ସେ ନଳୀ ଦୁଇଟା ମଝିରେ ବାଡ଼ଥାଏ । ନଳୀର ଶେଷରେ ଦୁଇଟା ଅଲଗା ଛବି ରଖାଯାଏ । ମନେକର ଗୋଟାକରେ ବାଘ ଓ ଆର ନଳୀରେ ହାତୀର ଛବି ଦିଆଗଲା । ଯାହାର ଦୁଇଟିଯାକ ଆଖି ଭଲ ସେ ଦୁଇ ଆଖିରେ ବାଘ ଓ ହାତୀ ଅଲଗାଅଲଗା ନ ଦେଖି କିଛିବେଳ ପର୍ଯ୍ୟନ୍ତ ଖାଲି ହାତୀ ଦେଖେ ତ ଆଉ କିଛି ବେଳ ଖାଲି ବାଘ ଦେଖେ । ଯାହାର ଗୋଟିଏ ଆଖିକୁ ପ୍ରକୃତରେ ଦେଖାଯାଉନି ସେ କେବଳ ଭଲ ଆଖି ଆଗରେ ଥିବା ଚିତ୍ରଟି ଦେଖିବ । କିନ୍ତୁ ହିଷ୍ଟ୍ରିଆ ଯୋଗୁଁ ଯଦି ତା’ର ଗୋଟିଏ ଆଖିକୁ ଦେଖାଯାଉ ନଥାଏ ତେବେ ସେ ସାଧାରଣ ଲୋକଙ୍କ ଭଳି ବେଳେବେଳେ ବାଘ ଓ ବେଳେବେଳେ ହାତୀ ଦେଖିବ ଓ ଅଜାଣତରେ ଜଣାଇଦେବ ଯେ ପ୍ରକୃତରେ ‘କଣା’ ଆଖିଟିରେ ସେ ଦେଖିପାରେ । ହିଷ୍ଟ୍ରିଆ ହେତୁ ଆଶିଂକ ପକ୍ଷାଘାତ ସେମିତି କେତେକ ଅସାମଞ୍ଜସ୍ୟ ବା ଅସମ୍ଭବ ଲକ୍ଷଣରୁ ଜଣାଯାଏ । ଜଣକର ଗୋଡ଼ରେ ପକ୍ଷାଘାତ ଯୋଗୁଁ ସେ ଠିଆହୋଇ ପାରେନି କି ଚାଲିପାରେନି । ଅଥଚ ବିଛଣାରେ ଶୋଇ ସେ ଗୋଡ଼କୁ ଭଲଭାବରେ ବଙ୍କା କରିପାରେ । ଆଂଶିକ ସ୍ପର୍ଶହୀନତା ଯୋଗୁଁ କେତେକ ରୋଗୀଙ୍କର ହାତର ପାପୁଲି ସ୍ପର୍ଶ ଶକ୍ତିହୀନ ହୋଇପଡ଼େ । କିନ୍ତୁ ଡାକ୍ତରୀ ବହି ଅନୁସାରେ କେବଳ ପାପୁଲିର ସ୍ପର୍ଶହୀନତା ସମ୍ଭବପର ନୁହେଁ, ଆମର ସେ ଅଞ୍ଚଳର ଶିରାପ୍ରଶିରା ଏମିତି ଭାବରେ ରହିଛି ଯେ କେବଳ ପାପୁଲି ଓ ତା’ ପଛପାଖ ସ୍ପର୍ଶଶକ୍ତିହୀନ ହୋଇ ପାରିବ ନାହିଁ । କିନ୍ତୁ ଯଦି ଜଣେ ଡାକ୍ତରଙ୍କର ହିଷ୍ଟ୍ରିଆ ହେବ ତାଙ୍କର ଏପରି ଅସଙ୍ଗତ ସ୍ପର୍ଶଶକ୍ତିହୀନତା ବା ପକ୍ଷାଘାତ ଦେଖାଯିବ କି ନାହିଁ ଭାବିବା କଥା । କାରଣ ଡାକ୍ତର ନିଜେ ଜାଣନ୍ତି ଯେ ଶରୀରତତ୍ତ୍ଵ ଅନୁସାରେ ଏହା ସମ୍ଭବ ନୁହେଁ ।

 

ଦୈହିକ ଲକ୍ଷଣ ଛଡ଼ା ହିଷ୍ଟ୍ରିଆର ମାନସିକ ଲକ୍ଷଣବି ଅଛି ଓ ସେଗୁଡ଼ିକ ଆହୁରି ଆଶ୍ଚର୍ଯ୍ୟଜନକ । ଦୁଇ ଓ ବହୁ ବ୍ୟକ୍ତିତ୍ଵ (dual and multiple Personality) ସେଥିରୁ ଗୋଟିଏ । କେମିତି ଗୋଟିଏ ଲୋକର ଦୁଇ ବା ବହୁବ୍ୟକ୍ତିତ୍ୱ ଥିଲା ଏ କଥା ଗଳ୍ପ ଓ ଉପନ୍ୟାସରେ ସ୍ଥାନ ପାଇଛି । ଓଡ଼ିଆରେ ‘ଘଟାନ୍ତର’ ବହି ଦ୍ଵି–ବ୍ୟକ୍ତିତ୍ୱ ନେଇ ଲେଖା । ଏଥିରେ ସେହି ଜଣେ ଲୋକ ବେଳେବେଳେ ବିଖ୍ୟାତ ଓ ଜନପ୍ରିୟ ଡାକ୍ତର ଓ ଅନ୍ୟବେଳେ ଦୁଶ୍ଚରିତ୍ର ଗୁଣ୍ଡା–ଏ ଦୁଇଟି ବ୍ୟକ୍ତିତ୍ଵ ପ୍ରକାଶ କରୁଥିଲା ଏବଂ ଆଶ୍ଚର୍ଯ୍ୟର କଥା ଏ ଦୁଇ ବ୍ୟକ୍ତିତ୍ୱ ଭିତରେ କିଛି ସମ୍ବନ୍ଧ ନଥିଲା–ମାନେ ଡାକ୍ତର ହେଲାବେଳେ ଲୋକଟି ଜାଣୁ ନଥିଲା ଯେ ସେ କିଛି ସମୟ ଆଗରୁ ଗୁଣ୍ଡା ଥିଲା ବା ଗୁଣ୍ଡା ହେଲାବେଳେ ନିଜର ଡାକ୍ତର–ବ୍ୟକ୍ତିତ୍ୱ ବିଷୟରେ ସଚେତନ ନଥିଲା । ହିଷ୍ଟ୍ରିଆ ରୋଗରେ ଏହିପ୍ରକାର ଲକ୍ଷଣ ଦେଖାଦିଏ । ସେଇ ଏକା ଝିଅ ବେଳେବେଳେ ଲୀଳା ଓ ବେଳେବେଳେ ଲଳିତା ହୁଏ । ଲୀଳା ଧିରସ୍ଥିର, ଶାନ୍ତ, ଦୟାଳୁ, ଲଳିତା, ଉଦ୍ଧତ, ନିର୍ଦ୍ଦୟ ଓ ଅସଂଯତା । ଆଜିକାଲି ବିଶ୍ଵାସ କରାଯାଉଛି ଯେ ବୋଧହୁଏ ଏ ଲକ୍ଷଣ ଦେଖାଦେବାମାତ୍ରକେ ସମସ୍ତେ ଆଗ୍ରହାନ୍ଵିତ ହେଉଥିବାରୁ ରୋଗୀ ଏହି ବ୍ୟକ୍ତିତ୍ୱ ଦୁଇଟିକୁ ସ୍ପଷ୍ଟଭାବରେ ଦେଖାଏ ।

 

ଯଦି କେହି ଆଗ୍ରହ ପ୍ରକାଶ କରୁ ନଥାଆନ୍ତେ ଅଳ୍ପ ଦିନରେ ଏହା ମନକୁମନ ଲୋପ ପାଆନ୍ତା । ଦୁଇରୁ ବେଶୀ ବ୍ୟକ୍ତିତ୍ଵବି ବେଳେବେଳେ ଦେଖାଦିଏ ।

 

ପଳାୟନ (Fugue) ହିଷ୍ଟ୍ରିଆର ଆଉ ଗୋଟିଏ ଲକ୍ଷଣ । ରୋଗୀ ତା’ର ଅଜାଣତରେ ନିଜଘରୁ ଚାଲିଯାଇ ଅନ୍ୟ ଜାଗାରେ ଅନ୍ୟ ନାମରେ ରହୁଥିବାର ଦେଖାଯାଏ । ତାକୁ ପଚାରିଲେ ସେ ତା’ ନିଜଘର କେଉଁଠି, କେମିତି ପଳାଇ ଆସିଲା ପ୍ରଭୃତି କିଛି ମନେ ପକାଇପାରେ ନାହିଁ । ଜଣେ ପୁରୋହିତ ଅନ୍ୟ ଜାଗାକୁ ଚାଲିଯାଇ ଡାଲି ଚାଉଳ ଦୋକାନୀ ହୋଇପାରେ ବା ଜଣେ ସ୍କୁଲ୍‍ମାଷ୍ଟ୍ର, ଦରଜି ହୋଇପାରେ । ଯୁଦ୍ଧବେଳେ ଏ ଲକ୍ଷଣ ଖୁବ୍‌ ବେଶୀ ଦେଖାଯାଏ । ସମ୍ମୁଖ ଯୁଦ୍ଧକ୍ଷେତ୍ରରୁ ପଳାଇ ଆସିଥିବା ସୈନିକର ବହୁଦୂରରେ କୌଣସି ଅଖ୍ୟାତ ପଲ୍ଲୀରେ ସନ୍ଧାନ କରାଯାଏ ଏବଂ ସେତେବେଳେ ତା’ର କୌଣସି ପୁରୁଣା କଥା ମନେ ପଡ଼େନି । ସାଧାରଣତଃ ପଳାୟନରେ ରୋଗୀର କୌଣସି ନା କୌଣସି ଉଦ୍ଦେଶ୍ୟ ସାଧିତ ହୁଏ । ଯଥା–ହୁଏତ ତା’ର ବୈବାହିକଜୀବନ ଆଦୌ ସୁଖମୟ ନୁହେଁ ସେ ପଳାଇ ଯିବାଦ୍ଵାରା ଅଶାନ୍ତିରୁ ରକ୍ଷାପାଏ ଓ ନୂଆ କରି ସଂସାର ଗଢ଼ିବାକୁ ସମର୍ଥ ହୁଏ । ଯୁଦ୍ଧକ୍ଷେତ୍ରରୁ ପଳାୟନରେ ତ ନିଶ୍ଚୟ ସ୍ଵାର୍ଥ ଅଛି । ସେଥିପାଇଁ ପଳାୟନଟା ପ୍ରକୃତରେ ରୋଗର ଲକ୍ଷଣ ନା ଖାଣ୍ଟି ଠକାମି ତା’ ଜାଣିବା ନିହାତି ଦରକାର ।

 

ପଳାୟନ ଛଡ଼ା ଖାଲି ସ୍ମୃତିଭ୍ରଂଶ ମଧ୍ୟ ହିଷ୍ଟ୍ରିଆର ଏକ ଲକ୍ଷଣ । ସ୍ମୃତିଭ୍ରଂଶରେ ରୋଗୀ ତା’ର ଅତୀତଜୀବନର କିଛି ବଡ଼ ଅଂଶ ଭୁଲିଯାଇଥିବାର କହେ ଓ ବ୍ୟବହାରରେ ଦେଖାଏ । ଆଗରୁ ଚିହ୍ନା ଲୋକଙ୍କୁ ରୋଗୀ ଚିହ୍ନିପାରେ ନାହିଁ; ଭାୱାଲ ସନ୍ନ୍ୟାସୀ ଆଖ୍ୟାୟିକାରେ ଏହି ପ୍ରକାର ହିଷ୍ଟ୍ରିଆଜନିତ ସ୍ମୃତିଭ୍ରଂଶର ବର୍ଣ୍ଣନା କରାଯାଇଛି । ଅବଶ୍ୟ ଭାୱାଲ ସନ୍ନ୍ୟାସୀଙ୍କର ପ୍ରକୃତରେ ହିଷ୍ଟ୍ରିଆ ଥିଲା କି ନାହିଁ, ଜଣାନାହିଁ । କେତେକ ରୋଗୀଙ୍କଠାରେ ଦେଖାଯାଇଛି ସେ ସ୍ମୃତିଭ୍ରଂଶ ଲକ୍ଷଣ ପୂରା ସତ ନୁହେଁ, ଅର୍ଥାତ୍‌ ଏଥିରେ କିଛିଟା ଛଳନା ଅଛି । ହିଷ୍ଟ୍ରିଆ ରୋଗୀମାନେ ସାଧାରଣତଃ ଛଳନାପ୍ରିୟ ଓ ତିଳକୁ ତାଳ କରିବା ସେମାନଙ୍କର ସ୍ଵଭାବ । ତେଣୁ ସ୍ମୃତିଭ୍ରଂଶ ବା ପଳାୟନ ପ୍ରଭୃତି ଲକ୍ଷଣରେ କିଛିଟା ଛଳନା ରହିବା ସ୍ଵାଭାବିକ ।

 

ଗ୍ୟାନ୍‌ସରଙ୍କ ସିନ୍‌ଡ଼୍ରୋମ (Ganser’s Syndrome) ସହିତ ସ୍ମୃତିଭ୍ରଂଶର ଅନେକ ସାମଞ୍ଜସ୍ୟ ଅଛି । ଏ ଲକ୍ଷଣପୁଞ୍ଜ ସାଧାରଣତଃ ଜେଲ ଭୋଗୁଥିବା କଏଦୀମାନଙ୍କଠାରେ ଦେଖାଯାଏ । ଏଥିରେ ସ୍ମୃତିଭ୍ରଂଶ ଛଡ଼ା ଅଯଥା ଉତ୍ତେଜିତ ହେବା, ଇଆଡ଼ୁସିଆଡ଼ୁ କଥାବାର୍ତ୍ତା କରିବା ପ୍ରଭୃତି ଲକ୍ଷଣ ଦେଖାଦିଏ । ଯଥା–ଏ ପ୍ରକାର ରୋଗୀକୁ ପଚାରିବ ‘ଗାଈର କେତୋଟି ଗୋଡ଼ ?’ ସେ କହିବ ‘ପାଞ୍ଚଟି ।’ ହିଷ୍ଟ୍ରିଆରେ ସବୁବେଳେ ନିଦରେ ଶୋଇ ରହିବା ଲକ୍ଷଣ ଦେଖାଦିଏ । ଗ୍ୟାନ୍‌ସରଙ୍କର ସିନ୍‌ଡ଼୍ରୋମରେ ମଧ୍ୟ ଏହି ଲକ୍ଷଣ ଦେଖାଦିଏ କିନ୍ତୁ ଇଲେକ୍‌ଟ୍ରୋଏନ୍‌ସେଫାଲୋଗ୍ରାମ୍‌ (E.E.G.) ଯନ୍ତ୍ର ଲଗାଇ ଦେଖିଲେ ଜଣାଯାଏ ଯେ ପ୍ରକୃତ ନିଦ୍ରାବସ୍ଥାରେ ଯେଉଁ ପ୍ରକାର ରେକର୍ଡ଼ ମିଳେ ତାହା ଏଠି ମିଳେନାହିଁ । ପରନ୍ତୁ ଜାଗ୍ରତାବସ୍ଥାରେ ରେକର୍ଡ଼ ସଙ୍ଗେ ଏହାର ବେଶୀ ମେଳ ଥାଏ । (E.E.G.) ବା ଇଲେକ୍‌ଟ୍ରୋଏନ୍‌ସେଫାଲୋଗ୍ରାମ ଯନ୍ତ୍ର ମସ୍ତିଷ୍କର ଇଲେକ୍‌ଟ୍ରିକ୍‌ ତରଙ୍ଗ ରେକର୍ଡ଼ କରେ । ଏ ଯନ୍ତ୍ର ମସ୍ତିଷ୍କରେ ଲଗାଇ ଦେଲେ ମୁଣ୍ଡ ଭିତରେ ହେଉଥିବା ଇଲେକ୍‌ଟ୍ରିକାଲ୍‌ କମ୍ପନ ଆପେଆପେ କାଗଜରେ ଲେଖିହୋଇଯାଏ । ଶୋଇଲାବେଳେ ଯେଉଁ ପ୍ରକାରର ତରଙ୍ଗ ବା କମ୍ପନ ମିଳେ; ଜାଗ୍ରତ ଥିଲାବେଳେ ତାହାଠାରୁ ଅଲଗା ପ୍ରକାର କମ୍ପନ ମିଳେ । ଏ ଯନ୍ତ୍ରଦ୍ଵାରା ଏପିଲେପ୍‌ସି ଓ ମସ୍ତିଷ୍କ ଭିତରେ ଘା ହୋଇଥିଲେ ସହଜରେ ଜଣାପଡ଼େ । ଭାରତରେ ଅନେକ ଜାଗାରେ ଆଜିକାଲି ଏ ଯନ୍ତ୍ର ରଖାଗଲାଣି । କଏଦୀମାନଙ୍କ ଭିତରେ ଏ ଲକ୍ଷଣ ଦେଖାଯିବାର କାରଣ ହେଲା ସେମାନେ ଜେଲରେ ଦୁଃଖଦାୟକ ଅବସ୍ଥାକୁ ସ୍ମୃତିଭ୍ରଂଶଦ୍ଵାରା ଭୁଲିଯାଇପାରନ୍ତି । ଶୋଇବାଦ୍ଵାରା ସେହିପରି ସେ ଦୁଃଖରୁ ଆଂଶିକ ଭାବରେ ରକ୍ଷା ପାଆନ୍ତି । କିନ୍ତୁ ସାବଧାନତା ସହକାରେ ସ୍ମୃତିଭ୍ରଂଶ ବା ନିଦ ଲାଗିବା ପ୍ରବୃତ୍ତିକୁ ହିଷ୍ଟ୍ରିଆର ଲକ୍ଷଣ ବୋଲି ଚିହ୍ନଟ କରିବା ଦରକାର । କାରଣ ସମୟେ ସମୟେ ଏ ଲକ୍ଷଣଗୁଡ଼ିକ ଗୁରୁତର ମାନସିକ ବ୍ୟାଧିର ଆରମ୍ଭରହିଁ ସୂଚନା ଦେଉଥାଏ । ସେ ରୋଗୀକୁ ହିଷ୍ଟ୍ରିଆ ରୋଗୀ ବୋଲି ଧରିନେଇ ଚିକିତ୍ସା କଲେ ପ୍ରକୃତ ଗୁରୁତର ମାନସିକ ବ୍ୟାଧିଟି ବହୁଦିନଯାକେ ଚିହ୍ନା ନ ପଡ଼ି ରହିଯାଏ ଓ ଆହୁରି ଗୁରୁତର ହୋଇଯାଏ । ଆଉ ଯେତେବେଳେ ଶେଷକୁ ଚିହ୍ନଟ କରାଯାଏ, ରୋଗ ଏତେ ବଢ଼ିଯାଇଥାଏ ଯେ ଭଲ ହେବା ପ୍ରାୟ ଅସମ୍ଭବ ହୋଇପଡ଼େ ।

 

ହିଷ୍ଟ୍ରିଆର ଆଉ ଗୋଟିଏ ଅଦ୍ଭୁତ ଲକ୍ଷଣ ଅଛି–ମୋଟେ ଭୋକ ନ ହେବା । ଏହାର ଇଂରାଜୀ ନାମ ଆନୋରେକ୍‍ସିଆ ନର୍ଭୋସା (anorexia nervosa) । ସାଧାରଣତଃ ସ୍ତ୍ରୀଲୋକମାନଙ୍କଠାରେ ଏ ଲକ୍ଷଣ ଦେଖାଯାଏ । ରୋଗୀ ମୋଟେ ଖାଏନାହିଁ, ଯେମିତି ତା’ର ଚିରନ୍ତନ ଅଗ୍ନିମାନ୍ଦ୍ୟ ହୋଇଛି । ଖାଦ୍ୟ ଦେଖିଲେ ବାନ୍ତିଲାଗେ, ବିଶେଷତଃ ପୁଷ୍ଟିକର ଖାଦ୍ୟ ପ୍ରତି ସବୁଠୁ ବେଶୀ ଘୃଣା । ଆସ୍ତେ ଆସ୍ତେ ରୋଗୀ ଖୁବ୍‌ ପତଳା ହୋଇଯାଏ, ଓଜନ କମେ ଅଥଚ ପୂର୍ବପରି ଖୁବ୍‌ କାମଦାମ କରିବାକୁ ଭଲପାଏ । ଲୋକଙ୍କ ସାଙ୍ଗେ ମିଳାମିଶା ଓ ବୁଲାବୁଲି ମୋଟେ କରେନି, ତାକୁ ପଚାରିଲେ ସେ କହେ ଯେ ନ ଖାଇଲେ ତା’ର କିଛି ଅସୁବିଧା ହେଉନି । ତାକୁ ରୋଗ ହୋଇଛି ବୋଲି କହିଲେ ସେ ଆଦୌ ବିଶ୍ଵାସ କରେନି । ମାନସିକ କାରଣ ଭିତରେ ମାନସିକ ଦ୍ଵନ୍ଦ୍ୱ ସର୍ବପ୍ରଧାନ । ମନେକର ଝିଅର ବିନା ସମ୍ମତିରେ ତାକୁ ଜବରଦସ୍ତ ଗୋଟାଏ ଜାଗାରେ ବାହା କରିଦିଆ ହେଉଛି ବା ବାପ ମା’ଙ୍କ ସାଙ୍ଗରେ ଭୀଷଣ ଗୋଳମାଳ ଲାଗିଛି; ହିଷ୍ଟ୍ରିଆ ରୋଗୀର ଏ କ୍ଷେତ୍ରରେ ‘‘ଚିରନ୍ତନ ଅଗ୍ନିମାନ୍ଦ୍ୟ’’ ଦେଖାଦେଇପାରେ । ଏ ଲକ୍ଷଣ କିଛିଦିନ ରହିଲେ ରୋଗୀ ନ ଖାଇ ନ ଖାଇ ମରିଯାଏ ବା ଏତେ ଦୁର୍ବଳ ହୋଇପଡ଼େ ଯେ ଯକ୍ଷ୍ମା ପ୍ରଭୃତି ଦାରୁଣ ରୋଗରେ ଆକ୍ରାନ୍ତ ହୁଏ ଏବଂ ସେତେବେଳେ ଆରୋଗ୍ୟର ସମ୍ଭାବନା ଖୁବ୍‌ କମ୍ । ଏ ପ୍ରକାର ହିଷ୍ଟ୍ରିଆ ରୋଗୀର ଐଶ୍ଵରିକ ଶକ୍ତି ଅଛି ବୋଲି ବହୁତ ଗାଁରେ ଲୋକେ ବିଶ୍ଵାସ କରନ୍ତି ଓ ତା’ର ଏ ଶକ୍ତିପାଇଁ ମାନସମ୍ମାନ ଦିଅନ୍ତି ଯାହା ଫଳରେ ରୋଗୀ ଉତ୍ସାହିତ ହୋଇ ଆଉ ମୋଟେ ଖାଏନାହିଁ ଓ ଅବଶ୍ୟମ୍ଭାବୀ ପରିଣତି ଭୋଗ କରେ ।

 

ଏହାର ଚିକିତ୍ସାର ପ୍ରଥମ ପର୍ଯ୍ୟାୟରେ ଡାକ୍ତରଖାନାକୁ ରୋଗୀକୁ ଅଣାଯାଏ ଓ ସାବଧାନତା ସହ ଜବରଦସ୍ତି ତାକୁ ଖାଦ୍ୟ ଦିଆଯାଏ । ତା’ ଛଡ଼ା ତା’ର ମାନସିକ ଦ୍ଵନ୍ଦ୍ୱ ବିଶ୍ଳେଷଣ କରି ପ୍ରତିବିଧାନ କରାଯାଏ ।

 

ହିଷ୍ଟ୍ରିଆର ଅନୁକୂଳ ଅବସ୍ଥା

 

ହିଷ୍ଟ୍ରିଆ କ’ଣ ବଂଶଗତ ? ଗବେଷଣା କରି ଦେଖାଯାଇଛି ଯେ କେତେକାଂଶରେ ଏହା ବଂଶଗତ । ହିଷ୍ଟ୍ରିଆ ରୋଗୀଙ୍କ ଭାଇ ଭଉଣୀମାନଙ୍କ ଭିତରୁ ଶତକଡ଼ା ୬ ଜଣଙ୍କୁ ହିଷ୍ଟ୍ରିଆ ହୁଏ ଓ ରୋଗୀଙ୍କର ପିଲାଙ୍କ ଭିତରୁ ଶତକଡ଼ା ୧୫ ଜଣଙ୍କର ଏ ରୋଗ ହୁଏ । ତା’ ଛଡ଼ା ହିଷ୍ଟ୍ରିଆ ରୋଗୀଙ୍କର ପ୍ରାୟ ଶତକଡ଼ା ୨୫ ଭାଗ ପିଲାପିଲି ଆଡ଼ପାଗଳାମୀର ବହୁତ ଲକ୍ଷଣ ଦେଖାନ୍ତି ।

 

ହିଷ୍ଟ୍ରିଆ ରୋଗୀର ରୋଗ ପୂର୍ବର ବ୍ୟକ୍ତିତ୍ଵରେ କେତେକ ବିଶେଷତ୍ଵ ଦେଖାଯାଏ । ସେ ସାଧାରଣତଃ ଖୁବ୍‌ ସହଜରେ ଖୁସି ହୋଇଯାଏ ବା ଅଳ୍ପରେ ଦୁଃଖିତ ହୋଇ କାନ୍ଦି ପକାଏ । ଅନ୍ୟ ଲୋକ ତା’ ଆଗରେ ନିଜ ଦୁଃଖ କହିଲେ ସେ ଗଭୀର ସମବେଦନା ଜଣାଏ । କିନ୍ତୁ ପରମୁହୂର୍ତ୍ତରେ ସେ ସବୁ ଭୁଲିଯାଏ । ତା’ର ଉଦ୍‌ବେଗ ଓ ଅନୁରାଗ ଅଳ୍ପାୟୁ । ତା’ର ସ୍ନେହ ପ୍ରୀତିରେ କେମିତି ପିଲାଳିଆମି ଦେଖାଯାଏ । ଖୁବ୍‌ ଶୀଘ୍ର ସେ ଜଣଙ୍କୁ ଭଲ ପାଇପାରେ ଓ ପୁଣି ଅନ୍ୟ ମୁହୂର୍ତ୍ତରେ ଏତେ ଘୃଣା କରେ ଯେ ତା’ ସଙ୍ଗେ କଥାବାର୍ତ୍ତାବି କରେ ନାହିଁ । ଉତ୍ସାହ, ପ୍ରେରଣା, ପ୍ରତିଜ୍ଞା ବା ଆକାଂକ୍ଷା ସବୁ ସେହିପରି ଅସ୍ଥାୟୀ । ସେ ଅତ୍ୟନ୍ତ ସ୍ଵାର୍ଥପର । ନିଜ ସ୍ଵାର୍ଥ ଜଗି ସେ ସବୁ କାମ କରୁଥାଏ । ସେ ଜିଦ୍‌ଖୋର ପ୍ରକୃତିର ଲୋକ; ତେଣୁ ସେ ଯାହାକୁ ଭଲ ପାଏ ତା’ଠୁ ସବୁପ୍ରକାର ତ୍ୟାଗ ଆଶା କରେ । ସେ ସବୁ କଥା ଖୁବ୍‌ ବଢ଼େଇ ବଢ଼େଇ କହେ । ମନେକର ତା’ର ମୁଣ୍ଡ ବିନ୍ଧୁଛି, ସେ କହିବ ଭୀଷଣ ମୁଣ୍ଡ ବିନ୍ଧୁଛି । ସେହିପରି ତା’ର ‘ଭୟାନକ’ ଜ୍ଵର ହୁଏ । ‘ଅସମ୍ଭବ’ ଭାବରେ ପେଟ କାମୁଡ଼େ, ପ୍ରାଣ ‘ହାହାକାର’ କରେ ଅଥବା ରାଗରେ ‘ଆଖି କାନରୁ’ ‘ନିଆଁ ବାହାରିପଡ଼େ’ । ଏମିତି ନାଟକୀୟ ଭଙ୍ଗୀରେ ସ୍ଵଭାବତଃ କଥାବାର୍ତ୍ତା କରୁଥିବାରୁ ସେ ଥିଏଟରରେ ଅଭିନୟ କରି ପଇସା ରୋଜଗାର ମଧ୍ୟ କରିପାରେ । ସେଥିପାଇଁ ବେଳେବେଳେ ଥିଏଟର ଅଭିନେତାଙ୍କ ଭିତରୁ ବହୁତ ହିଷ୍ଟ୍ରିଆ ରୋଗୀ ବାହାରନ୍ତି । ବିନା କାରଣରେ ଅନବରତ ମିଛ କହିବା ମଧ୍ୟ ଏ ବ୍ୟକ୍ତିତ୍ଵର ଆଉ ଗୋଟିଏ ଚିହ୍ନ ।

 

ମୋଟାମୋଟି କହିବାକୁ ଗଲେ ଯାହାକୁ ପରେ ହିଷ୍ଟ୍ରିଆ ହୁଏ ସେ ଭଲ ଥିଲାବେଳେ ନିଜେ ଯାହା କେବେ ସେଥିରେ ସନ୍ତୁଷ୍ଟ ନ ହୋଇ ସବୁବେଳେ ନିଜକୁ ବଡ଼ ବୋଲି ମନେକରେ । ନିଜର ଶକ୍ତି ସାମର୍ଥ୍ୟର ସୀମା ଭିତରେ ନ ରହି ତା’ର ବାହାରେ ଯିବାକୁ ଇଚ୍ଛା କରେ । ସେଥିପାଇଁ ଗୋଟାଏ ଘଟଣାରେ ଯେତିକି ଆବେଗ ହେଉଛି ତା’ଠୁ ବେଶୀ ଦେଖାଇବାକୁ ଚେଷ୍ଟା କରେ । ତେଣୁ ତା’ର ଅନୁଭୂତି ଓ ଆବେଗ କୃତ୍ରିମ ଜଣାପଡ଼େ । ସୌଭାଗ୍ୟକ୍ରମେ ତା’ ଛଡ଼ା ଅନ୍ୟ ସମସ୍ତେ ଏ କୃତ୍ରିମତା ଜାଣିପାରନ୍ତି ।

 

ଉପରେ ବର୍ଣ୍ଣନା କରାଯାଇଥିବା ଲକ୍ଷଣ ଯେଉଁ ଲୋକଠାରେ ଦେଖାଯାଏ ତାକୁ ହିଷ୍ଟ୍ରିଆ ହେବାର ସମ୍ଭାବନା ବେଶୀ । କାହାଠୁ ବେଶୀ ? ଯେଉଁ ଲୋକଠାରେ ଉପରୋକ୍ତ ଲକ୍ଷଣ ଦେଖାଯାଏ ନାହିଁ ତାକୁ ହିଷ୍ଟ୍ରିଆ ହେବାର ସମ୍ଭାବନାଠାରୁ ବେଶୀ । କିନ୍ତୁ ଅଳ୍ପ ବହୁତେ ଅଧିକାଂଶ ଲୋକଙ୍କଠାରେ ଉପରୋକ୍ତ ଲକ୍ଷଣ ସବୁ ଦେଖାଯାଏ । ତେଣୁ ଯାହାଠାରେ ସେ ଲକ୍ଷଣଗୁଡ଼ିକ ବହୁତ ବେଶୀ ଦେଖାଯାଏ ତା’ର ହିଷ୍ଟ୍ରିଆ ହେଲେ ଅପ୍ରତ୍ୟାଶିତ ହେବନାହିଁ । ଏହି ପ୍ରକାର ଲୋକଙ୍କର ହିଷ୍ଟ୍ରିଆ ଯେକୌଣସି ସାମାନ୍ୟ କାରଣରୁ ଆରମ୍ଭ ହୋଇପାରେ, ଅର୍ଥାତ୍‌ ଯାହାକୁ ହିଷ୍ଟ୍ରିଆ ହୋଇଛି ତା’ର ରୋଗ ଯେକୌଣସି ସାମାନ୍ୟ ଘଟଣା ପରେ ମଧ୍ୟ ଦେଖାଦେଇଥିବ । ଗଛରୁ ବା ଅଳ୍ପ ଉଚ୍ଚ ଜାଗାରୁ ପଡ଼ିଗଲା ପରେ ହିଷ୍ଟ୍ରିଆ ହେବାର ଯେମିତି ଦୃଷ୍ଟାନ୍ତ ଅଛି ଖୁବ୍‌ ଉଚ୍ଚ କୋଠାରୁ ପଡ଼ିଯାଇ ହିଷ୍ଟ୍ରିଆ ହେବାର ମଧ୍ୟ ସେମିତି ଉଦାହରଣ ଅଛି । ହିଷ୍ଟ୍ରିଆର ଅନୁକୂଳ ବ୍ୟକ୍ତିତ୍ୱ ଥିବା ଲୋକ ଅନ୍ୟର ହୃଦ୍‍ରୋଗ ହୋଇଥିବାର ଦେଖିଲେ ନିଜର ସେହି ରୋଗ ହୋଇଛି ବୋଲି ଭାବେ ଏବଂ ସେ ଦିନଠାରୁ ତାହାର ପ୍ରକୃତ ହିଷ୍ଟ୍ରିଆ ଆରମ୍ଭ ହୁଏ । ସେମିତି ମନେକର ଜଣକର ହିଷ୍ଟ୍ରିଆ ଅନୁକୂଳ ବ୍ୟକ୍ତିତ୍ଵ ଅଛି । ସେ ହଠାତ୍‌ ଶୁଣିଲା ଯେ ପିଲାଦିନେ ତା’ର ଏମିତି କାଛୁକୁଣ୍ଡିଆ ହୋଇଥିଲା ଯେ ଦୁଇବର୍ଷଯାକେ ଛାଡ଼ିଲାନି । ଖୁବ୍‌ ଶୀଘ୍ର ତା’ର ହିଷ୍ଟ୍ରିଆ ହୋଇପାରେ ଏବଂ ମୁଖ୍ୟ ଲକ୍ଷଣ ହିସାବରେ ଚର୍ମରୋଗ ଦେଖାଦେଇପାରେ ।

 

ମନେକର ଏମିତି ଅନୁକୂଳ ବ୍ୟକ୍ତିତ୍ଵ ଥିବା ଲୋକକୁ ଟାଇଫଏଡ଼୍ ହେଲା । ସେ ହସ୍‌ପିଟାଲ ଖଟରେ ଶୋଇଛି, ପ୍ରାୟ ଭଲ ହୋଇଗଲାଣି; ଦୁଇଜଣ ଡାକ୍ତର ତା’ ପାଖରେ ଠିଆ ହୋଇ କଥାବାର୍ତ୍ତା ହେଉ ହେଉ ଜଣେ ଅନ୍ୟଜଣଙ୍କୁ କହିଲେ ଯେ ବୋଧେ ଟାଇଫଏଡ଼୍ ପରେ ଏହାର ଆଖିକୁ ଖୁବ୍‌ ଭଲ ଦେଖାଯାଇ ନ ପାରେ । ଏ କଥା ଶୁଣିପାରି ସେ ଟାଇଫଏଡ଼୍‍ରୁ ଉଠିଲା ପରେ ଆଖିକୁ ଦେଖାଯାଉନି ବୋଲି କହିପାରେ ଆଉ ଏଇଟା ଆସନ୍ନ ହିଷ୍ଟ୍ରିଆର ପ୍ରଥମ ଲକ୍ଷଣ ହୋଇପାରେ । ଏ ସବୁରୁ ମନେହୁଏ ଯେ ହିଷ୍ଟ୍ରିଆ ରୋଗୀମାନଙ୍କୁ ସହଜରେ ପ୍ରବର୍ତ୍ତାଇ ହେବ । ଯାହା କହିଲେ ସହଜରେ ସେମାନେ ବିଶ୍ଵାସ କରିଯିବେ । ଇଂରାଜୀରେ ସେମାନଙ୍କୁ ଖୁବ୍ ସଜେଷ୍ଟିବଲ୍‌ (suggestible) କୁହାଯିବ । କିନ୍ତୁ ପରୀକ୍ଷା କରି ଦେଖାଯାଇଛି ଯେ ସେମାନେ ପ୍ରକୃତରେ ବେଶୀ ସଜେଷ୍ଟିବଲ୍‌ ନୁହନ୍ତି, ଅର୍ଥାତ୍‌ ଅନ୍ୟ ଲୋକଙ୍କ କଥାରେ ଶୀଘ୍ର ପ୍ରବର୍ତ୍ତିତ ହୁଅନ୍ତି ନାହିଁ । ଆଗରୁ କୁହାଯାଇଥିବା ବଡ଼ି ସ୍ଵେ ଟେଷ୍ଟ୍‍ଦ୍ଵାରା ଏହା ଜଣାପଡ଼ିଛି ।

 

ଫ୍ରଏଡ଼୍ ଓ ଅନ୍ୟାନ୍ୟ ମନୋବିଶ୍ଳେଷଣକାରୀଙ୍କ ମତରେ ହିଷ୍ଟ୍ରିଆ ନିର୍ଜ୍ଞାନରେ ଥିବା ଇଡ଼୍ ପ୍ରବୃତ୍ତି ଯୋଗୁଁ ହୁଏ । ଇଡ଼୍ ଓ ସୁପର୍‍ଇଗୋ (ଆଦିମ ପ୍ରବୃତ୍ତି ଓ ବିବେକ) ଭିତରେ ଗୋଳମାଳ ହୋଇ ଇଡ଼୍‍ରେ ଥିବା ଆଦିମ ପ୍ରବୃତ୍ତିଗୁଡ଼ିକ ଛଦ୍ମବେଶରେ ବିଭିନ୍ନ ଦୈହିକ ଓ ମାନସିକ ଲକ୍ଷଣରୂପରେ ଦେଖାଦିଅନ୍ତି । ତେଣୁ ହିଷ୍ଟ୍ରିଆର ସବୁ ଲକ୍ଷଣ ମୂଳରେ ଯୌନପ୍ରବୃତ୍ତି ରହିଛି । ପ୍ରକୃତରେ ଫ୍ରଏଡ଼୍‍ଙ୍କ ମତ ଅନୁସାରେ ହିଷ୍ଟ୍ରିଆ ରୋଗୀ ତା’ର ପିଲାଦିନର ଯୌନପ୍ରବୃତ୍ତି ସବୁକୁ ବିଭିନ୍ନ ଲକ୍ଷଣ ହିସାବରେ ଦେଖାଏ । ପିଲା ଜନ୍ମ ହେବା ଦିନଠାରୁ ୧୫।୧୬ ବର୍ଷ ପର୍ଯ୍ୟନ୍ତ ଯୌବନ ବିକାଶର ବିଭିନ୍ନ ସ୍ତର ଦେଇ ଆସେ ବୋଲି ଫ୍ରଏଡ଼୍ କହନ୍ତି । ଅତି ପିଲାଦିନେ ପ୍ରାୟ ବର୍ଷକ ଆଗରୁ ପିଲା ନିଜର ମୁହଁ ଅଞ୍ଚଳରୁ ସୁଖ ପାଏ–ଯେମିତି ସେ ଆଙ୍ଗୁଠି ଚୁଚୁମିବାକୁ ବା ବିନା ଆବଶ୍ୟକତାରେ ମା’ର ଦୁଧ ଚୁଚୁମିବାକୁ ଭଲପାଏ । ଟିକିଏ ଦାନ୍ତ ଉଠିବା ବୟସ ହେଲେ ସେ କାମୁଡ଼ିବାରୁ ମଧ୍ୟ ଆନନ୍ଦ ପାଏ । ବର୍ଷେ ଦେଢ଼ବର୍ଷ ହୋଇଥିଲାବେଳେ ପିଲା ନିଜର ଗୁହମୂତ ଘାଣ୍ଟି ଖେଳିବାକୁ ଚାହୁଁଥିବାତ ଦେଖାଯାଏ । ଫ୍ରଏଡ଼୍ କହନ୍ତି ଯେ ଏ ଅବସ୍ଥାରେ ପିଲା ଝାଡ଼ା ବସିବାକୁ ସୁଖପାଏ ଏବଂ ଝାଡ଼ା ସଙ୍ଗେ ଖେଳିବା ଏ ସୁଖର ରୂପାନ୍ତର ମାତ୍ର । ତା’ପରେ ୩।୪ ବର୍ଷ ବେଳକୁ ପିଲା ନିଜ ଜନନେନ୍ଦ୍ରିୟ ସାଙ୍ଗେ ଖେଳି ଓ ଅନ୍ୟମାନଙ୍କ ଜନନେନ୍ଦ୍ରିୟ ଦେଖି ସୁଖପାଏ-। ଏହା ପରେ ୧୪।୧୫ ବର୍ଷ ନ ହେଲା ପର୍ଯ୍ୟନ୍ତ ତା’ର ସବୁ ଯୌନପ୍ରବୃତ୍ତି ଲୁଚି ରହେ ଏବଂ ୧୪।୧୫ ବର୍ଷ ପରେ ପ୍ରାପ୍ତ ବୟସ୍କଙ୍କ ପରି ସେ ଯୌନସୁଖ ଲାଭ କରେ । ସବୁ ପ୍ରକାର ମାନସିକ ବ୍ୟାଧିରେ ଯୌନବିକାଶର କୌଣସି ଗୋଟିଏ ସ୍ତରକୁ ରୋଗୀ ଫେରିଆସେ । ଅର୍ଥାତ୍‌ ପ୍ରୌଢ଼ୋଚିତ ଯୌନସୁଖ ନ ପାଇ ପିଲା ଦିନର ମୁଖଜନିତ, ଗୁହ୍ୟଦ୍ଵାର ଜନିତ ବା ଜନନେନ୍ଦ୍ରିୟଜନିତ ଯୌନସୁଖ ପାଇବାପାଇଁ ଫେରିଆସେ । ହିଷ୍ଟ୍ରିଆରେ ଜନନେନ୍ଦ୍ରିୟଜନିତ ଯୌନସୁଖ ପାଉଥିବା ପିଲାଦିନର ଅବସ୍ଥାକୁ ରୋଗୀ ଫେରିଆସେ ବୋଲି ଫ୍ରଏଡ଼୍‍ଙ୍କର ମତ-। ପିଲାଦିନର ଏହି ଅବସ୍ଥାରେ ଦମିତ ଇଡ଼୍ ପ୍ରବୃତ୍ତିଗୁଡ଼ିକ ପୁଣି ଦେଖାଦିଏ ଓ ଚରିତାର୍ଥ ହେବାପାଇଁ ବାଟ ଖୋଜେ । ହିଷ୍ଟ୍ରିଆର ଲକ୍ଷଣ ସାହାଯ୍ୟରେ ଏ ପ୍ରବୃତ୍ତିଗୁଡ଼ିକ ଆଂଶିକ ଭାବରେ ଚରିତାର୍ଥ ହୁଏ, ଅଥଚ ଖୋଲାଖୋଲି ଯୌନପ୍ରବୃତ୍ତି ବୋଲି ଜଣା ନପଡ଼ୁଥିବାରୁ ସୁପର୍‍ଇଗୋ ବା ବିବେକର ତୀକ୍ଷ୍ଣଦୃଷ୍ଟି ଏଡ଼ାଇ ଦେଇପାରେ । ତେଣୁ ଫ୍ରଏଡ଼୍ କହନ୍ତି ଯେ ହିଷ୍ଟ୍ରିଆର ଲକ୍ଷଣ ସବୁ ଆଦିମ ଯୌନପ୍ରବୃତ୍ତିର ଚରିତାର୍ଥର ଇଚ୍ଛା ଓ ବିବେକର ଶାସନ ଏ ଦ୍ଵନ୍ଦ୍ୱ୍ୟଚ୍ଛାର ଆପୋସ ସମାଧାନ-। ଏ ଦ୍ଵନ୍ଦ୍ଵରୁ ତ୍ରାହି ପାଇବାପାଇଁ ଲୋକଟି ହିଷ୍ଟ୍ରିଆ ରୋଗ ବରଣ କରେ । Hysteria is a flight to illness.

 

ହିଷ୍ଟ୍ରିଆର ଶରୀର ବିଜ୍ଞାନ ସମର୍ଥିତ ଏକମାତ୍ର କାରଣ ପାଭ୍‌ଲଭ୍‌ ଉପସ୍ଥାପିତ କରିଛନ୍ତି । ଏହି ରୁଷୀୟ ବୈଜ୍ଞାନିକ ଶରୀର ବିଜ୍ଞାନ ଓ ମନୋବିଜ୍ଞାନରେ ସମ୍ପୂର୍ଣ୍ଣ ଭାବରେ ନୂଆ ରକମର ଗବେଷଣା କରି ଦେଖାଇଛନ୍ତି ଯେ ସ୍ଵୟଂଚାଳିତ ରିଫ୍ଳେକ୍‌ସ୍‌ଗୁଡ଼ିକୁ ମଧ୍ୟ ତାଲିମଦ୍ଵାରା ବଦଳେଇ ହେବ । ପ୍ରଥମେ କୁକୁରଙ୍କ ଉପରେ ପାଭ୍‍ଲଭ୍‌ ତାଙ୍କର ପରୀକ୍ଷା ଚଳେଇଥିଲେ । ଖାଦ୍ୟ ପାଟିରେ ଦେଲେ ଲାଳବୋହିବା ଗୋଟିଏ ରେଫ୍ଳେକ୍‌ସ, ଏହା କୁକୁରମାନଙ୍କଠାରେ ମଧ୍ୟ ଦେଖାଯାଏ । ପାଭ୍‍ଲଭ୍‌ ପାକସ୍ଥଳୀରୁ କ୍ଷରଣ ହେଉଥିବା ହଜମ ରସ ଉପରେ ଗବେଷଣା କରୁ କରୁ ଦେଖିଲେ ଯେ ଖାଇବା ସମୟ ହେଲେ ପ୍ରକୃତ ଖାଦ୍ୟ ଦେବା ଆଗରୁ ମଧ୍ୟ ଲାଳ ଓ ହଜମ ରସ କ୍ଷରଣ ହେଉଛି । ପ୍ରଥମେ ପ୍ରଥମେ ପାଭ୍‍ଲଭ୍‌ ଏ କଥାକୁ କୌଣସି ଧ୍ୟାନ ନ ଦେଇ ଏହାକୁ ହଜମ ରସ ଗବେଷଣାର ଏକ ଅସୁବିଧା ବୋଲି ଭାବିଲେ । ପରେ ଯେତେବେଳେ ୮|୧୦ ଥର ବ୍ୟବହାର କରାଯାଇଥିବା ସବୁ କୁକୁରଙ୍କଠାରେ ଏ ପ୍ରକାର ଅପ୍ରତ୍ୟାଶିତ କ୍ଷରଣ ଦେଖାଗଲା, ପାଭ୍‌ଲଭ୍‌ ବିଜ୍ଞାନସମ୍ମତ ଉପାୟରେ ଏହାର ଗବେଷଣା କରିବାପାଇଁ ଠିକ୍‌ କଲେ । ଗୋଟିଏ କୁକୁରକୁ ନେଇ ଗବେଷଣାଗାର ବା ଲାବରେଟାରୀରେ ଖାଇବାକୁ ଦିଆଗଲା ଓ ଖାଇବାକୁ ଦିଆହେବାର ଟିକେ ଆଗରୁ ଗୋଟିଏ ଘଣ୍ଟି ବଜାହେଲା । ଏମିତି କିଛିଦିନ ଯିବାପରେ ଖାଇବା ଜିନିଷ ଦେଖିଲେ ତ ଲାଳ ବୋହିଲା, କେବଳ ଘଣ୍ଟି ବାଜିଲେ ମଧ୍ୟ ତା’ର ଲାଳ ବୋହିଲା । ମାନେ ଖାଦ୍ୟ ପାଇଲେ କୁକୁର ଯାହା କରୁଥିଲା କେବଳ ଘଣ୍ଟି ଶୁଣିଲେବି ସେଇଆ କଲା । ତା’ପାଇଁ ଘଣ୍ଟି = ଖାଦ୍ୟ । ଘଣ୍ଟି ବଦଳରେ ଆଲୁଅ ଜଳାଇଲେବି ସେଇଆ ହେଲା । ମାନେ ଆଲୁଅ ଓ ଖାଦ୍ୟ ଏକାଠି ଦେଇ ତାଲିମ ପାଇଲା ପରେ କେବଳ ଆଲୁଅ ଜଳେଇଲେବି କୁକୁରର ଲାଳ ବୋହିଲା । ଏମିତି ରିଫ୍ଳେକ୍‌ସକୁ ସର୍ତ୍ତସାପେକ୍ଷ ରିଫ୍ଳେକ୍‌ସ୍‌ ବା କନ୍‌ଡ଼ିସନ୍‌ଡ଼ ରିଫ୍ଳେକ୍‌ସ୍‌ କହନ୍ତି । କନ୍‌ଡ଼ିସନ୍‌ଡ଼ ରିଫ୍ଳେକ୍‌ସ୍‌ କରିବା ପ୍ରଣାଳୀଦ୍ଵାରା କୁକୁରମାନଙ୍କଠାରେ ଆଡ଼ପାଗଳାମୀ ସୃଷ୍ଟି କରାଯାଇପାରେ । ଯେମିତି ମନେକର ଆଲୁଅ ଓ ଖାଦ୍ୟ ଏକାସାଙ୍ଗରେ ଦେଇ ଆଲୁଅ ଦେଖିଲେ କୁକୁରର ଲାଳ ବୋହିଲା । ଏହା ଭଲ କରି ଶିଖିଯିବାପରେ ଯଦି ଠିକ୍‌ ସେଇ ଆଲୁଅ ନ ଦେଇ ତା’ଠାରୁ ଖୁବ୍‌ ଉଜ୍ଜ୍ଵଳ ଆଲୁଅ ଦିଆଯାଏ, ତେବେବି ଲାଳ ବୋହିବ । କିନ୍ତୁ ମନେକର ଉଜ୍ଜ୍ଵଳ ଆଲୁଅ ଦେଲେ କେଭେ ଖାଦ୍ୟ ଦିଆହେଉ ନାହିଁ; କିନ୍ତୁ ପ୍ରଥମେ ଯେଉଁ ଆଲୁଅ ଦିଆହେଉଥିଲା ତା’ ସାଙ୍ଗରେ ସବୁବେଳେ ଖାଦ୍ୟ ଦିଆହେଉଥିଲା । ଏପରି କିଛିଦିନ ତାଲିମ ପାଇଲା ପରେ ଉଜ୍ଜ୍ଵଳ ଆଲୁଅ ଜଳିଲେବି କୁକୁରର ଲାଳ ବୋହିବ ନାହିଁ । କ୍ରମେ କ୍ରମେ ଉଜ୍ଜ୍ଵଳ ଆଲୁଅର ଉଜ୍ଜ୍ଵଳତା କମେଇ ଦିଆହେଉ, ଯେମିତିକି ପ୍ରଥମ ଆଲୁଅଠୁ ତା’ର ଆସ୍ତେ ଆସ୍ତେ କମ୍ ତଫାତ୍‌ ରହିବ । ଉଜ୍ଜ୍ଵଳତା କ୍ରମାଗତ କମେଇବାଦ୍ଵାରା କେଉଁଟା ଜଳିଲେ ଲାଳ ବୋହିବ, କେଉଁଟାରେ ବୋହିବନି ଏହା ଶିଖିବା କୁକୁରପାଇଁ କ୍ରମେ କ୍ରମେ କଷ୍ଟ ହୋଇ ପଡ଼ୁଥିବ । ଶେଷରେ ଯେତେବେଳେ ଉଜ୍ଜ୍ଵଳ ଆଲୁଅ ଆଗ ଆଲୁଅଠାରୁ ଖୁବ୍‌ ଟିକେ ତଫାତ୍‌ ହେବ, କୁକୁର ଦ୍ଵନ୍ଦ୍ଵରେ ପଡ଼ି କେଉଁଟାରେ ଲାଳ ବୁହାଇବା ସ୍ଵାଭାବିକ ଠିକ୍‌ କରିପାରିବନି, ସେ ଅତ୍ୟନ୍ତ ବିଚଳିତ ହେବାର ଲକ୍ଷଣ ସବୁ ଦେଖାଇବ; ଅଯଥା ଭୁକିବ ଓ ଲାବରେଟାରୀକୁ ଆସିବାକୁ ଅମଙ୍ଗ ହେବ । କିଛିଦିନ ପରୀକ୍ଷା ବନ୍ଦ କରି ଛାଡ଼ିଦେଲେ ପୁଣି କୁକୁରର ସ୍ଵାଭାବିକ ଅବସ୍ଥା ଫେରିଆସେ । ପରୀକ୍ଷା ବନ୍ଦଥିବା ସମୟରେ କୁକୁରକୁ ଖୁବ୍ ଶୋଇବାକୁ ଦିଆହୁଏ ଏବଂ ସେଥିଯୋଗୁଁ ତା’ର ସ୍ଵାଭାବିକ ଅବସ୍ଥା ଫେରିଆସେ । ଏହିପରି ପରୀକ୍ଷାମୂଳକ ଭାବରେ କୁକୁରଠାରେ ହିଷ୍ଟ୍ରିଆର କେତେକ ଲକ୍ଷଣ ସୃଷ୍ଟି କରାଯାଇପାରେ-। ହିଷ୍ଟ୍ରିଆ ରୋଗୀର ବ୍ୟବହାର ପରି କୁକୁରବି ବ୍ୟବହାର କରେ । ସେ ବହୁତ ସମୟରେ ଅଯଥା ଭୁକେ ଓ କାରଣ ନଥାଇ ଡରିଯାଏ । ତା’ର ଅଙ୍ଗଭଙ୍ଗୀରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ବ୍ୟବହାର ସବୁ ଅବସ୍ଥାରେ ଦେଖାଏ । ଯଥା–ଗୋଟିଏ ନିର୍ଦ୍ଦିଷ୍ଟ ଭଙ୍ଗୀରେ ଠିଆ ହେବା ପ୍ରଭୃତି-। ପାଭ୍‌ଲଭ୍‌ଙ୍କ ମତରେ ପରୀକ୍ଷାମୂଳକ ହିଷ୍ଟ୍ରିଆଦ୍ଵାରା ମସ୍ତିଷ୍କର କେତେକ ଭାଗ ଏକୁଟିଆ ରହି ଯାଆନ୍ତି–କେତେଗୁଡ଼ିଏ ଅଂଶ ଖାଲି ସବୁବେଳେ ଉତ୍ତେଜିତ ଅବସ୍ଥାରେ ରହିଥାଏ, ଅନ୍ୟ କେତେକ ଅଂଶ ପ୍ରାୟ ନିଷ୍କର୍ମା ହୋଇ ରହିଥାଏ । ମସ୍ତିଷ୍କର ଅଂଶମାନଙ୍କ ଭିତରେ ବିଶେଷ ଯୋଗାଯୋଗ ନଥିବାରୁ ହିଷ୍ଟ୍ରିଆରେ ପାରାଲିସିସ୍‌, ସ୍ମୃତିଭ୍ରଂଶ, ବା ଦ୍ଵି–ବ୍ୟକ୍ତିତ୍ୱ ଏତେ ସହଜରେ ଦେଖାଦିଏ । କୁକୁରମାନଙ୍କଠାରେ ହିଷ୍ଟ୍ରିଆ କରାଇଲେ ଭଲ କରିବାର ଉପାୟ ହେଲା ସେମାନଙ୍କୁ ଶୁଆଇ ରଖିବା । ମଣିଷମାନଙ୍କୁ ହିଷ୍ଟ୍ରିଆ ହେଲେ ଦୀର୍ଘନିଦ୍ରା ମଧ୍ୟ ନିହାତି ଦରକାର ବୋଲି ଋଷୀୟ ମାନସିକ ଚିକିତ୍ସକମାନେ ଭାବନ୍ତି । ଔଷଧ ଦେଇ, ହିପନୋଟାଇଜ୍‌ (ସମ୍ମୋହନ) କରି ବା ଅନ୍ୟ ଯେକୌଣସି ଉପାୟରେ ଦୀର୍ଘ ସମୟ ଧରି ରୋଗୀମାନଙ୍କୁ ଶୁଆଇ ରଖିଲେ କେତେକ ଆଡ଼ପାଗଳାମୀ ସହଜରେ ଭଲ ହୋଇଯାଉଛି ବୋଲି ଋଷୀୟ ଡାକ୍ତରଙ୍କ ମତ । ଆମରବି ଏଠାରେ ହିଷ୍ଟ୍ରିଆ ହେଲେ କେତେକ ଡାକ୍ତର ପ୍ରଥମ ଚିକିତ୍ସା ହିସାବରେ କୌଣସି ନିଦ ଔଷଧ ଦେଇ ରୋଗୀକୁ ନିଦ କରାଇଦିଅନ୍ତି ।

 

ଚିକିତ୍ସା–ହିଷ୍ଟ୍ରିଆ ରୋଗର ଅଧିକାଂଶ ଲକ୍ଷଣ ମନକୁମନ ଚାଲିଯାଏ । ତେଣୁ ବିନା ଚିକିତ୍ସାରେ ହିଷ୍ଟ୍ରିଆ ଅନେକ କ୍ଷେତ୍ରରେ ଭଲ ହୋଇଯିବାରେ ଦୃଷ୍ଟାନ୍ତ ଅଛି । ଯେଉଁଠି ଭଲ ନହୁଏ ସେ କ୍ଷେତ୍ରରେ ଦେଖାଯାଇଛି ଯେ ରୋଗୀ ତା’ର ରୋଗଦ୍ଵାରା ପାର୍ଶ୍ଵଜନଙ୍କର ସ୍ନେହ ଓ ସହାନୁଭୂତି ପାଉଛି ବା ସେହିପରି ଅନ୍ୟ କିଛି ସନ୍ତୋଷ ଲାଭ କରୁଛି କିମ୍ୱା ରୋଗୀର ରୋଗ ପୂର୍ବର ବ୍ୟକ୍ତିତ୍ୱରେ ହିଷ୍ଟ୍ରିଆ ଅନୁକୂଳ ଉପାଦାନ ଖୁବ୍‌ ବେଶୀ । ହିଷ୍ଟ୍ରିଆର କୌଣସି ଲକ୍ଷଣ ପୁରୁଣା ହୋଇଗଲେ ତାକୁ ଭଲ କରିବା କଷ୍ଟକର । କାରଣ ମନେକର ଜଣେ ରୋଗୀର ହାତ ଥରୁଛି । ବହୁତଦିନ ପର୍ଯ୍ୟନ୍ତ ଏହାହେଲେ ତା’ର ଥରିବାଟା ଏମିତି ଅଭ୍ୟାସରେ ପଡ଼ିଯାଏ ଯେ କନ୍‌ଡ଼ିସନ୍‌ଡ଼ ରିଫ୍ଳେକ୍‌ସ ଭଳି ଏହା ସ୍ୱୟଂଚାଳିତ ହୋଇ ଉଠେ ଓ ସହଜରେ ଏ ଅଭ୍ୟାସ ଦୂର କରାଯାଇପାରେ ନାହିଁ । ତେବେ ଯେତେ ପୁରାତନ ହେଲେ ମଧ୍ୟ ହିଷ୍ଟ୍ରିଆର ଯେକୌଣସି ଲକ୍ଷଣ ଭଲ ହୋଇଯିବାର ସମ୍ଭାବନା ଅଛି ।

 

ହିଷ୍ଟ୍ରିଆର ଚିକିତ୍ସାପାଇଁ ପ୍ରଥମେ ରୋଗର ଇତିହାସ ନେବାକୁ ହେବ । କେବେ ପ୍ରଥମେ ରୋଗ ଆରମ୍ଭ ହୋଇଥିଲା, ସେତେବେଳର ବିଶେଷ ଘଟଣା କ’ଣ, ରୋଗ କୌଣସି ନିର୍ଦ୍ଦିଷ୍ଟ ଋତୁରେ ବା ସମୟରେ ବଢ଼େ କି କମେ, ରୋଗ ପୂର୍ବର ବିଶିଷ୍ଟ ଲକ୍ଷଣ କ’ଣ ଇତ୍ୟାଦି ରୋଗୀଠାରୁ ଓ ତା’ର ଅଭିଭାବକ ଏବଂ ସାଙ୍ଗସାଥୀଙ୍କଠାରୁ ବୁଝି ଲେଖାହୁଏ । ଡାକ୍ତର ହାତରେ ଏ ସବୁ ଖବର ପହଞ୍ଚିବା ପରେ ସେ ଦେଖେ ଯେ କେବଳ ଅଳ୍ପ କେତେଗୁଡ଼ିଏ ଲକ୍ଷଣ ଯୋଗୁଁ ରୋଗୀ ସାଧାରଣ ଭାବରେ କାମଦାମ କରି ରହିବାପାଇଁ ଅସମର୍ଥ । ତେଣୁ ସେହି କେତେକ ଲକ୍ଷଣ ଦୂର କରିବା ପାଇଁ ଡାକ୍ତର ପ୍ରଥମେ ଚେଷ୍ଟା କରିପାରେ । ସାଧାରଣତଃ ଆବେଗମୟ ଅବସ୍ଥାରେ ଏଥିରୁ କେତେକ ଲକ୍ଷଣ ଗୁରୁତର ଭାବରେ ଦେଖାଦିଏ । ଏ ସବୁ ବିଶ୍ଳେଷଣରୁ ଜଣାପଡ଼ିବ ଯେ ରୋଗୀର ଲକ୍ଷଣଗୁଡ଼ିକ ତା’ର କି କି ମାନସିକ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରୁଛନ୍ତି-। ମାନସିକ ଆବଶ୍ୟକତା ବହୁପ୍ରକାରର ହୋଇପାରେ । ଯଥା–ସ୍ନେହ ଓ ସହାନୁଭୂତି ପାଇବା; ନିଜର ଅସାମର୍ଥ୍ୟ ଢାଙ୍କି ରଖିବା, ବୈବାହିକ ଜୀବନର ଦାୟିତ୍ୱରୁ ନିସ୍ତାର ପାଇବା କିମ୍ୱା ଆସନ୍ନ ବିପଦର ସମ୍ମୁଖୀନ ନ ହୋଇ କୌଣସିମତେ ଲୁଚି ରହିବା ଇତ୍ୟାଦି । ରୋଗୀର ମାନସିକ ଆବଶ୍ୟକତା ଜାଣିଲାପରେ ସେଗୁଡ଼ିକର ଅନ୍ୟ ଉପାୟରେ କିପରି ପରିପୂରଣ କରିହେବ ତାହା ଚିକିତ୍ସକ ଠିକ୍‌ କରନ୍ତି ଓ କ୍ରମେ କ୍ରମେ ରୋଗୀକୁ ସେ ସବୁ ଆବଶ୍ୟକତା ଉତ୍କୃଷ୍ଟ ପନ୍ଥାରେ ପୂର୍ଣ୍ଣ କରିବାପାଇଁ ଶିଖାନ୍ତି । ବେଳେବେଳେ ହିପ୍‌ନୋଟାଇଜ କରି ଏହାସବୁ ଆସ୍ତେ ଆସ୍ତେ ରୋଗୀକୁ ଶିଖାଯାଇପାରେ । ପାରିପାର୍ଶ୍ୱିକ ଅବସ୍ଥା ଯୋଗୁଁ ହିଷ୍ଟ୍ରିଆର ଲକ୍ଷଣ ବଢ଼ି ଚାଲୁଥିଲେ ରୋଗୀର ପରିପାର୍ଶ୍ୱ ବଦଳେଇବାକୁ ପଡ଼େ । ମୋଟଉପରେ ରୋଗ ଳକ୍ଷଣଗୁଡ଼ିକ ଭୁଲ ଅଭ୍ୟାସ ଓ ସେ ସବୁ ଛାଡ଼ିବାକୁ ପଡ଼ିବ–ଏଇ କଥା ରୋଗୀ ବିଶ୍ୱାସ କରିବାପାଇଁ ସବୁ ଚେଷ୍ଟା କରାଯାଏ–ଥରେ ବିଶ୍ୱାସ ଆସିଲେ ଆସ୍ତେ ଆସ୍ତେ ରୋଗ ଭଲହୁଏ ।

☆☆☆

 

ଅଷ୍ଟମ ପରିଚ୍ଛେଦ

ଆବେଶିକ–ଆଡ଼ପାଗଳାମୀ

 

ଜଣେ ଲୋକ ଇଲେକ୍‌ଟ୍ରିକ୍‌ ପଙ୍ଖା ତଳେ ବସିପାରେନାହିଁ; କାରଣ ସେଠି ବସିଲେ ତା’ର ବାରମ୍ୱାର ମନରେ ଆସେ ‘‘କାହିଁକି ଏ ପଙ୍ଖା ଘୂରୁଛି’’ । ଯେତେ ଚେଷ୍ଟା କଲେ ମଧ୍ୟ ସେ ତା’ ମନରୁ ଏ ଭାବନା ଦୂର କରିପାରେନାହିଁ । ଆବେଶିକ ଆଡ଼ପାଗଳାମୀରେ ଏହି ପ୍ରକାର ଭାବନା ରୋଗୀର ଅନିଚ୍ଛା ସତ୍ତ୍ୱେ ବାରମ୍ୱାର ଦେଖାଦିଏ । ଏହାଛଡ଼ା କୌଣସି ଗୋଟିଏ ନିରର୍ଥକ କାମ ବାରମ୍ୱାର କରିବାକୁ ମଧ୍ୟ ରୋଗୀର ଇଚ୍ଛା ହୁଏ ଓ ସେ ଇଚ୍ଛା ପୂରଣ କରିବାକୁ ରୋଗୀ ବାଧ୍ୟ ହୁଏ । ଜଣେ ଖାଇ ସାରିଲା ପରେ ନିଶ୍ଚୟ ତିନିଥର କୁଳି କରନ୍ତି । ତିନିଥରରୁ ବେଶୀ ବା କମ୍‌ ହୁଏ ନାହିଁ-। ଆଉ ଜଣେ ଶୋଇବା ଆଗରୁ ଥରେ ଆଲୁଅ ଲିଭାଇ ଆଉଥରେ ଜାଳନ୍ତି, ପୁଣି ସେ ଆଲୁଅ ଲିଭାଇ ଶୋଇ ପଡ଼ନ୍ତି । ସେ ନିଶ୍ଚୟ ଥରେ ଆଲୁଅ ଲିଭାଇ ପୁଣି ଜଳାଇବେ । ସେମିତି ଆଉ ଜଣେ ବିଛଣାଚଦରକୁ ଟଣାଟଣି କରି ଯେମିତି କେଉଁଠି ଟିକିଏ କୁଞ୍ଚ ରହି ନଥିବ ତା’ ଦେଖନ୍ତି-। ଟିକିଏ କୁଞ୍ଚ ରହିଥିଲେ ସେ ଉଠିପଡ଼ି ତାକୁ ସଜାଡ଼ି ପୁଣି ଶୁଅନ୍ତି । ଏମିତି ଗୋଟିଏ ଦିଓଟି ଲକ୍ଷଣ ଯାହାଠାରେ ଦେଖାଯାଏ ସେ ଆଡ଼ପାଗଳ ନ ହୋଇପାରେ, କିନ୍ତୁ ଆବେଶିକ ଆଡ଼ପାଗଳାମୀରେ ଏହି ପ୍ରକାର ବହୁତ ଲକ୍ଷଣ ଦେଖାଯାଏ ।

 

ତେବେ ଆବେଶିକ ଆଡ଼ପାଗଳାମୀର ମୂଳ ଲକ୍ଷଣ ହେଲା କୌଣସି ଭାବନା, ଆବେଗ, ଉଦ୍‌ବେଗ ବା କାମ କରିବା ଇଚ୍ଛା ମନରେ ବାରମ୍ୱାର ଆସେ ଓ ତାହା ଅତ୍ୟାବଶ୍ୟକ ବୋଲି ରୋଗୀ ଅନୁଭବ କରେ ।

 

ପିଲାମାନଙ୍କ ଭିତରେ ଆବେଶିକ ଲକ୍ଷଣ ପ୍ରଚୁର । ସେମାନଙ୍କର ଦୈନନ୍ଦିନ କାମରେ ଏହା ଦେଖାଯାଏ । ଯଥା–କେତେ ପିଲା କେବେ ଗାର ମାଡ଼ନ୍ତି ନାହିଁ । ପାହାଚ ଚଢ଼ିଲାବେଳେ ଦୁଇ ଦୁଇଟା କରି ଉଠିବାକୁ ଚେଷ୍ଟା କରନ୍ତି । ପ୍ରତ୍ୟେକ ତାରଖୁଣ୍ଟିକୁ ଥରେ ଲେଖାଏଁ ଛୁଇଁ କରି ଯାଆନ୍ତି । ଛୁଆଙ୍କ ଖେଳରେ ଏହି ପ୍ରକାର ଆବେଶିକ ନିୟମ ସବୁ ଥାଏ । (ଥୁକୁଲୁ ପକେଇ ଠିଆ ହୋଇଗଲେ ଆଉ କେହି ଛୁଇଁଲେବି ଚୋର ନୁହେଁ । ଡୁଡ଼ୁ ଖେଳରେ ପାହି ଛୁଇଁ ଦେଲେ ମରିବନି, ଯଦିଓ ତୁମକୁ ଦୁଇଜଣ ପିଲା ଏମିତି ମାଡ଼ି ବସିଥିବେ ଯେ ଘୁସୁରି ଘୁସୁରି ଆସିବା ଛଡ଼ା ପାହି ଛୁଇଁବାର ଅନ୍ୟ ଉପାୟ ନାହିଁ ।) କେତେ ପିଲାଙ୍କୁ ଟିକେ ଟିକେ ଆବେଶିକ ଆଡ଼ପାଗଳାମୀ ମଧ୍ୟ ହୁଏ ଓ କିଛି ସମୟପାଇଁ ସେମାନେ ଆଡ଼ପାଗଳ ପରି ବ୍ୟବହାର କରିଥାନ୍ତି । କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ବିଶେଷକରି ୧୮।୨୦ ବର୍ଷ ବୟସକୁ ସେସବୁ ମନକୁ ଭଲ ହୋଇ ଯାଇଥାଏ । ଭଲ ନ ହୋଇଥିଲେ ପୂର୍ଣ୍ଣଭାବରେ ଏ ରୋଗ ଆରମ୍ଭ ହୋଇଛି ବୋଲି ଧରିନେବାକୁ ପଡ଼େ ।

 

ପିଲାଙ୍କ ଭିତରେ ଯେମିତି ଆବେଶିକ ଲକ୍ଷଣ ଖେଳରେ ବା ଦୈନନ୍ଦିନ ବ୍ୟବହାରରେ ଦେଖାଯାଏ; ଆଦିବାସୀମାନଙ୍କର ପୂଜା ପର୍ବର ନିୟମ ପଦ୍ଧତି ଭିତରେ ସେମିତି ଆବେଶିକ ଲକ୍ଷଣର ସୂଚନା ମିଳେ । ପ୍ରକୃତରେ ଯାହାକୁ ଆମେ କୁସଂସ୍କାରମୂଳକ ଭୁଲଧାରଣା କହୁ (ଯଥା–ପଙ୍ଖା ଦେହରେ ବାଜିଲେ ଥରେ ତଳେ ବାଡ଼େଇ ଦେବ, ଚମକି ପଡ଼ିଲେ ଛାତିରେ ଛେପ ପକେଇଦେବ, ଝିଟିପିଟି ଦେହରେ ପଡ଼ିଲେ ତୁଳସୀପାଣିରେ ଶୁଚି ହେବ ବା ରାତିରେ ସାପ ନାଁ ଧରିବ ନାହିଁ, ନିହାତି ସାପ କଥା କହିବାକୁ ପଡ଼ିଲେ ସାପ ନ କହି ‘ଲମ୍ୱାଜନ୍ତୁ’ କହିବ ଇତ୍ୟାଦି) ସେ ସବୁ ଆଦିମ ସଭ୍ୟତାର ଅବଶିଷ୍ଟାଂଶ ବୋଲି କୁହାଯାଇପାରେ । ପୃଥିବୀର ସବୁ ଆଦିମ ଜାତିଙ୍କ ଭିତରେ ଏପରି ବହୁତ ତଥାକଥିତ ‘କୁସଂସ୍କାର’ ଦେଖାଯାଏ ଓ ସେଗୁଡ଼ିକର ଆବେଶିକ ଲକ୍ଷଣ ସହିତ ଖୁବ୍‌ ସାମଞ୍ଜସ୍ୟ ଅଛି ।

 

ଲକ୍ଷଣ–ଆବେଶିକ ରୋଗୀ ପ୍ରାୟ ମଧ୍ୟବୟସ୍କ ହେଲାବେଳକୁ ଡାକ୍ତରଙ୍କ ପାଖକୁ ଆସନ୍ତି; କିନ୍ତୁ ଏମାନଙ୍କର ରୋଗ ଇତିହାସରୁ ଜଣାପଡ଼େ ଯେ ବହୁତ ଆଗରୁ ମଝିରେ ମଝିରେ ଆବେଶିକ ଲକ୍ଷଣ ଏମାନଙ୍କ ଜୀବନରେ ଦେଖାଯାଇଛି । ସେଇ ପୁରୁଣା ଲକ୍ଷଣଗୁଡ଼ିକ ବର୍ତ୍ତମାନ ଖୁବ୍‌ ଗୁରୁତର ଭାବରେ ଦେଖାଦେଉଥିବାରୁ ରୋଗୀ ଡାକ୍ତର ପରାମର୍ଶ ପାଇଁ ଆସିଛି । ରୋଗୀର ବୁଦ୍ଧି ସାଧାରଣ ଲୋକଙ୍କ ବୁଦ୍ଧିଠାରୁ ବେଶୀ ହେବ ପଛକେ କମ୍‌ ନୁହେଁ । ପ୍ରାୟ ଖୁବ୍‌ ଗରିବ ଲୋକମାନଙ୍କଠାରେ ଏ ରୋଗ ଦେଖାଦିଏ ନାହିଁ । ଅତି ମନଯୋଗ ଦରକାର କରୁଥିବା ଟିକିନିଖି କାମ ରୋଗୀର ପ୍ରିୟ, ତେଣୁ ସେ ପ୍ରାୟ କ୍ଳର୍କ, ଲାଇବ୍ରେରିଆନ୍‌ ବା ମିସ୍ତ୍ରି କାମ କରୁଥିବାର ଦେଖାଯାଏ । ଘରେ ସେ ପ୍ରାୟ ଛୋଟ ଛୋଟ କଥାରେ ବହୁତ ଜୋର ଦିଏ–ଜୋତା ଠିକ୍‌ ଜାଗାରେ ରହିବ, ପ୍ରଥମେ ଗୋଡ଼ଧୋଇ ଗୋଡ଼କୁ ଭଲ କରି ପୋଛି ପୁଣି ପାପୋଛରେ ପୋଛି ଘର ଭିତରକୁ ପଶିବ ଇତ୍ୟାଦି । ଏ ନିୟମରେ କେବେ ବ୍ୟତିକ୍ରମ ହେଲେ ତାହା ରୋଗୀ ପକ୍ଷରେ ଅସହ୍ୟ ହୁଏ । ରୋଗୀର ପିତା, ମାତା, ବା ଉଭୟଙ୍କର ବ୍ୟକ୍ତିତ୍ୱରେ ଅସ୍ୱାଭାବିକତା ରହିଥାଏ । ସେମାନେ ପ୍ରାୟ ନିଜର ଗତାନୁଗତିକ ମନୋଭାବରେ ତିଳେମାତ୍ର ପରିବର୍ତ୍ତନ ପସନ୍ଦ କରନ୍ତି ନାହିଁ-। ତେଣୁ ପାରିପାର୍ଶ୍ୱିକ ଅବସ୍ଥା ପରିବର୍ତ୍ତନ ହେଲେ ମଧ୍ୟ ନିଜର ବ୍ୟବହାର ଆଦୌ ବଦଳାନ୍ତି ନାହିଁ-। ରୋଗୀର ସାମୟିକ ବିଷଣ୍ଣତା ଓ ପେଟ ଗୋଳମାଳ ଦେଖାଦେଇପାରେ । ପ୍ରକୃତରେ ରୋଗୀକୁ କ’ଣ ହୋଇଛି ବୋଲି ପଚାରିଲେ ସେ ପ୍ରାୟ ନିଜର ଆବେଶିକ ଲକ୍ଷଣ କଥା କହେ ନାହିଁ-। ମନଖରାପ, ପେଟ ଗୋଳମାଳ ପ୍ରଭୃତି ଲକ୍ଷଣ ଦେଖାଯିବାରୁ ସେ ଡାକ୍ତର ପରାମର୍ଶ ଚାହୁଁଛି ବୋଲି କହେ । ବେଶ୍‌ ପଚରାପଚରି କରି ରୋଗର ଇତିହାସ ନେଲାପରେ ଆବେଶିକ ଲକ୍ଷଣର ଅସ୍ତିତ୍ୱ ଜଣାପଡ଼େ ।

 

ତଥାକଥିତ ‘ଶୁଚିବାଇ’ ରୋଗ ଆବେଶିକ ଲକ୍ଷଣ ଭିତରେ ବହୁତ ଜଣାଶୁଣା । ଜଣେ ଜଣେ ରୋଗୀ ଟିକେ କଥାରେ ହାତ ଧୋଉଥିବେ । ଅଫିସ୍‍ରୁ ଆସିଲେ ଜଣଙ୍କର ୫ ବାଲଟି ପାଣି ହାତ ଧୋଇବାପାଇଁ ଦରକାର ହୁଏ । ଆଉ କେହି ବାହାରର କୌଣସି ଲୋକକୁ ଛୁଇଁଲେ ଧୁଆଧୋଇ ହୁଅନ୍ତି । ଏମିତି ଅବସ୍ଥା ହୁଏ ଯେ ରୋଗୀ ଯେକୌଣସି ଜିନିଷ ଛୁଇଁଲେବି ଧୁଆଧୋଇ ହୁଏ । ଆଉ କେତେକ ଲୋକଙ୍କଠାରେ ଏହା ଚରମ ସୀମାରେ ପହଞ୍ଚେ–ସେମାନଙ୍କ ମନରେ କିଛି ଖରାପ ଭାବନା ଆସିଲେ ଧୁଆଧୋଇ ହୁଅନ୍ତି । ଆକ୍ଷରିକ ଅର୍ଥରେ ସେମାନେ ଅନବରତ ଧୁଆଧୋଇ ହୁଅନ୍ତି । ବହୁତ ବେଳ ଧରି ଗାଧୋଇବା ଏ ରୋଗର ଆଉ ଗୋଟିଏ ଲକ୍ଷଣ । କି ଖରା, କି ଶୀତ, ସବୁ ଦିନେ ରୋଗୀ ୩।୪ ଘଣ୍ଟା ଧରି ଗାଧୋଇବାବେଳେ କେହି କେହି ୩।୪ ଘଣ୍ଟା କରି ଦିନକୁ ଦୁଇଓଳି ଗାଧାନ୍ତି । ସେମାନେ ମଇଳା ଜିନିଷକୁ ଅତ୍ୟନ୍ତ ଘୃଣା କରନ୍ତି । ଟିକିଏ କେଉଁଠି ମଇଳା ଲାଗିଲେ ଥରେ ପୂରା ଗାଧୋଇ ପଡ଼ନ୍ତି । ସ୍ତ୍ରୀଲୋକମାନଙ୍କଠାରେ ଏ ଲକ୍ଷଣ ଦେଖାଗଲେ ସେମାନେ ଖାଲି ଘରଦ୍ୱାର ଧୋଉଥାଆନ୍ତି ଓ ନିଜେ ଗାଧୋଉଥାଆନ୍ତି । ଚାଲିଲାବେଳେ ଶାଢ଼ି ଟେକି ଟେକି ଚାଲନ୍ତି କାଳେ ମାଟିରେ ଲାଗିଯିବ ବୋଲି । ଠାକୁରଙ୍କ ପୂଜା କଲାବେଳେ ଯେମିତି ସବୁ ନିୟମ ମାନି କେଉଁଟା କାହାପରେ ହେବ ତାହା ମନେରଖି କରାଯାଏ ସେହିପରି ଆବେଶିକ ଆଡ଼ପାଗଳ ମଧ୍ୟ ନିୟମାନୁବର୍ତ୍ତିତା ଅନୁସାରେ ଗାଧୁଆପାଧୁଆ କରେ ବା ଅନ୍ୟପ୍ରକାର କାମକରେ । ଯଥା–ଜଣେ ଠିକ୍‌ ଶହେ ବାଲଟି ପାଣି ପ୍ରତିଦିନ ଢାଳିହୋଇ ଗାଧୋଇବ, ଆଉ ପୁଣି ସମସ୍ତେ ଖାଇପିଇ ରାତିରେ ଶୋଇବାକୁ ଗଲା ପରେ ତା’ର ଗାଧୁଆ ଆରମ୍ଭ ହେବ । ଆଉ ଜଣେ ଜଣେ ଶୋଇବା ଆଗରୁ ପ୍ରତ୍ୟେକ ତାଲା ତିନିଥର ଭିଡ଼ି ପରୀକ୍ଷା କରି ଶୋଇବେ ।

 

ଯେଉଁଠି ଏପରି ପୂଜା ପଦ୍ଧତି ଭଳି ନିୟମ ମାନି କାମ କରିବାକୁ ପଡ଼େ, ସେଠି ପ୍ରକୃତରେ ସବୁ ନିୟମ ଠିକ୍‌ ପାଳନ କରାଯାଇଛି କି ନାହିଁ ଏ ବିଷୟରେ ସନ୍ଦେହ ହୁଏ । ଯଥା–ଜଣେ ପ୍ରତି ୩ ଘଣ୍ଟାରେ ସାତଥର ହାତଧୁଅନ୍ତି, ଧୋଇ ସାରିବା ପରେ ସନ୍ଦେହ ହୁଏ ୬ଥର ଧୋଇଛନ୍ତି ନା ପ୍ରକୃତରେ ୭ଥର ଧୋଇଛନ୍ତି । ତେଣୁ ଉଠିଯାଇ ପୁଣି ଆଉ ୭ଥର ଧୁଅନ୍ତି । ପୁଣି ମନେହୁଏ ୩ ଘଣ୍ଟାରେ ଧୋଇଛନ୍ତି ନା ୩ଘଣ୍ଟା ୧୫ ମିନିଟ୍‌ ହେଲାପରେ ଧୋଇଛନ୍ତି, ତେଣୁ ଆଉଥରେ ୧୫ ମିନିଟ ଆଗରୁ ଧୁଅନ୍ତି । ସେମିତି ଯିଏ ୩ଥର ପ୍ରତ୍ୟେକ ତାଲା ଭିଡ଼ି ଶୁଅନ୍ତି, ତାଙ୍କର ସନ୍ଦେହ ହୁଏ ପ୍ରକୃତରେ ସବୁ ତାଲା ଦେଖିଛନ୍ତି କି ନାହିଁ । ତେଣୁ ବିଛଣାରୁ ଉଠିପଡ଼ି ପୁଣି ଥରେ ସବୁ ତାଲା ଦେଖନ୍ତି । ପୁଣି ଟିକେ ଶୋଇଛନ୍ତି କି ନାହିଁ ମନେହୁଏ ଯେମିତି ବାରି କବାଟ ତାଲାଟା ୨ଥର ଭିଡ଼ି ଦେଖିଛନ୍ତି, ଉଠିପଡ଼ି ଆଉଥରେ ଭିଡ଼ି ଦେଇ ଆସନ୍ତି । ଆଉ ଜଣେ ସବୁ ଝରକା ଓ କବାଟ ଫାଙ୍କରେ କନାବିଣ୍ଡା ନ ଦେଲେ ଶୋଇପାରୁ ନଥିଲେ । ଟିକେ ଶୋଇଥିବେ କି ନାହିଁ ଯେମିତି ତାଙ୍କୁ ଜଣାଯିବ କବାଟରେ ଗୋଟାଏ ଫାଙ୍କ ରହିଗଲା । ଉଠିପଡ଼ି ପୁଣି ସେ ଫାଙ୍କ ବନ୍ଦ କରନ୍ତି ।

 

ଏହାଛଡ଼ା ବିଭିନ୍ନ ବିଷୟରେ ଅସ୍ୱାଭାବିକ ଆତଙ୍କ ଏ ରୋଗର ଆଉ ଗୋଟିଏ ବଡ଼ ଲକ୍ଷଣ । କାହାର ଖୋଲା ଜାଗା ପ୍ରତି ଆତଙ୍କ ଥାଏତ ଆଉ କାହାର ବନ୍ଦ ହୋଇଥିବା ଘର ପ୍ରତି । ଅର୍ଥାତ୍‌ ଗୋଟାଏ ଖୋଲା ଜାଗାକୁ ଅଜାଣତରେ ରୋଗୀକୁ ନେଇଗଲେ ସେ ପାଟିତୁଣ୍ଡ କରି ପଳାଇ ଆସିବ । ଆଉ କାହାର କାହାର ମୂଷା, ବୁଢ଼ିଆଣୀ ବା ଝିଟିପିଟି ପ୍ରଭୃତି ନିରୀହ ଜୀବମାନଙ୍କ ପ୍ରତି ଆତଙ୍କ ଥାଏ । ଏ ସବୁ ଭୟ କପୋଳକଳ୍ପିତ ଓ ଭୟର ବସ୍ତୁ ସାଧାରଣତଃ ନିରୀହ ଓ କ୍ଷତିକାରକ ନୁହେଁ । ସାଧାରଣ ଉଦ୍‌ବେଗରୁ ଏହା ଅଲଗା, କାରଣ ଏ ଆତଙ୍କ ବାରମ୍ୱାର ଦେଖାଦିଏ ଓ ଆଦୌ ମନରୁ ବାହାର କରି ହୁଏ ନାହିଁ । ବେଳେବେଳେ ଏ ଆତଙ୍କର ଫଳ ଠିକ୍‌ ଓଲଟା ହୁଏ । ଜଣଙ୍କର ଖୁବ୍‌ ଭୟ ଥିଲା ଯେ ସେ ଦାନ୍ତ ଉପୁଡ଼ା କଷ୍ଟ ସହି ପାରିବ ନାହିଁ-। ଏଇଟା ସତ ନୁହେଁ ବୋଲି ପ୍ରମାଣ କରିବାକୁ ଯାଇ ସେ ଗୋଟି ଗୋଟି କରି ତା’ର ସବୁ ଭଲ ଦାନ୍ତ ଉପୁଡ଼ାଇ ପକାଇଲା ।

 

ଆବେଶିକା ଚିନ୍ତା ଏ ରୋଗର ଆଉ ଗୋଟିଏ ଲକ୍ଷଣ । ରୋଗୀ କୌଣସି ଅବାନ୍ତର କଥା ସବୁବେଳେ ଭାବୁଥାଏ । ‘‘ଦାନ୍ତକୁ କାହିଁକି ଦାନ୍ତ ବୋଲି କହନ୍ତି, ଧଳା ବୋଲି କହିଲେ କ୍ଷତି କ’ଣ ?’’–ଏହାହିଁ ଜଣେ ସବୁବେଳେ ଭାବୁଥିଲା । ଆଉଜଣେ ସବୁବେଳେ ଲୋକମାନଙ୍କ ନାଁରେ କେତେଟା ଅକ୍ଷର ଅଛି ତାହା ଗଣିବାକୁ ଚେଷ୍ଟା କରେ । କୌଣସି ଲୋକ ସହିତ ପରିଚିତ କରାଇଦେଲେ ସେ ତାହାର ନାଁରେ ଥିବା ଅକ୍ଷର ସଂଖ୍ୟା ବାରମ୍ୱାର ଗଣୁଥାଏ, ତେଣୁ ଆଉ କୌଣସି କଥାବାର୍ତ୍ତା କରିପାରେନାହିଁ ।

 

ଅନୁକୂଳ ଅବସ୍ଥା–ଗୋଟିଏ ପ୍ରକାର ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ୱରେ ଆବେଶିକ ଆଡ଼ପାଗଳାମୀ ବଢ଼ିବାର ସୁବିଧା ଥାଏ । ଏ ବ୍ୟକ୍ତିତ୍ୱ ଏତେ ସୁସ୍ପଷ୍ଟ ଯେ ଆବେଶିକ ବ୍ୟକ୍ତିତ୍ୱ କହିଲେ ସଙ୍ଗେ ସଙ୍ଗେ କେତେଗୁଡ଼ିଏ ଲକ୍ଷଣକୁ ବୁଝାଏ–ଲୋକଟି ନିଜ ଆଚାର ବ୍ୟବହାରରେ ସ୍ଥିର ଓ ଅପରିବର୍ତ୍ତନୀୟ, ପରିପାର୍ଶ୍ୱ ଯେତେ ବଦଳିଲେବି ସେ ନିଜ ବ୍ୟବହାର ବଦଳାଏ ନାହିଁ । ବର୍ଷା ଯେଉଁଆଡ଼ୁ ହେଉନା କାହିଁକି ଛତା ଗୋଟିଏ ଆଡ଼େ ଦେଖେଇବା ପରି ତା’ର ଚାଲିଚଳଣ, କାମଦାମ ଏକନ୍ୱୟୀ । ସେ ଅସମ୍ଭବ ଭାବରେ ନିୟମାନୁବର୍ତ୍ତୀ, ତା’ ଜୀବନରେ କେତେଗୁଡ଼ିଏ ସ୍ୱରଚିତ ନିୟମକୁ କେବେ ଲଙ୍ଘନ କରେନାହିଁ ।

 

ଗୋଟିଏ ଉଦାହରଣଦ୍ୱାରା ଏହା ବୁଝାଇ ଦିଆଯାଇପାରେ । ଥରେ ଜଣେ ସରକାରୀ କର୍ମଚାରୀ ଅଫିସ୍ ପରିଦର୍ଶନ ପାଇଁ ମଫସଲକୁ ଯାଇଥିଲେ । ସେ ଯେଉଁ ଅଞ୍ଚଳକୁ ଯାଇଥିଲେ ସେଠାରେ କିଛି ପନିପରିବା ମିଳୁ ନଥିଲା । କେବଳ ଅଫିସ୍ ହତାର ପଣସ ଗଛରେ ପଣସ ଥିଲା । ସେଇ ପଣସ ତାଙ୍କପାଇଁ ତରକାରୀ ହେଲା । ତା’ପରେ ଭଦ୍ରଲୋକ ପଣସର ଦାମ୍‌ ସେ ଅଫିସର କର୍ମଚାରୀଙ୍କୁ ଯାଚିଲେ । କାରଣ ତାଙ୍କର ନୀତି ହେଲା ଯେ କାହାଠାରୁ ବିନା ପଇସାରେ ସେ କିଛି ଜିନିଷ ଗ୍ରହଣ କରିବେ ନାହିଁ । କିନ୍ତୁ ଅଫିସ୍ କର୍ମଚାରୀ କହିଲେ ଯେ ଅଫିସ୍ ତ ପଣସ ବିକେ ନାହିଁ ତେଣୁ ସେ ପଇସା ନେବେ କିପରି ? ତା’ପରେ ପରିଦର୍ଶନରେ ଯାଇଥିବା କର୍ମଚାରୀ ସେ ପଇସାକୁ ପଣସଗଛ ତଳେ ପୋତିଦେଲେ ।

 

ଜୀବନ ଯିବ ପଛେ ସେ ନିୟମକୁ ମାନି ଚଳିବ ଯଦିଓ ନିୟମଗୁଡ଼ିକ ନିରର୍ଥକ । ସବୁବେଳେ ସତ କହିବା, ଅତ୍ୟନ୍ତ ନିଃସ୍ୱାର୍ଥପର ହେବା, ନିଜ ପ୍ରତିଜ୍ଞା ରକ୍ଷା କରିବା କିମ୍ୱା ହାସ୍ୟୋଦ୍ଦୀପକ ହେଲେ ମଧ୍ୟ ସାଧୁତା ଦେଖାଇବା ପ୍ରଭୃତି ଏ ବ୍ୟକ୍ତିତ୍ୱର କେତୋଟି ବିଶେଷ ଗୁଣ । ଏ ଗୁଣଗୁଡ଼ିକ ଏକାଠି ଚରମ ରୂପରେ ପ୍ରକାଶ ପାଏ ଓ ତେଣୁ ଆବେଶିକ ବ୍ୟକ୍ତିତ୍ୱ ବ୍ୟାଧିଗ୍ରସ୍ତ ବୋଲି ଜଣାପଡ଼େ । ନହେଲେ ଏଥିରୁ ଗୋଟିଏ ଦୁଇଟି ଗୁଣ ସମସ୍ତଙ୍କ ବ୍ୟକ୍ତିତ୍ୱରେ ଅଳ୍ପ ବହୁତେ ମିଳିପାରେ । ଏପରି କେତେଗୁଡ଼ିଏ ବାଞ୍ଛନୀୟ ଗୁଣ ଥିବାରୁ ଆବେଶିକ ବ୍ୟକ୍ତିତ୍ୱ ଆଦରଣୀୟ ହୋଇଥାଏ । କିନ୍ତୁ ଯେତେ ବାଞ୍ଛନୀୟ ହେଲେ ମଧ୍ୟ ଲକ୍ଷଣଗୁଡ଼ିକ ବ୍ୟାଧିରୁ ଜାତ । ତେଣୁ ଲୋକଟି କେବେ ନିଜର ସଫଳତା ଯୋଗୁଁ ଉଚ୍ଚ ଆସନ ଲାଭ କରେନାହିଁ । ସେ ଚାକିରିରେ ଖୁବ୍‌ ଗୋଟାଏ ବୁଦ୍ଧିମାନ କାମ କରି ଗୌରବ ପାଏନାହିଁ । କେବଳ ଲୋକେ ଜାଣନ୍ତି ଯେ ସେ ନିୟମିତ ଭାବରେ କାମ କରେ ଓ ପରିଶ୍ରମୀ–ତା’ର ବ୍ୟକ୍ତିତ୍ୱ ଏକମୁଖୀ ଓ ଆଦୌ ସଂପ୍ରସାରୀ (rigid) ନୁହେଁ, ତେଣୁ ତା’ର ଜୀବନ ସଫଳତାହୀନ ।

 

କୌଣସି ସାମୟିକ ମାନସିକ ବା ପାରିପାର୍ଶ୍ୱିକ କାରଣ ଯୋଗୁଁ ଏ ରୋଗ ସାଧାରଣତଃ ହୁଏ ନାହିଁ । ଅନୁକୂଳ ବ୍ୟକ୍ତିତ୍ୱ ଯୋଗୁଁ ଆବେଶିବ ଆଡ଼ପାଗଳାମୀ ହୁଏ । ପାରିପାର୍ଶ୍ୱିକ ଅବସ୍ଥା ଏକ ଅବଲମ୍ୱନ ମାତ୍ର । ଅଧିକାଂଶ ସ୍ଥଳରେ ଆକସ୍ମିକ ଭାବରେ ରୋଗର ଲକ୍ଷଣ ପ୍ରଥମେ ଆରମ୍ଭ ହୁଏ ନାହିଁ । ଆସ୍ତେ ଆସ୍ତେ ଅସ୍ପଷ୍ଟ ଭାବରେ ରୋଗ ଦେଖାଦିଏ ଓ କ୍ରମେ କ୍ରମେ ବଢ଼ିଚାଲେ, ଯଥା–ପ୍ରଥମେ ଥରେ ରୋଗୀ ମଇଳା ଜିନିଷ ଛୁଉଁଥିଲେ ତିନିଥର ହାତ ଧୋଉଥିଲା; କ୍ରମେ କ୍ରମେ ତା’ର ସନ୍ଦେହ ହେଲା; ସେ ଭାବିଲା ଯେ ଠିକ୍‌ ଗଣି ନପାରି ବୋଧେ ସେ ତିନିଥରକୁ କମ୍‌ ହାତ ଧୋଉଛି-। ତେଣୁ ସେ ତିନିଥର କରି ତିନିବାର ଏମିତି ନଅଥର ହାତ ଧୋଇଲା । ପୁଣି ସନ୍ଦେହ ହେଲା ଯେମିତି ଗଣିବାରେ ଆହୁରି ଭୁଲ ହୋଇ ଯାଉଛି । ସେ ପୁଣି ନଅଥର କରି ତିନିବାର ହାତ ଧୋଇଲା । ଚକ୍ରବୃଦ୍ଧି ହାରରେ ଏମିତି ବଢ଼ି ବଢ଼ି ରୋଗୀ ଆଉକିଛି କାମ କରିପାରିଲା ନାହିଁ-। ତେଣୁ ବାଧ୍ୟ ହୋଇ ଡାକ୍ତରଙ୍କ ପାଖକୁ ଆସିଲା ଓ ଆବେଶିକ ଆଡ଼ପାଗଳାମୀ ହୋଇଛି ବୋଲି ଜଣାଗଲା । କିନ୍ତୁ ପ୍ରକୃତରେ ଏ ଆଡ଼ପାଗଳାମୀ ଯେ ଟିକେ ଟିକେ ହୋଇ ଆଗରୁ ଦେଖା ଦେଇଛି ଏଥିରେ ସନ୍ଦେହ ନାହିଁ ।

 

ଫ୍ରଏଡ଼୍‍ଙ୍କ ମତରେ ଆବେଶିକ ରୋଗୀ ତା’ର ପିଲାଦିନର ଯୌନବିକାଶର ଏକ ଅବସ୍ଥାକୁ ଫେରିଯାଏ । ଆଗରୁ କୁହାଯାଇଛି ଯେ ଫ୍ରଏଡ଼୍ ଶିଶୁର ଯୌନବିକାଶକୁ ମୁଖଜନିତ, ପାୟୁ ବା ଗୃହ୍ୟଦ୍ୱାରଜନିତ ଓ ଜନନେନ୍ଦ୍ରିୟ ଜନିତ–ଏ ତିନି ଅବସ୍ଥାରେ ବିଭକ୍ତ କରିଛନ୍ତି । ଆବେଶିକ ରୋଗରେ ଗୁହ୍ୟଦ୍ୱାରଜନିତ ଯୌନେଚ୍ଛା ଚରିତାର୍ଥ କରିବା ଅବସ୍ଥାକୁ ରୋଗୀ ପ୍ରତ୍ୟାବର୍ତ୍ତନ କରେ । ତେଣୁ ରୋଗୀ ସବୁବେଳେ ଅପରିଷ୍କାର ହୋଇଯିବା ଭୟରେ ଧୁଆଧୋଇ ହୋଇଥାଏ । ଅପରିଷ୍କାର ହେବା ସେ ଅବସ୍ଥା ସହିତ ବିଶେଷ ଭାବରେ ସମ୍ପୃକ୍ତ । ସେ ଅବସ୍ଥାରେ ଶିଶୁ ନିଜର ଝାଡ଼ାକୁ ଅତି ମୂଲ୍ୟବାନ ମନେକରେ, କାରଣ ବାପ, ମା’ମାନେ ତାକୁ ଝାଡ଼ା ଫେରିବାପାଇଁ ବହୁତ ପ୍ରକାର ଲାଞ୍ଚ ଦିଅନ୍ତି । ତେଣୁ ସେ ଝାଡ଼ା ନ ଫେରି ଆହୁରି ଲାଞ୍ଚ ପାଇବାପାଇଁ ଇଚ୍ଛାକରେ । ବହୁତ ଆବେଶିକ ରୋଗୀ କଞ୍ଜୁସ୍‌ । ଫ୍ରଏଡ଼୍ ରୋଗୀର କଞ୍ଜୁସ୍‌ ହେବା ପ୍ରବୃତ୍ତିକୁ ଝାଡ଼ା ଜାକି ରଖିବା ପ୍ରବୃତ୍ତି ସଙ୍ଗେ ତୁଳନା କରି ଗୋଟିଏ ଅନ୍ୟଟିର ରୂପାନ୍ତର ବୋଲି କହନ୍ତି । ଆବେଶିବ ରୋଗୀମାନେ ବେଳେବେଳେ ଟଙ୍କାପଇସା ଓ ଇଆଡ଼ୁ ସିଆଡ଼ୁ ବହୁତ ଜିନିଷ ସଂଗ୍ରହ କରିବା ପ୍ରବୃତ୍ତି ଦେଖାନ୍ତି । ଏହାକୁ ଝାଡ଼ା ଜାକି ରଖିବା ଓ ମୂଲ୍ୟବାନ ମନେ କରୁଥିବା ହେତୁ ଝାଡ଼ା ଘାଣ୍ଟି ଏକାଠି କରିବା ପ୍ରବୃତ୍ତିର ବିକାର ବୋଲି ଫ୍ରଏଡ଼୍ ଭାବନ୍ତି । ବହୁତଥର ହାତ ଧୋଇବା ବା ଗାଧୋଇବା ଲକ୍ଷଣଗୁଡ଼ିକ ତେବେ କାହିଁକି ଦେଖାଯାଏ ? ଫ୍ରଏଡ଼୍ କହନ୍ତି ଯେ ଏହାଦ୍ୱାରା ରୋଗୀ ସବୁବେଳେ ନିଜକୁ ପରିଷ୍କାର ରଖେ; ତା’ ଦେହରେ ଅପରିଷ୍କାର ମଳମୂତ୍ର ଲାଗିନି ବୋଲି ଆଶ୍ୱାସନା ପାଏ । କିନ୍ତୁ ମଇଳା ଅଧିକାଂଶ ସମୟରେ ମନର ମଇଳାର ସଙ୍କେତ ହୋଇଥାଏ । ବାରମ୍ୱାର ହାତ ଧୋଇବାଦ୍ୱାରା ରୋଗୀ ନିଜକୁ ଅପରାଧରୁ ମୁକ୍ତ କରୁଛି ବୋଲି ସୂଚନାଦିଏ । ରୋଗୀର ମନରେ କୌଣସି କାରଣରୁ ଅପରାଧ ବୋଧ ଆସେ ଓ ହାତ ଧୋଇବାଦ୍ୱାରା ସେ ଦେଖେଇଦିଏ ଯେ ସେ ପ୍ରକୃତରେ ଦୋଷମୁକ୍ତ ।

 

ଆବେଶିକ ଆତଙ୍କ ଆଉ ଗୋଟିଏ ମାନସିକ ପ୍ରକ୍ରିୟା ଉପରେ ନିର୍ଭର କରେ ବୋଲି ଫ୍ରଏଡ଼୍ କହନ୍ତି । ନିର୍ଜ୍ଞାନରେ ଥିବା ଅସାମାଜିକ ଇଚ୍ଛାଗୁଡ଼ିକ ଚରିତାର୍ଥ ହେବାପାଇଁ ଚାପ ଦେଲେ ଉଦ୍‌ବେଗ ସୃଷ୍ଟି ହୁଏ ବୋଲି ଆଗରୁ କୁହାଯାଇଛି । କିନ୍ତୁ ଏ ଇଚ୍ଛାଗୁଡ଼ିକ ବିଷୟରେ ଆଉ କିଛି ଜଣା ନଥିବାରୁ ଉଦ୍‌ବେଗ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ନହୋଇ ସାଧାରଣ ଭାବରେ ଦେଖାଯାଏ ବୋଲି ମଧ୍ୟ କୁହାଯାଇଛି । କିନ୍ତୁ ଯେତେବେଳେ ଗୋଟିଏ ଦୁଇଟି ଅସାମାଜିକ କାମନା ଇଡ଼୍‍ର ଦୁର୍ବଳତାର ସୁଯୋଗ ନେଇ ସଜ୍ଞାନକୁ ପ୍ରାୟ ଚାଲିଆସେ, ଇଡ଼୍ ଆତଙ୍କିତ ହୋଇଉଠେ ଓ ସଙ୍ଗେ ସଙ୍ଗେ ଅସାମାଜିକ କାମନାକୁ ନଜଣାଇବା ପାଇଁ ନିରୀହ ବସ୍ତୁ ଉପରେ ପ୍ରକ୍ଷେପ (Projection) କରେ । ଯଥା–ଜନନେନ୍ଦ୍ରିୟ ସମ୍ୱନ୍ଧୀୟ କୌଣସି କାମନା ସଜ୍ଞାନରେ ଦେଖାଦେଲେ ବ୍ୟକ୍ତି ଆତଙ୍କିତ ହୋଇଉଠେ ଓ ସେ କାମନାକୁ ମୂଷା ପରି ଏକ ନିରୀହ ଜୀବ ଉପରେ ପ୍ରକ୍ଷେପ କରି ମୂଷା ଦେଖିଲେ ଆତଙ୍କିତ ହୁଏ । ତେଣୁ ଆତଙ୍କ ପ୍ରକୃତରେ ନିର୍ଜ୍ଞାନରୁ ବାହାରି ଆସିଥିବା ଅସାମାଜିକ କାମନା ବିଷୟର; କିନ୍ତୁ ଛଦ୍ମବେଶରେ ମୂଷା, ବୁଢ଼ିଆଣୀ ବା ଖୋଲାପଡ଼ିଆ ଉପରେ ପ୍ରକ୍ଷେପ ହେତୁ ସେସବୁ ବିଷୟରେ ଆତଙ୍କ ଦେଖାଯାଏ ଏବଂ କେଉଁ ନିରୀହ ବସ୍ତୁ ବା ସ୍ଥାନ କି ପ୍ରକାର ଅସାମାଜିକ ଇଚ୍ଛା ନିର୍ଦ୍ଦେଶ କରୁଛି ଏହା ମନୋବିଶ୍ଳେଷଣଦ୍ୱାରା ଜଣାଯାଏ । ତେଣୁ ଫ୍ରଏଡ଼୍, ବିଭିନ୍ନ ବସ୍ତୁ କେଉଁ କେଉଁ କାମନା ନିର୍ଦ୍ଦେଶକ ତା’ର ଦୀର୍ଘ ବିବରଣୀ ଦେଇଛନ୍ତି ।

 

ଚିକିତ୍ସା–ଅନ୍ୟାନ୍ୟ ଆଡ଼ପାଗଳାମୀଠାରୁ ଆବେଶିକ ଆଡ଼ପାଗଳାମୀ ଗୁରୁତର । ତେଣୁ ଏଥିରେ ଆରୋଗ୍ୟ ସଂଖ୍ୟା କମ୍‌ । କିନ୍ତୁ ପୂରା ଭଲ ନହେଲେ ମଧ୍ୟ ଆବେଶିକ ଆଡ଼ପାଗଳାମୀର ଆନୁସଙ୍ଗିକ ଲକ୍ଷଣ ଭଲ ହେବା ଅପେକ୍ଷାକୃତ ସହଜ । ରୋଗୀ ବହୁତ ସମୟରେ ନିଜ ନିର୍ଦ୍ଧାରିତ କଡ଼ା ନିୟମ ମାନି ନଚଳି ପାରିଲେ ଉଦ୍‌ବେଗ ପ୍ରକାଶ କରିଥାଏ । ସେହିପରି ନିଜର ଉଚ୍ଚାଶା ପୂର୍ଣ୍ଣ ନହେଲେ ବିଷଷ୍ଣ ହୋଇପଡ଼େ । ଏପରି ଆନୁସଙ୍ଗିକ ଉଦ୍‌ବେଗ ଓ ବିଷଣ୍ଣତା ମାନସିକ ଚିକିତ୍ସାଦ୍ୱାରା ଚାଲିଯାଏ । ରୋଗୀର ମନୋବିଶ୍ଳେଷଣ ନକରି କେବଳ କଥାବାର୍ତ୍ତା କରି ଆଶା, ଆଶ୍ୱାସନା ଦେଇ ଓ ନିଜ ବିଷୟରେ ଅନ୍ତର୍ଦୃଷ୍ଟି ଜାତ କରାଇ ମନୋବୈଜ୍ଞାନିକ ବା ଚିକିତ୍ସକ ଉଦ୍‌ବେଗ ଓ ବିଷଷ୍ଣତା ଦୂର କରିପାରନ୍ତି । ଆଉ ମଧ୍ୟ ରୋଗୀର ଯାହା କିଛି ସାମର୍ଥ୍ୟ ରହିଛି, ତାହା ଲୋପ ନ ହେବାପାଇଁ ସେମାନେ ବ୍ୟବସ୍ଥା କରିପାରନ୍ତି । କିନ୍ତୁ ପ୍ରକୃତରେ ଆବେଶିକ ଲକ୍ଷଣ ଦୂର କରିବା କଷ୍ଟକର । ଫ୍ରଏଡ଼୍‍ଙ୍କ ପନ୍ଥୀ ମନୋବିଶ୍ଳେଷଣକାରୀମାନେ ମଧ୍ୟ ଏଥିରେ ଏକମତ । ଆନୁସଙ୍ଗିକ ଉଦ୍‌ବେଗ ଗୁରୁତର ହୋଇଥିଲେ ବା ବିଷଣ୍ଣ ଭାବ ଖୁବ୍‌ ଗଭୀର ହୋଇଥିଲେ ମାନସିକ ଚିକିତ୍ସା ବା ମନୋବିଶ୍ଳେଷଣଦ୍ୱାରା ଭଲ ନ ହୋଇପାରେ । ସେ ସ୍ଥଳରେ ନିଦ ଔଷଧ ଦେଇ ଓ ଇଲେକ୍‌ଟ୍ରିକ୍‍ସକ୍‌ ଚିକିତ୍ସା ପ୍ରୟୋଗ କରି ଏହା ଦୂର କରାଯାଇପାରେ । ପୁରାତନ ଆବେଶିକ ରୋଗୀ କୌଣସି ଉପାୟରେ ଭଲ ନହେଲେ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଏ ଓ ବହୁତ ସମୟରେ ଏହା ଫଳପ୍ରଦ ହୁଏ ବୋଲି ବିଶେଷଜ୍ଞମାନେ କହନ୍ତି । କିନ୍ତୁ କେତେ ଫଳପ୍ରଦ ହେଲା ତାହା କୌଣସି ନିର୍ଦ୍ଦିଷ୍ଟ ପଦ୍ଧତିରେ ମାପିବା ଉଚିତ । କାରଣ ଅସ୍ତ୍ରୋପଚାର ପରେ ରୋଗୀ ନିଜକୁ ଆରୋଗ୍ୟ ଲାଭ କଲାଭଳିଆ ଲାଗୁଛି ବୋଲି କହିପାରେ ଅଥଚ ଏହା କେବଳ ମାନସିକ ପରିତୃପ୍ତିର ସୂଚନା ଦେଉଥାଇପାରେ, ଯେମିତିକି ଖାଲି ଇଞ୍ଜେକ୍‌ସନ୍‌ ଦିଆଯାଇଛି ଜାଣିଲେ କେତେକ ଦୈହିକ ରୋଗୀ ରୋଗର ଉପଶମ ହୋଇଛି ବୋଲି କୁହନ୍ତି । ତେଣୁ ଅସ୍ତ୍ରୋପଚାର ପୂର୍ବରୁ କେତେକ ନିର୍ଭରଯୋଗ୍ୟ ପରୀକ୍ଷା ସାହାଯ୍ୟରେ ରୋଗୀର ଲକ୍ଷଣ ଓ ବ୍ୟବହାର ମପାଗଲା ପରେ ଅସ୍ତ୍ରୋପଚାର ପରେ ସେହି ପରୀକ୍ଷାଗୁଡ଼ିକ ଦିଆଯିବା ଉଚିତ । ଏହାପୁଣି ଅସ୍ତ୍ରୋପଚାରର ଦିନକପରେ, ସପ୍ତାହକ ପରେ, ୧୫ ଦିନ ପରେ, ମାସକପରେ, ତିନିମାସ ପରେ ଏହିପରି ଥରଥର କରି ଦିଆହେବା ଦରକାର । ଏଥିରୁ ଜଣାପଡ଼ିବ ରୋଗ କେତେଦୂର ଭଲ ହୋଇଛି ଓ ଏ ଆରୋଗ୍ୟ କେତେଦିନ ସ୍ଥାୟୀ । ମସ୍ତିଷ୍କରେ ଅସ୍ତ୍ରୋପଚାରର ଠିକ୍‌ ଫଳାଫଳ କ’ଣ ସେ ବିଷୟରେ ବିଶେଷ ଜଣାନାହିଁ । ତେଣୁ ଯେକୌଣସି ମାନସିକ ବ୍ୟାଧିରେ ଏହାର ନିର୍ବିଚାର ପ୍ରୟୋଗ କରି ବ୍ୟାଧି ଉପଶମ ହେଉଛି ବୋଲି କହିବା ଉଚିତ ନୁହେଁ । କେବଳ ନିର୍ଭରଯୋଗ୍ୟ ପରୀକ୍ଷାଦ୍ୱାରାହିଁ ମସ୍ତିଷ୍କରେ ଅସ୍ତ୍ରୋପଚାର ଫଳପ୍ରଦ କି ନୁହେଁ ଜଣାପଡ଼ିବ ।

☆☆☆

 

ନବମ ପରିଚ୍ଛେଦ

ପାଗଳ କିଏ ?

ପାଗଳ ଓ ଆଡ଼ପାଗଳା

 

ସର୍ଦିଠାରୁ ନିମୋନିଆ ଖୁବ୍‌ ସାଂଘାତିକ । ସେହିପରି ପାଗଳାମୀ ଆଡ଼ପାଗଳାମୀ ତୁଳନାରେ ଖୁବ୍‌ ବେଶୀ ସାଂଘାତିକ । ଆଡ଼ପାଗଳାମୀ ଗୋଟିଏ ରୋଗ ହିସାବରେ ଲୋକଙ୍କ ଆଖିରେ ପଡ଼େନାହିଁ । କିନ୍ତୁ ପାଗଳାମୀ ଗୁରୁତର ମାନସିକ ବ୍ୟାଧି ହିସାବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ତେଣୁ ସାଧାରଣ କଥାବାର୍ତ୍ତାରେ ଆମେ ମାନସିକ ବ୍ୟାଧିମାନେ ପାଗଳାମୀ ବୋଲି ଧରିନେଉ । ପାଗଳାମୀଠାରୁ କମ୍‌ ମାନସିକ ବ୍ୟାଧିକୁ କୌଣସି ଗୁରୁତ୍ୱ ଦେଉନା ।

 

କିନ୍ତୁ ପାଗଳାମୀ କ’ଣ ଆଡ଼ପାଗଳାମୀଠାରୁ କେବଳ ବେଶୀ ସାଂଘାତିକ ? ଗୋଟିଏ ଦୁଇଟି ପାଗଳାମୀର ଦୃଷ୍ଟାନ୍ତ ଦିଆଯାଉ । ଆଡ଼ପାଗଳାମୀ ଯେପରି କେତେଗୁଡ଼ିଏ ମାନସିକ ରୋଗକୁ ବୁଝାଏ ପାଗଳାମୀ ସେହିପରି କେତେକ ଭିନ୍ନ ଭିନ୍ନ ମାନସିକ ରୋଗପାଇଁ ସାମୂହିକ ସଂଜ୍ଞା । ଗୋଟିଏ ପ୍ରକାର ପାଗଳାମୀ ଭୋଗୁଥିବା ଜଣେଲୋକ ସବୁବେଳେ ଡାକ୍ତରଖାନାର ବାରଣ୍ଡାରେ ବୁଲୁଥାଏ ଓ ମନକୁମନ କ’ଣ କହି ହସୁଥାଏ । ଲୋକଟି ପୋଲାଣ୍ଡ ଅଧିବାସୀ । ଇଂଲଣ୍ଡର ଏକ ମାନସିକ ଚିକିତ୍ସାଳୟରେ ଥାଏ । ତାକୁ ଅଟକାଇ ତା’ ନାଁ କ’ଣ ବୋଲି ପଚାର । ସେ ହାତମୁହଁ ହଲେଇ ସ୍ମିତହାସ୍ୟ କରି କ’ଣଗୁଡ଼ାଏ ପୋଲାଣ୍ଡ ଭାଷାରେ କହିବ । ପୁଣି ଚାଲିବାକୁ ଆରମ୍ଭ କରିବ । ପୋଲାଣ୍ଡ ଦେଶର ଭାଷା ଜାଣିଥିବା ଜଣେ ଡାକ୍ତରଠାରୁ ବୁଝିଲେ ସେ କହିବେ ଯେ ରୋଗୀ ତା’ର ଯୁଦ୍ଧ ଅନୁଭୂତି ବର୍ଣ୍ଣନା କରୁଅଛି । ତୁମେ ତାକୁ ଯାହା ପଚାର ସେ ତା’ର ଉତ୍ତର ନ ଦେଇ ଯୁଦ୍ଧରେ କିପରି ଶତ୍ରୁପକ୍ଷ ଆକ୍ରମଣ କଲେ, ସେ କେମିତି ଲୁଚିରହି ବନ୍ଧୁକ ମାରିଲା, କେମିତି ସାହସ ଓ ବୀରତ୍ୱର ଦୃଷ୍ଟାନ୍ତ ଦେଖାଇଲା–କେବଳ ଏହାହିଁ କହୁଥିବ । କିନ୍ତୁ ତାକୁ ଅଟକାଇ ଇଂରାଜୀରେ ସିଗାରେଟ ଯାଚିଲେ ସାଙ୍ଗେ ସାଙ୍ଗେ ହସି କରି ହାତ ବଢ଼େଇବ ଓ ସିଗାରେଟ ପାଇଲେ ସାଲୁଟ୍‌ କରି ଚାଲିଯିବ । ତାକୁ କୁହ ଖାଇବାବେଳ ହେଲାଣି, ରୋଷାଇଘରୁ ଖାଇବା ଜିନିଷ ବୋହିଆଣି ବଢ଼ାବଢ଼ି କର, ସେ ତା’ କରିବ । ସେ ବେଶ୍‌ ପରିଷ୍କାର ପରିଚ୍ଛନ୍ନ, ନିଜେ ଗାଧୋଇପାରେ, ମୁଣ୍ଡଟି ଚିକ୍‌କଣ କରି କୁଣ୍ଡେଇଥିବ, ଦାଢ଼ି ପରିଷ୍କାର କରି କାଟିଥିବ, ଜୋତା ସବୁବେଳେ ଚକ୍‌ ଚକ୍‌ ଓ ମୁହଁରେ ହସ । ଅଥଚ ସେ ପାଞ୍ଚବର୍ଷ ହେଲା ମାନସିକ ଚିକିତ୍ସାଳୟରେ ରହିଲାଣି ଓ ତା’ର ଭଲ ହେବାର ସମ୍ଭାବନା ଖୁବ୍‌ କମ୍‌ । ଆଉ ଏକ ପ୍ରକାର ପାଗଳାମୀରେ ରୋଗୀ ପ୍ରାୟ ସବୁବେଳେ ଚୁପ୍‌ଚାପ୍‌ ହୋଇ ବସିଥାଏ । ନିଜେ ଖାଏ ନାହିଁ, ପରିଷ୍କାର ପରିଚ୍ଛନ୍ନ ହୁଏନାହିଁ, ପ୍ରଶ୍ନ ପଚାରିଲେ ଉତ୍ତର ଦିଏନାହିଁ । ଖାଲି ଉଦାସୀନ ଭାବରେ ଏକ ଜାଗାରେ ବସିଥାଏ । ବେଳେବେଳେ ନିଜର ଆଙ୍ଗୁଠି ସବୁ ଚୋବେଇ ଚୋବେଇ ଘା କରିପକାଏ । ଖୁର ବା ଅନ୍ୟ କୌଣସି ଦାଢ଼ୁଆ ଜିନିଷ ପାଇଲେ ନିଜ ଦେହକୁ ଖଣ୍ଡିଆଖାବରା କରିଦିଏ । ପୁଣି ଆଉ କେତେକ ରୋଗୀ ଅଛନ୍ତି ଯେଉଁମାନେ ସମୟେ ସମୟେ ଖୁବ୍‌ ଉତ୍‌ଫୁଲ୍ଲ ଓ ସମୟେ ସମୟେ ଅତ୍ୟନ୍ତ ବିଷଣ୍ଣଭାବ ଦେଖାନ୍ତି । ଉତ୍‌ଫୁଲ୍ଲ ଥିବାବେଳେ ସେମାନେ ବହୁତ କଥା କହନ୍ତି । କଥାଗୁଡ଼ାକ ଅଧିକାଂଶ ଅବାନ୍ତର; ଖୁବ୍‌ ପାଟିତୁଣ୍ଡ କରନ୍ତି; ଗୁଡ଼ାଏ ହସନ୍ତି ଓ ବେଳେବେଳେ ଝରକା କବାଟ ଭାଙ୍ଗି ଲୋକଙ୍କୁ ବାଡ଼ାବାଡ଼ି କରି ହିଂସ୍ରଭାବ ଦେଖାନ୍ତି । କିନ୍ତୁ ବିଷଣ୍ଣ ଅବସ୍ଥାରେ ଠିକ୍‌ ତା’ର ବିପରୀତ ବ୍ୟବହାର ଦେଖାନ୍ତି ।

 

ପାଗଳାମୀ ତେବେ କ’ଣ ଆଡ଼ପାଗଳାମୀର ସାଂଘାତିକ ରୂପ ? ନା ଏହା ଆଉ ଏକପ୍ରକାର ସାଂଘାତିକ ମାନସିକ ରୋଗ ଯାହା ଆଡ଼ପାଗଳାମୀଠାରୁ ଅଲଗା ? ସର୍ଦି ଜ୍ୱର ଓ ଟାଇଫଏଡ଼୍ ଉଭୟକୁ ସାଧାରଣ ଲୋକ ଜ୍ୱର ବୋଲି କହନ୍ତି । କିନ୍ତୁ ସର୍ଦି ଜ୍ୱର ସାମାନ୍ୟ ଥଣ୍ଡା ଲାଗି ହୁଏ ଓ ଆପେଆପେ ଦୁଇ ତିନି ଦିନରେ ଭଲ ହୋଇଯାଏ । ଟାଇଫଏଡ଼୍ ଅନ୍ତନାଳୀରେ ଘା ହେବାରୁ ହୁଏ । ଏହା ଏକ ଜଟିଳ ରୋଗ ଓ କିଛିଦିନ ତଳେ ଏହାପାଇଁ ପ୍ରାୟ କୌଣସି ଔଷଧ ନଥିଲା ଏବଂ ଏଥିରୁ ଭଲ ହେବା ସବୁବେଳେ ସହଜ କଥା ନଥିଲା । ସେମିତି ଆଡ଼ପାଗଳାମୀ ଓ ପାଗଳାମୀକୁ ସାଧାରଣତଃ ପାଗଳାମୀ କହନ୍ତି; କିନ୍ତୁ ପାଗଳାମୀ କାରଣ, ଲକ୍ଷଣ, ଚିକିତ୍ସା ଓ ସାଂଘାତିକତାରେ ଆଡ଼ପାଗଳାମୀଠାରୁ ପୃଥକ୍‌ । ଦୈର୍ଘ୍ୟ ଓ ପ୍ରସ୍ଥ ପରି ଆଡ଼ପାଗଳାମୀ ଦୁଇଟି ଭିନ୍ନ ପରିମିତି ।

 

ଅବଶ୍ୟ କେତେକ ମନୋବୈଜ୍ଞାନିକ ବା ମାନସିକ ଚିକିତ୍ସକ ଆଡ଼ପାଗଳାମୀ ଓ ପାଗଳାମୀକୁ ଦୁଇଟି ସ୍ୱତନ୍ତ୍ର ରୋଗ ବୋଲି ଭାବନ୍ତି ନାହିଁ । ଆଡ଼ପାଗଳାମୀ ଓ ପାଗଳାମୀ କେବଳ ପରିମାଣରେ ପୃଥକ୍‌, ଗୁଣରେ ନୁହନ୍ତି ବୋଲି ସେମାନେ କହନ୍ତି । ସେମାନଙ୍କ ମତରେ ପାଗଳାମୀର ଲକ୍ଷଣଗୁଡ଼ିକ ଆଡ଼ପାଗଳାମୀର ଲକ୍ଷଣଠାରୁ ଆହୁରି ସାଂଘାତିକ, କାରଣ ସେଗୁଡ଼ିକ ଆହୁରି ଜଟିଳ ଓ ଚିକିତ୍ସା ଆହୁରି କଷ୍ଟକର । କିନ୍ତୁ ମୂଳତଃ ଉଭୟେ ସମାନ । ଫ୍ରଏଡ଼୍ ଏହି ପ୍ରକାର ମତ ପୋଷଣ କରନ୍ତି । ଆଗରୁ କୁହାଯାଇଛି ଯେ ଆଡ଼ପାଗଳାମୀରେ ରୋଗୀ ତା’ର ଯୌନବିକାଶର ପ୍ରିୟତମ ଅବସ୍ଥାକୁ ଫେରିଯାଏ । ମୁଖଗତ, ପାୟୁଗତ ଓ ଜନନେନ୍ଦ୍ରିୟଗତ ଏ ତିନି ଅବସ୍ଥାରେ ଯୌନବିକାଶ ବିଭକ୍ତ ବୋଲି ଆଗରୁ କୁହାଯାଇଛି । ଆଡ଼ପାଗଳାମୀରେ ପାୟୁଗତ ଅବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ ଦେଖାଯାଏ । କିନ୍ତୁ ମୁଖଗତ ଅବସ୍ଥା, ବିଶେଷତଃ ଏହାର ପ୍ରାରମ୍ଭକାଳରୁ ରୋଗୀ ପ୍ରତ୍ୟାବର୍ତ୍ତନ କଲେ ପାଗଳାମୀ ଦେଖାଯାଏ ବୋଲି ଫ୍ରଏଡ଼୍‍ଙ୍କର ମତ ।

 

ପାଗଳାମୀ ଭିତରେ ଆସୁଥିବା ଦୁଇଟି ମୁଖ୍ୟ ରୋଗ, ସ୍କିଜୋଫ୍ରେନିଆ ଓ ଏମ୍‌.ଡି.ପି ବିଷୟରେ ଆଲୋଚନା ବର୍ତ୍ତମାନ କରାଯିବ । ବୋଧହୁଏ ଏ ଦୁଇଟିର ଆଲୋଚନା କରୁକରୁ ଆମ ପ୍ରଶ୍ନର ଉତ୍ତର ମିଳିପାରେ–ପାଗଳାମୀ ଓ ଆଡ଼ପାଗଳାମୀ ସ୍ୱତନ୍ତ୍ର କି ନା ? ଏଗୁଡ଼ିକ ଗୁଣ ଓ ପରିମାଣ ଉଭୟରେ ଭିନ୍ନ ନା ମାରାତ୍ମକତା ଦୃଷ୍ଟିରୁହିଁ ଭିନ୍ନ ।

☆☆☆

 

Unknown

ଦଶମ ପରିଚ୍ଛେଦ

ସ୍କିଜୋଫ୍ରେନିଆ

(Schizophrenia)

 

ଏହାକୁ ସବୁଠାରୁ ସାଂଘାତିକ ମାନସିକ ବ୍ୟାଧି ବୋଲି କୁହାଯାଇପାରେ । ମଣିଷର ସମୁଦାୟ ବ୍ୟକ୍ତିତ୍ୱକୁ ଏହା ଆକ୍ରମଣ କରି ତା’ର ଭାବନା, ଆବେଗ ଓ କାମନାକୁ ବ୍ୟାଧିଗ୍ରସ୍ତ କରିପକାଏ । ତେଣୁ ତାକୁ ସାଧାରଣ ଜୀବନରୁ ଅବସର ନେବାକୁ ପଡ଼େ । ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଉତ୍ତେଜନା ଦୂର ହେଲାପରେ ପୁରାତନ ଓ ଜଟିଳ ରୋଗ ହିସାବରେ ଏହା ଜୀବନର ବାକି ସମୟତକରେ ଦେଖାଦିଏ । ଏ ଅବସ୍ଥାରେ ରୋଗର ସେପରି କୌଣସି ଭୟାବହ ଲକ୍ଷଣ ଦେଖିବାକୁ ମିଳେ ନାହିଁ । ତଥାପି ଏହା ଏତେ ମାନସିକ ଦୌର୍ବଲ୍ୟ ଆଣି ଦେଇଥାଏ ଯେ ରୋଗୀ ଆଜୀବନ ଚିକିତ୍ସାଳୟରେ ଆବଦ୍ଧ ହୋଇ ରହିବାକୁ ବାଧ୍ୟ ହୁଏ । ସେ ଆଉ ସ୍ୱାଭବିକତା ଫେରିପାଏ ନାହିଁ । ଅବଶ୍ୟ ଶୀଘ୍ର ଜଣାପଡ଼ିଲେ ରୋଗରୁ ଆରୋଗ୍ୟ ଲାଭ କରିବାର ସମ୍ଭାବନା ବେଶୀ; କିନ୍ତୁ ସାଧାରଣତଃ ରୋଗ ଆରମ୍ଭ ହେଲାବେଳେ ଆଦୌ ଜଣାପଡ଼େନି ଓ ଡାକ୍ତରଙ୍କ ପାଖକୁ ଆସିଲାବେଳକୁ ରୋଗ ଚାରି ପାଞ୍ଚବର୍ଷ ପୁରୁଣା ହୋଇ ଯାଇଥାଏ । ହଜାରକରେ ପ୍ରାୟ ଆଠଜଣଙ୍କୁ ଏ ରୋଗ ହେବାର ସମ୍ଭାବନା ଅଛି ।

 

ସ୍କିଜୋଫ୍ରେନିଆ ଏକାଧିକ ରୋଗର ସମଷ୍ଟି । ଏ ପ୍ରତ୍ୟେକ ରୋଗର ପୁଣି ବହୁ ପ୍ରକାର ଲକ୍ଷଣ ଅଛି । ଏ ସବୁକୁ ଗୋଟିଏ ରୋଗ ବୋଲି ଦେଖିପାରି ଯେ ଏହାର ସାମୂହିକ ସଂଜ୍ଞା ଦେଇଥିଲେ ସେ ନିଶ୍ଚୟ ପ୍ରତିଭାବାନ । ୧୮୯୬ ଖ୍ରୀଷ୍ଟାବ୍ଦରେ ବିଜ୍ଞାନ ଓ ବିଶେଷକରି ଚିକିତ୍ସାବିଜ୍ଞାନ ଏତେ ଉନ୍ନତ ନଥିଲା । ସେତେବେଳେ କ୍ରାଏପ୍‌ଲିନ୍‌ ନାମକ ଜଣେ ବିଶିଷ୍ଟ ମାନସିକ ଚିକିତ୍ସକ ଏହାକୁ ଗୋଟିଏ ରୋଗ ବୋଲି ଠିକ୍‌ କରି ଏହାର ନାଁ ଦେଇଥିଲେ ଡିମେନ୍‌ସିଆ ପ୍ରିକୋକ୍‌ସ (Dementia praecox) । ଯୌବନର ପ୍ରାରମ୍ଭରେ ଏ ମାନସିକ ବ୍ୟାଧି ଦେଖାଯିବାର ସେ ଲକ୍ଷ୍ୟ କରିଥିବାରୁ ଏପରି ନାମ ଦେଇଥିଲେ । କିନ୍ତୁ ଜୀବନର ଅନ୍ୟାନ୍ୟ କାଳରେ ମଧ୍ୟ ଏହା ଦେଖାଯାଉଛି ବୋଲି ଜଣାପଡ଼ିଲା । ତେଣୁ ବ୍ଳିଉଲର୍‌ ଏହାର ନୂତନ ନାମ ଦେଲେ ସ୍କିଜୋଫ୍ରେନିଆ । ସ୍କିଜୋଫ୍ରେନିଆ ଅର୍ଥ ହେଉଛି ଖଣ୍ଡବିଖଣ୍ଡିତ ବ୍ୟକ୍ତିତ୍ୱ । ତେଣୁ ଏ ନାମଦ୍ୱାରା ବୟସ ଉପରେ ଜୋର ନ ଦିଆଯାଇ ବ୍ୟକ୍ତିତ୍ୱ ଉପରେ ଜୋର ଦିଆଗଲା ।

 

ଲକ୍ଷଣ–ସ୍କିଜୋଫ୍ରେନିଆର ଦୈହିକ କାରଣ ଜଣାଯାଇନାହିଁ । ତେଣୁ ଏପର୍ଯ୍ୟନ୍ତ ଦୈହିକ ଲକ୍ଷଣ ଉପରେ ବିଶେଷ ଜୋର ନ ଦେଇ ମାନସିକ ଲକ୍ଷଣଗୁଡ଼ିକ ଅନୁସାରେ ରୋଗ ନିର୍ଣ୍ଣୟ କରିବାକୁ ପଡ଼ିବ । ଯେତେବେଳେ ଦୈହିକ କାରଣ ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ିବ, ଆମେ ମାନସିକ କାରଣଗୁଡ଼ିକୁ ଗୌଣ ବୋଲି ଧରିବୁ । ଏହାର ମୁଖ୍ୟ ମାନସିକ ଲକ୍ଷଣଗୁଡ଼ିକ ତଳେ ଦିଆଗଲା ।

 

ଭାବନାରେ ବିଶୃଙ୍ଖଳତା–ରୋଗୀର ଭାବନା ସାଧାରଣତଃ ଅସଂଗତ । ସେ ଗୋଟାଏ କଥା ଠିକ୍‌ କରି ଭାବିପାରେନାହିଁ । ଭାବିବାକୁ ଆରମ୍ଭ କଲେ ବହୁ ପ୍ରକାରର ଅସଂଗତ ଭାବନା ସବୁ ତା’ ମନରେ ଉଙ୍କିମାରେ । ଗାଧୋଇବା କଥା ଭାବୁ ଭାବୁ ରେଡ଼ିଓ କଥା ଭାବେ । ଏ ଗୋଳମାଳ କଥାବାର୍ତ୍ତାରେ ସ୍ପଷ୍ଟରୂପେ ଦେଖାଦିଏ । ଅମୁକ ଲୋକଙ୍କ ଘର କେଉଁଠି ପଚାରିଲେ ମନେକର ସେ କହିଲା ହଜାରିଗଳି, ତା’ପରେ ହଜାରିମଲ ଧର୍ମଶାଳା କଥା ମନେ ପଡ଼ିଲା । ତା’ପରେ ଧର୍ମରେ ଶାଳା କାହିଁକି ଲାଗିଛି ଓ ଏହା ଯେ ଅଶ୍ଳୀଳ କଥା ଓ ଏ କଥା ଏପର୍ଯ୍ୟନ୍ତ କେହି ଲକ୍ଷ୍ୟ କରିନାହାନ୍ତି ଏହା ସେ କହି ବସେ । ତା’ କହିବା ଭିତରେ ଅଳଙ୍କାର ଓ ଅନୁପ୍ରାସ ସବୁ ଦେଖାଦିଏ । ମନେକର କ’ଣ କହୁ କହୁ ସେ ମହାଜନ ଶବ୍ଦଟି ବ୍ୟବହାର କଲା । ତା’ପରେ ସେ ଖାଲି ‘ଜନ’ ଲଗାଇ କଥା କହେ–ଯଥା ପରିଜନ, କୂଜନ, ବିଜନ, ସଜ୍ଜନ, ନିର୍ଜନ ଇତ୍ୟାଦି । ଆଉ କେବେକେବେ ସେ ଏକା କଥାକୁ ବାରମ୍ୱାର କହୁଥାଏ । ଜଣେ ରୋଗୀ ତା’ର ଜୀବନର ଅନୁଭୂତି ସବୁ ବର୍ଣ୍ଣନା କରୁ କରୁ ସେ କାହାକୁ ‘‘ଜୋ ହୁଆ ସୋ ଠିକ୍‌ ହୁଆ’’ କହିଥିବାର ବର୍ଣ୍ଣନା କଲା । ତା’ପରେ ଆଉ କିଛି ନ କହି କେବଳ ଠିକ୍‌ ହୁଆ, ଠିକ୍‌ ହୁଆ, ଠିକ୍‌ ହୁଆ ବୋଲି କହିଚାଲିଲା । ନୂତନ ଭାଷା ସୃଷ୍ଟି କରିବାରେ ଓ ନୂଆ ସଙ୍କେତ ଉଦ୍ଭାବନ କରିବାରେ ସ୍କିଜୋଫ୍ରେନିଆ ରୋଗୀ ଖୁବ୍‌ ପାରଙ୍ଗମ । ପିଲାମାନଙ୍କ ପରି ସେ ‘ବଫଆଲା’ ଲେଖି ‘ବରଫ ଆଣିଲା’ ବୁଝୁଥିବ । କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହୁଥିବାବେଳେ ସେ ପିଲାଳିଆ ଥଟ୍ଟା ପରିହାସ କରୁଥିବ । ଅଯଥା ହସୁଥିବ ବା ଖତେଇ ହେଉଥିବ । ତା’ କଥାବାର୍ତ୍ତାରୁ ଅବଶ୍ୟ ଭାବନା–ପ୍ରକ୍ରିୟାର ସବୁ ଗୋଳମାଳ ଧରାପଡ଼େନି-। ଏମିତିକି ସାଧାରଣ କଥାବାର୍ତ୍ତା ହେଲାବେଳେ ମଧ୍ୟ ରୋଗୀ ଖୁବ୍‌ ସ୍ୱାଭାବିକ ମନେହୁଏ-। କିନ୍ତୁ ରୋଗୀକୁ କୌଣସି ପ୍ରବାଦର ମାନେ ପଚାର କିମ୍ୱା କୌଣସି ଜଣାଶୁଣା ଗପ କହିବାକୁ ଦିଅ, ତା’ର ଭାବନାର ଅପୂର୍ଣ୍ଣତା ଅବାନ୍ତରତା ଓ ଦାରିଦ୍ର ସହଜରେ ଜଣାପଡ଼େ । ମନେକର ପଚରା ହେଲା ‘‘ଗରଜିଲା ମେଘ ବରଷେ ନାହିଁ’’ ମାନେ କ’ଣ ? ସେ ଆଶ୍ଚର୍ଯ୍ୟଜନକ ଉତ୍ତର ଦେବ । ସେ ହୁଏତ ‘ଗରଜିବା’ ବିଷୟରେ କହି ଚାଲିବ । କିମ୍ୱା ରୋଗୀକୁ ପଚାର ବିଲୁଆ ଓ ଅଙ୍ଗୁରକୋଳି ବିଷୟରେ ଗପ କହିବାକୁ । ସେ କେବେ ଠିକ୍‌ କରି ଗପଟା କହିପାରିବନି କି ସାରିପାରିବନି । ମଝିରେ ମଝିରେ ରୋଗୀ କହିବ ଯେ ତା’ ମୁଣ୍ଡରେ ଅନେକ ଭାବନା ଏକାଠି ଦେଖାଯାଉଛି, ଆଉ ସେ କୌଣସିଟା କହିପାରୁନାହିଁ । ପୁଣି ଅନ୍ୟବେଳେ କହିବ, ଯେମିତି ନିଜେ କିଛି ଭାବୁନାହିଁ, ଜଣେ କିଏ ତା’ ମନରେ ଜବରଦସ୍ତ କ’ଣ ସବୁ କହୁଛି ଓ ସେ କେବଳ ସେହିଗୁଡ଼ିକ ଆଉଥରେ ନିଜେ କହୁଛି । ଅଧିକାଂଶବେଳେ ରୋଗୀ ଭାବୁକ ଭଳିଆ ବସିଥିଲେ ମଧ୍ୟ ପ୍ରାୟ ଖୁବ୍‌ କମ୍‌ ଭାବନା ତା’ ମନକୁ ଆସେ; ପ୍ରକୃତରେ ଭାବନାର ଦାରିଦ୍ର୍ୟ ଓ ଶୂନ୍ୟତା ଏ ରୋଗର ବିଶେଷତ୍ୱ । ଶୂନ୍ୟତା ହେତୁ ସେ ଯନ୍ତ୍ରଭଳିଆ ଗୋଟିଏ ଦୁଇଟି କଥା କହେ–ଯଥା ‘ମୁଁ ଘରକୁ ଯିବି’, ‘ମୋ ମନ ଖରାପ ଲାଗୁଛି’-। ଏହି କଥା ଖାଲି କହୁଥାଏ । ପ୍ରକୃତରେ କିଛି ଆବେଗ ସହିତ କହୁ ନଥାଏ । କାରଣ ଏମିତି ଗୋଟାଏ ଦୁଇଟା ନିର୍ଦ୍ଦିଷ୍ଟ ଭାବନା ଛଡ଼ା ତା’ ମୁଣ୍ଡରେ ସବୁ ଗୋଳମାଳିଆ ଭାବନା ଦେଖାଯାଏ-

 

ଆବେଗରେ ବିଶୃଙ୍ଖଳତା–ସ୍କିଜୋଫ୍ରେନିଆ ରୋଗୀର ଆବେଗ (emotion) ଅସ୍ୱାଭାବିକ । ପ୍ରଥମେ ଆଖିରେ ପଡ଼ୁଥିବା ଅସ୍ୱାଭାବିକତା ହେଲା ଆବେଗହୀନତା । ରୋଗୀ କ୍ରମେ କ୍ରମେ ସାଧାରଣ ଆବେଗ ଅନୁଭବ କରିପାରେନାହିଁ । ମନେକର ରାସ୍ତାରେ ଜଣଙ୍କୁ ମଟର ମାଡ଼ିଗଲା, ତାହା ଦେଖି ରୋଗୀର କୌଣସି ଆବେଗ ଆସେ ନାହିଁ । ଆବେଗ ଅନୁଭବ କରିବା ଶକ୍ତି ଆସ୍ତେ ଆସ୍ତେ କମିଯିବା ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଲକ୍ଷଣ । ଏ ରୋଗ ପ୍ରଥମେ ଆରମ୍ଭ ହେଲାବେଳେ ରୋଗୀ କାହା ପ୍ରତି ସହାନୁଭୂତି ଦେଖାଇପାରେ ନାହିଁ । କାହାର ଦୁଃଖରେ ସମଦୁଃଖୀ ହୋଇପାରେ ନାହିଁ । ତା’ପରେ ଏପରି ହୁଏ ଯେ ନିଜର ଅତି ପ୍ରିୟଜନର ମୃତ୍ୟୁରେ ମଧ୍ୟ ସେ ଅବିଚଳ ରହେ; କୌଣସି ଦୁଃଖ ଅନୁଭବ କରେ ନାହିଁ ।

 

ଏ ପ୍ରକାର ଚରମ ବୈରାଗ୍ୟ ସ୍ୱାଭାବିକ ଭାବରେ ରୋଗୀଠାରେ ଦେଖାଦିଏ । ଜଣାଯାଏ ଯେମିତି ଦୁନିଆରେ କୌଣସି ଜିନିଷ ରୋଗୀର ମନରେ ଆନ୍ଦୋଳନ ସୃଷ୍ଟି କରିବ ନାହିଁ-। ନିଜର ଚେହେରା ସମ୍ପର୍କରେ ରୋଗୀ ଆଦୌ ଯତ୍ନ ନିଏନାହିଁ । ତେଣୁ ବିନା ଦ୍ୱିଧାରେ ସେ ଅତି ଅପରିଷ୍କାର ହୋଇପାରେ । ଆବେଗରେ ଜଡ଼ତା ସହିତ ଆବେଗର ଆକସ୍ମିକ ଉତ୍ଥାନ ପତନ ମଧ୍ୟ ଦେଖାଯାଏ । ରୋଗୀ ସୁଖ ବା ଦୁଃଖରେ କୌଣସିଥିରେ ବିଚଳିତ ହୁଏନାହିଁ । କିନ୍ତୁ ସମୟେ ସମୟେ ହଠାତ୍‌ ଖୁବ୍‌ ଖୁସି ହୋଇ ପାଟିତୁଣ୍ଡ କରିପାରେ, ଖୁବ୍‌ ଡରିଯାଇପାରେ ବା ଅଯଥା ଆତଙ୍କରେ ଅଭିଭୂତ ହୋଇପାରେ । ଏହା ଅବଶ୍ୟ ଅଳ୍ପକ୍ଷଣସ୍ଥାୟୀ । ଏହା ସଙ୍ଗେ ସଙ୍ଗେ ଅସଂଗତ ଆବେଗ ଆଉ ଗୋଟିଏ ଲକ୍ଷଣ ହିସାବରେ ସ୍କିଜୋଫ୍ରେନିଆ ରୋଗୀଠାରେ ଦେଖାଯାଏ । ଦୁଃଖ କଥା କହୁଥିବାବେଳେ ରୋଗୀ ହସୁଥିବ ବା କୌଣସି ସାଧାରଣ କଥା ବର୍ଣ୍ଣନା କଲାବେଳେ ଦୁଃଖରେ ଅଭିଭୂତ ହୋଇ କାନ୍ଦୁଥିବ । ଅର୍ଥାତ୍‌ ଯାହା କହୁଛି ତା’ ସାଙ୍ଗେ ଯଥାଯଥ ଆବେଗ ପ୍ରକାଶିତ ହେଉନାହିଁ । ରୋଗୀର ଭାବନା ଓ ଆବେଗ ଭିତରେ କୌଣସି ସମ୍ପର୍କ ନଥିଲା ପରି ଜଣାପଡ଼େ । ଆବେଗର ଜଡ଼ତା ସହିତ ଆବେଗର ଅସଂଗତତା ମିଶି ରୋଗୀକୁ ଏଭଳି ଏକ ଅବସ୍ଥାକୁ ନେଇଆସେ, ରୋଗୀ ଗୁରୁତର ଅପରାଧ କଲେବି କିଛି ଅନୁଭବ କରିପାରେନାହିଁ । ତେଣୁ ସେ ଅତି ନିଷ୍ଠୁର ଭାବରେ ଜଣଙ୍କୁ ହତ୍ୟା କରିପାରେ ବା ଯେକୌଣସି ଲୋକ ଘରେ ନିଆଁ ଲଗାଇ ଦେଇପାରେ । ନଈ ପୋଖରୀରେ ନିଜ ଭାଇଭଉଣୀଙ୍କୁ ଠେଲି ଦେବା ମଧ୍ୟ ତା’ ପକ୍ଷରେ ଆଶ୍ଚର୍ଯ୍ୟ ନୁହେଁ । ଏସବୁ କରିବାଦ୍ୱାରା ତା’ ମନରେ କୌଣସି ଦୁଃଖ ଆସେ ନାହିଁ । ସୁବିଧା ପାଇଲେ ନିଜର ହାତଗୋଡ଼ ମଧ୍ୟ ସେ ନିର୍ବିକାର ଚିତ୍ତରେ କାଟିପକାଏ । କିନ୍ତୁ ରୋଗୀ କୌଣସି କାମ ନିଶ୍ଚିତ ଭାବରେ କରିପାରେନାହିଁ । କାରଣ ତା’ର ଭାବନା ପ୍ରକ୍ରିୟା ସ୍ୱାଭାବିକ ନଥିବାରୁ କୌଣସି କାମରେ ପୂରା ମନଯୋଗ ଦେଇପାରେନାହିଁ । ତେଣୁ ଖୁବ୍‌ ଗୁରୁତର ଅପରାଧ କରିବାପାଇଁ ଯେଉଁ ପ୍ରସ୍ତୁତି ଓ ଯୋଜନା ଆବଶ୍ୟକ ତାହା ରୋଗୀଠାରେ ନଥାଏ । ଏଇଥିପାଇଁ ସ୍କିଜୋଫ୍ରେନିଆ ରୋଗୀ ପ୍ରକୃତରେ ଅପରାଧ କରିବାର ଦୃଷ୍ଟାନ୍ତ ବିରଳ ।

 

ଆବେଗହୀନତା ଯୋଗୁଁ ଚିକିତ୍ସକ ରୋଗୀଠାରୁ କୌଣସି କଥା ଆଦାୟ କରିପାରନ୍ତିନାହିଁ । ରୋଗୀ ସାଧାରଣତଃ ବହୁକଷ୍ଟରେ ଗୋଟିଏ ଦୁଇଟି ଶବ୍ଦରେ ଉତ୍ତର ଦିଏ । ତେଣୁ ସାଧାରଣ ମଣିଷ ହିସାବରେ ତା’ ସାଙ୍ଗରେ ବ୍ୟବହାର କରିବା ଅସମ୍ଭବ ହୋଇପଡ଼େ ।

 

କାମରେ ନିଃସ୍ପୃହତା–ରୋଗୀର କିଛି କାମ କରିବାକୁ ଇଚ୍ଛା ହୁଏ ନାହିଁ । ସେ ସବୁବେଳେ ନିଷ୍କର୍ମା ହୋଇ ବସିବାକୁ ବା ଶୋଇ ରହିବାକୁ ଭଲପାଏ । ପଚାରିଲେ ହୁଏତ କହିବ କୌଣସି ନିଗୂଢ଼ ତତ୍ତ୍ୱ କଥା ଭାବୁଛି ବା ଆଧ୍ୟାତ୍ମିକ କଥା କରୁଛି । ତା’ର ବିଚାରଶକ୍ତି ଦୁର୍ବଳ ହୋଇପଡ଼େ । ‘‘ଏଇ କାମଟା କଲେ ଭଲ, ତେଣୁ ଏଇଟା କରାଯାଉ’’ ଏମିତି ପରିଷ୍କାର ଭାବରେ ସେ ଭାବିଚିନ୍ତି ପାରେନାହିଁ । ତେଣୁ କାମ କରିଲେ ମଧ୍ୟ ପୂର୍ଣ୍ଣ ପ୍ରାଣରେ କରିପାରେନାହିଁ । ଅଧିକାଂଶ ସମୟରେ ଅଳସୁଆ ହୋଇ ବସିବାଟା ତାକୁ ସ୍ୱାଭାବିକ ଲାଗେ । ଏହାଛଡ଼ା ରୋଗୀ ବଡ଼ ଏକଜିଦିଆ ଓ ମନୁଆ ହୋଇଯାଏ । ଯାହା କହିଲେ ସେ କହିବ ‘ମୁଁ ଶୁଣିବିନି’ ‘ମୁଁ କରିବିନି’ ଇତ୍ୟାଦି । କାମ କରିବା ଇଚ୍ଛାର ଦୁର୍ବଳତା ଯୋଗୁଁ ରୋଗୀ ସବୁକାମ ଅଧାପନ୍ତରିଆ କରି ଛାଡ଼ିଦିଏ-। ଯଥା ତାକୁ କୁହ ସାମନାରେ ଥିବା ବହିଟା ଦେବାକୁ । ସେ ବହିଟି ବହୁ ସମୟ ପରେ ଅତି କଷ୍ଟରେ ଉଠେଇବ, ତୁମ ଆଡ଼କୁ ଟିକିଏ ବଢ଼େଇଦେବ, ପୁଣି ଯେଉଁଠି ଥିଲା ସେଇଠି ଥୋଇଦେବ-

 

କାମ କରିବା ଇଚ୍ଛା ଦୁର୍ବଳ ହେବାରୁ ନିଷ୍କ୍ରିୟତା ଦେଖାଯାଏ । ରୋଗୀ ଯାହା ବା କିଛି କାମ କରେ ଭାବେ, ଯେ କିଏ ଜଣେ ସେ ସବୁ ତଦ୍ଦ୍ୱାରା କରାଇ ନେଉଛି । ତା’ ଭିତରେ ଜଣେ କିଏ ତାକୁ ଯେମିତି ବସି କହୁଛି ହସିବାକୁ, କାନ୍ଦିବାକୁ ଓ ଅବାନ୍ତର କଥା ଗପିବାକୁ । ଅର୍ଥାତ୍‌ ରୋଗୀ କେତେକ ପରିମାଣରେ ବୁଝୁଛି ଯେ ସେ ଯାହା କହୁଛି ବା କରୁଛି ତାହା ଅପ୍ରାସଙ୍ଗିକ । କିନ୍ତୁ ସେ କୌଣସିମତେ ବୁଝିପାରୁନି ଯେ ଏ ସବୁ ଅପ୍ରାସଙ୍ଗିକ କାମ କାହିଁକି କରୁଛି । ତେଣୁ ତା’ ଭିତରେ କିଏ ଜଣେ ରହି ଏ ସବୁ କରାଉଛି ବୋଲି ତା’ର ମନେ ହେଉଛି । ଆଧୁନିକ ସମାଜରେ ବଢ଼ିଥିବା ରୋଗୀ କହେ ଯେ କିଏ ଜଣେ ରେଡ଼ିଓ ସାହାଯ୍ୟରେ ବା ସମ୍ମୋହନ କରି ତା’ର ବ୍ୟବହାରକୁ ନିୟନ୍ତ୍ରଣ କରୁଛି; ଆଗକାଳରେ ରୋଗୀ କହୁଥିଲେ ଡାହାଣୀ ବା ଭୂତ ତା’ ଦେହରେ ପଶି ଯାଇଛି । ତେଣୁ ଏ ସବୁ ସେହି କରାଉଛି । ଜଣେ ସ୍କିଜୋଫ୍ରେନିଆ ରୋଗୀକୁ ପଚାରିବାରୁ ସେ କହିଲା ଯେ ତା’ର ଚନ୍ଦାମୁଣ୍ଡଟା ଗୋଟିଏ ଟ୍ରାନ୍‌ସ୍‍ମିଟର ଓ ତେଣୁ ସେ ଯାହା ଭାବୁଛି ସାଙ୍ଗେ ସାଙ୍ଗେ ଚାରିଆଡ଼କୁ ପ୍ରଚାରିତ ହୋଇ ଯାଉଛି । ଏଥିପାଇଁ ସେ ଆଉ କିଛି ଭାବୁନାହିଁ ।

 

ଏ ଧାରଣା ଚରମ ସୀମାରେ ପହଞ୍ଚେ ଯେତେବେଳେ ରୋଗୀ ଭାବେ ଯେ ସେ ଗଛପତ୍ର, ଜୀବଜନ୍ତୁ, ଆକାଶ, ମେଘ ଏ ସବୁର ଗୋଟିଏ ଅଂଶ ଓ ସେଗୁଡ଼ିକ ମଧ୍ୟ ତାହାର ଶରୀରର ଗୋଟିଏ ଅଂଶ । ରୋଗୀ ନିଜର ଏକତ୍ୱ ଓ ପରିଚୟ ହରାଇ ବସେ । ତା’ର ‘ଅସ୍ମିତା’ ଲୋପ ପାଏ । ଫ୍ରଏଡ଼୍‍ଙ୍କ ମତରେ ଏହା ମୁଖଗତ ଯୌନ–ବିକାଶ ସ୍ତରର ଆରମ୍ଭକୁ ଫେରିଯିବାର ନିଶ୍ଚିତ ଲକ୍ଷଣ ।

 

ଚାରିପ୍ରକାର ସ୍କିଜୋଫ୍ରେନିଆ ଦେଖିବାକୁ ମିଳେ । ସେଗୁଡ଼ିକ (କ) ସରଳ ସ୍କିଜୋଫ୍ରେନିଆ (ଖ) ହେବେଫ୍ରେନିଆ (ଗ) କାଟାଟୋନିଆ (ଘ) ପାରାନୋଇଆ ।

 

(କ) ସରଳ ସ୍କିଜୋଫ୍ରେନିଆ (Simple Schizophrenia)

 

ଏ ପ୍ରକାର ସ୍କିଜୋଫ୍ରେନିଆ ଚିହ୍ନିବା ସବୁଠାରୁ କଷ୍ଟ । କାରଣ ଏହାର ଏକମାତ୍ର ଲକ୍ଷଣ ହେଲା ଆବେଗ ଅନୁଭବ କରିବା ଶକ୍ତିର ହ୍ରାସ । ରୋଗୀ ସାଧାରଣତଃ ନିରାସକ୍ତ ହୋଇଯାଏ; କାହାପ୍ରତି ସେମିତି ବିଶେଷ ମାୟାମମତା ଦେଖାଏ ନାହିଁ । ନିଜର ଅତି ପ୍ରିୟଜନମାନଙ୍କୁ ମଧ୍ୟ ସ୍ନେହ କରେନାହିଁ । ଏ ଲକ୍ଷଣ ଖୁବ୍‌ ଆସ୍ତେ ଆସ୍ତେ ଦେଖାଦିଏ, ତେଣୁ ରୋଗ ଆରମ୍ଭ ହୋଇଛି ବୋଲି କାହା ନଜରରେ ପଡ଼େନାହିଁ । ସାମାଜିକ କର୍ତ୍ତବ୍ୟରେ ଅବହେଳା ଓ ଅତ୍ୟନ୍ତ ନିକଟତମ ଆତ୍ମିୟମାନଙ୍କ ପ୍ରତି ଉଦାସୀନତା ରୋଗର ଆରମ୍ଭରେ ଏକମାତ୍ର ଲକ୍ଷଣ ହିସାବରେ ଦେଖାଦିଏ । କିନ୍ତୁ ତା’ ସାଙ୍ଗରେ ଚଳୁଥିବା ଲୋକମାନେ ଏହାକୁ ରୋଗର ଲକ୍ଷଣ ବୋଲି ଭାବିପାରନ୍ତି ନାହିଁ । ସେମାନେ ଏ ସବୁକୁ ରୋଗୀର ଚରିତ୍ରରେ ସାମୟିକ ପରିବର୍ତ୍ତନ ବୋଲି ଧରିନିଅନ୍ତି । ରୋଗୀ ନିଜେ କୌଣସି ବିଚାର କରି ସିଦ୍ଧାନ୍ତରେ ପହଞ୍ଚି ପାରେନାହିଁ । କାମ କରିବା ଇଚ୍ଛା ଖୁବ୍‌ କମିଯିବାରୁ ସେ ଅଳସୁଆ ହୋଇ ଘରେ ବସିରହେ । ନିକଟ ଆତ୍ମୀୟଙ୍କର ତତ୍ତ୍ୱାବଧାନରେ ନଥିଲେ କାମଦାମ ନ କରି ଆସ୍ତେ ଆସ୍ତେ ଗରିବ ହୋଇଯାଏ; ଭିକାରି ଓ ବେଶ୍ୟାମାନଙ୍କ ଭିତରେ ଏପ୍ରକାର ରୋଗୀ ଦେଖିବାକୁ ମିଳନ୍ତି । ଏମାନେ କେବଳ ଛୋଟକାଟରେ କୌଣସି କାମ କରିପାରନ୍ତି–ଅବଶ୍ୟ ସେ କାମରେ କିଛି ଦାୟିତ୍ୱ ନଥିବ ଓ ଖୁବ୍‌ ବେଶୀ ବିଚାରବୁଦ୍ଧି ପ୍ରୟୋଗ କରିବା ଦରକାର ହେଉ ନଥିବ-। ସାଧାରଣତଃ ସେମାନେ ଅଧିକାଂଶବେଳେ କୌଣସି କାମରେ ସନ୍ତୁଷ୍ଟ ନରହି ଗୋଟିଏ କାମ ଛାଡ଼ି ଅନ୍ୟ ଗୋଟିଏ କାମ ଧରନ୍ତି । ଶେଷକୁ ଏ ପ୍ରକାର ରୋଗୀ ବୁଲା ହୋଇଯାଆନ୍ତି ।

 

ଇଆଡ଼ୁ ସିଆଡ଼ୁ ଛୋଟ ଛୋଟ ସଭାସମିତିରେ ସଭ୍ୟ ହୁଅନ୍ତି । ଯଥା–ମାଙ୍କଡ଼ ରପ୍ତାନୀ ବିରୁଦ୍ଧରେ ଦଳ ଗଢ଼ାହେଲେ ସେମାନେ ତା’ର ସଭ୍ୟ ହେବାପାଇଁ ଆକୃଷ୍ଟ ହେବେ । ଚିରକାଳ ଛାତ୍ର ହୋଇ ରହିବାକୁ ଭଲପାଉଥିବା ଲୋକମାନଙ୍କ ଭିତରେ ଏମାନଙ୍କୁ ଦେଖିବାକୁ ମିଳେ । ଡିଗ୍ରୀ ପରେ ଡିପ୍ଳୋମା ଓ ଆହୁରି ଡିପ୍ଳୋମାପାଇଁ ପଢ଼ି ପଢ଼ି ସେମାନେ ଚିରଦିନ ବିଶ୍ୱବିଦ୍ୟାଳୟର ଛାତ୍ର ହୋଇ ରହନ୍ତି । ନିଜର ପିଲାଛୁଆ ଓ ବୁଢ଼ା ବାପ ମା’ଙ୍କ ପ୍ରତି ଅତ୍ୟନ୍ତ ଅବହେଳା ଯେଉଁମାନେ ଦେଖାନ୍ତି ତାଙ୍କ ଭିତରେ ସରଳ ସ୍କିଜୋଫ୍ରେନିଆ ରୋଗୀ ଥିବା ଖୁବ୍‌ ସମ୍ଭବ । ସେମାନେ କିଛି ରୋଜଗାର କରନ୍ତି ନାହିଁ । ନିଜର ପିଲାଙ୍କୁ ପୋଷିବା ନିଜ ଦାୟିତ୍ୱ ବୋଲି ଭାବନ୍ତି ନାହିଁ । ନିର୍ମଳ ଭାବରେ ସ୍ତ୍ରୀ ଓ ପିଲାଙ୍କୁ ଉପାସ ରଖି ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ଥିବାର ଛଳନା କରନ୍ତି । ସ୍ତ୍ରୀ ବାଧ୍ୟହୋଇ ରୋଜଗାର କଲେ ତା’ର ସବୁ ପଇସା ନେଇ ଖର୍ଚ୍ଚ କରିଦିଅନ୍ତି; ନିର୍ମମ ଭାବରେ ସ୍ତ୍ରୀକୁ ପିଟାପିଟି କରନ୍ତି ଓ ତା’ଠାରୁ ଅତ୍ୟନ୍ତ ଅଧୀନତା ଆଶା କରନ୍ତି । ସେ ଏମିତି ହୃଦୟହୀନ ପଶୁ ଭଳି ବ୍ୟବହାର କଲେ ମଧ୍ୟ ବେଳେବେଳେ ସ୍ତ୍ରୀ ବା ଅନ୍ୟ ସାଙ୍ଗଲୋକ ବୁଝିପାରନ୍ତି ନାହିଁ ଯେକୌଣସି ମାନସିକ ରୋଗ ଯୋଗୁଁ ଏହା ହେଉଥାଇପାରେ ।

 

ରୋଗୀ ନିଜର ଦୋଷ ବିଷୟରେ ଆଦୌ ସଚେତ ନଥାଏ । ତା’ର ବ୍ୟକ୍ତିତ୍ୱ ଏପରି ଅବାଞ୍ଛିତ ଦିଗରେ ପରିବର୍ତ୍ତିତ ହେଉଛି ବୋଲି ସେ ମୋଟେ ଜାଣିପାରେନାହିଁ । ଚୋରମାନଙ୍କ ସାଙ୍ଗରେ ପଡ଼ିଲେ ରୋଗୀ ସବୁଠାରୁ ବିପଜ୍ଜନକ ଅପରାଧୀ ହୁଏ–କାରଣ ସେ କିଛି ବୁଝିବିଚାରି ପାରୁ ନଥିବାରୁ ଯେକୌଣସି ବିପଜ୍ଜନକ କାମ ନିର୍ଭୟରେ କରିପାରେ । ଫଳାଫଳ ନ ଭାବି ନିର୍ଦ୍ଦୟ ଭାବରେ ହତ୍ୟା କରିବା ତା’ ପକ୍ଷରେ ଅତି ସହଜ । ତେଣୁ ବାରମ୍ୱାର ଜେଲ ଭୋଗୁଥିବା କଏଦୀମାନଙ୍କ ଭିତରେ ସରଳ ସ୍କିଜୋଫ୍ରେନିଆ ରୋଗୀ ଥିବାର ଜଣାଯାଏ ।

 

ରୋଗୀ ମାନସିକ ଚିକିତ୍ସାଳୟରେ ରହିବାକୁ ସୁଖପାଏ; କାରଣ ସେଠିକାର ଶାନ୍ତିପୂର୍ଣ୍ଣ ବାତାବରଣ ତାକୁ ବେଶ୍ ଭଲଲାଗେ । ବାହାର ଜଗତରୁ ଦୂରରେ ରହି ସେ ନିଜର କଳ୍ପନା ରାଜ୍ୟରେ ରହିବାରେ ସୁଖପାଏ । ତା’ର କୌଣସି ଆଗ୍ରହ ନାହିଁ ବା ଆକାଂକ୍ଷା ନାହିଁ । ଚିକିତ୍ସାଳୟରୁ ବାହାରି ଗଲା ପରେ କ’ଣ କରିବ ସେ ବିଷୟରେ ତା’ର କୌଣସି ଯୋଜନା ନଥାଏ-। ହୁଏତ ସେ ଆଦୌ ଘରକୁ ଫେରିଯିବାକୁ ଇଚ୍ଛା କରେ ନାହିଁ । ଜଣେ ଡାକ୍ତରଙ୍କୁ ଏ ରୋଗ ହୋଇଥିଲା, ତାଙ୍କୁ ପଚରାଗଲା ‘‘ତୁମେ ଭଲ ହେଲାପରେ କ’ଣ କରିବ ?’’ ସେ କହିଲେ ‘‘ଯାହା ମିଳିବ ତା’ କରିବି ।’’ ଆହୁରି ପଚାରିବାରୁ କହିଲେ ‘‘ଚାଷ କରିବି ।’’ ପୁଣି ପ୍ରଶ୍ନ ହେଲା ‘‘ତୁମକୁ କ’ଣ ଚାଷ କରି ଆସେ ?’’ ‘‘ଶିଖିବି ।’’ ‘‘ତୁମର କ’ଣ ଜମି ଅଛି ?’’ ‘‘ନାହିଁ ।’’ ‘‘ତେବେ ଚାଷ କେମିତି କରିବ ?’’ ‘‘ଅନ୍ୟ ଜମିରେ ଚାଷ କରିବି ।’’ ରୋଗୀ ଡାକ୍ତରୀ ପଢ଼ିଛି; ଅଥଚ ଫେରିଗଲେ ଡାକ୍ତରୀ କରିବ ବୋଲି ସେ ଭାବୁନାହିଁ; ଯାହା କେବେ କରିନାହିଁ, ସେଇଆ କରିବ ବୋଲି କହୁଛି-

 

(ଖ) ହେବେଫ୍ରେନିଆ–ସରଳ ସ୍କିଜୋଫ୍ରେନିଆରେ ଯେପରି ଆବେଗ ଶୂନ୍ୟତା ମୁଖ୍ୟ ଲକ୍ଷଣ, ଏଠାରେ ଭାବନାରେ ବିଶୃଙ୍ଖଳତା ସେହିପରି ମୁଖ୍ୟ ଲକ୍ଷଣ । ଭାବନାରେ ଏ ବିଶୃଙ୍ଖଳା ଆଶିଂକ ବା ସମ୍ପୂର୍ଣ୍ଣ ଭାବରେ ଦେଖା ଦେଇପାରେ । ଏ ବିଶୃଙ୍ଖଳା କଥା ସ୍କିଜୋଫ୍ରେନିଆର ସାଧାରଣ ଲକ୍ଷଣ ବର୍ଣ୍ଣନାବେଳେ କୁହାଯାଇଛି ।

 

ପନ୍ଦରରୁ ପଚିଶବର୍ଷ ଭିତରେ ଏହା ସାଧାରଣତଃ ଦେଖାଦିଏ ଏବଂ ଏହାର ଆରମ୍ଭରେ ରୋଗୀର ପୂର୍ବ ବ୍ୟକ୍ତିତ୍ୱ ହଠାତ୍‌ ପରିବର୍ତ୍ତିତ ହୁଏ ନାହିଁ । ଆସ୍ତେ ଆସ୍ତେ ଅପ୍ରତ୍ୟକ୍ଷ ଭାବରେ ରୋଗ ଆରମ୍ଭ ହୁଏ । ଏ ବୟସରେ ସାଧାରଣତଃ କୈଶୋର ଛାଡ଼ି ଯୌବନରେ ରୋଗୀ ପଦାର୍ପଣ କରେ ଏବଂ ଏହି ପରିବର୍ତ୍ତନ ସମୟରେ ସୁସ୍ଥ ଲୋକ ମଧ୍ୟ ଟିକେ ଖାମ୍‌ଖିଆଲି ବ୍ୟବହାର କରିଥାଆନ୍ତି । ବେଳେବେଳେ ଚିନ୍ତିତ ହେବା, ଅସ୍ୱାଭାବିକ ଆବେଗ ଅନୁଭବ କରିବା ଓ ଯୌନ ବିକାଶ ଯୋଗୁଁ ସାମୟିକ ଉଦ୍‌ବେଗ ପ୍ରକାଶ କରିବା ଏ ବୟସର ସ୍ୱାଭାବିକ ଲକ୍ଷଣ । ତେଣୁ ହେବେ–ଫ୍ରେନିଆର ପ୍ରାରମ୍ଭିକ ଲକ୍ଷଣ ସହଜରେ ଧରାପଡ଼େ ନାହିଁ–ସେ ଲକ୍ଷଣ ସବୁ ଏ ସମୟର ସାଧାରଣ ଅସ୍ୱାଭାବିକତା ବୋଲି ଭୁଲରେ ମନେହୁଏ । ଅବଶ୍ୟ କିଛିଦିନ ଧରି ଚିକିତ୍ସକଙ୍କ ପର୍ଯ୍ୟବେକ୍ଷଣରେ ରହିଲେ ରୋଗ ଧରାପଡ଼େ । ରୋଗୀର କ୍ରମେ କ୍ରମେ ମନୋନିବେଶ କରିବାରେ କଷ୍ଟ ହୁଏ । ଯେଉଁ ପାଠ ସେ ଘଣ୍ଟାଏ ପଢ଼ିଲେ ହେଉଥିଲା ତାକୁ ଚାରିଘଣ୍ଟା ପଢ଼ିଲେବି ସେତେ ଭଲ ହୁଏ ନାହିଁ-। ପିଲା ଆଗରୁ ପଢ଼ାଶୁଣାରେ ଭଲ କରୁଥିବ, କିନ୍ତୁ ରୋଗ ଆରମ୍ଭ ହେଲେ ଆସ୍ତେ ଆସ୍ତେ ଖୁବ୍‌ ଖରାପ କରିବ । କ୍ଲାସ୍ ପଢ଼ା ମୋଟେ କରିପାରୁନି ବୋଲି କହିବ । ଅଥଚ ଦିନରାତି ପରିଶ୍ରମ କରୁଥିବ । ଆଗେ ଯାହା ବୁଦ୍ଧି ଖେଳାଇ ବୁଝୁଥିଲା ଓ ପରୀକ୍ଷାରେ ପ୍ରଶ୍ନୋତ୍ତର କରୁଥିଲା, ଏବେ ନିହାତି ନୋଟ୍ ମୁଖସ୍ଥ ନ କଲେ ହୋଇପାରିବ ନାହିଁ । ଏହା ଦେଖି ସାଧାରଣ ଶିକ୍ଷକ ଓ ଡାକ୍ତର ପରାମର୍ଶ ନେଲେ ସେମାନେ କହିବେ ସ୍କୁଲ୍‌ ବା ସ୍ଥାନ ପରିବର୍ତ୍ତନ କର; ଅଧିକା ଟିଉସନ୍‌ ମାଷ୍ଟ୍ର ନିଯୁକ୍ତ କର ଓ ବିଭିନ୍ନ ପ୍ରକାର ବଳକାରକ ଟନିକ୍‌ ଖାଅ । ସେମାନେ ପ୍ରାୟ ଏହାକୁ ହେବେଫ୍ରେନିଆର ପ୍ରାରମ୍ଭିକ ଆକ୍ରମଣ ବୋଲି ସନ୍ଦେହ କରିପାରନ୍ତି ନାହିଁ । ହେବେଫ୍ରେନିଆ ରୋଗୀଙ୍କୁ ଡାକ୍ତରଖାନାର ଆଉଟ୍‍ଡ଼ୋର୍‍ରେ ଦେଖିବା କିଛି ଆଶ୍ଚର୍ଯ୍ୟ ନୁହେଁ । କିଛି ଗୋଟାଏ ରୋଗ ହେଉଛି ବୋଲି ଡାକ୍ତରଙ୍କ ପାଖକୁ ବହୁତଥର ଏମାନେ ଆସନ୍ତି ଓ ବହୁତ ଥର ଡାକ୍ତର ବଦଳାନ୍ତି । ଏପରି କିଛିଦିନ ଗଲାପରେ ଘନଘନ ଡାକ୍ତର ବଦଳାଇବାରୁ ଓ ଆଶ୍ଚର୍ଯ୍ୟଜନକ ଦୈହିକ ରୋଗର ଲକ୍ଷଣ ସବୁ ଦେଖାଦେଉଛି ବୋଲି କହିବାରୁ ଚିକିତ୍ସକଙ୍କର ସନ୍ଦେହ ହୁଏ ଓ କୌଣସି ସାଂଘାତିକ ମାନସିକ ବ୍ୟାଧି ହୋଇଥିବାର ଭାବି ସେ ରୋଗୀକୁ ମାନସିକ ଚିକିତ୍ସକଙ୍କ ନିକଟକୁ ପଠାଇଦିଅନ୍ତି । ତା’ର ଆଡ଼ପାଗଳାମୀ ହୋଇଛି ବୋଲି ମଧ୍ୟ ବହୁତ ସମୟରେ ଭୁଲରେ ସନ୍ଦେହ କରାଯାଇଥାଏ ।

 

ରୋଗୀ ପ୍ରାୟ ସ୍ୱପ୍ନାବିଷ୍ଟ ଥାଏ । ବଡ଼ବଡ଼ କଥା ଭାବୁଛି ବୋଲି ଲୋକମାନଙ୍କୁ କୁହେ । ଜୀବନ ଓ ଜଗତ ବିଷୟରେ ଉଚ୍ଚଧରଣର ଦାର୍ଶନିକ ଚିନ୍ତା କରୁଛି ବୋଲି ମନେମନେ ଭାବେ ଓ ସେଥିପାଇଁ ଅଧିକାଂଶ ସମୟରେ ମୂକଭଳିଆ ବସିଛି ବା ଶୋଇଛି ବୋଲି ଅନ୍ୟମାନଙ୍କୁ କୁହେ । ସେ ଦିନେ ନା ଦିନେ ଖୁବ୍‌ ବଡ଼ କିଛି ଉଦ୍ଭାବନ କରିବ ବା ତା’ ପାଖରେ ଜଟିଳତତ୍ତ୍ୱ ସମ୍ୱଳିତ ବହି ଲେଖିଥିବା ଶକ୍ତି ବା ସାମର୍ଥ୍ୟ ଅଛି ବୋଲି ସେ ବିଶ୍ୱାସ କରେ । କିନ୍ତୁ ସେ ଯେତେବେଳେ ବସିଥାଏ ବା ଶୋଇଥାଏ ତା’ ମନରେ କୌଣସି ଭାବନା ପ୍ରକୃତରେ ଆସୁ ନଥାଏ, ଭାବନାରେ ଦରିଦ୍ରତା ଯୋଗୁଁ ସେ ଏମିତି ଚୁପ୍‌ ହୋଇ ବସି ରହେ, ତା’ର ଭାବନା ଶୁଷ୍କ ଓ ନିଷ୍ଫଳ । ବିଷମ ଅବସ୍ଥା କଟିଗଲା ପରେ ରୋଗ ଆଉ ବଢ଼େ ନାହିଁ । ଅଥଚ ରୋଗର ପ୍ରଭାବ ସ୍ପଷ୍ଟ ଭାବରେ ରୋଗୀର ବ୍ୟକ୍ତିତ୍ୱରେ ଦେଖାଯାଏ । ସେ କୌଣସିମତେ ଗୋଟାଏ ଛୋଟକାମ କରି ନିଜ ପେଟ ପୋଷିବାକୁ ସମର୍ଥ ହୁଏ । ଚାକର, ଚାକରାଣୀ, ରିକ୍ସାବାଲା, ମାଳୀ, ମାଟିବୋହିଲାବାଲା ବା ଝାଡ଼ୁଦାର ପ୍ରଭୃତିଙ୍କ କାମ ସେ କରିପାରେ । ମନେକର ତାକୁ ୧୮।୧୯ ବର୍ଷ ହେଲାବେଳେ ରୋଗର ବିଷମ ଅବସ୍ଥା ଦେଖାଦେଇଥିଲା, ତା’ପରଠାରୁ ସେ ମାଳୀକାମ କରୁଛି । ବାହାରୁ ମୋଟେ ଜଣାପଡ଼ିବନି ଯେ ସେ ଜଣେ ହେବେଫ୍ରେନିଆର ରୋଗୀ । କିନ୍ତୁ ତା’ର ଅତୀତ ବିବରଣୀରୁ ଜଣାଯିବ କିପରି ଆସ୍ତେ ଆସ୍ତେ ତା’ର ସାମର୍ଥ୍ୟ କମିଗଲା କିପରି ଆଗେ ମିସ୍ତ୍ରି ବା ସେପରି କିଛି କୌଶଳ ଦରକାର କରୁଥିବା କାମ କରୁଥିଲା, କିନ୍ତୁ ୧୮।୧୯ ବର୍ଷ ପରଠାରୁ ସେ ତା’ଠାରୁ ଛୋଟକାମ ନେଇଛି । କିପରି ତା’ର ବୁଦ୍ଧି ଓ ବିଚାରଶକ୍ତି ଖୁବ୍‌ କମ୍‌ ଓ ଏକାଠି ଗୋଟାକ ପରେ ଗୋଟାଏ ଏମିତି ଚାରିଟା କାମ କରିବାକୁ କହିଲେ ତା’ ମୁଣ୍ଡରେ ସବୁ ଗୋଳମାଳିଆ ହୋଇଯାଏ ଇତ୍ୟାଦି ।

 

ଭାବନାରେ ଗୋଳମାଳ ଥିବାରୁ ସେ କୌଣସି ଜିନିଷ ବା ବ୍ୟବହାରର ମୂଲ୍ୟ ବୁଝିପାରେ ନାହିଁ । କେଉଁଟା କରିବା ଭୁଲ ଓ କାହିଁକି ଭୁଲ ଏହା ସେ ଜାଣିପାରେ ନାହିଁ । କେତେକ ରୋଗୀଙ୍କର ଏହି ଅବସ୍ଥାରେ ଯୌନଲିପ୍ସା ପ୍ରବଳ ହୁଏ ଓ ତେଣୁ ସେମାନେ ନିର୍ବିଚାରରେ ସ୍ଥାନ କାଳପାତ୍ର ବିବେଚନା ନ କରି ତାହା ଚରିତାର୍ଥ କରିବାର ଚେଷ୍ଟା କରନ୍ତି, ଝିଅମାନେ ଯେକୌଣସି ପୁରୁଷର ପ୍ରେମଭିକ୍ଷା କରନ୍ତି । ଏହି ହେତୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୁଏ । ହେବେଫ୍ରେନିଆ ରୋଗୀ ଏକାଧାରରେ ଭାବୁକ, ତତ୍ତ୍ୱଦର୍ଶୀ ଓ ନିର୍ବୋଧ ଭଳିଆ ବ୍ୟବହାର କରିପାରେ । ନିର୍ବୋଧ ଭଳିଆ କଥା କହି ଓ ହସି ଥିଏଟରରେ ସେ ବେଳେବେଳେ ଜୋକର୍ ଅଂଶଗ୍ରହଣ କରେ । ଏମିତି ଅଜବ କଥା କହିପାରୁଥିବାରୁ ତାକୁ ଖୁବ୍‌ ଚତୁର ବୋଲି ଲୋକେ ଭାବନ୍ତି । କିନ୍ତୁ ଏଗୁଡ଼ାକ ପ୍ରକୃତରେ ଭାବନାରେ ବିଶୃଙ୍ଖଳାର ଅନ୍ୟ ଏକ ରୂପ । ରୋଗୀର ଭ୍ରମ–ଧାରଣାସବୁ ମଧ୍ୟ ଭାବନାର ବିଶୃଙ୍ଖଳତାର ଫଳ । ସେ ଭାବେ ଯେ ତାକୁ କିଏ ଗୁଣୀ କରି ଦେଇଛି, ଆଉ ସେଥିପାଇଁ ସେ ଯାହା କରୁଛି ତା’ଠାରୁ ଅଲଗା କିଛି କରିପାରିବ ନାହିଁ । ତା’ର ଏମିତି ଭ୍ରାନ୍ତିହୁଏ ଯେମିତିକି ତା’ କାନରେ କିଏ କ’ଣ କହୁଛି, କି ସେ କାହାର କଥା ବେଳେବେଳେ ଶୁଣିପାରୁଛି । ବିଶେଷତଃ, ଶୁଣିବାରେ ଏ ପ୍ରକାର ଭ୍ରାନ୍ତି ଦେଖାଦିଏ । ପୁରୁଣା ହେବେଫ୍ରେନିଆ ରୋଗୀମାନେ ବରାବର ଏମିତି ଜଣେ କିଏ ସେମାନଙ୍କୁ କଥା କହିବାର ଶୁଣୁଥାଆନ୍ତି–ସିଏ ସବୁବେଳେ ଏମାନଙ୍କୁ ଆଶା ଆଶ୍ୱାସନା ଦେଉଥାଏ, ଏମାନଙ୍କର ଭବିଷ୍ୟତ ଉଜ୍ଜ୍ଵଳମୟ ବୋଲି କହୁଥାଏ ଓ ଏମାନଙ୍କର ଧନଧାନ୍ୟ ଗୋପଲକ୍ଷ୍ମୀ ସବୁ ଲାଭ ହେବ ବୋଲି ଭବିଷ୍ୟତବାଣୀ ଶୁଣାଉଥାଏ । ଏହା ଶୁଣି ଶୁଣି ରୋଗୀମାନେ ସବୁବେଳେ ବେଶ୍‌ ଖୁସିରେ ଥାଆନ୍ତି ଓ ମନକୁ ମନ ହସୁଥାଆନ୍ତି ।

 

ଆବେଶିକ ଆଡ଼ପାଗଳାମୀ ପରେ ପରେ ବେଳେବେଳେ ହେବେଫ୍ରେନିଆ ଦେଖାଦିଏ-। ଏଥିରୁ ଅନୁମାନ ହେଉଛି ଯେ ଆବେଶିକ ଆଡ଼ପାଗଳାମୀ ହେବେଫ୍ରେନିଆର ଅନୁକୂଳ ଅବସ୍ଥା ସୃଷ୍ଟି କରୁଥିବ ।

 

(ଗ) କାଟାଟୋନିଆ–ଏହାର ପ୍ରଧାନ ଲକ୍ଷଣ ହେଉଛି ଜଡ଼ତା । ଜଡ଼ତା ସ୍ୱଳ୍ପ ଥିଲେ ରୋଗୀ କିଛି ସମୟପାଇଁ ନିଶ୍ଚଳ ହୋଇ ରହିଯାଏ, ତା’ର ଅଙ୍ଗପ୍ରତ୍ୟଙ୍ଗ କାମ କରେନାହିଁ କି ସେ ଚଲାବୁଲା କରିପାରେ ନାହିଁ । ସମ୍ପୂର୍ଣ୍ଣ ଜଡ଼ତାଦ୍ୱାରା ଆକ୍ରାନ୍ତ ହେଲେ ରୋଗୀ ଦୀର୍ଘ ସମୟ ଧରି ପୂରାପୂରି ନିଶ୍ଚଳ ଅବସ୍ଥାରେ ରହିଥାଏ । ବସିଥିବତ ଦୁଇତିନିଦିନ ଧରି ଏକାସଜରେ ହଲଚଲ ନ ହୋଇ ବସିଥିବ, କେହି ଡାକିଲେ ଶୁଣିବନି କି କଥା କହିବନି । ଭୋକଶୋଷ କରୁଛି ବୋଲି କହିବନି ଅଥଚ ଖାଇବନି । ବାଧ୍ୟ କରି ନ ଖୁଆଇ ପାରିଲେ ନାକରେ ରବରନଳୀଦ୍ୱାରା ଦିଆହୁଏ । କାଟାଟୋନିଆ ଅବସ୍ଥାରେ ରୋଗୀ ମୂକ ହୋଇ ଶୋଇରହିଥାଏ ବା ବସିଥାଏ, କୌଣସି କଥାର ଉତ୍ତର ଦିଏ ନାହିଁ, କିନ୍ତୁ ପ୍ରଶ୍ନକର୍ତ୍ତା ଚାଲିଯିବାକୁ ଆରମ୍ଭ କଲେ ସେ ଉତ୍ତର ଦେବା ଆରମ୍ଭ କରେ । ଏପରି ବିପରୀତ ବ୍ୟବହାର ରୋଗୀ ସବୁଠାରେ ଦେଖାଏ । ରୋଗୀକୁ ଖାଇବାକୁ ଦିଆଗଲେ ଖାଏ ନାହିଁ, କିନ୍ତୁ ଅନ୍ୟଲୋକଙ୍କ ଥାଳିରୁ ଖାଇବାଜିନିଷ ଚୋରି କରି ଖାଏ, ଖଟରେ ଅବାଗିଆ ହୋଇ ମୁଣ୍ଡଟା ତଳକୁ ଝୁଲେଇ ଶୁଏ, ଯେତେ କହିଲେ ଶୁଣେନି । କିନ୍ତୁ ଡାକ୍ତର ଚାଲିଗଲା ପରେ କେହି ନ ଦେଖିଲେ ସଜାଡ଼ି ହୋଇ ଶୋଇପଡ଼େ । କାଟାଟୋନିଆ ରୋଗୀ ପୁଣି ବେଳେବେଳେ ଅତି ବାଧ୍ୟ ହୋଇପଡ଼େ । ତା’ର ଗୋଡ଼ହାତ ଯେମିତି ରଖିଦେବ, ସେଗୁଡ଼ିକ ସେମିତି ହୋଇ ରହିଥିବ । ତାକୁ ଯେତେ ଅଖାଡ଼ୁଆ କରି ଶୁଆଇ ଦେଲେ ମଧ୍ୟ ସେ ସେମିତି ଶୋଇ ରହେ । ଦୈହିକ ପୀଡ଼ା ପ୍ରତି ସେ ଆଦୌ ସଜାଗ ନୁହେଁ । ତା’ ଦେହରେ ପିନ୍‌କଣ୍ଟା ଫୋଡ଼ା ହେଉଥିବା ଦେଖି ମଧ୍ୟ ସେ କୌଣସି ପ୍ରତିବାଦ କରେ ନାହିଁ । ନରମ ମହମ ଭଳି କାଟାଟୋନିକର ହାତକୁ ଯେକୌଣସି ଆଡ଼େ ମୋଡ଼ି ରଖିଦେଲେ ହାତ ସେମିତି ମୋଡ଼ି ହୋଇରହେ । ମନେକର ତାକୁ ହାତ ସିଧା କରିବାକୁ କୁହ, ତା’ପରେ କହୁଣିଠାରୁ ବଙ୍କା କରି ହାତକୁ ରଖିଦିଅ, ହାତ ସେହି ଅବସ୍ଥାରେ ରହିବ । ଗୋଡ଼ ଉପରକୁ କରି ଆଣ୍ଠୁଠାରୁ ‘୮’ ଭଳିଆ ଭାଙ୍ଗିଦିଅ, ଗୋଡ଼ ସେହିପରି ରହିବ ।

 

ରୋଗୀର ଠିଆ ହେବାରେ କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀ ଥାଇପାରେ, ଯଥା ସେ ଆଙ୍ଗୁଠି ଅଗରେ ଠିଆ ହେଉଥିବ, କେବେ ପୂରା ପାଦ ପକାଇ ଠିଆହେବନାହିଁ । ଏହାର ଅର୍ଥ ତା’ପାଇଁ ହେଲା ଯେ ସେ ଭଲ ଓ ମନ୍ଦ ଭିତରେ ଭାରସାମ୍ୟ ରଖୁଛି । ସେହିପରି ହାତ ରଖିବାରେ ବା ଶୋଇବା ଭଙ୍ଗୀରେ ଗତାନୁଗତିକ ରୀତି ରୋଗୀପାଇଁ କୌଣସି ନା କୌଣସି ଅର୍ଥ ଜ୍ଞାପନ କରେ । କେତେକ ଲୋକ ଆଣ୍ଠୁଜାକି କୁଣ୍ଡଳ ଆକାରରେ ଶୁଅନ୍ତି; ରୋଗୀପାଇଁ ଏହାମାନେ ହେଲା ମା’ ପେଟରେ ଥିବାବେଳେ ଯେମିତି ଶୋଉଥିଲା ଏବେବି ସେମିତି ଶୋଉଛି । ଚାଲିବାରେ, ଜିନିଷପତ୍ର ଧରିବାରେ ବା ସେହିପରି ଅନ୍ୟ କୌଣସି କାମ କରିବାରେ ପ୍ରତ୍ୟେକ ରୋଗୀର ଅଲଗାଅଲଗା ନିର୍ଦ୍ଦିଷ୍ଟ ଢଙ୍ଗ ଦେଖାଯାଏ ।

 

କାଟାଟୋନିଆରେ ଉତ୍ତେଜନା ପୂର୍ବେ ବା ପରେ ଜଡ଼ତା ଦେଖାଯାଇପାରେ । କେତେକ ରୋଗୀଠାରେ ଉତ୍ତେଜନା ଓ ଜଡ଼ତା ଗୋଟିକ ପରେ ଗୋଟିଏ ଆସୁଥାଏ । ଉତ୍ତେଜିତ ଅବସ୍ଥାରେ ରୋଗୀ ଲୋକମାନଙ୍କୁ ଆକ୍ରମଣ କରିପାରେ; ଜିନିଷପତ୍ର ଭାଙ୍ଗେ ଏବଂ ଖୁବ୍ ସାଂଘାତିକ ଉତ୍ତେଜନା ହେଲେ ଅନବରତ ହିଂସ୍ର ପଶୁଭାବରେ ବ୍ୟବହାର କରୁଥାଏ । ଝରକା କବାଟ ଭାଙ୍ଗିପକାଏ । କାଠ ରେଲିଂ ଦିଆହୋଇଥିଲେ ଉତ୍ତେଜନା ସମୟରେ ଅପରିସୀମ ଶକ୍ତିଦ୍ଵାରା ସେସବୁ ଭାଙ୍ଗିଦେବା ତା’ ପକ୍ଷରେ ବିଚିତ୍ର ନୁହେଁ ! ଏ ଅବସ୍ଥାକୁ ଆୟତ୍ତାଧୀନ କରିବା କଷ୍ଟ । କୌଣସିମତେ ବହୁ ପରିମାଣରେ ନିଦ ଔଷଧ ଦେଇ ଶୁଆଇ ନ ପକାଇଲେ ଓ ଏ ଅବସ୍ଥା ପରିବର୍ତ୍ତିତ ନହେଲେ ରୋଗୀର ମୃତ୍ୟୁ ଘଟେ ।

 

କଥା କହିବାରେ ବିଶୃଙ୍ଖଳା କାଟାଟୋନିଆ ରୋଗୀଠାରେ ଦେଖାଯାଏ । ତା’ର କଥା ଅବାନ୍ତର ଓ ନିରର୍ଥକ ମନେହୁଏ । ସେ ନୂଆ ଭାଷା ସୃଷ୍ଟିକରେ । କଥା କହୁଥିବାବେଳେ ସେ ଅନବରତ ଇଆଡ଼ୁ ସିଆଡ଼ୁ କହି ଚାଲିଥାଏ । କିନ୍ତୁ ତା’ର ସେ ଭାଷା କେହି ବୁଝିପାରନ୍ତି ନାହିଁ । ପୁଣି ବେଳେବେଳେ ସେ କିଛିଦିନ ପାଇଁ ମୂକ ହୋଇଯାଇପାରେ ।

 

ରୋଗ ପୁରାତନ ହେଲେ ଲକ୍ଷଣଗୁଡ଼ିକ ଆଉ ସାଂଘାତିକ ଭାବରେ ଦେଖାଯାଏ ନାହିଁ ଏବଂ ଏତିକିବେଳେ ପାରିପାର୍ଶ୍ଵିକ ଅବସ୍ଥା ଅନୁକୂଳ ହେଲେ ବହୁତ ଲକ୍ଷଣ ଏକବାରେ ଲୋପ ପାଇଯାଏ । କାଟାଟୋନିଆ ରୋଗୀର ଆଉ ଗୋଟିଏ ସ୍ଵଭାବ ଯେ ସେ ଅନ୍ୟ କାହା ସହିତ ମିଶେ ନାହିଁ । କିନ୍ତୁ ରୋଗ ପୁରାତନ ହୋଇଗଲେ ଅନ୍ୟମାନଙ୍କ ସହ ମିଶିବା ରୋଗୀ ପକ୍ଷରେ ଟିକେ ସହଜ ହୋଇଥାଏ । ତେଣୁ ଏହି ଅବସ୍ଥାରେ ଏକାଠି ମିଶି କାମ କରିବା, କଥାବାର୍ତ୍ତା କରିବା ବା ସେହିପରି ଦଳଗତ ଆମୋଦ ପ୍ରମୋଦରେ ଯୋଗ ଦେବା ତା’ପାଇଁ ମଙ୍ଗଳକର ।

 

ସ୍କିଜୋଫ୍ରେନିଆ କହିଲେ ମୁଖ୍ୟତଃ ଯାହା ବୁଝୁଁ ସେସବୁ ଲକ୍ଷଣ କାଟାଟୋନିଆରେ ଦେଖିବାକୁ ମିଳେ । ତେଣୁ କାଟାଟୋନିଆକୁ ସ୍କିଜୋଫ୍ରେନିଆର ସବୁଠାରୁ ଭଲ ପ୍ରତିନିଧି ବୋଲି ନିଆଯାଇପାରେ । ଏ ରୋଗ ଚିହ୍ନିବା ଆଦୌ କଷ୍ଟ ନୁହେଁ । ହେବେଫ୍ରେନିଆ ବା ସରଳ ସ୍କିନୋଫ୍ରେନିଆ ପରି ଏହା ଅଗୋଚରରେ ଓ ଅପ୍ରତ୍ୟକ୍ଷ ଭାବରେ ଆକ୍ରମଣ କରେ ନାହିଁ । ଏହାର ମୁଖ୍ୟ ଲକ୍ଷଣ ଜଡ଼ତା, ଖୁବ୍ ପରିଷ୍କାର ଭାବରେ ଦେଖାଯାଏ । ଜଡ଼ତା ଓ ଉତ୍ତେଜନା, ପ୍ରଗଳ୍‌ଭତା ଓ ମୂକତ୍ଵ, ଅବାଧ୍ୟତା ଓ ବାଧ୍ୟତା, ଅବୟବରେ କାଠିନ୍ୟ ଓ ମହମସଦୃଶ କୋମଳତା ଏ ସବୁ କାଟାଟୋନିଆର ଲକ୍ଷଣ ଏବଂ ଏହି ପ୍ରକାର ସ୍କିଜୋଫ୍ରେନିଆରେ ରୋଗୀ ମରିଯିବାର ସମ୍ଭାବନା ଅଛି । ଭାନ୍‌ଗଫ୍ ଓ ଗଗାଁଙ୍କ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଖ୍ୟାତ ଚିତ୍ରଶିଳ୍ପୀମାନଙ୍କର କାଟାଟୋନିଆ ସଦୃଶ ବ୍ୟକ୍ତିତ୍ଵ ଥିଲା ଓ ଏଥିପାଇଁ ସେମାନଙ୍କର ଚିତ୍ରରେ ବୈଶିଷ୍ଟ୍ୟ ଏତେ ଅସାଧାରଣ ବୋଲି ଜଣାପଡ଼େ । କାରଣ ଯାହା ଅତି ଅସ୍ଵାଭାବିକ ତାହା ଅତ୍ୟନ୍ତ ଅସାଧାରଣ ବୋଲି ନିଶ୍ଚୟ ମନେହେବ ।

 

(ଘ) ପାରାନୋଇଆ ବା ପାରାନୋଏଡ଼୍ ସ୍କିଜୋଫ୍ରେନିଆ :–ପାରାନୋଇଆ ଏକଦିଗରୁ ସବୁଠାରୁ ଭଲ ସ୍କିଜୋଫ୍ରେନିଆ । କାରଣ ଏ ରୋଗରେ ରୋଗୀ ବେଶ୍ ସ୍ଵାଭାବିକ ଜଣାପଡ଼େ, କିନ୍ତୁ କେବଳ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଭ୍ରାନ୍ତି (Delusion) ରୋଗୀର ମନରେ ଥାଏ । ଯଥା ରୋଗୀ ଭାବୁଛି ଯେ ତା’ର ବଡ଼ ଭାଇମାନେ ତାକୁ ହଇରାଣ କରୁଛନ୍ତି । ତା’ ପଛରେ ଲୋକ ଲଗାଉଛନ୍ତି । ସେ ଖରାପ ବୋଲି କୁପ୍ରଚାର କରୁଛନ୍ତି ଇତ୍ୟାଦି । ଏହାଛଡ଼ା ରୋଗୀ ପ୍ରାୟ ସ୍ଵାଭାବିକ ମନେହୁଏ । ସେ ଖବରକାଗଜ ପଢ଼େ, ଲୋକଙ୍କ ସାଙ୍ଗରେ ଆନ୍ତର୍ଜାତିକ ଖବର ନେଇ ଆଲୋଚନା କରେ, ଚିହ୍ନା ଲୋକଙ୍କୁ ମନେ ରଖିଥାଏ ଓ ଦେଖିଲେ ସବୁ ପୁରୁଣା କଥା ପଚାରେ–ଅମୁକ କ’ଣ କରୁଛି, ସମୁକ ବାହାହେଲାଣି କି ନାହିଁ ଇତ୍ୟାଦି । କିନ୍ତୁ ମଝିରେ ମଝିରେ ଭାଇ କେମିତି ଖରାପ ଲୋକ ତାହା ଅତ୍ୟନ୍ତ ସ୍ଵାଭାବିକ ଭାବରେ ବର୍ଣ୍ଣନା କରେ । ଯିଏ ଜାଣି ନଥିବ ଯେ ଏହାର ପାଗଳାମୀ ହୋଇଛି ବୋଲି ସେ ଅନାୟାସରେ ସେଥିରେ ବିଶ୍ଵାସ କରିଯିବ ।

 

ପାରାନୋଇଆ ରୋଗୀ ଖୁବ୍ ଭଲ ବକ୍ତା ହୋଇପାରେ ବିଦ୍ୱାନ ମଧ୍ୟ ହୋଇପାରେ, ଏବଂ ସାଂଘାତିକ ଅବସ୍ଥା କଟିଗଲେ ଗୋଟିଏ ଭ୍ରାନ୍ତିଧାରଣା ବ୍ୟତୀତ ଆଉ କୌଣସି ଅସ୍ଵାଭାବିକତା ଦେଖାଯାଏ ନାହିଁ । କିନ୍ତୁ ଏହି ଭାନ୍ତିଧାରଣାଟି ଦୂର କରିବା ପ୍ରାୟ ଅସମ୍ଭବ, ତେଣୁ ପାରାନୋଇଆରୁ ଆରୋଗ୍ୟ ଲାଭ କରିବାର ସମ୍ଭାବନା ଖୁବ୍ କମ୍ । ବଡ଼ ଭାଇ ପ୍ରତି ବିଦ୍ୱେଷ ଥିବା ରୋଗୀକୁ ତୁମେ ଯେତେ ବୁଝାଅ, ପ୍ରମାଣ ଦିଅ ଯେ ନା, ବଡ଼ଭାଇ ତା’ର କ୍ଷତି କରୁନାହାନ୍ତି ତେବେବି ତା’ର ବଦ୍ଧମୂଳ ଭ୍ରାନ୍ତି ଟିକିଏବି ବଦଳିବନି । ଜଣେ ପାରାନୋଇଆ ରୋଗୀକୁ ଲେଖକ କେତେକ ମନୋବୈଜ୍ଞାନିକ ପରୀକ୍ଷା ଦେଉଥିଲେ । ପରୀକ୍ଷାବେଳେ ତାକୁ କୁହାଯାଉଥିଲା କେମିତି ଉତ୍ତର ଦେବାକୁ ହେବ, କ’ଣ କ’ଣ କରିବାକୁ ହେବ ଇତ୍ୟାଦି । ଗୋଟିଏ ପରୀକ୍ଷାରେ ରୋଗୀକୁ ଆଖିବୁଜି ଠିଆହେବାକୁ କୁହାଗଲା ଓ ସୂଚନା ଦିଆଗଲା ଯେ ସେ ଆଗକୁ ପଡ଼ିଯାଉଛି, ଆହୁରି ଆଗକୁ ପଡ଼ିଯାଉଛି । (ଆଡ଼ପାଗଳାମୀ, ପରିଚ୍ଛେଦରେ ଏ ପରୀକ୍ଷା ବର୍ଣ୍ଣିତ ହୋଇଅଛି ।) ହଠାତ୍ ରୋଗୀ ଆଖିଖୋଲି ଠିଆ ହୋଇଗଲା, କହିଲା, “ଜାଣନ୍ତି, ମୁଁ ଜଣେ ହତ୍ୟାକାରୀ । ଶ୍ୱେତଚକ୍ର ହତ୍ୟାକାରୀ ଦଳରେ ମୁଁ ଥାଏ । କେବଳ ସେମାନେ ଯାହା କହନ୍ତି ମୁଁ ତାହା କରେ । ଆପଣ ଯାହା କହୁଛନ୍ତି କରିପାରିବିନି । ଏଇଟା ଦଳର ନିୟମ ବିରୁଦ୍ଧ ଅଟେ ।” ସେ ଏତେ ସ୍ଵାଭାବିକ ଭାବରେ କହିଲା ଯେ ମନେ ହେଲା ଯେମିତି ସେ ‘ତା’ ଗାଁ କେଉଁଠି’ ବା ‘ତା’ ବାପାଙ୍କ ନାଁ କ’ଣ’ ଭଳି ସାଧାରଣ କଥା କହୁଛି ।

 

ଅତଏବ କୌଣସି ଏକ ପରିବର୍ତ୍ତନହୀନ ଭ୍ରାନ୍ତିଧାରଣା ପାରାନୋଇଆର ମୁଖ୍ୟ ଲକ୍ଷଣ-। ଭ୍ରାନ୍ତିଧାରଣା ଦୁଇପ୍ରକାରର ହୋଇପାରେ । (୧) ରୋଗୀ ବିଷଣ୍ଣ ଭାବାପନ୍ନ ହୋଇଥିଲେ ଭାବେ ଯେ ସମସ୍ତେ ତା’ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି, କିମ୍ବା (୨) ଖୁସିବାସିଆ ଲୋକ ହୋଇଥିଲେ ଭାବେ ଯେ ସେ ଖୁବ୍ ବଡ଼ଲୋକ ଏବଂ ପୃଥିବୀରେ ସମସ୍ତେ ତାକୁ ଜାଣନ୍ତି । ଉପରେ କୁହାଯାଇଥିବା ‘ଶ୍ୱେତଚକ୍ର ହତ୍ୟାକାରୀ’ ରୋଗୀ ଦ୍ଵିତୀୟ ପ୍ରକାରର । ବଡ଼ଭାଇ ତା’ର କ୍ଷତି କରୁଛନ୍ତି ବୋଲି ଯେଉଁ ରୋଗୀ ଭାବୁଥିଲା ସେ ପ୍ରଥମ ପ୍ରକାରର । ମୂଳ ଭ୍ରାନ୍ତିଧାରଣା ସହିତ ଆନୁସଙ୍ଗିକ ଭ୍ରାନ୍ତିଧାରଣା ଦେଖାଯାଏ । ଯଥା ଯେ ନିଜକୁ ଭାବୁଛି ଭାରତର ରାଷ୍ଟ୍ରପତି ବୋଲି ସେ କହିବ ଯେ ସେ ରାସ୍ତାରେ ରିକ୍ସାରେ ଗଲାବେଳେ ପୋଲିସ୍ ହାତ ଉଠେଇ ତାକୁ ସଲାମ କରୁଛି, ଲୋକେ ପାଖେଇ ଯାଉଛନ୍ତି ଓ ସେ ଯେଉଁଦିନ ଯେଉଁ ରାସ୍ତାରେ ଯିବ ତାହା ଆଗରୁ ସମସ୍ତଙ୍କୁ ଜଣା । ତେଣୁ ମୂଳଧାରଣା ହେଉଛି ରାଷ୍ଟ୍ରପତି, ଆନୁସଙ୍ଗିକ ଧାରଣା ଯଥା–ପୁଲିସ ସଲାମ କରିବା ପ୍ରଭୃତି ମୂଳଧାରଣାକୁ ସାହାଯ୍ୟ କରୁଛି । ବେଳେବେଳେ ମୂଳଧାରଣା ଥାଏ ଯେ ରୋଗୀ ବଡ଼ ଓ ବିଖ୍ୟାତ ଲୋକ ଓ ଏହାର ଆନୁସଙ୍ଗିକ ଧାରଣା ହେଲା ତା’ର ସମସ୍ତେ କ୍ଷତି କରୁଛନ୍ତି-। ଯଥା ଜଣେ ପାରାନୋଇଆ ରୋଗୀର ଧାରଣା ଯେ ତା’ର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି; କଲିକତାରେ କୋଠା ଅଛି, ଅନ୍ୟ ଜାଗାରେ ବହୁତ ଜମିବାଡ଼ି ଅଛି ଇତ୍ୟାଦି । ଅଥଚ ତା’ର ବନ୍ଧୁବାନ୍ଧବମାନେ ଚକ୍ରାନ୍ତ କରି ସେସବୁ ସମ୍ପତ୍ତି ହସ୍ତଗତ କରିବେ ବୋଲି ଚେଷ୍ଟା କରୁଛନ୍ତି । ତାକୁ ବିଷ ଦେବାକୁ ଚେଷ୍ଟା କରୁଥିଲେ; ତାକୁ ବହୁତ ବିପଦରେ ପକାଉଥିଲେ, କିନ୍ତୁ ସ୍ଵୟଂ ଶିବଙ୍କର ଶକ୍ତି ତା’ ଦେହରେ ପ୍ରବେଶ କରିଛି, ସେ ସାଧନା ବଳରେ ଅଷ୍ଟସିଦ୍ଧି ଲାଭ କରିଛି । ତେଣୁ ଯିଏ ଯାହା କରୁନା କାହିଁକି ତା’ର କେହି କୌଣସି କ୍ଷତି କରିପାରିବେ ନାହିଁ ।

 

ପୁରୁଷମାନେ ବେଶୀ ସଂଖ୍ୟାରେ ପାରାନୋଇଆଦ୍ଵାରା ଆକ୍ରାନ୍ତ ହୁଅନ୍ତି । ଶତକଡ଼ା ୭୦ ଜଣ ପୁରୁଷ ଓ ୩୦ ଜଣ ସ୍ତ୍ରୀ ପାରାନୋଇଆ ରୋଗୀଙ୍କ ଭିତରେ ଥିବାର ଦେଖାଯାଏ । ପୁଣି ୩୫। ୩୬ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ମଧ୍ୟରେ ପାରାନୋଇଆ ସବୁଠାରୁ ବେଶୀ ଦେଖାଯାଏ । ରୋଗୀର ଭ୍ରାନ୍ତିଧାରଣା ତା’ର ପାରିପାର୍ଶ୍ଵିକ ଅବସ୍ଥା ସହିତ ଘନିଷ୍ଠଭାବରେ ଏପରି ମିଶିଯାଇଥାଏ ଯେ ତାହା ସମୟେ ସମୟେ ଅତ୍ୟନ୍ତ ଯୁକ୍ତିଯୁକ୍ତ ମନେହୁଏ । ଯଥା ଜଣେ ବ୍ୟବସାୟୀର ଭ୍ରାନ୍ତି ହେବ ଯେ ତା’ ଜିନିଷ ନଷ୍ଟ କରିଦେବା ପାଇଁ ଅନ୍ୟ ଲୋକେ ସେଥିରେ ଦୂଷିତ ପଦାର୍ଥ ମିଶାଉଛନ୍ତି-। ଜଣେ ସ୍ତ୍ରୀଲୋକର ପାରାନୋଇଆ ହେଲେ ସେ ଭାବିବ ଯେ ସ୍ୱାମୀର ଅଫିସ୍‍ରେ କାମକରୁଥିବା ଝିଅଙ୍କ ସଙ୍ଗେ ଅବୈଧ ସମ୍ପର୍କ ଅଛି । ସେହିପରି ଧାର୍ମିକ ଲୋକଙ୍କର ପାରାନୋଇଆ ହେଲେ ତାଙ୍କର ଭଗବତ ଦର୍ଶନ ହୋଇଛି ବୋଲି ଭ୍ରାନ୍ତି ଜନ୍ମିବ । ଭ୍ରାନ୍ତିଧାରଣା କିଛିଦିନ ପୁରୁଣା ହୋଇଗଲେ ରୋଗୀର ମାନସିକ ଜୀବନର ଏହା ଏକ ସ୍ୱାଭାବିକ ଓ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୁଏ । ନିତିଦିନିଆ ଭାବନାପରି ଏଥିରେ କୌଣସି ଉତ୍ତେଜନା ନଥାଏ । ଜଣେ ରୋଗୀର ଧାରଣା ଥିଲା ଯେ ସମସ୍ତେ ତାକୁ ବିଷ ଦେଇ ମାରି ପକାଉଅଛନ୍ତି । ତେଣୁ ସେ ଖାଇବାବେଳେ ଖୁବ୍ ଆପତ୍ତି କରୁଥିଲା ଓ ଉତ୍ତେଜିତ ହେଉଥିଲା । କିଛିବର୍ଷ ପରେ ତା’ର ସେ ଧାରଣା ଅତି ସାଧାରଣ ଧାରଣାପରି ଦେଖା ଦେଉଥାଏ । ସେ ଡାକ୍ତରଖାନାରେ ଖିଆପିଆ କରେ, କିନ୍ତୁ ହୁଏତ ଜଣେ ନୂଆ ନର୍ସ ଆସିଲେ ତା’ ହାତରୁ ଖାଇବାକୁ ନାରାଜ ହେବ । ବିଷ ଦେବା କଥା ପଚାରିଲେ କହିବ ହଁ, ବିଷ ଦିଅନ୍ତେ, ଯେ ତେବେ ଡାକ୍ତରଙ୍କ କଡ଼ା ନଜରରୁ କେହି ଆଉ ବିଷ ଦେଉନାହାନ୍ତି-। ସେହିପରି ଆଉ ଜଣେ ରୋଗୀ ସବୁବେଳେ ହାତ ହଲେଇ କ’ଣ ଗୁଡ଼ାଏ ଘଉଡ଼େଇ ଦେଉଥାଏ-। ଖିଆପିଆ କିମ୍ବା ଅନ୍ୟାନ୍ୟ କୋଣସି କାମରେ ଏହା ଅବଶ୍ୟ ବ୍ୟାଘାତ ସୃଷ୍ଟି କରୁ ନଥାଏ । ପଚାରିଲେ କହେ ସେ ସାପ ଘଉଡ଼ଉଛି । ସେ ପ୍ରଥମେ ହସ୍‌ପିଟାଲକୁ ଆସିଲାବେଳେ ତାକୁ ସାପ ଆକ୍ରମଣ କରୁଛନ୍ତି ବୋଲି ଭୟରେ, ଆତଙ୍କରେ ଚିତ୍କାର କରୁଥିଲା ଓ ଅତ୍ୟନ୍ତ ଉତ୍ତେଜିତ ହେଉଥିଲା । ଏବେ ହୁଏତ ଦଶବର୍ଷ ପରେ ସେ ତା’ର ଭ୍ରାନ୍ତିଧାରଣା ନେଇ ବଞ୍ଚିବାକୁ ଶିଖିଛି । ସେ ଭ୍ରାନ୍ତିରେ ଆଗର ସେ ଦାହ ନାହିଁ ବା ଆତଙ୍କ ନାହିଁ ।

 

ପାରାନୋଇଆ ହଠାତ୍ ଦେଖାଦେଇପାରେ । ରୋଗୀର ରୋଗ ପୂର୍ବର ବ୍ୟକ୍ତିତ୍ଵ ଅଧିକାଂଶ ସମୟରେ ସୁସ୍ଥ ଓ ସ୍ଵାଭାବିକ ଥାଏ ଏବଂ ପାରାନୋଇଆ ହେବାର କୌଣସି ଚିହ୍ନ ନଥାଏ । କେତେକ କ୍ଷେତ୍ରରେ ପାରାନୋଇଆଜନିତ ଭ୍ରାନ୍ତିକୁ ରୋଗୀ ଲୁଚାଇରଖି ଦୈନନ୍ଦିକ କାମ କରିଯାଇଥାଏ । ଗୋଟାଏ କିଛି ଦୁର୍ବିପାକ ପଡ଼ିଲେ ପାରାନୋଇଆ ହଠାତ୍ ଦେଖାଦିଏ । କିନ୍ତୁ ତାହା ଭଲ କରିବା ଖୁବ୍ କଷ୍ଟ, କାରଣ ରୋଗଟି ଅଳ୍ପ ଦିନ ହେଲା ଦେଖାଗଲେ ମଧ୍ୟ ଭିତରେ ଲୁଚି ରହି ବେଶ୍ ପୁରୁଣା ହୋଇଯାଇଥାଏ ।

 

ଅତିଶୟ ଆବେଗ ଓ ଭାବନାରେ ଗଣ୍ଡଗୋଳ ପ୍ରାୟ ସବୁ ସାଙ୍ଘାତିକ ପାରାନୋଇଆରେ ଦେଖାଦିଏ; ଅବଶ୍ୟ ପୁରାତନ ରୋଗରେ ଏ ସବୁ ଏତେ ଦେଖିବାକୁ ମିଳେ ନାହିଁ । ଯେକୌଣସି ଛୋଟକଥା ରୋଗୀକୁ ଚିନ୍ତିତ ଓ ଆତଙ୍କିତ କରି ପକାଏ । ସବୁ କଥାକୁ ସେ ସନ୍ଦେହ ଚକ୍ଷୁରେ ଦେଖେ । ମାନସିକ ଚିକିତ୍ସାଳୟରେ ୧୦।୩୦ ବର୍ଷ ରହିଥିବା ପାରାନୋଇଆ ରୋଗୀ ଦେଖିବାକୁ ମିଳନ୍ତି । ଏମାନଙ୍କର ସେମିତି କିଛି ଅସ୍ଵାଭାବିକ ଲକ୍ଷଣ ଦେଖାଯାଏ ନାହିଁ । କିନ୍ତୁ ଏମାନଙ୍କର ପାରାନୋଇଆ ଭଲ ହୋଇଗଲାଣି ବୋଲି କହିହେବ ନାହିଁ । ଏମିତି ଭଲ ଅଛି, କିନ୍ତୁ ତା’ ପୁରୁଣା ୱାଡ଼୍‍ରୁ ନୂଆ ୱାଡ଼୍‍କୁ ବଦଳି କରିଦିଅ, ରୋଗୀ ହଠାତ୍ ପାରାନୋଇଆର ଲକ୍ଷଣ ଦେଖାଇବ–ତାକୁ ହଇରାଣ କରିବାପାଇଁ ଏ ସବୁ କରାଯାଉଛି ବୋଲି କହିପାରେ । ନୂଆ ନର୍ସ ବା ଡାକ୍ତର ସେ ୱାଡ଼୍‍ରେ ରହନ୍ତୁ, ରୋଗୀ ସନ୍ଦେହ କରିବ । ଯାହାକୁବି ରୋଗ ଛାଡ଼ିଯାଇଛି ବୋଲି ଡାକ୍ତର କହନ୍ତି ତା’ର ବ୍ୟକ୍ତିତ୍ୱ ପୂରା ସ୍ଵାଭାବିକ ଅବସ୍ଥାକୁ ଫେରିଆସେ ନାହିଁ । ତା’ର ବ୍ୟବହାରରେ ଛୋଟ ଛୋଟ ଦୋଷ ଦେଖାଯାଏ ଓ ବହୁତ ସମୟରେ ସେ ଅବାଗିଆ ବ୍ୟବହାର କରେ । ସେ ନିଜର ଭ୍ରାନ୍ତିଧାରଣାକୁ କେବେ ଆଲୋଚନା କରିବାପାଇଁ ରାଜି ହୁଏନାହିଁ–ଭ୍ରାନ୍ତିକୁ ମନଭିତରେ ଚାପିରଖିଲା ପରି ଜଣାପଡ଼େ । ଯେଉଁ ପାରାନୋଇଆ ରୋଗୀର ବ୍ୟକ୍ତିତ୍ଵର କେବଳ ଗୋଟିଏ ଅଂଶ ବ୍ୟାଧିଗ୍ରସ୍ତ ହୋଇଥାଏ, କିନ୍ତୁ ଅନ୍ୟ ଅଂଶ ସୁସ୍ଥ ଥାଏ, ତାହାର ଆରୋଗ୍ୟ ଲାଭ କରିବାର ସମ୍ଭାବନା ବେଶି । ସୁସ୍ଥ ଅଂଶଗୁଡ଼ିକୁ ବାସ୍ତବତା ସହିତ ଅଧିକରୁ ଅଧିକ ଭାବରେ ସଂଯୁକ୍ତ କରିବାକୁ ଚିକିତ୍ସକ ଚେଷ୍ଟା କରନ୍ତି । ସେ ସୁସ୍ଥ ଅଂଶଟିକୁ ଆହୁରି ବଳବାନ କରି ରୋଗୀକୁ ସାମାଜିକ ଜୀବନ ସହିତ ଘନିଷ୍ଠ ସମ୍ପର୍କ ରଖିବାପାଇଁ ଉତ୍ସାହିତ କରନ୍ତି । ଆସ୍ତେ ଆସ୍ତେ ବ୍ୟାଧିଗ୍ରସ୍ତ ଅଂଶଟି ଏହିପରି ଦୁର୍ବଳ ହୋଇପଡ଼େ ଓ ବ୍ୟକ୍ତିତ୍ଵର ସୁସ୍ଥ ଅଂଶ ଆୟତନରେ ବଢ଼ିଚାଲେ । ସମ୍ପୂର୍ଣ୍ଣ ସ୍ଵାଭାବିକ ନହେଲେ ମଧ୍ୟ ରୋଗୀ ଆରମ୍ଭରୁ ଚିକିତ୍ସିତ ହେଲେ କାମତୁଲେଇ ପାରିବା ଭଳି ଆରୋଗ୍ୟ ଲାଭ କରେ ।

 

ସ୍କିଜୋଫ୍ରେନିଆର ଅନୁକୂଳ ଅବସ୍ଥା

 

କୈଶୋରର ଶେଷ ଓ ଯୌବନର ପ୍ରାରମ୍ଭରେ ସ୍କିଜୋଫ୍ରେନିଆ ଆକ୍ରମଣ କରେ । ସ୍କିଜୋଫ୍ରେନିଆ ରୋଗୀଙ୍କ ଭିତରୁ ଦୁଇ ତୃତୀୟାଂଶ ଲୋକଙ୍କର ୧୫ ଓ ୩୦ ବର୍ଷ ବୟସ ଭିତରେ ରୋଗ ପ୍ରଥମେ ଦେଖା ଦେଇଥାଏ । ୨୫ ବର୍ଷ ବୟସରେ ସବୁଠାରୁ ସ୍କିଜୋଫ୍ରେନିଆ ହେବାର ବେଶୀ ସମ୍ଭାବନା ଏବଂ ଚାଳିଶବର୍ଷ ପରେ ପ୍ରାୟ ସ୍କିଜୋଫ୍ରେନିଆ ହୁଏନାହିଁ । ଯଦିବା ହୁଏ, ତାହା ପ୍ରକୃତରେ ଆଗରୁ ଆରମ୍ଭ ହୋଇଥାଏ ଓ ଗୁପ୍ତ ଭାବରେ ରହିଥାଏ ।

 

ସ୍କିଜୋଫ୍ରେନିଆ କେତେକାଂଶରେ ବଂଶଗତ । କିନ୍ତୁ ବଂଶଗତ କାରଣ ଯୋଗୁଁ ସ୍କିଜୋଫ୍ରେନିଆ ଯେ ନିଶ୍ଚୟ ହେବ ଏମିତି କିଛି କଥା ନାହିଁ । ସାଧାରଣ ଲୋକଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ହଜାରକରେ ୮ ହେବା ସ୍ଥଳେ ସ୍କିଜୋଫ୍ରେନିଆ ହୋଇଥିବା ବାପ ମା’ଙ୍କର ଛୁଆମାନଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ହଜାରକରେ ୨୨୦ । ଜେଜେବାପା, ଜେଜେମା ବା ଅଜା ଆଈଙ୍କୁ ସ୍କିଜୋଫ୍ରେନିଆ ହୋଇଥିଲେ (ଅଥଚ ବାପ ମା’ଙ୍କୁ ହୋଇ ନଥିଲେ) ନାତିନାତୁଣୀଙ୍କୁ ସେ ରୋଗ ହେବାର ସମ୍ଭାବନା ଶତକଡ଼ା ୩, ଝିଆରୀ ପୁତୁରାଙ୍କୁ ହେବାର ସମ୍ଭାବନା ଶତକଡ଼ା ୨ ଓ ଦାଦିପୁଅ, ମାମୁ ପୁଅ ଓ ପିଉସୀପୁଅ ଭାଇଭଉଣୀମାନଙ୍କୁ ଏ ରୋଗ ହେବାର ସମ୍ଭାବନା ମଧ୍ୟ ଶତକଡ଼ା ୨; ଅର୍ଥାତ୍‌ ସାଧାରଣଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନାର ତିନିଗୁଣ । ସମ–ଡିମ୍ବାଣୁ ବିଶିଷ୍ଟ ଯମଜମାନଙ୍କୁ ପରୀକ୍ଷା କରି ଦେଖାଯାଇଛି ଯେ ଜଣଙ୍କର ସ୍କିଜୋଫ୍ରେନିଆ ଥିଲେ ଅନ୍ୟଟିକୁ ହେବାର ସମ୍ଭାବନା ଶତକଡ଼ା ୬୭ । ଅନ୍ୟ ଏକ ଗବେଷଣାରୁ ମିଳିଛି ଯେ ଏ ସମ୍ଭାବନା ଶତକଡ଼ା ୭୬ ହୋଇପାରେ ।

 

କୈଶୋରର ପ୍ରାନ୍ତ ଭାଗରେ ଓ ଯୌବନର ପ୍ରାରମ୍ଭରେ ଏ ରୋଗ ହେଉଥିବାରୁ କ୍ରାଏପ୍‌ଲିନ୍‌ ଭାବୁଥିଲେ ଯେ ଯୌନଗ୍ରନ୍ଥିର କ୍ଷରଣ ସହିତ ସ୍କିଜୋଫ୍ରେନିଆର ନିଶ୍ଚୟ କିଛି ସମ୍ବନ୍ଧ ଅଛି । କାରଣ ଏହି ସମୟରେ ଯୌନବିକାଶରେ ଯଥେଷ୍ଟ ପରିବର୍ତ୍ତନ ହୁଏ ଓ ତତ୍‌ସଂଲଗ୍ନ ଗ୍ରନ୍ଥିଗୁଡ଼ିକରେ କ୍ଷରଣରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ । କେହି କେହି ସମଗ୍ର ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକରେ କ୍ଷରଣରେ ଗୋଳମାଳ ରହୁଥିବାରୁ ସ୍କିଜୋଫ୍ରେନିଆ ହୁଏ ବୋଲି ମତ ଦିଅନ୍ତି । ଦେଖାଯାଇଛି ଯେ ଅଧିକାଂଶ ସ୍କିଜୋଫ୍ରେନିଆ ରୋଗୀଙ୍କର ଶୁକ୍ରାଣୁ ତିଆରି ହେବା ପୂରାପୂରି ବନ୍ଦ ହୋଇଯାଏ ଓ ଅଣ୍ଡକୋଷରେ ଥିବା ସ୍ନାୟୁକୋଷଗୁଡ଼ିକ ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ । ସ୍ତ୍ରୀଲୋକମାନଙ୍କର ଡିମ୍ବକୋଷରେ ମଧ୍ୟ ଅନୁରୂପ ଲକ୍ଷଣମାନ ଦେଖାଯାଇଛି । ଅବଶ୍ୟ ଏହା ସ୍କିଜୋଫ୍ରେନିଆର କାରଣ ନ ହୋଇ ଆନୁସଙ୍ଗିକ ଅବସ୍ଥା ହୋଇପାରେ ବୋଲି ବହୁ ବିଶେଷଜ୍ଞଙ୍କର ମତ । କାରଣ ଏହା ରୋଗୀର ବୟସ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦୈହିକ ରୋଗ ଉପରେ ନିର୍ଭର କରେ । କେତେକ ସ୍କିଜୋଫ୍ରେନିଆ ରୋଗୀଙ୍କର ଯୌନଗ୍ରନ୍ଥି ସ୍ଵାଭାବିକ ଥିବା ପରିକ୍ଷା କରି ଦେଖାଯାଇଅଛି । ଏଥିରୁ ଅନୁମାନ କରାଯାଏ ଯଦିଓ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକ ସ୍କିଜୋଫ୍ରେନିଆ ରୋଗରେ ସ୍ଵାଭାବିକ ଅବସ୍ଥାରେ ନଥାନ୍ତି, ତଥାପି ଏଗୁଡ଼ିକର ଅସ୍ଵାଭାବିକତା ଓ ସ୍କିଜୋଫ୍ରେନିଆ ମଧ୍ୟରେ କାର୍ଯ୍ୟକାରଣ ସମ୍ବନ୍ଧ ଅଛି ବୋଲି କୁହାଯାଇପାରିବ ନାହିଁ ।

 

ଆଉ କେତେକ ବିଶେଷଜ୍ଞଙ୍କ ମତରେ କେବଳ ଦୈହିକ କାରଣ ସ୍କିଜୋଫ୍ରେନିଆ ସୃଷ୍ଟି କରିବାପାଇଁ ଯଥେଷ୍ଟ ନୁହଁନ୍ତି । ଆଗରୁ ବର୍ଣ୍ଣନା କରାଯାଇଥିବା କାରଣ ସବୁ, ଯଥା–ବଂଶାନୁକ୍ରମ, ଅନ୍ତଃସ୍ରାବୀ ଗ୍ରନ୍ଥିର କ୍ଷରଣରେ ଅସ୍ଵାଭାବିକତା କିମ୍ବା ଦୈହିକ ବିକୃତି କୌଣସିଟି ସ୍କିଜୋଫ୍ରେନିଆର ପ୍ରତ୍ୟକ୍ଷ କାରଣ ନୁହନ୍ତି । ଏ ସବୁ ଦୋଷ ଲୋକକୁ ତା’ର ପରିବେଷ୍ଟନୀ ସହିତ ଖାପ୍‌ ଖୁଆଇ ଚଳିବାରେ ବାଧା ସୃଷ୍ଟି କରନ୍ତି ଓ କ୍ରମାନ୍ଵୟରେ ଏହିପରି ବାଧା ସୃଷ୍ଟି ହେବାଦ୍ଵାରା ପରିଶେଷରେ ସ୍କିଜୋଫ୍ରେନିଆ ଦେଖାଦିଏ । ଏହି ବିଶେଷଜ୍ଞଙ୍କ ମତରେ ସୁସ୍ଥ ମଣିଷର ମନୋଭାବ ହେଲା ଜୀବନର ବିଭିନ୍ନ ସମସ୍ୟାକୁ ସାହସର ସହିତ ସମାଧାନ କରିବାପାଇଁ ଅଗ୍ରସର ହେବା, ପ୍ରତ୍ୟକ୍ଷ ଭାବରେ ବହୁ ବାଧାବିଘ୍ନ ଅତିକ୍ରମ କରି ସନ୍ତୋଷ ଲାଭ କରିବା । ଅଥଚ ସ୍କିଜୋଫ୍ରେନିଆ ରୋଗୀ ପରିବେଷ୍ଟନୀରୁ ଦୂରେଇ ହୋଇ ନିଜ ମନର ସଂକୀର୍ଣ୍ଣ ପ୍ରକୋଷ୍ଠରେ ଆବଦ୍ଧ ହୋଇରହେ ଜୀବନ ସମସ୍ୟାର ସମ୍ମୁଖୀନ ନ ହୋଇ ପରୋକ୍ଷରେ ପରାସ୍ତ ହୋଇଥିବାର ମନୋଭାବକୁ ଆଦରି ନିଏ; ସମାଜଠାରୁ ଦୂରରେ ରହି ନିଜର କଳ୍ପନା ପ୍ରସୂତ ଔଦାସ୍ୟନିମଗ୍ନ ସଂସାରରେ ବାସକରେ । କ୍ରମେ କ୍ରମେ ଏ ପ୍ରକାର ବ୍ୟବହାର ଅଭ୍ୟାସରେ ପରିଣତ ହୁଏ ଓ ତା’ଠାରେ ପରିଣତ ସ୍କିଜୋଫ୍ରେନିଆର ସମସ୍ତ ଲକ୍ଷଣ ଦେଖାଯାଏ ।

 

ଦୈହିକ କାରଣଗୁଡ଼ିକ ଠିକ୍‌ କେଉଁ ପ୍ରକାରରେ ସ୍କିଜୋଫ୍ରେନିଆ ଜାତ କରାନ୍ତି ଏ ବିଷୟରେ ଯଥେଷ୍ଟ ଜ୍ଞାନ ବର୍ତ୍ତମାନ ଆମର ନାହିଁ । ତେଣୁ ଉପରୋକ୍ତ ବ୍ୟାଖ୍ୟା ବର୍ତ୍ତମାନ ପାଇଁ ଗ୍ରହଣୀୟ, କିନ୍ତୁ ଏହା ଖୁବ୍‌ ସନ୍ତୋଷଜନକ ନୁହେଁ । କାରଣ ସ୍କିଜୋଫ୍ରେନିଆର ଦୈହିକ କାରଣ ସହିତ ଘନିଷ୍ଠ ସମ୍ବନ୍ଧ ଥିବା ନିଃସନ୍ଦେହ । ଦୈହିକ ରୋଗର ଠିକ୍‌ ପରେ ସ୍କିଜୋଫ୍ରେନିଆ ହେବାର ଦେଖାଯାଇଛି । ଯକ୍ଷ୍ମା ପ୍ରଭୃତି ସଂକ୍ରାମକ ରୋଗ ପରେ, ଗର୍ଭାବସ୍ଥାରେ ବା ସନ୍ତାନପ୍ରସବର ପରେ ପରେ ସ୍କିଜୋଫ୍ରେନିଆ ହୁଏ । ତା’ ଛଡ଼ା ମସ୍ତିଷ୍କରେ ଘା ବା ସେହିପରି କିଛି ରୋଗରେ ସ୍କିଜୋଫ୍ରେନିଆ ସଦୃଶ ଲକ୍ଷଣ ଦେଖିବାକୁ ମିଳେ । ଅଥଚ କୌଣସି ମାନସିକ ବିପର୍ଯ୍ୟୟ ଯୋଗୁଁ ସ୍କିଜୋଫ୍ରେନିଆ ହୁଏ ବୋଲି କହିହେବ ନାହିଁ । ଯୁଦ୍ଧବେଳେ ପ୍ରିୟଜନଙ୍କର ମୃତ୍ୟୁ ବା ବହୁପ୍ରକାର ଭୟାବହ ଅନୁଭୂତି ଭଳି ଯଥେଷ୍ଟ ମାନସିକ କାରଣ ଥାଇ ମଧ୍ୟ ସ୍କିଜୋଫ୍ରେନିଆ ରୋଗୀଙ୍କ ସଂଖ୍ୟା ବଢ଼ିବାର ଜଣାନାହିଁ । ଏଣୁ ଶାରୀରିକ କାରଣ ଯେ ଯଥେଷ୍ଟ ଭାବରେ ସ୍କିଜୋଫ୍ରେନିଆକୁ ପ୍ରଭାବିତ କରେ ତାହା ଠିକ୍‌; କିନ୍ତୁ କେଉଁ ଉପାୟରେ ପ୍ରଭାବିତ କରେ ତାହା ଭବିଷ୍ୟତରେ ଜଣାପଡ଼ିବ ବୋଲି ଖୁବ୍‌ ଆଶା ଅଛି ।

 

ସ୍କିଜୋଫ୍ରେନିଆର ପରିଣତି :–ସ୍କିଜୋଫ୍ରେନିଆ ପ୍ରକୃତରେ ଭଲ ହୋଇଛି କି ନାହିଁ ଜାଣିବା ସହଜ ନୁହେଁ । ରୋଗୀ ପ୍ରାୟ ସ୍ଵାଭାବିକ ଅବସ୍ଥାକୁ ଫେରିଆସିଲା ଭଳି ଜଣାପଡ଼ୁଥିବ, ଅଥଚ ହଠାତ୍‌ ଦିନେ ସବୁ ସାଂଘାତିକ ଲକ୍ଷଣ ସହ ପୁରୁଣା ରୋଗ ଦେଖା ଦେଇପାରେ । କିନ୍ତୁ ରୋଗୀ ବହୁତ ଦିନ ଡାକ୍ତରଖାନାରେ ରହିଲା ପରେ ରୋଗର ଲକ୍ଷଣଗୁଡ଼ିକ ଆଉ ଏତେ ତୀବ୍ର ଆକାରରେ ଦେଖାଯାଆନ୍ତି ନାହିଁ କି ରୋଗୀ ସେପରି କିଛି ଉଦ୍‌ବେଗ ଦେଖାଏ ନାହିଁ । ମନେହୁଏ ଯେପରି ରୋଗୀ ତା’ ଲକ୍ଷଣ ସହିତ ଗୋଟିଏ ଚୁକ୍ତିରେ ଆବଦ୍ଧ ହୋଇଛି । ଜଣେ ରୋଗୀ ନୂଆ ନୂଆ ଆସିଲାବେଳେ ଅତ୍ୟନ୍ତ ଉତ୍ତେଜିତ ହୋଇ କହୁଥିଲା, ସେ ୟୁରୋପର ସମ୍ରାଟ ଓ ସେହି ଅନୁସାରେ ଉଚ୍ଛୃଙ୍ଖଳ ବ୍ୟବହାର କରୁଥିଲା । ବହୁତ ବର୍ଷ ପରେ ସେ ଦିନସାରା ମାଟିଆ କାଗଜରେ ଇଆଡ଼ୁ ସିଆଡ଼ୁ ସଂଖ୍ୟା ଲେଖୁଥାଏ । ଆଉ କିଛି କରୁ ନଥାଏ । ପଚାରିଲେ କହେ ସେ ତା’ ରାଜ୍ୟର ହିସାବ ଲେଖୁଛି । କିନ୍ତୁ ସମ୍ରାଟ ହେବାର ଉତ୍ତେଜନା ବା ଆନୁସଙ୍ଗିକ ଆଦବକାଇଦା କୁଆଡ଼େ ଲୋପ ପାଇଗଲାଣି । ସବୁ ପୁରାତନ ସ୍କିଜୋଫ୍ରେନିଆ ରୋଗୀଙ୍କର ଭାବନା ଦରିଦ୍ର, ଆଗ୍ରହ ଓ ମନୋଭାବର ପରିଧି ଅତ୍ୟନ୍ତ ସଂକୀର୍ଣ୍ଣ । ନୂଆ ନୂଆ ଯେଉଁ ରୋଗୀ ଭୟଙ୍କର ଓ ବିପଜ୍ଜନକ ବୋଲି ଅଲଗା କରି ରଖାଯାଉଥିଲା କିଛିବର୍ଷ ପରେ ସେ ଅତ୍ୟନ୍ତ ନିରୀହ ହୋଇଯାଏ-। ଏମିତିକି ରୋଗୀ ଯାହାକୁ ଦେଖିଲେ ଜୀବନରେ ମାରିଦେବ ବୋଲି କହୁଥିଲା ତା’ର ଉପସ୍ଥିତି ମଧ୍ୟ ସେ ସହିଯାଏ । ଖାଇବା ପିଇବା ଠିକ୍‌ ସମୟରେ କରେ ଓ ସାଧାରଣ କଥାବାର୍ତ୍ତା ଚଳିଗଲା ଭଳି କରିପାରେ । ପୂର୍ବରୁ ଭ୍ରାନ୍ତିଧାରଣା ମନରେ ଥାଏ । କିନ୍ତୁ ରୋଗୀ ତା’ ଉପରେ ଆଉ ଜୋର ଦିଏନାହିଁ । ଯଦିଓ ତା’ର ବ୍ୟକ୍ତିତ୍ଵ ନଷ୍ଟ ହୋଇ ଯାଇଥାଏ, ତା’ର ବୁଦ୍ଧି ଓ ସ୍ମରଣ ଶକ୍ତି ଅକ୍ଷୁଣ୍ଣ ରହିଥିବାର ଦେଖାଯାଏ । ସ୍କିଜୋଫ୍ରେନିଆ ରୋଗୀ କିଛି ବୁଝୁନି ବୋଲି ତା’ ଆଗରେ ଅପମାନ କରି କହିବା କିଛି ଉଚିତ ନୁହେଁ, କାରଣ ସେ କିଛି କହୁ ନଥିଲେ ମଧ୍ୟ ଗୋଟି ଗୋଟି କରି ସବୁ ବୁଝିପାରୁଥାଏ ଓ ମଝିରେ ମଝିରେ ଏମିତି ଉତ୍ତର ଦିଏ ଯେ କଥାବାର୍ତ୍ତା କରୁଥିବା ଲୋକେ ଅପଦସ୍ଥ ହୋଇଯାଆନ୍ତି ।

 

ସ୍କିଜୋଫ୍ରେନିଆ ରୋଗୀ ଡାକ୍ତରଖାନାର ସୁରକ୍ଷିତ ବାତାବରଣରେ ରହି ବୟସରେ କମ୍‌ ଜଣାପଡ଼ନ୍ତି । ଏମାନଙ୍କର ହାରାହାରି ଆୟୁ ସାଧାରଣ ଲୋକଙ୍କଠାରୁ କମ୍‌ । ଯକ୍ଷ୍ମା ବା ସେହିପରି କୌଣସି ସଂକ୍ରାମକ ରୋଗରେ କେତେକ ସ୍କିଜୋଫ୍ରେନିଆ ରୋଗୀଙ୍କର ମୃତ୍ୟୁ ଘଟେ । ବୋଧହୁଏ ସ୍କିଜୋଫ୍ରେନିଆରେ ସ୍ଵାଭାବିକ ଦୈହିକ ପ୍ରକ୍ରିୟା ବାଧାପାଏ, ତେଣୁ ରୋଗୀ ଶୀଘ୍ର ମରିଯାଏ ।

 

ସ୍କିଜୋଫ୍ରେନିଆ ଆଦୌ ଭଲ ହୁଏ ନାହିଁ ବୋଲି ଆଗେ ଧାରଣା ଥିଲା ଓ ପ୍ରକୃତରେ କିଛି ବର୍ଷ ତଳେ ସେ ରୋଗ କ୍ଵଚିତ ଭଲ ହେଉଥିଲା । ଆଧୁନିକ ଚିକିତ୍ସା ପ୍ରଣାଳୀ ପ୍ରୟୋଗ ନ କଲେ ରୋଗୀର ବ୍ୟକ୍ତିତ୍ଵ ଆସ୍ତେ ଆସ୍ତେ ନଷ୍ଟ ହୋଇଥାଏ; ରୋଗୀର ଅବସ୍ଥା ଖୁବ୍‌ ଖରାପ ହୁଏ ଓ ତା’ପାଇଁ ଆଜୀବନ ଡାକ୍ତରଖାନାରେ ରହିବାର ବ୍ୟବସ୍ଥା କରିବାକୁ ପଡ଼େ । କିଛିଦିନ ପାଇଁ ରୋଗ ଛାଡ଼ିଯାଇ ପୁଣି ହୋଇପାରେ । ୩।୪ ଥର ରୋଗ ଲେଉଟିଲେ ଭଲ ହେବାର ସମ୍ଭାବନା ଆଦୌ ରହେ ନାହିଁ କହିଲେ ଚଳେ । ଅବଶ୍ୟ ଜଣେ ସ୍କିଜୋଫ୍ରେନିଆରୁ ଆରୋଗ୍ୟ ଲାଭ କରିଛି ବୋଲି କେମିତି ଜାଣିବ ? ମନେକର ଜଣେ ଚାଷୀକୁ ଏ ରୋଗ ହୋଇ ଆପାତତଃ ଭଲ ହୋଇଗଲା । ସେ ପୁଣି ଯାଇ ଚାଷବାସ କରି ରହିଲା, କେହି ତା’ ବ୍ୟବହାରରେ ବିଶେଷ କିଛି ଦୋଷ ଦେଖିପାରିଲେ ନାହିଁ । ଅଥଚ ଯଦି ଜଣେ ରାଷ୍ଟ୍ରଦୂତଙ୍କୁ ସ୍କିଜୋଫ୍ରେନିଆ ହେଲା, ଆପାତତଃ ଭଲ ହେବାପରେ ସେ ଆଉ ରାଷ୍ଟ୍ରଦୂତର କାମ ତୁଲାଇ ପାରିବେ ନାହିଁ, ରୋଗ ହେତୁ ବ୍ୟବହାରରେ ରହିଯାଇଥିବା ତ୍ରୁଟି ଚାଷକାମ ପାଇଁ କିଛି ନୁହେଁ; କିନ୍ତୁ ରାଷ୍ଟ୍ରଦୂତର କାମପାଇଁ ବେଶ୍‌ ଗୁରୁତର ।

 

ସ୍କିଜୋଫ୍ରେନିଆ ଅଗୋଚରରେ ଆସ୍ତେ ଆସ୍ତେ ଆରମ୍ଭ ହେଲେ ସେଥିରୁ ଭଲ ହେବାର ସମ୍ଭାବନା ଅତ୍ୟନ୍ତ ଅଳ୍ପ । କିନ୍ତୁ ବିଷମ ଓ ସାଂଘାତିକ ଭାବରେ ଆରମ୍ଭ ହୋଇଥିଲେ ଭଲ ହେବା ଅପେକ୍ଷାକୃତ ସହଜ ।

 

ପ୍ରତିଷେଧ ଓ ଚିକିତ୍ସା

 

ପ୍ରତିଷେଧ–ସ୍କିଜୋଫ୍ରେନିଆ କେତେକ ସ୍ଥଳରେ ବଂଶଗତ ବୋଲି ଆଗରୁ କୁହାଯାଇଛି-। ତେଣୁ ସ୍କିଜୋଫ୍ରେନିଆ ରୋଗୀକୁ ବାହାହେବାକୁ ନ ଦେଲେ ଓ ଅସ୍ତ୍ରୋପଚାରଦ୍ଵାରା ତା’ର ଜନନଶକ୍ତି ନଷ୍ଟ କରିଦେଲେ ରୋଗ ନିର୍ମୂଳ ହେବ ବୋଲି ଭାବିବା ସ୍ଵାଭାବିକ । କିନ୍ତୁ ଆମେ ଜାଣୁ ଯେ ସ୍କିଜୋଫ୍ରେନିଆ ରୋଗୀର ଛୁଆକୁ ନିଶ୍ଚୟ ସେ ରୋଗ ହେବ ଏମିତି କିଛି କଥା ନାହିଁ ଅତିବେଶୀରେ ଶତକଡ଼ା ୨୦ରୁ ୨୨ ଛୁଆଙ୍କୁ ଏ ରୋଗ ହେବାର କେବଳ ସମ୍ଭାବନା ଅଛି-। ତେଣୁ କେବଳ ସମ୍ଭାବନା ଉପରେ ନିର୍ଭର କରି ସବୁ ସ୍କିଜୋଫ୍ରେନିଆ ରୋଗୀଙ୍କୁ ଏ ଦଣ୍ଡଦେବା କେତେଦୂର ସମୀଚୀନ ତାହା ଭାବିବା କଥା । ଯେଉଁ ଦେଶରେ ଏ ପ୍ରକାର ନିୟମ ହୋଇଛି ସେଠାରେ ସ୍କିଜୋଫ୍ରେନିଆ ରୋଗୀଙ୍କ ସଂଖ୍ୟା ଆଖିକୁ ଦେଖାଗଲା ଭଳିଆ କମିନାହିଁ-। ପୁଣି ରୋଗୀର ସନ୍ତାନ ପ୍ରଜନନ ଶକ୍ତି ରୋଗ ଯୋଗୁଁ ଦୁର୍ବଳ ହୋଇ ପଡ଼ିଥାଏ ଓ ରୋଗ ହେଲାପରେ ଏଥିପାଇଁ ଖୁବ୍‌ କମ୍‌ ଛୁଆ ହୁଅନ୍ତି । ଆଉ ମଧ୍ୟ ଅଧିକାଂଶ ସ୍କିଜୋଫ୍ରେନିଆ ରୋଗୀ ସ୍କିଜୋଫ୍ରେନିଆଦ୍ଵାରା ଆକ୍ରାନ୍ତ ନ ହୋଇଥିବା ବାପା ମା’ଙ୍କର ପିଲାଛୁଆ । ଏଣୁ ସାମୂହିକ ନିୟମ ପ୍ରୟୋଗ କରି ସ୍କିଜୋଫ୍ରେନିଆ ରୋଗୀଙ୍କର ଜନନଶକ୍ତି ନଷ୍ଟ କରିବାଦ୍ଵାରା ବିଶେଷ କିଛି ଉପକାର ହେବ ନାହିଁ । ଜଣେ ଡାକ୍ତର ସ୍କିଜୋଫ୍ରେନିଆ ରୋଗୀଙ୍କର ୬୭୦ ଜଣ ପିଲାଙ୍କୁ ନେଇ ଦେଖିଲେ ଯେ ସେଥିରୁ ମୋଟେ ୧୦୭ ଜଣ ରୋଗ ହେଲାପରେ ଜନ୍ମ ହୋଇଛନ୍ତି ଅର୍ଥାତ୍‌ ବାଧ୍ୟତାମୂଳକ ଭାବରେ ଜନନ ଶକ୍ତି ନଷ୍ଟ କରିଦେବାଦ୍ଵାରା ୬୭୦ରୁ କେବଳ ୧୦୭ ଜଣଙ୍କର ଏ ରୋଗ ହେବା ବନ୍ଦ କରାଯାଇପାରନ୍ତା ।

 

ତଥାପି ସ୍କିଜୋଫ୍ରେନିଆ ରୋଗୀ ସ୍ଵେଚ୍ଛାରେ ଜନନଶକ୍ତି ନଷ୍ଟ କରିବାକୁ ଚାହିଁଲେ ତା’ପାଇଁ ଅସ୍ତ୍ରୋପଚାରର ସମସ୍ତ ସୁବିଧା ଦେବା ଉଚିତ, ଏପରିକି ଏହା କରିବାପାଇଁ ସେମାନଙ୍କୁ ଉତ୍ସାହିତ କରିବା ଉଚିତ । କାରଣ ସମ୍ଭାବନା ଯେତେ କମ୍‌ ଥିଲେ ମଧ୍ୟ ସ୍କିଜୋଫ୍ରେନିଆ ରୋଗୀର ଛୁଆକୁ ଯେ କେଭେ ସ୍କିଜୋଫ୍ରେନିଆ ହେବନାହିଁ ଏହା କେହି କହିପାରିବେ ନାହିଁ । ତେଣୁ ନିର୍ଦ୍ଦୋଷ ଶିଶୁକୁ ଏ ଭୟାବହ ଭବିଷ୍ୟତ ସହ ପୃଥିବୀକୁ ଆଣିବା ଠିକ୍‌ ନୁହେଁ । ସେଥିପାଇଁ ସ୍କିଜୋଫ୍ରେନିଆ ରୋଗୀ ସହାନୁଭୂତିଶୀଳ ସେବା ମନୋବୃତ୍ତିଥିବା ସ୍ତ୍ରୀ–ପୁରୁଷକୁ ବାହାହୋଇପାରେ କିନ୍ତୁ ପିଲାଛୁଆ ଯେମିତି ନହୁଏ ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ଦରକାର ।

 

ସ୍କିଜୋଫ୍ରେନିଆ ରୋଗୀଙ୍କର ବନ୍ଧୁବାନ୍ଧବଙ୍କୁ ବାହାହେବା କେଡ଼େ ବିପଜ୍ଜନକ ? ମନେକର ଜଣେ ଝିଅର ଭାଇ ସ୍କିଜୋଫ୍ରେନିଆ ରୋଗୀ, ତାକୁ ବାହାହେବା ଉଚିତ କି ?

 

ସ୍କିଜୋଫ୍ରେନିଆ ରୋଗୀଙ୍କର ଭାଇଭଉଣୀଙ୍କୁ ସେ ରୋଗ ହେବାର ସମ୍ଭାବନା ଶତକଡ଼ା ୧୧ । ତେଣୁ ବାହା ହେବାରେ ନିଶ୍ଚୟ କିଛିଟା ବିପଦ ଅଛି । ପୁଣି ଝିଅ ୧୫ ରୁ ୨୫ ବର୍ଷ ଭିତରେ ହୋଇଥିଲେ ଓ ତା’ ବ୍ୟବହାରରେ ସାମାନ୍ୟ ଅସ୍ଵାଭାବିକତା ଦେଖାଯାଉଥିଲେ ରୋଗ ହେବାର ସମ୍ଭାବନା ଆହୁରି ବେଶୀ । ତେବେ ଝିଅର ଯଦି କୌଣସି ଅସ୍ଵାଭାବିକତା ନାହିଁ, ସେଠାରେ ବିଚାର କରିବାକୁ ହେବ ଯେ ଶହକରେ ୧୧ ଜଣଙ୍କୁ ସ୍କିଜୋଫ୍ରେନିଆ ହେବାର ସମ୍ଭାବନା ଥିଲେ, ଆଉ ୮୯ ଜଣଙ୍କୁ ଏ ରୋଗ ହେବାର ସମ୍ଭାବନା ଆଦୌ ନାହିଁ ।

 

ଆମ୍ଭେମାନେ ସ୍କିଜୋଫ୍ରେନିଆ ରୋଗର କାରଣ ଏପର୍ଯ୍ୟନ୍ତ ଜାଣିନାହୁଁ । ତେଣୁ କ’ଣ କଲେ ସ୍କିଜୋଫ୍ରେନିଆ ହେବନାହିଁ ତା’ କହିବା ଅସମ୍ଭବ । ଯେପରି ମେଲେରିଆ କାହିଁକି ହୁଏ ନ ଜାଣିଲେ ତା’ର ପ୍ରତିରୋଧ କରିବା ସମ୍ଭବପର ନୁହେଁ । ଏ ରୋଗ ସାଧାରଣତଃ ସବୁ ଦେଶରେ ଦେଖାଯାଏ । ସଭ୍ୟ ଓ ଆଦିମ ସବୁ ସମାଜରେ ଏହାଦ୍ଵାରା ଲୋକେ ଆକ୍ରାନ୍ତ ହୁଅନ୍ତି, ପୁଣି ସବୁ ସ୍ଥାନରେ ସ୍କିଜୋଫ୍ରେନିଆ ପ୍ରାୟ ସମାନ ଅନୁପାତର ଲୋକଙ୍କୁ ହୁଏ । ଏ ସବୁରୁ ଅନୁମାନ କରାଯାଉଛି ଯେ ପରିବେଷ୍ଟନୀ ନିୟନ୍ତ୍ରଣଦ୍ଵାରା ବା ମାନସିକ ସ୍ୱାସ୍ଥ୍ୟରକ୍ଷା କରିବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାଦ୍ଵାରା ସ୍କିଜୋଫ୍ରେନିଆରୁ ରକ୍ଷା ମିଳେନାହିଁ । ତେବେ ଯାହାର ସ୍କିଜୋଫ୍ରେନିଆ ହେବାର ସବୁ ଲକ୍ଷଣ ଦେଖାଯାଉଛି ତାକୁ ବିଭିନ୍ନ ସାମାଜିକ କାମରେ ନିୟୋଗ କରିବା କଥା; ଏକୁଟିଆ ରହିବାକୁ ନ ଛାଡ଼ି ଲୋକମାନଙ୍କ ସଙ୍ଗେ ମିଶାଇବା ଓ ଅଯଥା ନିରାଶ ବା ଉତ୍ତେଜିତ ହେବାକୁ ନ ଦେବା ଉଚିତ ।

 

ସ୍କିଜୋଫ୍ରେନିଆ ହେବାର ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ କେବେ ମନୋବିଶ୍ଳେଷଣ କରାଇବା ଉଚିତ ନୁହେଁ । ମନୋବିଶ୍ଳେଷଣ କରୁ କରୁ ଲୁଚିରହିଥିବା ସ୍କିଜୋଫ୍ରେନିଆ ହଠାତ୍‌ ବାହାରି ପଡ଼ିବାର ବିପଦ ବହୁତ ବେଶୀ ।

 

ଚିକିତ୍ସା–ମାନସିକ ଓ ଶାରୀରିକ

 

ମନୋବିଶ୍ଳେଷଣ ବା ସେହିପରି କୌଣସି ଚିକିତ୍ସା ସ୍କିଜୋଫ୍ରେନିଆରେ କ୍ଷତିକାରକ ବୋଲି ଆଗରୁ କୁହାଯାଇଛି । ମନୋବିଶ୍ଳେଷଣରେ ରୋଗୀ ନିଜ ବିଷୟରେ ଭାବିବାପାଇଁ ଉତ୍ସାହ ପାଏ ଓ ଟିକିନିଖି କରି ନିଜର ବ୍ୟବହାରକୁ ବିଶ୍ଳେଷଣ କରେ । ଏହାଦ୍ୱାରା ରୋଗୀ ସମାଜଠାରୁ ବେଶୀ ବେଶୀ ଦୂରେଇ ଯାଏଁ । ସ୍କିଜୋଫ୍ରେନିଆ ରୋଗୀ ସାଧାରଣତଃ ସମାଜଠାରୁ ଦୂରରେ ରହିବାକୁ ଭଲପାଏ, ତା’ ଉପରେ ମନୋବିଶ୍ଳେଷଣ କଲେ ଏ ଅସ୍ୱାଭାବିକତା ଆହୁରି ବଢ଼େ ଓ ରୋଗର ପୂର୍ଣ୍ଣ ବିକାଶ ହୁଏ ।

 

ରୋଗ ଆରମ୍ଭ ହେବାର ଦୁଇବର୍ଷ ଭିତରେ ମାନସିକ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ । କିନ୍ତୁ ଅଧିକାଂଶ ରୋଗୀ ଡାକ୍ତରଖାନାକୁ ପୁରାତନ ରୋଗ ନେଇ ଆସନ୍ତି । ତାଙ୍କ ଭିତରୁ କେତେକ ରୋଗର ସାଂଘାତିକ ଅବସ୍ଥା ପାରହୋଇ ଯାଇଥାଆନ୍ତି । ଏହିପ୍ରକାର ରୋଗୀମାନେ ଯଦି କୌଣସି ଛୋଟକାଟର କାମ କରୁଥାଆନ୍ତି ତାହାହେଲେ ସେମାନଙ୍କୁ ସେ କାମ କରିବାକୁ ଦିଆହେବା ଉଚିତ । କାମରୁ କାଢ଼ି ଡାକ୍ତରଖାନାରେ ଭର୍ତ୍ତି କରିବା ଉଚିତ ନୁହେଁ । ବରଂ ସେ କିଛି କାମ କରିବାପାଇଁ ଉତ୍ସାହିତ କରବା ଉଚିତ । ଏ ଅବସ୍ଥାରେ ଡାକ୍ତର ସାଧାରଣତଃ ରୋଗୀକୁ ପରାମର୍ଶ ଦିଅନ୍ତି ଯେ, ‘‘ତୁମର ଯେଉଁ ଭ୍ରାନ୍ତଧାରଣାସବୁ ରହିଛି ସେ ସବୁ ବିଷୟରେ ବିଶେଷ ଭାବି କିଛି ଲାଭ ନାହିଁ । ବରଂ ସେ ସବୁ ଭାବିବା ଅପେକ୍ଷା ନିଜ କାମରେ ଅଧିକ ମନ ଦେବା ଭଲ ।” ଅବଶ୍ୟ ସେମାନଙ୍କୁ ସ୍କୁଲ୍ ଶିକ୍ଷକତା, ଘରୋଇ ଭାବରେ ପିଲାମାନଙ୍କୁ ଟିଉସନ୍ କରିବା ବା ଡାକ୍ତରୀ କରିବା ଭଳି ଦାୟିତ୍ଵପୂର୍ଣ୍ଣ କାମ ଦିଆଯିବା ଉଚିତ ନୁହେଁ-। ଅଥଚ ସେମାନେ ବୈଷୟିକ କାମ, ଲାଇବ୍ରେରୀରେ ବହି ତଦାରଖ କାମ ବା ଅଫିସ୍ କାମ ଭଲଭାବେ କରିପାରିବେ । ଅଶିକ୍ଷିତ ଓ ଅଳ୍ପଶିକ୍ଷିତ ରୋଗୀମାନଙ୍କୁ ଏବଂ ଟିକିଏ ବେଶୀ ଖରାପ ଅବସ୍ଥାର ରୋଗୀଙ୍କୁ ହାତକାମ ଓ ବୁଣାବୁଣି ପ୍ରଭୃତି ଶିଖାଇବ । ଏହାଦ୍ଵାରା କେବଳ ତାଙ୍କୁ ଜୀବିକାର୍ଜ୍ଜନ ପାଇଁ ପ୍ରସ୍ତୁତ କରାଯାଏ ନାହିଁ, ଏକାଠି ମିଳିମିଶି କାମ କରିବାଦ୍ଵାରା ସେମାନଙ୍କର ସାମାଜିକ ବୋଧ ଦେଖାଦିଏ ଓ ଶକ୍ତିସାମର୍ଥ୍ୟ ଏକାକୀ ବସିରହି ବୃଥା ଭାବନାରେ ଅଯଥା ଖର୍ଚ୍ଚ ନ ହୋଇ ଦରକାରୀ କାମରେ ଲାଗେ । ପ୍ରକୃତରେ କାମ ଯୋଗାଇବାଦ୍ୱାରା ସ୍କିଜୋଫ୍ରେନିଆ ରୋଗୀ ବେଶ୍ ସୁସ୍ଥ ଓ ସ୍ୱାଭାବିକ ଅବସ୍ଥାରେ ଥାଏ । କେତେକ ଜାଗାରେ ସାଧାରଣ ଲୋକଙ୍କ ଭିତରେ ସ୍କିଜୋଫ୍ରେନିଆ ରୋଗୀଙ୍କୁ ରଖାଯାଇଛି । ସେମାନଙ୍କୁ ଚାଷ କାମରେ ନିଯୁକ୍ତ କରାଯାଇ ଜଣେ ଚାଷୀଙ୍କ ପାଖେ ରଖାହୋଇଛି । ଡାକ୍ତର ମାସକରେ ଥରେ ଦି’ଥର ଦେଖିବାକୁ ଯାଆନ୍ତି ଓ ସେମାନେ କେମିତି ଅଛନ୍ତି ବୁଝିଆସନ୍ତି । ସେଠାରେ ରୋଗୀମାନେ ବେଶ୍‌ ଭଲରେ ଥିବାର ଓ କାମଦାମରେ ଯଥେଷ୍ଟ ସାହାଯ୍ୟ କରୁଥିବାର ଖବର ମିଳେ ।

 

ସ୍କିଜୋଫ୍ରେନିଆର ଶାରୀରିକ ଚିକିତ୍ସା ମଧ୍ୟରେ ଇନ୍‌ସୁଲିନ୍ ଦେଇ ଅଚେତନ କରିବା, ଇଲେକ୍‌ଟ୍ରିକ୍ ଶକ୍ ଦେବା ଓ ନିଦ ଔଷଧ ଦେଇ କ୍ରମାଗତ ଶୁଆଇ ରଖିବା ପ୍ରଧାନ । ଇନ୍‌ସୁଲିନ୍ ଏକପ୍ରକାର ରାସାୟନିକ ଦ୍ରବ୍ୟ । ଇନ୍‌ସୁଲିନ୍ ଇଞ୍ଜେକ୍‌ସନ୍ ମାଂସପେଶୀରେ ବା ଶିରାରେ ଦିଆଯାଏ । ଇଞ୍ଜେକ୍‌ସନ୍ ଦେଲାପରେ ଦେହର ଶର୍କରା ଅଂଶ ଖୁବ୍ କମିଯାଏ ଓ ଏଥିଯୋଗୁଁ ଆସ୍ତେ ଆସ୍ତେ ତାହାର ସଂଜ୍ଞା ଲୋପପାଏ । ସେ ସମ୍ପୂର୍ଣ୍ଣ ଅକ୍ଷମ ଓ ଅସମର୍ଥ ହୋଇପଡ଼େ । ଇଞ୍ଜେକ୍‌ସନ୍‌ ଦେବାର ଦୁଇତିନି ଘଣ୍ଟା ପରେ ଏପରି ଅବସ୍ଥାର ସୃଷ୍ଟିହୁଏ । ଏ ସମୟରେ ନିଆଁ ପାଖରୁ ହାତ ଟାଣିନେବା, ଶକ୍‌ ଦେଲେ ଘୁଞ୍ଚିଯିବା ପ୍ରଭୃତି କେବଳ କେତେକ ସ୍ୱୟଂଚାଳିତ ପ୍ରକ୍ରିୟା ବ୍ୟତୀତ ରୋଗୀ ମୃତପ୍ରାୟ ପଡ଼ିରହିଥାଏ । ଏ ଅଚେତ ଅବସ୍ଥାକୁ କୋମା (Coma) କହନ୍ତି । କୋମା ହେବା ଆଗରୁ ରୋଗୀ କ୍ଳାନ୍ତିବୋଧ କରେ, ବିଛଣାରେ ଛଟପଟ ହୁଏ ଓ ବାତ ମାଇଲାଭଳି ତା’ ଦେହସାରା ଅଙ୍କୁଚନ ପ୍ରସାରଣ ଦେଖାଦିଏ । ଏହି ଅବସ୍ଥାରେ କାଳେ ବିଛଣାରୁ ପଡ଼ିଯିବ ବୋଲି ତା’ର ଗୋଡ଼ହାତ ଭଲ କରି ଖଟସାଙ୍ଗରେ ବାନ୍ଧିଦିଅନ୍ତି । ଇନ୍‌ସୁଲିନ୍ ଦେଲେ ମସ୍ତିଷ୍କର ସୂକ୍ଷ୍ମ ଓ ଉଚ୍ଚସ୍ତରର କ୍ରିୟାକଳାପ ଯଥା ଚିନ୍ତା କରିବା ପ୍ରଭୃତି ବନ୍ଦ ହୋଇଯାଏ ।

 

କିନ୍ତୁ ସ୍ୱୟଂକ୍ରିୟା ସ୍ନାୟୁ ମଣ୍ଡଳୀର ପ୍ରକ୍ରିୟା ଯଥା–ପାକସ୍ଥଳୀ, ହୃତ୍‌ପିଣ୍ଡ ଓ ନାଳଗ୍ରନ୍ଥୀ ପ୍ରଭୃତି ଅତ୍ୟଧିକ କାମ କରେ । ୩୦।୪୦ ମିନିଟ୍ ପରେ ଅଚେତ ଅବସ୍ଥାରେ (କୋମା) ରହିଲା ପରେ ରୋଗୀକୁ ଶର୍କରା ବା ଗ୍ଲୁକୋଜ ମିଶା ଚାହା ନାକବାଟେ ରବର ନଳୀଦ୍ୱାରା ଖାଇବାକୁ ଦିଆଯାଏ ଓ ରୋଗୀର ଚେତା ଫେରିଆସେ । ଏଥିରେ ଚେତା ନ ଆସିଲେ ଗ୍ଲୁକୋଜ ଇଞ୍ଜେକ୍‌ସନ୍‌ ଦେଇ ଚେତା ଫେରାଇ ଅଣାହୁଏ । ଶର୍କରା ବା ଗ୍ଲୁକୋଜ ଦେବାର ୨୦।୩୦ ମିନିଟ ପରେ ରୋଗୀ ଚେତାପାଏ । ଟିକିଏ ସୁସ୍ଥ ଲାଗିଲେ ରୋଗୀକୁ ପାଉଁରୁଟି ପ୍ରଭୃତି ଶ୍ଵେତସାର ଥିବା ଖାଦ୍ୟ ଦିଆଯାଏ । ସାଧାରଣତଃ ସକାଳଓଳି ଇନ୍‌ସୁଲିନ୍ ଚିକିତ୍ସା କରାହୁଏ ଓ ଓପରଓଳିକୁ ରୋଗୀ ସ୍ୱାଭାବିକ ଅବସ୍ଥାରୁ ଫେରି ଆସିଥାଏ । କୋମାରୁ ଉଠିବା ପରେ ପରେ ରୋଗୀ ଖୁବ୍ ଉତ୍‌ଫୁଲ୍ଲ ଦେଖାଯାଏ, ଭଲରେ କଥାବାର୍ତ୍ତା କରେ ଓ ସୁସ୍ଥ ଲୋକ ଭଳି ବ୍ୟବହାର କରେ । କିନ୍ତୁ ଏହା ଅଳ୍ପ ସମୟ ରହେ । ଚିକିତ୍ସକ ଏ ସମୟଟିକୁ ଭଲ ଭାବରେ ଉପଯୋଗ କରନ୍ତି । ରୋଗୀର ଭ୍ରାନ୍ତଧାରଣା ଯେ ଅଳୀକ ଓ ତା’ର ଯେ ପ୍ରକୃତରେ କେହି କ୍ଷତି କରୁ ନାହାନ୍ତି–ଏ ସବୁ କଥା ଚିକିତ୍ସକ ରୋଗୀକୁ ବୁଝାନ୍ତି, ତାକୁ ଆଦର କରନ୍ତି ଓ ଅନ୍ୟ ରୋଗୀମାନଙ୍କ ସଙ୍ଗେ ତାକୁ ମିଳାମିଶା କରାନ୍ତି । ଇନ୍‌ସୁଲିନ୍ ଚିକିତ୍ସା ପାଉଥିବା ରୋଗୀ ପରସ୍ପର ସହିତ ବେଶ୍ ସାଙ୍ଗ ହୋଇଯାଆନ୍ତି ଓ ଏ ବନ୍ଧୁତ୍ୱ ଓ ମିଳାମିଶାକୁ ଡାକ୍ତର ଉତ୍ସାହିତ କରିବା କଥା ।

 

ରୋଗୀମାନଙ୍କୁ ୩୦ରୁ ୫୦ ଥର ପର୍ଯ୍ୟନ୍ତ ଇନ୍‌ସୁଲିନ୍ ଦିଆହୁଏ । ୫୦ ଥରରୁ ବେଶୀ ଇନ୍‌ସୁଲିନ୍ ଦେଲେ ଯେ ଆହୁରି ଶୀଘ୍ର ରୋଗ ଭଲ ହୋଇଯିବ ଏ କଥା ଠିକ୍ ନୁହେଁ । ସାଧାରଣତଃ ସ୍କିଜୋଫ୍ରେନିଆ ହେବାର ବର୍ଷକ ଭିତରେ ଏ ଚିକିତ୍ସା ସବୁଠାରୁ ଫଳପ୍ରଦ । ତଥାପି ଦୁଇବର୍ଷର ପୁରୁଣା ସ୍କିଜୋଫ୍ରେନିଆ ରୋଗୀକୁ ମଧ୍ୟ ଏ ଚିକିତ୍ସା ଦେଇ କିଛି ସୁଫଳ ମିଳିଛି । କିନ୍ତୁ ତା’ଠାରୁ ପୁରୁଣା ରୋଗୀକୁ ପ୍ରାୟ ଇନ୍‌ସୁଲିନ୍ ଚିକିତ୍ସା କରାଯାଏନାହିଁ । ଯକୃତ, ହୃତ୍‌ପିଣ୍ଡ ବା ମୂତ୍ର ଯନ୍ତ୍ରରେ ସାଂଘାତିକ ରୋଗ ଥିଲେ ବା ଯକ୍ଷ୍ମା ହେବାର ଲକ୍ଷଣ ଦେଖାଯାଉଥିଲେ ଇନ୍‌ସୁଲିନ୍ ଦିଆଯାଏ ନାହିଁ । ପାକସ୍ଥଳୀ ବା ଗ୍ରହଣୀରେ ଘା ହୋଇଥିଲେ ଇନ୍‌ସୁଲିନ୍ ତାକୁ ବଢ଼ାଏ । ତେଣୁ ଏ ଅବସ୍ଥାରେ ଇନ୍‌ସୁଲିନ୍ ଦିଆହୁଏ ନାହିଁ । ୪୫ ବର୍ଷଠାରୁ ବୟସ୍କ ରୋଗୀଙ୍କୁ ଇନ୍‌ସୁଲିନ୍ ଆଦୌ ଦିଆହୁଏ ନାହିଁ ।

 

ଇନ୍‌ସୁଲିନ୍ ପ୍ରକୃତରେ କିପରି ସ୍କିଜୋଫ୍ରେନିଆ ଭଲ କରେ ତାହା ଠିକ୍ ଜଣାନାହିଁ । ରୁଷିଆରେ ପାଭ୍‌ଲଭ୍‌ଙ୍କ ତତ୍ତ୍ୱ ଅନୁସରଣ କରି ଇନ୍‌ସୁଲିନ୍‌ର ଗୁଣ ବିଷୟରେ କିଛି ତଥ୍ୟ ପ୍ରକାଶିତ ହୋଇଛି । ପାଭ୍‌ଲଭ୍‌ଙ୍କ ମତରେ ସମଗ୍ର ସ୍ନାୟୁମଣ୍ଡଳୀର ଦୌର୍ବଲ୍ୟ ଯୋଗୁଁ ସ୍କିଜୋଫ୍ରେନିଆ ହୋଇଥାଏ । ଇନ୍‌ସୁଲିନ୍ ଦେଇ ସ୍ନାୟୁରେ ଅତିଶୟ ଅବସାଦ ଆଣିବାଦ୍ୱାରା ଦୁର୍ବଳ ସ୍ନାୟୁମଣ୍ଡଳୀ କିଛିବେଳ ପାଇଁ ପ୍ରାୟ ପୂର୍ଣ୍ଣ ବିଶ୍ରାମ ଲାଭ କରେ । ବିଶେଷତଃ ମସ୍ତିଷ୍କରେ ଥିବା ସ୍ନାୟୁଗୁଡ଼ିକ ସମ୍ପୂର୍ଣ୍ଣ ନିଷ୍କ୍ରୟ ହୋଇଯାଆନ୍ତି ଯେଉଁଟା ଜାଗ୍ରତାବସ୍ଥାରେ ସମ୍ଭବପର ନୁହେଁ । ଏହିପରି ୩୦।୪୦ ଥର କୋମା ହେତୁ ମସ୍ତିଷ୍କର ସ୍ନାୟୁମଣ୍ଡଳୀ ପୂରାପୂରି ନିର୍ଜୀବ ଅବସ୍ଥାରେ ରହି ରହି ଯଥେଷ୍ଟ ବିଶ୍ରାମ ପାଇଲେ ପୁଣି ସ୍ୱାଭାବିକତା ଫେରିପାଆନ୍ତି । ଏ ତତ୍ତ୍ୱ ଉପରେ ନିର୍ଭର କରି ରୁଷୀୟ ଚିକିତ୍ସକମାନେ ନିଦ ଔଷଧ ଦେଇ କିଛିଦିନ ପାଇଁ ରୋଗୀକୁ ଶୁଆଇ ରଖନ୍ତି ଓ ରୋଗୀର ସ୍ନାୟୁମଣ୍ଡଳୀକୁ ବିଶ୍ରାମ ଦିଅନ୍ତି । କୁହାଯାଏ ଯେ ଏଥିରେ ଇନ୍‌ସୁଲିନ୍ ଚିକିତ୍ସା ଭଳି ସୁଫଳ ମିଳେ ଏବଂ ଏହା ସହଜ ଓ ଆଦୌ ବିପଜ୍ଜନକ ନ ହୋଇଥିବାରୁ ଇନ୍‌ସୁଲିନ୍‌ଠାରୁ ଭଲ ଚିକିତ୍ସା ବୋଲି କେତେକ ଚିକିତ୍ସକଙ୍କର ମତ । ବେଳେବେଳେ ଇନ୍‌ସୁଲିନ୍ ଓ ଦୀର୍ଘସ୍ଥାୟୀ ନିଦ୍ରା ଉଭୟ ଚିକିତ୍ସା ପ୍ରଣାଳୀ ନିଯୁକ୍ତ କରାଯାଏ । ରୁଷୀୟ ଚିକିତ୍ସକଙ୍କ ମତରେ ସ୍କିଜୋଫ୍ରେନିଆର ସାଂଘାତିକ ଅବସ୍ଥାରେ ରୋଗୀକୁ ଶାନ୍ତିପୂର୍ଣ୍ଣ ବାତାବରଣରେ ରଖିବା ଉଚିତ । ତୀବ୍ର ଆଲୋକ ବା ଶବ୍ଦଠାରୁ ଦୂରରେ ଗୋଟିଏ ଛୋଟ କୋଠରୀରେ ଦୁଇଜଣ ଲେଖାଏଁ ରୋଗୀକୁ ରଖିବା ବାଞ୍ଛନୀୟ । ସେମାନଙ୍କୁ ହାତକାମ ବା ଅନ୍ୟାନ୍ୟ ବ୍ୟାୟାମ ଶିକ୍ଷାରେ ଯୋଗ ଦେବାପାଇଁ ନ ଡାକିବା ଉଚିତ ।

 

ତା’ ଛଡ଼ା ଇନ୍‌ସୁଲିନ୍ ବା ନିଦ ଔଷଧ ଦେଇ ରୋଗୀର ସ୍ନାୟବିକ ପ୍ରକ୍ରିୟାକୁ ବିଶ୍ରାମ ଦେବା ଉଚିତ । କାରଣ ସେମାନଙ୍କ ମତରେ ସ୍କିଜୋଫ୍ରେନିଆ ରୋଗୀର ସ୍ନାୟୁ ଅତ୍ୟଧିକ ଦୁର୍ବଳ ଓ କୌଣସି ଉତ୍ତେଜନା ପାଇଁ ଅନୁପଯୁକ୍ତ ।

 

ଇଲେକ୍‌ଟ୍ରିକ ଶକ୍ ଦେବା ସ୍କିଜୋଫ୍ରେନିଆର ଆଉ ଗୋଟିଏ ଚିକିତ୍ସା । ରୋଗୀକୁ ଶୁଆଇରଖି ତା’ର ଦୁଇ କାନମୁଣ୍ଡାରେ ଦୁଇଟି ଇଲେକ୍‌ଟ୍ରୋଡ଼ ଲଗାଇ ଦିଅନ୍ତି । ଇଲେକ୍‌ଟ୍ରୋଡ଼ଗୁଡ଼ିକ ଛୋଟ ଛୋଟ ଧାତବଖଣ୍ଡ ଯାହା ଦେହରେ ଇଲେକ୍‌ଟ୍ରିକ୍ କରେଣ୍ଟ୍ ଦିଆଯାଇପାରିବ । ୭୦ରୁ ୧୨୦ ଭୋଲ୍‍ଟ୍ ପର୍ଯ୍ୟନ୍ତ ଇଲେକ୍‌ଟ୍ରିକ୍ କରେଣ୍ଟ୍ ଏହା ଦେହରେ ୪ରୁ ୬ ସେକେଣ୍ଡ ପର୍ଯ୍ୟନ୍ତ ଦିଆହୁଏ । ରୋଗୀ ବାତମାରିବା ଭଳି ଛଟପଟ କରେ । ପ୍ରଥମେ ସମସ୍ତ ଶରୀର ମୁହୂର୍ତ୍ତକ ପାଇଁ ଆକୁଞ୍ଚିତ ଓ ଅନ୍ୟ ମୁହୂର୍ତ୍ତପାଇଁ ପ୍ରସାରିତ ହେଉଥାଏ । ତା’ପରେ ଶରୀରର ପ୍ରତ୍ୟେକ ଅଂଶ ଆକୁଞ୍ଚିତ ଓ ପ୍ରସାରିତ ହେଉଥାଆନ୍ତି । ଶେଷକୁ କରେଣ୍ଟ୍ କମିଗଲା ପରେ ରୋଗୀ ଖୁବ୍‌ ଜୋରରେ ନିଃଶ୍ୱାସ ପ୍ରଶ୍ୱାସ ନିଏ । ପାଟିରୁ ନାଳ ବୁହେ ଓ ନାକ ଘଡ଼ଘଡ଼ କରେ । ସ୍ଵାଭାବିକ ଶ୍ଵାସକ୍ରିୟା ଶକ୍ ପରେ ପରେ ଆରମ୍ଭ ନହେଲେ ପୁଣି ଟିକିଏ ଶକ୍‌ଦେଇ ଶ୍ଵାସ ପ୍ରକ୍ରିୟା ଚାଲୁ କରାହୁଏ । ଇଲେକ୍‌ଟ୍ରିକ୍ ଶକ୍ ଚିକିତ୍ସାର ନିର୍ବିଚାର ପ୍ରୟୋଗ କେତେକ ଚିକିତ୍ସାଳୟରେ ହେବାଦ୍ଵାରା ଏଥିପ୍ରତି ଲୋକଙ୍କର ଆସ୍ଥା କମିଯାଉଛି । ଗୁଡ଼ାଏ ଶକ୍ ଦେବା ଠିକ୍ ନୁହେଁ । କାରଣ ଇଲେକ୍‌ଟ୍ରିକ୍ ଶକ୍‍ଦ୍ଵାରା ଶରୀରର ସ୍ଥାୟୀ କ୍ଷତି ହେବାର ଦେଖାଯାଇଛି । ସ୍ମରଣ ଶକ୍ତି ଲୋପପାଇବା ଓ ବ୍ୟକ୍ତିତ୍ଵ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ନଷ୍ଟ ହୋଇଯିବା ଏହାର ଦୁଇଟି ହାନିକାରକ ଫଳ । କେତେକ ଜାଗାରେ ରୋଗୀ ଟିକିଏ ଦୁଷ୍ଟାମି କଲେ ବା ଶୃଙ୍ଖଳା ନ ରଖିଲେ ତାକୁ ଶାସନ କରିଲାଭଳି ଇଲେକ୍‌ଟ୍ରିକ୍ ଶକ୍ ଦିଅନ୍ତି । ଏଥିରେ ରୋଗୀ ଭଲହେବା ଦୂରେ ଥାଉ, ତା’ର ଆହୁରି ବେଶୀ କ୍ଷତି ହୁଏ । ଇନ୍‌ସୁଲିନ୍ ଚିକିତ୍ସା ଯାହାଠାରେ ଫଳପ୍ରଦ ନ ହୋଇଛି ତାକୁ ଶକ୍ ଦେଇ କିଛି ଲାଭ ନାହିଁ ବୋଲି କେତେକ ବିଶେଷଜ୍ଞଙ୍କର ମତ । ଶକ୍ ଚିକିତ୍ସା ଇନ୍‌ସୁଲିନ୍ ପରି ଅପେକ୍ଷାକୃତ ସ୍ଥାୟୀ ସୁଫଳ ଦିଏନାହିଁ । ତେଣୁ ନୂଆ ନୂଆ ସ୍କିଜୋଫ୍ରେନିଆ ରୋଗୀଙ୍କୁ ପ୍ରଥମେ ଇନ୍‌ସୁଲିନ୍ ଦେବା କଥା । ଶକ୍ ଦେଇ ମିଛରେ ସମୟ ନଷ୍ଟ କରି ଲାଭନାହିଁ ।

 

ରୁଷୀୟ ଚିକିତ୍ସକମାନେ ସ୍କିଜୋଫ୍ରେନିଆ ଓ ଅନ୍ୟାନ୍ୟ ମାନସିକ ବ୍ୟାଧିର ଚିକିତ୍ସାପାଇଁ କେତେକ ନୂଆ ଉପାୟ ଅବଲମ୍ବନ କରିଛନ୍ତି । ମସ୍ତିଷ୍କ ଓ ମେରୁଦଣ୍ଡ ଭିତରେ ଥିବା ତରଳ ରସରେ ପ୍ରତ୍ୟକ୍ଷ ଭାବରେ ଔଷଧ ପ୍ରୟୋଗ କରିବା ଏଥିମଧ୍ୟରୁ ଗୋଟିଏ । ଇଞ୍ଜେକ୍‌ସନ୍ ନ ଦେଇ ବା ପାଟିବାଟେ ଔଷଧ ନ ଖୁଆଇ ଏହା କରିବାଦ୍ଵାରା ଶୀଘ୍ର ଫଳ ମିଳିବାର ସେମାନେ କହନ୍ତି । ଏହାଛଡ଼ା ବିଶେଷକରି ସ୍କିଜୋଫ୍ରେନିଆ ଭଲ କରିବାପାଇଁ ସେମାନେ ଏକପ୍ରକାର ସେରମ୍ (Serum) ଉଦ୍ଭାବନ କରିଛନ୍ତି । ମଣିଷର ପ୍ଳୀହା ଓ ଅସ୍ଥିମଜ୍ଜାରେ ଥିବା ଏକପ୍ରକାର ଟିସୁକୁ ଠେକୁଆ ଦେହରେ ଦେଇ ଗୋବୀଜ ଟୀକା ତିଆରି କଲାଭଳିଆ ଏ.ଆର.ସି. (antireticulocytotoxic) ନାମକ ସେରମ୍ ପ୍ରସ୍ତୁତ ହେଉଛି । ଅଳ୍ପମାତ୍ରାରେ ଏହା ଇଞ୍ଜେକ୍‌ସନ୍ ଦେବାଦ୍ଵାରା ପ୍ରାୟ ଶତକଡ଼ା ୫୦ ସ୍କିଜୋଫ୍ରେନିଆ ରୋଗୀ ଭଲ ହେଉଛନ୍ତି ବୋଲି ଦେଖାଯାଇଛି । *

 

* ରୁଷୀୟ ଚିକିତ୍ସା କଥା ନିମ୍ନଲିଖିତ ବହିରୁ ନିଆଯାଇଛି । Wortis, J–Soviet Psychiatry, 1950. The William & Williams Company, Baltimore.

 

ମସ୍ତିଷ୍କରେ ଅସ୍ତ୍ରୋପଚାରର ସ୍କିଜୋଫ୍ରେନିଆ ଉପରେ ପ୍ରଭାବ ଏବେବି ବିଚାରାଧୀନ । ନୂଆ ସ୍କିଜୋଫ୍ରେନିଆ ରୋଗୀଙ୍କଠାରେ ଚିକିତ୍ସା ଆଦୌ କରାଯିବା ଉଚିତ ନୁହେଁ । କିନ୍ତୁ ପୁରାତନ ସ୍କିଜୋଫ୍ରେନିଆ ରୋଗୀଙ୍କଠାରେ ଏ ଚିକିତ୍ସା କରାଯାଇପାରେ । ଏହା ସବୁବେଳେ ଖୁବ୍‌ ଫଳପ୍ରଦ ନୁହେଁ । ଦେଖାଯାଇଛି ଯେ ଏହାଦ୍ଵାରା ପ୍ରାୟ ଏକତୃତୀୟାଂଶ ପୁରାତନ ରୋଗୀଙ୍କୁ ସମାଜରେ ରହିପାରିବା ପାଇଁ ଯେତିକି ସ୍ଵାଭାବିକତା ଦରକାର ତାହା ଦିଆଯାଇପାରିବ । ଅନ୍ୟମାନେ ଅସ୍ତ୍ରୋପଚାରଦ୍ଵାରା ସମ୍ପୂର୍ଣ୍ଣ ଭଲ ନହେଲେ ମଧ୍ୟ ବେଶ୍ କିଛି ଉପକାର ପାଆନ୍ତି । ପାରାନୋଇଆ ଓ କାଟାଟୋନିଆ ରୋଗୀ ଏହାଦ୍ଵାରା ଅପେକ୍ଷାକୃତ ବିଶେଷ ଉପକୃତ ହୁଅନ୍ତି । ମସ୍ତିଷ୍କ ଅସ୍ତ୍ରୋପଚାର ପରେ ରୋଗ ବେଳେବେଳେ କିଛି ସମୟପାଇଁ ଉପଶମ ହୋଇ ପୁଣି ଲେଉଟିବାର ଦେଖାଯାଏ । ମୋଟାମୋଟି କହିବାକୁ ଗଲେ ଅସ୍ତ୍ରୋପଚାର ପ୍ରଣାଳୀ, ସଠିକ୍ ସ୍ଥାନ ଓ ଅସ୍ତ୍ରୋପଚାର କ୍ଷତର ଆୟତନ ବିଷୟରେ ମତଦ୍ଵୈଧ ଥିବାରୁ ଏହାର ଫଳାଫଳ ବିଷୟରେ ବିଶେଷ କିଛି ଜାଣିହେଉନାହିଁ । କିନ୍ତୁ ସ୍କିଜୋଫ୍ରେନିଆର କାରଣ ନିର୍ଦ୍ଦିଷ୍ଟରୂପେ ନିରୂପିତ ନ ହେଲା ପର୍ଯ୍ୟନ୍ତ ଏହାର ନିଶ୍ଚିନ୍ତ ଓ ଫଳପ୍ରଦ ଚିକିତ୍ସା ବାହାରିପାରିବ ନାହିଁ ।

☆☆☆

 

ଏକାଦଶ ପରିଚ୍ଛେଦ

ଉତ୍‌ଫୁଲ୍ଲ–ବିଷାଦ ପାଗଳାମୀ (ଏମ.ଡି.ପି.)

(Maniac–Depressive Psychosis M.D.P.)

 

ଉତ୍‌ଫୁଲ୍ଲ–ବିଷାଦ ପାଗଳାମୀ ସ୍କିଜୋଫ୍ରେନିଆ ପରି ବ୍ୟାପକ ହେଲେ ମଧ୍ୟ ସୌଭାଗ୍ୟକ୍ରମେ ତାହାପରି ଏତେ ସାଂଘାତିକ ନୁହେଁ । ରୋଗରେ ଉତ୍‌ଫୁଲ୍ଲ ଓ ବିଷାଦ ଏ ଦୁଇ ଅବସ୍ଥା ଗୋଟିକ ପରେ ଗୋଟିଏ ରୋଗୀଠାରେ ଦେଖାଦିଏ । ରୋଗୀ କେତେବେଳେ ଅଫୁରନ୍ତ ଆନନ୍ଦରେ ଉତ୍‌ଫୁଲ୍ଲ ଓ ଆଉ କେତେବେଳେ ଅହେତୁକୀ ବିଷାଦରେ ନିମଗ୍ନ । ଆନନ୍ଦ ଓ ବିଷାଦ, ସୁଖ ଓ ଦୁଃଖ ଯେପରି “ଚକ୍ରବତ୍ ପରିବର୍ତ୍ତନ୍ତେ” । ଏପରି ବିପରୀତ ଲକ୍ଷଣ ଦେଖାଯାଉଥିବାରୁ ଆଗେ ଏହାକୁ ଦୁଇଟି ପୃଥକ୍ ରୋଗ ବୋଲି ଭାବୁଥିଲେ, କିନ୍ତୁ କ୍ରାଏପ୍‌ଲିନ୍ (ଯେ ସ୍କିଜୋଫ୍ରେନିଆ ବିଷୟରେ ବହୁତ ତଥ୍ୟ ପାଇଛନ୍ତି) ସଠିକ୍ ଭାବରେ ଆନନ୍ଦ ଓ ବିଷାଦ–ଏ ଦୁଇ ଅବସ୍ଥାକୁ ଗୋଟିଏ ରୋଗର ଲକ୍ଷଣ ବୋଲି ପ୍ରଥମେ କହିଥିଲେ । ଏଥିରୁ ଆରୋଗ୍ୟ ହେବାର ସମ୍ଭାବନା ଅପେକ୍ଷାକୃତ ଅଧିକ । ଉନ୍ନତ ଚିକିତ୍ସା ପ୍ରଣାଳୀ ଅଭାବରୁ ସ୍କିଜୋଫ୍ରେନିଆ ରୋଗରେ ଡାକ୍ତର ଯେପରି ହତାଶ ହୋଇଯାଆନ୍ତି ଏ ରୋଗରେ ତାଙ୍କୁ ସେପରି ହେବାକୁ ପଡ଼େନାହିଁ । ଏପର୍ଯ୍ୟନ୍ତ ଯାହା ଚିକିତ୍ସା–ପ୍ରଣାଳୀ ଆବିଷ୍କୃତ ହୋଇଛି ତାହାଦ୍ଵାରା ଏମ୍.ଡି.ପି. ଭଲ କରାଯାଇପାରୁଛି ।

 

ଲକ୍ଷଣ

 

ବିଷାଦ–ଅବସ୍ଥା :–ଏ ଅବସ୍ଥା ଚିହ୍ନିବା କଷ୍ଟ ନୁହେଁ । ରୋଗୀର ମୁହଁ ଓ ଚାଲିଚଳନରୁ ଏହା ସହଜରେ ଜଣାଯାଏ । ରୋଗୀ କ୍ଳାନ୍ତ–ଶ୍ରାନ୍ତ ଓ ଚିନ୍ତିତ ଦେଖାଯାଏ । ଲୋକଙ୍କ ସଙ୍ଗେ କଥାବାର୍ତ୍ତା କରେନାହିଁ । ଗଭୀର ଦୁଃଖ ଥିଲାଭଳି ତଳକୁ ମୁହଁପୋତି ବସିଥାଏ । ରୋଗ ପ୍ରଥମେ ଆରମ୍ଭ ହେଲାବେଳେ ପାଖଆଖ ଲୋକ ଭାବନ୍ତି ଯେ ରୋଗୀ ବୋଧହୁଏ କାମ କରି କରି ଅତିଶୟ କ୍ଳାନ୍ତ ହୋଇପଡ଼ୁଛି ବା ତା’ର ସାମୟିକ ମନ ଖରାପ ହେଉଛି । ସେ କ୍ରମେ କ୍ରମେ ସାଙ୍ଗମାନଙ୍କଠାରୁ ଦୂରରେ ରହେ, ରାସ୍ତାରେ ଦେଖିଲେ ଆଡ଼େଇ କରି ଚାଲିଯାଏ । ଯେଉଁ କଥାରେ ଆଗେ ଖୁବ୍ ଯୁକ୍ତିତର୍କ କରୁଥିଲା ଏବେ ସେ ବିଷୟରେ ଉଦାସୀନତା ଦେଖାଏ । ନିଜ କାମରେ ହେଳାକରେ ଓ ଆଗେ ଯେଉଁ କାମ କରୁଥିଲା ସେହି କାମ କରିବାପାଇଁ ଏବେ ବହୁତ ସମୟ ନିଏ । ଛାତ୍ରମାନଙ୍କୁ ରୋଗ ହେଲେ ସେମାନେ ପଢ଼ାପଢ଼ି କରିପାରନ୍ତି ନାହିଁ । କ୍ଲାସ୍‍ରେ ଯାହା ପଢ଼ାହୁଏ ତାହା ନିହାତି ନୀରସ ଜଣାଯାଏ; ପ୍ରିୟ ଶିକ୍ଷକମାନେ ଆଉ ଭଲ ଲାଗନ୍ତିନାହିଁ । ବ୍ୟବସାୟୀ ତା’ କାମଦାମ ବଡ଼ କଷ୍ଟରେ କରେ, କୌଣସି ନୂଆକାମ ହାତକୁ ନିଏନାହିଁ, ଅନେକ ସମୟରେ ଚିଠିପତ୍ରର ଉତ୍ତର ଦିଏନାହିଁ । ଘରଣୀ କେବେ ଘରକାମ ସାରିପାରନ୍ତି ନାହିଁ, ନିଜର ଚେହେରା ପ୍ରତି ଆଦୌ ଦୃଷ୍ଟି ନଦେଇ ବଡ଼ ଅପରିଚ୍ଛନ୍ନ ଦେଖାଯାଆନ୍ତି; ଘରର ସାଧାରଣ କାମ ଆଉ ତୁଲାଇ ପାରନ୍ତି ନାହିଁ । ଜୀବନ ନିହାତି ନିରର୍ଥକ ଓ ଔଦାସ୍ୟମୟ ଜଣାଯାଏ । ରୋଗୀ ନିଜର ଏ ପରିବର୍ତ୍ତନ ଲକ୍ଷ୍ୟକରି ଘୋଡ଼େଇବାକୁ ଚାହେଁ ଓ ଅତି ନିକଟ ସମ୍ପର୍କୀୟମାନଙ୍କ ଛଡ଼ା ଅନ୍ୟମାନଙ୍କ ଆଗରେ ନିଜର ପରିବର୍ତ୍ତନ ଗୋପନ କରିବାରେ ସଫଳ ହୁଏ । କିନ୍ତୁ ନିକଟ ସମ୍ପର୍କୀୟ ଲୋକମାନେ ଭାବନ୍ତି ଯେ ସେ ବୋଧେ ଦୁର୍ବଳତା ଯୋଗୁଁ ଅତିଶୟ କ୍ଳାନ୍ତ ହୋଇ ପଡ଼ୁଛି; ସାଧାରଣ ଡାକ୍ତରଙ୍କ ପାଖକୁ ନେଲେ ସେ ବି ସେଇଆ କହନ୍ତି ଓ ରୋଗୀର ଜଳବାୟୁ ପରିବର୍ତ୍ତନ ପାଇଁ ଉପଦେଶ ଦିଅନ୍ତି । ସମୁଦ୍ରକୂଳରେ କୌଣସି ସ୍ୱାସ୍ଥ୍ୟକର ଜାଗାକୁ ନେଇଯାଇ ଆମୋଦ ପ୍ରମୋଦରେ ନିଯୁକ୍ତ କରି ରଖିବାକୁ ଉତ୍ସାହିତ କରନ୍ତି । ଏହା କରିଲେ ରୋଗୀ ସାଧାରଣତଃ ଆହୁରି ବିଷଣ୍ଣ ହୁଏ । କାରଣ ସେ ସୁସ୍ଥଲୋକଙ୍କ ଭଳିଆ ଏସବୁ ଉପଭୋଗ କରିପାରେନି, ଅନ୍ୟମାନେ ଆନନ୍ଦ ଉତ୍ସବରେ ନିଜକୁ ହଜାଇଦେଇ ପାରୁଥିବାର ଦେଖିଲେ ସେ ନିଜର ଅସାମର୍ଥ୍ୟ ବିଷୟରେ ଆହୁରି ସଚେତ ହୁଏ । ବେଳେବେଳେ ରୋଗୀ ନିଜର କୌଣସି କଳ୍ପିତ ଦୈହିକ ଅସୁସ୍ଥତା ବିଷୟରେ ଚିନ୍ତିତ ହୋଇପଡ଼େ ଓ ଡାକ୍ତର ରୋଗୀ କଥାରେ ବିଶ୍ଵାସ କରି ଔଷଧ ଦେଇ ଚିକିତ୍ସା କରନ୍ତି । ଏପରିକି ଦୈହିକ ଅସୁସ୍ଥତା ଅସ୍ତ୍ରୋପଚାର ଆବଶ୍ୟକ କରୁଥିଲେ ଅସ୍ତ୍ରୋପଚାର ମଧ୍ୟ କରିବସନ୍ତି ।

 

ଏ ରୋଗରେ ଆତ୍ମହତ୍ୟା ସବୁଠାରୁ ବିପଜ୍ଜନକ ଲକ୍ଷଣ । ରୋଗ ହୋଇଛି ବୋଲି ଜାଣି ନପାରି ରୋଗୀର ବନ୍ଧୁବାନ୍ଧବମାନେ ସତର୍କ ନ ରହିଲେ ସେ ଆତ୍ମହତ୍ୟା କରିପାରେ । ତେଣୁ ବହୁତ ସମୟରେ ଆତ୍ମହତ୍ୟା ଏ ରୋଗର ପ୍ରଥମ ଓ ଶେଷ ଲକ୍ଷଣରୂପେ ଦେଖାଦିଏ । ଖୁବ୍ ଯତ୍ନ ସହକାରେ ଆତ୍ମହତ୍ୟାର ଉପାୟ ରୋଗୀ ଠିକ୍ କରିଥାଏ । ବିଷଖାଇ, ପାଣିରେ ବୁଡ଼ି, ନିଆଁ ଲଗାଇ ନିଜକୁ ପୋଡ଼ିଦେଇ ବା ଦଉଡ଼ିରେ ଆତ୍ମହତ୍ୟା କରିବାର ଦେଖାଯାଏ । ତେଣୁ ରୋଗୀକୁ କେବେ କଡ଼ିବରଗା ଥିବା ଘରେ ରଖିବ ନାହିଁ । ସେହିପରି ଦୋତାଲା ତିନିତାଲା ଘରେ ଖୋଲାବାରଣ୍ଡା ଓ ରେଲିଂ ନଥିବା ଝରକା ଥିଲେ ସେଠାରେ ତାକୁ ରଖିବ ନାହିଁ । ବେଳେବେଳେ ରୋଗୀ ମରିବା ଆଗରୁ ନିଜ ଛୁଆପିଲାଙ୍କୁ ମାରିପକାଏ । ଆଟମ୍‌ବୋମା ବିସ୍ଫୋରଣରୁ ଖସୁଥିବା ମାରାତ୍ମକ ଧୂଳିକଣାରୁ ରକ୍ଷା କରିବାପାଇଁ ବା ବଞ୍ଚିରହିବାର ଅପରିସୀମ ଦୁଃଖରୁ ମୁକ୍ତି ଦେବାପାଇଁ ସେ ପିଲାମାନଙ୍କୁ ମାରି ଦେଇଛି ବୋଲି ଲେଖିଦେଇ ଯାଏଁ ।

 

ଦୈହିକ ଓ ମାନସିକ–ଉଭୟ ପ୍ରକାର ରୋଗ ଲକ୍ଷଣନେଇ ରୋଗୀ ଡାକ୍ତରଙ୍କ ପାଖକୁ ଆସେ । କିନ୍ତୁ ପ୍ରକୃତରେ ଏଗୁଡ଼ିକ ଅନ୍ତନିର୍ହିତ ମାନସିକ ବ୍ୟାଧିର ବହିଃପ୍ରକାଶ ମାତ୍ର । ନିଜର ଆଗ୍ରହ ହଠାତ୍ କମିଯାଇଛି ଓ ସବୁ କଥା ନୀରସ ଲାଗୁଛି, ଶୀଘ୍ର ଭାବିପାରୁନି ବା କାମ କରିପାରୁନି, ବିଚାରଶକ୍ତିର ଦୁର୍ବଳତା ଓ ଅସାମର୍ଥ୍ୟ ପ୍ରଭୃତି ବହୁତ ଲକ୍ଷଣ ଦେଖାଯାଉଛି ବୋଲି ରୋଗୀ ଡାକ୍ତରଙ୍କୁ କହେ । ଦୈହିକ ଲକ୍ଷଣ ଭିତରେ କୋଷ୍ଠକାଠିନ୍ୟ, ଅନିଦ୍ରା, ହାତଗୋଡ଼ ଭାରୀ ଭାରୀ ଲାଗିବା, ଅଗ୍ନିମାନ୍ଦ୍ୟ, ମୁଣ୍ଡ ଓ ଛାତିକୁ କିଏ ଚାପି ଧରିଲା ଭଳିଆ ଅସୁସ୍ଥତା ବୋଧ କରିବା ପ୍ରଭୃତି ଦେଖାଦିଏ । ସବୁ ପ୍ରକାର ପରୀକ୍ଷା କରି କୋଷ୍ଠକାଠିନ୍ୟ ବା ଅନିଦ୍ରା ପ୍ରଭୃତିକୁ ଚିକିତ୍ସା କଲେ ମଧ୍ୟ ରୋଗୀ ସନ୍ତୁଷ୍ଟ ହୁଏ ନାହିଁ; ବରଂ ନୂଆ ନୂଆ ରୋଗର ଲକ୍ଷଣ ସବୁ ଦେଖାଯାଉଛି ବୋଲି କହେ । ନିଜର ଏହି ଦୈହିକ ଓ ମାନସିକ ରୋଗ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ରୋଗୀ ନାନାପ୍ରକାର ଉଦ୍‍ବେଗ ଦେଖାଏ । ନିଜେ ପାଗଳ ହୋଇ ଯାଉଛି ବୋଲି ଭାବି ରୋଗୀ ଆତଙ୍କିତ ହୁଏ ଓ ପାଖରେ ଥିବା ଲୋକମାନଙ୍କୁ ସବୁବେଳେ ଜାକିଧରି ରହିବାକୁ ଚାହେଁ ।

 

କିଛିଦିନ ପାଇଁ ରୋଗ ଆରମ୍ଭରେ ଉଦାସୀନତା ଏକମାତ୍ର ଲକ୍ଷଣରୂପେ ଦେଖା ଦେଇପାରେ, କିନ୍ତୁ ଶୀଘ୍ର ରୋଗୀ ବିଷଣ୍ଣ ହେବାକୁ ଆରମ୍ଭ କରେ । ଏ ବିଷାଦ ଅଳ୍ପରୁ ବେଶୀ ଯେକୌଣସି ମାତ୍ରାରେ ଦେଖାଦିଏ । ସବୁ ରୋଗୀଙ୍କଠାରେ ସୁଖକର ବା ଦୁଃଖକର ଘଟଣାରେ ସୁଖ ବା ଦୁଃଖ ଅନୁଭବ କରିବା କ୍ଷମତା ବହୁତ କମିଯାଏ । ଭଲ ବା ମନ୍ଦ ଯେକୌଣସି ଘଟଣାର ମନରେ ବିଷାଦ ଆଣିଦିଏ । ସୁଖକର ଘଟଣାର ପରିଣତି କିପରି ଦୁଃଖମୟ ହୋଇପାରେ ଏହା ଭାବି ଭାବି ରୋଗୀ ସୁଖକର ପରିସ୍ଥିତିରେ ମଧ୍ୟ ବିଷଣ୍ଣ ହୁଏ । ମନେକର ରୋଗୀର ପୁଅ ଭଲ ଡିଭିଜନ୍‍ରେ ଇଞ୍ଜିନିୟରିଙ୍ଗ ପାସ୍‌ କରିଛି । ଏ ଖବର ପାଇ ସେ ଭାବେ ଯେ ଭଲ ଡିଭିଜନ୍‍ରେ ପାସ୍‌ କଲେ କ’ଣ ହେବ ପୁଅକୁ ତ ସାଙ୍ଗେ ସାଙ୍ଗେ ଚାକିରି ମିଳିବନି । ଏହା ଭାବି ଭାବି ସେ ହତାଶ ହୋଇପଡ଼େ ।

 

ଏମ୍.ଡି.ପି. ରୋଗୀର ବୁଦ୍ଧି ବା ବିଚାରଶକ୍ତି କମିଯାଇଥିବାର ଜଣାପଡ଼େ । ସ୍ମୃତିଭ୍ରଂଶ ଓ ନିଜର ଭାବନା ପ୍ରକାଶ କରିବାରେ ଅକ୍ଷମତା ଏହାର ଆଉ ଦୁଇଟି ଲକ୍ଷଣ । କିନ୍ତୁ ରୋଗ ଭଲ ହେବା ସଙ୍ଗେ ସଙ୍ଗେ ଏ ସବୁ ସ୍ଵାଭାବିକ ହୋଇଯାଏ । ରୋଗୀ କୌଣସି ଜଟିଳ–କଥା ବୁଝିପାରେ ନାହିଁ, ବିଚାରଶକ୍ତି ହୀନତା ଉପଲବ୍ଧି କରି ଖୁବ୍ ବିଚଳିତ ହୁଏ । ମୋଟଉପରେ ତା’ର ମାନସିକ କ୍ରିୟାକଳାପ ପଛେଇ ଯାଏଁ । ପୁଣି ଏଇୟା ଭାବି ଭାବି ସେ ଆହୁରି ବିଷଣ୍ଣ ହୋଇପଡ଼େ । ନୈରାଶ୍ୟ ଓ ଦୁଃଖ ଉଦ୍ରେକ କରୁଥିବା କଥା ରୋଗୀ ବରାବର ଭାବିବାକୁ ଲାଗେ । ଆସ୍ତେ ଆସ୍ତେ ସେ ଆଉ କୁଆଡ଼େ ଚଲାବୁଲା କରେ ନାହିଁ; ଜଡ଼ ଭଳିଆ ବସିରହେ । କିନ୍ତୁ କାଟାଟୋନିଆ ରୋଗୀ ଭଳି ଏ ଜଡ଼ତା ଏତେ ବ୍ୟାପକ ନୁହେଁ । ଏମ୍‌.ଡି.ପି. ରୋଗୀ ନିଜକୁ ସଫାସୁତୁରା ରଖିପାରେ ଓ କାଟାଟୋନିଆ ରୋଗୀ ଭଳି ଯଦିଓ ସମୟେ ସମୟେ କୁଆଡ଼େ ଚଲାବୁଲା କରେନି ତଥାପି ବିଛଣାରେ ଝାଡ଼ା ପରିସ୍ରା କରେ ନାହିଁ ।

 

ସାଧାରଣତଃ ସକାଳୁ ସେ ବେଶୀ ବିଷଣ୍ଣ ଦେଖାଯାଏ, ସନ୍ଧ୍ୟାବେଳକୁ ବିଷାଦ କଟିଯାଇ ତାକୁ ଅପେକ୍ଷାକୃତ ସୁସ୍ଥ ଲାଗେ । ପ୍ରତ୍ୟେକ ଦିନ ଏହା ହୁଏ । ଅତିଶୟ ବିଷାଦ ହେତୁ ରୋଗୀ ଚୁପ୍‌ଚାପ୍‌ ବସିରହିବା ଦେଖି ସାଧାରଣ ଲୋକେ ଭାବନ୍ତି ଯେ ସେ କିଛି ବୁଝୁନି ବା ଜାଣୁନି-। ତେଣୁ ତା’ ଆଗରେ ତା’ ମନକୁ ଆଘାତ ଲାଗିଲା ଭଳି ଅନେକ କଥା କହନ୍ତି । ଏ ସବୁ କହିବା ଉଚିତ ନୁହେଁ । କାରଣ ରୋଗୀ ସବୁ ବୁଝୁଥାଏ ଓ କିଏ କ’ଣ କହିଲା ତାହା ପରିଷ୍କାର ମନେ ରଖିଥାଏ ।

 

ଉତ୍‌ଫୁଲ୍ଲ ଅବସ୍ଥା–ଅପେକ୍ଷାକୃତ ଅଳ୍ପ ରୋଗୀଙ୍କଠାରେ ଏ ଅବସ୍ଥା ଦେଖାଦିଏ । ବିଷାଦ ଅବସ୍ଥା ପରି ଏହା ଏତେ ବ୍ୟାପକ ନୁହେଁ । ଉତ୍‌ଫୁଲ୍ଲ ଅବସ୍ଥାରେ ରୋଗୀ ପୂରାପୂରି ସୁସ୍ଥ ଦେଖାଯାଏ । ତାହାର କୌଣସି ଦୈହିକ ବିକୃତି ଦେଖାଯାଏ ନାହିଁ । ରୋଗ ଆରମ୍ଭରୁ ରୋଗୀ ସାମାନ୍ୟ ବିଷଣ୍ଣ ଦେଖାଯାଇପାରେ । କିନ୍ତୁ ପରେ ଖୁବ୍‌ ଶୀଘ୍ର ଉତ୍‌ଫୁଲ୍ଲ ଅବସ୍ଥା ଆସିଯାଏ ।

 

ରୋଗୀ ସକାଳୁ ଉଠେ, ୬।୭ଟା ବେଳକୁ ନିତ୍ୟକର୍ମ ସାରି ବେଶ୍‌ ଖୁସିବାସିରେ ଦିନ କଟାଇବ ବୋଲି ଠିକ୍‌ କରେ । ଗୃହିଣୀ ହୋଇଥିଲେ ସକାଳୁ ସକାଳୁ ତାଙ୍କର ସବୁ କାମ ସରିଯାଇଥାଏ । ତା’ପରେ ବେଶବାସ ହୋଇ ସେ ସାଙ୍ଗମାନଙ୍କ ଘରକୁ ବୁଲିଯାଆନ୍ତି । ବେଳେବେଳେ ତାଙ୍କ ପରିଚ୍ଛଦ ସୁରୁଚିସମ୍ପନ୍ନ ହୋଇ ନଥାଏ । ଅର୍ଥାତ୍‌ ରାତିରେ ପିନ୍ଧି ବୁଲିଯିବା ଶାଢ଼ି ଦିପହରେ ପିନ୍ଧନ୍ତି ବା ଅତି ଗାଢ଼ରଙ୍ଗର ଶାଢ଼ି ସବୁବେଳେ ପିନ୍ଧିଥାଆନ୍ତି । ରୋଗୀ ଟିକିଏ କଥାରେ ହସି ଉଠେ; ସମସ୍ତଙ୍କ ସାଙ୍ଗେ ବନ୍ଧୁଭାବ, କିନ୍ତୁ ସେସବୁ ଉପରଠାଉରିଆ । ଉପରେ ପଡ଼ି କଥାକହିବା ଓ ପୁରୁଷ ରୋଗୀ ହୋଇଥିଲେ ସ୍ତ୍ରୀଲୋକଙ୍କ ସଙ୍ଗେ ବନ୍ଧୁତ୍ଵ କରି କାମଲିପ୍ସା ଚରିତାର୍ଥ କରିବା ଏମାନଙ୍କର ଆଉ ଗୋଟିଏ ଲକ୍ଷଣ । ସମୟେ ସମୟେ କାମଲିପ୍ସା ଏତେ ପ୍ରବଳ ହୁଏ ଯେ ରୋଗୀର ସଂଯମ ଭାଙ୍ଗିଯାଏ ଓ ସେଥିପାଇଁ ସ୍ତ୍ରୀରୋଗୀମାନେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତି ।

 

ରୋଗୀର ଅଫୁରନ୍ତ ବଳବୀର୍ଯ୍ୟ ଥିଲାଭଳି ଜଣାପଡ଼େ । କାରଣ ସେ କେବେ କ୍ଳାନ୍ତ ହୁଏନାହିଁ ଯଦିଓ ଏକାଧିକ କାମରେ ବରାବର ଲାଗିଥାଏ । ଜଣାଅଜଣା ସମସ୍ତଙ୍କ ପାଖକୁ ଚିଠି ଲେଖେ ଓ ତା’ର ଯେଉଁଥିରେ ଆଦୌ ବ୍ୟସ୍ତ ହେବା କଥାନୁହେଁ ସେ ସବୁ ବିଷୟରେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଏ । ବିଭିନ୍ନ ସଭା ସମିତିର ସଭ୍ୟହେବା ଓ ଉତ୍ସାହିତ ହୋଇ କାମକରିବା ରୋଗୀର ବ୍ୟକ୍ତିତ୍ୱର ଏକଅଂଶ । କିନ୍ତୁ ଏତେ କାମଦାମ କଲେବି ସେସବୁ ବ୍ୟର୍ଥ ହୁଏ-। କାରଣ ସ୍ଥାନକାଳପାତ୍ର ବିଚାର ନ କରି, ଭାଗମାପ ନ ରଖି ରୋଗୀ କାମ କରିଯାଉଥାଏ-। ନିଜେ ଜୀବନକୁ ଖୁବ୍‌ ଭୋଗ କରୁଛି ଓ ନିଜର ବଳ ବହୁତ ଅଛି–ଏ ସବୁ ରୋଗୀ ବିଶ୍ଵାସ କରେ-। ତାକୁ ଡାକ୍ତରଙ୍କ ପରାମର୍ଶ କଥା କହିଲେ ତାଚ୍ଛଲ୍ୟ କରେ; ଡାକ୍ତର ଉପଦେଶ ଦେଲେ ଆଦୌ ଗ୍ରହଣ କରେ ନାହିଁ । କୌଣସି ଦୈହିକ ରୋଗ ଲକ୍ଷଣ ଦେଖାଯାଉ ନଥିବାରୁ ତାକୁ ଡାକ୍ତରଙ୍କ ପାଖକୁ ଆଣିବା କଷ୍ଟ । ଲୋକେ ଚାହାଁନ୍ତୁ ବା ନ ଚାହାଁନ୍ତୁ ସେ ଗପକରେ ଓ ମଝିରେ ମଝିରେ ସାଙ୍ଗମାନଙ୍କୁ ଆଘାତ ଦେଲାଭଳିଆ ଥଟାତାମସା କରେ । ସମସ୍ତଙ୍କୁ କାମ ବତାଉଥିବାରୁ ଓ ଯେଉଁଠିକୁ ଗଲେ ସେ ଜାଗାଟା ଯେମିତି ନିଜର ଏଇ ରକମ ବ୍ୟବହାର କରୁଥିବାରୁ ତାକୁ ଲୋକେ ଚିଡ଼ନ୍ତି ଓ ସେଥିରୁ କଳିଉପୁଜେ । ରୋଗୀ ଏ ଅବସ୍ଥାରେ ଖୁବ୍‌ ରାଗିଯାଏ, କିନ୍ତୁ ପରମୁହୂର୍ତ୍ତରେ ପୁଣି ଉତ୍‌ଫୁଲ୍ଲ ହୋଇଉଠେ । କାହାର ଦୁଃଖରେ ହୁଏତ ସାମୟିକ ଭାବରେ ସହାନୁଭୂତିଶୀଳ ହୋଇ ଦୁଃଖିତ ହୋଇପାରେ । କିନ୍ତୁ ତାହା କ୍ଷଣସ୍ଥାୟୀ, ତା’ର କଥାବାର୍ତ୍ତା ଓ ଭାବନାରେ ମଧ୍ୟ ଏହି ପ୍ରକାର ଚିତ୍ତଚାଞ୍ଚଲ୍ୟ ଦେଖାଯାଏ । କୌଣସି ଗୋଟିଏ କଥା ବେଶୀ ସମୟ ସେ ଭାବିପାରେନି-। ରୋଗୀର କଥାବାର୍ତ୍ତାରେ ଅପ୍ରାସଙ୍ଗିକତା ଦେଖାଯାଏ, କାରଣ ଯାହା ମନରେ ଆସିଲା ସେ ବିଷୟ କହିବାକୁ ଲାଗେ । ତେଣୁ ଗୋଟିଏ କଥା ନ ସରୁଣୁ ଆଉ ଗୋଟିଏ କଥା ଆରମ୍ଭ କରେ-। ରୋଗର ସାଂଘାତିକ ଅବସ୍ଥାରେ ସେ ଗୋଟିଏ ବାକ୍ୟ ମଧ୍ୟ ସମ୍ପୂର୍ଣ୍ଣଭାବେ କହିପାରେନି, ଏପରି ଅତିଶୟ ଚଞ୍ଚଳତା ହେତୁ ତା’ର ବୁଦ୍ଧି ପରୀକ୍ଷା କରାଯାଇପାରେନାହିଁ, କାରଣ ଧୈର୍ଯ୍ୟ ଧରି ସେ ପରୀକ୍ଷାର ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବ ନାହିଁ ।

 

ସେ ଖୁବ୍‌ ବଡ଼ ବା ଲୋକେ ତା’ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ଏହିପରି ଅଳୀକ ଭାବନା ତା’ ମନରେ ବେଳେବେଳେ ଦେଖାଦିଏ । କିନ୍ତୁ ଏଗୁଡ଼ିକ ବେଶୀ ସମୟ ରହେ ନାହିଁ । ଉତ୍‌ଫୁଲ୍ଲ ଅବସ୍ଥାରେ ରୋଗୀ ଅତ୍ୟନ୍ତ ଉତ୍ତେଜିତ ହୁଏ ଏବଂ ସେତେବେଳେ ସେ ଅର୍ଥହୀନ ପ୍ରଳାପ କରେ । ତା’ର ଭ୍ରାନ୍ତଧାରଣା ସବୁ ଦେଖାଦିଏ । ନିଦ ହେବାରେ ଗୋଳମାଳ ହୁଏ ଓ ରୋଗୀ ଅତ୍ୟନ୍ତ ଦୁର୍ବଳ ହୋଇପଡ଼େ । ଓଜନ କମିଯାଏ ଓ ଅବିରତ କାମ କରୁଥିବାରୁ ସେ ଖୁବ୍‌ କ୍ଳାନ୍ତି ବୋଧକରେ । ଠିକ୍‌ କରି ଖିଆପିଆ କରେନାହିଁ । ଏ ଅବସ୍ଥା ସମ୍ଭାଳି ନ ପାରିଲେ ରୋଗୀର ଜୀବନ ବିପନ୍ନ ହୁଏ ।

 

କେତେକ ରୋଗୀ କେବଳ ବିଷାଦ ବା ଉତ୍‌ଫୁଲ୍ଲ ଅବସ୍ଥା ଭୋଗ କରନ୍ତି । ଆଉ କେତେକ ରୋଗୀଙ୍କଠାରେ ବିଷାଦ ଓ ଉତ୍‌ଫୁଲ୍ଲତା–ଏ ଦୁଇଟି ଗୋଟିଏ ପରେ ଗୋଟିଏ କ୍ରମାନ୍ୱୟରେ ଦେଖାଯାଏ । ମଝିରେ ମୋଟେ ରୋଗ ନଥିବା ଅବସ୍ଥା ଆସେନାହିଁ । ଆଉ କେତେକ ରୋଗୀଙ୍କର ଗୋଟିଏ ଅବସ୍ଥା ଭଲ ହେବାପରେ କିଛିଦିନ ପାଇଁ ରୋଗୀ ଆରୋଗ୍ୟ ହୋଇଯାଏ । ତା’ପରେ ହଠାତ୍ ଦିନେ ସକାଳୁ ଆର ଅବସ୍ଥାଟି ଦେଖାଯାଏ ।

 

ଏମ୍‌.ଡି.ପି.ର ଅନୁକୂଳ ଅବସ୍ଥା–ହଜାରକରେ ତିନି ଚାରିଜଣ ଲୋକଙ୍କୁ ଏମ୍‌.ଡି.ପି. ହେବାର ସମ୍ଭାବନା । ଇହୁଦୀ ଓ ଧନୀ ଲୋକଙ୍କଠାରେ ଏ ରୋଗ ବେଶୀ ଦେଖାଯାଏ ବୋଲି କହନ୍ତି । ବଂଶଗତ କାରଣ ଉପରେ ଏମ୍‌.ଡି.ପି. ଅନେକାଂଶରେ ନିର୍ଭର କରେ । ଦେଖାଯାଇଛି ଯେ ଏମ୍‌.ଡି.ପି. ରୋଗୀମାନଙ୍କର ବାପ ମା’ ଭିତରୁ ଶତକଡ଼ା ୧୦.୨ ଏ ରୋଗ ଭୋଗୁଛନ୍ତି ଏବଂ ସେହିପରି ଏ ରୋଗୀମାନଙ୍କର ପିଲାପିଲିଙ୍କ ଭିତରୁ ଶତକଡ଼ା ୧୨.୮ ଜଣଙ୍କୁ, ଭାଇଭଉଣୀଙ୍କ ଭିତରୁ ଶତକଡ଼ା ୯.୧ ଜଣଙ୍କୁ ଓ ଝିଆରୀ ପୁତୁରାଙ୍କ ଭିତରୁ ଶତକଡ଼ା ୨.୩ ଜଣଙ୍କୁ ଏମ୍‌.ଡି.ପି. ହୋଇଛି । ଆଉ ଗୋଟିଏ ପରୀକ୍ଷାରେ ୨୩ଟି ସମଖଣ୍ଡ ବିଶିଷ୍ଟ (Uniovular) ଯମଜଙ୍କୁ ନିଆଗଲା । ଏପରି ୨୩ଟି ଯୁଗ୍ମ ଭିତରୁ ପ୍ରତ୍ୟେକ ଯୁଗ୍ମରେ ଜଣଙ୍କୁ ଏମ୍‌.ଡି.ପି. ହୋଇଥିଲା । ଦେଖାଗଲା ଯେ ୨୨ଟି ଯୁଗ୍ମରେ ଜଣଙ୍କୁ ଏମ୍‌.ଡି.ପି. ହେଲେ ଆର ଜଣଙ୍କୁ ସେହି ରୋଗ ହୋଇଛି-। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଏମ୍‌.ଡି.ପି. କେତେକାଂଶରେ ବଂଶଗତ ।

 

ଏମ୍‌.ଡି.ପି. ହେବା ଲୋକଙ୍କର ଶାରୀରିକ ଗଠନ ଓ ବ୍ୟକ୍ତିତ୍ୱରେ ଏକପ୍ରକାର ବିଶେଷତ୍ୱ ଦେଖାଯାଏ । ସାଧାରଣତଃ ଏମାନେ ମୋଟାସୋଟା ଲୋକ, ଏମାନଙ୍କର ପେଟ ବାହାରି ପଡ଼ିଥାଏ, କାନ୍ଧ, ଅଣ୍ଟା ବେଶ୍ ଚଉଡ଼ା । ସବୁବେଳେ ଖୁସିବାସିରେ ଥାଆନ୍ତି । ଅନ୍ୟ କଥାରେ ଏମାନେ ହେଲେ ମଉଜିଆ ଲୋକ । କିନ୍ତୁ ଟିକେ କଥାରେ ରାଗିଗଲେ ଖୁବ୍‌ ମାରପିଟ କରନ୍ତି । ସାଧାରଣତଃ ଏମାନଙ୍କୁ ସହଜରେ ଖୁସି ବା ବିରକ୍ତ କରାଯାଇପାରିବ । ଏମାନେ ଖାମ୍‍ଖିଆଲି ଓ ସୁସ୍ଥି ପ୍ରକୃତିର ଲୋକ । ଏମ୍‌.ଡି.ପି. ରୋଗୀଙ୍କ ଘରଲୋକମାନେ ସାଧାରଣତଃ ଏହି ପ୍ରକାରର । ସ୍କିଜୋଫ୍ରେନିଆ ରୋଗୀ ସ୍ୱାଭାବିକ ଅବସ୍ଥାରେ ଏ ବ୍ୟକ୍ତିତ୍ୱର ଠିକ୍‌ ବିପରୀତ ବ୍ୟକ୍ତିତ୍ୱ ଦେଖାଏ । ସେ ଡେଙ୍ଗା ଓ ପାତଳା । ଲୋକଙ୍କ ସାଙ୍ଗେ ମିଶେନି, ଖୁସିବାସି ପ୍ରକୃତିର ଆଦୌ ନୁହେଁ । ତେଣୁ ଏ ଦୁଇଟି ବ୍ୟକ୍ତିତ୍ୱ ପରସ୍ପରର ବିପରୀତ । ଏମ୍‌.ଡି.ପି. ଅନୁକୂଳ ବ୍ୟକ୍ତିତ୍ୱକୁ ଇଂରାଜୀରେ ସାଇକ୍ଲଏଡ଼୍ (Cycloid) ଓ ସ୍କିଜୋଫ୍ରେନିଆ ଅନୁକୂଳ ବ୍ୟକ୍ତିତ୍ୱକୁ ସ୍କିଜଏଡ଼୍ (Schizoid) କହନ୍ତି । କିନ୍ତୁ ଏଠାରେ ମନେରଖିବାକୁ ହେବ ଯେ ସବୁ ଏମ୍‌.ଡି.ପି.ଙ୍କର ସାଇକ୍ଲଏଡ଼୍ ବା ସବୁ ସ୍କିଜୋଫ୍ରେନିଆ ରୋଗୀଙ୍କର ସ୍କିଜଏଡ଼୍ ବ୍ୟକ୍ତିତ୍ୱ ନାହିଁ ।

 

ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକର ଅନିୟମିତ କ୍ଷରଣ ଯୋଗୁଁ ଏମ୍‌.ଡି.ପି. ହୁଏ ବୋଲି କେତେକଙ୍କର ମତ । ଏହାର ସପକ୍ଷରେ ସେମାନେ କେତେଗୁଡ଼ିଏ ଦୃଷ୍ଟାନ୍ତ ଦିଅନ୍ତି । ଦେଖାଯାଇଛି ଯେ ସ୍ତ୍ରୀଲୋକମାନଙ୍କ ବିଷାଦ ଅବସ୍ଥା ସାଧାରଣତଃ ଋତୁ ବନ୍ଦ (Menopause) ବେଳେ ଆସେ । ଫୁଣି ଏମ୍‌.ଡି.ପି. ହେଲାବେଳେ ଋତୁରେ ଅନିୟମିତତା ଦେଖାଯାଏ । ଥାଇରଏଡ଼୍ ଗ୍ରନ୍ଥିରେ ରୋଗ ହେବାରୁ ଗ୍ରନ୍ଥିକୁ ଅସ୍ତ୍ରୋପଚାରଦ୍ୱାରା କାଢ଼ିନିଆଗଲାପରେ ଉତ୍‌ଫୁଲ୍ଲ ଅବସ୍ଥା ଦେଖାଯାଏ । ସେହିପରି ପିଟୁଇଟାରି ଗ୍ରନ୍ଥିରେ କେତେକ ପ୍ରକାର ରୋଗ ହେଲେ ବିଷାଦ ଅବସ୍ଥା, ଆନୁସଙ୍ଗିକ ଲକ୍ଷଣ ଭାବରେ ଦେଖାଦିଏ । ଏସବୁରୁ ଜଣାଯାଇଛି ଯେ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକର କ୍ଷରଣ ସହିତ ଏମ୍.ଡି.ପି.ର କିଛି ସମ୍ବନ୍ଧ ଅଛି । କିନ୍ତୁ ଏହା ସବୁବେଳେ ଠିକ୍‌ ନୁହେଁ । କାରଣ ସ୍ତ୍ରୀଲୋକମାନଙ୍କର ଋତୁ ଆରମ୍ଭବେଳେ ଉତ୍‌ଫୁଲ୍ଲ ବା ବିଷାଦ କୌଣସି ଅବସ୍ଥା ଦେଖିବାକୁ ମିଳେନାହିଁ । ପୁଣି କେତେକ ସ୍ଥଳରେ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକ ରୋଗଗ୍ରସ୍ତ ହେଲେ ମଧ୍ୟ ଆବେଗମୟ ଜୀବନରେ କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ ।

 

ସ୍ତ୍ରୀଲୋକଙ୍କଠାରେ ଏ ରୋଗ ବେଶୀ ଦେଖାଯାଏ । ଏମ୍.ଡି.ପି. ରୋଗୀଙ୍କ ଭିତରେ ୩ ଭାଗ ସ୍ତ୍ରୀ ହେଲେ ୨ ଭାଗ ପୁରୁଷ ଥାଆନ୍ତି । କିନ୍ତୁ ଏହା ଅନ୍ୟ କାରଣ ଯୋଗୁଁ ଦେଖାଯାଇପାରୁଥାଏ । ବୋଧହୁଏ ସ୍ତ୍ରୀରୋଗୀମାନେ ଡାକ୍ତରଙ୍କ ପାଖକୁ ବେଶୀ ଯାଆନ୍ତି, ପୁରୁଷମାନେ ନିଜ କାମ କମେଇ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ । ପୁଣି ପୁରୁଷମାନେ ନିଶା ଖାଇ ନିଜର ବିଷାଦ ବା ଉତ୍‌ଫୁଲ୍ଲ ଅବସ୍ଥାକୁ ସହିନେଇ ପାରନ୍ତି ଓ ଡାକ୍ତରଙ୍କ ପାଖକୁ ପୁରାତନ ମଦ୍ୟପ ବା ଅଫିମଖୋର୍ ହିସାବରେ ଯାଆନ୍ତି, ଏମ୍‌.ଡି.ପି. ରୋଗୀ ହିସାବରେ ନୁହେଁ । ତେଣୁ ପୁରୁଷ ରୋଗୀଙ୍କ ସଂଖ୍ୟା ସ୍ତ୍ରୀରୋଗୀଙ୍କଠାରୁ କମ୍ ହୋଇପାରେ ।

 

ସଂକ୍ରାମକ ଏନ କେଫାଲାଇଟିସ୍‌ ବା ସେହିପ୍ରକାର ମସ୍ତିଷ୍କ ରୋଗ ପରେ ବିଷାଦ ଅବସ୍ଥା ଦେଖାଯାଏ । ଏଥିରୁ ଜଣାଯାଉଛି ଯେ ମସ୍ତିଷ୍କରେ କୌଣସି ରୋଗ ଏମ୍‌.ଡି.ପି.ର ଆଶିଂକ କାରଣ ହୋଇପାରେ । ଅନ୍ୟ ପାଗଳାମି ପରି ଏମ୍‌.ଡି.ପି ରୋଗ ମଧ୍ୟ ପ୍ରିୟଜନଙ୍କର ମୃତ୍ୟୁ ବା ପ୍ରେମରେ ହତାଶା ପ୍ରଭୃତି ଆବେଗମୟ କାରଣରୁ ଆରମ୍ଭ ହୋଇପାରେ । ବିଶେଷତଃ ଏପରି କିଛି ଦୁଃଖଦାୟକ ଘଟଣା ପରେ ବିଷାଦ ଅବସ୍ଥା ଆରମ୍ଭ ହେଲେ ତାହା ରୋଗ ବୋଲି ଜଣାପଡ଼ିବା କଷ୍ଟକର । ସମୟକ୍ରମେ ଆସ୍ତେ ଆସ୍ତେ ଏପରି ଦୁଃଖ କମିଯିବା କଥା । କିନ୍ତୁ ରୋଗ ଆକ୍ରମଣ କରିଥିଲେ ତାହା ହୁଏନା–ଦୁଃଖ ଆହୁରି ଗଭୀର ହେଉଥିବାର ଜଣାପଡ଼େ । ସେତେବେଳେ ବନ୍ଧୁବାନ୍ଧବମାନେ ଏପରି ଅସ୍ୱାଭାବିକତା ଲକ୍ଷ୍ୟ କରି ଚିକିତ୍ସାପାଇଁ ରୋଗୀକୁ ଆଣନ୍ତି ।

 

ଚିକିତ୍ସା–ଇଲେକ୍‌ଟ୍ରିକ ଶକ୍‌ ଚିକିତ୍ସା ଏ ରୋଗରେ ପ୍ରୟୋଗ କରାଯାଏ କିନ୍ତୁ ଏହା ଦେବା ପୂର୍ବରୁ କିଛିଦିନ ଅପେକ୍ଷା କରିବା ଉଚିତ । କାରଣ ବହୁତ ଲୋକଙ୍କର ଏମ୍.ଡି.ପି. ଛାଏଁ ଛାଏଁ ଭଲ ହେବାର ଦୃଷ୍ଟାନ୍ତ ଅଛି । ଯଦି ଆପେଆପେ ଭଲ ହୋଇଯିବ ତେବେ ରୋଗୀକୁ ଇଲେକ୍‌ଟ୍ରିକ୍ ଶକ୍‌ ଭଳି ଗୁରୁତର ଚିକିତ୍ସା ପ୍ରୟୋଗ କରିବା ଅନୁଚିତ ।

 

ପ୍ରଥମେ ରୋଗୀକୁ ଆସନ୍ନ ବିପଦରୁ ରକ୍ଷା କରିବା ଉଚିତ । କୁହାଯାଇଛି ଯେ ରୋଗୀର ଆତ୍ମହତ୍ୟା କରିବାର ଇଚ୍ଛାଥାଏ । ତେଣୁ ରୋଗୀକୁ ସବୁବେଳେ ନଜରରେ ରଖିବା ଉଚିତ । ଘରେ ଏହା ସମ୍ଭବ ନହେଲେ ମାନସିକ–ଚିକିତ୍ସାଳୟକୁ ନେଇ ଆସିବା ଦରକାର । ରୋଗୀ ବିଷାଦଗ୍ରସ୍ତ ଥିଲାବେଳେ ତାକୁ ଅବହେଳା କରିବନି । ଯେତେ ଚୁପ୍‌ଚାପ୍‌ ବସିଥାଉ ନା କାହିଁକି ତା’ ପ୍ରତି ସବୁବେଳେ ସହାନୁଭୂତି ଦେଖାଇବ । ତାକୁ ଇଆଡ଼ୁ ସିଆଡ଼ୁ କହି ମନଖୁସି କରିବାପାଇଁ ଚେଷ୍ଟା କରିବା ବୃଥା । ସେହିପରି ତାକୁ ମଉଜ ମଜଲିସ୍‌ରେ ରଖିବାପାଇଁ ବ୍ୟବସ୍ଥା କରିବା ଅନୁଚିତ । କୁହାପୋଛା କରି ମାନସିକ ଚିକିତ୍ସାଳୟରେ ଭର୍ତ୍ତି ହେବାପାଇଁ ତାକୁ ରାଜି କରାଇବାକୁ ହେବ । ବିଶେଷତଃ ବିଷାଦଗ୍ରସ୍ତ ରୋଗୀ ସହଜରେ ଖାଇବାକୁ ମଙ୍ଗନ୍ତି ନାହିଁ, ନିଦ ସହଜରେ ହୁଏ ନାହିଁ । ତେଣୁ ତାଙ୍କର ଦୈହିକ ସ୍ୱାସ୍ଥ୍ୟ କିପରି ଭଲ ରହିବ ତା’ର ବ୍ୟବସ୍ଥା କରିବ । ନାକବାଟେ ବା ଜବରଦସ୍ତ ଚାମଚରେ ଖୁଆଇବାକୁ ପଡ଼ିପାରେ । ନିଦ ନ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଦ ଔଷଧ ଦେବାକୁ ହେବ । ଶକ୍‌ ଚିକିତ୍ସା ପରେ ରୋଗୀ ଆରୋଗ୍ୟ ଲାଭ କରୁଥିବା ଅବସ୍ଥାରେ ପୁଣି ଆତ୍ମହତ୍ୟା କରିବାର ଇଚ୍ଛା ଦେଖାଯାଏ । ତେଣୁ ସେଥିପ୍ରତି ସାବଧାନ ରହିବା ଉଚିତ । ଭଲ ହୋଇ ଆସୁଥିବା ଅବସ୍ଥାରେ ତାକୁ ଅନ୍ୟ ରୋଗୀମାନଙ୍କ ସଙ୍ଗେ ମିଳାମିଶା କରିବାକୁ ଉତ୍ସାହ ଦେବା କଥା । ରୋଗୀକୁ ହାତକାମ ବା ସେହିପରି କିଛି ବୈଷୟିକ ଶିକ୍ଷା ମଧ୍ୟ ଏ ଅବସ୍ଥାରେ ଶିଖାଯାଏ । ସେ ପ୍ରାୟ ଭଲ ହୋଇ ଆସିଲେ ତା’ର ବନ୍ଧୁବାନ୍ଧବମାନଙ୍କୁ ମଧ୍ୟ ଚିକିତ୍ସକ ଉପଦେଶ ଦିଅନ୍ତି; ତାକୁ ସେମାନଙ୍କ ଭିତରେ ଗ୍ରହଣ କରି ନେବାକୁ ଓ କିଛି ସମାଲୋଚନା ନ କରିବାକୁ କୁହାଯାଏ ।

 

ଚିକିତ୍ସା ପ୍ରଣାଳୀ ଭିତରେ ନିଦ ଔଷଧ ଓ ଇଲେକ୍‌ଟ୍ରିକ୍ ଶକ୍‌ ଦେବା ପ୍ରଧାନ । ଉତ୍‌ଫୁଲ୍ଲ ଅବସ୍ଥାରେ ରୋଗୀ ଖୁବ୍‌ ଉତ୍ତେଜିତ ହୁଏ । ତେଣୁ ତାକୁ କୌଣସି ନିଦ ଔଷଧ ଦେଇ ଶୁଆଇ ପକାନ୍ତି-। ବ୍ରୋମାଇଡ଼୍, ଫେନୋ ବାର୍ବିଟୋନ୍‌, ପାରେଲ୍‌ଡ଼ିହାଇଡ଼୍ ପ୍ରଭୃତି କେତେଗୁଡ଼ିଏ ଔଷଧ ଅଛି-। ରୋଗୀର ମୂତ୍ର ଯନ୍ତ୍ରରେ ଘା ବା ସେପରି କେତେକ ଦୈହିକ ରୋଗ ଥିଲେ ବ୍ରୋମାଇଡ଼୍ ଦିଆଯାଏ ନାହିଁ । ତେଣୁ କେଉଁ ନିଦ ଔଷଧ ଦେବ ତାହା ସବୁବେଳେ ଡାକ୍ତରଙ୍କର ପରାମର୍ଶ ଅନୁସାରେ ବାଛିବା ଉଚିତ । ଗୋଟିଏ ଦୁଇଟି ନିଦ ଔଷଧ ନାଁ ଜାଣି ନିଜେ ଡାକ୍ତର ପାଲଟି କେବେ ଚିକିତ୍ସା କରିବା ଉଚିତ ନୁହେଁ । ଆଗେ ବିଷାଦଗ୍ରସ୍ତ ରୋଗୀଙ୍କୁ ୮।୧୦ ଘଣ୍ଟା ଧରି ଗରମ ପାଣିରେ ଗାଧୋଇ ଦେଉଥିଲେ । ପାଣିକୁ ୯୮୦ (ଫାରେନ୍‌ ହାଇଟ୍‌) ଗରମ କରି ଟବ୍‌ରେ ରୋଗୀକୁ ବସାଇ ଦେଉଥିଲେ । ଆଜିକାଲି ଇଲେକ୍‌ଟ୍ରିକ୍ ଶକ୍‌ ଚିକିତ୍ସା ବାହାରିବାରୁ ଆଉ ଏ ଚିକିତ୍ସା ଏତେ ପ୍ରଚଳିତ ନୁହେଁ ।

 

ଇଲେକ୍‌ଟ୍ରିକ୍ ଶକ୍‌ ଚିକିତ୍ସାଦ୍ୱାରା ବାତ ମାରିଲା ଭଳି ଆକୁଞ୍ଚନ ପ୍ରସାରଣ ସୃଷ୍ଟି କରାଯାଏ । ତା’ପରେ ରୋଗୀ ମୂର୍ଚ୍ଛା ଯାଏଁ । ଏ ଚିକିତ୍ସା ସପ୍ତାହରେ ଥରେ ଦୁଇଥର ଆବଶ୍ୟକତା ଅନୁଯାୟୀ ଦିଆହୁଏ । ଆଜିକାଲି ସବୁ ମାନସିକ ଡାକ୍ତରଖାନାରେ ଏ ଚିକିତ୍ସାର ବ୍ୟବସ୍ଥା ଅଛି । ପ୍ରତ୍ୟେକଥର ଇଲେକ୍‌ଟ୍ରିକ୍ ଶକ୍‌ ଚିକିତ୍ସା ପରେ ଅବଶ୍ୟ ଅସ୍ଥାୟୀ ଭାବରେ ବୁଦ୍ଧି ଓ ସ୍ମୃତିଶକ୍ତିର କ୍ଷତି ହୁଏ, କିନ୍ତୁ ଏହା ଆଦୌ ବିପଜ୍ଜନକ ନୁହେଁ । ମାତ୍ର ଏହାର ନିର୍ବିଚାର ପ୍ରୟୋଗରେ ରୋଗୀର ବୁଦ୍ଧି ଓ ସ୍ମୃତିଶକ୍ତି କ୍ଷୟ ହୁଏ ଓ ଏ କ୍ଷତି ଚିରସ୍ଥାୟୀ ହୋଇପାରେ ।

 

୫୦ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କଠାରେ ବିଷାଦଗ୍ରସ୍ତ ଅବସ୍ଥା ଦେଖାଗଲେ ଶକ୍‌ ଚିକିତ୍ସାଦ୍ୱାରା ଭଲ ଫଳ ମିଳିଛି । ପ୍ରଥମେ ସାପ୍ତାହିକ ଦୁଇଥର ଶକ୍‌ ତିନିଚାରି ସପ୍ତାହ ଦେବାପରେ ସପ୍ତାହକୁ ଥରେ ଲେଖାଏଁ ଶକ୍‌ ଦିଆଯାଏ । ଶକ୍‌ର ଫଳାଫଳ ଉପରେ ଚିକିତ୍ସା କେତେଦିନ ଚାଲିବ ତାହା ନିର୍ଭର କରେ । ଯଦି ଶକ୍‌ ଚିକିତ୍ସାଦ୍ୱାରା ଭଲ ଫଳ ନ ମିଳେ, ୨।୩ ମାସ ସେ ଚିକିତ୍ସା ବନ୍ଦ କରି ପୁଣି ଆରମ୍ଭ କଲେ ସୁଫଳ ମିଳିବାର ଆଶା ଅଛି ।

 

ଏମ୍‌.ଡି.ପି.ର ବିଷାଦ ଅବସ୍ଥାରେ ଶକ୍‌ ଭଲ କାମ କରେ; ତାହା ଉତ୍‌ଫୁଲ୍ଲ ଅବସ୍ଥାରେ ସେତେ ଫଳପ୍ରଦ ନୁହେଁ । ତଥାପି ଉତ୍‌ଫୁଲ୍ଲ ଅବସ୍ଥାରେ ଶକ୍‌ ଚିକିତ୍ସାଦ୍ୱାରା ଉତ୍ତେଜନା କମିଯାଏ । କିଛିଦିନ ପାଇଁ ରୋଗ ଛାଡ଼ିଯାଏ ଓ ରୋଗୀ ତା’ ଘରକୁ ଫେରିଯାଇପାରେ । ଏମ୍‌.ଡି.ପି.ର ଶକ୍‌ ଚିକିତ୍ସା ପରେ ଆରୋଗ୍ୟ ଚିରସ୍ଥାୟୀ ନ ହୋଇପାରେ; କିନ୍ତୁ ରୋଗୀକୁ ଡାକ୍ତରଖାନାରେ ବେଶୀଦିନ ରହିବାକୁ ପଡ଼େନାହିଁ । ସେ ତା’ର ପୂର୍ବକାମକୁ ଫେରିଯାଏ । ପୁଣି ରୋଗର ଲକ୍ଷଣ ଦେଖାଦେବାମାତ୍ରକେ ଡାକ୍ତରଖାନାକୁ ଆସି ଚିକିତ୍ସିତ ହୁଏ । ମାସେ ଦୁଇ ମାସରେ ସେ ଭଲ ହୋଇଯାଏ । ଏହାଦ୍ୱାରା ବିଶେଷ କିଛି ଅସୁବିଧା ହୁଏନାହିଁ । ଆରୋଗ୍ୟ ଚିରସ୍ଥାୟୀ ନହେଲେ ଯେ ଚିକିତ୍ସା ମୂଲ୍ୟହୀନ ଏହା ଭାବିବା ଠିକ୍‌ ନୁହେଁ ।

 

ଯେଉଁଠି ଶକ୍‌ ଚିକିତ୍ସା ବା ଅନ୍ୟ ସବୁ ଚିକିତ୍ସା ନିଷ୍ଫଳ ହୋଇଛି, ସେଠାରେ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯିବା କଥା ବିଚାର୍ଯ୍ୟ । ବିଶେଷତଃ ୫୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବିଷାଦଗ୍ରସ୍ତ ରୋଗୀଙ୍କର ମସ୍ତିଷ୍କରେ ଅସ୍ତ୍ରୋପଚାରଦ୍ୱାରା ଭଲଫଳ ମିଳିବାର ଦେଖାଯାଇଛି । ଯଦି ଏମ୍‌.ଡି.ପି. ରୋଗୀ ସାମୟିକ ଆରୋଗ୍ୟ ଲାଭ କରୁ ନଥାଏ ଓ ଡାକ୍ତରଖାନାରେ ଚିରଜୀବନ ରହିବା ତା’ ପକ୍ଷରେ ନିଶ୍ଚିତ ତେବେ ଏ ଚିକିତ୍ସା ତା’ଠାରେ ପ୍ରୟୋଗ କରାଯାଇପାରେ । ଅନେକ କ୍ଷେତ୍ରରେ ଏଭଳି ଚିକିତ୍ସାଦ୍ୱାରା ଭଲ ଫଳ ମିଳିଛି । ତେବେ ଅସ୍ତ୍ରୋପଚାର ପ୍ରଣାଳୀ ଆହୁରି ଉନ୍ନତ ହେଲେ ଚିକିତ୍ସା ଅଧିକ ଫଳପ୍ରଦ ହେବ ବୋଲି ଆଶା ।

☆☆☆

 

Unknown

ଦ୍ୱାଦଶ ପରିଚ୍ଛେଦ

ଏପିଲେପ୍‌ସି ବା ଅପସ୍ମାର

 

ଆମ ଦେଶରେ ଅପସ୍ମାର ଗୋଟିଏ ଅତି ଜଣାଶୁଣା ରୋଗ । ପିଲାମାନଙ୍କୁ ପିହୁଳା ମାରିବା, ବୟସ୍କ ଲୋକମାନଙ୍କୁ ବାତମାରିବା ଓ ବାତମାରିବା ହେତୁ ଅଚେତ ହୋଇ କୁଅ ପୋଖରୀରେ ପଡ଼ି ମରିବା ପ୍ରଭୃତି ଅପସ୍ମାର ରୋଗର ବିଭିନ୍ନ ପ୍ରକାଶ ହୋଇପାରେ । ଅବଶ୍ୟ ବାତମାରିବା ଅନ୍ୟାନ୍ୟ ବହୁରୋଗର ଲକ୍ଷଣ ଭାବରେ ଦେଖାଯାଏ । ସେଗୁଡ଼ିକ ମାନସିକ ବ୍ୟାଧି ବୋଲି କୁହାଯାଏ ନାହିଁ । କିନ୍ତୁ ଅପସ୍ମାର ବା ଏପିଲେପ୍‌ସିକୁ ମାନସିକ ବ୍ୟାଧି ବୋଲି ଧରାଯାଏ । କାରଣ ଏପିଲେପ୍‌ସି ହେତୁ ରୋଗୀର ମନ ଓ ବ୍ୟକ୍ତିତ୍ୱ ଉଭୟ ପରିବର୍ତ୍ତିତ ହୁଏ । ପୁଣି ଏପିଲେପ୍‌ସି ରୋଗ କେତେକ ମାନସିକ କାରଣ ଯୋଗୁଁ ବଢ଼ିଯାଏ । ସେଥିପାଇଁ ଏହାକୁ ମାନସିକ ବ୍ୟାଧି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।

 

ଆଗେ ବହୁତ ପ୍ରକାରର ବାତମାରିବାକୁ ଏପିଲେପ୍‌ସି ବୋଲି କହୁଥିଲେ । ତା’ ମଧ୍ୟରୁ କେତେକ ପ୍ରକାର ବାତମାରିବାର କାରଣ ଆଜିକାଲି ଆସ୍ତେ ଆସ୍ତେ ଜଣାପଡ଼ିଲାଣି । ସେଗୁଡ଼ିକୁ ଏପିଲେପ୍‌ସି ବୋଲି ଆଉ କୁହାଯାଉନାହିଁ । କିନ୍ତୁ ଏବେ ମଧ୍ୟ କେତେକ ରୋଗୀଙ୍କଠାରେ ବାତମାରିବାର କାରଣ ଖୋଜି ମିଳେ ନାହିଁ । ସେହି ରୋଗୀମାନଙ୍କୁ ଏପିଲେପ୍‌ସି ହୋଇଛି ବୋଲି କୁହାଯାଇପାରିବ । ତେଣୁ ଏପିଲେପ୍‌ସି କହିଲେ ସେହି ପ୍ରକାର ବାତମାରିବାକୁ ବୁଝାଏ ଯାହାର ଜଣାଶୁଣା କାରଣ ନାହିଁ । ଏହାର ଇଂରାଜୀ ନାମ ଇଡ଼ିଓପାଥିକ୍‌ ଏପିଲେପ୍‌ସି । ଏହା ସାଧାରଣତଃ ଯୌବନର ପ୍ରାରମ୍ଭରେ ଦେଖାଦିଏ ଓ କ୍ରମେ କ୍ରମେ ବଢ଼ିଚାଲେ । ଦେହଜ କାରଣ ଥିବା ବାତଠାରୁ ଏହା ସହଜରେ ବାରିହୁଏ । ମସ୍ତିଷ୍କରେ କ୍ଷତ ଓ ଅନ୍ୟାନ୍ୟ ରୋଗ, ହୃତ୍‍ପିଣ୍ଡ ଓ ରକ୍ତଗ୍ରନ୍ଥିରେ ପୁରାତନ ରୋଗ, ମାଦକଦ୍ରବ୍ୟ ସେବନ ହେତୁ ପୁରାତନ ରୋଗ, ସିଫିଲିସ୍‌ (ଉପଦଂଶ) ଓ ବହୁମୂତ୍ର–ଏପରି କେତେକ ଦୈହିକ ରୋଗରେ ବାତମାରିବା ଦେଖାଯାଏ ଓ ସେ ସବୁରେ ଦୈହିକ କାରଣ ସୁସ୍ପଷ୍ଟ ।

 

ଲକ୍ଷଣ :–ଲକ୍ଷଣ ଅନୁସାରେ ଏପିଲେପ୍‌ସିକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ–ଗ୍ରାଣ୍ଡ୍‍ମାଲ୍‌ ଓ ପେଟିଟ୍‌ମାଲ୍ । ପ୍ରଥମଟି ଦ୍ୱିତୀୟଠାରୁ ସାଂଘାତିକ । ଗ୍ରାଣ୍ଡମାଲ୍‌ରେ ରୋଗୀ ଅଚେତ ହୋଇଯାଏ ଓ ତାକୁ ଖୁବ୍‌ ଜୋରରେ ବାତମାରେ, କିନ୍ତୁ ଦ୍ୱିତୀୟ ପ୍ରକାରରେ କେବଳ ମୁହୂର୍ତ୍ତକ ପାଇଁ ଚେତନା ଲୋପ ପାଇପାରେ ଓ ବାତମାରିବା ଆଦୌ ଦେଖାଦେଇ ନ ପାରେ ।

 

ଗ୍ରାଣ୍ଡ୍‍ମାଲ୍‌ର ଲକ୍ଷଣ :–ଏପିଲେପ୍‌ସି କହିଲେ ସାଧାରଣ ଲୋକେ ଗ୍ରାଣ୍ଡ୍‍ମାଲ୍‌କୁ ବୁଝନ୍ତି-। ଏହାର ଏକମାତ୍ର ମାନସିକ ଲକ୍ଷଣ ହେଲା ଚେତା ହରାଇବା ଏବଂ ପ୍ରଧାନ ଦୈହିକ ଲକ୍ଷଣ ବାତମାରି ମୂର୍ଚ୍ଛାଯିବା । ଏ ରୋଗରେ ବାତମାରିବା ପୂର୍ବରୁ ଅଧିକାଂଶ ସମୟରେ କେତେକ ଚିହ୍ନଦ୍ୱାରା ରୋଗୀ ଏହାର ଆଭାସପାଏ । ଶତକଡ଼ା ୧୦ ଭାଗ ରୋଗୀଙ୍କୁ ଏ ପ୍ରକାର ଆଭାସ ୮।୯ ଘଣ୍ଟା ଆଗରୁ ମିଳେ । ଅବଶ୍ୟ ବାତମାରିବାର ଠିକ୍‌ ପୂର୍ବରୁ ସବୁ ରୋଗୀ ଏହାର ଆଭାସ ପାଇଥାଆନ୍ତି । ୮।୯ ଘଣ୍ଟା ଆଗରୁ ରୋଗୀକୁ ବ୍ୟତିବ୍ୟସ୍ତ ଲାଗେ, କୌଣସି ଜାଗାରେ ସ୍ଥିର ହୋଇ ବସିପାରେନାହିଁ । ମୁଣ୍ଡବିନ୍ଧିବା, ଉଦ୍‌ବେଗ ଅନୁଭବ କରିବା ଓ ମନ ଖରାପ ହେବା ପ୍ରଭୃତି ଲକ୍ଷଣ ଦେଖାଦିଏ । ରୋଗୀ ଚିଡ଼ାଚିଡ଼ି କରେ । ବେଳେବେଳେ ଚମରେ ଅଗିଆବାତ ଭଳି ବିସ୍ଫୋଟନ ଦେଖାଦିଏ । ରୋଗୀ ସ୍ୱପ୍ନାବିଷ୍ଟ ଅବସ୍ଥାରେ କିଛି ସମୟପାଇଁ ରହିଥିବାର ମଧ୍ୟ ଦେଖାଯାଏ-। ବେଳେବେଳେ ରୋଗୀକୁ ଲାଗେ ଯେମିତି ତା’ ମୁଣ୍ଡ ଭିତରେ ହଠାତ୍‌ ଶବ୍ଦ ହେଉଛି ବା ଆଲୁଅ ପଡ଼ୁଛି । ପାକସ୍ଥଳୀ ଓ ଅନ୍ତନାଳୀରେ ଗୋଳମାଳ ମଧ୍ୟ ଏହି ସମୟରେ ଦେଖା ଦେଇପାରେ-

 

ବାତମାରିବାର ଠିକ୍‌ ଆଗରୁ ଯେଉଁ ପୂର୍ବାଭାସ ମିଳେ ତାହାକୁ ଇଂରାଜୀରେ ‘ଅରା’ (Aura) କହନ୍ତି । ଏ ପୂର୍ବାଭାସରେ ବିକୃତ ମାନସିକ ପ୍ରକ୍ରିୟା ଦେଖାଯାଏ । ଯଥା–ରୋଗୀ ସମ୍ମୁଖରେ ଅଗ୍ନିଶିଖା ଦେଖେ, ଆଖି ଆଗରେ ଆକୃତିହୀନ ରଙ୍ଗ ଦେଖେ ବା ପୂର୍ବରୁ ଦେଖିଥିବା କୌଣସି ଦୃଶ୍ୟ ଟିକିନିଖି କରି ତା’ ଆଖି ଆଗରେ ଝଲସି ଉଠେ । ଜଣେ ରୋଗୀ ବାତମାରିବା ଆଗରୁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସବୁବେଳେ ଦେଖୁଥିଲେ । ଏହାଛଡ଼ା ମନ ହଠାତ୍‌ ଭାବନାଶୂନ୍ୟ (Blank) ହୋଇଯାଏ । ରୋଗୀ ହଠାତ୍‌ ଏପରି ଅବସ୍ଥାରେ ପହଞ୍ଚେ ଯେତେବେଳେ ସେ ହୁଏତ କିଛି ଭାବିପାରୁନାହିଁ ବା ଭାବିଲେ କହିପାରୁନାହିଁ । ବାସ୍ତବତା ସଙ୍ଗେ ଅକସ୍ମାତ୍‌ ସବୁ ବନ୍ଧନ ଛିନ୍ନ ହୋଇଗଲା ଭଳି ଲାଗେ । ଆକସ୍ମିକ ଭାବରେ ରୋଗୀ ମନରେ ବୃଥା ଭାବନା ସବୁ ଦେଖା ଦେଇପାରେ କିମ୍ବା ବର୍ଣ୍ଣନାତୀତ ବେଗରେ ଅପରିଚିତ ଭାବନା ରାଶି ମନରେ ଖେଳି ଯାଉଥିବାର ଅନୁଭୂତ ହୁଏ । ସ୍ମରଣ ଶକ୍ତିରେ ବ୍ୟାଘାତ ଦେଖାଦିଏ । ପରିଚିତ ନାମ ମନେପଡ଼େନାହିଁ । କିମ୍ବା ସାରା ଜୀବନର ଘଟଣା ଚଳଚ୍ଚିତ୍ର ଭଳି ହଠାତ୍‌ ଆଖି ଆଗରେ ପଡ଼ି ଉଭେଇଯାଏ । ସେହିପରି ଆକସ୍ମିକ ଆନନ୍ଦ ବା ବିଷାଦଭାବ ରୋଗୀ ଅନୁଭବ କରେ । ଭଗବାନ ଓ ସୃଷ୍ଟି ସମ୍ବନ୍ଧରେ ଦାର୍ଶନିକ ଚିନ୍ତାର ଉଦୟ ହୁଏ । ଆତ୍ମହତ୍ୟା ବା ନରହତ୍ୟା କରିବାର ଇଚ୍ଛା ଜାଗ୍ରତ ହୁଏ । ସେହିପରି ହଠାତ୍ ଦୌଡ଼ିବା, ଗୀତ ଗାଇବା ବା କାନ୍ଦିବାପାଇଁ ଇଚ୍ଛା ଦେଖାଯାଏ ।

 

ବହୁତ ସମୟରେ ‘ଅରା’ ବା ପୂର୍ବାଭାସହିଁ ଏପିଲେପ୍‌ସିର ଏକମାତ୍ର ଲକ୍ଷଣରୂପେ କିଛିଦିନ ଦେଖାଦେଲା ପରେ ବାତମାରିବା ପ୍ରଭୃତି ଗୁରୁତର ଲକ୍ଷଣମାନ ଦେଖାଯାଏ । ତେଣୁ ପୂର୍ବାଭାସକୁ ଠିକ୍‌ ଚିହ୍ନଟ କରିପାରିଲେ ଏପିଲେପ୍‌ସିର ଚିକିତ୍ସା ଆରମ୍ଭ କରାଯାଇପାରେ । ପୁଣି ଔଷଧ ଦେଇ ବାତମାରିବା ବନ୍ଦ କରିଲେ ମଧ୍ୟ ରୋଗ ପୂରା ଭଲ ହୋଇନି ବୋଲି ପୂର୍ବାଭାସରୁ ଜଣାପଡ଼େ । ସେତେବେଳେ ବାତ ନ ମାରିଲେବି ପୂର୍ବାଭାସ ରହିଥାଏ ।

 

ପୂର୍ବାଭାସର ଠିକ୍‌ ପରେ ପରେ ବାତମାରେ । ବାତମାରିବାବେଳେ ବହୁତ ରୋଗୀ ଚିତ୍କାର କରି ତଳେ ପଡ଼ିଯାଆନ୍ତି । ହଠାତ୍‌ ସାରା ଦେହରେ ଅବୟବଗୁଡ଼ିକ ଶୀଘ୍ର ଶୀଘ୍ର ଆକୁଞ୍ଚିତ ପ୍ରସାରିତ ହୁଏ । ଗୋଡ଼, ହାତ, ଅଣ୍ଟା, ମୁଣ୍ଡ ଇତ୍ୟାଦି ସବୁ ବଡ଼ବଡ଼ ଅଙ୍ଗ ବାତମାରିବା ଫଳରେ ହଲୁଥାଆନ୍ତି । ନିଃଶ୍ୱାସ ବନ୍ଦ ହୋଇଯାଏ । ମୁହଁ ଶେତା ପଡ଼ିଯାଏ । ଆଖିକୁ କିଛି ଦେଖାଯାଏ ନାହିଁ ଓ ଆଖି ଭିତରେ ଆଙ୍ଗୁଠି ପୂରେଇଲେ ମଧ୍ୟ କୌଣସି ବ୍ୟଥା ଅନୁଭବ ହୁଏ ନାହିଁ । ୧୦ ରୁ ୩୦ ସେକେଣ୍ଡ ପରେ ବାତମାରିବାର ଆଉ ଗୋଟିଏ ଅବସ୍ଥା ଦେଖାଯାଏ । ଏ ସମୟରେ ଗୋଡ଼ହାତ ପ୍ରଭୃତି ବାତମାରିବାଦ୍ୱାରା ନ ହଲି ସେଥିରେ ଥିବା ପ୍ରତ୍ୟେକ ମାଂସପେଶୀ ଆକୁଞ୍ଚିତ–ପ୍ରସାରିତ ହୁଏ । ପ୍ରଥମ ଅବସ୍ଥାକୁ ‘ଟୋନିକ୍‌’ ଓ ଏହାକୁ ‘କ୍ଲୋନିକ୍‌’ କହନ୍ତି । ଏହି ‘କ୍ଲୋନିକ୍‌’ ଅବସ୍ଥାରେ ମଟର ଗାଡ଼ିରେ ବସି ଜର୍କିଙ୍ଗ୍‌ ହେଲା ଭଳି ଦେହର ସବୁ ମାଂସପେଶୀ ଥରିବାକୁ ଲାଗେ । ଏହା ଖୁବ୍‌ ଜୋରରେ ହୁଏ । ଝାଡ଼ା, ପରିସ୍ରା ଓ ସମୟେ ସମୟେ ବୀର୍ଯ୍ୟସ୍ଖଳନ ହୋଇଯାଏ । ‘ଟୋନିକ୍‌’ ଅବସ୍ଥାରେ ବନ୍ଦ ହୋଇଯାଇଥିବା ନିଃଶ୍ୱାସ ପ୍ରଶ୍ୱାସ କ୍ରିୟା ଏ ଅବସ୍ଥାରେ ପୁଣି ଚାଲେ । ଶେଷକୁ ଖୁବ୍‌ ଜୋରରେ ଥରେ ବାତମାରିଲା ପରେ ବାତମାରିବା ବନ୍ଦ ହୁଏ । ଏହାପରେ ହୁଏତ ଅତି ଅଳ୍ପବେଳ ପାଇଁ ଚେତା ଫେରିଆସେ । ନହେଲେ ବାତମାରିବାର ଟିକିଏ ପରେ ରୋଗୀ ଗାଢ଼ ନିଦରେ ଶୋଇପଡ଼େ ।

 

ବେଳେବେଳେ ବାତ ଆଦୌ ବନ୍ଦ ହୁଏ ନାହିଁ । ରୋଗୀକୁ ଅବିରାମ ବାତମାରିବା ଫଳରେ ସେ ଅଧିକ କ୍ଳାନ୍ତ ହୋଇପଡ଼େ ଏବଂ ଏଥିରେ ପ୍ରାୟ ମୃତ୍ୟୁ ଅନିବାର୍ଯ୍ୟ କହିଲେ ଚଳେ । ବାତମାରିବାବେଳେ ରୋଗୀର ପ୍ରାୟ ଚେତା ନଥାଏ । ତେଣୁ ବାତମାରିବାବେଳର କୌଣସି ଘଟଣା ତାହାର ସାଧାରଣତଃ ମନେପଡ଼େ ନାହିଁ । ବାତମାରିବା ପରେ ରୋଗୀ ଗାଢ଼ନିଦରେ ଶୋଇପଡ଼ୁଥିବାର ବହୁତ ଆକସ୍ମିକ ଦୁର୍ଘଟଣା ହୁଏ । ମନେକର ନଈ ବା ପୋଖରୀରେ ଗାଧୋଇବାବେଳେ ଏପିଲେପ୍‌ସି ବାତ ମାରିଲା, ରୋଗୀ ପାଣିରେ ପଡ଼ିଯାଇ ଆଉ ନିଜକୁ ରକ୍ଷା କରିପାରେନାହିଁ । ଏପରିକି ଘରେ ଟବ୍‌ରେ ବସି ଗାଧୋଇଲାବେଳେ ଏ ପ୍ରକାର ବାତ ମାରିଲେ ରୋଗି ସେଥିରେ ବୁଡ଼ି ମରିଯାଏ । ଆମମାନଙ୍କର ଗାଁରେ ଏପିଲେପ୍‌ସି ରୋଗ ଭୋଗୁଥିବା ବହୁତ ବୋହୂ ଝିଅ କୂଅରୁ ପାଣି କାଢ଼ୁ କାଢ଼ୁ ବାତମାରି ବୁଡ଼ି ମରିବାର ଦୃଷ୍ଟାନ୍ତ ଅଛି । ବାତମାରିବା ପରେ ନିଦ ନହେଲେ ରୋଗୀ ସ୍ୱପ୍ନାବିଷ୍ଟ ଥିବା ଭଳି ଠିକ୍‌ କେଉଁଠି ଅଛି ଜାଣିପାରେ ନାହିଁ, ଅବାନ୍ତର କଥାବାର୍ତ୍ତା କରେ, ବଡ଼ ବ୍ୟସ୍ତ ହୁଏ, ଚୁପ୍‌ଚାପ୍‌ ବସିପାରେ ନାହିଁ । ନିଦରୁ ଉଠିଲା ପରେ ସ୍ୱାଭାବିକ ଅବସ୍ଥା ବହୁତ ପରିମାଣରେ ଫେରିଆସେ । କିନ୍ତୁ ବେଳେବେଳେ ଉତ୍ତେଜିତ ଅବସ୍ଥା ଦେଖାଯାଏ, ପାଖଆଖ ଲୋକଙ୍କୁ ରୋଗୀ ମରାମରି କରେ, ଜିନିଷପତ୍ର ଭାଙ୍ଗିଦିଏ । ଏ ଅବସ୍ଥାରେ ସେ ଡାକ୍ତରଖାନାର ସବୁଠାରୁ ଭୟାନକ ମାନସିକ ରୋଗୀ । ଏପରି ବିପଜ୍ଜନକ ଅବସ୍ଥା ଭଲ ହେବାପରେ ଆଗରୁ ଲୁଚିଥିବା ଅନ୍ୟାନ୍ୟ ମାନସିକ ବ୍ୟାଥି ଦେଖାଦେଇପାରେ । ମନେକର ଜଣଙ୍କର ସ୍କିଜୋଫ୍ରେନିଆ ଗୁପ୍ତ ଅବସ୍ଥାରେ ଅଛି । ଏପିଲେପ୍‌ସିଜନିତ ବାତପରେ ସ୍କିଜୋଫ୍ରେନିଆର ସବୁ ଲକ୍ଷଣ ଅତ୍ୟନ୍ତ ପରିଷ୍କାର ଭାବରେ ଦେଖାଯିବ ।

 

ଏପିଲେପ୍‌ସି ରୋଗୀର ମସ୍ତିଷ୍କରେ ବିଦ୍ୟୁତ୍‌ତରଙ୍ଗ ସୁସ୍ଥ ଲୋକଠାରୁ ଅଲଗା । ପୁଣି ବିଦ୍ୟୁତ୍‌ତରଙ୍ଗରୁ ଜାଣି ହେବ ଏପିଲେପ୍‌ସି କେଉଁ ପ୍ରକାରର–ଗ୍ରାଣ୍ଡ୍‍ମାଲ୍‌ ନା ପେଟିଟ୍‌ମାଲ୍‌ । ଏଣୁ ଇ.ଇ.ଜି. ଯନ୍ତ୍ର ସାହାଯ୍ୟରେ ବିଦ୍ୟୁତ୍‌ ତରଙ୍ଗର ଲେଖା ନିଆଯାଇ ଏପିଲେପ୍‌ସି ରୋଗ ଚିହ୍ନାଯାଏ ।

 

ପେଟିଟ୍‌ମାଲ୍‍ର ଲକ୍ଷଣ–‘ଗ୍ରାଣ୍ଡ୍’ ମାନେ ବଡ଼, ‘ପେଟିଟ୍‌’ ମାନେ ଛୋଟ । ତେଣୁ ପେଟିଟ୍‌ମାଲ୍ ଛୋଟ ଧରଣର ଏପିଲେପ୍‌ସି । ଏଥିରେ ବାତମାରିବା ବିରଳ । ୫।୬ ସେକେଣ୍ଡପାଇଁ ରୋଗୀ ଅଚେତ ହୋଇଯାଏ, ଯେମିତି ଟିକିଏ ଘୁମେଇ ପଡ଼ିଲା । ସେ ହଲଚଲ ହୁଏ ନାହିଁ, ସେତିକି ସମୟପାଇଁ ଦେଖି ଶୁଣିପାରେ ନାହିଁ । ଅଳ୍ପ ସମୟ ପରେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରିଆସେ । ଜଣାଯାଏ ଯେମିତି ସେହି କେତେ ସେକେଣ୍ଡପାଇଁ ସେ ଅନୁପସ୍ଥିତ ଥିଲା-। ପୁଣି ଫେରିଆସିଛି । ଠିଆ ହୋଇଥିବା ଅବସ୍ଥାରେ ପେଟିଟ୍‌ମାଲ୍ ହେଲେ ଲୋକ ପଡ଼ିଯାଇପାରେ, ପୁଣି ସାଙ୍ଗେ ସାଙ୍ଗେ ଉଠିପଡ଼େ । ଗ୍ରାଣ୍ଡ୍‍ମାଲ୍ ଭଳି ଏଥିରେ ପୂର୍ବାଭାସ ମିଳେ ନାହିଁ ବା ବାତମାରିଲା ପରେ ନିଦ ହୁଏନାହିଁ ।

 

ଏପିଲେପ୍‌ସିର ମାନସିକ ଲକ୍ଷଣ :–ସାଧାରଣ ଡାକ୍ତର ଏପିଲେପ୍‌ସିର ମାନସିକ ଲକ୍ଷଣ ବିଷୟରେ ପ୍ରାୟ ସଚେତ ନଥାଆନ୍ତି । ତେଣୁ ସେଗୁଡ଼ିକୁ ଧ୍ୟାନ ଦିଅନ୍ତି ନାହିଁ । ଅଥଚ ଅଧିକାଂଶ ଏପିଲେପ୍‌ସି ରୋଗୀଙ୍କର ବାତମାରିବାର ପୂର୍ବରୁ ଓ ପରେ ଅସ୍ୱସ୍ତିକର ମାନସିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ।

 

ବାତମାରିବା ପୂର୍ବରୁ ବିଷଣ୍ଣତା ଓ ବିରକ୍ତିଭାବ ବହୁତ ପରିମାଣରେ ଦେଖାଯାଏ । ବାତମାରିବା ସମୟ ଯେତେ ପାଖ ହୋଇଆସେ ରୋଗୀ ସେତେ ଚିଡ଼ିଚିଡ଼ା ହୋଇଉଠେ, ଏବଂ ବାତ ମାରିଲାପରେ ଏ ସବୁର ପୂର୍ଣ୍ଣ ଅବସାନ ହୁଏ । ଆଉ କେତେକ ରୋଗୀଙ୍କଠାରେ ବାତମାରିବା ପରେ ବିଷାଦଭାବ ଆସେ । କେତେକ ବିଷୟ ବିଚାର କଲାପରେ ରୋଗୀକୁ ଇଲେକ୍‌ଟ୍ରିକ ଶକ୍‌ ଦେଇ କୃତ୍ରିମ ଉପାୟରେ ବାତମାରିବା ସୃଷ୍ଟି କରାହୁଏ ଓ ଏହାଦ୍ୱାରା ବିଷାଦଭାବ କଟିଯାଏ । ଏମିତି କାହିଁକି ହୁଏ ? ଏପିଲେପ୍‌ସି ଖୁବ୍‌ ବଡ଼ ଧରଣର ନହେଲେ ବିଷାଦ ଓ ବିରକ୍ତିଭାବ ଦେଖାଯାଏ ବିଶେଷତଃ ପେଟିଟ୍‌ମାଲରେ ଟିକେ ଟିକେ ବାତମାରିବା ପରେ ଏହା ହୁଏ । ଗୋଟାଏ ବଡ଼ ଧରଣର ବାତ ନ ମାରିଲେ ଏ ଭାବ କଟିବ ନାହିଁ । ଏଥିପାଇଁ କୃତ୍ରିମ ଉପାୟରେ ବାତ ସୃଷ୍ଟି କଲେ ଏପିଲେପ୍‌ସି ପରର ବିଷାଦଭାବ ଲୋପପାଏ ଓ ରୋଗୀ ମାନସିକ ସ୍ୱାଭାବିକତା ଫେରିପାଏ ।

 

ବାତ ମାରୁ ବା ନ ମାରୁ ଏପିଲେପ୍‌ସି ରୋଗୀ ହଠାତ୍‌ ଆନନ୍ଦିତ ଓ ହଠାତ୍‌ ବିଷାଦଗ୍ରସ୍ତ ହେବାର ଦେଖାଯାଏ । ବେଳେବେଳେ ଉତ୍‌ଫୁଲ୍ଲ ବିଷାଦ ସୀମା ଭିତରେ ମନ ଏତେଥର ବଦଳେ ଯେ ରୋଗୀକୁ ଏମ୍‌.ଡି.ପି ବା ଉତ୍‌ଫୁଲ୍ଲ–ବିଷାଦ ପାଗଳାମୀ ହୋଇଛି ବୋଲି ଭୁଲ କରାଯାଇପାରେ । ଆଉ ଏ ବିଷାଦ ଓ ଆନନ୍ଦ ରୋଗୀକୁ ଅନିବାର୍ଯ୍ୟ ଜଣାପଡ଼େ । ରୋଗୀ ତା’ର ଶତଚେଷ୍ଟା ସତ୍ତ୍ୱେ ସାଧାରଣତଃ ବିଷାଦଭାବକୁ ଅଟକାଇପାରେ ନାହିଁ । କାହାର କାହାର ବିଷାଦଭାବ ସଙ୍ଗେ ଆତ୍ମହତ୍ୟା କରିବାର ପ୍ରବଳ ଇଚ୍ଛା ଦେଖାଯାଏ ଓ ଏଥିରୁ ମୁକ୍ତି ପାଇବାପାଇଁ ରୋଗୀ ନିଜକୁ ବହୁତ ପ୍ରକାର ଶାରୀରିକ କଷ୍ଟ ଦେବାର ଦୃଷ୍ଟାନ୍ତ ଅଛି । କିନ୍ତୁ ଏପିଲେପ୍‌ସି ରୋଗୀଙ୍କ ଭିତରୁ ମାତ୍ର ଶତକଡ଼ା ୫ ଜଣ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥାଆନ୍ତି ।

 

ଉତ୍‌ଫୁଲ୍ଲ ଓ ବିଷାଦଭାବ ବିପଜ୍ଜନକ; କିନ୍ତୁ ଏହାଠାରୁ ଆହୁରି ବିପଜ୍ଜନକ ହେଉଛି ଏପିଲେପ୍‌ସି ରୋଗୀର କ୍ରୋଧ । ଏତେ ହିଂସ୍ରଭାବ ରୋଗୀ ଦେଖାଏ ଯେ ତାକୁ ସଂଯତ କରି ରଖିବା ସମୟେ ସମୟେ ବଡ଼ କଷ୍ଟକର ହୁଏ ।

 

କେତେକ ରୋଗୀ ନିଜ ଘରୁ ପଳାଇଯାଆନ୍ତି ଓ ଲକ୍ଷ୍ୟହୀନ ଭାବରେ ଉଆଡ଼େ ସିଆଡ଼େ ବୁଲନ୍ତି; କିନ୍ତୁ ସେମାନଙ୍କୁ ‘‘କେଉଁଠୁଁ ଆସିଛ ?’’ ‘‘ଏଠିକୁ କେମିତି ଆସିଲ ?’’ ଇତ୍ୟାଦି ପ୍ରଶ୍ନ ପଚାରିଲେ କିଛି କହିପାରନ୍ତି ନାହିଁ । ବରଂ ନିଜେ ଆଶ୍ଚର୍ଯ୍ୟ ହୁଅନ୍ତି କିପରି ସେଠାକୁ ଆସିଲେ-। ଏଣୁ ବିସ୍ମୃତି ମଧ୍ୟ ଏ ରୋଗର ଆଉ ଗୋଟିଏ ଲକ୍ଷଣ । କେତେକ ରୋଗୀ ନିଜକୁ ଖୁବ୍‌ ବଡ଼ ରାଜା ବୋଲି ଭାବନ୍ତି । ତା’ ପଛରେ ସବୁବେଳେ ଗୁପ୍ତଚର ଲାଗିରହିଛନ୍ତି ପ୍ରଭୃତି ଭ୍ରାନ୍ତଧାରଣା ସେ ସାମୟିକ ପୋଷଣ କରିବାର ଦେଖାଯାଏ । ସ୍ୱାଭାବିକ ଭାବରେ ହେଉ ବା କୃତ୍ରିମ ଉପାୟରେ ହେଉ, ଥରେ ବଡ଼ ଧରଣର ବାତମାରିବା ପରେ ଏ ସବୁ ଲକ୍ଷଣ କିଛିଦିନ ପାଇଁ ଆଉ ଦେଖାଯାଏ ନାହିଁ ।

 

ପୁରାତନ ଓ ଖୁବ୍‌ ସାଂଘାତିକ ଧରଣର ଏପିଲେପ୍‌ସି ହୋଇଥିବା ରୋଗୀର ବ୍ୟକ୍ତିତ୍ୱର ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ପ୍ରାୟ ବହୁଦିନ ଏପିଲେପ୍‌ସି ରୋଗୀର ସ୍ମୃତିଭ୍ରଂଶ ଓ ବୁଦ୍ଧି ହ୍ରାସ ହୋଇଥିବାର ଦେଖାଯାଏ । ବେଳେବେଳେ କେତେକ ଦିନର ଘଟଣା ପ୍ରାୟ ମନେ ନଥାଏ । ଅବଶ୍ୟ ରୋଗ ଭଲ ହେବାପରେ କେବଳ ଖୁବ୍‌ ଅଳ୍ପ କେତେକ ରୋଗୀ ସ୍ଥାୟୀ ମାନସିକ ଅସ୍ୱାଭାବିକତା ଦେଖାନ୍ତି । କିନ୍ତୁ ରୋଗ ଥିଲା ପର୍ଯ୍ୟନ୍ତ କିଛିଟା ମାନସିକ ଅବନତି ଓ କ୍ଷୟ ଦେଖାଦିଏ । ଏହା କାହିଁକି ହୁଏ ଠିକ୍‌ ଜଣାନାହିଁ । ତେବେ ଦେଖାଯାଇଛି ଯେ ଯାହାକୁ ଯେତେଥର ବାତ ମାରିଛି ତାହାର ମାନସିକ ଅସ୍ୱାଭାବିକତା ସେହି ଅନୁପାତରେ ଅଧିକ । ରୋଗୀର କଥାବାର୍ତ୍ତାରେ କୌଣସି ବୁଦ୍ଧିମତ୍ତାର ପରିଚୟ ମିଳେନାହିଁ । କେତୋଟି ଶବ୍ଦ ସେ ଏକାଧିକବାର ବ୍ୟବହାର କରେ । ଅତ୍ୟନ୍ତ ସରଳ ବିଷୟରେ କହୁଥିଲାବେଳେବି ତାକୁ ଅଯଥା ଦୀର୍ଘ ସମୟ ଧରି ବର୍ଣ୍ଣନା କରୁଥାଏ । ବୋଧହୁଏ ଭାବନା ଓ ଚିନ୍ତାର ବେଗ ଅତି ଶିଥିଳ ହୋଇଥିବାରୁ କଥାବାର୍ତ୍ତା ବେଶୀ ଆଗେଇପାରେ ନାହିଁ । ଆଉ କୌଣସି ଭାବନା ଥରେ ମନରେ ଦେଖାଦେଲେ ଚାଲିଯିବା ପାଇଁ ବହୁତ ସମୟ ଲାଗେ । ସେହିପରି କୌଣସି ଆବେଗ ଜନ୍ମିଲେ ତାହା ସହଜରେ ଚାଲିଯାଏ ନାହିଁ । ଏଣୁ ରୋଗୀ ନୂଆ ପରିବେଷ୍ଟନୀରେ ଆଦୌ ଚଳିପାରେ ନାହିଁ, କାରଣ ପୁରୁଣା ପରିବେଷ୍ଟନୀର ଉପଯୋଗୀ ଅଭ୍ୟାସ, ଆବେଗ ଓ ମନୋଭାବ ନୂଆ ପରିବେଷ୍ଟନୀରେ ଅପରିବର୍ତ୍ତିତ ରୁହେ ।

 

ଆସ୍ତେ ଆସ୍ତେ ରୋଗୀର ଆଗ୍ରହ ଓ ଭାବନା ଅତ୍ୟନ୍ତ ସୀମାବଦ୍ଧ ହୋଇଯାଏ । ବେଶୀ ଭାଗ ସେ ନିଜ ବିଷୟରେ ଭାବେ । ତା’ପାଇଁ ନିଜେ ଓ ନିଜର ପରିବାର ଛଡ଼ା ଆଉ ଦୁନିଆରେ କେହି ନାହାନ୍ତି । ନିଜ ଦେହ ବିଷୟରେ ସେ ଅତ୍ୟନ୍ତ ସଚେତ ହୁଏ । ତେଣୁ କେତେଥର କେତେବେଳେ ବାତ ମାରୁଛି, ବାତମାରିବା ଆଗରୁ ଠିକ୍‌ କ’ଣ କରୁଥିଲା, ତା’ପରେ କେମିତି ଲାଗିଲା–ଏ ସବୁର ବିଷଦ ବିବରଣୀ ବର୍ଷ ବର୍ଷ ଧରି ରୋଗୀ ଲେଖୁଥିବାର ଜଣାଅଛି । ଆଶ୍ଚର୍ଯ୍ୟର କଥା, ରୋଗୀ ଅଧିକରୁ ଅଧିକ ଧର୍ମ ବିଷୟରେ ଆଗ୍ରହ ପ୍ରକାଶ କରେ । ଧର୍ମପ୍ରାଣ ଲୋକଙ୍କ ଭଳି ସେ ପ୍ରତି କଥାରେ ଭଗବାନ ଓ ତାଙ୍କର ଅପାର କରୁଣା କଥା କହେ । ଏପରିକି ଧର୍ମ ସହିତ କୌଣସି ସମ୍ବନ୍ଧ ନଥିବା ବିଷୟରେବି ଏ କଥା ଆଣି ଭର୍ତ୍ତିକରେ । ଅତ୍ୟନ୍ତ ସାଧାରଣ କଥାବାର୍ତ୍ତାରେ ରୋଗୀ ଭାବପ୍ରବଣତା ଦେଖାଏ । ଭାବନାରେ ଦାରିଦ୍ର୍ୟ ଓ ଅସଂଗତଭାବ ପ୍ରକାଶ ପାଏ । ରୋଗୀର ଆବେଗ ଅସ୍ୱାଭାବିକ ହୁଏ । ଶେଷକୁ ପୁରାତନ ସ୍କିଜୋଫ୍ରେନିଆର ସବୁ ଲକ୍ଷଣ ଏପିଲେପ୍‌ସିରେ ଦେଖାଯାଏ ।

 

ଏପିଲେପ୍‌ସିର କାରଣ–ଆଗରୁ କୁହାଯାଇଛି ଯେ ଏପିଲେପ୍‌ସି ଦୁଇପ୍ରକାର–କାରଣ ଜଣାଥିବା ଓ କାରଣ ଜଣା ନଥିବା ଏପିଲେପ୍‌ସି । ଦ୍ୱିତୀୟ ପ୍ରକାର ଏପିଲେପ୍‌ସି ଏଠାରେ ବିଚାରାଧୀନ । କାରଣ ଜଣାଥିବା ଏପିଲେପ୍‌ସିରେ ବାତମାରିବା ଗୌଣ, ଦେହଜ କାରଣଟି ମୁଖ୍ୟ-। ଜଣାଥିବା ଦୈହିକ କାରଣ ଭିତରେ ମସ୍ତିଷ୍କରେ କ୍ଷତ; ମେନିନ୍‌ଜାଇଟିସ୍, ମସ୍ତିଷ୍କରେ ସିଫିଲିସ୍ ଓ ସମୟେ ସମୟେ ଏନ୍‌କେଫାଲାଇଟିସ୍ ପ୍ରଧାନ । ବୟସ୍କ ଲୋକଠାରେ ମସ୍ତିଷ୍କରେ ଆବୁ ଭଳି ମାଂସ ବୃଦ୍ଧି (ଟିଉମର) ସାଧାରଣତଃ ଏହାର ପ୍ରଧାନ କାରଣ ହୋଇଥାଏ । ବର୍ତ୍ତମାନ ଯେଉଁଗୁଡ଼ିକୁ କାରଣ ଜଣା ନଥିବା ଏପିଲେପ୍‌ସି କୁହାଯାଉଛି, ଆଶା କରାଯାଏ ଯେ ସମୟକ୍ରମେ ସେଗୁଡ଼ିକର ଦେହଜ କାରଣ ଜଣାପଡ଼ିବ ।

 

କାରଣ ଜଣା ନଥିବା ଏପିଲେପ୍‌ସି କେତେକାଂଶରେ ବଂଶଗତ । ସାଧାରଣ ଲୋକଙ୍କ ଭିତରେ ଏପିଲେପ୍‌ସି ରୋଗୀଙ୍କ ସଂଖ୍ୟା ହଜାରକରେ ୬ ଜଣ । କିନ୍ତୁ ଏପିଲେପ୍‌ସି ରୋଗୀଙ୍କ ବାପା ମା’, ଛୁଆପିଲା ଓ ଭାଇ ଭଉଣୀଙ୍କ ଭିତରେ ଏହା ୧୦ ଗୁଣ ଅଧିକ–ଅର୍ଥାତ୍ ଶହକରେ ୬ ଜଣ । ସେହିପରି ସମଅଣ୍ଡବିଶିଷ୍ଟ ଯମଜଙ୍କ ଭିତରୁ ଗୋଟିକୁ ଏପିଲେପ୍‌ସି ହୋଇଥିଲେ ଆରଟିକୁ ଏପିଲେପ୍‌ସି ହୋଇଥିବାର ସମ୍ଭାବନା ଶତକଡ଼ା ୮୬ । ଏପରିକି ଏପିଲେପ୍‌ସି ବାତମାରିବାର ସମୟ, ପ୍ରକାର, ସାଂଘାତିକତା ଓ ମାସକେ କେତେଥର ବାତମାରେ–ଏସବୁ ବିଷୟରେ ଯମଜମାନଙ୍କ ଭିତରେ ସାମଞ୍ଜସ୍ୟ ଅଛି ।

 

ଇ.ଇ.ଜି. ସାହାଯ୍ୟରେ ମସ୍ତିଷ୍କର ବିଦ୍ୟୁତ୍‌ତରଙ୍ଗ ରୂପରେଖ ଜଣାଯାଏ ଓ ଏପିଲେପ୍‌ସି ରୋଗୀର ବିଦ୍ୟୁତ୍‌ ତରଙ୍ଗ ଅସ୍ଵାଭାବିକ ବୋଲି ଆଗରୁ କୁହାଯାଇଛି । ଇ.ଇ.ଜି. ଦ୍ଵାରା ଦେଖାଯାଇଛି ଯେ ଏପିଲେପ୍‌ସି ରୋଗୀଙ୍କର ବାପ ମା’ଙ୍କର ଇ.ଇ.ଜି. ଲେଖ ଶତକଡ଼ା ୫୫ ସ୍ଥଳରେ ଅସ୍ଵାଭାବିକ । ଅବଶ୍ୟ ବହୁତ ସମୟରେ ଇ.ଇ.ଜି. ଲେଖ ଅସ୍ଵାଭାବିକ ହେଲେ ମଧ୍ୟ ଏପିଲେପ୍‌ସି ପ୍ରକାଶିତ ହୋଇ ନଥାଏ । ତେଣୁ ଏଥିରୁ ଅନୁମାନ କରିବାକୁ ହେବ ଯେ ଏପିଲେପ୍‌ସି ରୋଗୀର ରକ୍ତ ସମ୍ପର୍କୀୟ ଲୋକମାନେ ସମସ୍ତେ ଏ ରୋଗ ଭୋଗୁ ନଥିଲେ ମଧ୍ୟ ଭୋଗିବାର ସମ୍ଭାବନା ଅଛି; ପାରିପାର୍ଶ୍ଵିକ ଅବସ୍ଥା ନେଇ ରୋଗ ପ୍ରକାଶିତ ବା ଅପ୍ରକାଶିତ ଅବସ୍ଥାରେ ରହିପାରେ ।

 

ଏସବୁ ଆଲୋଚନାରୁ ଜଣାଯାଉଛି ଯେ କାରଣ ନଥିବା ଏପିଲେପ୍‌ସି ଅନେକ ସ୍ଥଳରେ ବଂଶଗତ ।

ଚିକିତ୍ସା–ଏପିଲେପ୍‌ସି ରୋଗୀର ମାନସିକ ପ୍ରକ୍ରିୟା ଅସ୍ଵାଭାବିକ ହେବାର ସମ୍ଭାବନା ଅଛି । ତେଣୁ ରୋଗୀକୁ ଚାକିରି ବା ଶିକ୍ଷାରେ ବାଛନ୍ଦ ନ କରିବା ଭଲ । ଯଦି ପିଲାକୁ ବହୁତଥର ଏପିଲେପ୍‌ସି ବାତ ମାରୁ ନଥାଏ ତେବେ ସାଧାରଣ ସ୍କୁଲ୍‍ରେ ପଢ଼ାଇବା ଉଚିତ । ମେସିନ ପାଖରେ ବା ନିଆଁ ଓ ପାଣି ପାଖରେ କାମ ଛଡ଼ା ଏପରି ରୋଗୀକୁ ଯେକୌଣସି କାମ ଦିଆଯାଇପାରେ । ବହୁତ ଏପିଲେପ୍‌ସି ରୋଗୀଙ୍କୁ କଦବା କ୍ଵଚିତ୍ ବାତମାରେ । ତେଣୁ ଏହାଦ୍ୱାରା କୌଣସି ଅସୁବିଧା ହୁଏନାହିଁ ।

 

ରୋଗୀକୁ ଦୈନନ୍ଦିନ ଜୀବନରେ ନିୟମିତ ହେବାକୁ ପଡ଼ିବ । ସେ ନିୟମିତ ଭାବରେ ୮।୯ ଘଣ୍ଟା ଶୋଇବ । ସବୁଦିନ ପ୍ରାୟ ଏକା ସମୟରେ ଶୋଇବ ଓ ନିଦରୁ ଉଠିବ । ଅତ୍ୟନ୍ତ ଥଣ୍ଡା ବା ଗରମ ପାଣିରେ ଗାଧୋଇବ ନାହିଁ । ତାକୁ ଶୋଇବା ଅବସ୍ଥାରୁ ହଠାତ୍ ଉଠି ବସାଇବା ଉଚିତ ନୁହେଁ ବା ଲିଫ୍‌ଟ୍‌ ପ୍ରଭୃତିରେ ହଠାତ୍ ଉପରତଳ ହେବା ରୋଗୀ ପକ୍ଷରେ ଠିକ୍ ନୁହେଁ । ଅତ୍ୟଧିକ ଶାରୀରିକ ବା ଦୈହିକ ପରିଶ୍ରମଜନିତ କ୍ଳାନ୍ତି ଯେପରି ନ ଆସେ ସେଥିପ୍ରତି ମଧ୍ୟ ଦୃଷ୍ଟିଦେବା ଉଚିତ-

 

ଔଷଧ ଦେଇ ଏପିଲେପ୍‌ସିକୁ ମୂଳୋତ୍ପାଟନ କରିବା ଦୁଃସାଧ୍ୟ । କିନ୍ତୁ ଔଷଧ ସାହାଯ୍ୟରେ ରୋଗକୁ ଦମନ କରି ରଖିବା ଓ ବାତମାରିବାକୁ ନିୟନ୍ତ୍ରଣ କରି କମାଇଦେବା ସମ୍ଭବପର । ହୁଏତ ରୋଗୀକୁ ସାରା ଜୀବନ ଦିନକୁ ଗୋଟିଏ ଦୁଇଟି ଔଷଧ ବଟିକା ଖାଇବାକୁ ପଡ଼ିପାରେ; କିନ୍ତୁ ରୋଗର ତୀବ୍ରତା ଅଧିକାଂଶ କ୍ଷେତ୍ରରେ ଆୟତ୍ତ କରାଯାଇପାରିବ । କଥା ହେଉଛି ରୋଗୀ ନିୟମିତ ଭାବରେ ଔଷଧ ଖାଇଲେ ହେଲା । ରୋଗୀର ଏପରି ମନୋଭାବ ହୁଏ ଯେ ସେ ମଝିରେ ମଝିରେ ଡାକ୍ତର ଦେଇଥିବା ଔଷଧ ବନ୍ଦକରି ତା’ ରୋଗ କେତେ ଭଲ ହେଲାଣି ବୋଲି ପରୀକ୍ଷା କରିବାକୁ ଚାହେଁ, କିମ୍ବା ଡାକ୍ତର ବଦଳାଏ । ବେଳେବେଳେ ଡାକ୍ତର ଓ ଦିଆଯାଇଥିବା ଔଷଧରେ ରୋଗୀର ବିଶ୍ୱାସ ଜନ୍ମାଇବା ଗୋଟିଏ ପ୍ରଧାନ ସମସ୍ୟା ହୋଇପଡ଼େ । ତେଣୁ ମାନସିକ ରୋଗ ଚିକିତ୍ସକ ରୋଗୀର ଚିକିତ୍ସାପାଇଁ ଆବଶ୍ୟକ ହୁଅନ୍ତି ।

 

ଏପିଲେପ୍‌ସି ବାଟ ବନ୍ଦ କରିବାପାଇଁ ବହୁତ ପ୍ରକାର ଔଷଧ ଆଜିକାଲି ବାହାରିଲାଣି । ଏହାସବୁ ନିଦ ଔଷଧ ଜାତୀୟ । ଏହା ଭିତରୁ ଫେନୋବାର୍ବିଟୋନ ଓ ବ୍ରୋମାଇଡ଼ ପ୍ରଧାନ । ବ୍ରୋମାଇଡ଼ ପୁରୁଣା ଔଷଧ ଓ ଏହାର ପ୍ରୟୋଗଦ୍ଵାରା କେତେକ ଅନିସ୍‍ପିତ ଆନୁସଙ୍ଗିକ ପ୍ରତିକ୍ରିୟା ଦେଖାଯାଉଥିବାରୁ ଫେନୋବାର୍ବିଟୋନ ପ୍ରୟୋଗ କରାଯାଉଛି । ଅବଶ୍ୟ ଠିକ୍ ମାତ୍ରାରେ ନ ଦେଲେ ବହୁତଦିନ ଔଷଧ ଖାଇବାପରେ କେତେକ କୁଫଳ ଦେଖାଯାଏ । ଡାକ୍ତରଙ୍କ ପରାମର୍ଶ ବିନା ଔଷଧର ମାତ୍ରା ବଢ଼ାଇବ ନାହିଁ । ଔଷଧ ହଠାତ୍ ବନ୍ଦ କରିଦେଲେ ରୋଗୀର ସାଂଘାତିକ ଅବସ୍ଥା ପହଞ୍ଚେ ।

 

ଔଷଧ ବନ୍ଦ କରିବା ପରେ ପରେ ଅବିରତ ବାତମାରିବା ଆରମ୍ଭ ହୁଏ । ଏହାକୁ ଇଂରାଜୀରେ ଷ୍ଟେଟ୍‍ସ୍ ଏପିଲେପ୍‍ଟିକସ୍‌ କହନ୍ତି । ବେଳେବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୁଏ ଓ ସଙ୍ଗେ ସଙ୍ଗେ ଅଭିଜ୍ଞ ଡାକ୍ତରଙ୍କ ପାଖକୁ ନ ନେଲେ ଏହା ଅତି ବିପଜ୍ଜନକ । ପାରେଲ୍‌ଡ଼ିହାଇଡ଼୍ ନାମକ ଏକ ଔଷଧ ଇଞ୍ଜେକ୍‍ସନ୍ ଦେଲାପରେ ଅବିରତ ବାତମାରିବା ଆସ୍ତେ ଆସ୍ତେ ବନ୍ଦ ହୁଏ । ଏ ଅବସ୍ଥାରେ ରୋଗୀ ପାଟି ବାଟେ ଖାଇ ନ ପାରିଲେ ନାକ ବାଟେ ପୁଷ୍ଟିକାରକ ଔଷଧ ଖାଦ୍ୟ ହିସାବରେ ଦିଆହୁଏ । ଠିକ୍ ଯତ୍ନ ନ ନେଲେ ଅତ୍ୟଧିକ କ୍ଳାନ୍ତି ଓ ହୃଦୟର କ୍ରିୟାରେ ଚାପ ଯୋଗୁଁ ରୋଗୀ ପ୍ରାଣ ହରାଏ । ସବୁ ଚିକିତ୍ସା ବିଫଳ ହେଲେ ଓ ବାତ ୨।୩ ଘଣ୍ଟା ଭିତରେ ବନ୍ଦ ନହେଲେ ଅଣ୍ଟା ପାଖର ମେରୁଦଣ୍ଡର ମଜ୍ଜା ଫୁଟାଇ କିଛି ରସ ବାହାର କରି ନିଆହୁଏ । ଔଷଧ ପ୍ରୟୋଗ ସହିତ ଏହା କରିବାଦ୍ୱାରା ଅନେକ ସ୍ଥଳରେ ସୁଫଳ ମିଳିଛି ।

 

ପେଟିଟ୍‌ମାଲ୍‍ର ଚିକିତ୍ସାପାଇଁ କେତେଗୁଡ଼ିଏ ବିଶେଷ ଔଷଧ ପ୍ରୟୋଗ କରାଯାଏ । ଟ୍ରକ୍‌ସିଡ଼ନ୍ ନାମକ ଔଷଧ ଏହା ଭିତରେ ପ୍ରଧାନ ।

 

ଇଲେକ୍‌ଟ୍ରିକ୍ ଶକ୍‌ ଦେଇ ଏପିଲେପ୍‌ସିର, ବିଶେଷକରି ଗ୍ରାଣ୍ଡ୍‍ମାଲ୍‍ର ଚିକିତ୍ସା କରିବା ଏବେବି ବିଚାରାଧୀନ । କେତେକ ସ୍ଥଳରେ ଅଳ୍ପ ଅଳ୍ପ କରି ବହୁବାର ବାତ ମାରୁଥିଲେ ଇଲେକ୍‌ଟ୍ରିକ୍ ଶକ୍‌ ଦେଇ କୃତ୍ରିମ ଉପାୟରେ ବଡ଼ ଧରଣର ବାତମାରିବା ସୃଷ୍ଟି କରାଯାଏ । ଏହାଦ୍ଵାରା ଏପିଲେପ୍‌ସିଜନିତ ମାନସିକ ଅବସାଦ ଲୋପପାଏ ଓ କିଛିଦିନ ପାଇଁ ବାତମାରିବା ବନ୍ଦ ହୁଏ । ସେହିପରି ମସ୍ତିଷ୍କରେ ଅସ୍ତ୍ରୋପଚାର କରି ଏପିଲେପ୍‌ସିର ମୂଳ କେନ୍ଦ୍ରକୁ ଦୂର କରିବାର ଚେଷ୍ଟା ହୋଇଛି । ଏହା ସବୁବେଳେ ଫଳପ୍ରଦ ହୁଏନାହିଁ ।

 

ଚିକିତ୍ସା ବ୍ୟତୀତ ଏପିଲେପ୍‌ସି ରୋଗୀ ବିଷୟରେ ଆଉ ଗୋଟିଏ ପ୍ରଶ୍ନ ଉଠେ ରୋଗୀର ବିବାହ କରିବା ଉଚିତ ନା ନୁହେଁ । ଅଧିକାଂଶ ଏପିଲେପ୍‌ସି ରୋଗୀ ସାଧାରଣ ଜୀବନଯାପନ କରିପାରନ୍ତି । ଔଷଧ ସାହାଯ୍ୟରେ ବାତମାରିବା ଖୁବ୍ କମାଇ ଦିଆହୁଏ, ବେଳେବେଳେ ପ୍ରାୟ ସବୁଦିନ ପାଇଁ ବାତମାରିବା ଦମନ କରି ରଖାଯାଇଥାଏ । ତେଣୁ ମାନସିକ ଓ ଶାରୀରିକ–ଉଭୟ ଦିଗରୁ ଜଣେ ସୁସ୍ଥ ଲୋକକୁ ରୋଗୀ ବିବାହ କଲେ ବିଶେଷ କ୍ଷତିନାହିଁ । ଅବଶ୍ୟ ଯେ ବିବାହ କରିବ ସେ ରୋଗ କଥା ଜାଣିବା ଉଚିତ ଏବଂ ତା’ର ସହାନୁଭୂତି ଓ ସହନଶୀଳତା ଥିବା ଉଚିତ, ଯଦି ପିଲାଛୁଆ ନିହାତି ଦରକାର ତେବେ ଗୋଟିଏ ଦୁଇଟି ପିଲା ହେଲେ ସେମାନଙ୍କୁ ଏପିଲେପ୍‌ସି ହେବାର ସମ୍ଭାବନା କମ୍ । କିନ୍ତୁ ଯାହାକୁ ବିବାହ କରାଯାଉଛି ସେ ସୁସ୍ଥ ବୋଲି କିପରି ଜାଣିବ ? ତା’ର ସ୍ୱାସ୍ଥ୍ୟ ଭଲଥିବା ଏ ସ୍ଥଳରେ ସେତେ ଆବଶ୍ୟକ ନୁହେଁ । ଯଦି ତା’ର ମସ୍ତିଷ୍କରେ ବିଦ୍ୟୁତ୍‌–ତରଙ୍ଗ ସମ୍ପୂର୍ଣ୍ଣ ସ୍ଵାଭାବିକ ଥାଏ, ତେବେ ସେ ଏପିଲେପ୍‌ସି ରୋଗୀକୁ ବିବାହ କରି ସନ୍ତାନ ଉତ୍ପାଦନ କଲେ ସନ୍ତାନମାନଙ୍କୁ ଏ ରୋଗ ହେବାର ସମ୍ଭାବନା ପ୍ରାୟ ନାହିଁ ।

☆☆☆

 

ତ୍ରୟୋଦଶ ପରିଚ୍ଛେଦ

ବୁଦ୍ଧିହୀନତା

Mental deficiency

 

ବୁଦ୍ଧି କମ୍‍ଥିବା ଲୋକଙ୍କ ପାଇଁ ଆମେ ଓଲୁ, ହୁଣ୍ଡା, ବୋକା ପ୍ରଭୃତି ବହୁତ ଶବ୍ଦ ବ୍ୟବହାର କରୁ । କିନ୍ତୁ ଏ ସବୁ ଶବ୍ଦବି ଗାଳି ଦେଲାବେଳେ ପ୍ରୟୋଗ କରାଯାଏ । ଯାହାହେଉ ଆମେ ଯେତେ ଲୋକଙ୍କୁ ଓଲୁ, ହୁଣ୍ଡା ବା ବୋକା ବୋଲି କହି ଗାଳିଦେଉ (ଏବଂ ଯେତେଲୋକ ଆମକୁ ସେଇଆ କହି ଗାଳିଦିଅନ୍ତି) ସେମାନେ ଓ ଆମ୍ଭେମାନେ ଯଦି ପ୍ରକୃତରେ ବୁଦ୍ଧିହୀନ ହୋଇଥାଉ ତେବେ ବୋଧହୁଏ ଶତକଡ଼ା ୯୯ ଜଣଙ୍କର ବୁଦ୍ଧି ନଥିବ ।

 

କିନ୍ତୁ ବୁଦ୍ଧିହୀନତା ପାଗଳାମୀ ଭଳି ବ୍ୟକ୍ତି ବିଶେଷଙ୍କର ସ୍ଥାୟୀ ଦୋଷ । ଦୈନନ୍ଦିନ ଜୀବନରେ ବୁଦ୍ଧିହୀନ ଲୋକ ଦେଖାଦିଅନ୍ତି । ଏମିତି ଜଣେ ଜଣେ ଅଛନ୍ତି, ଯେଉଁମାନେ ଘରେ ଚୁପ୍‍ଚାପ୍ ବସିଥିବେ, କୌଣସି କାମଦାମ ଆସିବନି, ଖାଲି ଖୁବ୍ ସାଧାରଣ ସହଜ କଥା କହିପାରୁଥିବେ; ପାଠଶାଠ ସେମାନଙ୍କ ଦ୍ୱାରା ହୁଏ ନାହିଁ । ଏମିତି ଲୋକ ଆମେ ସମସ୍ତେ ଦେଖିଥିବା । ଏ ଲୋକମାନେ ସାଧାରଣତଃ କୌଣସି ମାନସିକ ବ୍ୟାଧିଦ୍ଵାରା ଆକ୍ରାନ୍ତ ହୋଇ ନଥାନ୍ତି । ଖୁବ୍ ଅଳ୍ପ କେତେକ ଲୋକଙ୍କୁ ଛାଡ଼ିଦେଲେ ଏମାନଙ୍କ ଭିତରୁ ପ୍ରାୟ ସମସ୍ତେ ଜନ୍ମରୁ କିମ୍ବା ଖୁବ୍ ପିଲାଦିନରୁ ବୁଦ୍ଧିହୀନ । ଯେଉଁମାନଙ୍କର ବେଶୀ ବୟସରେ ବୁଦ୍ଧିହୀନତା ସିଫିଲିସ୍ ବା ମସ୍ତିଷ୍କରେ କ୍ଷତ ପ୍ରଭୃତି କାରଣରୁ ଦେଖାଦିଏ, ସେମାନଙ୍କୁ ବୁଦ୍ଧିହୀନ (Mental deficient) ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ । ବୁଦ୍ଧିହୀନତା କହିଲେ ଜନ୍ମରୁ ବା ଅତି ଶୈଶବାବସ୍ଥାରୁ ଦେଖା ଦେଉଥିବା ନିକୃଷ୍ଟ ମାନସିକ କ୍ରମବିକାଶକୁ ବୁଝାଏ ଏବଂ ଫଳତଃ କେବଳ ବୁଦ୍ଧି କମିବା ବ୍ୟତୀତ ଅନ୍ୟ କୌଣସି ମାନସିକ ବିକୃତି ଏଥିରେ ଦେଖାଦିଏ ନାହିଁ ।

 

କିନ୍ତୁ ବୁଦ୍ଧି କ’ଣ ? ବୁଦ୍ଧିଆ କିଏ ? କେତେକ ମନୋବୈଜ୍ଞାନିକଙ୍କ ମତରେ ବୁଦ୍ଧି ହେଉଛି ଯେକୌଣସି ଜିନିଷ ଶୀଘ୍ର ଶିଖିବାର ସାମର୍ଥ୍ୟ । ନୂଆ ବିଷୟ ଶିଖିବା ଜୀବନରେ କାହିଁକି ଦରକାର ହୁଏ ? ପରିବର୍ତ୍ତିତ ପରିବେଷ୍ଟନୀ ସହିତ ସାମଞ୍ଜସ୍ୟ ରଖି ଚଳିବାପାଇଁ । ତେଣୁ ମନୁଷ୍ୟ ବୁଦ୍ଧି ପ୍ରୟୋଗ କରି ବଦଳୁଥିବା ପରିପାର୍ଶ୍ୱ ସହିତ ଖାପ ଖୁଆଇ ଚଳେ । ଯାହାର ବୁଦ୍ଧି କମ୍ ସେ ସଂସାରରେ ସେତେ ଭଲ ଭାବରେ ଚଳିପାରିବ ନାହିଁ; ନିଜେ ବହୁତ କାମ କରିବାକୁ ଅଯୋଗ୍ୟ ହେବ । ଅନ୍ୟର ଆଶ୍ରୟ ନ ନେଲେ ନିଜେ ବିଚାର ବୁଦ୍ଧି ପ୍ରୟୋଗ କରି କୌଣସି କାମ କରିବାକୁ ଅସମର୍ଥ ହେବ । ବୁଦ୍ଧି ବହୁତ ଅଳ୍ପ ଥିଲେ ଆପେଆପେ ରାସ୍ତା ପାର ହେବା, ଏପରିକି ଭୋକ ହେଲେ ଖାଇବା ଜିନିଷ ଖୋଜି ଖାଇପାରିବା ମଧ୍ୟ ଅସମ୍ଭବ ହୁଏ । କିନ୍ତୁ ସାଧାରଣ ଲୋକଙ୍କ ଭିତରେ ଦେଖାଯାଏ ଯେ କେହି କେହି ସଂସାରରେ ଖୁବ୍ ସଫଳ । ସେମାନେ କ’ଣ ତେବେ କମ୍ ସଫଳତା ହାସଲ କରିଥିବା ଲୋକଙ୍କଠାରୁ ବେଶୀ ବୁଦ୍ଧିମାନ୍ ? ଉଦାହରଣସ୍ୱରୂପ ଜଣେ ସ୍କୁଲ୍‍ଶିକ୍ଷକ ଖୁବ୍ ବୁଦ୍ଧିମାନ୍ ହେଲେ ମଧ୍ୟ ସାରା ଜୀବନ ଉପାର୍ଜନ କରି ଯଥେଷ୍ଟ ଖାଇବା ପିନ୍ଧିବାକୁ ପାଉନାହିଁ; ଅଥଚ ତା’ଠାରୁ କମ୍ ବୁଦ୍ଧିମାନ୍ ଲୋକ ବ୍ୟବସାୟ କରି ଲକ୍ଷପତି ହୋଇଥିବା କ’ଣ ଅସମ୍ଭବ ? ଏଠି ପ୍ରଶ୍ନ ଉଠିପାରେ ସଫଳତାର ଅର୍ଥ କ’ଣ କେବଳ ଆର୍ଥିକ ସ୍ଵଚ୍ଛଳତା ? ଅନ୍ୟ ଯୁଗରେ ଅନ୍ୟ ସମାଜରେ ଯାହା ହେଉନା କାହିଁକି ଆମ ସମାଜରେ ଆର୍ଥିକ ଉନ୍ନତିହିଁ ପ୍ରାୟ ସଫଳତାର ମାପକାଠି ବୋଲି ଧରାଯାଏ । ଏହା ଭୁଲ ବା ଠିକ୍ ଏ କଥା ବିଚାର କରିବା ଅବାନ୍ତର-। ତେବେ ଏକଥା କହି ହେବନି ଯେ ଜଣେ ଯେତେ ବୁଦ୍ଧିମାନ ହେବ, ସେ ପରିବେଷ୍ଟନୀ ସହିତ ସେତେ ସାମଞ୍ଜସ୍ୟ ରଖି ଚଳିପାରିବ । ଏମିତିକି ଅତି ବୁଦ୍ଧିମାନ ଲୋକ ମଧ୍ୟ ସାମାଜିକ ପରିବେଷ୍ଟନୀରେ ଖାପଖୁଆଇ ଚଳିପାରନ୍ତି ନାହିଁ । ବହୁ ବୁଦ୍ଧିମାନ୍ ବୈଜ୍ଞାନିକ ଏ ଶ୍ରେଣୀର ଅନ୍ତର୍ଭୁକ୍ତ ।

 

କିଏ ବୁଦ୍ଧିମାନ୍ ଜାଣିବ କିପରି ? ବୈଜ୍ଞାନିକ ପରୀକ୍ଷାଦ୍ଵାରା ବୁଦ୍ଧି ମପାଯାଇପାରେ । ଏକଥା ବହୁତ ଲୋକେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଏଥିରେ କୌଣସି ଗୂଢ଼ରହସ୍ୟ ନାହିଁ । ମଣିଷର ବୁଦ୍ଧି ସାଧାରଣତଃ ତା’ର ବିଚାରଶକ୍ତି ଓ ବ୍ୟବହାରରୁ ଜଣାଯାଏ । ବୁଦ୍ଧି ପରୀକ୍ଷାଗୁଡ଼ିକ ସେହି ଅନୁସାରେ କେତେକ ପ୍ରଶ୍ନର ଉତ୍ତର ଦରକାର କରନ୍ତି ବା କେତେକ ବ୍ୟାବହାରିକ ପରୀକ୍ଷା ନେଇ ପ୍ରସ୍ତୁତ କରାଯାଇଥାଆନ୍ତି । ପ୍ରଶ୍ନୋତ୍ତର ପରୀକ୍ଷାଗୁଡ଼ିକରେ ସାଧାରଣ ବୁଦ୍ଧିର ଦରକାର ହୁଏ-। କୌଣସି ବିଶେଷ ବିଷୟରେ ଜ୍ଞାନର ଆବଶ୍ୟକତା ପଡ଼େନାହିଁ । ଯଥା–କେତେକ ସାଧାରଣ ପ୍ରବାଦର ଅର୍ଥ ବା କେତେକ ମାନସାଙ୍କ ପଚରାଯାଏ । ବ୍ୟାବହାରିକ ପରୀକ୍ଷାରେ କାଠର ବିଭିନ୍ନ ବ୍ଳକ୍ ନେଇ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣରେ ସଜାଇ ରଖିବା ବା ବିଭିନ୍ନ ଅଂଶକୁ ଏକମାତ୍ର କରି କୌଣସି ନିର୍ଦ୍ଦିଷ୍ଟ ଆକୃତି ପ୍ରସ୍ତୁତ କରିବା ପ୍ରଭୃତି କାମ କରିବାକୁ ଦିଆଯାଏ-। ବୟସ ଅନୁସାରେ ପୁଣି ବୁଦ୍ଧିରେ ତାରତମ୍ୟ ଦେଖାଯାଏ । ସାଧାରଣତଃ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ବୁଦ୍ଧିବଢ଼େ । ତା’ପରେ ଜ୍ଞାନ ବା ଅଭିଜ୍ଞତା ବଢ଼େ ସିନା, ବୁଦ୍ଧିବଢ଼େନାହିଁ । ତେଣୁ ପରୀକ୍ଷାଗୁଡ଼ିକ ବୟସ ଅନୁସାରେ ପ୍ରସ୍ତୁତ କରାଯାଇଥାଏ । ଚାରିବର୍ଷ ବୟସରେ ପିଲାପାଇଁ ପରୀକ୍ଷାର ଉତ୍ତର ଯଦି ତିନିବର୍ଷର ପିଲା ଦେଇପାରିଲା, ତେବେ ତା’ର ବୁଦ୍ଧି ସେହି ଅନୁପାତରେ ଅଧିକ । କିନ୍ତୁ ଯଦି ପାଞ୍ଚବର୍ଷର ପିଲା ଚାରିବର୍ଷ ପିଲାଙ୍କ ପରୀକ୍ଷା ପାସ୍ କରିପାରିଲାନି, ତେବେ ସେହି ଅନୁପାତରେ ତା’ର ବୁଦ୍ଧି କମ୍ । ବୁଦ୍ଧି ପରୀକ୍ଷାଗୁଡ଼ିକୁ ପୁଣି ଶାବ୍ଦିକ ଓ ଅଶାବ୍ଦିକ–ଏ ଦୁଇ ଭାଗରେ ବିଭକ୍ତ କରାଯାଏ । କେବଳ ପ୍ରଶ୍ନୋତ୍ତର ପରୀକ୍ଷାଗୁଡ଼ିକ ଶାବ୍ଦିକ ହୁଏ; ଛବି ଦେଖି ପ୍ୟାଟାର୍ଣ୍ଣ ବାଛିବା ବା କାଠ ବ୍ଳକ୍ ନେଇ ନିର୍ଦ୍ଦିଷ୍ଟ ଆକୃତିରେ ସଜାଇବା ପ୍ରଭୃତି ନିଶ୍ଚୟ ଅଶାବ୍ଦିକହିଁ ହେବ । ଦେଖାଯାଇଛି ଯେ ଅଶାବ୍ଦିକ ପରୀକ୍ଷାଗୁଡ଼ିକ ଦେଶ ବିଦେଶ ଚାରିଆଡ଼େ ପ୍ରୟୋଗ କରାଯାଇପାରିବ ଓ ଏହାର ଉତ୍ତରଗୁଡ଼ିକ ଉତ୍ତରଦାତାଙ୍କର ସାମାଜିକ ଜୀବନ ପ୍ରଣାଳୀ ଓ ସଂସ୍କୃତିଦ୍ଵାରା ପ୍ରଭାବିତ ହେବାର ସମ୍ଭାବନା ଖୁବ୍ କମ୍ । ତା’ଛଡ଼ା ନିରକ୍ଷର ଲୋକଙ୍କ ବୁଦ୍ଧିପରୀକ୍ଷା ପାଇଁ ଅଶାବ୍ଦିକ ପରୀକ୍ଷାହିଁ ଉପଯୁକ୍ତ । ପଢ଼ିଲେଖି ଜାଣି ନଥିବାରୁ ସେମାନେ ଶାବ୍ଦିକ ପ୍ରଶ୍ନୋତ୍ତର ପରୀକ୍ଷା ଦେଇପାରିବେ ନାହିଁ ।

 

ତାହାହେଲେ କ’ଣ ନିରକ୍ଷର ଲୋକଙ୍କର ବୁଦ୍ଧି ଅଛି ? ଏ ପ୍ରଶ୍ନ ସାଧାରଣ ଲୋକେ ପଚାରିବା ସ୍ଵାଭାବିକ । କାରଣ ସାଧାରଣତଃ ଆମେ ଭାବୁ ଯେ ପାଠପଢ଼ି ନଥିଲେ ନିର୍ବୁଦ୍ଧିଆ ହୁଅନ୍ତି । ଗୋଟିଏ ଆଡ଼ୁ ଭାବିବାକୁ ଗଲେ ଏହା କେତେକାଂଶରେ ସତ । ଯେ ପାଠପଢ଼ି ନଥାଏ ସେ ବହୁତ ବିଷୟରେ ଅଜ୍ଞ ଥାଏ । ତେଣୁ ତା’ର ଅନ୍ତର୍ନିହିତ ବୁଦ୍ଧି ପ୍ରଖର ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ତାହା କାମରେ ଲାଗିପାରେ ନାହିଁ । ଅଥଚ ସେ ପାଠ ପଢ଼ିଥିଲେ ତା’ ବୁଦ୍ଧିର ପୂର୍ଣ୍ଣ ଉପଯୋଗ କରିପାରିଥାନ୍ତା । ତେଣୁ ବୁଦ୍ଧିପରୀକ୍ଷାଦ୍ଵାରା ଯାହା ଜଣାପଡ଼େ ତାହା ପ୍ରଚ୍ଛନ୍ନ ଓ ପ୍ରକାଶିତ ଉଭୟ ପ୍ରକାର ବୁଦ୍ଧିର ସମଷ୍ଟି । ଯେମିତି ଜଣେ ଲୋକର ବହୁତ ବଳ ଥାଇପାରେ, ଅଥଚ ସେ ଅଳସୁଆ ହୋଇ କିଛି କାମ ନ କରି ସେ ବଳର ଅଧିକାଂଶ ଭାଗ ଉପଯୋଗ କରି ନପାରେ । ସେହିପରି ଜଣଙ୍କର ବହୁତ ବୁଦ୍ଧିଥିଲେ ମଧ୍ୟ ତା’ର ଦୈନନ୍ଦିନ ବ୍ୟବହାର ଓ କାମରୁ ଏହା ଅନ୍ଦାଜ କରିହୁଏ ନାହିଁ । ଏଥିପାଇଁ ବାହାର ବ୍ୟବହାରରୁ ଜଣେ ଲୋକର ବୁଦ୍ଧି ଅନୁମାନ କରିବା ସହଜ ନୁହେଁ । ମୁହଁ ଦେଖି ବୁଦ୍ଧିଆ କି ନିର୍ବୁଦ୍ଧିଆ କହିପାରିବା ସବୁବେଳେ ସମ୍ଭବ ନୁହେଁ । କେତେକ ପିଲା ଖୁବ୍ ଚାଲାକ୍ ଦେଖାଯାଆନ୍ତି । ଗୋଟାଏ ଦୁଇଟା କଥା କହି ବୁଦ୍ଧିମାନ୍‌ ବୋଲି ଧାରଣା ଦିଅନ୍ତି; କିନ୍ତୁ ବୁଦ୍ଧିପରୀକ୍ଷା କରି ଦେଖାଯାଇପାରେ ଯେ ସେ ସାଧାରଣଙ୍କଠାରୁ ଆହୁରି କମ୍ ବୁଦ୍ଧିଆ । ବିଶ୍ଵବିଦ୍ୟାଳୟ ପରୀକ୍ଷାରେ ଯେଉଁମାନେ ପ୍ରଥମ ବା ଦ୍ଵିତୀୟସ୍ଥାନ ଅଧିକାର କରନ୍ତି ସେମାନଙ୍କୁ ବୁଦ୍ଧିମାନ ବୋଲି ଆମେ ସମସ୍ତେ କହିବା । ଅନ୍ୟ ପକ୍ଷରେ ସମସ୍ତ ସୁବିଧା ଦେବା ସତ୍ତ୍ୱେ ଯେ ବରାବର ସବୁ ପରୀକ୍ଷାରେ ଫେଲ୍ ହେଉଛି ତାକୁ ନିର୍ବୁଦ୍ଧିଆ ବୋଲି କହିହେବ । ଏ ଦୁଇପ୍ରକାର ପିଲାଙ୍କ ଭିତରୁ ପ୍ରତ୍ୟେକରୁ ୧୦ ଜଣ କରି ୨୦ ଜଣ ପିଲା ବାଛି ସେମାନଙ୍କୁ ଏକାଠି ମିଶାଇ ଠିଆକରାହେଉ, ଆଉ ତାଙ୍କ ଭିତରୁ କେଉଁ ଦଶ ଜଣ ବୁଦ୍ଧିଆ ପିଲା ବୋଲି ଚିହ୍ନଟ କରିବାକୁ କୁହାଯାଉ । ଯେତେବଡ଼ ମନୋବୈଜ୍ଞାନିକ ବା ବୁଦ୍ଧିମାନ୍‌ ବିଚାରପତି ଆସିଲେ ମଧ୍ୟ ନିର୍ଭୁଲ ଭାବରେ ଚିହ୍ନଟ କରିପାରିବେ ନାହିଁ । ୨୦ ଜଣରୁ ୫ ଜଣଙ୍କୁ ଠିକ୍ କରି ବାଛିଲେବି କୌଣସି ବାହାଦୁରି ନାହିଁ । କାରଣ ଖାଲି ଅନ୍ଦାଜ କରି ଜଣେ ୨୦ରୁ ୫ ଟିଙ୍କୁ ବାଛି ଦେଇପାରେ । ଏସବୁ ଆଲୋଚନାରୁ ଜଣାପଡ଼ୁଛି ଯେ ବୁଦ୍ଧିପରୀକ୍ଷା ଅତ୍ୟନ୍ତ ଆବଶ୍ୟକ ଏବଂ ଜଣଙ୍କର ବୁଦ୍ଧି ଜାଣିବାପାଇଁ ଆମକୁ ବୁଦ୍ଧିପରୀକ୍ଷା ଉପରେ ଖୁବ୍ ବେଶୀ ନିର୍ଭର କରିବାକୁ ପଡ଼ୁଛି । ତେଣୁ କେହି କେହି କହନ୍ତି ଯେ ବୁଦ୍ଧିପରୀକ୍ଷାଦ୍ୱାରା ଯାହା ମପାହୁଏ ତାହା ବୁଦ୍ଧି । ବୁଦ୍ଧିର ଏହାହିଁ କାର୍ଯ୍ୟକାରୀ ସଂଜ୍ଞା ।

 

ବୁଦ୍ଧିହୀନ (Mental deficient) ଲୋକ ସଂସାରରେ ସାଧାରଣ ଭାବରେ ଚଳିପାରେ ନାହିଁ । କାରଣ ଜନ୍ମରୁ ତା’ର ବୁଦ୍ଧି କମ୍ ଓ ମାନସିକ ଅଭିବୃଦ୍ଧି ପରାହତ । ବୁଦ୍ଧିହୀନତାର ଅବଶ୍ୟ ମାତ୍ରା ଅଛି । ଧରାଯାଇଛି ଯେ ବୁଦ୍ଧିର ପରିମାଣ ୧୦୦* ହେଲେ ସାଧାରଣ ଲୋକର ବୁଦ୍ଧି ସଙ୍ଗେ ସମାନ, ୧୦୦ର ଯେତେ ଉପରେ ହେବ ସେତେ ବେଶୀ ବୁଦ୍ଧିର ସୂଚନା ମିଳେ । ସାଧାରଣ ଲୋକଙ୍କ ବୁଦ୍ଧି ୯୦ରୁ ୧୧୦ ଭିତରେ ଥାଏ । ବୁଦ୍ଧିର ମାତ୍ରା ୭୫ ବା ତା’ର ତଳକୁ ହେଲେ ବୁଦ୍ଧିହୀନତାର ସୂଚନା ମିଳେ । ବୁଦ୍ଧିହୀନତା ପୁଣି ମାତ୍ରା ଅନୁସାରେ ତିନିଭାଗରେ ବିଭକ୍ତ–

 

ମୋରନ୍–ବୁଦ୍ଧିର ପରିମାଣ ୫୦ ରୁ ୭୦

 

ଇମ୍‌ବେସାଇଲ–ବୁଦ୍ଧିର ପରିମାଣ ୨୦ରୁ ୫୦

 

ଇଡ଼ିଅଟ୍–ବୁଦ୍ଧିର ପରିମାଣ ୨୦ ରୁ କମ୍

 

* ୧୦୦ ସଂଖ୍ୟାଟି ସାଧାରଣ ବୁଦ୍ଧିର ମାନ ବୋଲି ବିନା କାରଣରେ ନିଆଯାଇ ନାହିଁ-। ବୁଦ୍ଧି ପରୀକ୍ଷାଗୁଡ଼ିକ ପ୍ରତ୍ୟେକ ବୟସପାଇଁ ନିର୍ଦ୍ଦିଷ୍ଟ ଅଛି । ବୁଦ୍ଧିଆ ପିଲା ତା’ଠାରୁ ବଡ଼ ପିଲାମାନଙ୍କ ପାଇଁ ବୁଦ୍ଧିପରୀକ୍ଷାରେ ପାସ୍‌ କରିବ, ଗଧ ପିଲା ତା’ଠାରୁ କମ୍ ବୟସର ପିଲାଙ୍କପାଇଁ ବୁଦ୍ଧିପରୀକ୍ଷାରେ ପାସ୍ କରିବ; କିନ୍ତୁ ନିଜ ବୟସର ପିଲାମାନଙ୍କ ପାଇଁ ପରୀକ୍ଷାରେ ପାସ୍‌ କରିପାରିବ ନାହିଁ । ମନେକର ଜଣେ ୧୦ ବର୍ଷର ପିଲା ୧୨ ବର୍ଷ ବୟସ୍କ ପିଲାଙ୍କପାଇଁ ବୁଦ୍ଧିପରୀକ୍ଷାରେ ପାସ୍‍କଲା । ତେବେ ତା’ର ବୁଦ୍ଧି ହିସାବ କରିବାର ପ୍ରଣାଳୀ ହେଲା–ପ୍ରଥମେ ପିଲାଟି ଯେଉଁ ବର୍ଷପାଇଁ ଉଦ୍ଦିଷ୍ଟ ପରୀକ୍ଷା ପାସ୍ କରିଛି ତାହା ଲେଖ । ଏଠାରେ ସେ ସଂଖ୍ୟାଟି ୧୨ । ପିଲାଟିର ନିଜ ବୟସଦ୍ୱାରା ସେ ସଂଖ୍ୟାଟିକୁ ଭାଗ କର । ତେବେ ଏଠାରେ ଏହା ୧୨/୧୦ ହେଲା । ଭାଗଫଳକୁ ୧୦୦ରେ ଗୁଣ । ଏଠାରେ ୧୨୦ ହେଲା । କିଛି ବୁଦ୍ଧିପରୀକ୍ଷା ନାହିଁ କହିଲେ ଚଳେ । ତେବେ ଜାଣିବ କିପରି ନିଜ ପିଲାଟି ବୁଦ୍ଧିହୀନ ନା ନୁହେଁ ? ଟ୍ରେଡ଼୍‍ଗୋଲ୍‍ଡ଼ ନାମକ ଜଣେ ବିଖ୍ୟାତ ବିଶେଷଜ୍ଞ ସ୍ୱାଭାବିକ ବିକାଶର ଲକ୍ଷଣ ବୋଲି ଯାହା ଧରିଛନ୍ତି ତାହା ତଳେ ଦିଆଗଲା । ବୁଦ୍ଧିହୀନର ସ୍ୱାଭାବିକ ବିକାଶ ବିଳମ୍ବରେ ଦେଖାଯାଏ ।

 

ଯାହାହେଲା ତାହାକୁ ବୁଦ୍ଧି ଭାଗଫଳ ବା Intelligence Quotient (I.Q.) କହନ୍ତି ।

 

ଏଠାରେ ପିଲାଟିର I.Q. ହେଲା ୧୨୦ । ଯାହାର ବୁଦ୍ଧି ସାଧାରଣ, ସେ ତା’ ବୟସପାଇଁ ଉଦ୍ଦିଷ୍ଟ ପରୀକ୍ଷା ପାସ୍ କରେ । ତା’ଠାରୁ କଷ୍ଟ ପରୀକ୍ଷାକୁ ପାରେ ନାହିଁ । ତେଣୁ ବୟସ ୧୦ ବର୍ଷ ହେଲେ ୧୦ ବର୍ଷ ପିଲାଙ୍କ ପରୀକ୍ଷା ପାସ୍ କରେ । ଏଣୁ ବୁଦ୍ଧି ଭାଗ୍ୟଫଳ ହେଲା ୧୦/୧୦ x ୧୦୦= ୧୦୦ । ତେଣୁ ସାଧାରଣ ବୁଦ୍ଧିର ମାନକୁ ୧୦୦ ଧରାଯାଇଛି । ୧୦ ବର୍ଷର ପିଲା କେବଳ ୭ ବର୍ଷର ପିଲାଙ୍କ ପରୀକ୍ଷା ପାସ୍ କରିପାରିଲେ ତା’ର ବୁଦ୍ଧି ଭାଗ୍ୟଫଳ ୭୦, ଏବଂ ସେ ମୋରନ୍‌ । ୫ ବର୍ଷ ପିଲାଙ୍କ ପରୀକ୍ଷା ପାସ୍‌କଲେ ଏହା ୫୦ ଏବଂ ସେ ଇମ୍‌ବେସାଇଲ୍ । ଦେଢ଼ବର୍ଷ ପିଲାଙ୍କ ପରୀକ୍ଷା ପାସ୍ କଲେ ଏହା ୧୫ ଏବଂ ସେ ଇଡ଼ିଅଟ୍ ।

 

ଜନ୍ମରୁ ବା ଅତି ପିଲାଦିନୁ ବୁଦ୍ଧିହୀନତା ଦେଖାଗଲେ ଅତି ଛୋଟପିଲା ବୁଦ୍ଧିହୀନ ନା ସାଧାରଣ ବୁଦ୍ଧିସମ୍ପନ୍ନ ଏ କଥା ଜାଣିବ କିପରି ? ୩ ବର୍ଷ ତଳ ପିଲାଙ୍କପାଇଁ ସେପରି କିଛି ବୁଦ୍ଧିପରୀକ୍ଷା ନାହିଁ କହିଲେ ଚଳେ । ତେବେ ଜାଣିବ କିପରି ପିଲାଟି ବୁଦ୍ଧିହୀନ ନା ନୁହେଁ ? ଟ୍ରେଡ଼୍‍ଗୋଲ୍‌ଡ଼ ନାମକ ଜଣେ ବିଖ୍ୟାତ ବିଶେଷଜ୍ଞ ସ୍ୱାଭାବିକ ବିକାଶର ଲକ୍ଷଣ ବୋଲି ଯାହା ଧରିଛନ୍ତି ତାହା ତଳେ ଦିଆଗଲା । ବୁଦ୍ଧିହୀନର ସ୍ୱାଭାବିକ ବିକାଶ ବିଳମ୍ୱରେ ଦେଖାଯାଏ ।

 

ପିଲାର ବୟସ ସ୍ୱାଭାବିକ ବିକାଶ

 

୭ଦିନ ଖୁବ୍ ଜୋରରେ ଦୁଧ ଚୁଚୁମେ । ଜିଭରେ ପିତା ବା ମିଠା ଜିନିଷ ଦେଲେ ଜାଣିପାରେ । ଆଖି ଆଗରେ ଡିଆସିଲିର କାଠିକୁ ଜଳାଇ ଆସ୍ତେ ଆସ୍ତେ ଗୋଟିଏ କଡ଼ରୁ ଅନ୍ୟ କଡ଼ରୁ ନେଲେ ସେହି ଅନୁସାରେ ଅଧିକାଂଶ ସମୟରେ ଆଖି ବୁଲାଏ ।

 

୧ ମାସ ଖୁବ୍ ଗରମ ଦୁଧ ପ୍ରଭୃତି ଦେଲେ ବା ଗରମ ପାଣିରେ ଗାଧୋଇ ଦେଲେ ଜାଣିପାରେ ଓ ଅସ୍ୱସ୍ତିବୋଧ କରେ ।

 

୨ ମାସ ଆଲୁଅକୁ କିଛି ସମୟପାଇଁ ଏକ ଧ୍ୟାନରେ ଚାହିଁରହିପାରେ । କାନ ପାଖରେ ଘଣ୍ଟା ଧରିଲେ ଟିକ୍‍ଟିକ୍ ଶବ୍ଦ ଶୁଣିବାକୁ ଭଲପାଏ ।

 

୩ ମାସରୁ ୪ ମାସ ଚଳନ୍ତା ଜିନିଷ ସଙ୍ଗେ ସଙ୍ଗେ ଆଖି ବୁଲାଏ । ଯେଉଁ ଦିଗରୁ ଶବ୍ଦ ଆସୁଥିବ ସେ ଦିଗକୁ ମୁଣ୍ଡ ବୁଲାଏ । ସାମନାରେ ଖେଳନା ପ୍ରଭୃତି କୌଣସି ଆକର୍ଷଣକାରୀ ଜିନିଷ ଧରିଲେ ସେ ଆଡ଼କୁ ହାତବଢ଼ାଏ । ଗୋଡ଼ରେ ଠେଲାଠେଲି କରେ ।

 

ନିଜ ମା’ କିମ୍ବା ବରାବର ପାଖରେ ଥିବା ଧାଈକୁ ଚିହ୍ନିପାରେ ଓ ଦେଖି ମୁରୁକି ମୁରୁକି ହସେ । ଭୋକ, ରାଗ, ଡର ଓ କଷ୍ଟ ହେଉଥିବା ବେଳର କାନ୍ଦରେ ତଫାତ୍‌ ଜଣାଯାଏ । ମା’ ଦୁଧ ବା ଦୁଧବୋତଲ ଦେଖି ଓଠକୁ ଚୁଚୁମିଲା ଭଳିଆ କରେ । ଜୋରରେ ହସେ ।

 

୫ ମାସ ବାପ ମା’ଙ୍କ ପାଟି ବାରିବାରେ । ଜିନିଷ ଭଲ କରି ଧରି ପାଟିରେ ପୂରାଏ । କାଗଜ ଧରିଲେ ମକଚି ମକଚି ଖସର ଖସର କରିପାରେ । ମୁଣ୍ଡ ଓ କାନ୍ଧ ଉପରକୁ ଟେକିବା ପ୍ରଥମେ ଏ ବୟସରେ ଦେଖାଯାଏ । କଥା କହିବାର ପୂର୍ବାଭାସ ଭଳିଆ ବାବା, ମାମା ହୁଏ ।

 

୬ ମାସ ସବୁଦିନେ ଦେଖୁଥିବା ବହୁତ ଜିନିଷ ଚିହ୍ନିପାରେ । ଧରି ବସାଇଦେଲେ ୨/୩ ମିନିଟପାଇଁ ପଡ଼ି ନ ଯାଇ ବସିପାରେ । ବହୁତ ଶବ୍ଦ ବୁଝିପାରେ ଓ ଶୋଇପଡ଼, ଉଠିପଡ଼, ହାତଦେଖା ପ୍ରଭୃତି କେତେକ ସାଧାରଣ କଥା କହିଲେ ସେ ସବୁ କରେ । ହାତଗୋଡ଼ ହଲାଇବା ପ୍ରଭୃତି ଅନୁକରଣ କରେ ।

 

୯ ମାସ ଚୌକିରେ ସିଧା ହୋଇ ବସେ । ତଳେ ଗୁରୁଣ୍ଡିବାକୁ ଚେଷ୍ଟାକରେ । ହାତ ବହୁତ ପ୍ରକାରେ ହଲାଇପାରେ । କେତେକ ଜିନିଷ ପ୍ରତି ଆଗ୍ରହ, ଉତ୍କଣ୍ଠା ଓ ମନୋଯୋଗ ଦେଖାଏ-। ବହୁତ ଜିନିଷର ନାଁ ଜାଣେ ଓ କେତେକ ବନ୍ଧୁବାନ୍ଧବଙ୍କର ମଧ୍ୟ ନାଁ ଜାଣେ ।

 

୧୨ ମାସ ଏକା ଠିଆ ହୁଏ । ଦୁଇଚାରି ପାଦ ଏକା ଚାଲିପାରେ । ପାଞ୍ଚ ଛଅଟି ଶବ୍ଦ କହିପାରେ । ଆଖି, ନାକ ବା ମୁହଁ କେଉଁଟା କହିଲେ ଦେଖାଏ । ଅଭ୍ୟାସ ଥିଲେ ଚାମଚ ଧରି ଖାଇପାରେ ଓ କପ୍ ବା ଗିଲାସରୁ ନିଜେ ପିଇପାରେ । ଚାଲିଚଳଣ ଯେତେଦୂର ସମ୍ଭବ ଅନୁକରଣ କରିପାରେ । ବୋଲ ମାନେ ।

 

୧୮ ମାସ ଚଲାବୁଲା ଓ ଦୌଡ଼ାଦୌଡ଼ି କରେ । ଚୌକିରେ ଉଠିବାକୁ ଚେଷ୍ଟା କରେ । ଜୋତା ପିନ୍ଧୁଥିଲେ ନିଜେ ଜୋତା ପିନ୍ଧିବାକୁ ଚେଷ୍ଟାକରେ । ଝାଡ଼ା ପରିସ୍ରା ନିର୍ଦ୍ଦିଷ୍ଟ ଜାଗାରେ କରେ-

 

୨ ବର୍ଷ ୨୦୦ରୁ ୩୦୦ ଶବ୍ଦର ଅର୍ଥ ଜାଣେ । ଦୁଇ ବା ତିନୋଟି ଶବ୍ଦ ଲଗାଇ ଛୋଟ ଛୋଟ ବାକ୍ୟ କହେ । ନାଲି, ସବୁଜ, ନୀଳ ଓ ହଳଦିଆ ଏ ଚାରିରଙ୍ଗ ଚିହ୍ନିପାରେ । ଇଟା ବା ଡିଆସିଲି ଖୋଳରେ ଘର ତିଆରି କରିବା ଏ ବୟସରେ ଆରମ୍ଭ ହୁଏ । ଛବିରେ ବିଭିନ୍ନ ଜିନିଷ ଚିହ୍ନଟ କରିପାରେ । ପରିସ୍ରା ମାଡ଼ିଲେ ଅଟକାଇପାରେ ।

 

୩ ବର୍ଷ କାଠ ବା ଇଟାରେ ବିଭିନ୍ନ ଆକୃତି ତିଆରି କରେ । ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ନାଁ ଓ ଆବଶ୍ୟକତା ଜାଣିଥାଏ । ମାଳିରେ ସୂତା ପୂରାଇପାରେ । ନିଜେ ଜୋତା ପିନ୍ଧେ । ହ୍ୟାଣ୍ଡଲ୍‌ ମୋଡ଼ି ଦୁଆର ଖୋଲିପାରେ । ‘ଏଇଟା ଆଣ’, ‘ସେଇଟା ନେଇଯା’, ଏସବୁ ବୋଲ ବତାଇଲେ କରେ । ନିଜେ ପୁଅ ନା ଝିଅ ବାରିପାରେ । ନିଜର ନାଁ ଓ ସାଙ୍ଗିଆ ଜାଣେ । ‘କାହିଁକି’, ‘କେମିତି’ ଏ ସବୁ ପ୍ରଶ୍ନ ପଚାରିବାକୁ ଆରମ୍ଭ କରେ ।

 

ଉପରେ ଯେଉଁ ତାଲିକା ଦିଆଗଲା ସେ ଅନୁସାରେ ଠିକ୍ ସେହି ବୟସରେ ଲେଖାଥିବା ଲକ୍ଷଣ ଦେଖାଯିବ ଏପରି କିଛି କଡ଼ା ନିୟମ ନାହିଁ । ସେହି ବୟସରେ ସାଧାରଣତଃ ପ୍ରାୟ ଲେଖାଥିବା ଲକ୍ଷଣଗୁଡ଼ିକ ଦେଖାଯାଏ । ସ୍ଥଳବିଶେଷରେ ଏହାର ବ୍ୟତିକ୍ରମ ଘଟିବା ସ୍ୱାଭାବିକ ।

 

ବର୍ତ୍ତମାନ ଆଗରୁ କୁହାଯାଇଥିବା ତିନିପ୍ରକାର ବୁଦ୍ଧିହୀନତା ବିଶେଷ ଭାବରେ ବର୍ଣ୍ଣନା କରାଯାଉ ।

 

ମୋରନ୍ (Moron ବା Feebleminded)

 

ଏମାନେ ବୁଦ୍ଧିହୀନମାନଙ୍କ ମଧ୍ୟରେ ସବୁଠାରୁ ବୁଦ୍ଧିମାନ । ତେଣୁ ସାଧାରଣ ଲୋକଙ୍କ ବ୍ୟକ୍ତିତ୍ଵ ସଙ୍ଗେ ଏମାନଙ୍କ ବ୍ୟକ୍ତିତ୍ୱର ଅତ୍ୟଧିକ ସାମଞ୍ଜସ୍ୟ ଅଛି । ବୁଦ୍ଧିହୀନତାର ଚିହ୍ନ ଏମାନଙ୍କଠାରେ ୨।୩ ବର୍ଷରୁ ଦେଖାଯାଏ । ଏ ବୟସର ମୋରନ୍ ଶିଶୁ ସାଧାରଣ ପିଲାଙ୍କ ଭଳି ଅଧିକାଂଶ ବିଷୟରେ ଆଗ୍ରହୀ ନୁହେଁ । ଏଇଟା ସେଇଟା ଦେଖି, ପରୀକ୍ଷା କରି ଅନେକ ପ୍ରଶ୍ନ ପଚାରି ସାନଛୁଆ ମଣିଷକୁ ବ୍ୟତିବ୍ୟସ୍ତ କରି ଦିଅନ୍ତି, କିନ୍ତୁ ମୋରନ୍‌ମାନଙ୍କର ଏସବୁ ଲକ୍ଷଣ ନଥିବାରୁ ସେମାନେ ଅତ୍ୟନ୍ତ ଧୀରସ୍ଥିର ବା ଶାନ୍ତଶିଷ୍ଟ ପିଲା ଭଳିଆ ଜଣାଯାଆନ୍ତି । ଜ୍ଞାନେନ୍ଦ୍ରିୟଗୁଡ଼ିକ ଠି‌କ୍‌ ଥିଲେ ମଧ୍ୟ ମୋରନ୍‌ ଭଲ କରି ଦେଖି ଶୁଣିପାରେ ନାହିଁ । କୌଣସି କଥା ସହଜରେ ବୁଝିପାରେନାହିଁ । ଗୁଡ଼ାଏ ଉଦାହରଣ ନ ଦେଲେ ବା ଯେଉଁ ବିଷୟରେ କୁହାଯାଉଛି ତାହା ଆଖି ଆଗରେ ନ ଦେଖିଲେ ମୋରନ୍‌ ତାହା ବୁଝିପାରେ ନାହିଁ । ‘ନ୍ୟାୟ’, ‘ଅବିଚାର’, ‘ମୁକ୍ତି’ ପ୍ରଭୃତି ଧାରଣା ବସ୍ତୁଗତ ନୁହେଁ ଏବଂ ଏହି ପ୍ରକାର ଧାରଣା ସବୁ ତା’ର ସହଜରେ ହୁଏ ନାହିଁ । ହେଲେ ମଧ୍ୟ ଅତ୍ୟନ୍ତ ସଂକୀର୍ଣ୍ଣ ଭାବରେ ଦେଖାଯାଏ । ଯଥା :–‘ନ୍ୟାୟ’ ମାନେ ଠିକ୍ ପଇସା ଦେବା’, ‘ମୁକ୍ତିମାନେ କାମରୁ ଛୁଟି’ ପ୍ରଭୃତି । ଏଥିପାଇଁ ତା’ର ଧାରଣା ଶକ୍ତି ପିଲାଳିଆ । ଏକଠାରୁ ଦଶ ପର୍ଯ୍ୟନ୍ତ ଗୋଡ଼ ବା ତେନ୍ତୁଳିମଞ୍ଜି ଦେଇ ଗଣି ଶିଖିଥିବ; କିନ୍ତୁ ନିଜହାତ ଆଙ୍ଗୁଠି ଗଣିବାକୁ କହିଲେ ପାରିବନି । କୌଣସି ଦୁଇଟା ଜିନିଷ ତୁଳନା କରିବାକୁ ଦେଲେ ସେ ଯେଉଁଟା ବଡ଼ ସେଇଟାକୁ ଭଲ ବୋଲି କହିବ । ମନେକର ଗୋଟାଏ ଟ୍ରକ୍ ଓ ଆଉ ଗୋଟିଏ ସୁନ୍ଦର କାର୍ (ମଟର ଗାଡ଼ି) ଦେଖାଇ ପଚରା ଗଲା ‘‘କେଉଁଟା ସୁନ୍ଦର ?’’ ସେ ଟ୍ରକ୍‍ଟିକୁ ସୁନ୍ଦର ବୋଲି କହିବ । ଯେଉଁ ଛବିରେ ସବୁଠାରୁ ଗାଢ଼ରଙ୍ଗ ଦିଆଯାଇଛି, ଯେଉଁ ଗୀତ ସବୁଠାରୁ ଜୋରରେ ଶୁଣାଯାଉଛି ଯେଉଁ ଜିନିଷ ସବୁଠାରୁ ଚକ୍‌ଚକ୍‌ ଦେଖାଯାଉଛି ବା ଶାଢ଼ି ପ୍ରଭୃତି କିଣିଲାବେଳେ ଯେଉଁଟି ଗାଢ଼ରଙ୍ଗର ଓ ସବୁଠାରୁ ଚଉଡ଼ା ଧଡ଼ି ଅଛି–ସେଇଟି ସେ ପସନ୍ଦକରେ । କିନ୍ତୁ ତା’ର ପସନ୍ଦ ଓ ନାପସନ୍ଦର କିଛି ମୂଲ୍ୟ ନାହିଁ । ଯେ ଯାହା କହିଲେ ସେ ସହଜରେ ବିଶ୍ୱାସ କରିଯାଏ ଓ ସେହି ଅନୁସାରେ କାମ କରେ ତେଣୁ ଯଦି କୁହାଯାଏ ଯେ ‘‘ନା, ଟ୍ରକ୍‌ରେ ଗୋଟାଏ ଏତେ ବଡ଼ ଇଞ୍ଜିନ୍ ଅଛି, ସେଇଟା ଦେଖିବାକୁ ଖରାପ’’, ସେ ସାଙ୍ଗେ ସାଙ୍ଗେ ତା’ର ମତ ବଦଳାଏ ଓ ଛୋଟ କାର୍‍କୁ ପସନ୍ଦକରେ । ମୋରନ୍ ଥରେ ଯାହା ଶିଖିଥିବ ସେଥିରେ ତିଳେହେଲେ ବ୍ୟତିକ୍ରମ ଦେଖାଇବ ନାହିଁ । ମନେକର ତାକୁ କୁହାଯାଇଛି ଯେ ‘‘ସକାଳୁ ଦୁଇଟା ଅଣ୍ଡା ଭାଜି ଗୋଟାଏ ତୋ ସାନ ଭାଇକୁ ଦେବୁ ଓ ଅନ୍ୟଟି ତୁ ନିଜେ ଖାଇବୁ ।’’ ଏମିତି କିଛିଦିନ ଅଭ୍ୟାସ ପଡ଼ିଗଲେ ସାନ ଭାଇ ପାଖରେ ରହୁ ନଥିଲେ ମଧ୍ୟ ସେ ନିଶ୍ଚୟ ୨ଟା ଅଣ୍ଡା ଭାଜିବ । ଏହିପରି ମୋରନ୍‍ମାନେ ବେଶ୍ ନିୟମିତତା ଓ ଶୃଙ୍ଖଳା ଦେଖାନ୍ତି ।

 

ମୋରନ୍‌ମାନଙ୍କର ଭାବନା ଓ ଚିନ୍ତାର କୌଣସି ଅସ୍ୱାଭାବିକତା ଦେଖାଯାଏ ନାହିଁ । ସାଧାରଣ ସ୍ମୃତିଶକ୍ତି ମଧ୍ୟ ନଷ୍ଟହୋଇ ନଥାଏ । ସେହିପରି ମୋରନ୍ ସୁଖ ଦୁଃଖ ପ୍ରଭୃତି ଆବେଗ ଅନୁଭବ କରିପାରେ । ମନହେଲେ କିଛିବେଳ ପାଇଁ ଯେକୌଣସି ବିଷୟରେ ମନୋନିବିଷ୍ଟ କରିପାରେ । ଆଶ୍ଚର୍ଯ୍ୟ କଥା ବହୁତ ମୋରନ୍ ଜାଣିପାରନ୍ତି ଯେ ସେମାନେ ବୋକା । ତେଣୁ ଚାଲାକ୍ ବୋଲି ଜଣାଇବା ପାଇଁ ଅନେକ ଚେଷ୍ଟା କରିଥାଆନ୍ତି । ଯୌନ ବିକାଶ ସାଧାରଣତଃ ଟିକିଏ ଡେରିରେ ହୁଏ । ସେହିପରି ମୋରନ୍‌ମାନେ ଡେରିରେ କଥା କହିବା ଶିଖନ୍ତି ଓ ସାଧାରଣତଃ ସେମାନଙ୍କର କଥା କହିବାରେ କେତେକ ଅସ୍ୱାଭାବିକତା ଦେଖାଯାଏ । ଚାଲିବାରେ ମଧ୍ୟ ସେମାନେ ଅସ୍ୱାଭାବିକ । କେମିତି ଗୋଟାଏ ବଙ୍କେଇ ବଙ୍କେଇ ଚାଲନ୍ତି । ସେହିପରି ହାତରେ ଜିନିଷପତ୍ର ଧରିବା ବା ଅନ୍ୟ କାମ କରିବାରେ ସେମାନେ ସେତେ ଦକ୍ଷ ନୁହନ୍ତି ।

 

ମୋରନ୍‌ମାନଙ୍କୁ ଯୌନବିକାଶ ଓ କାମଲିପ୍ସା ଦିଗରୁ ଦୁଇ ଭାଗରେ ବିଭକ୍ତ କରାଯାଇପାରିବ । କେତେକ ଯୌନ ବିକାଶରେ ପଛେଇ ଯାଇଥାଆନ୍ତି । ସେମାନଙ୍କର କାମଲିପ୍ସା ଖୁବ୍‌ ଅଳ୍ପ ପରିମାଣରେ ଦେଖାଯାଏ । ଅନ୍ୟ କେତେକ ଠିକ୍ ଏହାର ବିପରୀତ । ତେଣୁ ଏମାନଙ୍କ ଭିତରୁ ଅନେକ ସ୍ତ୍ରୀଲୋକ ବେଶ୍ୟାବୃତ୍ତି ଅବଲମ୍ବନ କରନ୍ତି । ପୁରୁଷମାନେ ନିର୍ବିଚାରରେ ଯୌନେଚ୍ଛା ଚରିତାର୍ଥ କରିବାପାଇଁ ଚେଷ୍ଟା କରନ୍ତି ଓ ତେଣୁ ସ୍ତ୍ରୀଲୋକମାନଙ୍କୁ ଆକ୍ରମଣ କରିବା ପ୍ରଭୃତି ହିଂସାକାଣ୍ଡରେ ଅଭିଯୁକ୍ତ ହୁଅନ୍ତି ।

 

ମୋରନ୍‌ମାନେ ସାଧାରଣତଃ ବୈବାହିକ ଜୀବନରେ ସଫଳତା ପାଆନ୍ତି ନାହିଁ । ସ୍ତ୍ରୀ ମୋରନ୍ ଓ ସ୍ୱାମୀ ସ୍ୱାଭାବିକ ବୁଦ୍ଧିମାନ ହୋଇଥିଲେ ସବୁବେଳେ ପାରିବାରିକ କଳହ ଲାଗି ରହିଥାଏ । ଘରଦ୍ୱାରା ଅସଜଡ଼ା, ପିଲାମାନଙ୍କୁ ଅବହେଳା କରିବା ଓ ସମୟେ ସମୟେ ସେମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରିବା ମଧ୍ୟ ଦେଖାଯାଏ । ବିବାହ ଆଗରୁ ରହିଥିବା ଅତ୍ୟଧିକ କାମଲିପ୍ସା ବିବାହ ପରେ ମଧ୍ୟ କମେ ନାହିଁ । ତେଣୁ ବିବାହିତ ମୋରନ୍ (ସ୍ତ୍ରୀ ହେଉ ବା ପୁରୁଷ ହେଉ) ବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ ହୁଅନ୍ତି ନାହିଁ ।

 

ମୋରନ୍‌ମାନେ ଅନ୍ୟ ବୁଦ୍ଧିହୀନଙ୍କ ପରି ଟିକିଏ ରୋଗ ହେଲେ ତାକୁ ଅତିରଞ୍ଜନ କରନ୍ତି ଓ ତା’ର ସାହାଯ୍ୟରେ ସମସ୍ତଙ୍କର ସହାନୁଭୂତି ଆର୍କଷଣ କରିବାକୁ ଚେଷ୍ଟା କରନ୍ତି । ଅଳ୍ପ କିଛି ଦୈହିକ ରୋଗରେ ସେମାନେ ଡାକ୍ତରଖାନାରେ ଭର୍ତ୍ତିହୋଇ ରହିବାକୁ ଭଲପାଆନ୍ତି । ଦେଖାଯାଇଛି ଯେ ମୋରନ୍‌ମାନଙ୍କୁ କୌଣସି କାମରେ ନିଯୁକ୍ତକଲେ ସେମାନେ ଟିକିଏ ଦେହଖରାପ ହେଲାମାତ୍ରକେ ଛୁଟି ନିଅନ୍ତି । କାହିଁକି କେଜାଣି ବୁଦ୍ଧିହୀନ ଲୋକଙ୍କ ଭିତରେ ରୋଗୀ ସଂଖ୍ୟା ବେଶୀ । ପୁଣି ସେମାନଙ୍କ ମଧ୍ୟରେ ଅପରାଧୀ ସଂଖ୍ୟା ବେଶୀ । ମୋରନ୍‌ ଯୁବକ ବେଳେବେଳେ ଚୋରିକରେ ବା ଉତ୍ତେଜିତ ହୋଇ ଘରେ ନିଆଁ ଲଗାଇ ଦେବା, ଗାଈଗୋରୁଙ୍କୁ ଖଣ୍ଡିଆଖାବରା କରିପକାଇବା ପ୍ରଭୃତି ଅପରାଧ କରେ । ମୋରନ୍‌ ସ୍ତ୍ରୀଲୋକମାନେ ତାଙ୍କ ପାଖରେ ରଖିଥିବା ପିଲାମାନଙ୍କୁ ବେଳେବେଳେ ଜାଣିଶୁଣି ମାରିପକାନ୍ତି । ଏହିପରି ଛୋଟ ଛୋଟ ଚୋରିରୁ ଆରମ୍ଭ କରି ନରହତ୍ୟା ପର୍ଯ୍ୟନ୍ତ ଅପରାଧ ମୋରନ୍ ଅନ୍ୟାନ୍ୟ ବୁଦ୍ଧିହୀନମାନଙ୍କ ଭିତରେ ଦେଖାଯାଏ । ବେଶ୍ୟାବୃତ୍ତିରେ ଶତକଡ଼ା ୩୦ ଭାଗ ସ୍ତ୍ରୀଲୋକ ବୁଦ୍ଧିହୀନ ।

 

ଇମ୍‌ବେସାଇଲ (Imbecile)

 

ଇମ୍‌ବେସାଇଲ୍‌ମାନଙ୍କୁ ମୋରନ୍‌ମାନଙ୍କଠାରୁ ପୃଥକ୍ ଭାବରେ ଚିହ୍ନିବା କଷ୍ଟ ନୁହେଁ । ସେମାନଙ୍କର ସାଧାରଣତଃ ଦୈହିକ ବିକୃତି ଦେଖାଯାଏ । ମୁଣ୍ଡ କାହାର ଚେପ୍‌ଟା ଦେଖାଯାଏ ତ ଆଉ କାହାର ମୁହଁ ବିକୃତ ଓ ଦେହ କୁଜା । ଏମାନେ ଓ ଏମାନଙ୍କଠାରୁ ବେଶୀ ବୁଦ୍ଧିହୀନ ଇଡ଼ିଏଟ୍‌ମାନେ ମଧ୍ୟ ଦୈହିକ ବିକୃତି ଯୋଗୁଁ ସହଜରେ ବାରିହୋଇ ପଡ଼ନ୍ତି । ଅବଶ୍ୟ କାହିଁକି ଅତିଶୟ ବୁଦ୍ଧିହୀନିତାର ଦୈହିକ ବିକୃତି ଦେଖାଯିବ ତାହା ଜଣାନାହିଁ । ଏମାନଙ୍କୁ ସହଜରେ ବିଭିନ୍ନ ପ୍ରକାର ରୋଗ ଧରେ ଓ ଏମାନେ ପ୍ରାୟ ବେଶୀ ଦିନ ବଞ୍ଚନ୍ତି ନାହିଁ ।

 

ଇମ୍‌ବେସାଇଲ ମୋରନ୍‍ଙ୍କଠାରୁ ବେଶୀ ବୋକା । କେବେ ମଧ୍ୟ ସେମାନେ କେତେକ ଆସନ୍ନ ବିପଦରୁ ନିଜକୁ ରକ୍ଷା କରିପାରନ୍ତି । କିଛିଦିନ ତାଲିମ ପରେ ଇମ୍‌ବେସାଇଲ ଜାଣିପାରେ ଯେ ଉଚ୍ଚ ଜାଗାର ଦାଢ଼କୁ ଗଲେ ତଳେ ପଡ଼ିଯାଆନ୍ତି । କିପରି ଗାଡ଼ିମଟର କଟାଇ ଚାଲିଲେ ଦୁର୍ଘଟଣା ହେବନାହିଁ–ଏକଥା ସେ ଶିଖିପାରେ । ସେ ନିଜ ନାଁ ଦସ୍ତଖତ କରିପାରେ । ଗୋଟିଏ ଦୁଇଟି ଶବ୍ଦ ଲଗାଇ ଛୋଟ ଛୋଟ ବାକ୍ୟ ମଧ୍ୟ କହିପାରେ । ତାଲିମ ପାଇବା ପରେ ସେ ସାଧାରଣ ଘର କାମ ଯଥା ଘର ଓଳେଇବା, ବଗିଚାରେ ଘାସ କାଟିବା, ବାସନ ମାଜିବା ପ୍ରଭୃତି କରିପାରେ । କିନ୍ତୁ ସମାଜରେ ତାକୁ ଏତେ ଅବହେଳା କରନ୍ତି ଓ ତା’ର ବୁଦ୍ଧି କମ୍‌ ଥିବାରୁ ଏତେ ବିଦ୍ରୂପ କରନ୍ତି ଯେ ସେ ନିଜର ସାମର୍ଥ୍ୟ ଟିକକ ପ୍ରକାଶ କରିବାକୁ ସୁଯୋଗ ପାଏନାହିଁ । ଠିକ୍ ନ ଶିଖେଇଲେ ସେ ନିଜ ଦେହହାତ ବା ଲୁଗାପଟା ପରିଷ୍କାର ରଖିବାର ଦେଖାଯାଏ ନାହିଁ । ଏପରି ଆସ୍ତେ ଆସ୍ତେ ଯେତେ ଅପରିଷ୍କାର ହୁଏ ତା’ ଘରଲୋକ ବା ସାଇପଡ଼ିଶା ତାକୁ ସେତେ ହତାଦର କରନ୍ତି । ଫଳରେ ସେ ସମୟେ ସମୟେ ଭିକ୍ଷା କରି ଚଳିବାକୁ ବାଧ୍ୟ ହୁଏ ।

 

ଏମାନଙ୍କୁ ଟିକିଏ ଗେଲ କଲେ ଓ ପିଠି ଥାପୁଡ଼ାଇ ଦେଲେ ଭାରି ଖୁସି ହୁଅନ୍ତି । ନିଜର ଆବେଗ ଖୁବ୍ ଅସଂଯତ ଭାବରେ ଦେଖାନ୍ତି, ଯଥା–ଖୁବ୍ ଜୋରରେ ହସିବା କିମ୍ବା କାନ୍ଦିବା, ଅଳ୍ପ କଥାରେ ରାଗିଯିବା ଓ ପୁଣି ଶାନ୍ତ ହୋଇଯିବା ଇତ୍ୟାଦି । ଇମ୍‌ବେସାଇଲମାନେ ଏକାଠି ମେଣ୍ଟବାନ୍ଧି ରହିବାକୁ ଭଲ ପାଆନ୍ତି । କିନ୍ତୁ ଏହା ପ୍ରକୃତ ବନ୍ଧୁତ୍ଵ ବା ଆନ୍ତରିକତା ଉପରେ ପ୍ରତିଷ୍ଠିତ ହୋଇ ନଥାଇପାରେ । ଇମ୍‌ବେସାଇଲମାନେ ଅନ୍ୟ ବୁଦ୍ଧିହୀନଙ୍କ ପରି ଅନୁକରଣପ୍ରିୟ । ତେଣୁ ୨।୩ ଜଣ ଏକାଠି ଚଲାବୁଲା କଲେ ଅନ୍ୟମାନେ ତାଙ୍କ ଦେଖାଦେଖି ଆସି ସେମାନଙ୍କ ସଙ୍ଗେ ମିଶନ୍ତି ।

 

ଇମ୍‌ବେସାଇଲଙ୍କ ଭିତରେ ବହୁତ ଏପିଲେପ୍‌ସି ରୋଗୀ ଥାଆନ୍ତି । ଗୋଟିଏ ଗବେଷଣାରୁ ଜଣାଯାଇଛି ଯେ ଶତକଡ଼ା ୪୨ ଭାଗ ଏମାନଙ୍କ ଭିତରୁ ଏପିଲେପ୍‌ସି ରୋଗରେ ଆକ୍ରାନ୍ତ ହୁଅନ୍ତି । ସାଧାରଣତଃ ଏପିଲେପ୍‌ସି ହେତୁ ଅସ୍ଥାନରେ ମୂର୍ଚ୍ଛାଯାଇ ବହୁତ ଇମ୍‌ବେସାଇଲଙ୍କର ମୃତ୍ୟୁ ହୁଏ । ଆଉ ଏକପ୍ରକାର ଏପିଲେପ୍‌ସି (ଯେଉଁଥିରେ ବାତ ଆଦୌ ବନ୍ଦ ହୁଏ ନାହିଁ–Statusepticus) ଯୋଗୁଁ ମଧ୍ୟ ଏମାନଙ୍କ ଭିତରୁ ବହୁତ ଲୋକ ମୃତ୍ୟୁମୁଖରେ ପଡ଼ନ୍ତି । ସହଜରେ ପ୍ରବର୍ତ୍ତାଇ ପାରୁଥିବାରୁ ଖଳପ୍ରକୃତି ଲୋକେ ଏମାନଙ୍କୁ ବହୁପ୍ରକାର ଅପରାଧମୂଳକ କାମରେ ନିଯୁକ୍ତ କରନ୍ତି ଓ ନିଜେ ଲାଭବାନ୍‌ ହୁଅନ୍ତି । ଏମାନେ ନିଜେ ଭାବିଚିନ୍ତି ଅପରାଧ କଲେ ସାଧାରଣତଃ ସହଜରେ ପୁଲିସ୍‌ଦ୍ୱାରା ଧରାପଡ଼ନ୍ତି । କାରଣ ନିଜର ଅପରାଧ ସହଜରେ ଘୋଡ଼େଇ ରଖିପାରନ୍ତି ନାହିଁ । ଅଧିକାଂଶ ସମୟରେ ଏମାନେ ଅଳ୍ପ କଥାରେ ରାଗିଯିବା ଓ ପୁଣି ଶାନ୍ତ ହୋଇଯିବା ଇତ୍ୟାଦି । ଅଧିକାଂଶ ସମୟରେ ଏମାନେ ଯୌନ ଅପରାଧରେ ଅଭିଯୁକ୍ତ ହୁଅନ୍ତି । ବୁଦ୍ଧିହୀନଙ୍କ ଭିତରେ ଶତକଡ଼ା ୧୮ ଜଣ ଇମ୍‌ବେସାଇଲ ।

 

ଇଡ଼ିଅଟ୍‌ (Idiot)

 

ଇମ୍‌ବେସାଇଲ୍‌ମାନଙ୍କ ଭିତରେ ଯେଉଁମାନେ ବେଶୀ ନିର୍ବୁଦ୍ଧିଆ ଓ ଇଡ଼ିଅଟ୍–ଏ ଦୁହିଁଙ୍କ ଭିତରେ ପ୍ରାୟ ପ୍ରଭେଦ ନାହିଁ । ଯଦିଓ ଇଡ଼ିଅଟ୍‌ମାନଙ୍କର ବୁଦ୍ଧି ୨୦ ତଳକୁ ଧରାଯାଇଛି, ଅଧିକାଂଶ ସମୟରେ ବୁଦ୍ଧିପରୀକ୍ଷାଗୁଡ଼ିକ ସେମାନଙ୍କ ଉପରେ ପ୍ରୟୋଗ କରାଯାଇପାରେ ନାହିଁ । କାରଣ ସେମାନଙ୍କର ବୁଦ୍ଧି ଏତେ କମ୍‌ ଯେ ପରୀକ୍ଷକ କ’ଣ କହୁଛି ସେଇଟାବି ସେମାନେ ବୁଝିପାରନ୍ତି ନାହିଁ ।

 

ବୁଦ୍ଧିହୀନମାନଙ୍କ ଭିତରେ ଶତକଡ଼ା ୫ ଜଣ ଇଡ଼ିଅଟ୍‌ । ସାଧାରଣତଃ ଶୈଶବ ଅବସ୍ଥାରେ ବହୁତ ଇଡ଼ିଅଟ୍ ଦେଖିବାକୁ ମିଳନ୍ତି । ପ୍ରୌଢ଼ ଇଡ଼ିଅଟ୍‌ମାନଙ୍କ ସଂଖ୍ୟା କମ୍ । କାରଣ ଇଡ଼ିଅଟ୍‌ମାନଙ୍କ ଭିତରୁ ଅନେକଙ୍କର ପିଲାଦିନରୁ ମୃତ୍ୟୁ ଘଟେ । ସେମାନେ ନିଜକୁ ସାଧାରଣ ବିପଦରୁ ରକ୍ଷା କରିପାରନ୍ତି ନାହିଁ । ଠିକ୍ ତତ୍ତ୍ୱାବଧାନ ନ ନେଲେ ବିଭିନ୍ନ ପ୍ରକାର ଦୁର୍ଘଟଣା ହେତୁ ସେମାନଙ୍କର ମୃତ୍ୟୁ ହୁଏ । ଆହୁରି ମଧ୍ୟ ଅପରିଷ୍କାର ଅଭ୍ୟାସଜନିତ ନାନା ସଂକ୍ରାମକ ରୋଗରୁ ଏମାନଙ୍କର ମୃତ୍ୟୁ ହୁଏ । ଯାହାର ଯେତେ ବୁଦ୍ଧି କମ୍ ସେ ଅନୁସାରେ ତା’ର ସେତେ ବେଶୀ ଦୈହିକ ବିକୃତି ଦେଖାଯାଏ । କମ୍‌ ଉଚ୍ଚତା, ଖରାପ ସ୍ୱାସ୍ଥ୍ୟ, ବିକୃତ ମୁହଁ ଓ ଅସ୍ୱାଭାବିକ ଆକାରର ମସ୍ତିଷ୍କ ପ୍ରଭୃତି ଏକାଧିକ ଦୈହିକ ଲକ୍ଷଣ ଏମାନଙ୍କଠାରେ ଥାଏ । ମୋଟଉପରେ ଅଧିକାଂଶ ଦେଖିବାକୁ କଦାକାର ହୁଅନ୍ତି ।

 

ଇଡ଼ିଅଟ୍‌ମାନେ ନିଜ ହାତରେ ଖାଇବାବି ଶିଖି ପାରନ୍ତି ନାହିଁ । ଯାହା ମନ ତାହା ଦୁଇହାତରେ ଧରି ପାଟିରେ ପୂରାଇ ଦିଅନ୍ତି । ଖାଦ୍ୟ ଅଖାଦ୍ୟ କିଛି ବାରିପାରନ୍ତି ନାହିଁ । ମୁହଁରେ ଶୋଇବା ବିଛଣାରୁ ଆରମ୍ଭ କରି ଇଟା ବାଲି ପ୍ରଭୃତି ଭର୍ତ୍ତି କରନ୍ତି । ଅଧିକାଂଶ ଇଡ଼ିଅଟ୍‌ କଥା କହି ଶିଖି ନଥାନ୍ତି । ତେଣୁ କେବଳ କେତେକ ଅବୋଧ୍ୟ ଶବ୍ଦ କରନ୍ତି । ବେଳେବେଳେ ଏମାନେ ଖୁବ୍ ଉତ୍ତେଜିତ ହୋଇପଡ଼ନ୍ତି ଓ ସେ ସମୟରେ ନାନାପ୍ରକାର ହିଂସାକାଣ୍ଡ କରି ବସିବାର ସମ୍ଭାବନା ବେଶୀ । ଅବିରତ ତତ୍ତ୍ୱାବଧାନରେ ରଖିବାକୁ ପଡ଼ୁଥିବାରୁ ବୁଦ୍ଧିହୀନମାନଙ୍କ ପାଇଁ ଆଶ୍ରୟଗୃହକୁ ଏମାନଙ୍କୁ ପଠାଇବା ଦରକାର ହୁଏ । ଯେଉଁ ଦେଶରେ ଏ ସୁବିଧା ନାହିଁ ସେଠି ଏମାନଙ୍କୁ ଉତ୍ତ୍ୟକ୍ତ ଅବସ୍ଥାରେ ଜୋରରେ ରଖାଯାଏ ବା ଘରେ ଅମାନୁଷିକ ଭାବରେ ଚେନ୍‌ରେ ବାନ୍ଧି ରଖିବାର ଦୃଷ୍ଟାନ୍ତ ମିଳେ । ଇଡ଼ିଅଟ୍‌ମାନଙ୍କର ଜ୍ଞାନେନ୍ଦ୍ରିୟଗୁଡ଼ିକ ସ୍ୱାଭାବିକ । ଅର୍ଥାତ୍‌ ଏଥିରେ କୌଣସି ଦୋଷ ଦେଖିବାକୁ ମିଳେନାହିଁ । ତଥାପି ଏମାନେ ଭଲ ଦେଖି ପାରନ୍ତିନାହିଁ; ଠିକ୍ ଶୁଣିପାରନ୍ତି ନାହିଁ ଓ ସ୍ପର୍ଶକରି ଜାଣିପାରନ୍ତି ନାହିଁ । କାରଣ ଇନ୍ଦ୍ରିୟଗୁଡ଼ିକ ଠିକ୍ ଥିଲେ ମଧ୍ୟ ଇନ୍ଦ୍ରିୟାନୁଭୂତି ମସ୍ତିଷ୍କରେ ହୁଏ । ଅର୍ଥାତ୍‌ କ’ଣ ଶୁଣୁଛି ଜାଣିବାପାଇଁ ଖାଲି କାନ ଯଥେଷ୍ଟ ନୁହେଁ, ମସ୍ତିଷ୍କର ସାହାଯ୍ୟ ମଧ୍ୟ ଦରକାର ଏବଂ ଏମାନଙ୍କର ମସ୍ତିଷ୍କରେ ନିଶ୍ଚୟ କିଛି ଅସ୍ୱାଭାବିକତା ଥିବାରୁ ଦୃଷ୍ଟି, ଶ୍ରବଣ, ଘ୍ରାଣ ବା ସ୍ପର୍ଶଶକ୍ତିରେ ଦୁର୍ବଳତା ଦେଖାଦିଏ ।

 

ଶତକଡ଼ା ୫୬ ଇଡ଼ିଅଟ୍ ଏପିଲେପ୍‌ସି ରୋଗରେ ଭୋଗନ୍ତି ଏବଂ ଏମାନଙ୍କ ଭିତରୁ ଅନେକଙ୍କର ସେହି ରୋଗରେ ଅବିରାମ ବାତମାରିବା ଫଳରେ ମୃତ୍ୟୁ ଘଟେ ।

 

କେତୋଟି ବିଶେଷ ପ୍ରକାର ବୁଦ୍ଧିହୀନତା

 

ମଙ୍ଗୋଲଏଡ଼୍ ଇଡ଼ିଅଟ :–ଆଶ୍ଚର୍ଯ୍ୟର କଥା ଯେ ଏ ପ୍ରକାର ବୁଦ୍ଧିହୀନତା ଘଟିଲେ ରୋଗୀ ମଙ୍ଗୋଲଜାତୀୟ ଲୋକଙ୍କ ଭଳିଆ ଦେଖାଯାଆନ୍ତି । ସେମାନଙ୍କର ଆଖି ଛୋଟ, ମୁହଁ ଗୋଲ ଓ ଚେପ୍‌ଟା ଦେଖାଯାଏ । ଯେକୌଣସି ଦେଶର ଲୋକକୁ ଏ ରୋଗ ହେଲେ ସେ ଚୀନା ଓ ଜାପାନୀଙ୍କ ଭଳି ମଙ୍ଗୋଲଜାତିର ଦୈହିକ ଲକ୍ଷଣ ଦେଖାଏ । ଏଥିଯୋଗୁଁ ଆଗେ ଏ ରୋଗୀଙ୍କୁ ମଙ୍ଗୋଲ ଜାତିର ପୁରାତନ ବଂଶଧର ବୋଲି ଭାବୁଥିଲେ ।

 

ପୁରୁଷ ଓ ସ୍ତ୍ରୀ ସମସ୍ତଙ୍କୁ ଏ ରୋଗ ହୋଇପାରେ । ତେବେ ୭୦୦ରେ ଜଣେ ମଙ୍ଗୋଲଶିଶୁ ଦେଖାଯାଆନ୍ତି । ଏମାନଙ୍କ ଭିତରୁ ଅଧିକାଂଶ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ମରିଯାଆନ୍ତି । ତେଣୁ ପ୍ରୌଢ଼ମାନଙ୍କ ମଧ୍ୟରେ ମଙ୍ଗୋଲଙ୍କ ସଂଖ୍ୟା ଆହୁରି କମ୍ । ଜନ୍ମରୁ ପିଲାଟି ମଙ୍ଗୋଲଜାତିର ଲୋକଙ୍କ ଭଳି ଦେଖିବାକୁ ହୋଇଥାଏ । ଏହାଛଡ଼ା ମଙ୍ଗୋଲ ଶିଶୁର ଆଉ କେତୋଟି ଦୈହିକ ବିକୃତି ଦେଖାଯାଏ–ଯଥା ଏମାନଙ୍କର ଜିଭ ବଡ଼ ହୋଇ ମୁହଁରୁ ବାହାରି ଆସିଥାଏ ଓ ଏଥିରେ ଲମ୍ବା ଲମ୍ବା ବହୁତ ଗାର ପଡ଼ିଥାଏ, ବାଳ କମ୍‌ ଉଠେ, ହାତ ଖୁବ୍ ନରମ୍ ଓ ମୋଟା, ବୁଢ଼ାଆଙ୍ଗୁଠି ଓ କାଣି ଆଙ୍ଗୁଠି ଅତ୍ୟନ୍ତ ଛୋଟ, ଦାନ୍ତ ଡେରିରେ ଉଠେ ଓ ଯୌନବିକାଶ ମଧ୍ୟ ବିଳମ୍ବରେ ଦେଖାଯାଏ । କିନ୍ତୁ ଏପିଲେପ୍‌ସି ପ୍ରଭୃତି କୌଣସି ମୂର୍ଚ୍ଛା କରାଉଥିବା ରୋଗ ଏମାନଙ୍କଠାରେ ଦେଖାଯାଏ ନାହିଁ ।

 

ମଙ୍ଗୋଲମାନେ ବୁଦ୍ଧିରେ ପ୍ରାୟ ଇମ୍‌ବେସାଇଲମାନଙ୍କ ସଙ୍ଗେ ସମାନ । ଅବଶ୍ୟ କେତେକଙ୍କର ବୁଦ୍ଧି ଆହୁରି କମ୍‌ ଓ ତେଣୁ ଇଡ଼ିଏଟ୍‌ମାନଙ୍କ ସଙ୍ଗେ ସମାନ । ଏମାନେ ପ୍ରାୟ ସବୁବେଳେ ପ୍ରଫୁଲ୍ଲ ଦେଖାଯାଆନ୍ତି । ଅନ୍ୟମାନଙ୍କୁ ନକଲ କରିବାକୁ ଭଲପାଆନ୍ତି । ଗୀତ ଓ ନାଚରେ ଏମାନଙ୍କର ଆଗ୍ରହ । ସାଧାରଣତଃ ମଙ୍ଗୋଲମାନେ ବେଶ୍ ସ୍ନେହୀ । ତାଙ୍କୁ ସମସ୍ତେ ଭଲପାଆନ୍ତି । କିନ୍ତୁ ଖୁବ୍ ସହଜକାମ ଛଡ଼ା ଆଉ କୌଣସି ଦରକାରୀ କାମରେ ଏମାନଙ୍କୁ ଲଗାଇ ହେବନାହିଁ । ଏମାନଙ୍କ ଦେହରେ ଜୋର ନଥିଲା ଭଳିଆ ଜଣାଯାଏ ।

 

୧୫ ବର୍ଷ ପରେ ଅତି ଅଳ୍ପ ମଙ୍ଗୋଲ ବଞ୍ଚନ୍ତି–ଅଧିକାଂଶଙ୍କର ଯକ୍ଷ୍ମା ବା ଜନ୍ମଗତ ହୃଦ୍‌ରୋଗରେ ମୃତ୍ୟୁ ଘଟେ ।

 

କିନ୍ତୁ ମଙ୍ଗୋଲ ହେବାର କାରଣ କ’ଣ ? ଏହା କୌଣସି ବଂଶଗତ କାରଣରୁ ହୁଏ ବୋଲି ଅନେକଙ୍କର ମତ । ସାଧାରଣତଃ ୭୦୦ରେ ଜଣେ ପିଲା ମଙ୍ଗୋଲ ହେଉଥିଲେ । ମଙ୍ଗୋଲମାନଙ୍କ ଭାଇଭଉଣୀମାନଙ୍କ ଭିତରେ ୧୦୦ରେ ଜଣେ ପିଲା ମଙ୍ଗୋଲ । ଏସବୁରୁ ପ୍ରମାଣ ମିଳୁଛି ଯେ ଏ ବିକୃତି ବଂଶଗତ । କିନ୍ତୁ ମା’ର ଗର୍ଭରେ କୌଣସି ଅସ୍ୱାଭାବିକ ପରିସ୍ଥିତି ଯୋଗୁଁ ଏ ରୋଗ ହେବାର ସମ୍ଭାବନା ଅଛି ବୋଲି ଆଉ କେତେକ ମତ ଦିଅନ୍ତି । କାରଣ ଦେଖାଯାଇଛି ଯେ ସାଧାରଣତଃ ବୟସ୍କା ସ୍ତ୍ରୀଲୋକ (୪୫ରୁ ୪୯ ଭିତରେ)ଙ୍କର ପିଲା ହେଲେ ସେ ପିଲାକୁ ଏ ରୋଗ ହେବାର ସମ୍ଭାବନା ବହୁତ ବେଶୀ । ସେହିପରି ମଙ୍ଗୋଲ ପିଲାଙ୍କର ମା’ମାନଙ୍କ ବୟସ ନିଆଯାଇ ଦେଖାଗଲା ଯେ ହାରାହାରି ୩୭ ବର୍ଷରେ ଏମାନଙ୍କର ମଙ୍ଗୋଲ ପିଲା ଜନ୍ମ ହୋଇଛନ୍ତି । ଆହୁରି କେତେକଙ୍କ ମତରେ ପିଟୁଇଟାରୀ ନାମକ ଅନ୍ତସ୍ରାବୀ ଗ୍ରନ୍ଥି (Pituitary Gland)ର କମ୍ କ୍ଷରଣ ହେଲେ ମଙ୍ଗୋଲ ପିଲା ଜନ୍ମ ହୁଅନ୍ତି । ଗର୍ଭାବସ୍ଥାରେ ଭ୍ରୁଣର ପିଟୁଇଟାରୀ ଗ୍ରନ୍ଥିରୁ ସ୍ରାବ କମ୍ ହୁଏ ଓ ଜନ୍ମ ହେଲାପରେ ସେହିପରି କ୍ଷରଣ କମ୍ ହେଉଥାଏ । ଆହୁରି ମଧ୍ୟ ଦେଖାଯାଇଛି ଯେ ମଙ୍ଗୋଲ ପିଲାଙ୍କର ମା’ମାନଙ୍କର ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକ ସ୍ୱାଭାବିକ ନଥାଆନ୍ତି । ଏସବୁରୁ ମନେହୁଏ ବୋଧହୁଏ ଅନ୍ତସ୍ରାବୀ ଗ୍ରନ୍ଥିର କ୍ଷରଣରେ ସ୍ୱଳ୍ପତା ଏ ରୋଗର କାରଣ । କିନ୍ତୁ ଏପର୍ଯ୍ୟନ୍ତ ମଙ୍ଗୋଲ ରୋଗର କୌଣସି ନିଶ୍ଚିତ କାରଣ ଜଣାଯାଇନାହିଁ ।

 

କ୍ରେଟିନ୍ (Cretin)

 

ଏମାନେ ଦେଖିବାକୁ ଖର୍ବାକୃତି ବିଶିଷ୍ଟ । ଆଖିପତା, ବେକ ପଛପାଖ, ହାତ ଓ ଗୋଡ଼ର ଚମଡ଼ା ଫୁଲିଯାଇଥିବା ଓ ଚମ ଶୁଖିଲା ଦେଖାଯାଉଥିବା କ୍ରେଟିନ୍‌ର ଆଉ କେତେକ ଲକ୍ଷଣ । ଜନ୍ମରୁ ୬ ମାସ ପର୍ଯ୍ୟନ୍ତ କ୍ରେଟିନ୍ ସ୍ୱାଭାବିକ ଦେଖାଯାଏ । ତା’ପରେ ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶିତ ହୁଏ । କ୍ରେଟିନ୍‌ମାନେ ୟୁରୋପର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଥମେ ଦେଖାଯାଇଥିଲେ । ସେ ଅଞ୍ଚଳର ପାଣିରେ ଆଇଓଡ଼ିନ୍ ଭାଗ କମ୍ ଥିବାର ଜଣାଗଲା । ଆଇଓଡ଼ିନ୍ ଥାଇରଏଡ଼୍‍ ନାମକ ଏକ ଅନ୍ତଃସ୍ରାବୀ ଗ୍ରନ୍ଥିର କ୍ଷରଣ ତିଆରି କରିବାରେ ଲାଗେ । ତେଣୁ ଆଇଓଡ଼ିନ୍ କମ୍ ଥିଲେ ଥାଇରଏଡ଼୍‍ କ୍ଷରଣ କମିଯାଏ । ନିଶ୍ଚିତ ଭାବରେ ଜଣାଯାଇଛି ଯେ ଥାଇରଏଡ଼୍ କ୍ଷରଣର ସ୍ୱଳ୍ପତା ଯୋଗୁଁ ଏ ରୋଗ ହୁଏ । କ୍ରେଟିନ୍‌ର ବୁଦ୍ଧି ମଙ୍ଗୋଲମାନଙ୍କଠାରୁ ବେଶୀ । ସେ ଛୋଟ ଛୋଟ ଶବ୍ଦ ଲେଖିପାରେ, ଗଣିପାରେ, ଟଙ୍କାପଇସାର ହିସାବ ରଖିପାରେ ଓ ମିଶାଣ ଫେଡ଼ାଣ ଶିଖେ । ଘର କାମଦାମ ଭଲରେ କରିପାରୁଥିବାରୁ କ୍ରେଟିନ୍‌ମାନଙ୍କୁ ଚାକର କରି ରଖିବାର ଦେଖାଯାଇଛି ।

 

ପିଲାଦିନୁ କ୍ରେଟିନ୍‌ମାନଙ୍କୁ ଚିକିତ୍ସା କଲେ ରୋଗ ଭଲ ହେବାର ସମ୍ଭାବନା ଅଛି । ଥାଇରଏଡ଼୍ କ୍ଷରଣ ମିଶ୍ରିତ ଔଷଧ ପ୍ରୟୋଗଦ୍ୱାରା କ୍ରେଟିନ୍ ଶାରୀରିକ ସୁସ୍ଥତା ଲାଭ କରିବା ସଙ୍ଗେ ସଙ୍ଗେ ମାନସିକ ସ୍ୱାଭାବିକତା ମଧ୍ୟ ଦେଖାଏ । ତା’ର ବୁଦ୍ଧି ସାଧାରଣମାନ ପର୍ଯ୍ୟନ୍ତ ବଢ଼େ । ସେ ପୁଣି ସାଧାରଣ ଲୋକଙ୍କ ପରି ସବୁପ୍ରକାର କାମଦାମ କରିବାରେ ସମର୍ଥ ହୁଏ । କିନ୍ତୁ ସବୁବେଳେ ମାନସିକ ଅବସ୍ଥା ସ୍ୱାଭାବିକତା ଫେରିପାଇବାର ଦେଖାଯାଏ ନାହିଁ । ଚିକିତ୍ସା ପରେ ଦେହ ସୁସ୍ଥ ହୋଇଯିବା ନିଶ୍ଚିତ, କିନ୍ତୁ କେତେକ ଲୋକଙ୍କର ବୁଦ୍ଧି ଆଉ ସ୍ୱାଭାବିକ ହୁଏ ନାହିଁ । ଏସବୁ କ୍ଷେତ୍ରରେ ପ୍ରକୃତ ବୁଦ୍ଧିହୀନତା ସହିତ ଥାଇରଏଡ଼୍ କ୍ଷରଣର ସ୍ୱଳ୍ପତା ମିଶିଥିବାର ଅନୁମାନ କରାଯାଏ । ତେଣୁ ଥାଇରଏଡ଼୍ କ୍ଷରଣପାଇଁ ଔଷଧ ଦେଇ ସେ ଦୋଷ ଭଲ ହେଲାପରେ କେବଳ ପ୍ରକୃତ ବୁଦ୍ଧିହୀନତା ଦେଖାଯାଏ । ମନେକର ଜଣେ ଇମ୍‌ବେସାଇଲର ଥାଇରଏଡ଼୍ କ୍ଷରଣ କମ୍‌ ହେବାରୁ କ୍ରେଟିନ୍ ହୋଇଛି । ଥାଇରଏଡ଼୍‍ ବୁଦ୍ଧିପାଇଁ ଚିକିତ୍ସା କଲେ ତା’ର ଦେହ ଭଲ ହୋଇଯିବ, କିନ୍ତୁ ଇମ୍‌ବେସାଇଲ ହୋଇଥିବାରୁ ବୁଦ୍ଧିହୀନତା ଅପରିବର୍ତ୍ତନୀୟ ଭାବରେ ରହିବ ।

 

ମାଇକ୍ରୋସେଫାଲି ବା କ୍ଷୁଦ୍ର ମସ୍ତିଷ୍କ

 

ଏ ରୋଗୀର ଖପୁରି ପ୍ରାୟ ୧୭ ଇଞ୍ଚ୍‍ରୁ କମ୍ । ମୁଣ୍ଡର ଆକୃତି ଲମ୍ବାଳିଆ, କପାଳ ଭିତରକୁ ପଶିଯାଇଥାଏ, ନାକ ଥଣ୍ଟ ଭଳିଆ ପଦାକୁ ବାହାରି ଆସିଥାଏ । ତେଣୁ ରୋଗୀର ମୁହଁ ଓ ମୁଣ୍ଡ ପକ୍ଷୀ ଭଳି ଦେଖାଯାଏ । ବୁଦ୍ଧିରେ ଏମାନେ ଇମ୍‌ବେସାଇଲଙ୍କ ସଙ୍ଗେ ସମାନ । କେତେକଙ୍କ ଇଡ଼ିଅଟ୍ ସ୍ତରର ମଧ୍ୟ ବୁଦ୍ଧିଥାଏ । କିନ୍ତୁ ଏମାନେ ସବୁ ବଡ଼ ଚଞ୍ଚଳ ଓ ସତେଜ ଦେଖାଯାଆନ୍ତି । ଅନୁକରଣପ୍ରିୟତା ଏମାନଙ୍କର ଆଉ ଗୋଟିଏ ଲକ୍ଷଣ । ଖୁବ୍ ପରିଶ୍ରମୀ ହୋଇଥିଲେ ଏମାନେ କୌଣସି ଆଶ୍ରମ ପ୍ରଭୃତିରେ ରହି ନିଜର ଜୀବିକାର୍ଜ୍ଜନ ପାଇଁ ଯଥେଷ୍ଟ ଆୟ କରିପାରନ୍ତି । ପ୍ରାୟ ଅଧେ ରୋଗୀ ଏପିଲେପ୍‌ସିଦ୍ୱାରା ଆକ୍ରାନ୍ତ ହୁଅନ୍ତି । ମାଇକ୍ରୋସେଫାଲି ରୋଗୀର ମସ୍ତିଷ୍କ ଖୁବ୍ ସଂକୁଚିତ ଓ ସୁସ୍ଥ ମସ୍ତିଷ୍କ ପରି ସେଥିରେ ବିଶେଷ ଆକୁଞ୍ଚନ ନଥାଏ, ଏପରିକି ମସ୍ତିଷ୍କର କେତେକ ଅଂଶ ଆଦୌ ବଢ଼ି ନଥାଏ ।

 

ମାଇକ୍ରୋସେଫାଲିର କାରଣ ଜଣାନାହିଁ । କିନ୍ତୁ ଜଣେ ବିଶେଷଜ୍ଞଙ୍କର ମତରେ ଗର୍ଭାବସ୍ଥାରେ ବହୁତ ଥର ‘ଏକ୍ସରେ’ କରିଲେ ପିଲା ମାଇକ୍ରୋସେଫାଲି ହୋଇ ଜନ୍ମ ହେବାର ସମ୍ଭାବନା ଅଛି ।

 

ହାଇଡ଼୍ରୋସେଫାଲି ବା ବୃହତ୍ ମସ୍ତିଷ୍କ

 

ରୋଗୀର ଖପୁରି ଭିତରେ ରସ ଜମିଗଲେ ଖପୁରି ଖୁବ୍ ବଡ଼ ଦେଖାଯାଏ ଓ ଭିତରେ ଥିବା ମସ୍ତିଷ୍କ ଆଉ ବଢ଼ିପାରେ ନାହିଁ । ମସ୍ତିଷ୍କ ଓ ମେରୁଦଣ୍ଡ ଭିତରେ ଏ ରସ ସାଧାରଣତଃ ଥାଏ, କିନ୍ତୁ ହାଇଡ଼୍ରୋସେଫାଲି ରୋଗୀର ମସ୍ତିଷ୍କ ଚାରିକଡ଼େ ଏହା ଜମିବାକୁ ଆରମ୍ଭ କରେ । ଫଳରେ ମୁଣ୍ଡ ଖୁବ୍ ବଡ଼ ଓ ମୁହଁ ସାନ ଦେଖାଯାଏ । ଜନ୍ମ ଆଗରୁ ମୁଣ୍ଡ ବଡ଼ ହୋଇଯାଇଥିଲେ ସ୍ୱାଭାବିକ ପ୍ରସବ ହୁଏ ନାହିଁ । ପ୍ରକୃତରେ ଏପରି ସ୍ଥଳେ ବହୁତ ଛୁଆ ମରିଯାଆନ୍ତି । କିନ୍ତୁ ଅଧିକାଂଶ ସମୟରେ ଜନ୍ମ ହେଲାପରେ ହାଇଡ଼୍ରୋସେଫାଲି ରୋଗ ପ୍ରକାଶିତ ହୁଏ । ରୋଗ ବଢ଼ିଚାଲେ ଓ କେବଳ ଅଳ୍ପ କେତେକଙ୍କର କିଛିଦିନ ପରେ ରୋଗ ଆଉ ବଢ଼େନାହିଁ । ଯେଉଁମାନଙ୍କର ରୋଗ ବଢ଼ୁଥାଏ ସେମାନଙ୍କ ମଧ୍ୟରୁ ଅନେକଙ୍କର ଶୀଘ୍ର ମୃତ୍ୟୁ ହୁଏ । ହାଇଡ଼୍ରୋସେଫାଲି ରୋଗୀର ବୁଦ୍ଧି ମୋରନ୍‌ମାନଙ୍କ ସଙ୍ଗେ ସମାନ, ତେଣୁ ସେମାନେ ସାଧାରଣତଃ ମାଇକ୍ରୋସେଫାଲି ରୋଗୀଠାରୁ ବୁଦ୍ଧିମାନ । ଏମାନଙ୍କ ଭିତରେ ପକ୍ଷାଘାତ, ଅନ୍ଧତ୍ୱ, ବଧିରତା ଓ ଏପିଲେପ୍‌ସି ବହୁପରିମାଣରେ ଦେଖାଯାଏ ।

 

ବୁଦ୍ଧିହୀନତାର ପ୍ରତିକାର

 

ବୁଦ୍ଧିହୀନତା ବଂଶଗତ ବୋଲି ଜଣାପଡ଼ୁଛି । ତେଣୁ ବୁଦ୍ଧିହୀନତା ଲୋପ କରିବାର ଏକମାତ୍ର ଉପାୟ ହେଉଛି ବୁଦ୍ଧିହୀନ ପିତାମାତାଙ୍କର ସନ୍ତାନ ଉତ୍ପାଦନ ବନ୍ଦ କରିବା । କେତେକ ବିଶେଷ ପ୍ରକାରର ବୁଦ୍ଧିହୀନ ଲୋକେ ନିଶ୍ଚୟ ଲୋପପାଇବେ ନାହିଁ । କିନ୍ତୁ ସେମାନଙ୍କ ସଂଖ୍ୟା କମ୍‌ ଓ ସେମାନଙ୍କ ଭିତରୁ କ୍ରେଟିନ୍ ପ୍ରଭୃତି ବୁଦ୍ଧିହୀନମାନଙ୍କୁ ଭଲ କରିବାର ଉପାୟ ଜଣାଅଛି । ତେଣୁ ଯଦି ନିୟମ କରାଯାଏ ଯେକୌଣସି ବୁଦ୍ଧିହୀନ ପିତା ବା ମାତା ସନ୍ତାନ ଉତ୍ପାଦନ କରିବେ ନାହିଁ; ତେବେ ହୁଏତ ଆଜିଠାରୁ ୨୦୦ ବର୍ଷ ପରେ ଆଉ ମୋରନ୍ ଇମ୍‍ବେସାଇଲ ବା ଇଡ଼ିଅଟ୍‌ ପ୍ରାୟ ନଥିବେ । ୨୦୦ ବର୍ଷ ଲାଗିବାର କାରଣ ଅବଶ୍ୟ ଅଛି । ପିଲାର ବୁଦ୍ଧିହୀନତା କେବଳ ତା’ର ବାପମା’ଙ୍କର ବୁଦ୍ଧିହୀନତା ଯୋଗୁଁ ହୋଇ ନ ପାରେ । ତା’ର ବାପ ମା’ ସାଧାରଣ ବୁଦ୍ଧିସମ୍ପନ୍ନ ହୋଇପାରନ୍ତି, କିନ୍ତୁ ଜେଜେବାପା, ଜେଜେମା, ଅଜା ଓ ଆଈ–ଏମାନଙ୍କ ଭିତରୁ କାହାର ବୁଦ୍ଧିହୀନତା ଥିଲେ ପିଲା ବୁଦ୍ଧିହୀନ ହୋଇପାରେ । ସେହିପରି ବାପମା’ଙ୍କର ଜେଜେବାପା, ଜେଜେମା ପ୍ରଭୃତି ବୁଦ୍ଧିହୀନ ହୋଇଥିଲେ ପିଲାର ବୁଦ୍ଧିହୀନତା ଦେଖାଦେଇପାରେ । କିନ୍ତୁ ଏମିତି ଉପରକୁ ଯେତେ ଯାଉଥିବ ବୁଦ୍ଧିହୀନତାର ସମ୍ଭାବନା ସେତେ କମୁଥିବ ।

 

ତେବେ କିପରି ବୁଦ୍ଧିହୀନ ପିତାମାତାଙ୍କର ସନ୍ତାନ ଉତ୍ପାଦନ ବନ୍ଦ କରାଇବ ? ନିୟମ କାନୁନ ଜରିଆରେ ଜବରଦସ୍ତି ଏମାନଙ୍କର ସନ୍ତାନୋତ୍ପାଦନ ଶକ୍ତି ନଷ୍ଟ କରିବା କ’ଣ ଠିକ୍‌ ହେବ ? ଡେନ୍‍ମାର୍କରେ ବୁଦ୍ଧିହୀନମାନେ ବିବାହ ହେବା ପୂର୍ବରୁ ସେମାନଙ୍କର ସନ୍ତାନୋତ୍ପାଦନ ଶକ୍ତି ଲୋପ କରାଯାଇଛି ବୋଲି ସାର୍ଟିଫିକେଟ୍ ଦେଖାଇବା ବହୁତ ସମୟରେ ଦରକାର ହୁଏ । ବିଶେଷତଃ ଇଡ଼ିଅଟ୍‌ ବା ଇମ୍‌ବେସାଇଲଙ୍କ ପାଇଁ ଏହା ନିତାନ୍ତ ଜରୁରୀ । ଏ ପ୍ରକାର ବ୍ୟବସ୍ଥାର ଅନେକ ପକ୍ଷପାତୀ । ‘ମୂଳୁ ମାଇଲେ ଯିବ ସରି’ ଉପାୟରେ ମୂଳରୁ ବୁଦ୍ଧିହୀନ ପିଲା ହେବାକୁ ନ ଦେବାହିଁ ଶ୍ରେୟସ୍କର ବୋଲି ସେମାନେ ଭାବନ୍ତି । କିନ୍ତୁ ବାଧ୍ୟତାମୂଳକ ଭାବରେ ଏସବୁ କରିବାଟା ଅନେକ ପସନ୍ଦ କରନ୍ତି ନାହିଁ । ମଣିଷର ସମ୍ମାନରେ ଏହାଦ୍ୱାରା ବାଧା ଆସୁଛି ଓ ଏହା ଅମାନୁଷିକତା ବୋଲି ସେମାନେ ଭାବନ୍ତି । ତେଣୁ ବୁଦ୍ଧିହୀନ ପିତାମାତାଙ୍କ ସ୍ୱଇଚ୍ଛାରେ ସେମାନଙ୍କ ଉତ୍ପାଦିକାଶକ୍ତି ନଷ୍ଟ କରାଇବା ଭଲ । ସମାଜରେ ଏଥିପ୍ରତି ଅନୁକୂଳ ମନୋଭବ ଗଢ଼ିବାକୁ ହେବ । ଯେପରି ମଣିଷସମାଜ ଭଲରେ ତିଷ୍ଠିପାରିବ ତାହା ସବୁ ଲୋକଙ୍କର ଦେଖିବା ଉଚିତ । ବୁଦ୍ଧିମାନ୍‌ ଲୋକମାନେ ସନ୍ତାନ ଉତ୍ପାଦନଦ୍ୱାରା ଭବିଷ୍ୟତରେ ବୁଦ୍ଧିମାନ୍‌ ବଂଶଧର ଗଢ଼ିବା ଯେପରି ବିଧେୟ, ବୁଦ୍ଧିହୀନମାନେ ସନ୍ତାନ ଉତ୍ପାଦନରୁ ନିବୃତ୍ତି ହୋଇ ଏଥିରେ ସାହାଯ୍ୟ କରିବା ସେହିପରି ଉଚିତ । ଏପରି ଅନୁକୂଳ ବାତାବରଣ ସୃଷ୍ଟିକଲେ ବୁଦ୍ଧିହୀନଙ୍କ ସମ୍ମତିକ୍ରମେ ଅସ୍ତ୍ରୋପଚାରଦ୍ୱାରା ଉତ୍ପାଦିକା ଶକ୍ତି କାଢ଼ିନେଇ ହେବ ।

 

ବୁଦ୍ଧିହୀନମାନଙ୍କୁ ବିଶେଷ ଧରଣର ଶିକ୍ଷା ଓ ତାଲିମ ଦିଆଗଲେ ସେମାନେ ସଂସାରରେ ଚଳିବାକୁ ଆଉ ଟିକିଏ ଉପଯୁକ୍ତ ହୁଅନ୍ତି । ବିଶେଷତଃ ମୋରନ୍‌ମାନେ ଏହାଦ୍ୱାରା ଅଧିକଭାବରେ ଉପକୃତ ହୁଅନ୍ତି । ସେମାନଙ୍କ ପାଇଁ ଅଲଗା ସ୍କୁଲ୍ ଓ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ଦରକାର । ତା’ଛଡ଼ା ଜଣେ ଡାକ୍ତର ଓ ମନୋବୈଜ୍ଞାନିକର ତତ୍ତ୍ୱାବଧାନ ମଧ୍ୟ ଆବଶ୍ୟକ । ଇଂଲଣ୍ଡରେ ବୁଦ୍ଧିହୀନମାନଙ୍କର ତତ୍ତ୍ୱାବଧାନ ପାଇଁ ଉପଯୁକ୍ତ ବ୍ୟବସ୍ଥା ଆଇନାନୁମୋଦିତ ଉପାୟରେ କରାଯାଉଛି । ସେ ଦେଶରେ କୌଣସି ପିଲାର ବୁଦ୍ଧିହୀନତା ଅଛି ବୋଲି ଜାଣିଲେ ତା’ର ତତ୍ତ୍ୱାବଧାନ ଓ ଚିକିତ୍ସାର ଭାର ସଙ୍ଗେ ସଙ୍ଗେ ସରକାର ନିଅନ୍ତି । ସେଦିନ ଆମ ଦେଶରେ କେବେ ଆସିବ ?

 

ବୁଦ୍ଧିହୀନମାନଙ୍କ ପାଇଁ ପ୍ରତ୍ୟେକ ସଭ୍ୟ ଦେଶରେ ଅନୁଷ୍ଠାନ ଅଛି । ସେଠାରେ ସେମାନଙ୍କୁ ବାସ, ବେଶ ଓ ଖାଦ୍ୟ ଯୋଗାଇ ଦିଆଯାଏ । ସେଠାରେ ବୁଦ୍ଧିହୀନମାନେ ବିଶେଷ ଧରଣର ତାଲିମ ପାଆନ୍ତି । ହୁଏତ କେତେ ବୁଦ୍ଧିହୀନ ଲୋକଙ୍କୁ ଆଜୀବନ ସେ ଅନୁଷ୍ଠାନରେ ରହିବାକୁ ପଡ଼େ । ଅନ୍ୟ ବୁଦ୍ଧିହୀନମାନଙ୍କ ସଙ୍ଗେ ମିଶି ରହିବାଦ୍ଵାରା ସେମାନଙ୍କର ଉପକାର ମଧ୍ୟ ହୁଏ । ନିଜ ଭଳି ଲୋକଙ୍କ ମଝିରେ ରହି ସେମାନେ ଅଧିକ ସୁଖୀ ହୁଅନ୍ତି । ଆଉ ମଧ୍ୟ ଘରେ ସେମାନଙ୍କୁ ସବୁବେଳେ ଠିକ୍‌ଭାବରେ ନଜର ଦେଇ ରଖିବା ସମ୍ଭବପର ନୁହେଁ । ଏ ପ୍ରକାର ରୋଗୀ କେଉଁଠି ଖଣ୍ଡେ ଛୁରି ପାଇ ନିଜ ଦେହ କାଟିବସିଲାଣି ତ ଆଉ କେଉଁଠି କୋଠାଛାତରୁ ଖସିପଡ଼ି ଗୋଡ଼ହାତ ଭାଙ୍ଗିଲାଣି । ପୁଣି ବେଳେବେଳେ ବୁଦ୍ଧିହୀନମାନେ ଅତ୍ୟନ୍ତ ଦୁଷ୍ଟ ଓ ଦୁର୍ଦ୍ଦାନ୍ତ ହୁଅନ୍ତି । ସେମାନଙ୍କୁ ସମ୍ଭାଳିବା ଖୁବ୍ କଷ୍ଟ । ଏ ସବୁ କାରଣରୁ ସ୍ୱତନ୍ତ୍ର ଅନୁଷ୍ଠାନରେ ଏମାନଙ୍କୁ ରଖିବା ଉଚିତ । * ଅନୁଷ୍ଠାନରେ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପାଇଲେ ଅଧିକାଂଶ ମୋରନ୍‌ ନିଜ ଜୀବିକାର୍ଜ୍ଜନ ପାଇଁ ଯଥେଷ୍ଟ ଉପାର୍ଜନ କରିପାରନ୍ତି । ଚକୋଲେଟ୍ ବଳିବା, ବିଭିନ୍ନ ଜିନିଷ ପ୍ୟାକ୍ କରିବା, ସିଲ୍ ଦେବା ପ୍ରଭୃତି କାମ ସେମାନେ ଅକ୍ଳେଶରେ କରିପାରିବେ । ଏହାଠାରୁ ଆଉ ଟିକିଏ ଜଟିଳକାମ ମଧ୍ୟ କରିବାପାଇଁ ଏମାନଙ୍କୁ ଉପଯୁକ୍ତ ତତ୍ତ୍ୱାବଧାନରେ ତାଲିମ ଦିଆଯାଇପାରେ । ଏହି ଅନୁଷ୍ଠାନଗୁଡ଼ିକ ବୁଦ୍ଧିହୀନମାନଙ୍କର ଯାହା ସାମର୍ଥ୍ୟ ଅଛି ତା’ର ସମ୍ପୂର୍ଣ୍ଣ ଉପଯୋଗ କରିବାପାଇଁ ତାଲିମ ଦିଅନ୍ତି ।

 

* ଭାରତରେ କେବଳ କଲିକତାରେ ଗୋଟିଏ ମାତ୍ର ଅନୁଷ୍ଠାନ ଥିଲା । ଏହାର ନାମ ବୋଧିପୀଠ । ଏଠାରେ ମୋଟେ ୬୦ ଜଣଙ୍କପାଇଁ ସ୍ଥାନ ଅଛି । ସରକାର ଏହାର ଆଂଶିକ ଖର୍ଚ୍ଚ ବହନ କରନ୍ତି । ଏବେ ବମ୍ବେ ଅହମଦାବାଦ ଓ ଅନ୍ୟାନ୍ୟ ସ୍ଥାନରେ ଏପରି ଘରୋଇ ଅନୁଷ୍ଠାନମାନ ଖୋଲାଯାଇଛି ।

 

ଅନେକ ପିତାମାତା ନିଜର ବୁଦ୍ଧିହୀନ ପିଲାଙ୍କୁ ଏପରି ଅନୁଷ୍ଠାନରେ ରଖିବାକୁ ପସନ୍ଦ କରନ୍ତି ନାହିଁ । ଅନେକେ ପୁଣି ସେଠି ରଖିବାକୁ ଅତ୍ୟଧିକ ଆଗ୍ରହ ପ୍ରକାଶ କରନ୍ତି । ତେବେ ବୁଦ୍ଧିହୀନ ପିଲାଙ୍କୁ ଯେ ନିଶ୍ଚୟ କୌଣସି ଅନୁଷ୍ଠାନକୁ ପଠାଇଦେବା ଉଚିତ ଏମିତି ଧରାବନ୍ଧା ନିୟମ ନାହିଁ । ଦେଖିବାକୁ ହେବ ନିଜ ପରିବାରରେ ତା’ର ଚଳିବାପାଇଁ ଅନୁକୂଳ ଅବସ୍ଥା ଅଛି କି ନାହିଁ ।

 

ପ୍ରଥମେ ଦେଖିବାର କଥା ଯେ ବୁଦ୍ଧିହୀନ ପିଲାଟି ଯୋଗୁଁ ବାପାମା’ଙ୍କର ଅଧିକ ମନୋମାଳିନ୍ୟ ହେଉଛି କି ନାହିଁ । ସେମାନଙ୍କୁ ଯଦି ସବୁବେଳେ ପିଲାଟିପାଇଁ ବନ୍ଧାହୋଇ ରହିବାକୁ ପଡ଼ୁଥାଏ, ତେବେ ନିଶ୍ଚୟ ଅସୁଖକର ପରିସ୍ଥିତି ଦେଖାଦେବ । ମୁହଁରେ କିଛି ନ କହିଲେ ମଧ୍ୟ ସେମାନେ ମନ ଭିତରେ ଅନୁଭବ କରିପାରୁଥାଆନ୍ତି । ନିଜର ସୁଖସ୍ଵାଚ୍ଛନ୍ଦ୍ୟ ଚିରଦିନ ପାଇଁ ବଳିଦେଇ ରହିବା ଅନେକଙ୍କ ପକ୍ଷେ ଅସହ୍ୟ ହୋଇପଡ଼େ । ଏ କ୍ଷେତ୍ରରେ ପିଲା ନିଶ୍ଚୟ କୌଣସି ଅନୁଷ୍ଠାନରେ ସୁଖରେ ରହିବ ଓ ବାପାମା’ ମଧ୍ୟ ସୁଖୀ ହେବେ । କିନ୍ତୁ କେତେକ ବାପାମା’ ନିଜ ପିଲାଟିକୁ ଛାଡ଼ିଦେବାକୁ ଆଦୌ ଚାହାଁନ୍ତି ନାହିଁ । ସେମାନେ ଭାବନ୍ତି ଯେ ଅନୁଷ୍ଠାନକୁ ଛାଡ଼ିଦେବା ଅର୍ଥ ପିଲାଟିକୁ ଫୋପାଡ଼ି ଦେବା । ଅଥଚ ତାକୁ ଘରେ ରଖିବାକୁ ଚାହାଁନ୍ତି ନାହିଁ ବିଭିନ୍ନ ଅସୁବିଧା ଯୋଗୁଁ । ସେମାନଙ୍କ ପିଲା ଯଦି ଅନୁଷ୍ଠାନରେ ରହେ ତେବେ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପିଲାଙ୍କୁ ସମ୍ଭାଳିବା ଅପେକ୍ଷା ବାପମା’ଙ୍କୁ ଆୟତ୍ତ କରିବା ଅଧିକ କଷ୍ଟକର ହୁଏ । ପ୍ରଥମେ ତେଣୁ ସେମାନଙ୍କୁ ଅନ୍ୟାନ୍ୟ ବୁଦ୍ଧିହୀନ ପିଲାଙ୍କର ବାପମା’ଙ୍କ ସଙ୍ଗେ ମିଶିବାକୁ ସୁବିଧା ଦିଆହୁଏ । ବୁଝାଇ ଦିଆହୁଏ ଯେ ଘରେ ଅସୁବିଧା ଥିବାରୁ ପିଲାର ଉପଯୁକ୍ତ ଯତ୍ନନେବା ସମ୍ଭବ ନୁହେଁ, ତେଣୁ ଅନୁଷ୍ଠାନରେ ଛାଡ଼ିବା କିଛି ଅପରାଧ ନୁହେଁ । ଏପରିସବୁ କରିବାଦ୍ୱାରା ତାଙ୍କର ଅପରାଧବୋଧ କମିଯାଏ । ସପ୍ତାହକେ ଥରେ ପିଲାଟିକୁ ଦେଖି ଆସିଲେ ସେମାନେ ବେଶ୍‌ ଖୁସି ହୁଅନ୍ତି । ପିଲାପ୍ରତି ସ୍ନେହ ରହେ, ଅଥଚ ନିଜେ ଅଯଥା କଷ୍ଟପାଆନ୍ତି ନାହିଁ ।

 

ବାପମା’ଙ୍କର ପଇସାପତ୍ର ଥିଲେ ଓ ଅନ୍ୟାନ୍ୟ ସବୁ ସୁବିଧା ଥିଲେ ମଧ୍ୟ ବେଳେବେଳେ ବୁଦ୍ଧିହୀନ ପିଲାକୁ ଘରେ ନ ରଖିବାକୁ ପରାମର୍ଶ ଦିଆଯାଏ । କାରଣ ଘରେ ଯଦି ତା’ର ଅନ୍ୟ ଭାଇଭଉଣୀ ଥାଆନ୍ତି ଓ ସେମାନେ ଯଦି ସ୍ୱାଭାବିକ ବୁଦ୍ଧିବିଶିଷ୍ଟ, ତେବେ ବୁଦ୍ଧିହୀନ ପିଲାପାଇଁ ବାତାବରଣ ଅନୁକୂଳ ନ ହୋଇପାରେ । ଅନ୍ୟ ଭାଇଭଉଣୀମାନେ ବୁଦ୍ଧିହୀନ ଭାଇଟିକୁ ଆଦୌ ସାଙ୍ଗକରି ନ ପାରନ୍ତି । ତାକୁ ସାଙ୍ଗରେ ନେଇ ବୁଲିଯାଆନ୍ତି ନାହିଁ ବା ଖେଳନ୍ତି ନାହିଁ । ଘରକୁ କିଏ ସାଙ୍ଗପିଲା ଆସିଲେ ଏ ଭାଇକୁ ସେମାନେ ଯେମିତି ନ ଦେଖନ୍ତି ସେଇଆ ଚାହାଁନ୍ତି । ଭାଇ କଥା କିଏ ପଚାରିଲେ ଭାରି ଲାଜ ଲାଗେ । ଏମିତି ଗୋଠଛଡ଼ା ହୋଇ ବୁଦ୍ଧିହୀନ ପିଲାଟିର ଆହୁରି ଅସ୍ୱାଭାବିକତା ବଢ଼େ । ପିଲାଦିନୁ କାହା ସଙ୍ଗେ ନ ମିଶି ଏକା ଚୁପ୍‌ ହୋଇ ବସି ବସି ସେ ଆଉ ମଣିଷ ହୋଇ ରହେନାହିଁ । ଯାହା ବା ସାମାଜିକ ଆଦବକାଇଦା ଦେଖିକରି ଶିଖିଥାନ୍ତା ତା’ ଶିଖିପାରେ ନାହିଁ । ନିଜର ଅନୁଭୂତି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ସେ ସହଜରେ ଗୋଟିଏ ଜିନିଷ ଦେଖି ଚିହ୍ନିପାରେ ନାହିଁ, ସ୍ୱର ବାରିପାରେ ନାହିଁ ବା ବାସ୍ନା ଜାଣିପାରେ ନାହିଁ । ଏମିତି ଆସ୍ତେ ଆସ୍ତେ ତା’ର ଦେଖିବା, ଶୁଣିବା, ଶୁଙ୍ଘିବା ଓ ଛୁଇଁବା ଶକ୍ତି ଖରାପ ହୋଇଯାଏ ଓ ଅନୁନ୍ନତ ଅବସ୍ଥାରେ ପଡ଼ିରହେ । ତେଣୁ ତା’ର ଯାହା ସାମର୍ଥ ଥାଏ ସେସବୁ ମଧ୍ୟ ନଷ୍ଟ ହୋଇଯାଏ । ଏସବୁ କଥା ବିଚାର କରି ବୁଦ୍ଧିହୀନ ପିଲାକୁ ମୂଳରୁ ଉପଯୁକ୍ତ ତାଲିମ ଦେବା ଉଚିତ ଓ ବିଶେଷଜ୍ଞଙ୍କର ତତ୍ତ୍ୱାବଧାନରେ ରଖିବା ଉଚିତ । ମନୋବୈଜ୍ଞାନିକ, ଡାକ୍ତର, ମାନସିକ ରୋଗ ଚିକିତ୍ସକ ଓ ତାଲିମପ୍ରାପ୍ତ ଶିକ୍ଷକଙ୍କର ସାହାଯ୍ୟ ଓ ପରାମର୍ଶ ଏଥିପାଇଁ ଅତ୍ୟନ୍ତ ଆବଶ୍ୟକ ।

☆☆☆

 

Unknown

ଚତୁର୍ଦ୍ଦଶ ପରିଚ୍ଛେଦ

ସମାପ୍ତିକା

 

ଅଧିକାଂଶ ମାନସିକ ରୋଗର ଚିକିତ୍ସା ଏପର୍ଯ୍ୟନ୍ତ ବାହାରି ନାହିଁ । ଆମ ଦେଶରେ ଏବେବି ଅଶିକ୍ଷା ଓ କୁସଂସ୍କାର ପ୍ରଭାବରୁ ମାନସିକ ରୋଗୀ ଘୃଣା ଓ ଭୟର ପାତ୍ର । ସେ ସମାଜଦ୍ୱାରା ବର୍ଜ୍ଜିତ, ଘରଲୋକଙ୍କର ଗଳଗ୍ରହ । ସ୍ନେହ ସହାନୁଭୂତି ତା’ ଜୀବନରେବି ଦରକାର । କିନ୍ତୁ ସାଧାରଣତଃ ତା’ର ସମ୍ମୁଖରେ ଆମେ ତାକୁ ଅପମାନିତ କରି କଥାବାର୍ତ୍ତା କରୁଁ, ସେ ନିର୍ଜୀବ ବା ମୂକ ପଶୁ ବୋଲି ଧରିନେଇ ତା’ ପ୍ରତି ନିର୍ଦ୍ଦୟ ବ୍ୟବହାର କରୁଁ । ନ କରି ବା ଉପାୟ କ’ଣ ? ପ୍ରକୃତରେ ଗୁରୁତର ମାନସିକ ବ୍ୟାଧିଗ୍ରସ୍ତ ଲୋକ ଘରେ ରଖିବା ବଡ଼ କଷ୍ଟକର । ସମୟେ ସମୟେ ତା’ରି ଯୋଗୁଁ ଘରଲୋକମାନଙ୍କର ଜୀବନ ସଙ୍କଟାପନ୍ନ ହୁଏ । ତାକୁ ଚଳାଇବା ପାଇଁ ଦରକାର ମାନସିକ ବ୍ୟାଧିରେ ତାଲିମ ପାଇଥିବା ନର୍ସ । ସାଧାରଣ ଲୋକେ କିପରି ସେ ରୋଗୀକୁ ଠିକ୍‌ ରୂପେ ସଂଯତ କରି ରଖିପାରିବେ ? ଅଥଚ ଆମ ଦେଶର ମାନସିକ ଚିକିତ୍ସାଳୟଗୁଡ଼ିକ ସେତେ ଉନ୍ନତ ଧରଣର ନୁହେଁ । ଗୋଟିଏ ଦୁଇଟି ଚିକିତ୍ସାଳୟ ଛାଡ଼ି ଦେଲେ ଅନ୍ୟଗୁଡ଼ିକରେ ରୋଗୀକୁ କେବଳ ଆବଦ୍ଧ କରି ରଖିବା ଛଡ଼ା ଆଉ ବିଶେଷ କିଛି କରାଯାଏ ନାହିଁ । ଏହାର ଅବଶ୍ୟ ଯଥେଷ୍ଟ କାରଣ ଥାଇପାରେ । ପୁଣି ସେ ସବୁ ଚିକିତ୍ସାଳୟରେ ଅତ୍ୟନ୍ତ ସ୍ଥାନାଭାବ ଦେଖାଯାଉଛି । ଅଧିକାଂଶ ରୋଗୀ ଗରିବ ହୋଇଥିବାରୁ ପଇସା ଦେଇ ଉପଯୁକ୍ତ ତାଲିମପ୍ରାପ୍ତ ସେବିକା ଓ ଡାକ୍ତରଙ୍କଦ୍ୱାରା ଚିକିତ୍ସିତ ହୋଇପାରନ୍ତି ନାହିଁ । ଫଳତଃ ଦିନକୁ ଦୁଇଥର ମୋଟାସୋଟା ଖାଇ ମରିବା ପର୍ଯ୍ୟନ୍ତ ଚିକିତ୍ସାଳୟରେ ଆବଦ୍ଧ ହୋଇଥାଆନ୍ତି । ଦୈହିକ ରୋଗର ଚିକିତ୍ସା ଯେପରି ମାଗଣାରେ ହେବାର ସୁବିଧା ଅଛି ମାନସିକ ରୋଗପାଇଁ ସେହିପରି ସୁବ୍ୟବସ୍ଥା ହେବା ଉଚିତ ବୋଲି କର୍ତ୍ତୃପକ୍ଷ ଓ ଜନସାଧାରଣ ହୃଦୟଙ୍ଗମ କରିବା ଉଚିତ ।

 

ମାନସିକ ରୋଗର ଚିକିତ୍ସା ଅବଶ୍ୟ ବହୁତ ପଛରେ ପଡ଼ିଛି । ଏହାର ଅନେକ କାରଣ ଅଛି । ପ୍ରଥମେ ମାନସିକ ଚିକିତ୍ସା ଆନୁସଙ୍ଗିକ ଅନ୍ୟାନ୍ୟ ଆବିଷ୍କାର ଉପରେ ନିର୍ଭର କରେ । ଡାକ୍ତରୀ ଔଷଧ ଏପର୍ଯ୍ୟନ୍ତ ଯଥେଷ୍ଟ ଉନ୍ନତି କରିନାହିଁ । ମଣିଷର ମସ୍ତିଷ୍କ ଓ ସ୍ନାୟୁ ବିଷୟରେ ଅନେକ ଦରକାରୀ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଆମମାନଙ୍କର ଯନ୍ତ୍ରପାତି ମାନସିକ ରୋଗର ଆନୁସଙ୍ଗିକ ଦୈହିକ ପରିବର୍ତ୍ତନ ଜାଣିବାପାଇଁ ଯଥେଷ୍ଟ ସୂକ୍ଷ୍ମ ନୁହେଁ । ମଣିଷର ମସ୍ତିଷ୍କ ବିଷୟରେ ଯଥେଷ୍ଟ ତଥ୍ୟ ଆବିଷ୍କୃତ ହୋଇନାହିଁ । ଏସବୁ କାରଣରୁ ମାନସିକ ରୋଗର ଚିକିତ୍ସା ବିଶେଷ ଆଗେଇପାରିନାହିଁ ।

 

ପାଗଳାମୀ ଅନ୍ତର୍ଭୁକ୍ତ ସାଂଘାତିକ ମାନସିକ ରୋଗର ଚିକିତ୍ସା ଅନୁନ୍ନତ ହେଲେ ମଧ୍ୟ ଆଡ଼ପାଗଳାମୀ ଯେ କାହିଁକି ଭଲ ନ ହେବ ତା’ର କାରଣ ନାହିଁ । ପାଗଳାମୀ ନିଶ୍ଚୟ ଦୈହିକ କାରଣରୁ ହୁଏ ଓ ପରିବେଷ୍ଟନୀ ସହିତ ତା’ର କୌଣସି ସମ୍ୱନ୍ଧ ନାହିଁ କହିଲେ ଚଳେ । କିନ୍ତୁ ହିଷ୍ଟ୍ରିଆ ପ୍ରଭୃତି ଆଡ଼ପାଗଳାମୀର ଦୈହିକ କାରଣ କିଛିଟା ଥିଲେ ମଧ୍ୟ ଏଗୁଡ଼ିକ ଯେ ପ୍ରତିକୂଳ ପରିବେଷ୍ଟନୀ, ଅପ୍ରିୟକର ଅନୁଭୂତି ଓ କ୍ଷତିକାରକ ଅଭ୍ୟାସ ଉପରେ ନିର୍ଭରକରେ ସେଥିରେ ସନ୍ଦେହ ନାହିଁ । ତେବେ ଆଡ଼ପାଗଳାମୀ ପାଇଁ କ’ଣ ଚିକିତ୍ସା ନାହିଁ ?

 

ସାଧାରଣ ଲୋକ ମନୋବିଜ୍ଞାନରେ ଆଗ୍ରହ ପ୍ରକାଶ କରିଲେ ପ୍ରାୟ ଫ୍ରଏଡ଼୍‍ଙ୍କର ବହି ପଢ଼ିଥାଆନ୍ତି ଏବଂ ସେମାନେ କହିବେ ଯେ ଆଡ଼ପାଗଳାମୀର ନିଶ୍ଚିତ ଚିକିତ୍ସା ହେଲା ଫ୍ରଏଡ଼୍‍ଙ୍କର ମନୋବିଶ୍ଳେଷଣ ପଦ୍ଧତି । ଫ୍ରଏଡ଼୍‍ଙ୍କର ବହି ଏତେ ଲୋକପ୍ରିୟ ଯେ ମନୋବିଜ୍ଞାନ କହିଲେ ଲୋକେ ଫ୍ରଏଡ଼୍‍ଙ୍କ କଥା କହନ୍ତି । ମନୋବିଶ୍ଳେଷଣକୁ ଏକ ଚିକିତ୍ସା ପଦ୍ଧତିରୂପେ ଅନେକ ଡାକ୍ତର ଓ ମନୋବୈଜ୍ଞାନିକ ବ୍ୟବହାର କରନ୍ତି । କିନ୍ତୁ ଏତେ ବର୍ଷ ପରେ ମଧ୍ୟ ମନୋବିଶ୍ଳେଷଣଦ୍ୱାରା କୌଣସି ମାନସିକ ରୋଗ ପ୍ରକୃତରେ ଭଲ ହୁଏ କି ନାହିଁ ତାହା କୁହାଯାଇପାରିବନି । ଆମେରିକାର ମନୋବିଶ୍ଳେଷଣ ସମାଜର କର୍ତ୍ତାମାନେ ଠିକ୍‌ ଏଇକଥା କହନ୍ତି । ହଁ, ରୋଗୀ ମନୋବିଶ୍ଳେଷଣ କରୁଥିବା ଚିକିତ୍ସକଙ୍କ ପାଖକୁ ବର୍ଷେ ଆସିଲା ପରେ ଭଲ ହୋଇଯିବାର ଦୃଷ୍ଟାନ୍ତ ଅଛି । କିନ୍ତୁ ଭଲ ହେବାର କାରଣ କ’ଣ ? ମନୋବୈଜ୍ଞାନିକର ଆଶ୍ୱାସନା ବାଣୀ, ତାଙ୍କର ଚେହେରା ଓ ଘରର ସୁରୁଚିପୂର୍ଣ୍ଣ ସାଜସଜ୍ଜା ନା ରୋଗର ପ୍ରକୃତି ଏପରି ଯେ ବେଳେବେଳେ ବର୍ଷକ ପରେ ତାହା ଛାଡ଼ିଯାଏ–ଏଥିରୁ କେଉଁଟି ଆରୋଗ୍ୟ ହେବାର କାରଣ ତାହା କହିହେବନାହିଁ କିନ୍ତୁ ମନୋବିଶ୍ଳେଷଣ ଏତେ ଲୋକପ୍ରିୟ ହେଲା ଯେ ଅନ୍ୟସବୁ ଚିକିତ୍ସାପଦ୍ଧତିର ପ୍ରଚଳନ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇଗଲା । ତା’ ଆଗରୁ ବିଶେଷତଃ ହିପ୍‌ନୋସିସ୍‌ ବା ‘ସମ୍ମୋହନ’ ସାହାଯ୍ୟରେ କେତେକ ପାଗଳାମୀ ଭଲହେଉଥିଲା । ହୁଏତ ଏତେବେଳକୁ ଆହୁରି କିଛି ଉନ୍ନତ ଧରଣର ଚିକିତ୍ସା ବାହାରିଥାଆନ୍ତା । କିନ୍ତୁ କିଛିଦିନ ପାଇଁ ସମସ୍ତଙ୍କର ମନଧ୍ୟାନ ଫ୍ରଏଡ଼୍ ଓ ତାଙ୍କ ଚିକିତ୍ସା ପଦ୍ଧତି ଉପରେ ପଡ଼ିଲା । ଏବେ ମଧ୍ୟ ଅନେକ ମନୋବୈଜ୍ଞାନିକ ଫ୍ରଏଡ଼୍‍ଙ୍କ ବିରୁଦ୍ଧରେ କିଛି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ।

 

ଆଡ଼ପାଗଳାମୀ କେତେଗୁଡ଼ିଏ ଦୋଷମୁକ୍ତ ଅଭ୍ୟାସର ସମଷ୍ଟି ବୋଲି କୁହାଯାଇପାରେ-। ମଣିଷ ଜନ୍ମହେବା ଦିନଠାରୁ ତା’ର ପରିପାର୍ଶ୍ୱ ସହିତ ସାମଞ୍ଜସ୍ୟ ରଖି ଚଳିବାକୁ ଚେଷ୍ଟା କରୁଛି-। ତା’ର ପରିବେଷ୍ଟନୀର ବିଭିନ୍ନ ଦିଗ ସହିତ ଖାପଖୁଆଇ ଚଳିବାକୁ ଯତ୍ନବାନ ହେଉଛି । ଅର୍ଥାତ୍‌ ସେ ପରିବେଷ୍ଟନୀର ଚାହିଦା ଅନୁଯାୟୀ କେତେକ ଉପାୟରେ କାମ କରୁଛି । ଉଦାହରଣସ୍ୱରୂପ, ସାମାଜିକ ପରିବେଷ୍ଟନୀରେ ପିଲା ଯେତେବେଳେ ବଢ଼ୁଛି, ସେ ଶିଖୁଛି ବାପାଙ୍କୁ ଭକ୍ତି କରିବାକୁ ହେବ, ତାଙ୍କ କଥା ମାନିବାକୁ ହେବ, ପାଠ ପଢ଼ିବା ଭଲ ଇତ୍ୟାଦି । ସେ ସେହି ଅନୁସାରେ କାମକରୁଛି । ଆଉ ଟିକିଏ ବଡ଼ ହେଲାପରେ ସେ ସାମାଜିକ ନିୟମକାନୁନ ଅନୁସାରେ ବିବାହ କରୁଛି । ମନେକର ସେ କୌଣସି ଝିଅକୁ ବିବାହ କରିବାକୁ ଇଚ୍ଛା କରିଥିଲା । ବିଭିନ୍ନ କାରଣରୁ ତାହା ସମ୍ଭବ ହେଲାନାହିଁ । ଏଥିରେ ସେ ଖୁବ୍‌ ବିଷଣ୍ଣ ହୋଇ ପଡ଼ିଲା ଓ କିଛିଦିନ ପରେ ଦେଖାଗଲା ଯେ ତା’ର ମୁଣ୍ଡ ବେଳେବେଳେ ବାଁ ଆଡ଼କୁ ଝୁଙ୍କି ପଡ଼ୁଛି । ଯେତେ ଚେଷ୍ଟା କଲେବି ମନକୁ ମନ ମୁଣ୍ଡଟା ବାଁ ଆଡ଼କୁ ଢଳିଯାଉଛି । ମନୋବିଶ୍ଳେଷଣ କଲେ ହୁଏତ ୩ ବର୍ଷରୁ କମ୍‌ ଲାଗିବ ନାହିଁ, କାରଣ ଫ୍ରଏଡ଼୍‍ଙ୍କର ପ୍ରକୃତ ପନ୍ଥାଅନୁସାରେ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ବିଶ୍ଳେଷଣ କରିବାପାଇଁ ସାଧାରଣତଃ ସେତିକି ସମୟ ଲାଗେ । ତା’ପରେ ଏ ଲକ୍ଷଣ ଭଲହେବ କି ନାହିଁ ସନ୍ଦେହଜନକ । କିନ୍ତୁ ଏ ଲକ୍ଷଣକୁ ସାମାଜିକ ପରିବେଷ୍ଟନୀରୁ ଉପୁଜୁଥିବା କୌଣସି ସମସ୍ୟାର ଅନୁପଯୁକ୍ତ ସମାଧାନର ଫଳ ବୋଲି ନିଆଯାଇପାରେ ଏବଂ ଏହି ଅନୁପଯୁକ୍ତ ସମାଧାନ ଅନୁଯାୟୀ ଯେଉଁ କ୍ରିୟା ପ୍ରତିକ୍ରିୟା ଚାଲିଛି ତାହା କ୍ରମେ କ୍ରମେ ବ୍ୟକ୍ତିର ଏପରି ଅଭ୍ୟାସରେ ପରିଣତ ହୋଇଯାଇଛି ଯେ ଲକ୍ଷଣ ବରାବର ଦେଖାଯାଉଛି । ତେଣୁ ଏ ଲକ୍ଷଣକୁ ଗୋଟିଏ ‘ବଦଭ୍ୟାସ’ ଭଳି ଦେଖିଲେ ମନୋବିଜ୍ଞାନ ପ୍ରଣାଳୀ ଅନୁସାରେ ବଦଭ୍ୟାସ ଯେପରି ଛଡ଼ାନ୍ତି ସେ ନିୟମ ପ୍ରୟୋଗ କରାଯାଇପାରିବ ।

 

ବର୍ତ୍ତମାନ କ୍ରମେ କ୍ରମେ ଫ୍ରଏଡ଼୍‍ଙ୍କର ପ୍ରଭାବ କମି ଆସିଲାଣି ଓ ମାନସିକ ଚିକିତ୍ସାରେ ‘ସମ୍ମୋହନ’ ଓ ଅନ୍ୟାନ୍ୟ ଅଭ୍ୟାସ ପରିବର୍ତ୍ତନକାରୀ ପ୍ରଣାଳୀର ପ୍ରୟୋଗ ଦେଖାଯାଉଛି । ବଦଭ୍ୟାସ ମଣିଷ ଶିଖେ । ଭଲ ଅଭ୍ୟାସ ଯେପରି ଶିଖେ, ବଦଭ୍ୟାସ ମଧ୍ୟ ସେହିପରି ଶିଖେ । ମନୋବିଜ୍ଞାନ, ବର୍ତ୍ତମାନ ଅଭ୍ୟାସ କିପରି ଶିଖାଯାଏ ଓ ଛଡ଼ାଯାଏ ଏ ବିଷୟରେ ବହୁତ ତଥ୍ୟ ସଂଗ୍ରହ କଲାଣି । ଅଭ୍ୟାସର ଆବିର୍ଭାବ, ବୃଦ୍ଧି ଓ ବିଲୟ ବିଷୟରେ ପରୀକ୍ଷା କରି କେତେଗୁଡ଼ିଏ ନିୟମ ପ୍ରସ୍ତୁତ କରିପାରିଲାଣି । ଯେପରି ଚନ୍ଦ୍ର ଓ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି କେତେକ ନିୟମ ମାନି ଚଳେ ସେହିପରି ମଣିଷର ଅଭ୍ୟାସର ଜନ୍ମ, ବୃଦ୍ଧି ଓ ଲୟ ନିୟମାନୁବର୍ତ୍ତୀ । ଏ ନିୟମ ସବୁର ବାସ୍ତବ କ୍ଷେତ୍ରରେ ପ୍ରୟୋଗଦ୍ୱାରା ମାନସିକ ଚିକିତ୍ସକ ଅନେକ ଅସଂଗତ ଅଭ୍ୟାସର କବଳରୁ ରୋଗୀକୁ ଉଦ୍ଧାର କରିପାରିବ । ମନୋବିଶ୍ଳେଷଣ ସମ୍ୱନ୍ଧୀୟ ତତ୍ତ୍ୱଗୁଡ଼ିକୁ ଯେପରି ଉପଯୁକ୍ତ ବୈଜ୍ଞାନିକ ରୀତିରେ କରାଯାଇ ନାହିଁ ବୋଲି କଳ୍ପନାପ୍ରସୂତ କୁହାଯାଇପାରୁଛି, ଏ ନିୟମଗୁଡ଼ିକୁ ତାହା କୁହାଯାଇପାରିବ ନାହିଁ । କାରଣ ଏ ନିୟମଗୁଡ଼ିକ ପ୍ରଥମେ ଲେବରେଟାରୀ ବା ବୈଜ୍ଞାନିକର ପରୀକ୍ଷାଗାରରୁ ବାହାରିଛି, ତା’ପରେ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରାଯାଉଛି । ସବୁ ବୈଜ୍ଞାନିକ ପ୍ରୟୋଗର ମୂଳରେ ଏଇଆ ଅଛି–ଯେ ପ୍ରଥମେ ପରୀକ୍ଷାଗାରରୁ ଆବିଷ୍କୃତ ହେଲାପରେ କୌଣସି ନିୟମ ବାହାରେ ପ୍ରୟୋଗ କରାଯାଏ । କିନ୍ତୁ ମନୋବିଶ୍ଳେଷଣ ଏହାର ଠିକ୍‌ ଓଲଟା ଉପାୟରେ ନିଜର ନିୟମ ଗଢ଼ିଛି–ପ୍ରଥମେ ମାନସିକ ରୋଗୀମାନଙ୍କ ଉପରେ ମନୋବିଶ୍ଳେଷଣ ପ୍ରୟୋଗ କରାଗଲା ପରେ ସେ ତା’ର ନିୟମ ଓ ତତ୍ତ୍ୱଗୁଡ଼ିକ ଉପସ୍ଥାପିତ କରିଛି । ଯେତେ ଅରୁଚିକର ହେଲେ ମଧ୍ୟ ଆମକୁ ମନୋବିଜ୍ଞାନକୁ ଅନ୍ୟ ବିଜ୍ଞାନ ପରି (ପଦାର୍ଥ ବା ରସାୟନ ବିଜ୍ଞାନ ପରି ପ୍ରାକୃତିକ ବିଜ୍ଞାନ ଭଳି) ଆସ୍ତେ ଆସ୍ତେ ଗଢ଼ିବାକୁ ପଡ଼ିବ । ତେବେ ଯାଇ ପ୍ରାକୃତିକ ବିଜ୍ଞାନର ଅନ୍ତର୍ଭୁକ୍ତ ବିଶାଳ ଜ୍ଞାନର ସମୁଦ୍ର ମନୋବିଜ୍ଞାନର ହାତକୁ ଆସିବ । ଏକଥା ଆଜିକୁ ପ୍ରାୟ ୫୫ ବର୍ଷ ତଳେ ପାଭ୍‍ଲଭ୍‌ କହିଥିଲେ ଓ ଏବେ ମଧ୍ୟ ବିଲାତର ପ୍ରସିଦ୍ଧ ମନୋବୈଜ୍ଞାନିକ ଆଇଜେଙ୍କ୍‌ କହନ୍ତି । ଦୈହିକ ରୋଗର ଚିକିତ୍ସାବିଜ୍ଞାନ ସହିତ ମାନସିକ ଚିକିତ୍ସାବିଜ୍ଞାନ ସମତାଳରେ ଅଗ୍ରସର ହେବା ଉଚିତ ଏବଂ ଦୈହିକ ଚିକିତ୍ସାବିଜ୍ଞାନ ଯେପରି ପ୍ରାକୃତିକ ବିଜ୍ଞାନ ଉପରେ ନିର୍ଭର କରୁଛି ମାନସିକ ଚିକିତ୍ସାବିଜ୍ଞାନକୁ ମଧ୍ୟ ସେଇଆ କରିବାକୁ ପଡ଼ିବ ।

 

ଫଳରେ ମଣିଷର ମନକୁ ଆମକୁ ‘ବସ୍ତୁ’ ବୈଜ୍ଞାନିକଙ୍କ ହାତରେ ସମର୍ପଣ କରିବାକୁ ପଡ଼ିବ । ମନ ବା ଆତ୍ମା ଆଉ ଆଧ୍ୟାତ୍ମିକ ଚିନ୍ତାର ବିଷୟ ହୋଇ ରହିବ ନାହିଁ, ବସ୍ତୁଗତ ବୈଜ୍ଞାନିକ ପରୀକ୍ଷାର ସାମଗ୍ରୀ ହେବ । ଏହାଦ୍ୱାରା ମଣିଷର ଆତ୍ମଗର୍ବରେ ଆଘାତ ଆସିପାରେ, କିନ୍ତୁ ନିଜର ‘ଆତ୍ମା’ ବିଷୟରେ ତା’ର ଅଜ୍ଞତା ଦୂରହେବ ଓ ସେ ନିଜେ ନିଜକୁ ଚିହ୍ନିପାରିବ । ତେବେତ ଭଲକଥା ତା’ର ଆତ୍ମଜ୍ଞାନ ଲାଭହେବ ଏବଂ ଏହାହିଁ ତ ଯୁଗଯୁଗ ଧରି ବୁଦ୍ଧିମାନ ମନୁଷ୍ୟର ଚରମ ପ୍ରୟାସ । କିନ୍ତୁ ଏ ଆତ୍ମଜ୍ଞାନ ମିଳିବ ବୈଜ୍ଞାନିକର ତୀକ୍ଷ୍ଣ ବସ୍ତୁକୈନ୍ଦ୍ରିକ ପରୀକ୍ଷା ଓ ପର୍ଯ୍ୟବେକ୍ଷଣରୁ, ଆଧ୍ୟାତ୍ମବାଦୀର ରହସ୍ୟାଚ୍ଛାଦିତ ଚିନ୍ତାରୁ ନୁହେଁ ।

☆☆☆

 

ପଞ୍ଚଦଶ ପରିଚ୍ଛେଦ

କେତେକ ମାନସିକ ରୋଗୀଙ୍କର ରୋଗ ଇତିହାସ

 

(କ) ଉଦ୍‌ବେଗ–ପ୍ରଧାନ ଆଡ଼ପାଗଳାମୀ :–

 

(୧) ଥରେ ୧୯ ବର୍ଷର ଜଣେ ଝିଅ ଡାକ୍ତରଙ୍କ ପାଖକୁ ଏ ରୋଗ ନେଇ ଆସିଲା । ସେ ତା’ ବାପମା’ଙ୍କର ସବୁଠାରୁ ବଡ଼ଝିଅ । ତା’ ତଳେ ଚାରୋଟି ଭାଇଭଉଣୀ । ଡାକ୍ତରଙ୍କୁ କହିଲା ତାକୁ ମୋଟେ ନିଦ ହେଉନି ଆଉ ସବୁବେଳେ ଅଚେତା ହୋଇଗଲା ଭଳି ଲାଗୁଛି । ଶୋଇବାକୁ ଭୟ ଲାଗୁଛି । କାହିଁକି ନା ଶୋଇବାକୁ ଗଲାବେଳେ ତା’ ପେଟ ଭିତରଟା କେମିତି ହାଲୁକା ହାଲୁକା ଲାଗୁଛି ଆଉ ଅଳ୍ପ କେତେବେଳ ପାଇଁ ତା’ର ଚେତା ରହୁନାହିଁ । ଏହାପରେ ତାକୁ ବାନ୍ତିମାଡ଼ିଲା ଭଳି ଲାଗୁଛି, ଏ ଲକ୍ଷଣଗୁଡ଼ିକ ତା’ର ପ୍ରାୟ ନ ମାସ ହେଲା ଦେଖାଦେଇଛି । ସେ ଭାବୁଛି ଯେ ଏସବୁ ତା’ର ହୃତ୍‌ପିଣ୍ଡରେ କୌଣସି ରୋଗ ହେବାର ପରିଣାମ । ଡାକ୍ତର ପଚାରି ବୁଝିଲେ ଯେ ତା’ର ମା’ ଓ ବୁଢ଼ୀମା’ଙ୍କର ହୃଦ୍‌ରୋଗ ଥିଲା ଆଉ ତା’ର ଧାରଣା ଯେ ହୃଦ୍‍ରୋଗଗୁଡ଼ିକ ବଂଶଗତ । ସେ ଦିନକୁ ୧୫ ଘଣ୍ଟା ପରିଶ୍ରମ କରୁଥିଲା । କିନ୍ତୁ କେବେ ଚାରିଘଣ୍ଟାରୁ ବେଶୀ ଶୋଇପାରୁ ନଥିଲା । ଘରେ ଆର୍ଥିକ ଅବସ୍ଥା ମୋଟେ ସ୍ୱଚ୍ଛଳ ନଥିଲା । ତା’ ଛଡ଼ା ଅନ୍ୟ ବହୁତ ପ୍ରକାରର ପାରିବାରିକ ଅଶାନ୍ତିଥିଲା ।

 

ଡାକ୍ତର ତା’ ସାଙ୍ଗେ ଘରଦ୍ୱାର, ଚାକିରି ଓ ତା’ର ପରିବାର ବିଷୟ କଥାବାର୍ତ୍ତା ହେଲେ । ତାକୁ ବୁଝେଇ ଦେଲେ ଯେ ହୃଦ୍‌ରୋଗ ବଂଶଗତ ନୁହେଁ । ତା’ ଛଡ଼ା ଉଦ୍‌ବେଗ ଦୂରକରିବା ପାଇଁ କିଛିଦିନ ଔଷଧ ଦେଲେ । ଏହିପରି ଆଲୋଚନା ଓ ଆଶ୍ୱାସନା ଦେବା କିଛିଦିନ ଚାଲିଲା ପରେ ଝିଅଟି ସମ୍ପୂର୍ଣ୍ଣ ଆରୋଗ୍ୟ ହେଲା । (ହେଣ୍ଡରସନ୍‌)

 

(୨) ଉଦ୍‌ବେଗ ପ୍ରଧାନ ଆଡ଼ପାଗଳାମୀରେ ଶାରୀରିକ ଲକ୍ଷଣଗୁଡ଼ିକ କିପରି ବିଶେଷଭାବରେ ଦେଖାଦିଅନ୍ତି ଉପରେ ତା’ର ଗୋଟିଏ ଉଦାହରଣ ଦିଆଗଲା । ଏହିପରି ଆଉ ଗୋଟିଏ ଉଦାହରଣ ଜଣେ ଚାକିରିଆଙ୍କ ରୋଗ–ଇତିହାସରୁ ମିଳେ । ଏ ରୋଗୀଙ୍କର ପ୍ରଧାନ ଅସୁବିଧା ହେଲା ରେଳଗାଡ଼ିରେ ଗଲାବେଳେ ତାଙ୍କୁ ଅଜୀର୍ଣ୍ଣଝାଡ଼ା ହୁଏ । ହାତଗୋଡ଼ରୁ ଝାଳ ବୁହେ । ଦେହହାତ ଥରେ । ସେ ସାଧାରଣତଃ ଚିଡ଼ିଚିଡ଼ା ସ୍ୱଭାବର ଲୋକ । ତାଙ୍କର ବେଶୀ କଥା ମନେ ରହେନାହିଁ । ଏହାଛଡ଼ା ଅନିଦ୍ରା ତାଙ୍କର ଆଉ ଗୋଟିଏ ଲକ୍ଷଣ । ରୋଗ–ଇତିହାସରୁ ଜଣାଗଲା ଯେ ସେ ତିନିମାସ ହେଲା ଏ ସବୁ ଅସୁବିଧା ଭୋଗୁଛନ୍ତି । ଏତିକିବେଳେ ତାଙ୍କୁ ଗୋଟାଏ କାମରୁ ଆଉ ଗୋଟିଏ କାମକୁ ବଦଳି କରାହୋଇଥିଲା । କିନ୍ତୁ ଯେଉଁ ଜାଗାକୁ ବଦଳି କରାଗଲା ସେଠି ଆଉଜଣେ ଲୋକ ତିରିଶବର୍ଷ ହେଲା କାମ କରୁଥିଲା । ତାକୁ ତଡ଼ି ଦେଇ ୟାଙ୍କୁ ତା’ ଜାଗାରେ ରଖାଗଲା । ଏ କଥା ଆମ ରୋଗୀଙ୍କୁ ଆଦୌ ଭଲ ଲାଗିଲାନାହିଁ । ନିଜକୁ ଦୋଷୀ ବୋଲି ସେ ଭାବିଲେ । ପୁଣି ନୂଆ ଚାକିରିରେ ତାଙ୍କୁ ରେଳଗାଡ଼ିରେ ବହୁତ ବୁଲିବାକୁ ପଡ଼ିଲା ।

 

ଯେଉଁଦିନଠୁ ଚାକିରି ଯୋଗୁଁ ରେଳଗାଡ଼ିରେ ବୁଲା ଆରମ୍ଭ ହେଲା । ସେଇଦିନଠାରୁ ତାଙ୍କର ଅଜୀର୍ଣ୍ଣ ଝାଡ଼ା ମଧ୍ୟ ଆରମ୍ଭ ହେଲା । ଚାକିରିରେ ଦଶଦିନ ରହିବା ପରେ ସେ ଝାଡ଼ା ଯୋଗୁଁ ଏତେ ଦୁର୍ବଳ ହୋଇପଡ଼ିଲେ ଯେ ଶେଷରେ ଡାକ୍ତରଖାନାରେ ଭର୍ତ୍ତି ହେଲେ । ରୋଗୀଙ୍କୁ ପଚାରି ଜଣାଗଲା ଯେ ଅଜୀର୍ଣ୍ଣ ଝାଡ଼ା ଲକ୍ଷଣ ଆରମ୍ଭ ହେଲା ପୂର୍ବରୁ ତାଙ୍କର ଅନିଦ୍ରା ଓ ଚିଡ଼ିଚିଡ଼ାଭାବ ଥିଲା । ବଦଳି ହେବା ଆଗରୁ ତାଙ୍କ ଚାକିରି କ୍ଷେତ୍ରରେ ଗଣ୍ଡଗୋଳ ଉପୁଜିଥିଲା । କମ୍ପାନୀର ମାଲିକଙ୍କ ପୁଅ ଅଯୋଗ୍ୟ ହେଲେ ମଧ୍ୟ ତାକୁ ରୋଗୀ ଯେଉଁ ଉଚ୍ଚ ଚାକିରିରେ ଥିଲେ ସେ ଚାକିରିଟି ଦିଆଯାଉଥିବାର ଚକ୍ରାନ୍ତ ରୋଗୀ ଜାଣିପାରିଥିଲେ । ସେଇଥିପାଇଁ ତାଙ୍କୁ ବଦଳି କରି ଦିଆଯାଇଥିଲା । ରୋଗୀଙ୍କୁ ବୁଲାବୁଲି କାମ ବିଶେଷ ଭଲଲାଗେ ନାହିଁ । ତେଣୁ ତାଙ୍କର ନୂଆ ଚାକିରି ସ୍ଥଳରେ ମାନସିକ ଅଶାନ୍ତି ହେବା ସ୍ୱାଭାବିକ । ସେ ଆସିବା ପରେ ପୁରୁଣା ଚାକିରିଆ ଜଣକ ବାହାରିଗଲେ ବୋଲି ତାଙ୍କର ଦୁଃଖ ଓ ଆତ୍ମଗ୍ଳାନି ଅସ୍ୱାଭାବିକ ଭାବରେ ତୀବ୍ର ହୋଇଥିଲା-। କିନ୍ତୁ ପ୍ରକୃତରେ ତାଙ୍କୁ ଅନ୍ୟାୟ ଭାବରେ ବଦଳି କରାଯାଇଥିବାରୁ ନିଜପାଇଁ ଯେଉଁ ଦୁଃଖ ହୋଇଥିଲା ତାହା ସେ ଏହି ପୁରୁଣା ଚାକିରିଆଙ୍କ ପ୍ରତି ପ୍ରକାଶ କଲେ । ମନୋବିଜ୍ଞାନରେ ଏପରି ସ୍ଥାନାନ୍ତର ଏକ ଜଣାଶୁଶା କଥା । ରୋଗୀଙ୍କୁ ଡାକ୍ତର ଏସବୁ କଥା କହିଲେ । ତାଙ୍କର ଲକ୍ଷଣ ସହିତ କିପରି ଏ ମାନସିକ ଦ୍ଵନ୍ଦ୍ଵଗୁଡ଼ିକ ଜଡ଼ିତ ତାହା ବୁଝାଇଦେଲେ । ଏପରି କିଛିଦିନ ପରାମର୍ଶ ଗ୍ରହଣ କଲାପରେ ରୋଗର ଲକ୍ଷଣଗୁଡ଼ିକ ଆଶ୍ଚର୍ଯ୍ୟ ଭାବରେ ଦୂର ହୋଇଗଲା । ରୋଗୀ କହିଲେ ଯେ ସେ ବରାବର ଭାବି ଆସିଥିଲେ ତାଙ୍କର ଲକ୍ଷଣଗୁଡ଼ିକ କୌଣସି ଦେହଜାତ ରୋଗରୁ ଉପୁଜିଛି-। ବର୍ତ୍ତମାନ ସେସବୁ ବୁଝିପାରି ତାଙ୍କର ଆତ୍ମବିଶ୍ୱାସ ଫେରିପାଇଛନ୍ତି ।

 

(ହେଣ୍ଡରସନ୍‌)

 

(୩) ଉଦ୍‌ବେଗ କିପରି ଆତଙ୍କରେ ପରିଣତ ହୋଇପାରେ ତାହାର ଗୋଟିଏ ଦୃଷ୍ଟାନ୍ତ ଦିଆଯାଉଛି । ଜଣେ ବୟସ୍କ ଲୋକଙ୍କର ଖୋଲା ଜାଗା ପ୍ରତି ଆତଙ୍କ ଥିଲା । ଖୋଲାଜାଗାରେ ପହଞ୍ଚିବାମାତ୍ରକେ ତାଙ୍କ ମୁଣ୍ଡ ବୁଲାଇଯାଉଥିଲା, ଦେହ ଥରୁଥିଲା, ଆଖି ଆଗରେ ସବୁ ଜାଲଜାଲୁଆ ଦେଖାଯାଉଥିଲା । ଛୁଆଦିନୁ ତାଙ୍କର ଖୋଲା ଜାଗାପ୍ରତି ବେଳେବେଳେ ଭୟ ହେଉଥିଲା । କିନ୍ତୁ ଏହା ଖୁବ୍‌ ଅଳ୍ପ ପରିମାଣରେ ହେଉଥିବାରୁ ତାଙ୍କର କିଛି ଅସୁବିଧା ହେଉ ନଥିଲା । ଡାକ୍ତରଙ୍କ ପରାମର୍ଶ ନେବାର ଚାରିମାସ ଆଗରୁ ଏ ଭୟ ଏତେ ବଢ଼ିଯାଇଥିଲା ଯେ ସେ ଆଉ କିଛି କାମଦାମ କରିପାରୁ ନଥିଲେ । ପ୍ରଥମେ ତାଙ୍କର ଏ ଭୟ ଏଗାରବର୍ଷବେଳେ ଆରମ୍ଭ ହୁଏ । ସେତେବେଳେ ତାଙ୍କ ସ୍କୁଲ୍‍ରେ ବହୁତ ପିଲାଙ୍କୁ ଗାଲୁଆ ହୋଇଥିଲା । ସେ ଦିନେ କ୍ଲାସ୍‍ଘରେ ବସିଛନ୍ତି ହଠାତ୍‌ ତାଙ୍କୁ ଲାଗିଲା ଯେମିତି ତାଙ୍କୁ ଗାଲୁଆ ହୋଇଛି ଓ ତଣ୍ଟିରେ ଗୋଟାଏ କ’ଣ ଗୋଟା ଗୋଟା କରି ଲାଖିଗଲା ଭଳି ଲାଗୁଛି । ହଠାତ୍‌ ତାଙ୍କର ଭୟ ହେଲା ଯେ ତାଙ୍କୁ ଏକ ମାରାତ୍ମକ ରୋଗ ହୋଇଛି । ଜଣେ କିଏ ପଚାରିଲା, ‘‘ତୁ କାହିଁକି ଶୁଖିଲା ଦେଖାଯାଉଛୁ ? ତୋର କ’ଣ ଦେହ ଖରାପ ହୋଇଛି ?’’ ଏହା ଶୁଣି ତାଙ୍କୁ ଆହୁରି ଭୟ ଲାଗିଲା । ବଡ଼ ହେଲାପରେ ବହୁତ ଥର ତାଙ୍କର ଠିକ୍‌ ଏଇପ୍ରକାର ଭୟ ମଝିରେ ମଝିରେ ହେଉଥିଲା । ରୋଗୀଙ୍କର ପିଲାଛୁଆ ଥିଲେ । କିନ୍ତୁ ଗତ ଦେଢ଼ବର୍ଷ ହେବ ତାଙ୍କ ସ୍ତ୍ରୀ ତାଙ୍କ ପ୍ରତି ସେତେ ହାର୍ଦ୍ଦିକତା ଦେଖାଉ ନଥିଲେ । ରୋଗୀ ନିଜକୁ ବହୁତ ସମୟରେ ଦୋଷୀ ବୋଲି ଭାବୁଥିଲେ । କାରଣ ସେ ପ୍ରାୟ ବର୍ଷକ ତଳେ ଅନ୍ୟ ସ୍ତ୍ରୀଲୋକମାନଙ୍କ ସଙ୍ଗେ ବେଶ୍ କିଛି ମିଳାମିଶା କରୁଥିଲେ । ତାଙ୍କର ମଧ୍ୟ ସ୍ୱପ୍ନଦୋଷ ଥିଲା ଓ ରାତିରେ ସେ ବରାବର ଟ୍ରେନ୍‌ ଫେଲ୍ ହୋଇଯାଉଥିବାର ସ୍ୱପ୍ନ ଦେଖୁଥିଲେ । ଶ୍ଵଶୁରଙ୍କ ସାଙ୍ଗେ ମଧ୍ୟ ତାଙ୍କ ସମ୍ପର୍କ ଭଲ ନଥିଲା । ସେ ଶ୍ଵଶୁରଙ୍କ ସଙ୍ଗେ ମିଶି ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ କିଛିଦିନ ହେଲା ବ୍ୟବସାୟ ମୋଟେ ଭଲ ଚାଲୁ ନଥିଲା । ଏଥିପାଇଁ ସେ ନିଜକୁ ଆଂଶିକ ଭାବରେ ଦାୟୀ ବୋଲି ଭାବୁଥିଲେ । ଶ୍ୱଶୁରଙ୍କୁ ଡରୁଥିଲେ ଓ ଶ୍ୱଶୁରଙ୍କ ପାଖରେ ନିଜକୁ ହୀନ ବୋଲି ମଣୁଥିଲେ । କେବେହେଲେ ସେ ଶ୍ୱଶୁରଙ୍କ ସାଙ୍ଗରେ ବ୍ୟବସାୟ ବିଷୟରେ କଥାବାର୍ତ୍ତା ହେଉ ନଥିଲେ । ଏମିତିକି ନିଜେ ମଧ୍ୟ ସେ କଥା କେବେ ସାହସକରି ଭାବୁ ନଥିଲେ ।

 

ଏହିପରି ଅସଫଳ ବୈବାହିକ ଜୀବନ ସହିତ ବ୍ୟବସାୟଗତ ଆର୍ଥିକ ସ୍ୱଚ୍ଛଳତା ମିଶି ତାଙ୍କୁ ଉଦ୍‌ବେଗଗ୍ରସ୍ତ କରିପକାଇଥିଲା । ଡାକ୍ତରଙ୍କ ସାଙ୍ଗେ କ୍ରମିକ ଆଲୋଚନା କରିବାଦ୍ୱାରା ଯାହା ତାଙ୍କ ଅବଚେତନ ମନରେ ଥିଲା ସେ ବିଷୟରେ ସେ ସଚେତ ହେଲେ; ଯାହା ଆଲୋଚନା କରିବାକୁ ଡରୁଥିଲେ ଡାକ୍ତରଙ୍କ ସାହଚର୍ଯ୍ୟରେ ସେସବୁ ନିର୍ଭୟରେ ବିଶ୍ଳେଷଣ କଲେ ମାନସିକ ଦ୍ୱନ୍ଦ୍ୱକୁ ଚାପି ନ ରଖି ଦୃଢ଼ତାର ସହିତ ତା’ର ସମ୍ମୁଖୀନ ହେଲେ । ଆସ୍ତେ ଆସ୍ତେ ତାଙ୍କର ଅଧିକାଂଶ ଭୟ ଚାଲିଗଲା । ସେ ଶ୍ୱଶୁରଙ୍କ ସହିତ ବ୍ୟବସାୟ ବନ୍ଦ କରିଦେଲେ । ଅନ୍ୟ ଗୋଟିଏ ଜାଗାରେ କାମ କଲେ । ସ୍ତ୍ରୀ ତାଙ୍କୁ ଛାଡ଼ପତ୍ର ଦେଲେ ଓ ସେ ଅନ୍ୟ ଜାଗାରେ ବାହାହେଲେ । ଏଥିରୁ ଜଣାଯାଉଛି ଯେ କେବଳ ଯୌନଗତ ବା ବୈବାହିକ ସମ୍ୱନ୍ଧର ଅସ୍ୱାଭାବିକତା ରୋଗୀର ଆଡ଼ପାଗଳାମୀର କାରଣ ନଥିଲା । ଅନ୍ୟାନ୍ୟ ସାମାଜିକ କାରଣରୁ ମଧ୍ୟ ଉଦ୍‌ବେଗଜନିତ ଆଡ଼ପାଗଳାମୀ ଦେଖାଦେଇପାରେ । (ହେଣ୍ଡରସନ୍‌)

 

(୪) ଖୋଲା ଜାଗାପ୍ରତି ଭୟ କରି ରାସ୍ତା ପାରିହେବା ଭୟ ମଧ୍ୟ ଆଉ ଗୋଟିଏ ପ୍ରକାର ଆତଙ୍କ । ଜଣେ ସ୍ତ୍ରୀଲୋକ ନିଜ ପିଲାଛୁଆଙ୍କୁ ଖୁବ୍‌ ଭଲ ପାଉଥିଲେ । କିନ୍ତୁ ଏହା ଟିକିଏ ଅସ୍ୱାଭାବିକ ପ୍ରକାରର ଥିଲା । ତାଙ୍କ ବୈବାହିକ ଜୀବନ ଅସଫଳ ଥିବାରୁ ଓ ତେଣୁ ଯୌନ କାମନା ସ୍ୱାଭାବିକ ଭାବରେ ଚରିତାର୍ଥ ହୋଇପାରୁ ନଥିବାରୁ ସେ ପିଲାମାନଙ୍କ ପ୍ରତି ଏତେ ଆସକ୍ତ ଥିଲେ । ତାଙ୍କର ଋତୁବନ୍ଦ ସମୟରେ ହଠାତ୍‌ ରାସ୍ତା ପାରିହେବା ଭୟ ଦେଖାଯାଇଥିଲା । ବିଶେଷକରି ଅସତ୍‌ ଚରିତ୍ରର ସ୍ତ୍ରୀଲୋକ ଚଳପ୍ରଚଳ ହେଉଥିବା ରାସ୍ତା ସହିତ ଏ ଭୟ ଜଡ଼ିତ ଥିଲା-। ମନୋବିଶ୍ଳେଷଣରୁ ଜଣାପଡ଼ିଲା ଯେ ଋତୁବନ୍ଦ ହୋଇଯିବା ଆଗରୁ ସେ ନୂତନ ଉନ୍ମାଦନା ଅନୁଭବ କରିବାକୁ ପ୍ରବଳଭାବରେ ଇଚ୍ଛୁକ ହେଲେ । ଅବଚେତନ ମନରେ ଏହା ଅବୈଧ ପ୍ରେମ ଓ ଗଣିକା ହେବାର ପ୍ରୟାସର ରୂପ ନେଇଥିଲା । ସାରା ଜୀବନରେ ଯାହା ପାଇନାହାନ୍ତି ବେଳ ଥାଉଁଥାଉଁ ତାହା ଲାଭକରିବା ପାଇଁ ତାଙ୍କର କିପରି ଏକ ଅନିବାର୍ଯ୍ୟ କାମନା ଦେଖା ଦେଇଥିଲା-। ଏହି ସମୟରେ ନିଜର ଅତି ପ୍ରିୟ ସନ୍ତାନମାନଙ୍କୁ ତଣ୍ଟି ଚିପି ମାରିଦେବାର ଅଦ୍ଭୁତ ଇଚ୍ଛା ମଧ୍ୟ ପ୍ରକାଶିତ ହେଲା । ଅବଶ୍ୟ ଅଚେତନ ମନର ବିଚାରଧାରାରେ ଏହା ଅତି ଯୁକ୍ତିସଂଗତ । କାରଣ ସନ୍ତାନମାନେ ତାଙ୍କର ଅସଫଳ ବିବାହ ଜୀବନର ଚିହ୍ନ । ଏମାନଙ୍କୁ ଲୋପ ନ କଲେ ନିଜର ବୈବାହିକ ସମ୍ୱନ୍ଧ ବିରୁଦ୍ଧରେ ତାଙ୍କର ପ୍ରତିବାଦ ସମ୍ପୂର୍ଣ୍ଣ ହେବନାହିଁ । ସେମାନଙ୍କଠାରୁ ମୁକ୍ତି ପାଇଲେ ଯାଇ ତାଙ୍କୁ ନିଜର ଇଚ୍ଛା ପୂର୍ଣ୍ଣ କରିବାପାଇଁ ସ୍ୱାଧୀନତା ମିଳିବ । ଏହିପରି ଅଚେତନ ମନର କାମନା ହେତୁ ଅହେତୁକୀ ଉଦ୍‌ବେଗ ଓ ଆତଙ୍କ ଦେଖାଦେଇଥାଏ । (ଆଲେକ୍‌ଜାଣ୍ଡର୍‌)

 

(ଖ) ହିଷ୍ଟ୍ରିଆ

 

(୧) ସ୍ମୃତିଭ୍ରଂଶ ହିଷ୍ଟ୍ରିଆର ଗୋଟିଏ ପ୍ରଧାନ ଲକ୍ଷଣ । ଜଣେ ବିମାନଚାଳକ ତାଙ୍କ ବାରାକ୍‌ରେ ଶୋଇଥିବାବେଳେ ଥରେ ଉଡ଼ାଜାହାଜ ଦୁର୍ଘଟଣାର ଗୋଟିଏ ଭୟଙ୍କର ସ୍ୱପ୍ନ ଦେଖିଲେ । ତାହାପରେ ସେ କୁଆଡ଼େ ଗଲେ ତାଙ୍କର କିଛି ମନେ ପଡ଼ିଲା ନାହିଁ । ଶେଷକୁ ନିକଟବର୍ତ୍ତୀ ସହରର ଗୋଟିଏ ହୋଟେଲରେ ସେ ଥିବାର ଜଣାଗଲା । ସେ ତିନିଦିନ କାଳ ତାଙ୍କ ବାରାକ୍‌ ଛାଡ଼ି ଆସି ସେଠାରେ ପହଞ୍ଚିଥିଲେ । ଏ ତିନିଦିନର ଘଟଣା ତାଙ୍କର ଆଦୌ ମନେପଡ଼ିଲା ନାହିଁ । ବହୁତ ଚେଷ୍ଟାକରି ମନେ ପକାଇବାରୁ ଜଣାଗଲା ତାଙ୍କର କିଛିଦିନ ହେବ ଉଡ଼ାଜାହାଜ ଚଳାଇବା ବିଷୟରେ ଆତଙ୍କ ଜନ୍ମିଛି । ଅଥଚ ସେ ବିମାନଚାଳକର ଚାକିରି ଛାଡ଼ିପାରୁ ନାହାନ୍ତି । କାରଣ ଚାକିରି ଚାଲିଗଲେ ତାଙ୍କର ଆୟର ଆଉ କିଛି ପନ୍ଥା ରହିବ ନାହିଁ । କିନ୍ତୁ ଏହା ଭିତରେ ତାଙ୍କର ବାହାଘର ହେବାପାଇଁ ସବୁ ଠିକ୍‌ଠାକ୍‌ ହୋଇଯାଇଛି । ତେଣୁ ସ୍ୱଭାବତଃ ତାଙ୍କ ମନରେ ତୀବ୍ର ଦ୍ୱନ୍ଦ୍ୱ ପ୍ରକାଶ ପାଇଛି । ଶେଷକୁ ତାଙ୍କ ଆତଙ୍କ ଏତେ ପ୍ରବଳ ହେଲା ଯେ ସେ ଚାକିରି ଛାଡ଼ି ପଳେଇ ଆସିଲେ । ତାଙ୍କ ମାନସିକ ଦୁର୍ଦ୍ଦଶା କଥା ମଧ୍ୟ ଭାବୀପତ୍ନୀଙ୍କୁ ଚିଠିଦ୍ୱାରା ଜଣାଇଥିଲେ । କିନ୍ତୁ ଏସବୁ କଥା ସେ ପୂରାପୂରି ଭୁଲିଯାଇଥିଲେ । ମନୋବିଶ୍ଳେଷଣ ସଙ୍ଗେ ସଙ୍ଗେ ତାଙ୍କର ପୂର୍ବସ୍ମୃତି ଉଦ୍ଧାର କରାଗଲା; ତାଙ୍କର ମାନସିକ ଦ୍ୱନ୍ଦ୍ୱ ସହିତ ଅନିଦ୍ରା ଓ ଉଦ୍‌ବେଗ ପୂର୍ଣ୍ଣ ସ୍ୱପ୍ନର ସମ୍ୱନ୍ଧ ତାଙ୍କୁ ଜଣାଇ ଦିଆଗଲା । ଏସବୁ କରିବା ଫଳରେ ତାଙ୍କର ରୋଗ ଲକ୍ଷଣ ଲୋପ ପାଇଗଲା ।

 

(ହେଣ୍ଡରସନ୍‌)

 

(୨) ହିଷ୍ଟ୍ରିଆରେ ମାନସିକ ଦ୍ୱନ୍ଦ୍ୱଗୁଡ଼ିକ କିପରି ଶାରୀରିକ ଲକ୍ଷଣରୂପେ ପ୍ରକାଶିତ ହୁଏ ତାହାର ଆଉ ଗୋଟିଏ ଉଦାହରଣ ତଳେ ଦିଆଗଲା । ଜଣେ ଲୋକର ଅନିଚ୍ଛା ସତ୍ତ୍ୱେ ତା’ର ମୁଣ୍ଡ ଅଧିକାଂଶ ସମୟରେ ଗୋଟିଏ ପାଖକୁ ବଙ୍କେଇ ହୋଇଯାଉଥିଲା । ଦିନେ ସେ ସେଲୁନ୍‍ରେ ବସି ଖିଅର ହେଉଛି ହଠାତ୍‌ ତା’ର ଏ ଲକ୍ଷଣ ପ୍ରଥମ ଥରପାଇଁ ଦେଖାଦେଲା ।

 

ରୋଗ ଇତିହାସରୁ ଜଣାପଡ଼ିଲା ଯେ ଆଠବର୍ଷ ବୟସରେ ଦୁର୍ଘଟଣା ଘଟି ତା’ର ଗୋଟିଏ ଗୋଡ଼ କଟିଯାଇଥିଲା । ତେଣୁ ତା’ର ଏ ଦୁର୍ବଳ ଅବସ୍ଥାରେ ଅନ୍ୟ ଲୋକଙ୍କର ସାହଚର୍ଯ୍ୟ ନିତାନ୍ତ ଦରକାର ହେଲା । ଅଥଚ ସେ ଆଦୌ କାହାର ସାହାଯ୍ୟ ନେବାକୁ ଚାହିଁଲାନାହିଁ । ନିଜର ଦୁର୍ବଳତା କାହାକୁ ଜଣାଇ ଦେବ ନାହିଁ ବୋଲି ଭାବି ଅତ୍ୟନ୍ତ ସବଳ ବ୍ୟକ୍ତିତ୍ୱର ଛଳନା କଲା ଏପରିକି ନିଜେ କାମଦାମ କରି ତା’ର ବଡ଼ଭାଇମାନଙ୍କୁ ଆର୍ଥିକ ସାହାଯ୍ୟ କଲା । ପ୍ରୌଢ଼ାବସ୍ଥାରେ ଆସ୍ତେ ଆସ୍ତେ ମାନସିକ ରୋଗୀର ଛୋଟ ଛୋଟ ଲକ୍ଷଣ ତା’ଠାରେ ଦେଖାଦେଲା । କିନ୍ତୁ ସେ ସେଥିପ୍ରତି ଭ୍ରୂକ୍ଷେପ ନ କରି ସୁସ୍ଥ ଓ ଶକ୍ତିବାନ ଲୋକଭଳି କାମ କରି ଚାଳିଲା । କିଛିଦିନ ପରେ ସେ ନିଜ ଭଣଜାକୁ ପୁଅ କରି ଆଣିଲା । ତାକୁ ଅତି ଯତ୍ନ ସହିତ ପଢ଼ାଶୁଣା କରାଇଲା । ଖୁବ୍‌ ସ୍ନେହମମତାରେ ବଢ଼େଇଲା । ନିଜେ ଯାହା ପାଇ ନଥିଲା, ଯେଉଁ ଆନ୍ତରିକତା ସବଳ ହେବାର ମୋହରେ ପ୍ରତ୍ୟାଖ୍ୟାନ କରିଥିଲା; ସେ ସବୁ ଏ ପିଲା ଉପରେ ଅଜାଡ଼ି ଦେଲା । ଏ ପିଲାଛଡ଼ା ତା’ ଜୀବନରେ ଏକମାତ୍ର ପ୍ରିୟଲୋକ ଥିଲେ ତା’ର ଭଉଣୀ । ଭଉଣୀଙ୍କର ମୃତ୍ୟୁ ପରେ ରୋଗୀର ଏ ଲକ୍ଷଣ ପ୍ରଥମେ ଦେଖାଗଲା । କିଛିଦିନ ପରେ ତା’ର ପୋଷ୍ୟପୁତ୍ର ଯୁଦ୍ଧରେ ଯିବାପାଇଁ ନାଁ ଲେଖାଇଲା । ତା’ପରେ ପରେ ଏ ଲକ୍ଷଣ ଅତି ସ୍ପଷ୍ଟ ଭାବରେ ଦେଖାଗଲା । ଭଉଣୀ ଓ ପୁଅ ଉପରେ ରୋଗୀ ବହୁତ ନିର୍ଭର କରୁଥିଲା । ନିଜର ଦୁର୍ବଳତା ବାହାରେ ପ୍ରକାଶ ନ କଲେ ମଧ୍ୟ ପୁଅ ଓ ଭଉଣୀଙ୍କ ପାଖରେ ସେ ପ୍ରକୃତରେ ଯାହା ସେହିପରି ବ୍ୟବହାର କରୁଥିଲା । ନିର୍ଭରଶୀଳ ହେବାର ତା’ର ଯେ ଗୁପ୍ତ ଇଚ୍ଛା ଏହିମାନଙ୍କଠାରେହିଁ ଚରିତାର୍ଥ ହେଉଥିଲା, ଏଥିରେ ସନ୍ଦେହ ନାହିଁ-। ଏମାନେ ଚାଲିଗଲାପରେ ତାକୁ ଯଥେଷ୍ଟ ମାନସିକ ଆଘାତ ଲାଗିଥିବ । ତେଣୁ ଗୋଟାଏ ଆଡ଼କୁ ମୁଣ୍ଡ ବଙ୍କେଇ ହୋଇଯିବା ଲକ୍ଷଣର ଦୁର୍ବଳତା ଓ ନିର୍ଭରଶୀଳତା ସହିତ ସମ୍ୱନ୍ଧ ସ୍ପଷ୍ଟ-। ମନୋବିଶ୍ଳେଷଣକାରୀ କହନ୍ତି ଯେ ପିଲାଙ୍କର ମା’ ଦୁଧ ଖାଇବା ବୟସରେ ଏ ବ୍ୟବହାର ଦେଖାଦିଏ । ପିଲା ସେତେବେଳେ ଅତି ଅସହାୟ, ମା’ ଦୁଧ ଖାଇଲେ ତାକୁ ସାହା ମିଳେ । ତେଣୁ ଆମ ରୋଗୀର ଅବସ୍ଥା ଠିକ୍‌ ଅସହାୟ ଶିଶୁପରି । ବାସ୍ତବ ଜଗତରେ ସବୁ ଆଗ୍ରହ ଓ ସହାୟ ହଜିଗଲା ପରେ ସେ ପୁଣି ତା’ର ଶିଶୁଜଗତକୁ ଫେରି ଆସିଛି । ତେଣୁ ତା’ର ମୁଣ୍ଡ ବଙ୍କେଇବାଟା ମାତୃସ୍ତନରୁ ସାହା ଖୋଜିବାର ଗୋଟିଏ ସଙ୍କେତ ।

 

(ଆଲେକ୍‌ଜାଣ୍ଡର୍)

 

(୩) ଦ୍ୱ–ବ୍ୟକ୍ତିତ୍ୱ ହିଷ୍ଟ୍ରିଆର ଆଉ ଗୋଟିଏ ଲକ୍ଷଣ । ଜଣେ ଧର୍ମଯାଜକଙ୍କର କିପରି ଯୋଡ଼ିଏ ବ୍ୟକ୍ତିତ୍ୱ ଥିଲା ସେ କଥା କୁହାଯାଉଛି । ପାଦ୍ରୀ ବୋର୍ଣ୍ଣ ତାଙ୍କୁ ଘରୁ କୁଆଡ଼େ ପଳାଇଗଲେ-। କେହି ତାଙ୍କ ଠିକଣା ପାଇପାରିଲେ ନାହିଁ । ଦି’ମାସ ପରେ ଜଣାଗଲା ଯେ ବ୍ରାଉନ୍ ନାମକ ଜଣେ ଲୋକ ଗୋଟିଏ ସହରରେ ଛୋଟ ଦୋକାନଟିଏ ଦେଇଛି । ସେ ସେଠାରେ ଦେଢ଼ମାସ ହେଲା ଚକୋଲେଟ୍‌ ଓ ବିସ୍କୁଟ୍ ବିକୁଛି । ବ୍ରାଉନ୍ ହଠାତ୍‌ ଦିନେ ନିଦରୁ ଉଠିପଡ଼ିଲା ଭଳି ପଚାରିଲେ ଯେ ସେ କିଏ ଓ କେଉଁଠି ଅଛି ? ସେ କହିଲା ତା’ ନାଁ ବୋର୍ଣ୍ଣ, କିନ୍ତୁ ଏଠାକୁ କେମିତି ଆସିଲା ? ବ୍ରାଉନ୍ ଲୋକଟି କିଏ ? କାହା ଦୋକାନରେ ସେ ବସିଛି ? ତା’ର ଏ ଦୋକାନ ନୁହେଁ-। ପାଦ୍ରୀ ବୋର୍ଣ୍ଣଙ୍କ ଲୋକ ଖବର ପାଇ ଆସିଲେ । ଦୋକାନୀ ବ୍ରାଉନ୍ ଯେ ପାଦ୍ରୀ ବୋର୍ଣ୍ଣ ଏଥିରେ ସେମାନଙ୍କର ସନ୍ଦେହ ରହିଲା ନାହିଁ ।

ପାଦ୍ରୀ ବୋର୍ଣ୍ଣ କିନ୍ତୁ କୌଣସି ଉପାୟରେ ବୁଝିପାରିଲେ ନାହିଁ ଏ ଘଟଣା କିପରି ଘଟିଲା-। ତା’ପରେ ଯେତେ ଥର ତାଙ୍କର ଏଇ ପଳେଇଯିବା କଥାଟା ଉଠେ, ସେ ବିସ୍ମିତ ଓ ଭୟଭୀତ ହୋଇଉଠନ୍ତି । ଏହି ଉଦାହରଣରୁ ଜଣାଯାଉଛି ଯେ ତାଙ୍କର ଦୁଇଟି ବ୍ୟକ୍ତିତ୍ୱ ମଧ୍ୟରେ କୌଣସି ସମ୍ୱନ୍ଧ ନଥିଲା–ଗୋଟିଏ ଅନ୍ୟଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ।

(ହେଣ୍ଡରସନ୍‌)

(୪) ମନର ଦୁଇଟି ଅଂଶ ଭିତରେ ବ୍ୟବଧାନ ଦେଖାଯିବା ପଛରେ ନିଶ୍ଚୟ କିଛି ନା କିଛି କାରଣ ଥିବ । ରୋଗୀର କୌଣସି ଆବଶ୍ୟକତା ଏହାଦ୍ୱାରା ପୂର୍ଣ୍ଣ ହେଉଥିବ ।

ଜଣେ ପନ୍ଦରବର୍ଷର ଝିଅକୁ ତା’ ମା’ ଘର କାମଦାମ କରିବାପାଇଁ ଆଉ ଜଣଙ୍କ ଘରକୁ ପଠାଇଲା । ଝିଅଟିର ବୁଦ୍ଧି ଟିକେ କମ୍‌ । ତା’ର ମୋଟେ ଘରକାମ କରିବାପାଇଁ ଇଚ୍ଛା ନଥିଲା । ଅଳ୍ପ କିଛିଦିନ କାମ କଲାପରେ ତା’ ମାଲିକିଆଣୀ ତାକୁ ତଡ଼ିଦେଲା । କାରଣ ସେ ସବୁ କାଚବାସନ ଭଙ୍ଗାଭଙ୍ଗି କଲା । ତାକୁ ପଚାରିଲାରୁ କହିଲା ଯେ ସେ କେତେବେଳେ ଭାଙ୍ଗୁଛି ସେ କଥା ଜାଣିପାରୁନି । ଗୋଟିଏ ଜିନିଷ ଯେତେବେଳେ ତା’ ହାତରୁ ଖସି ତଳେ ପଡ଼ିଯାଉଛି ସେତେବେଳେ ତା’ର ଶବ୍ଦରୁ ସେ ଜାଣିପାରୁଛି ଯେ ଜିନିଷଟି ଖସିପଡ଼ିଲା । କାରଣ ସେ ଜିନିଷଟି ତା’ ହାତରେ ଥିଲା କି ନାହିଁ ସେ ଜାଣିପାରୁ ନାହିଁ । ତାକୁ ପଚାରି ବୁଝାଗଲା ଯେ ଘରକାମ ପ୍ରତି ତା’ର ଆଦୌ ଆଗ୍ରହ ନାହିଁ । କାମ ଛାଡ଼ି ନିଜ ଘରକୁ ଫେରିବାପାଇଁ ତା’ର ପ୍ରବଳ ଇଚ୍ଛା ହେଉଛି ।

(ହେଣ୍ଡରସନ୍‌)

(୫) ହିଷ୍ଟ୍ରିଆର ଲକ୍ଷଣଗୁଡ଼ିକ କିପରି ରୋଗୀକୁ ତା’ର ଦ୍ୱନ୍ଦ୍ୱମୟ ଜୀବନରେ ସାହାଯ୍ୟ କରନ୍ତି ତା’ର ଗୋଟିଏ ଉଦାହରଣ ଦିଆଯାଉଛି ।

ଜଣେ କଲେଜ ଝିଅ କ୍ଲାସ୍‍ରେ ଦିଆଯାଇଥିବା କୌଣସି ପ୍ରଶ୍ନର ଉତ୍ତର ଲେଖି ଆଣିପାରିଲେ ନାହିଁ । କାରଣ କହିଲେ ତାଙ୍କର ଡାହାଣ ହାତ ଅଚଳ ହୋଇଯାଇଛି । ପ୍ରକୃତରେ ତାଙ୍କ ଡାହାଣ ହାତଟି ନିର୍ଜୀବ ଦେଖାଯାଉଥିଲା । ଯେତେ ଚେଷ୍ଟା କଲେବି ସେ ହାତରେ ସେ କିଛି କରିପାରୁ ନଥିଲେ । ଡାକ୍ତରଙ୍କୁ ଦେଖାଇବାରେ କିଛି ଶାରୀରିକ କାରଣ ନଥିବାର ଜଣାପଡ଼ିଲା । ଏମିତି କିଛିଦିନ ଗଲାପରେ ହାତ ମନକୁ ମନ ଭଲ ହୋଇଗଲା । ତା’ର ମାସକ ପରେ ହଠାତ୍‌ ସେ ଆଉ କଥା କହିପାରିଲେ ନାହିଁ । ପୁଣି ଡାକ୍ତର ତାଙ୍କୁ ଦେଖି କହିଲେ ଯେ କଥା କହିବା ଯନ୍ତ୍ରରେ କିଛି ଗୋଳମାଳ ନାହିଁ । ତଥାପି ଜଣେ ବିଶେଷଜ୍ଞଙ୍କ ପାଖକୁ ପଠାଗଲା । ସେ ଡାକ୍ତର ତାଙ୍କୁ ଭଲଭାବରେ ପରୀକ୍ଷା କଲେ । ତା’ପରେ ସିଧା କହିଦେଲେ ଯେ ଏଗୁଡ଼ାକ ସବୁ ବାଜେ କଥା–ରୋଗୀର କଥା ନ କହିପାରିବାର କିଛି କାରଣ ନାହିଁ । ଏଥିରେ ରୋଗୀ ଚିଡ଼ିଗଲେ । ଡାକ୍ତରଙ୍କର ବହୁ ବଦନାମ କଲେ । କିନ୍ତୁ କିଛିଦିନ ପରେ ପୁଣି କଥା କହିପାରିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେଲାପରେ ରୋଗୀ ବୁଝିପାରିଲେ କାହିଁକି ତାଙ୍କର ଏପରି ଲକ୍ଷଣ ଦେଖାଯାଇଥିଲା । କାରଣ ସେ ଗୁପ୍ତଭାବରେ ଆଉଜଣେ ଛାତ୍ରକୁ ବିବାହ କରିଥିଲେ । କିନ୍ତୁ ଏ କଥା ଘରକୁ ଲେଖିବାକୁ ରାଜି ନଥିଲେ–କାରଣ ବାପମା’ ଅଯଥା ବ୍ୟସ୍ତ ହେବେ । ସେତିକିବେଳେ ତାଙ୍କ ଡାହାଣ ହାତ ଅଚଳ ହୋଇଗଲା ଓ ତାଙ୍କୁ ଏପରି ଅପ୍ରିୟ କଥା ଲେଖିବା କାମରୁ ରକ୍ଷାକଲା । ପୁଣି ଏ ଗୁପ୍ତ ବିବାହ କଥା ସେ କାହା ଆଗେ କହିବାକୁ ରାଜି ନଥିଲେ । ବିଶେଷତଃ ତାଙ୍କ ଧର୍ମଗୁରୁଙ୍କୁ ଏହା ଜଣାଇବାକୁ ସବୁଠୁ ବେଶୀ ଡରୁଥିଲେ । ସେଥିପାଇଁ ହଠାତ୍‌ କଥା କହିପାରିବାର ଶକ୍ତି ଲୁପ୍ତ ହେଲା ଓ ସେ ଏକ ମାନସିକ ଦ୍ୱନ୍ଦ୍ୱରୁ ରକ୍ଷା ପାଇଲେ । ତାଙ୍କ ହିଷ୍ଟ୍ରିଆ ଭଲ ହେଲା କିପରି ? ସେ ବିବାହ କରିଛନ୍ତି ବୋଲି ସାହସ କରି ସମସ୍ତଙ୍କୁ ଜଣାଇଦେଲେ । ତାଙ୍କର କଲେଜରୁ ପଢ଼ା ସରିଆସିଥିଲା । ସେତିକିବେଳେ ସେ ନିଜ ବିବାହ ଘୋଷଣା କରିବାକୁ ସୁବିଧା ପାଇଲେ । ଏହାପରେ ପରେ ନିଜ ଲକ୍ଷଣର କାରଣ ବିଷୟରେ ତାଙ୍କର ଅନ୍ତର୍ଦୃଷ୍ଟି ଦେଖାଦେଇଥିଲା ।

 

(ପେଜ୍‌)

 

(ଖ) ଆବେଶିକ ଆଡ଼ପାଗଳାମୀ :–

 

(୧) ଆବେଶିକ ଆଡ଼ପାଗଳାମୀରେ ଅଦ୍ଭୁତ ପ୍ରକାର ଭାବନା ଥରକୁଥର ଦେଖାଦିଏ । ଜଣେ ଦରଜିର ଛ’ମାସ ହେବ ନିଜ ସ୍ତ୍ରୀ ପିଲାଙ୍କୁ ମାରିଦେବା ପାଇଁ ଓ ନିଜେ ଆତ୍ମହତ୍ୟା କରିବାପାଇଁ ବାରମ୍ୱାର ଇଚ୍ଛା ଦେଖାଦେବାରୁ ସେ ଡାକ୍ତରଙ୍କ ପାଖକୁ ଆସିଥିଲା । ଯେଉଁଠି ନଈ ଦେଖିଲା ତା’ର ଡେଇଁ ପଡ଼ିବାକୁ ଇଚ୍ଛା ହେଲା । ଉପର ତାଲାର ଖୋଲା ଝରକା ତାକୁ ଆତ୍ମହତ୍ୟା ପାଇଁ ଆକୃଷ୍ଟ କରୁଥିଲା । ଏହିପରି ମନର ଅବସ୍ଥା ନେଇ ସେ ଆଉ କାମ କରିପାରିଲା ନାହିଁ । ରାତିସାରା ଏଇସବୁ ଭାବିଭାବି ତାକୁ ନିଦ ହେଲାନାହିଁ । କାହିଁକି ନା ରାତିରେ ଏ ଭାବନାର ପ୍ରକୋପ ବଢ଼ୁଥିଲା । ବିଶ୍ଳେଷଣରୁ ଜଣାପଡ଼ିଲା ଯେ ଛ’ମାସ ଆଗରୁ ତା’ ବ୍ୟବସାୟ ଧିମେଇ ଯାଇଛି । ଟଙ୍କାପଇସା ଅସୁବିଧା ହେଉଛି । ଏତିକିବେଳେ ସେ ଦିନେ ଖବରକାଗଜରୁ ପଢ଼ିଲା ଯେ ସରକାର ସବୁ ବିଦେଶୀ ଲୋକଙ୍କୁ ଦେଶାନ୍ତରିତ କରିବା ଠିକ୍‌ କରିଛନ୍ତି । ଏ ଦରଜିଟି ବିଲାତରେ ରହୁଥିଲେ ମଧ୍ୟ ପ୍ରକୃତରେ ଋଷୀୟ ଇହୁଦୀ ଥିଲା । ତେଣୁ ତା’ର ଭୟ ହେଲା ଯେ ସେ ବି ଦେଶାନ୍ତରିତ ହୋଇଯିବ । ଏମିତି ଭାବୁ ଭାବୁ ତା’ର ମନେହେଲା ଯେ ସେ ଯଦି ଭଗବାନ ହୋଇଥାନ୍ତା ଏ ସରକାରକୁ ଧ୍ୱଂସ କରି ଦିଅନ୍ତା । ହଠାତ୍‌ ତାକୁ ଲାଗିଲା ପାଗଳ ହେଲେ ଲୋକ ଏମିତି ଭାବନ୍ତି । ସେ ଆଉ ପାଗଳ ହୋଇଯାଇଛି କି ? ଘରୁ ବାହାରିଆସି କାହାକୁ ଗୋଟାଏ ମାରିପକାଇବାକୁ ତା’ ଇଚ୍ଛା ହେଲା । ନିଜର ଏ ପ୍ରକୃତିରେ ସେ ଆହୁରି ଆତଙ୍କିତ ହୋଇଉଠିଲା । ସେ ଭାବିଲା ନିଜର ସ୍ତ୍ରୀ ପିଲାଙ୍କୁ ମାରିଦେବା ତା’ ପକ୍ଷରେ ଆଶ୍ଚର୍ଯ୍ୟ ହେବନାହିଁ ।

 

ଅବଶ୍ୟ ତା’ର ଏ ଲକ୍ଷଣଗୁଡ଼ିକ ଅତ୍ୟନ୍ତ ଯୁକ୍ତିସଂଗତ । ସେ ଆର୍ଥିକ ସଙ୍କଟରୁ ରକ୍ଷା ପାଇବାକୁ ଚାହୁଁଥିଲା । ସେଥିପାଇଁ ନିଜେ ମରିଗଲେ ଓ ପିଲାପିଲିଙ୍କୁ ମାରିଦେଲେ ଏଥିରୁ ମୁକ୍ତି ମିଳିବା ଅତି ସହଜ ହେବ । କିନ୍ତୁ ଏଇ ଇଚ୍ଛା ପରୋକ୍ଷରେ ପ୍ରକାଶ ପାଇବାପାଇଁ ସରକାରର ଦେଶାନ୍ତର ପ୍ରସ୍ତାବ ସୁଯୋଗ ଦେଲା । ସେ ଭାବିଲା ସରକାରଙ୍କୁ ଧ୍ୱଂସ କରିଦେବା ପ୍ରବୃତ୍ତି ହୁଏତ ନିଜ ପରିବାର ଲୋକଙ୍କୁ ଧ୍ୱଂସ କରିବା ଇଚ୍ଛାରେ ରୂପାନ୍ତରିତ ହୋଇଯିବ । କିନ୍ତୁ ପ୍ରକୃତରେ ଏଇ ଇଚ୍ଛାର ସମ୍ଭବ ଠିକ୍‌ ବିପରୀତ ଦିଗରୁ । ନିଜକୁ ଓ ନିଜ ପରିବାରକୁ ହତ୍ୟାକରି ସବୁଦିନ ପାଇଁ ଜାଗତିକ ସଙ୍କଟରୁ ମୁକ୍ତି ପାଇବାଲାଗି ତା’ର ଯେଉଁ ଅଚେତନ ଇଚ୍ଛା ଥିଲା ତା’ କେବଳ ସରକାରଙ୍କ ଉପରେ ପ୍ରକ୍ଷେପ କରାଯାଇଥିଲା ।

 

(ହେଣ୍ଡରସନ୍‌)

 

(୨) ଆବେଶିକ ଲକ୍ଷଣଗୁଡ଼ିକ କିପରି ଲୁକ୍କାୟିତ ଅଚେତନ ଇଚ୍ଛାର ବହିଃପ୍ରକାଶ ମାତ୍ର ଏହା ଆଉ ଗୋଟିଏ ଉଦାହରଣରୁ ଜଣାଯାଏ । ଜଣେ ବୟାଳିଶବର୍ଷର ବୟସ୍କ ଲୋକଙ୍କର ଯାହାକୁ ଦେଖିଲେ ତାକୁ ଟାଙ୍ଗିଆରେ ବାଡ଼େଇଦେବା ପାଇଁ ଇଚ୍ଛା ହେଉଥିଲା । ବିଶେଷତଃ ଟାଙ୍ଗିଆରେ ଲୋକଙ୍କ ମୁଣ୍ଡକୁ ମାରିବାର ଇଚ୍ଛା ହେଉଥିଲା । ଏଥିଯୋଗୁଁ ସେ ପ୍ରଥମେ ପ୍ରଥମେ ଟାଙ୍ଗିଆ ବିକ୍ରି ହେଉଥିବା ଲୁହା ଦୋକାନ ଆଡ଼େ ଯାଉ ନଥିଲେ । ତା’ପରେ ତାଙ୍କର ଏଇ ଇଚ୍ଛା ଆହୁରି ପ୍ରବଳ ହେବାରୁ ଯେକୌଣସି ଜିନିଷ ଟାଙ୍ଗିଆଭଳି ସାମାନ୍ୟ ଦେଖାଗଲା ତା’ଠାରୁ ସେ ଦୂରରେ ରହିଲେ ।

 

ଏମିତି ସବୁ ଚାରିକଣିଆ ଓ ଗୋଜିଆ ଜିନିଷ ଦେଖିଲେ ତାଙ୍କର ଟାଙ୍ଗିଆ କଥା ମନେ ପଡ଼ିଲା । ଶେଷକୁ ସେ ବହି ପଢ଼ିବାକୁ ଡରିଲେ । କାରଣ ବହିରେ ଇଂରାଜୀ ଅକ୍ଷର ଏଲ୍‌ (L) ଟାଙ୍ଗିଆ ଭଳି ଦେଖାଗଲା । ସେ କାମଦାମ ଛାଡ଼ିଦେଲେ । ପଚିଶବର୍ଷ ଧରି ତାଙ୍କର ଏ ଆବେଶିକ ଲକ୍ଷଣ ରହିଲା । ଟାଙ୍ଗିଆ ସଦୃଶ ଜିନିଷଠାରୁ ଦୂରରେ ରହିବାପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରି କରି ତାଙ୍କ ଜୀବନ ଦୁର୍ବିସହ ହୋଇଉଠିଲା । ମାନସିକ ବିଶ୍ଳେଷଣରୁ ଜଣାପଡ଼ିଲା ଯେ ତାଙ୍କର ଏ ଲକ୍ଷଣ ପିଲାଦିନରୁ ଗୋଟିଏ ଘଟଣାରୁ ଉପୁଜିଛି । ରୋଗୀର ଉପରେ ଗୋଟିଏ ଭାଇ ତଳେ ଗୋଟିଏ ଭଉଣୀ ଥିଲେ । ସେ ତାଙ୍କ ସାଙ୍ଗରେ ସବୁବେଳେ ବାଦ କରୁଥିଲେ । ସାନଭଉଣୀଟି ସବୁଠାରୁ ସାନ ଛୁଆ ହୋଇଥିବାରୁ ସମସ୍ତେ ତାକୁ ଗେହ୍ଲା କରୁଥିଲେ । ସେ ଜନ୍ମହେବାମାତ୍ରକେ ୟାଙ୍କ ପ୍ରତି ଆଉ କେହି ବେଶୀ ସ୍ନେହଶ୍ରଦ୍ଧା ଦେଖାଇଲେ ନାହିଁ । ବଡ଼ଭାଇଟି ସବୁଠାରୁ ବଡ଼ ପୁଅ ହୋଇଥିବାରୁ ବାପମା’ଙ୍କର ତା’ ଉପରେ ବେଶୀ ନଜର ଥିଲା । ଏଥିପାଇଁ ରୋଗୀର ଉପର ଭାଇପ୍ରତି ରାଗ ଥିବା ସାଧାରଣ କଥା । କିନ୍ତୁ ବଡ଼ଭାଇ ପ୍ରତିହିଂସା ଓ ରାଗ ରଖିବା ଯୋଗୁଁ ତାଙ୍କୁ ଖରାପ କାମ କଲାଭଳି ଲାଗିବାବି ସ୍ୱାଭାବିକ । ପିଲାଦିନର ଗୋଟିଏ ଘଟଣା ମନୋବିଶ୍ଳେଷଣ କରୁ କରୁ ଜଣାଗଲା । ତାଙ୍କୁ ଛ’ବର୍ଷ ହେଲାବେଳେ ସେ ବାଡ଼ିରୁ କାଙ୍କ ନେଇ ଆଳୁ ଖୋଳୁଥିଲେ । ପାଖ ଘରର ଜଣେ ଚାଷୀର ପୁଅବି ତାଙ୍କ ସାଙ୍ଗେ ଆଳୁ ଖୋଳୁଥିଲା । ଖୋଳୁ ଖୋଳୁ ରୋଗୀର କାଙ୍କ ସେ ପିଲା ମୁଣ୍ଡରେ ବାଜିଗଲା । ପିଲା ପଡ଼ିଗଲା । ମୁଣ୍ଡରୁ ଝରଝର ରକ୍ତ ବୋହିଗଲା । ସେ ମରିଗଲା ବୋଲି ଭାବି ରୋଗୀ ଅତ୍ୟନ୍ତ ଉଦ୍‌ବିଗ୍ନ ହୋଇ ପଡ଼ିଲା ଓ ତା’ର ତୀବ୍ର ଅପରାଧବୋଧ ଜାତ ହେଲା । ହୁଏତ ଅନ୍ୟ କେହି ଏ ଘଟଣାରେ ନିଜକୁ ଏତେ ଦୋଷୀ ବୋଲି ଭାବି ନଥାନ୍ତେ । ରୋଗୀର ନିଜ ବଡ଼ଭାଇପ୍ରତି ବୈରତା ଯୋଗୁଁ ଯଥେଷ୍ଟ ଅପରାଧବୋଧ ଥିଲା । ଏ ପିଲା ମୁଣ୍ଡରେ କାଙ୍କ ବାଜିଲାମାତ୍ରକେ ତାକୁ ଜଣାଗଲା ଯେମିତି ସେ ତା’ ବଡ଼ଭାଇକୁ ବାଡ଼େଇ ପକାଇଛି । ତେଣୁ ବଡ଼ଭାଇକୁ ପ୍ରକୃତରେ ମାରି ପକାଇଥିଲେ ଯେମିତି ଦୋଷଯୁକ୍ତ ଲାଗନ୍ତା ଅଚେତନ ମନରେ ତା’ର ସେଇ ଭାବ ଦେଖାଦେଲା । ରୋଗୀ ଏ ଘଟଣାଟି ଏକବାରେ ଭୁଲିଯାଇଥିଲା । କିନ୍ତୁ ଏହା ତା’ର ଆବେଶିକ ଲକ୍ଷଣର ମୂଳକାରଣ । ଟାଙ୍ଗିଆରେ ବାଡ଼େଇବା ଇଚ୍ଛା ଏକାଧାରରେ ଦୁଇଟି କାମନାର ସୂଚନା ଦେଇଥିଲା–ବଡ଼ଭାଇ ପ୍ରତି ବୈରତା ଯୋଗୁଁ ତାକୁ ଲୋପ କରିଦେବାର ଇଚ୍ଛା ଓ ଏପରି ଅସାମାଜିକ ଇଚ୍ଛା ନିଜେ ପୋଷଣ କରୁଥିବାର ଦଣ୍ଡସ୍ୱରୂପ ତୀବ୍ର ଅପରାଧବୋଧ ।

 

(ଆଲେକ୍‌ଜାଣ୍ଡର୍)

 

(୩) ଆବେଶିକ ଆଡ଼ପାଗଳାମୀରେ ଅନ୍ତର୍ନିହିତ ଇଚ୍ଛାଗୁଡ଼ିକ ସବୁବେଳେ ଆଚେତନ ମନରେ ନଥାଏ । ରୋଗୀ ତା’ର ଅସାମାଜିକ କାମନା ବିଷୟରେ ସଚେତ ଥାଇ ମଧ୍ୟ ରୋଗ ଲକ୍ଷଣରୁ ମୁକ୍ତିପାଏ ନାହିଁ । ତଳେ ଏହିପରି ଜଣେ ରୋଗୀଙ୍କ କଥା କୁହାଯାଉଛି ।

 

ମଧ୍ୟବୟସ୍କ ଜଣେ ଲୋକ ଦ୍ୱିତୀୟଥର ବିବାହ କରିବାକୁ ଠିକ୍‌ କଲାବେଳକୁ ତାଙ୍କର କେତେଗୁଡ଼ିଏ ଆବେଶିକ ଲକ୍ଷଣ ଦେଖାଗଲା । ପ୍ରଥମ ସ୍ତ୍ରୀର ଯୋଡ଼ିଏ ପିଲା ଥା’ନ୍ତି । ସେ ମରିଯିବାପରେ ରୋଗୀର ଆଉଜଣେ ସ୍ତ୍ରୀଲୋକଙ୍କ ସହିତ ବିବାହ ଠିକ୍‌ ହେଲା । ଏହି ସମୟରେ ଅଦ୍ଭୁତ ଭୟସବୁ ଦେଖାଗଲା । ତାଙ୍କର ମନେ ହେଲା ଯେ ଶୋଇବା ଘର ଜିନିଷଗୁଡ଼ିକ ଗୋଟିଏ ପ୍ରକାରର ସଜଡ଼ା ନହେଲେ ତାଙ୍କୁ ନିଦ ହେବନାହିଁ । ଯେମିତି ଚଟି ଠିକ୍‌ କାନ୍ଥକୁ ଲାଗିରହିବ, ଆଲଣାରେ ଲୁଗାପଟା ଠିକ୍‌ ଗୋଟାଏ ଭାଙ୍ଗରେ ସଜଡ଼ାହେବ, ରାତିରେ ଯେମିତି ସେ ଲୁଗାପଟା ଖସି ନ ପଡ଼େ ତା’ର ଦୃଢ଼ ବ୍ୟବସ୍ଥା କରିବାକୁ ହେବ । ଏଇ ସମୟରେ ତାଙ୍କୁ ଲାଗିଲା ଯେମିତି ସତ ନ କହି ସେ ରହିପାରିବେ ନାହିଁ । ଯେତେ ଛୋଟ ଘଟଣା ହେଉ ନା କାହିଁକି ସେ ବିଷୟରେ ତାଙ୍କୁ ସତ କହିବାକୁ ପଡ଼ିବ ।

 

ଏହା ମୂଳରେ ଅବଶ୍ୟ ତାଙ୍କର ଯଥେଷ୍ଟ ପାରିବାରିକ କାରଣ ଥିବାର ଜଣାପଡ଼ିଲା । ଆଉଥରେ ବିବାହ କରିବା ବିଷୟରେ ବହୁତ ମାନସିକ ଅଶାନ୍ତି ଥିଲା । ସେ ଭାବୁଥିଲେ ଯେ ଦ୍ୱିତୀୟଥର ବିବାହକଲେ ତାଙ୍କର ଆଗ ପୁଅ ଝିଅଙ୍କ ପ୍ରତି ଅନ୍ୟାୟ କରାହେବ । ସେ ଆଉ ସେମାନଙ୍କ ଯତ୍ନ ନେଇପାରିବେ ନାହିଁ । ପୁଣି ତାଙ୍କ ଘର ଅବସ୍ଥାବି ସେତେ ସୁବିଧାଜନକ ନଥିଲା । ତାଙ୍କ ବାପା ବେଶ୍‌ ବୁଢ଼ା ହୋଇଥିଲେ ମଧ୍ୟ ଅଳ୍ପ ବୟସର ଜଣେ ସ୍ତ୍ରୀଲୋକଙ୍କୁ ବିବାହ କରିଥିଲେ । ଏଥିପାଇଁ ତାଙ୍କର ସ୍ତ୍ରୀଙ୍କ ବିଷୟରେ ସବୁବେଳେ ସନ୍ଦେହଥିଲା । ଏପରିକି ସେ ରୋଗୀକୁ ଏଇ ବିଷୟ ନେଇ ଥରେ ଦି’ଥର ଗାଳି ଦେଇଥିଲେ । ରୋଗୀର ବିଭିନ୍ନ ପ୍ରକାର ଯୌନବିକୃତି ମଧ୍ୟ ଥିଲା । ହସ୍ତମୈଥୁନଠାରୁ ଆରମ୍ଭ କରି ବହୁପ୍ରକାର ସମକାମୀ ଯୌନଲିପ୍ସା ରୋଗୀଙ୍କର ସାଧାରଣ ଜୀବନର ଅଙ୍ଗ ଥିଲା । ଏସବୁ ବିଷୟରେ ରୋଗୀ ଆଦୌ ବିବ୍ରତ ନଥିଲେ । କିନ୍ତୁ ଅଳ୍ପବୟସ୍କ ସାବତମା’ଙ୍କ ପ୍ରତି ଖରାପ ଭାବ ଥିବାର ସନ୍ଦେହ ରୋଗୀକୁ ଅତି ବିଚଳିତ କରିଦେଇଥିଲା । ବାପା ଏପରି ଖରାପ ଭାବୁଛନ୍ତି ଜାଣି ରୋଗୀର ତୀବ୍ର ଅପରାଧବୋଧ ଜନ୍ମିଲା । ପିଲାବେଳେ କେତେବେଳେ କେମିତି ନିଜ ମା’ଙ୍କର ବାପାଙ୍କ ସହିତ ଯୌନସମ୍ପର୍କ ବିଷୟରେ ତାଙ୍କର କୌତୂହଳ ଜନ୍ମିଥିଲା । ସେ ସବୁ ମନେପକାଇ ତାଙ୍କର ଅପରାଧବୋଧ ଆହୁରି ବହୁତ ବଢ଼ିଗଲା । କିନ୍ତୁ ସେ ଅପରାଧୀ ନୁହନ୍ତି ବୋଲି ନିଜ ଆଗରେ ପ୍ରମାଣ କରିବା ନିହାତି ସ୍ୱାଭାବିକ ଇଚ୍ଛା । ଏଇଥିପାଇଁ ସେ ଅଯଥା ସତ୍ୟପ୍ରିୟ ହୋଇପଡ଼ିଲେ ।

 

(ହେଣ୍ଡରସନ୍‌)

 

(୪) ଅନେକ ସମୟରେ ଅଚେତନ ମନରେ ଥିବା ଧାରଣାଗୁଡ଼ିକର ବାସ୍ତବତା ସହିତ ସାମଞ୍ଜସ୍ୟ ରହେନାହିଁ । ଏପରିକି ଅନେକ ଲୋକଙ୍କର ନିଜ ବିଷୟରେ ଧାରଣା ଅତି ଅବାସ୍ତବ ହୋଇପାରେ । ଜଣେ ନିଜକୁ ସାଧୁ, ସତ୍ୟବାଦୀ, ପରୋପକାରୀ ଓ ଧାର୍ମିକ ବୋଲି ଭାବିପାରନ୍ତି; କିନ୍ତୁ ଲୋକଚକ୍ଷୁରେ ସେ ଅନୁଦାର, ସଂକୀର୍ଣ୍ଣମନା ଓ ଅର୍ଥଲୋଭୀ ବୋଲି ଜଣାଯିବା ଅସମ୍ଭବ ନୁହେଁ । ଏପରି ବୈଷମ୍ୟ ଯୋଗୁଁ ବେଳେବେଳେ ଆବେଶିକ ଆଡ଼ପାଗଳାମୀ ଉପୁଜେ ।

 

ଜଣେ ୨୦ ବର୍ଷ ବୟସ୍କ ଯୁବକ ଚାକିରିରେ ଆଉ ରହିପାରିଲେ ନାହିଁ । କାରଣ ତାଙ୍କ ମନରେ ସବୁବେଳେ ଧର୍ମ ସମ୍ୱନ୍ଧୀୟ କିଛି ନା କିଛି ଭାବନା ଦେଖାଦେଇ ବଡ଼ ବିବ୍ରତ କଲା । ସାଙ୍ଗସାଥୀଙ୍କ ଆଗରେ ସେ ଖାଲି ଧର୍ମବିଷୟରେ ନାନାପ୍ରକାର ଆଲୋଚନା କରୁଥିବାର ଜଣାପଡ଼ିଲା । ସେ କହିଲେ ଯେ ଗତ ଦୁଇବର୍ଷ ହେଲା ଧର୍ମ ଜଗତରେ ବିଭେଦ ସବୁ ଲକ୍ଷ୍ୟ କରି ସେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଛନ୍ତି । ତାଙ୍କ ମନରେ ବାରମ୍ୱାର ଉଦିତ ହେଉଛି, ‘‘ଏସବୁ ଅତି ଅସଙ୍ଗତ । ଧର୍ମରେ ଏ ବିଭେଦ କାହିଁକି ?’’ ଇତ୍ୟାଦି । ସେ ବରାବର ଧର୍ମମୂଳକ ସଭାସମିତିକୁ ଯାଆନ୍ତି । କିନ୍ତୁ ସେଠାରେବି ତାଙ୍କ ମନରେ ଏହିପରି ଆବେଶିକ ଭାବନା ବାରମ୍ୱାର ଦେଖାଦିଏ । ଧର୍ମର ଗୂଢ଼ ଭିତ୍ତି ଜାଣିବାପାଇଁ ସେ ବରାବର ବ୍ୟସ୍ତ ହୁଅନ୍ତି । ‘ଧର୍ମ କ’ଣ ? କାହିଁକି କେତେଜଣ ଲୋକ ଧର୍ମପରାୟଣ ଓ ଆଉ କେତେଜଣ ବିଧର୍ମୀ ? କାହିଁକି ଧାର୍ମିକ ଲୋକମାନେ ଏମିତି ଅନ୍ୟମାନଙ୍କଠାରୁ ଅଲଗା ଦେଖାଯାଆନ୍ତି ? ଏତେପ୍ରକାର ଧର୍ମ କାହିଁକି ଅଛି ?’ ଇତ୍ୟାଦି । କିନ୍ତୁ ରୋଗୀ ଧର୍ମମୂଳକ ଗୀତ ଓ ପ୍ରାର୍ଥନାକୁ ସହ୍ୟ କରିପାରନ୍ତି ନାହିଁ । ତାଙ୍କୁ ଲାଗେ ଯେମିତି ଗୀତ ଓ ପ୍ରାର୍ଥନା ବ୍ୟକ୍ତି ବିଶେଷଙ୍କର ସ୍ୱତନ୍ତ୍ର ସ୍ଥିତିକୁ ବୁଡ଼ାଇ ଦେଇ ସମସ୍ତଙ୍କୁ ନିଷ୍ଠୁର ଭାବରେ ଗୋଟାଏ ଆଡ଼କୁ ଟାଣି ନେଉଛି ।

 

ତେଣୁ ଧର୍ମକୁ ସେ ଭୟ ଓ ବିସ୍ମୟମିଶା ଆଖିରେ ଦେଖୁଥିଲେ । ଇଚ୍ଛା ବିରୁଦ୍ଧରେ ଧର୍ମଆଡ଼କୁ ଆକୃଷ୍ଟ ହେଉଛନ୍ତି ବୋଲି ସେ ଅଜାଣତରେ ଅନୁଭବ କରୁଥିଲେ । ଏଥିପାଇଁ ଧର୍ମ ପ୍ରତି ମନେମନେ ତାଙ୍କର ପ୍ରକୃତ ଭୟ ଥିଲା । ଜବରଦସ୍ତି ଟାଣି ହୋଇଯାଉଛନ୍ତି ବୋଲି ତାଙ୍କର ଧର୍ମ ପ୍ରତି ଯେ ଭୟ ଥିଲା ତାହା ଚାକିରି କ୍ଷେତ୍ରକୁ ବ୍ୟାପି ଯାଇଥିଲା । ଧର୍ମ, ଚାକିରି ଓ ସଂସାର ସବୁ ପ୍ରତି ତାଙ୍କର ସନ୍ଦେହଭାବ ଥିଲା । ମାନସିକ ବିଶ୍ଳେଷଣରୁ ଜଣାଗଲା ଯେ ଧର୍ମ ପ୍ରତି ତାଙ୍କର ଏ ଭାବ ସହିତ ପିଲାଦିନର ଗୋଟିଏ ଘଟଣା ଘନିଷ୍ଠ ଭାବରେ ଜଡ଼ିତ । ବାରବର୍ଷ ବୟସରେ ରୋଗୀ ନିଜ ବାପମା’ଙ୍କ ଭିତରେ ଥରେ ଖୁବ୍‌ କଳି ଲାଗିବାର ଦେଖିଥିଲେ । କଳିରେ ସେ ବାପାଙ୍କ ପଟ ନେଲେ । ଅଥଚ ଏଥିଯୋଗୁଁ ତାଙ୍କ ମନରେ ଅତିଶୟ ଆବେଗ ଜନ୍ମିଲା । ଭୟ ଓ ଅପରାଧବୋଧ ସହିତ ଏ ଆବେଗ ମିଶି ସେ ସମୟର ଅନୁଭୂତିକୁ ତୀବ୍ର ଓ ଅସୁଖକର କରିଥିଲା-। ଏହାପରେ ଯେତେଥର କଳିହୁଏ ତାଙ୍କର ଏପରି ତୀବ୍ର ଅନୁଭୂତି ଜାତହୁଏ । ଏପରିକି ସ୍କୁଲ୍‍ରେ ପଢ଼ିଲାବେଳେ ବଡ଼ ପିଲାମାନଙ୍କ ସାଙ୍ଗରେ ମତଭେଦ ହେଲେ ଠିକ୍‌ ଏଇପ୍ରକାର ଅନୁଭୂତି ହେଉଥିଲା । ଧର୍ମ ସମ୍ୱନ୍ଧରେ ତାଙ୍କର ଅସ୍ୱାଭାବିକତାର ମୂଳକାରଣ ମଧ୍ୟ ଏଇଠି । କାହିଁକି ବା ଧର୍ମ କ’ଣ ହେବା ଉଚିତ ଓ ତା’ର ଆଦର୍ଶ ରୂପ ଓ ପଦ୍ଧତି କିପରି–ଏ ବିଷୟରେ ତାଙ୍କର ଦୃଢ଼ ଧାରଣା ଥିଲା । କିନ୍ତୁ ଏ ଧାରଣା ଧର୍ମର ଜାଗତିକ ରୂପରେଖ ସହିତ ଆଦୌ ଖାପ ଖାଉ ନଥିଲା । ତେଣୁ ଧର୍ମ ବିଷୟରେ ତାଙ୍କର ମାନସିକ ଦ୍ୱନ୍ଦ୍ୱ ଦେଖାଦେବା ସ୍ୱାଭାବିକ । କିନ୍ତୁ ଯେକୌଣସି ଦ୍ୱନ୍ଦ୍ୱ ଦେଖାଦେବାମାତ୍ରକେ ତାଙ୍କ ମନରେ ବାପମା’ଙ୍କ କଳି ସହିତ ଜଡ଼ିତ ତୀବ୍ର ଅନୁଭୂତିର ଉଦୟ ହୁଏ-। ସେଥିପାଇଁ ଧର୍ମ ବିଷୟରେ ମଧ୍ୟ ତାଙ୍କର ଭୟ ଓ ଅପରାଧବୋଧ ଅଜାଣତରେ ପ୍ରକାଶ ପାଉଥିଲା । ତାଙ୍କର ଆବେଶିକ ଲକ୍ଷଣର ଏହାହିଁ ଉତ୍ପତ୍ତିସ୍ଥଳ ।

 

(ହେଣ୍ଡରସନ୍‌)

 

(ଘ) ସ୍କିଜୋଫ୍ରେନିଆ–

 

(୧) ସ୍କିଜୋଫ୍ରେନିଆ ଆସ୍ତେ ଆସ୍ତେ ବଢ଼େ । କେତେକ ଅସ୍ୱାଭାବିକ ମାନସିକ ପ୍ରକ୍ରିୟା କ୍ରମଶଃ ଦେଖାଦେଇ ଶେଷରେ ଏହି ଗୁରୁତର ରୋଗର ପୂର୍ଣ୍ଣ ପ୍ରକାଶ ହୁଏ ।

 

୨୬ ବର୍ଷ ବୟସରେ ଜଣେ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେ । ତାଙ୍କ ବନ୍ଧୁବାନ୍ଧବମାନେ କହିଲେ ଯେ ରୋଗୀ ଟିକେ ଟିକେ କଥାରେ ବ୍ୟତିବ୍ୟସ୍ତ ଓ ଭୟଭୀତ ହୋଇପଡ଼ୁଛନ୍ତି । ତେଣୁ ତାଙ୍କୁ ଡାକ୍ତର ଦେଖାଇବାକୁ ଆଣିଛୁ । କିନ୍ତୁ ପ୍ରକୃତରେ ଗୋଟିଏ ଗୋଟିଏ କରି ସ୍କିଜୋଫ୍ରେନିଆର ସବୁ ଲକ୍ଷଣ ତାଙ୍କର ଯୁବକ ଅବସ୍ଥାରୁ ଦେଖାଦେଇଥିଲା । ଯେମିତି ପ୍ରଥମେ ୧୪ ବର୍ଷବେଳେ ତାଙ୍କର ପାଟିଲାଗିବା ଆରମ୍ଭ ହେଲା । ଥରେ ସ୍କୁଲ୍‍ଘରେ ଏକୁଟିଆ ଥିଲାବେଳେ ସେ ଡରିଗଲେ । ସେଇଦିନଠାରୁ କଥା କହିଲାବେଳେ ତାଙ୍କର ପାଟିଲାଗିଲା । ପିଲାଦିନୁ ସେ ବାପା ଓ ଗୁରୁଜନମାନଙ୍କର ଅତି ବାଧ୍ୟ ଥିଲେ । ସ୍କୁଲ୍‍ରେ କ’ଣ ହେଲା ନା ଶିକ୍ଷକ ବ୍ଲାକ୍‌ବୋର୍ଡ଼ରେ ତାଙ୍କ ମୁହଁର ଗୋଟାଏ ବ୍ୟଙ୍ଗଛବି ଆଙ୍କି ଦେଇଥିଲେ ଓ କହିଥିଲେ ‘ତୋ ମୁହଁଟା ଜହ୍ନ ଭଳି ଦେଖାଯାଉଛି ।’ ସେଇଦିନଠାରୁ ତାଙ୍କ ନିଜ ଚେହେରା ପ୍ରତି ଖୁବ୍‌ ନ୍ୟୂନଭାବ ଜାତହେଲା-। ବୋଧହୁଏ ଏଥିପାଇଁ ସେ ଲାଜକୁଳା ହୋଇ ପଡ଼ିଲେ । ୧୬ ବର୍ଷବେଳକୁ ସେ ସ୍କୁଲ୍ ଛାଡ଼ିଲେ-। ତା’ପରେ ସେ କିଛିଦିନ ପାଇଁ ଯନ୍ତ୍ରପାତି କାମ ଶିଖିଲେ । ବେଶୀଦିନ ସେଠି ଚଳି ପାରିଲେ ନାହିଁ-। ତା’ପରେ ଯୁଦ୍ଧରେ ନାଁ ଲେଖାଇ ତିନିବର୍ଷକାଳ କାଗଜ କଲମରେ ସୈନ୍ୟ ଚାକିରି କରୁଥିଲେ ମଧ୍ୟ ଅଧିକାଂଶ ସମୟ ଡାକ୍ତରଖାନାରେ କଟାଇଥିଲେ । କାରଣ ଛାତି ଭିତରେ ଘା ହୋଇଛି ବୋଲି ଆପାତତଃ ତାଙ୍କର ଧାରଣା ହୋଇଥିଲା । ଏହାପରେ ସେ ବହୁତ ସମୟରେ ନିଜ ସ୍ୱାସ୍ଥ୍ୟକଥା ଚିନ୍ତା କରି ବିବ୍ରତ ହୋଇ ପଡ଼ିଲେ । ପୁଣି ଏଇ ସମୟରେ ସେ ଜଣେ ଝିଅ ସହିତ ବାହା ହେବା ଉଦ୍ଦେଶ୍ୟରେ ମିଳାମିଶା କଲେ; କିନ୍ତୁ ଶେଷକୁ ବାହାହେଲେ ନାହିଁ । କହିଲେ ଏଥିରେ ଆଉ ଆଗେଇଲେ ତାଙ୍କ ମୁଣ୍ଡଖରାପ ହୋଇଯିବ । ଏସବୁ ପରେ ନିଜର ଅପାରଗତା ସେ ଆହୁରି ତୀବ୍ରଭାବରେ ଅନୁଭବ କଲେ । ତାଙ୍କୁ ଲାଗିଲା ତାଙ୍କର ପୌରୁଷ ନାହିଁ । ଏସବୁ ମିଶି ତାଙ୍କୁ ଆସ୍ତେ ଆସ୍ତେ ଅସ୍ୱାଭାବିକ କରିଦେଲା । ତାଙ୍କ ମୁଣ୍ଡରେ ସବୁବେଳେ ଶବ୍ଦ ହେଉଥିଲା ଭଳି ଲାଗିଲା, ମନ ଖରାପ ଲାଗିଲା, କାହାକୁ କିଛି କହିଲେ ନାହିଁ, କାହାକୁ ଦେଖା ଦେଲେନାହିଁ, ଭାବିଲେ ସମସ୍ତେ ତାଙ୍କୁ ଅନେଇ କରି ପରିହାସ କରୁଛନ୍ତି । ତାଙ୍କର ଆତ୍ମହତ୍ୟା କରିବାକୁ ଇଚ୍ଛାହେଲା । କଥା କହୁ କହୁ ବାକ୍ୟ ମଝିରେ ସେ ଅଟକି ଯାଆନ୍ତି । ଆସ୍ତେ ଆସ୍ତେ ଲୋକମାନେ ତାଙ୍କର ମନ୍ଦ ପାଞ୍ଚୁଛନ୍ତି ବୋଲି ସେ ଦୃଢ଼ ଭାବରେ ବିଶ୍ୱାସ କରିବାକୁ ଲାଗିଲେ । ସମସ୍ତେ ତାଙ୍କୁ ଦେଖେଇ ଦୁନିଆର ସବୁଠୁ ବଡ଼ ବୋକା ବୋଲି କହୁଛନ୍ତି–ତାଙ୍କର ସବୁବେଳେ ଏଇ ଧାରଣା ହେଲା । କିଛିଦିନ ପରେ ରୋଗ ଆହୁରି ଗୁରୁତର ହେଲା । ସେ କହିଲେ ଯେ ତାଙ୍କ ବିରୁଦ୍ଧରେ ଦଳେ ଲୋକ ସବୁବେଳେ ଚକ୍ରାନ୍ତ କରୁଛନ୍ତି । ଘରୁ ପାଚିରି ଡେଇଁ ସେ ଦୌଡ଼ି ପଳେଇଲେ । ପଚାରିଲାଠୁ କହିଲେ ଦୌଡ଼ିବାଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆସ୍ତେ ଆସ୍ତେ ତାଙ୍କର ଗୁରୁତର ଲକ୍ଷଣ ସବୁ ଦେଖାଦେଲା । ଆଖି ଆଗରେ ନାନାପ୍ରକାର ଭ୍ରମ ଓ ପ୍ରହେଳିକା ଦେଖାଦେଲା । ତାକୁ ସେ ବାସ୍ତବ ମଣିଲେ କିନ୍ତୁ ଏ ସବୁ ଲକ୍ଷଣ ପଛରେ କୌଣସି ଦୈହିକ ରୋଗ ନଥିଲା ।

 

(ହେଣ୍ଡରସନ୍‌)

 

(୨) ସରଳ ସ୍କିଜୋଫ୍ରେନିଆରେ ରୋଗୀ ଅଲକ୍ଷ୍ୟରେ ରୋଗଗ୍ରସ୍ତ ହୁଏ । ଉଦାସୀନତା ଏହାର ପ୍ରଧାନ ଲକ୍ଷଣ । ଏହାର ଗୋଟିଏ ଦୃଷ୍ଟାନ୍ତ ତଳେ ଦିଆଗଲା ।

 

ଜଣେ ଲୋକ ଦୁଇବର୍ଷ ହେଲା ଏ ରୋଗ ଭୋଗୁଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାବେଳକୁ ତାକୁ ୩୨ ବର୍ଷ । ଦେଖିବାକୁ ଚୁପ୍‌ଚାପ୍, ଟିକେ ବୋକା, କିନ୍ତୁ ଅଧିକାଂଶ ସମୟରେ ମୁହଁରେ ହସ । ପ୍ରଶ୍ନ ପଚାରିଲେ ଜବାବ୍‌ ଦିଏ । ସ୍ମୃତିଶକ୍ତି ଭଲ । କୌଣସି ଭ୍ରମ କିମ୍ୱା ପ୍ରମାଦପୂର୍ଣ୍ଣ ଧାରଣା ତା’ର ନାହିଁ । ଡାକ୍ତରଖାନାରେ ତାକୁ ଛୋଟ ଛୋଟ କାମ ଦିଆଯାଇଥିଲା । ସେ ସେଥିରେ ଖୁବ୍‌ ଖୁସି । କେଭେ ଘରକୁ ଫେରିଯିବାକୁ ଚାହୁଁ ନଥିଲା । ତାକୁ ପଚାର, ‘‘କେମିତି ଅଛୁ ?’’ ସେ କହିବ ‘ବେଶ୍‌ ଭଲ ଅଛି । ଖୁବ୍‌ ଆନନ୍ଦରେ ଅଛି ।’ ଡାକ୍ତରଖାନାରେ ଏତେଦିନ ରହିଲାପରେ ତତେ କେମିତି ଲାଗୁଛି ? ଏତେଦିନ ରହିବାଟା ତତେ କ’ଣ ଅସଙ୍ଗତ ବୋଧ ହେଉଛି ? ସେ କହିବ ହଁ, ଟିକେ ଅଡ଼ୁଆ ଲାଗୁଛି । କିନ୍ତୁ ତାକୁ ପଚାର କାହିଁକି ଏତେଦିନ ଏଠି ଅଛୁ ?

 

ସେ ତା’ର ଅବାନ୍ତର ଉତ୍ତର ଦେବ । କହିବ ମୁଁ ଠିକ୍ ଅଛି । ମୋର କିଛି ଅସୁବିଧା ନାହିଁ-। କଥା କହିଲାବେଳେ ମଝିରେ ମଝିରେ ହସୁଥିବ । ସେ ହସ ଦେଖିଲେ ମନେ ହେବ ଲୋକଟା ସରଳ ଓ ଟିକେ ବୋକା-। ସେ କହିବ ସେ ଏହାଠାରୁ ଆଉ ଖୁସିରେ କେବେ ନଥିଲା-। ତା’ କଥାବାର୍ତ୍ତା, ଚାଲିଚଳନ, ସବୁଥିରୁ ଜଣାଯାଉଥିଲା ସେ ଯେମିତି ଖୁବ୍‌ ସନ୍ତୁଷ୍ଟ ଅଥଚ ଉଦାସୀନ-। ପ୍ରକୃତରେ ଡାକ୍ତରଖାନା ଅବସ୍ଥା ସେତେ ଭଲ ନଥିଲା । ପାଗଳମାନଙ୍କ ପାଇଁ ଏହା ଗୋଟିଏ ପୁରୁଣା ଡାକ୍ତରଖାନା ହୋଇଥିବାରୁ ନାନାପ୍ରକାର ଅତ୍ୟାଚାର ଓ ଅସୁବିଧା ଭୋଗିବାକୁ ରୋଗୀକୁ ପଡ଼ିଛି-। କିନ୍ତୁ ତେବେବି ସେ ବେଶ୍‌ ସନ୍ତୁଷ୍ଟ । ସେ ନିଜର ନାଁ, ବାପମା’ଙ୍କ ନାଁ, ଘର, ଜନ୍ମସ୍ଥାନ, ବୟସ–ସବୁ ଠିକ୍‌ ଠିକ୍‌ କହିଦେବ । ତାକୁ ପଚାର ସ୍କୁଲ୍‍ରେ ସେ କେମିତି ପାଠ ପଢ଼ୁଥିଲା, ତାକୁ ଲୋକ ଚାଲାକ ଭାବୁଥିଲେ କି ? ସେ କହିବ ଯେ ଭଲ ପାଠ ପଢ଼ୁ ନଥିଲେବି ସେ ପାସ୍‌ କରିଯାଉଥିଲା-। ସ୍ୱାଭାବିକ ଲୋକ ଭଳି ତା’ର କଥାବାର୍ତ୍ତା ଜଣାଯାଉଥିଲେବି ଗୋଟିଏ ବଡ଼ ଅସ୍ୱାଭାବିକତା ତା’ଠାରେ ଦେଖାଯାଏ–ନିଜ ପାଗଳାମୀ ବିଷୟରେ ତା’ର ଆଦୌ ଚେତନା ନଥାଏ-

 

(ହେଣ୍ଡରସନ୍‌)

 

(୩) ହେବେଫ୍ରେନିଆ ଆଉ ଗୋଟିଏ ପ୍ରକାର ସ୍କିଜୋଫ୍ରେନିଆ । ଏହା ସରଳ ସ୍କିଜୋଫ୍ରେନିଆଠାରୁ ଗୁରୁତର । ଏଥିରେ ବ୍ୟକ୍ତିତ୍ୱ ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ । ରୋଗୀ ମନରେ ଅଦ୍ଭୁତ ଭାବନା ଦେଖାଯାଏ । କଥା କହିଲାବେଳେ ଖିଅ ହଜିଯାଏ ।

 

୨୦ ବର୍ଷ ବୟସ୍କ ଜଣେ ନର୍ସ ଉତ୍ତେଜିତ ଅବସ୍ଥାରେ ଡାକ୍ତରଖାନାକୁ ଅଣାହେଲେ । କିନ୍ତୁ ଅଳ୍ପ କେତେବେଳ ପରେ ସେ ବେଶ୍‌ ସ୍ୱାଭାବିକ ଭାବରେ କଥାବାର୍ତ୍ତା କଲେ । କଥାବାର୍ତ୍ତା ସରଳ ଓ ପିଲାଳିଆ । ସମସ୍ତଙ୍କୁ ମଜାରେ କହୁଥାଆନ୍ତି ତାଙ୍କ ମୁଣ୍ଡ କିଏ ଅପରେସନ୍‌ କରି ଦିଅନ୍ତା କି ସେ ଭଲ ହୋଇଯାନ୍ତେ । ଆଗରୁ ବହୁତ ଡାକ୍ତରଖାନାରେ ସେ କାମ କରିଛନ୍ତି କିନ୍ତୁ ସବୁବେଳେ ତାଙ୍କୁ ଲାଗେ ସେ ଯେମିତି ଗୋଟାଏ ଗୋଲକଧନ୍ଦାରେ ପଶିଯାଇଛନ୍ତି । ମଝିରେ ମଝିରେ ତାଙ୍କୁ ଶୁଣାଯାଏ କିଏ ଯେମିତି ତାଙ୍କ ସାଙ୍ଗେ କଥାବାର୍ତ୍ତା କରୁଛି । ଆଉ ଏ ଅଶରୀରୀ ଶବ୍ଦ ତାଙ୍କୁ ଆତଙ୍କଗ୍ରସ୍ତ କରେ । ତାଙ୍କ ଭାବନା କିପରି ଅସଂଲଗ୍ନ ଏହା ତାଙ୍କ ସାଙ୍ଗେ କଥାବାର୍ତ୍ତା କଲେ ଜଣାଯାଏ । ତାଙ୍କୁ ପଚାର ଆମେରିକା କିଏ ଆବିଷ୍କାର କରିଥିଲେ ? ସେ କହିବେ, ‘‘ମୁଁ ଭାବୁଛି ମରେ ବୋଲି କିଏ ଜଣେ କହିଥିଲେ । ମୋ ବୁଢ଼ୀ ଖୁଡ଼ୀ ମରିଗଲେ । ଆଉ ମୋର ଜଣେ ବଡ଼ଭାଇ ଗୋଟାଏ ଜାଗାକୁ ଯାଉଥିଲେ ।’’ ମଝିରେ ମଝିରେ ରୋଗୀ ଖୁବ୍‌ ଉତ୍ତେଜିତ ହୋଇଯାଉଥିଲେ । ଝରକା କାଚ ଭାଙ୍ଗିପକାଉଥିଲେ । ତାଙ୍କ କାନରେ ଅଶରୀରୀ ଶବ୍ଦ ସବୁ ନାନାପ୍ରକାର ଖବର ଦେଉଥିଲେ । ଦିନବେଳେ ସେ ବହୁତ ସମୟ ଧରି ମୁଗ୍ଧ ଆଖିରେ ଘରର ଛାତକୁ ଅନାଇ ବସିଥିବାର ଦେଖାଯାଉଥିଲା । ଆସ୍ତେ ଆସ୍ତେ ତାଙ୍କ ଉତ୍ତେଜନା କମି ଆସିଲା । ସେ ଡାକ୍ତରଖାନାରେ ଛୋଟ ଛୋଟ କାମରେ ସାହାଯ୍ୟ କଲେ ।

 

କିନ୍ତୁ ମଝିରେ ମଝିରେ ବିନା କାରଣରେ ତାଙ୍କୁ ହଠାତ୍‌ କାନ୍ଦ ମାଡ଼ୁଥିଲା । ବେଳେବେଳେ ସେ ଆଖି ବନ୍ଦ କରି ବହୁତ ବେଳ ବସୁଥିଲେ । ତାଙ୍କୁ ପଚାର କାହିଁକି ଏମିତି ବସିଚି-? ସେ କହିବେ ଆଖି ଖୋଲାଥିବାବେଳେ ଡାକ୍ତର ଓ ନର୍ସମାନେ ମୋ ଆଖି ଭିତର ଦେଇ ମୁଁ କ’ଣ ଦେଖିପାରୁଛି ସେ ସବୁ ଜାଣିପାରୁଥିଲେ । ସେଇଥିପାଇଁ ସେ ଆଖି ବନ୍ଦ କରିଦେଇଛନ୍ତି । ତାଙ୍କ କାନରେ ଦୁଇପ୍ରକାର ଶବ୍ଦ ଶୁଣାଯାଉଥିବାର ସେ କହୁଥିଲେ । ଗୋଟାଏ ‘ଉଚ୍ଚା ଶବ୍ଦ’ ଗୋଟାଏ ‘ଭିତିରିଆ ଶବ୍ଦ’ । ‘ଉଚ୍ଚାଶବ୍ଦ’ଟା ଠିକ୍‌ କଥା କହେ । କିନ୍ତୁ ତାଙ୍କ ପାଖରେ ଥିବା ଡାକ୍ତର ଓ ନର୍ସମାନେ ଭିତିରିଆ ଶବ୍ଦଟା ଶୁଣନ୍ତି । ସେଥିପାଇଁ ତାଙ୍କ ବିଷୟରେ ସବୁ ଭୁଲ ଧାରଣା କରି ବସନ୍ତି-। ଆସ୍ତେ ଆସ୍ତେ ତାଙ୍କର ଆହୁରି ଅନେକ ଭ୍ରମାତ୍ମକ ଧାରଣା ଦେଖାଗଲା । ଡାକ୍ତରମାନେ ଅନ୍ୟ ଲୋକଙ୍କୁ ଗୁଣିଗାରୁଡ଼ି କରିବାପାଇଁ ତାଙ୍କୁ ମାଧ୍ୟମ ଭାବରେ ବ୍ୟବହାର କରୁଛନ୍ତି-। ଏହିପରି ଅନେକ ପ୍ରକାର ଅଦ୍ଭୁତ ଧାରଣା ଦେଖାଦେଲା । ଅବସ୍ଥା ଆହୁରି ଗୁରୁତର ହେବା ସାଙ୍ଗେ ସାଙ୍ଗେ ତାଙ୍କ ଭାବଭଙ୍ଗୀ ଓ କଥାବାର୍ତ୍ତା ଆହୁରି ବେଶୀ ଅସଙ୍ଗତ ହେଲା ।
 

(ହେଣ୍ଡରସନ୍‌)

 

(୪) ସ୍କିଜୋଫ୍ରେନିଆ ବହୁତ ସମୟରେ ବଂଶଗତ । ରୋଗୀର ପରିବାରରେ ଅନ୍ୟମାନେ ଠିକ୍ ସ୍କିଜୋଫ୍ରେନିଆ ରୋଗଗ୍ରସ୍ତ ନ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ମାନସିକ ରୋଗରେ ଆକ୍ରାନ୍ତ ହେବା ଦେଖାଯାଇଥାନ୍ତି ।

 

୩୨ ବର୍ଷର ଜଣେ ସ୍ତ୍ରୀଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେ । ତାଙ୍କ ବାପାଙ୍କର ମସ୍ତିଷ୍କରେ ଘା ହୋଇ ମୃତ୍ୟୁ ଘଟିଥିଲା । ତାଙ୍କ ମା’ ଉଦ୍‌ବିଗ୍ନ ଓ ଭୟାଳୁ ପ୍ରକୃତିର ଲୋକ ଥିଲେ । ତାଙ୍କର ଜଣେ ଭଉଣୀ ଆତ୍ମହତ୍ୟା କରିଥିଲେ । ଆଉ ଜଣେ ଭାଇ ମାନସିକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ଏବଂ ଆଉ ଜଣେ ଭଉଣୀଙ୍କୁ ସ୍କିଜୋଫ୍ରେନିଆ ହୋଇଥିବାର ସନ୍ଦେହ କରାଯାଉଥିଲା ।

 

ରୋଗୀ ପିଲାଦିନେ ବିଶେଷ ସୁସ୍ଥ ନଥିଲେ । ଦଶ ବାରବର୍ଷ ପର୍ଯ୍ୟନ୍ତ ବିଛଣାରେ ପରିସ୍ରା କରୁଥିଲେ । କିନ୍ତୁ ଛୁଆଦିନେ ବେଶ୍ ଚାଲାକ୍‌ ଥିଲେ । ବିଭିନ୍ନ ବିଦେଶୀ ଭାଷା ଜାଣିବା ଓ ସାହିତ୍ୟ ଆଲୋଚନା କରିବାକୁ ତାଙ୍କର ବେଶ୍ ଆଗ୍ରହ ଥିଲା । ସାନଛୁଆଙ୍କ ପାଇଁ ସେ ଗପବହି ଲେଖି ପ୍ରକାଶ କରିଥିଲେ । କିନ୍ତୁ ଛୁଆଦିନୁଁ ସେ ଅନ୍ୟମନସ୍କ । କୌଣସି କାମରେ ଅଧ୍ୟବସାୟ ନଥିଲେ । ୨୦ ବର୍ଷ ବୟସରେ ତାଙ୍କ ବାପା ମରିଗଲେ ଏବଂ ଏହିଦିନଠାରୁ ତାଙ୍କଠାରେ ଏକପ୍ରକାର ପରିବର୍ତ୍ତନ ଦେଖାଗଲା ।

 

ସେ ଆସ୍ତେ ଆସ୍ତେ ଧର୍ମ ବିଷୟରେ ଆଗ୍ରହୀ ହେଲେ । ଚିନ୍ତାଗ୍ରସ୍ତ ଓ ଜିଜ୍ଞାସୁ ହେଲେ । ବାପା ମରିବାର ଦୁଇବର୍ଷ ପରେ ତାଙ୍କ ଭାଇ ପାଗଳ ହୋଇଗଲେ । ଏହାର କିଛିଦିନ ପରେ ତାଙ୍କର ଅନ୍ୟାନ୍ୟ ମାନସିକ ଲକ୍ଷଣ ଦେଖାଦେଲା । ବହୁତଦିନ ପର୍ଯ୍ୟନ୍ତ ସେ ଖାଲି ବିଛଣାରେ ଶୋଇ ରହିଲେ । ବାହାରକୁ ବାହାରିଲେ ନାହିଁ । କୌଣସି ବିଷୟରେ ଆଗ୍ରହ ରହିଲା ନାହିଁ । କେବଳ ମଝିରେ ମଝିରେ ଧର୍ମ ସମ୍ବନ୍ଧୀୟ ଆଲୋଚନା କରୁଥିଲେ । ଡାକ୍ତରଖାନା ଆସିବାର ଅଳ୍ପଦିନ ଆଗରୁ ତାଙ୍କ କାନରେ ଅଶରୀରୀ ଶବ୍ଦ ଶୁଣାଗଲା । ବେଳେବେଳେ ବିନା କାରଣରେ ଦୀର୍ଘ ସମୟ ଧରି ସେ ହସିଲେ । ଘରୁ କାହାକୁ କିଛି ନ କହି କିଛିଦିନ ପାଇଁ ପଳାଇଗଲେ । ଅକାରଣ ଉତ୍ତେଜନା ଓ ପିଲାଙ୍କ ପରି ଜିଦ୍‌ଧରିବା ସ୍ଵଭାବ ଦେଖାଗଲା । ସବୁବେଳେ ପିଲାଦିନ କଥା କହିବାକୁ ଲାଗିଲେ । ଡାକ୍ତରଖାନାରେ ଭର୍ତ୍ତି ହେବାପରେ ସେ ହଠାତ୍‌ ଚୁପ୍‌ଚାପ୍‌ ହୋଇଗଲେ, ଯେମିତି ଦୁନିଆର କୌଣସି କଥା ତାଙ୍କୁ ଆଉ ବ୍ୟତିବ୍ୟସ୍ତ କରିପାରିବ ନାହିଁ । ପ୍ରଶ୍ନ ପଚାରିଲେ ଉତ୍ତର ଦେଉ ଦେଉ ସେ ନିଜ କଥାର ଖିଅରେ ଛନ୍ଦି ହୋଇଯାଆନ୍ତି । ନିଜ ଭଉଣୀର ଆତ୍ମହତ୍ୟା କଥା ସେ ନିର୍ବିଚଳ ଭାବରେ ବର୍ଣ୍ଣନା କରିପାରୁଥିଲେ । ଅଶରୀରୀ ଶବ୍ଦ ସାଙ୍ଗେ ସେ ସ୍ପଷ୍ଟ ଭାବରେ କଥାବାର୍ତ୍ତା କରିପାରୁଥିବାର କହିଲେ । ବେଳେବେଳେ ଆଖି ଆଗରେ ସ୍ଵପ୍ନ ଦେଖିଲାପରି କେତେ ଛବି ଭାସି ଉଠୁଥିଲା । ଏମିତି ଥରେ ଦେଖିଲେ ଯେ ତାଙ୍କ ଖଟ ଚାରିପାଖରେ ବହୁତଗୁଡ଼ାଏ ଲୋକ । ସେ ଲୋକଙ୍କ ଭିତରେ ତାଙ୍କର ଯେଉଁ ଭଉଣୀ ଆତ୍ମହତ୍ୟା କରିଥିଲା ସେ ବି ଠିଆ ହୋଇଛି । ସେ ରୋଗୀର କପାଳ ଆସ୍ତେ କରି ଛୁଇଁଲା । ସେତିକିବେଳେ ତାକୁ ଦେଖାଗଲା ଯେ ତାଙ୍କ ବାପା ଧଳା ଜାମାପଟା ପିନ୍ଧି ସାମ୍ନାରେ ବୁଲୁଛନ୍ତି–ଯେମିତି ତାଙ୍କର କିଛି ଗୋଟାଏ ବିପଦ ପଡ଼ିଛି । ଏବେ ରୋଗୀଙ୍କୁ ଲାଗେ ଯେ ଲୋକମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ଓ ତାଙ୍କ ନାଁରେ ଗପୁଛନ୍ତି । ସେ କଥା କହିଲାବେଳେ ଅବାନ୍ତର ଭାବନା ସବୁ ଆସି ତାଙ୍କ କଥାକୁ ଗୋଳମାଳିଆ କରି ପକାଏ । ଅଥଚ ଏ ସବୁ ଅସ୍ୱାଭାବିକ ବୋଲି ତାଙ୍କର ଆଦୌ ମନେହୁଏ ନାହିଁ । ଅତ୍ୟଧିକ ଅନ୍ୟମନସ୍କ ଥିବାରୁ ତାଙ୍କୁ ସାଧାରଣ ଗପଟିଏ ପଢ଼ିବାକୁ ଦେଲେବି ସେ ବୁଝିପାରନ୍ତି ନାହିଁ । କାନରେ ଶୁଣାଯାଉଥିବା ବିଭିନ୍ନ ଶବ୍ଦ ତାଙ୍କୁ ହସାନ୍ତି, ଚିନ୍ତିତ କରାନ୍ତି, ଅପ୍ରାସଙ୍ଗିକ କଥାବାର୍ତ୍ତା କରନ୍ତି ଓ ବୋଧହୁଏ ଏଥିପାଇଁ ସେ ଅଧିକାଂଶ ସମୟରେ ଅନ୍ୟମନସ୍କ । ଆସ୍ତେ ଆସ୍ତେ ତାଙ୍କ ଅବସ୍ଥାରେ ଅବନତି ଘଟିଛି । ତାଙ୍କ କଥାବାର୍ତ୍ତା ମୋଟେ ବୁଝିହେଉ ନାହିଁ । ସେ ତାଙ୍କର ପ୍ରହେଳିକାପୂର୍ଣ୍ଣ ପ୍ରଗଳ୍‌ଭ ମାନସିକ ବାତାବରଣରେ ବେଶୀବେଳ କଟାଉ ଅଛନ୍ତି । ତେଣୁ ବାସ୍ତବ ଦୁନିଆର ଡାକ୍ତର ଓ ନର୍ସମାନଙ୍କ ସହିତ ତାଙ୍କର ଆଉ ସମ୍ପର୍କ ରହୁନାହିଁ ।

 

(ହେଣ୍ଡରସନ୍‌)

 

(୫) କାଟାଟୋନିଆ ଆଉ ଏକପ୍ରକାର ଗୁରୁତର ସ୍କିଜୋଫ୍ରେନିଆ । କାଟାଟୋନିଆ ରୋଗୀ ବାସ୍ତବତାଠାରୁ ଆହୁରି ଦୂରେଇ ଯାଇଥାଏ ।

 

୨୪ ବର୍ଷ ବୟସ୍କ ଜଣେ ଯୁବକ ଅକାରଣରେ ହସୁଛି ଓ ମନକୁ ମନ ଗପୁଛି ବୋଲି ତା’ ଅଭିଭାବକମାନେ ତାକୁ ଡାକ୍ତରଖାନା ଆଣିଲେ । ତା’ ହସ, ଚାଲିଚଳଣ ଏବଂ ବସିବା ଢଙ୍ଗ ସବୁ ଅଦ୍ଭୁତ ପ୍ରକାରର । ତା’ର କୌଣସି ରୋଗ ହୋଇଛି ବୋଲି ଆଦୌ ଧାରଣା ନଥିଲା । ଖାଲି ତୁହାକୁ ତୁହା ଅକାରଣରେ ହସୁଥିଲା । ସ୍ଥାନ, କାଳ, ପାତ୍ରର ଜ୍ଞାନ ନଥିଲା । ତା’ର କାନରେ ବିଭିନ୍ନ ରକମର କଥାସବୁ ଶୁଣାଯାଉଥିଲା । ଡାକ୍ତରଖାନାରେ ଦୁଇମାସ ରହିବା ପରେ ସେ ହଠାତ୍‌ ଦିନେ ଜଣେ ନର୍ସକୁ ବାଡ଼େଇବାକୁ ଗୋଡ଼େଇଲା । କିନ୍ତୁ ତା’ପରେ ପୁଣି ତା’ର ଆଗ ଅବସ୍ଥାକୁ ଫେରି ଆସିଲା–କୌଣସିଥିରେ ଆଗ୍ରହ ଦେଖାଇଲା ନାହିଁ । କିଛି କାମ କଲା ନାହିଁ । କାହା ସହିତ କଥାବାର୍ତ୍ତା କଲାନାହିଁ । ଖାଲି ଓ୍ୱାଡ଼୍‍ରେ ଏ କଡ଼ରୁ ସେକଡ଼ ମନେମନେ କ’ଣ ଭାବି ଚାଲିଥାଏ । କିନ୍ତୁ ମଝିରେ ମଝିରେ ତା’ର ଉତ୍ତେଜିତ ଅବସ୍ଥା ପୁଣି ଫେରିଆସେ । ସେତେବେଳେ ସେ ଖୁବ୍‌ ପାଟିକରେ । ଥରେ ଏହିପରି ଅବସ୍ଥାରେ ଜଣେ ଡାକ୍ତରଙ୍କୁ ଦେଖି ତାଙ୍କ ଆଡ଼କୁ ଦୌଡ଼ି ଆସିଲା । କହିଲା ଏ ଚିତ୍କାର ବନ୍ଦକର । ତା’ ମାନେ ସେ ନିଜେ କାନରେ କୌଣସି ଅଶରୀରୀ ଶବ୍ଦ ଶୁଣୁଥିବାରୁ ତାକୁ ବନ୍ଦ କରିବାପାଇଁ ଏତେ ଜୋରରେ ପାଟିକଲା । ଚୁପ୍‌ଚାପ୍‌ ଥିଲାବେଳେ ସେ ମୂକଭଳି ବସି ରହିଥାଏ । ଯେତେ ଶାରୀରିକ ପୀଡ଼ା ହେଲେ ମଧ୍ୟ ସେ ଅନୁଭବ କରି ନ ପାରିଲା ଭଳି ରହିଥାଏ । ତା’ ଲେଖାରେ ଗୋଟିଏ ଦୁଇଟି ଶବ୍ଦ ବାରମ୍ବାର ପ୍ରୟୋଗ କରେ । ତା’ ହାତଗୋଡ଼ ଯେଉଁ ଅବସ୍ଥାରେ ରଖିଲେ ମଧ୍ୟ ସେ କିଛି ଆପତ୍ତି କରେ ନାହିଁ । ଏମିତିକି ତା’ ଦେହରେ ପିନ୍‌ଫୋଡ଼ିଲେବି ସେ କିଛି କହେନାହିଁ । ନିହାତି ସାଧାରଣ କଥା ପଚାରିଲେ ସାଙ୍ଗେ ସାଙ୍ଗେ ଉତ୍ତର ଦିଏ । କିନ୍ତୁ ଆଉ କିଛି ଅଧିକା ପଚାରିଲେ କହେ ମୁଁ ଜାଣିନି । ତାକୁ ପଚାର ତା’ କାନରେ କ’ଣ ଶୁଣାଯାଉଛି ସେ କହିବ ସେ କିଛି ନୁହ । ତାକୁ ପଚାର ତା’ ଆଖିରେ କ’ଣ ଦେଖାଯାଉଛି, ସେମାନେ ସବୁ କିଏ ? ସେ କହିବ ସେ କିଛି ନୁହେଁ । ମଝିରେ ମଝିରେ ବସି ଇଆଡ଼ୁ ସିଆଡ଼ୁ ଲେଖେ । ଥରେ ଗୋଟାଏ ଲିଷ୍ଟ୍ କରିଥିଲା କିଏ କିଏ ଫାଶୀ ପାଇବେ । ତା’ ଭିତରେ ଥିଲା ଶ୍ରୀଯୁକ୍ତ ପୋଲିସ୍, ଶ୍ରୀଯୁକ୍ତ ଡାକ୍ତରଖାନା, ଶ୍ରୀଯୁକ୍ତ ଜେଲ୍‌ ପ୍ରଭୃତି ।

 

(ହେଣ୍ଡରସନ୍‌)

 

(୬) ଖୁବ୍‌ କମ୍‌ ରୋଗୀ ରୋଗ ଭଲହେବା ପରେ ତାଙ୍କର ରୋଗବେଳର ଅନୁଭୂତି ମନେରଖିପାରନ୍ତି । ତଳେ ଏହିପରି ଜଣେ ରୋଗୀର କଥା କୁହାଯାଉଛି । ସେ ଖୁବ୍‌ ଚାଲାକ ଝିଅ-। କାଟାଟୋନିଆ ହୋଇଥିଲାବେଳେ ତାଙ୍କୁ ଠିକ୍‌ କେମିତି ଲାଗିଥିଲା ସେ ତା’ର ବର୍ଣ୍ଣନା କରିଛନ୍ତି-

 

ଦିନେ ମା’ଙ୍କ ସଙ୍ଗେ ମୁଁ ବଜାରକୁ ଯାଉଥିଲି । ହଠାତ୍‌ ମତେ ମୂର୍ଚ୍ଛା ହୋଇଗଲା ଭଳି ଲାଗିଲା । ପାଖରେ ମାଉସୀଙ୍କ ଘର ଥିଲା । ମତେ ସେଠାକୁ ନେଇଗଲେ । କିଛିବେଳ ପରେ ଗରମ ଦୁଧ ଗିଲାସେ ଦେଲେ । ତା’ପରେ ମତେ ଘରକୁ ନେଇ ଆସିଲେ । ସେ ଦିନଯାକ ମୋର ପିଲାହେବା କଥାନେଇ ଚିନ୍ତିତ ରହିଲି । ତା’ପରେ ମତେ ଗୋଟାଏ ଡାକ୍ତରଖାନା ନେଇଗଲେ । ଡାକ୍ତରଖାନା ଯିବା ଆଗରୁ ରାତିସାରା ମତେ ଲାଗିଲା ଯେମିତି ମୁଁ ମରିଯିବି । ଡାକ୍ତରଖାନାରେ ଥାଇ ଦିନଯାକ ମତେ ଲାଗିଲା ଯେମିତି ମୁଁ ଗିର୍ଜାର ଘଣ୍ଟା ଶୁଣିପାରୁଛି । ମା’ ମୋଠାରୁ ବିଦାୟ ନେଇ ଚାଲିଆସିଲେ । ମୋର ମନେପଡ଼ୁଛି ମୋ ପାଖରେ ଗୋଟାଏ ଘଣ୍ଟିଥାଏ । ମୁଁ ସେଇଟା ବଜାଇ ଯେଉଁ ଲୋକକୁ ଦରକାର ସେ ଲୋକକୁ ଡାକେ । ମୋର ମନେପଡ଼ୁଛି ଝରକା ବାଟେ ଗୋଟାଏ କୋଠାରେ ବାପାମା’ ଠିଆ ହେବାର ଦେଖିଥିଲି । ସେମାନେ ହାତ ହଲେଇ ମତେ ବିଦାୟ ଦେଉଥିଲେ । ସେ କୋଠାଟା ଆସ୍ତେ ଆସ୍ତେ ମାଟି ଭିତରକୁ ପଶିଗଲା । ତା’ପରେ କ’ଣ ହେଲା ମୋର ମନେ ନାହିଁ । ଖାଲି ମତେ ଜଣାଯାଉଥାଏ ଯେ ମୋ ପାଖରେ ବହୁତ ନର୍ସ ଥିଲେ । ମଝିରେ ମଝିରେ ଗାଧୋଇ ଦେଉଥିଲେ ଓ ଖାଇବାକୁ ଦେଉଥିଲେ । ଗୋଟାଏ ଲମ୍ବା ବାରଣ୍ଡା ଦେଇ ମୁଁ ବୋଧହୁଏ ପଳେଇ ଯିବାକୁ ଚେଷ୍ଟା କରୁଥିଲି । ତା’ପରେ ମତେ ଡାକ୍ତରଖାନାର ଅନ୍ୟ ଗୋଟିଏ ଜାଗାକୁ ନିଆଗଲା । ସେଠାରେ ଅନ୍ୟାନ୍ୟ ରୋଗୀ ଥାଆନ୍ତି । ୱାଡ଼୍‍ର ଦୁଆର ଖୋଲାଥାଏ । ଖୋଲା ଦୁଆର ଦେଖି ମୋର ଦୌଡ଼ି ପଳାଇବାକୁ ଇଚ୍ଛା ହେଉଥାଏ । ଅନ୍ୟ ରୋଗୀଙ୍କୁ ଦିଆଯାଉଥିବା ଫଳ ଓ ବିଛଣା ନେଇଯିବାକୁ ଇଚ୍ଛା ହେଉଥାଏ । ଯେତେ ନର୍ସଥିଲେ ତାଙ୍କ ଭିତରୁ ଅଧିକାଂଶଙ୍କୁ ମୋର ଡର । ତା’ ଭିତରୁ ଜଣେ ଖୁବ୍‌ ମୋଟା ଥିଲା ଓ ଗାଧୋଇଲାବେଳେ ମତେ ଜଗୁଥିଲା, ଆଉ ମୁଁ ଟବ୍‌ ପାଣିରେ ଯେତେଥର ବୁଡ଼ି ମରିଯିବାକୁ ଚେଷ୍ଟା କଲେ ମଧ୍ୟ ସେ ବାଧା ଦେଉଥିଲା । ଏବେ ମୁଁ ବୁଝିଛି ତାଙ୍କୁ ବହୁତ ହଇରାଣ କରୁଥିଲି । ମତେ ଯେତେଥର ବାପାମା’ ଦେଖିବାକୁ ଆସିଲେ ମୋର ତାଙ୍କ ସାଙ୍ଗେ ପଳେଇଯିବାକୁ ଇଚ୍ଛା ହେଉଥିଲା । କିନ୍ତୁ କ୍ରମେ କ୍ରମେ ମୁଁ ଭାଗ୍ୟ ଆଦରି ପଡ଼ି ରହିଲି । ମୋର ବହୁ–ପ୍ରକାର ଭ୍ରାନ୍ତି ହେଉଥିଲା । ବେଳେବେଳେ ଲାଗୁଥିଲା ମୁଁ ଗୋଟିଏ କବର ଭିତରେ ଅଛି । ମୁଁ ମରିଯାଇଛି ଆଉ ଏଇ ଯେଉଁ ଲୋକସବୁ ମୋ ଚାରିକଡ଼େ ଅଛନ୍ତି ସେମାନେବି ମରିଯାଇଛନ୍ତି । ମୁଁ ଯେଉଁଦିନ ୱାଡ଼୍‍ ଛାଡ଼ି ବଗିଚାକୁ ବୁଲି ଆସିଲି ମୋର ମନେହେଲା ଆମେ ସବୁ ସ୍ଵର୍ଗରେ ଚାଲୁଛୁ ।

 

ଡାକ୍ତରଖାନାରେ ସମସ୍ତେ ମତେ ବହୁଦିନର ପରିଚିତ ବନ୍ଧୁବାନ୍ଧବ ଭଳି ଲାଗିଲେ । ସବୁ ଡାକ୍ତରମାନେ ମତେ ମଉସା ଓ ମାମୁମାନଙ୍କ ଭଳି ଦେଖାଗଲେ । ଡାକ୍ତରଖାନାଟା ବେଳେବେଳେ ମତେ ଜେଲ୍‌ ଭଳି ଓ ବେଳେବେଳେ ଜାହାଜ ଭଳି ଲାଗୁଥିଲା । ମୋ କାନରେ ବହୁତ ପ୍ରକାର ଶବ୍ଦ ଶୁଣୁଥିଲି । କିନ୍ତୁ ମନେନାହିଁ ସେମାନେ କ’ଣ କହୁଥିଲେ । ଖାଲି ଏତିକି ମନେ ଅଛି ସେ କ’ଣସବୁ କହୁଥିଲେ ଯେ ପାଗଳ ହେବାଟା ଠିକ୍‌ ଆଉ ଏଥିରୁ ଭଲ ହେବାର କୌଣସି ଉପାୟ ନାହିଁ । ଥରେ ସ୍ପଷ୍ଟ ଭାବରେ ମତେ ଶୁଣାଗଲା ‘‘ଯା ତୋ ମା’କୁ କହିଆସିବୁ ତୁ ପାଗଳ ହୋଇ ଯାଇଛୁ ।’’ ମୁଁ ବ୍ୟସ୍ତ ହୋଇ ପାଖ ୱାଡ଼୍‍କୁ ଗଲି । ସେଠି ଜଣେ ସ୍ତ୍ରୀଲୋକ ଶୋଇଥିଲେ । ମୁଁ ତାଙ୍କୁ ଭାବିଲି ସେ ମୋ ମା’ । ତା’ପରେ ତାକୁ କହିଲି ମୁଁ ପାଗଳ ହୋଇ ଯାଇଛି । ସେ ବୋଧହୁଏ ଡରିଗଲା । ତା’ପରେ ମୁଁ ଫେରି ଆସିଲି । ସେଇ ଶବ୍ଦ ମୋ କାନରେ କହିଲା ଏଥର ଠିକ୍‌ କରିଛୁ । ପୁଣି ବେଳେବେଳେ ମତେ ଶୁଣାଯାଏ କିଏ ଯେମିତି କହୁଛି ତୁ ମୁଣ୍ଡ ଧୋଇଲେ ଯାଇ ସୁବିଧା ହେବ । ଏ କଥା ଶୁଣିଲାପରେ ମୋର ମନେ ପଡ଼ୁଛି ମୁଁ ପ୍ରତ୍ୟେକ ଦିନ ଗାଧୁଆ କୁଣ୍ଡରେ ମୁଣ୍ଡ ବୁଡ଼ୋଉଥିଲି ଓ ଖାଇବା ଆଗରୁ ଟିକେ ପିଇବା ପାଣି ମୋ ମୁଣ୍ଡରେ କିଏ ଯେମିତି ଢାଳି ଦେଉଥିଲା ।

 

କିଛିଦିନପରେ ଏ ଧାରଣା ଉଭେଇଗଲା । ଭଲହେଲା ପରେ ମୁଁ ଯେଉଁଦିନ ପ୍ରଥମେ ଘରକୁ ଆସିଲି ମୋର ଅଦ୍ଭୁତ ଅନୁଭୂତି ହେଲା । ମତେ ଲାଗିଲା ଯେମିତି ପହଞ୍ଚିଲାମାତ୍ରକେ ମତେ କିଏ ହତ୍ୟା କରିଦେବ । କିନ୍ତୁ ଘରେ ପହଞ୍ଚି ମୋ ଭଉଣୀକୁ ଦେଖି ମୁଁ ଖୁବ୍‌ ଖୁସି ହେଲି । ଆସ୍ତେ ଆସ୍ତେ ପୁଣି ସବୁ ଭଲ ଲାଗିଲା । ଜୀବନରେ ଶାନ୍ତି ଫେରି ପାଇଲି । ପ୍ରଥମଥର ପାଇଁ ମୁଁ ନିଜେ ଭାବିବାକୁ ସମୟ ପାଇଲି । ମୋର ଧାରଣା ସଂସାରରେ ଗଭୀର ଚିନ୍ତା କରିବାର ଅବକାଶ ନାହିଁ କି ପ୍ରକୃତ ଶାନ୍ତି ମିଳିବାର ଆଶା ନାହିଁ । ସମସ୍ତେ ଅସ୍ତବ୍ୟସ୍ତ ହୋଇ କିଛି ନା କିଛି ପାଇବାକୁ ଦୌଡ଼ୁଛନ୍ତି । ତଥାପି ସ୍କୁଲ୍ ଛାଡ଼ିବା ଦିନଠାରୁ ମୁଁ ମୋ ଜୀବନକୁ ଉପଭୋଗ କରିଛି ।

 

(ପେଜ୍)

 

(୭) ପାରାନୋଇଆ ରୋଗୀର ଭ୍ରମାତ୍ମକ ଧାରଣା ଖୁବ୍‌ କୌତୂହଳପ୍ରଦ । ତଳେ ଏପରି ଜଣେ ଚାଳିଶବର୍ଷ ବୟସ୍କ ରୋଗୀଙ୍କ କଥା କୁହାଯାଇଛି ।

 

ଡାକ୍ତରଖାନାରେ ଭର୍ତ୍ତି ହେଲାବେଳେ ସେ ଖୁବ୍‌ ପ୍ରଫୁଲ୍ଲ ଦେଖାଯାଉଥିଲେ । ସମସ୍ତଙ୍କ ସଙ୍ଗେ କଥାବାର୍ତ୍ତା କରୁଥିଲେ । କିନ୍ତୁ କହୁଥିଲେ ତାଙ୍କୁ ଡାକ୍ତରଖାନାକୁ ଆଣିବା ବେଆଇନ କାମ । ଏଠିକୁ ଆସିବାର ଆଦୌ ଆବଶ୍ୟକତା ନାହିଁ । ଅବଶ୍ୟ ତାଙ୍କ ପଛରେ ପୋଲିସ୍ ଲାଗିଛନ୍ତି । ଶୋଇବା ଘର ଝରକା ବାଟେ ସେମାନେ ତାଙ୍କୁ ଡାକୁଥିଲେ । ସେ କିଛିଟା ଦର୍ଶନ ଜାଣିଛନ୍ତି । ଖୁବ୍‌ ବିଶେଷ ଜାଣିନାହାନ୍ତି ତ, କାରଣ ଦର୍ଶନ ସାଧାରଣ ଲୋକେ ବୁଝିପାରନ୍ତି ନାହିଁ । ପ୍ରଶ୍ନ ପଚାରିଲେ ଠିକ୍‌ ଉତ୍ତର ଦେଇପାରନ୍ତି ନାହିଁ । ଉତ୍ତର ଦେଉ ଦେଉ ତାଙ୍କ ଭ୍ରମାତ୍ମକ ଧାରଣା ତା’ ଭିତରେ ପଶିଯାଏ । ସେ କହିଲେ ଯେ ତାଙ୍କର ଧାରଣା ହୋଇଥିଲା ମଣିଷ ଗୋଷ୍ଠୀ ତାଙ୍କୁ ଡାକ୍ତରଖାନାରେ ନିଶ୍ଚୟ ଦିନେ ନା ଦିନେ ଭର୍ତ୍ତି କରାଇବ । କାହିଁକି ନା ଯାହାର ବୁଦ୍ଧି ବେଶୀ ତା’ ବିରୁଦ୍ଧରେ ମଣିଷ ଗୋଷ୍ଠୀ ସବୁବେଳେ ଲାଗିଥାଏ । ପିଲାଦିନୁ ତାଙ୍କ ପଛରେ ପୋଲିସ୍ ବିଭାଗର ଗୁପ୍ତଚର ଲାଗିଛନ୍ତି-। ଷୋଳବର୍ଷ ବୟସରେ ସେ ଗୋଟିଏ ଅଫିସ୍‍ରେ କାମକଲେ । ସେଠାରେବି ସମସ୍ତେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଲେ । ଗତ ୨୦ ବର୍ଷ ହେଲା ତାଙ୍କ ବିରୁଦ୍ଧରେ ସଂଘବଦ୍ଧ ଷଡ଼ଯନ୍ତ୍ର ଚାଲିଛି-। କିନ୍ତୁ ସେ ବଡ଼ଲୋକ ବୋଲି ତାଙ୍କର ଧାରଣା ନାହିଁ । ନିଜକୁ ବିନୟୀ କିନ୍ତୁ ସାଧାରଣ ଲୋକଙ୍କଠାରୁ ଟିକିଏ ବେଶୀ ବୁଦ୍ଧିମାନ ବୋଲି ସେ କହନ୍ତି । ବହୁତବେଳ ଧରି ସେ ଦର୍ଶନ ଓ ବିଜ୍ଞାନ ଭିତରେ ଯେ ଗୂଢ଼ସମ୍ପର୍କ ଅଛି ସେକଥା କହୁଥିଲେ । ‘‘ବିଜ୍ଞାନ ବିନା ଦର୍ଶନ କଥା ଭାବିହେବ ନାହିଁ, କିନ୍ତୁ ବିଜ୍ଞାନ ସାହାଯ୍ୟରେ ଦର୍ଶନକୁ ବୁଝିହେବନାହିଁ ।’’ ସେ ନିଜେ ବହୁ ବୈଜ୍ଞାନିକ ଗବେଷଣା କରିଥିବାର କହିଲେ । ତାଙ୍କ ଘରେ ଗୋଟିଏ ଛୋଟକାଟର ବୈଜ୍ଞାନିକ ଲାବରେଟୋରୀ କରିଥିଲେ । କିନ୍ତୁ ପୋଲିସ୍ ତାଙ୍କପଛରେ ବରାବର ଲାଗିଲେ । ସେମାନେ ତାଙ୍କ ଶୋଇବାଘର ଝରକାତଳେ ଠିଆହୋଇ ଅଭଦ୍ର ଭାଷାରେ ଗାଳିଦେଲେ । ଅବଶ୍ୟ ପୋଲିସ୍ କେବଳ ତାଙ୍କ କର୍ତ୍ତବ୍ୟ କରୁଥିଲେ । ସେମାନ ତ ପଇସା ପାଇ କାମ କରିବା ଲୋକ । ମଣିଷ ଗୋଷ୍ଠୀ ତାଙ୍କୁ ଲଗାଇଛି । ରୋଗୀକୁ ବିରକ୍ତ କରିବାପାଇଁ ମଣିଷ ଗୋଷ୍ଠୀ ଆଉ ଗୋଟିଏ ଉପାୟ ଅବଲମ୍ବନ କରିଥିଲେ । ତାହା ହେଉଛି ପକେଟରେ ଟଙ୍କା ଝଣଝଣ କରିବା । ସେ ଗୋଟାଏ ଏକ୍ସ୍‍ପେରିମେଣ୍ଟ୍ କରି ଏହା ଜାଣିପାରିଥିଲେ । ଲୋକମାନେ ବାଟରେ ଗଲାବେଳେ ତାଙ୍କ ଆଡ଼େ ହାତଠାରି ତାଙ୍କୁ ବିରକ୍ତ କରୁଥିଲେ । ସେ ଚାଲିଗଲାବେଳେ ଝରକାରୁ ମୁଣ୍ଡ କାଢ଼ି ତାଙ୍କୁ ଅନାଉଥିଲେ । ଥିଏଟରରେ ବସିଲାବେଳେବି ତାଙ୍କ ବିରୁଦ୍ଧରେ ଲୋକ କଥାବାର୍ତ୍ତା ହେଉଥିଲେ । ପଇସା ବ୍ୟାଗ୍ ଖୋଲି ଜଣେ ଆଉ ଜଣଙ୍କୁ ଠାରୁଥିଲେ ଯେ ସେ ବସିଛି । ୱାଡ଼୍‍ରେ ନର୍ସ କିଛି ଖାଇଲେ ରୋଗୀଙ୍କ ପେଟ ଦରଜ ହେଉଥିଲା । ନର୍ସଙ୍କ ପାଟି ବୁଲିବା ଦେଖିଲାମାତ୍ରକେ ତାଙ୍କର ଏପରି କଷ୍ଟ ହେଉଥିଲା । କାହିଁକିନା ଏହାଦ୍ଵାରା ଯୌନକ୍ରିୟାର ସୂଚନା ମିଳୁଥିଲା । ଡାକ୍ତରଖାନାରେ ରାତିରେ ତାଙ୍କୁ ଜାଣିଶୁଣି ନିଦ କରାଇ ଦେଉ ନଥିଲେ ବୋଲି ସେ କହୁଥିଲେ । ଥରେ ୱାଡ଼୍‍ର ଜଣେ ବେହେରା ଏକଡ଼ରୁ ସେକଡ଼ ଚାଲୁଥିବାରୁ ରୋଗୀ ତାକୁ ବାଡ଼େଇଥିଲେ । ବେହେରାମାନେ ବିଭିନ୍ନ ପ୍ରକାର ଶବ୍ଦ କରି ତାଙ୍କୁ ବିରକ୍ତ କରାଉଥିଲେ । ସେଥିପାଇଁ ସେ ସେମାନଙ୍କୁ ମଝିରେ ମଝିରେ ଆକ୍ରମଣ କରୁଥିଲେ । ଡାକ୍ତରଖାନାର ସ୍ତ୍ରୀରୋଗୀମାନଙ୍କୁବି ତାଙ୍କ ପଛରେ ଲଗାଯାଇଥିଲା, ଯେମିତି କି ସେ କିଛି ଖରାପ କାମ କରିଲେ ତାଙ୍କୁ ଦଣ୍ଡ ଦିଆଯିବ । ବହୁବର୍ଷ ପରେ ମଧ୍ୟ ତାଙ୍କର ଭ୍ରମାତ୍ମକ ଧାରଣାରେ କିଛି ପରିବର୍ତ୍ତନ ହୋଇ ନଥିଲା । ପୁଲିସ ତାଙ୍କୁ ଏବେବି ବିରକ୍ତିକର ଯୌନସଙ୍କେତ ଦିଅନ୍ତି । ନିଜର ବୈଜ୍ଞାନିକ ଜ୍ଞାନ ସମ୍ବନ୍ଧରେ ତାଙ୍କର ଏବେବି ମଧ୍ୟ ଉଚ୍ଚ ଧାରଣା ଅଛି । ସେ ଆଇନ୍‌ଷ୍ଟାଇନ୍‌ଙ୍କ ତତ୍ତ୍ଵ ସହଜରେ ବୁଝିପାରନ୍ତି । ଏବେ ଥରେ ତାଙ୍କୁ ଗୋଟାଏ ପ୍ରକାର ଶାଗ ଖାଇବାକୁ ଦିଆଗଲା । ସେ କହିଲେ, ‘‘ଦେଖ, ଜଣେ ଅବିବାହିତ ଲୋକକୁ ଏ ଶାଗ ଦିଆଯାଉଛି । କି ଅପମାନ ! ଏଥିରେ ଭିଟାମିନ୍‌ ‘ଇ’ ଅଛି । ଭିଟାମିନ୍‌ ‘ଇ’ ତ ସନ୍ତାନ ଉତ୍ପାଦିକା ଶକ୍ତି ବଢ଼ାଏ ।’’

 

(ହେଣ୍ଡରସନ୍‌)

 

(୮) ପାରାନୋଇଆ ବେଳେବେଳେ ବୃଦ୍ଧାବସ୍ଥାରେ ଦେଖାଯାଏ । ଜଣେ ୫୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କ କଥା କୁହାଯାଉଛି ।

 

ତାଙ୍କ ବାପମା’ ମଦ୍ୟପ ଥିଲେ । ପିଲାଦିନୁ ତାଙ୍କର ଠିକ୍‌ ଯତ୍ନ ନିଆହୋଇ ନଥିଲା । ଚାଳିଶବର୍ଷ ବୟସରେ ସେ ବାହାହେଲେ । କିଛି ପିଲାଛୁଆ ନଥିଲେ । ସାଧାରଣତଃ ସେ ଉଚ୍ଚ ଆଶା ପୋଷଣ କରୁଥିଲେ ଏବଂ ସମାଜରେ ଉପରକୁ ଉଠିବାକୁ ଯଥେଷ୍ଟ ଉତ୍କଣ୍ଠା ପ୍ରକାଶ କରୁଥିଲେ । କିନ୍ତୁ ସମସ୍ତଙ୍କୁ ସନ୍ଦେହ କରିବା ପ୍ରବୃତ୍ତି ତାଙ୍କର ଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାର କିଛିଦିନ ଆଗରୁ ତାଙ୍କର ଆର୍ଥିକ ବିପତ୍ତି ଘଟିଥିଲା । ସେ ଯେ ଗରିବ ହୋଇଯାଇଥିଲେ ତା’ ନୁହେଁ, ଜଣଙ୍କଠାରୁ ତାଙ୍କର କିଛି ସମ୍ପତ୍ତି ପାଇବାରଥିଲା । ହଠାତ୍‌ ତାଙ୍କୁ ସେଇଟା ମିଳିଲା ନାହିଁ-। ତାଙ୍କର ଧାରଣା ହେଲା ଯେ ତାଙ୍କ ନାଁରେ କିଏ ନିଶ୍ଚୟ କୁପ୍ରଚାର କରୁଛି ଆଉ ସେଥିପାଇଁ ସମ୍ପତ୍ତି ମିଳିଲା ନାହିଁ । ନିଜ ଭାଇ ଓ ସ୍ଵାମୀ ସମସ୍ତଙ୍କୁ ସେ ସନ୍ଦେହ କଲେ ।

 

ସେ ମଦ ଖାଆନ୍ତି ବୋଲି ସ୍ଵାମୀ ତାଙ୍କ ନାଁରେ କୁପ୍ରଚାର କରୁଥିବାର ତାଙ୍କର ମନେ ହେଲା । ତାଙ୍କୁ ଲାଗିଲା ଯେ ଆଉ ଜଣେ ଲକ୍ଷପତି ତାଙ୍କପାଇଁ ବହୁତ ସମ୍ପତ୍ତି ଛାଡ଼ି ଯାଇଛନ୍ତି । ଏଇ ବିଷୟରେ ସେ ଖୁବ୍‌ ଆଗ୍ରହୀ ହେଲେ । ସ୍ଵାମୀଙ୍କ ବିରୁଦ୍ଧରେ ତାଙ୍କର ସନ୍ଦେହ ବଢ଼ିଲା । ସେ ସମସ୍ତଙ୍କୁ କହିଲେ ଯେ ସ୍ଵାମୀ ଅନ୍ୟଲୋକଙ୍କ ସଙ୍ଗେ ମିଶି ତାଙ୍କର କୁଖ୍ୟାତି କରୁଛନ୍ତି । କାରଣ ଏମିତି କଲେ ତାଙ୍କୁ ଆଉ ସମ୍ପତ୍ତି ମିଳିବ ନାହିଁ ଓ ସ୍ଵାମୀ ସେ ସମ୍ପତ୍ତି ଭୋଗ କରିବେ । ଥରେ ରୋଗୀ ଯାଉଯାଉ ଜଣେ ସ୍ତ୍ରୀଲୋକ ତା’ କହୁଣୀ ଟେକିଦେଲା । ରୋଗୀଙ୍କୁ ଲାଗିଲା ୟାମାନେ ରୋଗୀ ମଦପିଏ ବୋଲି ସେ ସଂକେତ ଦେଲା । ଆସ୍ତେ ଆସ୍ତେ ନିଜକୁ ଖୁବ୍‌ ବଡ଼ ଓ ଧନୀ ବୋଲି ସେ ଭାବିଲେ । ତାଙ୍କର ବହୁତ ସମ୍ପତ୍ତି ଅଛି । ସେ ଲକ୍ଷପତି ।

 

କିନ୍ତୁ ତାଙ୍କୁ ଏଥିରୁ ସବୁ ବଞ୍ଚିତ କରାଯାଉଛି । ତେଣୁ ରଜା ଓ ରାଣୀ ତାଙ୍କର ବନ୍ଧୁବାନ୍ଧବ-। ତାଙ୍କୁ ଜବରଦସ୍ତି ଡାକ୍ତରଖାନାରେ ରଖାଯାଇଛି । ଧନସମ୍ପତ୍ତି ଅନ୍ୟମାନେ ବାଣ୍ଟିନେଲା ପରେ ତାଙ୍କୁ ଛାଡ଼ିଦିଆଯିବ । ସତୁରିବର୍ଷ ଟପିଲାପରେବି ତାଙ୍କର ଏ ସବୁ ଧାରଣା ଅଛି ।

 

(ହେଣ୍ଡରସନ୍‌)

 

(ଙ) ଉତ୍‌ଫୁଲ୍ଲ–ବିଷାଦ ପାଗଳାମୀ–

 

(୧) ପାଗଳାମୀ କୌଣସି ଗୋଟିଏ ଅପ୍ରୀତିକର ଘଟଣା ପରେ ଦେଖା ଦେଇଥିବାର ଦୃଷ୍ଟାନ୍ତ ଅଛି ।

 

୧୯ ବର୍ଷର ଜଣେ ଝିଅ କଲେଜରେ ପଢ଼ୁଥିଲେ । କିନ୍ତୁ ଆସ୍ତେ ଆସ୍ତେ ସେ ବିଷଣ୍ଣ ହୋଇଉଠିଲେ । ନିଜକୁ ସମାଲୋଚନା କଲେ । କୌଣସି କାମ କରିବାପାଇଁ ସ୍ପୃହା ଦେଖାଇଲେ ନାହିଁ । ଶେଷକୁ ପଢ଼ା ଛାଡ଼ିଦେଲେ । ତାଙ୍କର ଚାରି ଭଉଣୀ ଓ ଦୁଇଭାଇ । ବାପାଙ୍କ ପ୍ରତି ସେ ଖୁବ୍‌ ଆସକ୍ତ ଥିଲେ । ମା’ ଓ ସାନଭଉଣୀମାନଙ୍କ ସହିତ ସବୁବେଳେ ପ୍ରତିଦ୍ଵନ୍ଦ୍ୱୀ ଭାବ ପୋଷଣ କରୁଥିଲେ । କିନ୍ତୁ ଏପରି ମନୋଭାବ ଯୋଗୁଁ ତାଙ୍କର ଅପରାଧବୋଧ ଜାତ ହୋଇଥିଲା । ବାପା ତାଙ୍କୁ ଭଲ ପାଉଥିଲେ । କିନ୍ତୁ ସାନଭଉଣୀମାନଙ୍କୁ ମା’ ଭଲ ପାଉଥିଲେ । ତାଙ୍କ ସମବୟସୀ ଆଉ ଜଣେ ସମ୍ପର୍କୀୟ ଭଉଣୀ ବାହା ହୋଇଗଲା ପରେ ତାଙ୍କୁ ଖୁବ୍‌ ଖରାପ ଲାଗିଲା । କାରଣ ନିଜର ବିବାହ ବୟସ ହୋଇଥିଲେ ମଧ୍ୟ ସେ ବାହା ହୋଇପାରି ନଥିଲେ । ପୁଣି କଲେଜରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣ ଭିତରେ ପଡ଼ି ତାଙ୍କର ବିଷାଦଭାବ ଆହୁରି ବଢ଼ିଗଲା । ସେ ଘରକୁ ଫେରି ଆସିଲେ । ନିଜ କୋଠରୀରେ ଅଧିକାଂଶ ସମୟରେ ରହିଲେ । ଚେହେରା ପ୍ରତି ଆଦୌ ଦୃଷ୍ଟି ଦେଲେ ନାହିଁ । ଟିକେ ଟିକେ କଥାରେ କାନ୍ଦି ପକାଇଲେ । ଏ ସବୁ ତାଙ୍କ ମା’ ସହ୍ୟ କରିପାରିଲେ ନାହିଁ ।

 

ତାଙ୍କୁ ଡାକ୍ତରଖାନାରୁ ଚିକିତ୍ସାପାଇଁ ନିଆଗଲା । ଏହାର ଅଳ୍ପ କେତେଦିନ ପରେ ବିଷାଦାବସ୍ଥାରୁ ଆସ୍ତେ ଆସ୍ତେ ଅନ୍ୟ ଏକ ଅବସ୍ଥାକୁ ତାଙ୍କର ପରିବର୍ତ୍ତନ ହେବାର ଦେଖାଗଲା । ସେ ନିହାତି ଅସଂଯତ ଭାବରେ ବ୍ୟବହାର କଲେ । ବସ୍‌ରେ ଗଲାବେଳେ ଜଣେ କେଉଁ ଅଚିହ୍ନା ଲୋକ ସଙ୍ଗେ ତାଙ୍କର ଦେଖା ହୋଇଥିଲା । ସେ ଲୋକ କେଡ଼େ ସୁନ୍ଦର, କେତେ ଭଲପାଏ–ଏଇସବୁ କଥା ସେ ଗପିଲେ । ତାଙ୍କର ଉତ୍‌ଫୁଲ୍ଲ ଅବସ୍ଥା ଆରମ୍ଭ ହେଲା । କିଛିଦିନ ଭିତରେ ତାଙ୍କର ଉତ୍‌ଫୁଲ୍ଲତା ଖୁବ୍‌ ବଢ଼ିଗଲା । ସେ ଥରେ ବାହାରକୁ ବୁଲିଯାଉଛନ୍ତି ଜଣେ ଅପରିଚିତ ଲୋକକୁ ଦେଖିଲେ । ଆଉ କିଛି ନ ଭାବି ନ ଚିନ୍ତି ତା’ ସାଙ୍ଗେ ପଳାଇଲେ ।

 

(ଆଲେକ୍‌ଜାଣ୍ଡର୍‌)

 

(୨) ସମୟେ ସମୟେ ଉତ୍‌ଫୁଲ୍ଲ ଭାବ ଅଳ୍ପ ପରିମାଣରେ ଦେଖାଦିଏ । ଏପରି ଜଣେ ଅବିବାହିତ ରୋଗୀଙ୍କ କଥା କୁହାଯାଉଛି । ତାଙ୍କୁ କେତେଗୁଡ଼ିଏ ସାଧାରଣ ପ୍ରଶ୍ନ ପଚରାଗଲା । ସେ ଯାହା ଉତ୍ତର ଦେଲେ ତାହା ଅଦ୍ଭୁତ ଧରଣର । ତାଙ୍କୁ ପଚରାଗଲା ଆଜି କେମିତି ଅଛ ?

 

ସେ କହିଲେ, ‘‘ମୁଁ ସବୁଠୁ ଭଲ ଅଛି । ସରକାର ମତେ ଏଠି ରଖି ତାଙ୍କ ପଇସା ନଷ୍ଟ କରୁଛନ୍ତି । ଆଜି ଭଲ ଜିନିଷ ରାନ୍ଧିଲେ କେମିତି ହୁଅନ୍ତା ? ଏଠିକାର କାମଦାମ ଭାରି ମାନ୍ଦା । କାହିଁ ଏଠିତ ଜଣେ ଭଲ ନର୍ସବି ଦେଖିଲି ନାହିଁ । ତାଙ୍କୁ ପଚାର ତମେ କ’ଣ ନର୍ସ ? ‘‘ନାଇଁ ମୁଁ ଏଯାକେ ନର୍ସ ସାର୍ଟିଫିକେଟ୍ ପାଇନି । କିନ୍ତୁ ମୋର ନର୍ସ ହେବାର ସବୁ ଗୁଣ ଅଛି । ଦେଖ ମୁଁ ତମଠୁ ଖୁବ୍‌ ବେଶୀ ଚାଲାକ୍‌ । ହଁ, କହତ ସେ ସୁନ୍ଦର ଟୋକା ଡାକ୍ତର କିଏ ? ମୋର ତାଙ୍କୁ ପ୍ରେମ କରିବାକୁ ଇଚ୍ଛା ହେଉଛି । ମୁଁ ଜଣେ ଡାକ୍ତରକୁ ବାହା ହେବି । ତା’ର ଟଙ୍କାପଇସା ଥିବ । ଆମେ ଚାରିପାଞ୍ଚଟା ଡାକ୍ତରଖାନା ଖୋଲିବା । ବହୁତ ପଇସା ମିଳିବ । ଏତେ ପଇସା ହେବ ଯେ ମତେ ତିରିଶବର୍ଷ ହେଲାବେଳକୁ ମୁଁ ଆଉ କିଛି କାମଦାମ ନ କରି ବସି ଖାଇବି । ମୁଁ ଖୁବ୍‌ ଶୀଘ୍ର କାମ କରେ । ଘରଦ୍ଵାର ଓଳେଇବାକୁ ଦିଅ, ମୁଁ ସାଙ୍ଗେ ସାଙ୍ଗେ କରିଦେବି । ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ କରିଦିଅ, ତା’ବି ମୁଁ ପାରିବି । ମୋର ଖୁବ୍‌ ବଡ଼ଲୋକ ହେବା ଇଚ୍ଛା । ମୋ ଭଉଣୀ ଭାରି ବୁଦ୍ଧିଆ । ସେ କଲେଜରେ ପଢ଼େ । ଡାକ୍ତରମାନଙ୍କୁ ଭାରି ପସନ୍ଦ କରେ–ମାନେ ଯାହାର ବୁଦ୍ଧି ଅଛି ତାକୁ । ମୋ ଅଜା ଡାକ୍ତରଥିଲେ–ପଶୁଡାକ୍ତର । ତେବେ ଦେଖୁଛ ଏ ସବୁ ଆମ ବଂଶରେ ଅଛି ।’’ ତାଙ୍କୁ ପଚାର, ତମ ବିଷୟରେ କିଛି କୁହ । ‘‘ଓ ମତେ ସେସବୁ ମନେପକେଇବାକୁ ହେବ ? ମୁଁ ଆଶା କରୁଛି । ମୁଁ ଆଶା କରୁଛି । ମୁଁ ଆଶା କରୁଛି । ମୁଁ କ’ଣ ପୁରୁଷମାନଙ୍କୁ ଭଲପାଏ ? ମତେ କ’ଣ ମେଳାମଉଛବ ଭଲ ଲାଗେ ? ନା, ମତେ ଯେକୌଣସି ପୁରୁଷସାଙ୍ଗେ ଯିବାକୁ ଭଲ ଲାଗେ ନାହିଁ । ଭାବିବାକୁ ପଡ଼ିବ ମୁଣ୍ଡ ଖର୍ଚ୍ଚ କରି । ମୋର ଭଲ ମୁଣ୍ଡ ଅଛି । ମୋ ମୁହଁ କଡ଼ ଆଡ଼ୁ କେମିତି ଦେଖାଯାଏ ? ମୁଁ ହଠାତ୍‌ କାହା ପ୍ରେମରେ ପଡ଼େ ନାହିଁ । ମୁଁ ଯେକୌଣସି ଲୋକଠୁଁ ଭଲ । କିନ୍ତୁ ମୁଁ କ’ଣ ନିଜକୁ ଖୁବ୍‌ ବଡ଼ ବୋଲି ଭାବେ ? ମୁଁ ବେଶୀ ଗର୍ବୀ । ମୁଁ ଟିକେ ଟିକେ କଥାରେ ଫୁଲେଇ ହୁଏ ।’’ ପୁଣି ତାଙ୍କୁ ପଚରାଗଲା ତୁମଙ୍କୁ ଡାକ୍ତରଖାନା କାହିଁକି ଆଣିଲେ ? ‘‘ହଉ ମୁଁ କହୁଛି । ମୁଁ ଜଣଙ୍କ ଘରେ କାମ କରିବାକୁ ଯାଇଥିଲି । ସେ ମୋତେ ଟେଲିଫୋନ୍‍ରେ ଡାକି ପଠାଇଥିଲେ । ତାଙ୍କ ସ୍ଵାମୀ ଦେଖିବାକୁ ବେଶ୍ ସୁନ୍ଦର । ଯାହା ପଇସାପତ୍ର ଥିଲା ସେ ମଦଖାଇ ଖର୍ଚ୍ଚକରି ଦେଇଥିଲେ । ମୁଁ ବନ୍ଧୁତା ଖାତିରିରେ ମଦ ଖାଏ । ଡାକ୍ତର କି ଇଞ୍ଜିନିୟର୍ ଯାହା ସାଙ୍ଗରେ ହେଲେ ମୁଁ ବୁଲିଯିବାକୁ ରାଜି । ତାଙ୍କର ଗୋଟିଏ ପୁଅ ଇଞ୍ଜିନିୟର୍ । ତାଙ୍କ ଘର ଖୁବ୍‌ ସୁନ୍ଦର । ସେ ଆଉଥରେ ବାହା ହୋଇଥିଲେ । ତାଙ୍କ ଝିଅକୁ ଘୋଡ଼ାରେ ବସାଇ ବୁଲାଇବାକୁ କହିଥିଲେ । ଅବଶ୍ୟ ମୁଁ ଘୋଡ଼ାଚଢ଼ା ଜାଣେ । ମୁଁ ମଟରଗାଡ଼ି ଚଳାଇପାରେ । କିନ୍ତୁ ମୋର ଲାଇସେନ୍‌ସ୍ ନାହିଁ । ମୁଁ ମୋଟେ ଚାରିଜଣ ପୁଲିସଙ୍କୁ ଚିହ୍ନିଛି । ଗାଡ଼ି ଚଳାଇଲାବେଳେ ଧରାପଡ଼ିଲେ ମତେ ଏ ଡାକ୍ତରଖାନା ଜେଲ୍‌କୁ ନେଇ ଆର ଜେଲ୍‌ରେ ରଖିବେ । କିନ୍ତୁ ସେମାନେ ମୋତେ ସହଜରେ ଧରିପାରିବେ ନାହିଁ । କାହିଁକି ନା ମୁଁ ଖୁବ୍‌ ବେଶୀ ଚାଲାକ୍ ।’’

 

ଏ ପ୍ରଶ୍ନ–ଉତ୍ତରରୁ ଜଣାଯାଉଛି ରୋଗୀର କଥାବାର୍ତ୍ତା କେତେ ଅବାନ୍ତର । ସେ କେବଳ ଅନବରତ ଗପିବାକୁ ଭଲ ପାଉଛି ।

 

(୩) ଉତ୍‌ଫୁଲ୍ଲ ଅବସ୍ଥା ଗୁରୁତର ହେବା ସଙ୍ଗେ ସଙ୍ଗେ ରୋଗୀ ଆହୁରି ବେଶୀ ଅବାନ୍ତର କଥା କହେ । ଅର୍ଥହୀନ ଯତି, ଯମକ ତା’ କଥାରେ ବହୁଳ ଭାବରେ ବ୍ୟବହୃତ ହୁଏ । ବିଭିନ୍ନ ପ୍ରକାର ମୁଖଭଙ୍ଗୀ କରି ରୋଗୀ ଲୋକଙ୍କୁ ହସାଏ । ଏହିପରି ଜଣେ ରୋଗୀ ହସ୍‌ପିଟାଲରେ ଭର୍ତ୍ତି ହେଲା ଦିନଠାରୁ ସବୁବେଳେ ଅଥୟ ଓ ଚଞ୍ଚଳ ଅବସ୍ଥାରେ ଥାନ୍ତି । ଖଟ ଉପରେ ବସି ପଡ଼ନ୍ତି । ସେଠାରେ ମନ ଲାଗେନାହିଁ । ପୁଣି ତକିଆରେ ବସନ୍ତି । ପୁଣି ଖଟବାଡ଼କୁ ଧରି ଓହଳନ୍ତି । ସବୁବେଳେ ଚୁଚୁ ଶବ୍ଦ କରୁଥାନ୍ତି ଯେମିତି ଘୋଡ଼ାକୁ ଡାକୁଛନ୍ତି । ବହୁତ ପ୍ରକାର ମୁଖଭଙ୍ଗୀ କରୁଥାନ୍ତି । ଯାହାକୁ ଦେଖିଲେ କୁଣ୍ଢେଇ ପକାଉଥାନ୍ତି ଓ ୟାଡ଼ୁସାଡ଼ୁ ଗପୁଥାନ୍ତି । ପ୍ରଶ୍ନ ସରିବା ଆଗରୁ ତାଙ୍କର ଉତ୍ତର ଦେବା ଆରମ୍ଭ ହୋଇଯାଏ । ସେ ଯଦି ଶୁଣିପାରିଲେ କିଏ ଜଣେ ‘ମେଣ୍ଢା’ କହୁଛି ସାଙ୍ଗେ ସାଙ୍ଗେ ତାଙ୍କ ପାଟିରୁ ବାହାରିବ ‘ମେଣ୍ଢା ମୁଣ୍ଡଟି ବଡ଼ ଟାଣ, ତା’ ମୁଣ୍ଡିଆକୁ ସାବଧାନ ।’ କିଏ ଯଦି ‘କାଳି ଆଣ’ କହିଲା ସେ କହିବେ ‘ନବକାଳିକା ବକାଳିକା ମାଳିକା ଆଳି କାଳିକା ।’ କଥା କହୁ କହୁ ତାଙ୍କ ମନ ଅନ୍ୟ ଆଡ଼େ ଚାଲିଯାଏ । ପଚାର କିଏ ଚୋରିକଲା ? ସେ କହିବେ ଚୋରି ? ନାରୀ ଜାରି–ପୁଲିସ୍‌–ବନାରସୀଜରି–ଜରିମାନା–ମାନା–ପାନ୍ନା–ଲାଲ–ଚିତ୍ତୋରଗଡ଼–ଗଡ଼ି ଗଡ଼ି ନଷ୍ଟ ହେଲା । ତାଙ୍କୁ ପଚାର ତାଙ୍କର କିଛି ରୋଗ ହୋଇଛି । ସେ କହିବେ ପାଗଳ, ପାଗଳ, ବଦ୍ଧପାଗଳ, ବନ୍ଧା ହୋଇଯାଇ ପାଗଳ ।

 

(ଚ) ଏପିଲେପ୍‌ସି ବା ଅପସ୍ମାର–

 

ସମୟେ ସମୟେ ଏପିଲେପ୍‌ସି ରୋଗ ଏତେ ସାମାନ୍ୟ ପରିମାଣରେ ଦେଖାଦିଏ ଯେ ଏହାକୁ ଚିହ୍ନଟ କରିବା କଷ୍ଟ । ସାଧାରଣତଃ ଏପିଲେପ୍‌ସିରେ ବାତ ବା ଅନ୍ୟାନ୍ୟ ଉଗ୍ର ଶାରୀରିକ ପ୍ରକ୍ରିୟା ଲକ୍ଷ୍ୟ କରାଯାଏ । କିନ୍ତୁ ଏହା ସାମାନ୍ୟ ପରିମାଣରେ ଦେଖାଦେଲେ ରୋଗୀ କିଛିବେଳ ପାଇଁ କ’ଣ କରୁଛି ଜାଣିପାରେ ନାହିଁ । ତେଣୁ ଏହି ଅବସ୍ଥାରେ ସେ ନାନାପ୍ରକାର ଅସାମାଜିକ କାମ କରି ବସିବା ଅସ୍ଵାଭାବିକ ନୁହେଁ । ବିଚାରାଳୟରେ ଏ ପ୍ରକାର ରୋଗୀକୁ ସମୟେ ସମୟେ ପ୍ରାଣଦଣ୍ଡ ବା ଯାବଜ୍ଜୀବନ କାରାଦଣ୍ଡ ଅଜାଣତରେ ଦିଆଯାଏ । କିନ୍ତୁ ଡାକ୍ତର ପରାମର୍ଶ ନେଇଥିଲେ ହୁଏତ ବହୁ ଭୟଙ୍କର ହତ୍ୟାକାରୀ ଅପସ୍ମାର ବା ସେହିପରି କୌଣସି ମାନସିକ ରୋଗ ଭୋଗୁଥିବାର ଜଣାପଡ଼ି ଥାଆନ୍ତା । ତଳେ ଏହାର ଗୋଟିଏ ଦୃଷ୍ଟାନ୍ତ ଦିଆଗଲା ।

 

ଜଣେ ଲୋକ ତା’ର ମା’ ପୁତୁରା ଓ ଝିଆରୀଙ୍କୁ ହତ୍ୟା କରିବା ଅପରାଧରେ ଅଭିଯୁକ୍ତ ହେଲା । ସେ ଗୋଟିଏ ଖୁରରେ ସେମାନଙ୍କ ତଣ୍ଟି କାଟି ଦେଇଥିଲା । ୧୪ ବର୍ଷ ଦିନୁ ସେ ବେଳେବେଳେ ହଠାତ୍‌ ମାନସିକ ଅସ୍ଵସ୍ତିବୋଧ କରୁଥିବାର କହିଲା । ତାକୁ ଲାଗେ ଯେମିତି ତା’ ମୁଣ୍ଡରେ ପିତ୍ତ ଚଢ଼ି ଯାଉଛି । ଏତିକିବେଳେ ତା’ର ମୁଣ୍ଡ ବଥାଏ ଓ ତାକୁ ବାନ୍ତି ବାନ୍ତି ଲାଗେ । ଏମିତି ଲାଗିଲେ ସେ ଟିକେ ଶୋଇପଡ଼େ ଓ କିଛିବେଳ ପରେ ପୁଣି ତାକୁ ଭଲ ଲାଗେ । ମାନସିକ ଅସ୍ଵସ୍ତିବୋଧ କରୁଥିବା ଅବସ୍ଥାରେ ତା’ର ପୂରାପୂରି ଚେତା ନଥାଏ । ସେ କ’ଣ କରେ ଠିକ୍‌ କରି ଜାଣିପାରେନି । ଡାକ୍ତରଖାନାରେ ଥିଲାବେଳେ ଏମିତି ଥରେ ତା’ର ‘ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା’ । ସେ ନିଜର ଲୁଗାପଟା ଚିରି ପକାଇଥିଲା । ଚାରିଆଡ଼େ ଜିନିଷପତ୍ର ଖେଳାଇ ପକାଇଦେଲା ।

 

ସେ ହତ୍ୟା କରିବା ପରେ ପରେ ନିଜେ ଆସି ପୁଲିସ ଥାନାରେ ଖବର ଦେଲା । ସେ ଜାଣିପାରିଲା କ’ଣ ଗୋଟାଏ ଭୟଙ୍କର କାମ କରିପକାଇଛି । କିନ୍ତୁ ଠିକ୍ କ’ଣ କରିଛି ସେ ବିଷୟରେ ସଚେତ ନଥିଲା । ବିଚାରରେ ତାକୁ ଅବଶ୍ୟ ପ୍ରାଣଦଣ୍ଡ ଦିଆଗଲା ନାହିଁ । କାରଣ ହତ୍ୟା କରିବା ପଛରେ ତା’ର କୌଣସି ଉଦ୍ଦେଶ୍ୟ ଧରାପଡ଼ିଲା ନାହିଁ । ତଥାପି ଏପିଲେପ୍‌ସି ରୋଗୀ ବୋଲି ଡାକ୍ତର ସାର୍ଟିଫିକେଟ୍ ଦେଲେ ମଧ୍ୟ ତାକୁ ଖଲାସ କରାଯାଇ ନଥିଲା । ଜେଲରେ ରହିଥିବାବେଳେ ଦିନେ ସେ ଜଣେ ୱାଡ଼୍‍ରକୁ ବିନା କାରଣରେ ଆକ୍ରମଣ କଲା । ଏହାପରେ ଯାଇ କର୍ତ୍ତୃପକ୍ଷଙ୍କ ଆଖି ଫିଟିଲା ଓ ତାକୁ ଅପରାଧୀମାନଙ୍କ ମାନସିକ ଚିକିତ୍ସାଳୟକୁ ପଠାଇଲା ।

 

(ହେଣ୍ଡରସନ୍‌)

Image